Unknown

 

 

 

 

 

 

 

 

 

 

 

ସଂସ୍କୃତିର ଧାରା

ଶ୍ରୀ ରାମଚନ୍ଦ୍ର ତ୍ରିପାଠୀ

 

ନିଜ କଥା

 

‘ସଂସ୍କୃତି’—ଏହି ଶବ୍ଦାର୍ଥକୁ ବୁଝିବାପାଇଁ ଆତ୍ମିକ ପ୍ରୟାସ ଆବଶ୍ୟକ । ଆମର ସ୍ୱରୂପସତ୍ତାରେ ଆମେ ତିନୋଟି ବିଭାବ ଦେଖୁ । ଗୋଟିଏ ହେଉଛି ଶରୀର, ଯାହା ପରିବେଶ ଦ୍ୱାରା ପରିପୁଷ୍ଟ । ଅନ୍ୟଟି ମନ । ଏହା ଶରୀରଠାରୁ ଭିନ୍ନ ହୋଇ ଅଭିନ୍ନ । ବସ୍ତୁସମୁଚ୍ଚୟ ଶରୀରକୁ ରୂପ ଓ ରସରେ ଭରିଦିଏ । ‘ମନ’ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ ବସ୍ତୁ । ତେଣୁ ଶରୀର ଓ ମନ ମଧ୍ୟରେ ସମ୍ପର୍କ ନିବିଡ଼ । ବ୍ୟକ୍ତିଜୀବନ ପରି ଗୋଟିଏ ଜାତି ବା ଗୋଷ୍ଠୀର ଜୀବନ ପ୍ରବାହ ରହିଛି । ତାହାର ଆବୟବି ସୀମା ରହିଛି ଓ ମାନସ ସଂକଳ୍ପ-ବିକଳ୍ପ ରହିଛି । ସାମୂହିକ ଜୀବନର କାର୍ଯ୍ୟକଳାପରେ ଆମେ ସେହି ଗୋଷ୍ଠୀର ଆଶା, ଆକାଙ୍‌କ୍ଷା, ପ୍ରାଚୁର୍ଯ୍ୟ, ସମ୍ଭୋଗ ଓ ବିପ୍ରଲମ୍ଭ, ତ୍ୟାଗ, ଭୋଗ, ସାହିତ୍ୟ, ଶିଳ୍ପ, ଭାସ୍କର୍ଯ୍ୟ ଓ ଶାସନପଦ୍ଧତି-ସବୁ କିଛି ଦେଖିବାକୁ ପାଉ । ଏହା ତାର ସଭ୍ୟତା । ଆମ ଜୀବନରେ ଶରୀର ଓ ମନଠାରୁ ଭିନ୍ନ ଆଉ ଏକ ପ୍ରକୃଷ୍ଟ ସ୍ଥିତି ରହିଛି-ଯାହାକୁ ‘ଆତ୍ମା’ କୁହାଯାଏ । ଏହି ଶବ୍ଦ ଏପରି ବ୍ୟାପକ ଯେ, ଶରୀର ଓ ମନର ସ୍ୱରୂପକୁ ଏକାଧାରରେ କ୍ରୋଡ଼ୀଭୂତ କରି ଅଜ୍ଞେୟକୁ ସ୍ପର୍ଶକରେ—ସତେ ଅବା ଉତ୍ତାନପାଦର ସଂକ୍ରମଣ । ମହତ୍‌ଠାରୁ ମହୀୟାନ୍ ଏବଂ ଅଣୁଠାରୁ ଅଣୀୟାନ୍‌ । ଏହା ଚେତନାସଂବୋଧି । ପ୍ରତ୍ୟେକ ବସ୍ତୁ ଅନ୍ୟଠାରୁ ଭିନ୍ନ ଦେଖାଗଲେ ମଧ୍ୟ ଆତ୍ମଜ୍ଞାନରେ ଅଭିନ୍ନ । ରୁଚିବୈଚିତ୍ର୍ୟ ଓ ଭିନ୍ନତା ମଧ୍ୟରେ ଆତ୍ମାହିଁ ଐକ୍ୟର ମାଙ୍ଗଳିକ ସୂତ୍ର; ତାହାହିଁ ଶ୍ରେଷ୍ଠ ଓ ପରମ ଆଲମ୍ବନ, ପରିପୂର୍ଣ୍ଣ ଆନନ୍ଦ, ବ୍ରାହ୍ମୀସ୍ଥିତି ।

 

ଏତଦାଲମ୍ବନଂ ଶ୍ରେଷ୍ଠମେତଦାଲମ୍ବନଂ ପରମ୍‌

ଏତଦାଲମ୍ବନଂ ଜ୍ଞାତ୍ୱା ବ୍ରହ୍ମଲୋକେ ମହୀୟତେ ।। (କଠ-୧-୨)

 

ଶରୀରରେ ଆତ୍ମସତ୍ତା ପରି କୌଣସି ଦେଶ ଓ ଜାତିର ସଂସ୍କୃତିକୁ ବୁଝିବାକୁ ହେବ । ଅଧିକନ୍ତୁ କୌଣସି ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତିଠାରୁ ତତ୍ତ୍ୱଦୃଷ୍ଟିରୁ ଭିନ୍ନ ନୁହେଁ । ଏଥିରେ ଖଣ୍ଡଚେତନାର ସ୍ଥାନ ନାହିଁ । ସାମଗ୍ରିକ ରୂପକଳ୍ପରେ ମଣିଷର ଅଖଣ୍ଡ ସଂସ୍କୃତି ଉଜ୍ଜୀବିତ । ପୁନଶ୍ଚ ମଣିଷର ସଂସ୍କୃତି ସମସ୍ତ ଜୀବସମେତ ଚରାଚର ବିଶ୍ୱର ସଂସ୍କୃତି ସହିତ ସଦାଧାରିତ; ସହସ୍ଥିତି ମାତ୍ର । ସଂସ୍କାର ଭାବରୁ ସଂସ୍କୃତିକୁ ବୁଝିହେବ । ଜଡ଼ର ସ୍ୱଧର୍ମରେ ସ୍ଥିତିସ୍ଥାପକତା ରହିଛି । ସ୍ଥାପକ ଗୁଣ ବନ୍ଧନରୁ ଉତ୍ତରିତ ହୋଇ ନୂତନତ୍ୱରେ ପହଞ୍ଚିବାର ପ୍ରୟାସ ହେଉଛି ସଂସ୍କାର । ରୂପାନ୍ତରୀକରଣର ଅଭୀପ୍‌ସା ନୂତନ ସ୍ଥିତି ଆଣୁଛି । ଜାଗ୍ରତବୋଧ ରୂପାନ୍ତର ଆଡ଼କୁ ନିର୍ଦ୍ଦେଶ କରୁଛି । ତାହାହିଁ ସଂସ୍କାର । ଏଥିରେ ପୁରାତନ ପ୍ରତି ସମ୍ମାନ ରହିଛି, ନୂତନପ୍ରତି ଆଦର ରହିଛି । ତାହାହିଁ ଜୀବନର ଧର୍ମ, ଆତ୍ମଶକ୍ତିର ବୋଧ । ଗୋଟିଏ ଛୋଟ ଉଦାହରଣରୁ ଅବସ୍ଥାଟି ବୁଝିହେବ-। ଶଂବାଳୁଆ ପୋକର ପୂର୍ବ ଶରୀର ନଷ୍ଟହୋଇ ପ୍ରଜାପତିର ଉଦ୍‌ଗମ ହୁଏ । ଅଗ୍ନିର ଅନାହତ ଶିଖା ପ୍ରତିମୁହୂର୍ତ୍ତରେ ନୂତନରୂପରେ ଉଦ୍‌ଭାସିତ ହେଉଥାଏ । ଅନୁରୂପଭାବରେ ଆତ୍ମବୋଧି ସର୍ବପ୍ରାଚୀନ ସତ୍ତା ହେଲେ ମଧ୍ୟ ନବୀନତାରୁ ଅଧିକ ନୂତନ । ସେହିପରି ସଂସ୍କୃତିର ଧାରା ସଦାଧାରା । କେତେବେଳେ ଅନ୍ତଃଫଲ୍‌ଗୁ ହୁଏ ଅଥବା କେତେବେଳେ କଳନାଦିନୀ ସରସ୍ୱତୀ ହୁଏ-। ବିଶ୍ୱମାନବର ଚିରସ୍ରୋତା ସଂସ୍କୃତିର ସ୍ରୋତସ୍ୱତୀ କୂଳରେ କେତେ ଅଗ୍ନିପକ୍ଷ ହଂସଙ୍କର କାକଳି ଭାରତବର୍ଷ ସାଇତି ରଖିଛି । ଅନୁଶୀଳନ ମାର୍ଗରେ ଏହା ଆତ୍ମାନୁଶୀଳନର ଅତୀତ ଇତିହାସ ହୋଇପାରେ, ଅଥବା ଅନାବଶ୍ୟକ ଅନୁଭୂତିର ବୋଝ ହୋଇପାରେ; କିନ୍ତୁ ସାଇତି ରଖିବାରେ ଆମ ଦେଶବାସୀଙ୍କର ମାର୍ମିକ ସନ୍ତର୍ପଣ ରହିଛି । ସେହି ‘ସାଇତା କଥାକୁ’ ଉପଜୀବ୍ୟ ରୂପେ ଗ୍ରହଣ କରି ଆମର ପୁରାଣ ଇତିହାସ ଗଢ଼ିଉଠିଛି । ଏହି ପୁସ୍ତକ ସନ୍ନିହିତ ବିଷୟ ଗୁଡ଼ିକରେ ଆମଦେଶର ପୁରାଣକାହାଣୀ ହିଁ ଆଧାର ମାତ୍ର । ସଂସ୍କୃତି ବ୍ୟତୀତ କୌଣସି ଦେଶର ଅନ୍ତର୍ନିହିତ ବୋଧକୁ ବୁଝିହେବ ନାହିଁ । ଅନ୍ୟ ପକ୍ଷରେ ସାମଗ୍ରିକ ଚେତନା ବ୍ୟତିରେକେ ‘ସଂସ୍କୃତି’କୁ ବୁଝିବା ଅସମ୍ଭବ-। ଆତ୍ମା ଗୁହ୍ୟତମ ହେଲେ ମଧ୍ୟ, ଆମେ ଶାରୀର କାର୍ଯ୍ୟ ଓ ମାନସ ସଂକଳ୍ପରେ ଆତ୍ମବୋଧର ପ୍ରତୀତି ଆଣିଲାପରି, ଆମ ଦେଶର ପର୍ବପର୍ବାଣୀ, ଓଷାବ୍ରତ, ଉତ୍ସବ ଓ ଆଚାରବିଚାରରୁ ସଂସ୍କୃତିର ଧାରାକୁ ବୁଝିବାପାଇଁ ପତଙ୍ଗପ୍ରୟାସ ମାତ୍ର କରିଥାଉଁ ।

 

କଟକ ଗ୍ରନ୍ଥମନ୍ଦିରର ପରିଚାଳକ ଶ୍ରଦ୍ଧେୟ ବନ୍ଧୁ ଶ୍ରୀଯୁକ୍ତ ଅଭିରାମ ମହାପାତ୍ରଙ୍କ ପ୍ରେରଣା ଓ ଉତ୍ସାହ ହେତୁ ‘‘ସଂସ୍କୃତିର ଧାରା’’ ର ପ୍ରଥମଭାଗ ପ୍ରକାଶିତ ହେବାକୁ ଯାଉଛି । ଏଥିପାଇଁ ମୁଁ ଶ୍ରୀ ମହାପାତ୍ରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପୂର୍ବରୁ ପ୍ରକାଶ ପାଇଛି । ଏହି ପୁସ୍ତକ ପାଠକମାନଙ୍କଦ୍ୱାରା ଆଦୃତ ହେଲେ ଶ୍ରମ ସାର୍ଥକ ହେବ ।

 

ଲେଖକ

Image

 

ସୂଚୀପତ୍ର

 

୧.

ଭାରତବର୍ଷ

୨.

ପବିତ୍ର ତ୍ରିବେଣୀ

୩.

ଆର୍ଯ୍ୟ

୪.

ପ୍ରଭାସରୁ ମହୋଦଧି

୫.

ଆଚାର ପ୍ରଭବୋ ଧର୍ମଃ

୬.

ଜଗନ୍ନାଥ—ଏକ ସମନ୍ୱୟ

୭.

ସରିତ୍‌ବରା ସରସ୍ୱତୀ

୮.

ବିବାହ

୯.

କବିପ୍ରସିଦ୍ଧି

୧୦.

କନ୍ଦର୍ପ

୧୧.

ଜୀବେମ ଶରଦଃ ଶତମ୍‌

୧୨.

ଋତୁନାଂ କୁସୁମାକରଃ

୧୩.

ବସନ୍ତ ଯୁଗେ ଯୁଗେ

୧୪.

ତପସ୍ୱୀ ଗ୍ରୀଷ୍ମ

୧୫.

ଦୀପାବଳୀ

୧୬.

ପ୍ରଥମାଷ୍ଟମୀ

୧୭.

ରସର ରଙ୍ଗ ଓ ଦେବତା

୧୮.

ବିଶ୍ୱାମିତ୍ର

୧୯.

ମହାତ୍ମା ବୁଦ୍ଧ

୨୦.

ନିଷ୍ପାପ ଭରତ

୨୧.

ବିଦଗ୍‌ଧା ତୁଳସୀ

୨୨.

ବଂଶରକ୍ଷା

୨୩.

ଶକ୍ତିର ଆରାଧନା

୨୪.

ନାରାୟଣୀ

୨୫.

ପାପ ପୁଣ୍ୟ

୨୬.

ମା’

Image

 

ଭାରତବର୍ଷ

 

ଏହି ମହାନ୍‌ ଦେଶ, ଯାହା ପୃଥିବୀରେ ‘ଭାରତବର୍ଷ’ ନାମରେ ସୁଖ୍ୟାତ ଓ ପ୍ରଥିତ; ସେହି ଦେଶର ଆଚାର-ବିଚାର, ସଂସ୍କୃତି ଓ ସଭ୍ୟତା କେଉଁ ପ୍ରାଚୀନ କାଳରୁ ମନୁଷ୍ୟମାନଙ୍କୁ ନାନାଭାବରେ ଉଦ୍‌ବୁଦ୍ଧ କରିଆସିଛି । ଏହି ଭୂମିରେ ଜନ୍ମନେଇଥିବା ପ୍ରାଚୀନ ମହର୍ଷିମାନେ ପୃଥିବୀରେ ବସବାସ କରୁଥିବା ମନୁର ସନ୍ତାନମାନଙ୍କୁ ଆଚାର ଓ ଧର୍ମ ସମ୍ପର୍କରେ ସର୍ବପ୍ରଥମେ ଉପଦେଶ ଦେଇଛନ୍ତି । ଚିନ୍ତା-ରାଜ୍ୟରେ ଯାହା କିଛି ମହନୀୟତା, ତା’ର ଆଦି ଉନ୍ମେଷ ଏହି ମାଟିରେ ଘଟିଛି । ଏହି ଦେଶ ପୃଥିବୀକୁ ଅମୃତତ୍ୱର ସନ୍ଧାନ ଦେଇଛି । ଭାରତୀୟ ସଂସ୍କୃତି ଓ ମାନବାବାଦର ମାନଦଣ୍ଡ ଆଜି ମଧ୍ୟ ହିମାଳୟ ପରି ଉଚ୍ଚତମ; ସେହି ମାନଦଣ୍ଡର ସମାନ୍ତରାଳ ରୂପ ଅନ୍ୟତ୍ର ବିରଳ । ହିମାଳୟକୁ ଲକ୍ଷ୍ୟ କରି ବରେଣ୍ୟ କବି କାଳିଦାସ ଯେଉଁ ‘‘ସ୍ଥିତଃ ପୃଥିବ୍ୟାଃ ଇବ ମାନଦଣ୍ଡଃ’’ ପଂକ୍ତିଟି ବ୍ୟବହାର କରିଛନ୍ତି, ତା’ର ବ୍ୟଞ୍ଜନାର୍ଥ ଏହି ଦେଶର ଆଚାର ଓ ସଂସ୍କୃତି ପ୍ରତି ମଧ୍ୟ ଏକାଧାରରେ ପ୍ରଯୁଜ୍ୟ । ଔପନିଷଦିକ ଋଷିମାନେ ‘‘ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’’-ଏହି ମହତ୍ତମ ବାଣୀରେ ଯେଉଁ ସାମାଜିକ ସଂସ୍କୃତି ଓ ବିଶ୍ୱ-ମାନବର ପ୍ରେରଣା ଦେଇଛନ୍ତି, ତାହା ଯୁଗେ ଯୁଗେ ମାନବସମାଜକୁ ସତ୍ୟ, ଶାନ୍ତି ଓ ନ୍ୟାୟ ପଥରେ ଅନୁପ୍ରାଣିତ କରୁଥିବ । ଏହି ଭୂମିରେ ସଭ୍ୟତାର ନବୀବ ସୂର୍ଯ୍ୟ ପ୍ରଥମେ ଉଦୟ ହୋଇଛନ୍ତି; ଏହି ଦେଶ ପୃଥିବୀକୁ ଶାନ୍ତି ଓ କରୁଣାର ବାଣୀ ଶୁଣାଇଛି; ନିଷ୍ପେଷିତ ମନୁଷ୍ୟ-ସନ୍ତାନକୁ ଆଶାୟୀ ଓ ଉଜ୍ଜ୍ୱଳ ରଖିଛି; ଏହି ଦେଶର ଅଗ୍ରଜନ୍ମାମାନେ ଅନ୍ୟ ଦେଶବାସୀମାନଙ୍କୁ ଧର୍ମ ଓ ଆଚାର ଶିଖାଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଏହି ଦେଶର ଅଗ୍ରଜନ୍ମାଙ୍କଠାରୁ ଚରିତ୍ର ଓ ବ୍ୟବହାର ଶିକ୍ଷା କରିବା ପାଇଁ ମହର୍ଷି ମନୁ ନିର୍ଦ୍ଦେଶ ଦେଇଛନ୍ତି-

 

‘‘ଏତେଦ୍ଦେଶପ୍ରସୂତସ୍ୟ ସକାଶାତ୍‌ ଅଗ୍ରଜନ୍ମନଃ

ସ୍ୱଂ ସ୍ୱଂ ଚରିତ୍ରଂ ଶିକ୍ଷେରତ୍ନ ପୃଥିବ୍ୟାଂ ସର୍ବମାନବାଃ ।’’

 

(ମନୁସଂହିତା ୨ୟ ଅଧ୍ୟାୟ-୨୦)

 

କେଉଁ ସମୟରୁ ଏହି ଦେଶ ‘ଭାରତବର୍ଷ’ ନାମରେ ଆଖ୍ୟାତ ହେଲା, ତାହାର ଅବଧି ସ୍ଥିର କରିବା ଆଜି କଷ୍ଟକର । ଆଜି ଭାରତବର୍ଷ କହିଲେ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଭାରତ ମହାସାଗର ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ କ୍ଷୀରସାଗର ବା ଆରବ୍ୟସାଗର ପର୍ଯ୍ୟନ୍ତ ବିସ୍ତୃତ ଭୂଭାଗକୁ ବୁଝାଉଅଛି । ଏହି ଦେଶର ସନ୍ତାନମାନେ ଭାରତୀୟ ରୂପେ ପରିଚିତ ଓ ସମ୍ମାନିତ । ବାୟୁ ପୁରାଣରେ ଉଲ୍ଲେଖ ଅଛି :

 

‘‘ଉତ୍ତରଂ ଯଦ୍‌ସମୁଦ୍ରସ୍ୟ ହିମାଦ୍ରେଶ୍ଚୈବ ଦକ୍ଷିଣମ୍‌

ବର୍ଷଂ ତଦ୍‌ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ।’’

 

ଏହି ଭୌଗୋଳିକ–ଏକତା ପୂର୍ବରୁ ଏହି ଦେଶ ବ୍ରହ୍ମାବର୍ତ୍ତ, ଦକ୍ଷିଣାପଥ ଓ ବ୍ରାତ୍ୟଦେଶ ବା ପୂର୍ବଦେଶ-ଏହିପରି ବହୁ ଭାଗରେ ବିଭକ୍ତ ଥିଲା । ଏହିସବୁ ଅଞ୍ଚଳ ପ୍ରାଚୀନ ଜମ୍ବୁଦ୍ୱୀପର ଅନ୍ତର୍ଗତ ଥିଲା । ପୂର୍ବେ ଜମ୍ବୁଦ୍ୱୀପର ପରିସୀମା ମଧ୍ୟରେ ବାହ୍ଲୀକ, ଗାନ୍ଧାର, ତିବ୍ବତ୍‌, ନେପାଳ, ଆର୍ଯ୍ୟାବର୍ତ୍ତ, ଦକ୍ଷିଣାପଥ, ପ୍ରାଚ୍ୟଦେଶ, ଲଙ୍କା, ବ୍ରହ୍ମଦେଶ, ମଳୟ, ଯାଭା, ସୁମାତ୍ରା, କମ୍ବୋଜ (କାମ୍ବୋଡ଼ିଆ) ଓ ଅନ୍ୟାନ୍ୟ ପୂର୍ବଭାରତୀୟ ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ ଥିଲା । ବାହ୍ଲୀକ ଓ ଗାନ୍ଧାର ଦେଶ ଆଧୁନିକ ଇରାନ୍‌ ଓ ଆଫଗାନିସ୍ତାନର କେତେକ ଅଂଶବିଶେଷ । ଜମ୍ବୁଦ୍ୱୀପ ପୃଥିବୀ ଭୂଭାଗର ଏକ ନବମାଂଶ ଏବଂ ପ୍ରଧାନ ଭୂମଣ୍ଡଳ । ଆଜି ମଧ୍ୟ ଭାରତୀୟମାନେ ସେମାନଙ୍କର ମହାନ୍‌ ସଂକଳ୍ପ ବାକ୍ୟରେ ସେହି ପୂର୍ବସ୍ମୃତିକୁ ଉଜ୍ଜୀବିତ ରଖି ‘‘ଅସ୍ୟାଂ ପୃଥିବ୍ୟାଂ ଜମ୍ବୁଦ୍ୱୀପେ ଭାରତବର୍ଷେ ମେରୋଃ ଦକ୍ଷିଣାହି, ସିଦ୍ଧୋଃ ଉତ୍ତରାହି....’’ ଇତ୍ୟାଦି କାବ୍ୟର ଆବୃତ୍ତି କରିଥାନ୍ତି । ଭାରତବର୍ଷ ପ୍ରାଚୀନ ଜମ୍ବୁଦ୍ୱୀପର ପ୍ରାଣକେନ୍ଦ୍ର । ଏହି ଦେଶର ନାମ ଭାରତବର୍ଷ କାହିଁକି ହୋଇଛି, ସେ ସମ୍ପର୍କରେ ବିଭିନ୍ନ ମତ ଦେଖାଯାଏ । କଥିତ ଅଛି, ପୁରୁବଂଶୀୟ ସମ୍ରାଟ ଭରତଙ୍କ ନାମନୁସାରେ ଏହି ଦେଶର ନାମ ଭାରତବର୍ଷ ହୋଇଛି । ସମ୍ରାଟ ଭରତ ଦୁଷ୍ମନ୍ତଙ୍କ ଔରସରୁ ଶକୁନ୍ତଳାଙ୍କ ଗର୍ଭରେ ଜନ୍ମନେଇଥିଲେ । ପ୍ରାଚୀନ ଶାସକମାନଙ୍କ ମଧ୍ୟରେ ସେ ପ୍ରଧାନ ଥିଲେ ଏବଂ ସମଗ୍ର ଜମ୍ବୁଦ୍ୱୀପକୁ ଏକଶାସନାଧୀନ କରି ରାଜଚକ୍ରବର୍ତ୍ତୀ ପଦରେ ଅଭିଷିକ୍ତ ହୋଇଥିଲେ ।

 

ଅନ୍ୟ ଏକ ମତ ହେଉଛି, ଭାରତବର୍ଷ ନାମଟି ଆର୍ଯ୍ୟଜନପଦରୁ ସୃଷ୍ଟି ହୋଇଛି । ଆର୍ଯ୍ୟମାନେ ପାଞ୍ଚଟି ଗୋଷ୍ଠୀ ବା ଜନରେ ବିଭକ୍ତ ହୋଇ ସପ୍ତସିନ୍ଧୁ ଅଞ୍ଚଳରେ ବସବାସ କରୁଥିଲେ-। ସେମାନେ ସେହି ସପ୍ତସିନ୍ଧୁ ଅଞ୍ଚଳରେ ବିଶ୍ୱର ପ୍ରାଚୀନ ଓ ମହାନ୍‌ ଜନସାହିତ୍ୟ ‘ବେଦ’ର ବିଭିନ୍ନ ସୂକ୍ତ ରଚନା କରିଥିଲେ । ସମଗ୍ର ଆର୍ଯ୍ୟାବର୍ତ୍ତ ପାଞ୍ଚଟି ଜନପଦରେ ବିଭକ୍ତ ଥିଲା । ଏମାନଙ୍କ ମଧ୍ୟରେ ଭରତ ପ୍ରଧାନ ଥିଲେ ଏବଂ ନିଜର ରାଜ୍ୟ ବିସ୍ତାର କରି ସମଗ୍ର ଦେଶକୁ ଏକନିୟନ୍ତ୍ରଣାଧୀନ କରିଥିଲେ । ଭରତ ଜନର ନାମାନୁସାରେ ଏହି ଦେଶର ନାମ ଭାରତବର୍ଷ ହୋଇଛି । ସପ୍ତସିନ୍ଧୁ ଅଞ୍ଚଳ କହିଲେ, ସିନ୍ଧୁନଦୀର ଅବବାହିକାକୁ ବୁଝାଉଥିଲା । ଏହି ଅଞ୍ଚଳରେ ସରସ୍ୱତୀଠାରୁ ଦୃଷଦ୍‌ବତୀ ନଦୀ ପର୍ଯ୍ୟନ୍ତ ବିସ୍ତୁତ ଅଂଶକୁ ବ୍ରହ୍ମାବର୍ତ୍ତ କୁହାଯାଏ । ଏହି ବ୍ରହ୍ମାବର୍ତ୍ତ ଅଞ୍ଚଳ ବୈଦିକ ସଭ୍ୟତାର ପ୍ରାଚୀନ ଉନ୍ମେଷ ସ୍ଥଳୀ । ସପ୍ତସିନ୍ଧୁ-ପଦରେ ସିନ୍ଧୁ ଶବ୍ଦର ପ୍ରୟୋଗ ନଦୀ ଅର୍ଥରେ ହୋଇଛି । ପୁଣ୍ୟତୋୟା ସାତୋଟି ନଦୀ-ଅବବାହିକାକୁ ସପ୍ତସିନ୍ଧୁ ଅଞ୍ଚଳ କୁହାଯାଏ ।

 

‘ସପ୍ତସିନ୍ଧୁ’ ବୈଦିକ ଆର୍ଯ୍ୟମାନଙ୍କ ପକ୍ଷରେ ଖୁବ୍‌ ପବିତ୍ର ଥିଲା ଏବଂ ଏହି ନଦୀକୂଳରେ ସେମାନେ ଉଲ୍ଲସିତ ହୃଦୟରେ ସଂବିତ୍‌ପ୍ରଭ ବେଦସୂକ୍ତ ଗାନକରୁଥିଲେ । ଏହି ନଦୀମାନଙ୍କ ମଧ୍ୟରେ ସରସ୍ୱତୀ ନଦୀ ବିଶେଷ ଆକର୍ଷଣୀୟା ଥିଲା । ସ୍ୱଚ୍ଛସଲିଳା ଶୁଭ୍ରାନନା ସରସ୍ୱତୀର କୁଳୁକୁଳୁ ତାନ ଆର୍ଯ୍ୟମାନଙ୍କୁ ବୀଣାର ଝଙ୍କାର ପରି ବିମୋହିତ କରିଥିଲା । ଏହିଠାରେ ଋଷିମାନେ ବହୁ ନୂତନ ବୈଦିକ ମନ୍ତ୍ରର ଦ୍ରଷ୍ଟା ହୋଇଥିଲେ; ସେମାନେ ପ୍ରାଚୁର୍ଯ୍ୟଭରା ପ୍ରାଣରେ ଦେବାବତରଣର ସନ୍ଧାନ ପାଇଥିଲେ । କାବ୍ୟର ସମ୍ମୋହନ ପ୍ରେରଣା ଏହି ନଦୀକୂଳରେ ପ୍ରଥମେ ଅନୁଭୂତ ହୋଇଥିଲା । ନଦୀମାତୃକ ଆର୍ଯ୍ୟଜନ ସରସ୍ୱତୀ ନଦୀକୁ ଜ୍ଞାନ ଓ ସାଧନାର ପ୍ରେରଣା ଉତ୍ସରୂପେ ଚିନ୍ତା କରିଆସିଛନ୍ତି ଏବଂ କାଳକ୍ରମେ ସରସ୍ୱତୀ ନଦୀ ବାକ୍‌ଶ୍ରୀ ସରସ୍ୱତୀ ରୂପେ ରୂପାୟିତା ହୋଇ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀରୂପେ ଜନମାନସରେ ପୂଜା ପାଇଆସୁଛନ୍ତି । ଏହି ସପ୍ତସିନ୍ଧୁ ଅଞ୍ଚଳର ‘ପଞ୍ଚଜନ’ ମଧ୍ୟରୁ ‘ଭରତଜନ’ କାଳକ୍ରମେ ଆର୍ଯ୍ୟାବର୍ତ୍ତସମେତ ସମଗ୍ର ଦକ୍ଷିଣାପଥରେ ଆର୍ଯ୍ୟଶାସନ ପ୍ରୟୋଗ କରିଥିଲେ ଏବଂ ସେମାନେ ‘ଭାରତ’ ରୂପେ ଆଖ୍ୟାତ ହେଉଥିଲେ । ମହାଭାରତର କୌରବ ଓ ପାଣ୍ଡବମାନେ ଏହି ଭରତଜନର ବଂଶବିଶେଷ-। ତେଣୁ ମହାଭାରତ ଓ ଗୀତାରେ ଅର୍ଜ୍ଜୁନଙ୍କୁ ‘ଭାରତ’ ନାମରେ ସମ୍ବୋଧନ କରାହୋଇଛି-। କାଳକ୍ରମେ ‘ଭରତଜନ’ର ନାମାନୁସାରେ ଏହିୀ ଦେଶର ନାମ ଭାରତବର୍ଷ ହୋଇଛି-

 

ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ଯେ, ଆର୍ଯ୍ୟମାନଙ୍କ ମଧ୍ୟରେ ଯେଉଁ ‘ପଞ୍ଚଜନ’ ପ୍ରଧାନ ଥିଲେ, ସେମାନଙ୍କର ଶାସନପଦ୍ଧତି ଗଣତାନ୍ତ୍ରିକ ଚେତନାର ସୂଚନା ଦିଏ । ସମଗ୍ର ଆର୍ଯ୍ୟବର୍ତ୍ତରେ ସେମାନଙ୍କର ମିଳିତ ନିଷ୍ପତ୍ତିକୁ ସ୍ୱାଗତ କରାହେଉଥିଲା । କାଳକ୍ରମେ ସମସ୍ତ ଭାରତୀୟ ପ୍ରତ୍ୟେକ କ୍ଷେତ୍ରରେ ଏହିପ୍ରକାର ଗଣତାନ୍ତ୍ରିକ ନିଷ୍ପତ୍ତିକୁ ଆଦର କରିବା ପାଇଁ ଅନୁପ୍ରେରିତ ହୋଇଛନ୍ତି ଏବଂ ନ୍ୟାୟ ଓ ବିଚାର କ୍ଷେତ୍ରରେ ‘ପଞ୍ଚପରମେଶ୍ୱର’, ‘ପଞ୍ଚାୟତ’ ପ୍ରଭୃତି ଶବ୍ଦର ସୃଷ୍ଟି ପଞ୍ଚଜନ ସ୍ମୃତିର ଅନୁରୂପ ହୋଇଛି । ଏହି ପଞ୍ଚଜନର ପ୍ରତିନିଧିମୂଳକ ନିଷ୍ପତ୍ତି ବା ପାଞ୍ଚଜନ୍ୟକୁ ଆମ ଗଣତାନ୍ତ୍ରିକ ଚେତନାର ଉପଜୀବ୍ୟ ଓ ଆଦି ଉତ୍ସ ରୂପେ ଧରାଯାଇପାରେ । ଆମ ଚଳଣିରେ ପାଞ୍ଚ ଓ ସାତ ସଂଖ୍ୟା ପ୍ରତି ଯେଉଁ ସ୍ୱାଭାବିକ କଲ୍ୟାଣ ଚିନ୍ତା ରହିଛି, ତାହା ମୂଳରେ ଏହି ପଞ୍ଚଜନ ଓ ସପ୍ତସିନ୍ଧୁର ଗାଥା ନିହିତ । ଆଜି ଆମ ଚଳଣିରେଳ ‘ପଞ୍ଚାନି ସପ୍ତାନି କୁଶଳାନି ବାର୍ତ୍ତା’’; ପଞ୍ଚାତ୍ମା ଶ୍ରୀ ଓ ଐଶ୍ୱର୍ଯ୍ୟର ତିଥି ଶ୍ରୀପଞ୍ଚମୀ; ‘‘ପାଞ୍ଚ ସାତ ମେଳି ହୋଇ କରନ୍ତି ବିଚାର’’—କଥାଗୁଡ଼ିକ ଏହି ଦୃଷ୍ଟିରୁ ପ୍ରଣିଧେୟ । ପାଞ୍ଚଜଣଙ୍କ ସହିତ ରହିବ, ପାଞ୍ଚଜଣଙ୍କ ସହିତ ଯିବ, ପାଞ୍ଚଜଣଙ୍କ ସହିତ ଖାଇବ, ପାଞ୍ଚଲୋକରେ ରହିଲେ ଦୁଃଖ ଭୋଗ କରିବ ନାହିଁ, ଏହିପରି ଏକ ନୀତିଶ୍ଳୋକ ଆମ ପରମ୍ପରାରେ ରହିଛି :

 

‘‘ସ୍ଥାତବ୍ୟଂ ପଞ୍ଚଭିଃ ସାର୍ଦ୍ଧଂ ଗନ୍ତବ୍ୟ ପଞ୍ଚଭିଃ ସହ

ଭୋକ୍ତବ୍ୟଂ ପଞ୍ଚଭିଃ ସାର୍ଦ୍ଧଂ ନ ଦୁଃଖଂ ପଞ୍ଚଭିଃ ସହ ।’’

 

ଭାରତବର୍ଷର ନାମକରଣ ସମ୍ବନ୍ଧରେ ଅନ୍ୟ ଏକ ମତ ହେଉଛି, ସ୍ୱାୟମ୍ଭୁ ମନ୍ୱନ୍ତରରେ ଋଷିଭଦେବ ସମଗ୍ର ପୃଥିବୀର ଅଧୀଶ୍ୱର ଥିଲେ । ସେ ସମଗ୍ର ପୃଥିବୀର ନବଭାଗରେ ବିଭକ୍ତ କରି ଜମ୍ବୁଦ୍ୱୀପକୁ ନିଜର ପୁତ୍ର ଭରତଙ୍କୁ ଅର୍ପଣ କରିଥିଲେ । ପୁଣ୍ୟାତ୍ମା ଭରତ ଜମ୍ବୁଦ୍ୱୀପକୁ ଶାସନ କରୁଥିଲେ ଏବଂ ତାଙ୍କର ନାମାନୁସାରେ ଏହି ଦେଶର ନାମ ଭାରତବର୍ଷ ହୋଇଛି ।

 

‘‘ଋଷଭ ତାହାଙ୍କ କୁମର, ସେ ବିଷ୍ଣୁ-ଅଂଶେ ଅବତାର ।

ତା’ର ମହିମା ଗୁଣ ଯେତେ, ଅନ୍ତ କେ କରିବ ଜଗତେ ।

ଅଶେଷ ମହିମା ତାହାର, ଭରତ ତାହାର କୁମର ।

ଶତେକ ପୁତ୍ରେ ଜ୍ୟେଷ୍ଠ ସେହି, ତା’ପରେ ଊନଶତ ଭାଇ ।

ସକଳେ ବେଦ-ବିଦ୍ୟାସୁର, ପବିତ୍ର ପୁଣ୍ୟ କଳେବର ।

ଭରତ ଥାଇ ପୁଣ୍ୟକାମେ, ଭାରତ ଭୂମି ଯା’ର ନାମେ ।’’

 

(ଏକାଦଶ ସ୍କନ୍ଧ ଭାଗବତ; ଦ୍ୱିତୀୟ ଅଧ୍ୟାୟ)

 

ବିଚାରଦୃଷ୍ଟିରୁ ବୈଦିକ ପଞ୍ଚଜନର ଅନ୍ତର୍ଗତ ଭରତଜନର ନାମାନୁସାରେ ଏ ଦେଶର ନାମକରଣ ହୋଇଥିବା ଯଥାର୍ଥ ମନେହୁଏ । ରାଜନୈତିକ ଭାରତବର୍ଷ ବହୁରାଜ୍ୟର ଭୌଗୋଳିକ ଓ ସାଂସ୍କୃତିକ ସମନ୍ୱୟର ଫଳ । ତିନି ପାଖରେ ସମୁଦ୍ର ଓ ଉତ୍ତରରେ ହିମାଳୟ ଏ ଦେଶର ଭୌଗୋଳିକ ଏକତା ଆଣିଛି ଏବଂ ସଂସ୍କୃତ ଭାଷା ଓ ଉପନିଷଦର ମାନବବାଦ ଆମ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ଆଣିପାରିଛି ।

 

ଆମର ସାଂସ୍କୃତିକ ସମନ୍ୱୟ ପାଇଁ ଯେଉଁ ମହାପୁରୁଷମାନଙ୍କର ବିଶେଷ ଅବଦାନ ରହିଛି, ସେମାନେ ହେଲେ କାରୁଣିକ ଦାଶରଥି ରାମ, କୃଷ୍ଣ-ଦ୍ୱୈପାୟନ ବ୍ୟାସ, ପୁରୁଷୋତ୍ତମ ବାସୁଦେବ କୃଷ୍ଣ ଓ ପରମକାରୁଣିକ ଗୌତମ ବୁଦ୍ଧ । ଏହି ମହାତ୍ମାମାନଙ୍କ ବ୍ୟତୀତ ଉପନିଷଦ-ଯୁଗର ବହୁ ସ୍ମୃତ ଓ ବିସ୍ମୃତ ଋଷିଙ୍କର କ୍ରାନ୍ତିକାରୀ ଚେତନା ଏବଂ ପ୍ରଭାବ ଏହି ଦେଶକୁ ସମନ୍ୱିତ କରିବାରେ ସାହାଯ୍ୟ କରିଛି ।

 

ଆଜି ପ୍ରତ୍ୟେକ ଭାରତୀୟ ତା’ର ସଂକଳ୍ପ-ବାକ୍ୟରେ ଯେଉଁ ମନ୍ତ୍ର ଉଚ୍ଚାରଣ କରେ, ତାହା ଆମ ଏକତା ଓ ଦେଶାତ୍ମବୋଧର ପ୍ରତୀକ ମାତ୍ର । ଆମେ କୌଣସି ସଂକଳ୍ପିତ କର୍ମାନୁଷ୍ଠାନ ପୂର୍ବରୁ କହିଥାଉ–

 

‘‘ଗଙ୍ଗେ ଚ ଯମୁନେ ଚୈବ ଗୋଦାବରି ! ସରସ୍ୱତି !

ନର୍ମଦେ ସିନ୍ଧୁ କାବେରି ଜଳେଽସ୍ମିନ୍‌ ସନ୍ନିଧିଂ କୁରୁ ।’’

 

ହେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ, ଏହି ଜଳରେ (ପାତ୍ରସ୍ଥିତ ବା ଶଙ୍ଖସ୍ଥିତ) ସମସ୍ତେ ଅବସ୍ଥାନ କରନ୍ତୁ ।

 

‘‘କୁରୁକ୍ଷେତ୍ର-ଗୟା-ଗଙ୍ଗା ପ୍ରଭାସ-ପୁଷ୍କରାଣି ଚ

ଏତାନି ପୁଣ୍ୟତୀର୍ଥାନି ସଂକଳ୍ପକାଳେ ଭବନ୍ତ୍ୟୁହ ।’’

 

କୁରୁକ୍ଷେତ୍ର, ଗୟା, ଗଙ୍ଗା, ପ୍ରଭାସ, ପୁଷ୍କର ପ୍ରଭୃତି ପୁଣ୍ୟତୀର୍ଥ ଏଠାରେ (କର୍ମସ୍ଥାନରେ) ସହାବସ୍ଥିତ ହୁଅନ୍ତୁ । ଲକ୍ଷ୍ୟ କରିବାର କଥା-କାହିଁ ଗଙ୍ଗା, କାହିଁ ଗୋଦାବରୀ, କାହିଁ ଯମୁନା ଓ କାବେରୀ, କାହିଁ କୁରୁକ୍ଷେତ୍ର, କାହିଁ ପୁଷ୍କର; କିନ୍ତୁ ଆମର ପ୍ରତ୍ୟେକ କାର୍ଯ୍ୟରେ ଭାରତଭୂମିର ସମନ୍ୱିତ ଉଜ୍ଜ୍ୱଳ ଓ ପବିତ୍ର ରୂପ ଆମ ଆଖିଆଗକୁ ଆଣିଥାଉ । ପ୍ରତ୍ୟେକ ଭାରତୀୟ ନିଜ ନିଜ କାର୍ଯ୍ୟରେ ଭାରତମାତାର ଏହି ସୁସଂହତ ରୂପକୁ ଭୁଲିପାରେନା । ଆମ ସଂସ୍କୃତି ଓ ଚଳଣି ଆମ ଦେଶାତ୍ମବୋଧର ଦ୍ୟୋତକ । ଏଠାରେ ସ୍ମରଣ କରାଯାଇପାରେ ଯେ ଭାରତରେ ବହୁ ଜାତି, ଗୋଷ୍ଠୀ, ଭାଷା, ବ୍ୟବହାର ଓ ଧର୍ମାଚାରର ସମନ୍ୱୟ ହୋଇଛି । କବୀନ୍ଦ୍ର ରବୀନ୍ଦ୍ରଙ୍କ ଭାଷାରେ ଏହି ଦେଶ ମହାମାନବର ସାଗରତୀର; ତେଣୁ ବିଶ୍ୱଜନତା ପାଇଁ ଏହା ପୁଣ୍ୟତୀର୍ଥ ।

 

‘‘ହେ ମୋର ଚିତ୍ତ ପୁଣ୍ୟତୀର୍ଥେ ଜାଗୋରେ ଧୀରେ

ଏହି ଭାରତେର ମହାମାନବେର ସାଗରତୀରେ ।’’

 

ଘଟଣାକ୍ରମେ ଭାରତବର୍ଷ ଆଜି ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ—ଏହି ତିନି ଦେଶରେ ବିଭକ୍ତ ହୋଇଛି । ସବୁଦୃଷ୍ଟିରୁ ବିଚାର କଲେ ଏ ବିଭାଜନ ଏକ କୃତ୍ରିମ ଓ ଓ ସୁବିଧାବାଦୀ ରାଜନୈତିକ ବିଭାଜନ । ଭୌଗୋଳିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହି ବିଭାଜନ ଏକ ପ୍ରତାରଣା । ଏହି ତିନି ଦେଶ ସମୟକ୍ରମେ ପୁଣି ଏକହୋଇଯିବ—ଏହା ଭବିଷ୍ୟତ ପ୍ରମାଣ କରିବ ।

Image

 

ପବିତ୍ର ତ୍ରିବେଣୀ

 

‘‘କ୍ୱଚିତ୍‌ପ୍ରଭାଲେପିଭିରିନ୍ଦ୍ର ନୀଳୈଃ ମୁକ୍ତାମୟୀ ଯଷ୍ଟିରିବାନୁବିଦ୍ଧା

ଅନ୍ୟତ୍ର ମାଳା ସିତପଙ୍କଜାନାମ୍‌ ଇନ୍ଦୀବରୈରୁତ୍‌ଖଚିତାନ୍ତରେବ ।

କ୍ୱଚିତ୍‌ଖଗାନାଂ ପ୍ରିୟମାନସାନାଂ କାଦମ୍ବସଂସର୍ଗବତୀବ ପଂକ୍ତିଃ

ଅନ୍ୟତ୍ର କାଳାଗୁରୁଦତ୍ତପତ୍ରା ଭକ୍ତିର୍ଭୁବଶ୍ଚନ୍ଦନକଳ୍ପିତେବ ।

କ୍ୱଚିତ୍‌ପ୍ରଭା ଚାନ୍ଦ୍ରମସୀ ତମୋଭିଃ, ଛାୟାବଲୀନୈଃ ଶବଳୀକୃତେବ

ଅନ୍ୟତ୍ର ଶୁଭ । ଶରଦଭ୍ରଲେଖା ରନ୍ଧ୍ରେଷ୍ୱିବାଲକ୍ଷ୍ୟନଭଃପ୍ରଦେଶା ।

କ୍ୱଚିତ କୃଷ୍ଣୋରଗଭୂଷଣେବ ଭସ୍ମାଙ୍ଗରାଗା ତନୁରୀଶ୍ୱରସ୍ୟ

ପଶ୍ୟାନବଦ୍ୟାଙ୍ଗି ବିଭାତି ଗଙ୍ଗା ଭିନ୍ନପ୍ରବାହା ଯମୁନାତରଙ୍ଗୈଃ ।’’

 

(କାଳିଦାସ–ରଘୁବଂଶ, ୧୩ ସର୍ଗ)

 

‘‘ହେ ସୁନ୍ଦରୀ, ଯମୁନାର ତରଙ୍ଗମିଶ୍ରିତ ଗଙ୍ଗାପ୍ରବାହ କିପରି ଶୋଭା ପାଉଛି ଦେଖ । କେଉଁଠି ଇନ୍ଦ୍ରନୀଳମଣିଚିତ ମୁକ୍ତାହାର-ସଦୃଶ, କେଉଁଠି ବା ନୀଳପଦ୍ମ ସହିତ ଶ୍ୱେତପଦ୍ମର ମାଳା ନୀଳହଂସ-ପରିଶୋଭିତ ରାଜହଂସଶ୍ରେଣୀପରି; ପୃଥିବୀବକ୍ଷରେ ନୀଳଅଗୁରୁମିଶ୍ରିତ ଚନ୍ଦନର କାନ୍ତିଭଳି; କେଉଁଠି ଛାୟାନ୍ଧକାରଯୁକ୍ତ ଚନ୍ଦ୍ରିକାସଦୃଶ, ଅନ୍ୟତ୍ର ନୀଳ ଆକାଶରେ ଭାସୁଥିବା ଶରତ୍‌କାଳୀନ ମେଘମାଳାପରି; କାହିଁବା ଭସ୍ମରାଗଶୋଭିତ କୃଷ୍ଣସର୍ପଭୂଷିତ ଚନ୍ଦ୍ରଶେଖରଙ୍କର ଶୁଭ୍ର ଶରୀରପରି ଏହି ଗଙ୍ଗାନଦୀ କୃଷ୍ଣାଯମୁନାର ନୀଳତରଙ୍ଗ ସହିତ ମିଳିତହୋଇ ସୁନ୍ଦର ଦେଖାଯାଉଛି-।’’

 

କୃଷ୍ଣନୀରା ଯମୁନା ଓ ଶୁଭ୍ରନୀର ଗଙ୍ଗାର ସମ୍ମେଳନରେ ତୀର୍ଥରାଜ ପ୍ରୟାଗ ଋଦ୍ଧିମନ୍ତ । ଶରତ୍‌କାଳରେ ମେଘକଦମ୍ବଶୋଭିତ ନୀଳ ଆକାଶ ଯେପରି ଅଭ୍ରକାନ୍ତିର ଧବଳିମା ଓ ଆକାଶର ସ୍ୱଭାବନୀଳିମାରେ ଅପୂର୍ବ ଶୋଭାଧାରଣ କରେ, ଏହି ଗଙ୍ଗା ଓ ଯମୁନାର ସଙ୍ଗମଶୋଭା ସେହିପରି ଅନିର୍ବଚନୀୟ । ଶାରଦୀୟ ପାର୍ବଣଚନ୍ଦ୍ରିକାରେ ଅଭିସ୍ନାତ ପ୍ରୟାଗର ଶୋଭା ଯିଏ ଥରେ ଲକ୍ଷ୍ୟକରିଛି, ସେ ଜୀବନାବଧି ସେହି ସୌନ୍ଦର୍ଯ୍ୟର ଉପଲବ୍‌ଧିକୁ ଭୁଲିପାରେ ନାହିଁ । ମହାକବି କାଳିଦାସ ଗଙ୍ଗା ଓ ଯମୁନାର ସଙ୍ଗମରେ ପ୍ରତିଭାତ ଉଲ୍ଲାସକାରୀ ଶୋଭାକୁ ଲକ୍ଷ୍ୟକରି ପ୍ରବଣସୁଲଭ ହୋଇଉଠିଛନ୍ତି । ଏହି ପ୍ରବଣତା କେବଳ କବିପ୍ରାଣର ନୁହେଁ; ଅଧିକନ୍ତୁ ସ୍ୱକୀୟ ସଂସ୍କୃତି ଓ ଭାରତୀଭାବନାରେ ନିଷ୍ପାତଚିତ୍ତ ପ୍ରତ୍ୟେକ ଭାରତୀୟର ଅଭୀପ୍‌ସା, ସଂକଳ୍ପ ଓ କଳ୍ପନାକୁ ପ୍ରକାଶକରୁଛି । ଭାରତର ଭୌଗୋଳିକ ପ୍ରକୃତିକୁ ଗଙ୍ଗା ଓ ଯମୁନାର ସଙ୍ଗମ ଯେପରି ସ୍ନିଗ୍‌ଧ ଓ ସୁନ୍ଦର କରିଛି; ତା’ର ସଂସ୍କୃତିକୁ ସେହିପରି ପ୍ରାଣବନ୍ତ ଓ ଅନବଦ୍ୟ କରିପାରିଛି । ଏହି ପ୍ରୟାଗକ୍ଷେତ୍ର, ଯାହା ହେଉଛି ଗଙ୍ଗା ଯମୁନା ଓ ସରସ୍ୱତୀର ମିଳନସ୍ଥଳୀ, ତାହା ପବିତ୍ର ତ୍ରିବେଣୀ ନାମରେ ଆଖ୍ୟାତ । ସରସ୍ୱତୀ ନଦୀ ଅଧୁନା ଲୁପ୍ତ । କିନ୍ତୁ ଆମର ପରମ୍ପରାରେ ତିନୋଟି ନଦୀର ମିଳନସ୍ଥଳୀ ହେତୁ ପ୍ରୟାଗ କ୍ଷେତ୍ର ତ୍ରିବେଣୀ ନାମରେ ପରିଚିତ ହୋଇଛି ।

 

ବୈଦିକ ସାହିତ୍ୟରେ ସରସ୍ୱତୀ ନଦୀର ବହୁଳ ଉଲ୍ଲେଖ ଅଛି । ଏହି ନଦୀର ଜଳ ସ୍ୱଚ୍ଛ ଓ ଶୁଭ୍ର ଏବଂ ଗତି ଖୁବ୍‌ ପ୍ରଖର । ସରସ୍ୱତୀର ଅବିଧା ଅର୍ଥ ହେଉଛି ଜଳପୂର୍ଣ୍ଣା ବା ହ୍ରଦପୂର୍ଣ୍ଣା । କଥିତ ଅଛି, ହିମାଳୟର ପ୍ଳକ୍ଷପ୍ରସ୍ରବଣରୁ ଏହି ନଦୀ ଜନ୍ମ ହୋଇ ଉତ୍ତର କୁରୁର ମେରୁପୃଷ୍ଠ ପର୍ବତ ଓ ବ୍ରହ୍ମାବର୍ତ୍ତ ମଧ୍ୟଦେଇ ବହିଚାଲିଥିଲା । ସରସ୍ୱତୀର ବୀଣାଝଙ୍କାରସଦୃଶ କୁଳୁକୁଳୁ ତାନ ଆର୍ଯ୍ୟ ଋଷିମାନଙ୍କର ହୃଦୟକୁ ଉଲ୍ଲସିତ କରୁଥିଲା ଏବଂ ଏହି ସରସ୍ୱତୀକୂଳରେ ସେମାନେ କବିପ୍ରତିଭାର ସନ୍ଧାନ ପାଇଥିଲେ । ନଦୀ-ମାତୃକ ଆର୍ଯ୍ୟମାନେ ଏହି ନଦୀକୁ ଜ୍ଞାନ ଓ ବିଦ୍ୟାର ଜନୟିତ୍ରୀରୂପେ କଳ୍ପନାକରି ପୂଜା କରିଆସିଛନ୍ତି ଏବଂ କାଳକ୍ରମେ ସରସ୍ୱତୀ ଦେବୀରୂପରେ କଳ୍ପିତ ହୋଇ ଆଜି ବିଦ୍ୟାର ଅଧିଷ୍ଠାତ୍ରୀରୂପେ ପୂଜିତ ହେଉଛନ୍ତି । ଏହି ସରସ୍ୱତୀ ନଦୀ ଆଜି ବିଲୁପ୍ତ । ବ୍ରହ୍ମାଣଗ୍ରନ୍ଥରେ ବର୍ଣ୍ଣିତ ଅଛି, ଏହି ନଦୀ ‘ବିନସନ’ ନାମକ ସ୍ଥାନରେ ଅନ୍ତର୍ହିତା ହୋଇଥିଲା । ସରସ୍ୱତୀ ନଦୀର ଅନ୍ତର୍ଦ୍ଧାନରେ ଶୋକିବିହ୍ୱଳ ଆର୍ଯ୍ୟମାନସ ସମଗ୍ର ଆର୍ଯ୍ୟାବର୍ତ୍ତରେ ତାଙ୍କୁ ଖୋଜିଚାଲିଛି ।

 

ସରସ୍ୱତୀ ନଦୀ ସମ୍ପର୍କରେ ବହୁ ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ ରହିଛି । ସେ ସବୁର ଆଲୋଚନା ଏଠାରେ ଆବଶ୍ୟକ ନଥିବାରୁ କେବଳ ତ୍ରିବେଣୀ ସହିତ ତାହାର ସମ୍ପର୍କ ବିଷୟରେ ସୂଚନା ଦିଆଗଲା । କଥିତ ଅଛି, ସରସ୍ୱତୀ ନଦୀ ଅନ୍ତଃସଲିଳା ଭାବରେ ଗଙ୍ଗା ଓ ଯମୁନା ସହିତ ପ୍ରୟାଗରେ ମିଳିତ ହୋଇଛି । ସରସ୍ୱତୀର ପବିତ୍ରତା ଅନନ୍ୟସାଧାରଣ ।

 

ଗଙ୍ଗନଦୀ ହିମାଳୟର ଗଙ୍ଗୋତ୍ରୀ ନାମକ ତୁଷାରସ୍ରୋତରୁ ବାହାରି ଭାଗୀରଥୀ, ଜାହ୍ନବୀ ଓ ଗଙ୍ଗା—ଏହି ନାମରେ ପ୍ରଖ୍ୟାତ ହୋଇଛି । ପୁରାଣରେ ବର୍ଣ୍ଣିତ ଅଛି, ସରରବଂଶର ଦଗ୍‌ଧୀଭୂତ ଓ ଅଭିଶାପଗ୍ରସ୍ତ ରାଜପୁତ୍ରମାନଙ୍କୁ ଉଦ୍ଧାର କରିବାପାଇଁ ଭଗୀରଥ ଗଙ୍ଗାଙ୍କୁ ପୃଥିବୀର ଆଣିଥିଲେ । ତତ୍‌ପୂର୍ବରୁ ଗଙ୍ଗା ସ୍ୱର୍ଗରେ ଥିଲେ । ତାଙ୍କର ନାମ ଥିଲା ମନ୍ଦାକିନୀ, ସ୍ୱର୍ଗଙ୍ଗା, ସ୍ୱର୍ଣ୍ଣଦୀ ଓ ବିଷ୍ଣୁପଦୀ ପ୍ରଭୃତି । ଭଗୀରଥ ଯେଉଁ ସ୍ଥାନରେ ତପସ୍ୟା କରୁଥିଲେ, ତାହା ବିନ୍ଦୁସର ନାମରେ ପ୍ରସିଦ୍ଧ । ଗଙ୍ଗାନଦୀର ଅବବାହିକା ଉର୍ବର ଓ ଋଦ୍ଧିମନ୍ତ । ଗଙ୍ଗାର ପବିତ୍ରତା ସର୍ବୋଚ୍ଚ ଓ ଅନବଦ୍ୟ-

 

ଗଙ୍ଗାନଦୀ ପରି ଯମୁନା ହିମାଳୟର ତୁଷାରସ୍ରୋତରୁ ଜନ୍ମନେଇଛି । ଏହି ତୁଷାରସ୍ରୋତ ଯମୁନୋତ୍ରୀ ନାମରେ ପ୍ରସିଦ୍ଧ । ଯମୁନୋତ୍ରୀର ତୁଷାରସ୍ରୋତ ନିକଟରେ ବହୁ ଉଷ୍ଣପ୍ରସବଣ ରହିଛି । ତୀର୍ଥଯାତ୍ରୀମାନେ ଉଷ୍ଣପ୍ରସବଣର ଜଳସହିତ ତୁଷାରଜଳକୁ ମିଶ୍ରିତ କରି ସ୍ନାନ କରିଥାନ୍ତି । ଭାରତର ରାଜଧାନୀ ଦିଲ୍ଲୀନଗର ଏହି ନଦୀକୂଳରେ ଅବସ୍ଥିତ । ପ୍ରାଚୀନ ହସ୍ତିନାପୁର ମଧ୍ୟ ଯମୁନାର ଅନ୍ୟତମ ଦାନ । ଅନ୍ୟାନ୍ୟ ପ୍ରସିଦ୍ଧି ମଧ୍ୟରେ ବାସୁଦେବ ଶ୍ରୀକୃଷ୍ଣ ଯମୁନା କୂଳସ୍ଥ ମଥୁରା ନଗରୀରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟଲୀଳାରେ ଯମୁନା ଐଶ୍ୱର୍ଯ୍ୟଶାଳିନୀ ।

 

ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନସ୍ଥଳୀ, ଏହି ପ୍ରୟାଗତୀର୍ଥ ପ୍ରତ୍ୟେକ ଭାରତୀୟଙ୍କ ପକ୍ଷେ ପବିତ୍ର । ଏହି ତୀର୍ଥୋଦକ ପାନକରି ଆମ୍ଭେମାନେ କୃତକୃତ୍ୟ ହୋଇଥାଉ । ମୃତ୍ୟୁପରେ ପିତାମାତାଙ୍କର ଅସ୍ଥିକୁ ସନ୍ତାନମାନେ ଏହି ସ୍ଥାନରେ ବିସର୍ଜନ ଦେଇ ପାରଲୌକିକ ଶାନ୍ତିର ବିଧାନ କରିବା ଆମ୍ଭମାନଙ୍କର ପ୍ରଚଳିତ ପ୍ରଥା । ପ୍ରାକୃତିକ ଓ ଭୌଗୋଳିକ ଉଭୟ ଦୃଷ୍ଟିରୁ ଏହି ସ୍ଥାନର ଗୁରୁତ୍ୱ ସ୍ୱୀକାର୍ଯ୍ୟ । ଗଙ୍ଗାଯମୁନାର ଏହି ମନୋରମ ଦୃଶ୍ୟ ଯେଉଁ ବ୍ୟକ୍ତି ଥରେ ସନ୍ଦର୍ଶନ କରିଛି, ସେ ଜୀବନରେ ଭୁଲିପାରେନା । ତ୍ରିବେଣୀ-ସଙ୍ଗମକୁ କେନ୍ଦ୍ରକରି ବହୁ ପର୍ବ ଓ ମେଳା ଆମ ସମାଜରେ ପ୍ରଚଳିତ । କୁମ୍ଭମେଳା ଓ ତ୍ରିବେଣୀ ଅମାବାସ୍ୟାରେ ତ୍ରିବେଣୀସ୍ନାନ ସେ ମଧ୍ୟରୁ ଅନ୍ୟତମ । ତ୍ରିବେଣୀ କେବଳ ଭାରତୀୟ ପ୍ରକୃତିଶୋଭାର ବୈଚିତ୍ର୍ୟ ନୁହେଁ; ଭାରତୀୟ ଆତ୍ମାର ମିଳନ ।

 

ଆମ ସଂସ୍କୃତିରେ ‘ତ୍ରିବେଣୀ’ ଏକ ବ୍ୟଞ୍ଜନାଅର୍ଥ ଗ୍ରହଣ କରିଛି । ଅଧ୍ୟାତ୍ମଶାସ୍ତ୍ର ଓ ପିଣ୍ଡବ୍ରହ୍ମାଣ୍ଡ ଚିନ୍ତାରେ ଏହି ଶବ୍ଦର ବ୍ୟବହାର ହୋଇଛି । ଶ୍ୱାସ ପ୍ରକ୍ରିୟା ଓ ଚିନ୍ତାରାଜ୍ୟର ନିୟମନ ପାଇଁ ଶରୀରସ୍ଥ ଯେଉଁ ତିନୋଟି ନାଡ଼ିକା ରହିଛି ସେମାନେ ହେଲେ ଇଳା, ପିଙ୍ଗଳା ଓ ସୁଷୁମ୍ନା । ଏହାକୁ ଯଥାକ୍ରମେ ଗଙ୍ଗା, ଯମୁନା ଓ ସରସ୍ୱତୀ କହିଥାନ୍ତି । ପରମଚିନ୍ତାମଗ୍ନ ଜ୍ଞାନପ୍ରପନ୍ନ ଯୋଗୀର ଭ୍ରୂ-ଚକ୍ରରେ ଏମାନେ ମିଳିତ ହୋଇଥାନ୍ତି । ଏମାନଙ୍କର ମିଳନ ସ୍ଥାନକୁ ତ୍ରିବେଣୀ କୁହାଯାଏ । ଆତ୍ମସ୍ଥ ଯୋଗୀମାନେ ଯୋଗଶାସ୍ତ୍ରରେ ତ୍ରିବେଣୀ ଶବ୍ଦର ଏହି ବ୍ୟଞ୍ଜନାଅର୍ଥ ଉଲ୍ଲେଖ କରିଥାନ୍ତି । ଏହି ତିନୋଟି ନାଡ଼ୀମଧ୍ୟରୁ ସୁଷୁମ୍ନା ଆମର ଚିନ୍ତା ଓ ବୋଧଶକ୍ତିକୁ ନିୟନ୍ତ୍ରଣ କରିଥାଏ । ତେଣୁ ‘ସୁଷୁମ୍ନା’ର ପ୍ରାଧାନ୍ୟ ଖୁବ୍‌ ବେଶି । ଯାହାର ସୁଷୁମ୍ନା ଉଦ୍‌ବୁଦ୍ଧ, ସେ ଦିବ୍ୟଦୃଷ୍ଟି-ସମ୍ପନ୍ନ ହୋଇଥାଏ । ଏହାର ଅନ୍ୟନାମ କୁଳକୁଣ୍ଡଳିନୀ । ଏହି ସୁଷୁମ୍ନାକୁ ଜାଗ୍ରତ କରାଇବା ଅଭ୍ୟାସ ଓ ସାଧନାସାପେକ୍ଷ-। ଅପ୍ରକାଶିତ ପୁଣ୍ୟତୋୟା ସରସ୍ୱତୀ ନଦୀର ଯୌଗିକ ବ୍ୟଞ୍ଜନା ‘ସୁଷୁମ୍ନା’ରେ ନିହିତ । ଲଲାଟ-ଚକ୍ରର ସେହି କେଉଁ ସୂକ୍ଷ୍ମାତିସୂକ୍ଷ୍ମ ସ୍ଥଳରେ ପିଣ୍ଡମଧ୍ୟରେ ତ୍ରିବେଣୀତୀର୍ଥ ବିଦ୍ୟମାନ; ତାହା ସାଧକମାନଙ୍କର ବିଷୟବସ୍ତୁ । କିନ୍ତୁ ଯୋଗଶାସ୍ତ୍ରର ବର୍ଣ୍ଣନାରେ ଏହି ତ୍ରିବେଣୀ ଶବ୍ଦର ପ୍ରୟୋଗାତ୍ମକ ପବିତ୍ରତା ପାଠକର ଦୃଦୟକୁ ଆବିଷ୍ଟ କରିଥାଏ । ସମଗ୍ର ଭାରତର ପ୍ରକୃତିକୁ ଶରୀରର ଅଙ୍ଗ-ପ୍ରତ୍ୟଙ୍ଗରେ ସମାହିତକରି ଚିନ୍ତା କରିବା ହେଉଛି ‘ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱ’ । ଭାରତୀୟ ଚେତନାର ଦେଶପ୍ରେମର ଉଜ୍ଜ୍ୱଳତା କେତେ, ତାହାହିଁ ଏଠାରେ ପ୍ରତିପାଦ୍ୟ । ଏପରିକି ଶରୀରର ବିଭିନ୍ନ ଚକ୍ର ଓ ଗ୍ରନ୍ଥିଳ ସନ୍ଧିକୁ କାଶୀ, ମଥୁରା, ଦ୍ୱାରାବତୀ, ବୃନ୍ଦାବନ ଓ ଶ୍ରୀକ୍ଷେତ୍ର ନାମରେ ଅଭିହିତ କରିବା ନିଶ୍ଚିତଭାବରେ ଏକ ସୂକ୍ଷ୍ମଚିନ୍ତା । ଏହି ମାଟିର ସାଧକମାନେ ସେମାନଙ୍କ ଜନ୍ମଭୂମି ଏହି ଭାରତବର୍ଷକୁ କେତେ ଭଲପାଇଛନ୍ତି ଏବଂ ଆତ୍ମସ୍ଥ କରିଛନ୍ତି, ତାହାର ସୂଚନା ମିଳେ ।

 

ଭାରତର ସମନ୍ୱିତ ସଂସ୍କୃତିର ରୂପ ଠିକ୍‌ ଏହି ଅନବଦ୍ୟ ତ୍ରିବେଣୀପରି । ପୁଣ୍ୟତୀର୍ଥ ଏହି ଭାରତରେ ବହୁ ଆଚାର, ସଂସ୍କୃତି ଓ ସଭ୍ୟତାର ଧାରା ମିଶିଯାଇଛି । ମହାମାନବର ସ୍ରୋତ ସତେ ଅବା ଏହି ମହାତୀର୍ଥରେ ସମନ୍ନିତ । ଭାରତୀୟ ସଂସ୍କୃତିକୁ ରୂପରେଖ ଦେବାରେ ଯେଉଁମାନଙ୍କର ବିଶେଷ ଅବଦାନ ରହିଛି, ସେମାନେ ହେଲେ ବୈଦିକ ଆର୍ଯ୍ୟ, ଚିନ୍ତାଶୀଳ ବ୍ରାତ୍ୟ ଓ ଶିଳ୍ପନିପୁଣ ଦ୍ରାବିଡ଼ । ମୁଁ ଏହି ଶବ୍ଦଗୁଡ଼ିକୁ ସାଂସ୍କୃତିକ ଉତ୍କର୍ଷ ପାଇଁ ବ୍ୟବହାର କରୁଛି; ଗୋଷ୍ଠୀ ବା ସମ୍ପ୍ରଦାୟ ଅର୍ଥରେ ନୁହେଁ । ଭାରତର ଉତ୍ତର-ପଶ୍ଚିମରେ ବ୍ରହ୍ମାବର୍ତ୍ତର ବୈଦିକ ଆର୍ଯ୍ୟ, ବିନ୍ଧ୍ୟର ଦକ୍ଷିଣରେ ଦ୍ରାବିଡ଼ ଓ ପୂର୍ବଭାରତର ବ୍ରାତ୍ୟମାନେ ସୁସଂହତ ଭାରତୀୟ ଚେତନାକୁ ରୂପରେଖ ଦେଇଛନ୍ତି । ସଂସ୍କୃତିରେ ଏମାନଙ୍କର ସମନ୍ୱୟ ଭାରତୀୟମାନଙ୍କର ପବିତ୍ର ତ୍ରିବେଣୀ । ଏହିମାନଙ୍କ ବ୍ୟତୀତ ବଣ, ପର୍ବତ ଓ ମାଳ ଅଞ୍ଚଳରେ ବାସକରୁଥିବା ଗନ୍ଧର୍ବ, ଯକ୍ଷ, ବିଦ୍ୟାଧର, କିନ୍ନର ପ୍ରଭୃତି ଦେବଯୋନିଗୋଷ୍ଠୀ ସାଂସ୍କୃତିକ ସମନ୍ୱୟରେ ସେମାନଙ୍କର ଅବଦାନ ଯୋଗାଇଛନ୍ତି ।

 

ଗଙ୍ଗା, ଯମୁନା ଓ ସରସ୍ୱତୀ, ପ୍ରତ୍ୟେକ ନିଜ ନିଜ ସଂସ୍କୃତିରେ ମହୀୟସୀ । ସରସ୍ୱତୀ ନଦୀର ବୈଦିକ ସନ୍ତାନମାନେ ପ୍ରକୃତିର ଶୋଭା ଓ ସ୍ନିଗ୍‌ଧତାରେ ପ୍ରମୁଗ୍‌ଧ । ପ୍ରକୃତିର ଭିନ୍ନଭାବକୁ ସେମାନେ ଐଶୀସତ୍ତାରେ ରୂପାୟନକରି ବେଦରେ ସ୍ତୁତିଗାନ କରିଛନ୍ତି । ଗଙ୍ଗାର ନଦୀମାତୃକ ସନ୍ତାନମାନେ ଆତ୍ମଚିନ୍ତା ଓ ଯୋଗସାଧନାରେ ଉଦ୍‌ବୁଦ୍ଧ । ଅଧ୍ୟାତ୍ମ-ଚିନ୍ତାର ସ୍ଫୁରଣ ଯେଉଁ ମିଥିଳା ଓ ବିଦେହରୁ ଆରମ୍ଭ ହୋଇଛି, ତାହା ସବୁ ଗଙ୍ଗା ନଦୀର ଦାନ । ଗାଙ୍ଗେୟ ସଭ୍ୟତାରେ ଦେବଚିନ୍ତା ଅପେକ୍ଷା ମାନବଚିନ୍ତା ଅଧିକ । ସେମାନେ ବହୁମାତ୍ରାରେ ମାନବବାଦୀ । ବେଦର ଜନୟିତ୍ରୀରୂପେ ସରସ୍ୱତୀ ନଦୀ ଯେପରି ସମ୍ମାନିତା; ସେହିପରି ମାନବବାଦୀ ଉପନିଷଦ୍‌ର ଜନନୀରୂପେ ଗଙ୍ଗା ନଦୀ ଆମର ନମସ୍ୟା । ପ୍ରେମ ଓ ଭକ୍ତିର ପ୍ରତିମୂର୍ତ୍ତି ହେଉଛି ଯମୁନା । ଭାରତରେ ଜ୍ଞାନ, କର୍ମ ଓ ଭକ୍ତିର ଯେଉଁ ଅପୂର୍ବ ମିଳନ ଘଟିଛି, ଏହି ତ୍ରିବେଣୀ ତାର ସାଙ୍କେତିକ ପ୍ରେରଣା । ପ୍ରତ୍ୟେକ ଅନ୍ୟର ପରିପନ୍ଥୀ ନହୋଇ ପରିପୂରକ ହୋଇଛନ୍ତି ।

 

ଆମ୍ଭମାନଙ୍କପକ୍ଷରେ ତ୍ରିବେଣୀର ପ୍ରାକୃତିକ ଦୃଶ୍ୟ ଯେପରି ମହାନ୍‌ ତାହାର ବ୍ୟଞ୍ଜିତ ଅଭୀପ୍‌ସା ସେହିପରି ଚମତ୍କାର । ତ୍ରିବେଣୀ ଭାରତୀୟ ସଂହତିର ସଙ୍କେତ; ଯାହା ଯୁଗଯୁଗଧରି ସ୍ନିଗ୍‌ଧ ସମନ୍ୱୟର ସୂଚନା ଦେଇଆସିଛି ।

Image

 

ଆର୍ଯ୍ୟ

 

ଆର୍ଯ୍ୟ ଶବ୍ଦ ଅଧୁନା ରାଜନୈତିକ ବା ସାମାଜିକ ଶବ୍ଦ ରୂପେ ବ୍ୟବହୃତ ହେଉନାହିଁ । ଏହାର ମୂଲ୍ୟବୋଧ କେବଳ ସାଂସ୍କୃତିକ ସୀମା ମଧ୍ୟରେ ନିବଦ୍ଧ ହୋଇଗଲାଣି । କିନ୍ତୁ ସୁଦୂର ଅତୀତରେ ଆର୍ଯ୍ୟ ଶବ୍ଦର ମୂଲ୍ୟାୟନ ସାମାଜିକ ଏବଂ କେତେକାଂଶରେ ରାଜନୈତିକ ପରିପ୍ରେକ୍ଷୀରେ ହେଉଥିଲା । ଆର୍ଯ୍ୟମାନଙ୍କର ଗୋଷ୍ଠୀଗତ ଜୀବନ, ସାମାଜିକ ଚଳଣି ଏବଂ ରାଜନୈତିକ ଚିନ୍ତାଧାରା ମହାନ୍‌ ଥିଲା । ସମଗ୍ର ଭାରତବର୍ଷରେ ଏହାର ପ୍ରଭାବ ସୁସ୍ପଷ୍ଟ । ଏହି ବିଶାଳ ଭୂଖଣ୍ଡର ଆର୍ଯ୍ୟୀକରଣ ପରେ ଉକ୍ତ ଆର୍ଯ୍ୟ ଶବ୍ଦର ଦ୍ୟୋତନା ମୁଖ୍ୟତଃ ସାଂସ୍କୃତିକ ହୋଇଛି । ଆର୍ଯ୍ୟମାନଙ୍କର ରୁଚିବୋଧ ଉନ୍ନତ ଥିଲା । ସେମାନଙ୍କର ସମାଜ ଐକ୍ୟବଦ୍ଧ ଓ ଶୃଙ୍ଖଳିତ ଥିଲା । ଉଦାର ଦୃଷ୍ଟିଭଙ୍ଗୀ ଓ ସତ୍ୟ ପ୍ରତି ଅଭୀପ୍‌ସା ସେମାନଙ୍କର ବୈଶିଷ୍ଟ୍ୟ । ସମଗ୍ର ଭାରତବର୍ଷରେ ଏହି ଆର୍ଯ୍ୟକରଣର ଇତିହାସ ବହୁ ଘାତ-ପ୍ରତିଘାତ ମଧ୍ୟରେ ସମ୍ବେଦନଶୀଳ । ସପ୍ତସିନ୍ଧୁ ଅଞ୍ଚଳର ପଞ୍ଚ ଆର୍ଯ୍ୟଜନ ସେମାନଙ୍କର ଚିନ୍ତାଧାରା ଭାରତର ଆର୍ଯ୍ୟେତରମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବହୁ ଦୁଃଖ ବରଣ କରିଛନ୍ତି । ଅନ୍ୟ ପକ୍ଷରେ ଭାରତର ପୂର୍ବାଞ୍ଚଳରେ ଆଧ୍ୟାତ୍ମବାଦୀ ଆର୍ଯ୍ୟେତର ଏବଂ ଦକ୍ଷିଣାଞ୍ଚଳରେ ଭକ୍ତିବାଦୀ ଦ୍ରାବିଡ଼ମାନେ ଆର୍ଯ୍ୟମାନଙ୍କୁ ବହୁଭାବରେ ପ୍ରଭାବିତ କରିଛନ୍ତି । ଫଳରେ ଏହି ମହାନ୍‌ ଭାରତ ଅନବଦ୍ୟ ସଂସ୍କୃତିର ଜନୟିତ୍ରୀ ହୋଇଛି ।

 

ଆର୍ଯ୍ୟ ଶବ୍ଦର ଉତ୍ପତ୍ତି ସଂପର୍କରେ ବହୁ ମତ ଦେଖାଯାଏ । ତନ୍ମଧ୍ୟରୁ କେତୋଟି ମତର ବିଶ୍ଳେଷଣ ନିମ୍ନରେ ପ୍ରଦତ୍ତ ହେଲା । ଗତ୍ୟର୍ଥକ ଋ ଧାତୁରୁ ଆର୍ଯ୍ୟ ଶବ୍ଦର ନିରୁକ୍ତିକୁ କେତେକ ପଣ୍ଡିତ ମାନିଥାନ୍ତି । ଯେଉଁ ଚାରଣ ସମ୍ପ୍ରଦାୟର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସେମାନଙ୍କର ପାଳିତ ପଶୁମାନଙ୍କ ସହିତ ଯାତ୍ରା କରୁଥିଲେ, ସେମାନେ ଆର୍ଯ୍ୟ ନାମରେ କଥିତ । ଅଧିକନ୍ତୁ ଏମାନେ ନୂତନ ସ୍ଥାନକୁ ଯାଉଥିଲେ; ସେଠାରେ ସ୍ୱକୀୟ ସଂସ୍କୃତି ଓ ବିଚାରଧାରାର ସଂକ୍ରମଣ କରାଉଥିଲେ । ଗତିଶୀଳ ଅର୍ଥରେ ଏଠାରେ ଆର୍ଯ୍ୟ ଶବ୍ଦ ବ୍ୟବହୃତ । ଏ ସଂପର୍କରେ ବୈଦିକ ସାହିତ୍ୟରେ ମଧ୍ୟ ସୂଚନା ମିଳେ । ବହୁ ଦୂରକୁ ଆଗେଇଯିବା ପାଇଁ ଏବଂ ଆର୍ଯ୍ୟ ସଂସ୍କୃତିକୁ ସଂକ୍ରାନ୍ତ କରାଇବା ପାଇଁ ଆର୍ଯ୍ୟ ଋଷିମାନେ ପ୍ରେରଣା ଦେଉଥିଲେ ।

 

‘‘ଚରୈବେତି, ଚରୈବେତି, ଚରନ ବୈ ମଧୁ ବିନ୍ଦତି’’

 

‘‘ଆଗେଇ ଚାଲ, ଆହୁରି ଆଗେଇ ଚାଲ; ଯେଉଁମାନେ ଅଗ୍ରଗାମୀ ସେମାନେ ଅମୃତ ଲାଭକରନ୍ତି’’-ଏହି ଆର୍ଷବାଣୀ ଆମେ ଋଗ୍‌ବେଦ ଓ ବ୍ରାହ୍ମଣଗ୍ରନ୍ଥମାନଙ୍କରେ ଦେଖିବାକୁ ପାଉ । ପୂର୍ବାଞ୍ଚଳକୁ ଆର୍ଯ୍ୟସଂସ୍କୃତିର ସଂକ୍ରମଣ କରାଇବା ପାଇଁ ଜାତୀୟ ନେତା ଇନ୍ଦ୍ରଙ୍କର ଆର୍ଯ୍ୟକୁମାର ରୋହିତଙ୍କ ପ୍ରତି ଏହା ଉଦ୍‌ବୋଧନ । ଯେଉଁ ଗତିଶୀଳ ସଂପ୍ରଦାୟ ସମଗ୍ର ପୃଥିବୀରେ ମହାନ୍‌ ସଂସ୍କୃତିର ସଂକ୍ରମଣ କରାଇପାରିଛନ୍ତି, ସମ୍ଭବତଃ ସେହିମାନଙ୍କ ପାଇଁ ଆର୍ଯ୍ୟ ଶବ୍ଦ ଲାକ୍ଷଣିକ ଅର୍ଥରେ ପ୍ରଯୁକ୍ତ ହୋଇଥିବ ।

 

ଆର୍ଯ୍ୟ ଶବ୍ଦ ଅର୍ଯମା ଶବ୍ଦରୁ ନିଷ୍ପନ୍ନ—ଏହି ମତ କେତେକ ପୋଷଣ କରିଥାନ୍ତି । ଏହି ଆର୍ଯ୍ୟମାନଙ୍କୁ ଆମ୍ଭେମାନେ ପ୍ରଥମ ଆଦିତ୍ୟ ରୂପେ ପୂଜାକରୁ । ପୁନଶ୍ଚ ଅର୍ଯମା ଆମ୍ଭମାନଙ୍କର ପ୍ରଥମ ପିତୃରୂପେ ସମ୍ମାନିତ । ପୁରାତନ ଇରାଣୀଧର୍ମରେ ଅର୍ଯମନ୍‌ଙ୍କୁ ମଧ୍ୟ ପୂଜା କରାଯାଉଥିଲା । ସମ୍ଭବତଃ ଇରାଣୀଭାରତ ଗୋଷ୍ଠୀର ପ୍ରଥମ ଅବସ୍ଥାରେ ଅର୍ଯମା ସେମାନଙ୍କର ନେତା ଥିଲେ । କାଳକ୍ରମେ ଇରାନ୍‌ ଓ ଭାରତର ଆର୍ଯ୍ୟଗୋଷ୍ଠୀ ପରସ୍ପରଠାରୁ ପୃଥକ୍‌ ହେଲେ । କିନ୍ତୁ ସେମାନଙ୍କର ଆଦିମ ନେତା ଅର୍ଯମାଙ୍କୁ ଉଭୟ ଗୋଷ୍ଠୀ ପ୍ରଥମ ପିତୃରୂପେ ସମ୍ମାନ ଦେଇଛନ୍ତି । ଆର୍ଯମାନ୍‌ଙ୍କ ବଂଶଧରମାନ ଆର୍ଯ୍ୟ ନାମରେ ପରିଚିତ ହେଲେ ।

 

କେତେକ ପଣ୍ଡିତ ଇରାନ୍‌ ଶବ୍ଦରୁ ଆର୍ଯ୍ୟ ଶବ୍ଦର ନିର୍ବାଚନ ସୂଚାଇଥାନ୍ତି । ସେମାନଙ୍କ ମତରେ, ଯେଉଁ ଗୋଷ୍ଠୀ ପ୍ରାଚୀନ କାଳରେ କରାନ୍‌ରେ ବସବାସ କରୁଥିଲେ, ସେମାନେ ଆର୍ଯ୍ୟ । ସ୍ଥାନାଭାବ ବା ଅନ୍ୟାନ୍ୟ କାରଣରୁ ଏହି ଗୋଷ୍ଠୀ ଉତ୍ତର, ପୂର୍ବ ଓ ପଶ୍ଚିମାଞ୍ଚଳକୁ ସଂପ୍ରସାରିତ ହେଲେ । ତନ୍ମଧ୍ୟରୁ ଗୋଟିଏ ଦଳ ଭାରତର ସପ୍ତସିନ୍ଧୁ ଅଞ୍ଚଳରେ ପ୍ରବେଶକରି ସ୍ଥାୟୀ ଭାବରେ ବସବାସ କଲେ । ଏହିମାନେ ଭାରତରେ ଆର୍ଯ୍ୟ ନାମରେ ପରିଚିତ । ମୂଳ ଇରାଣୀ ଗୋଷ୍ଠୀ ଯେଉଁ ସଭ୍ୟତାର ଅନ୍ତର୍ଭୁକ୍ତ ଥିଲା, ତାହା ସଂସ୍କୃତି କ୍ଷେତ୍ରରେ ଅସୁର ନାମରେ ପରିଚିତ । ଇରାନ୍‌ର ପୁରାତନ ଗ୍ରନ୍ଥ ଜେନ୍ଦ୍‌ ଆଭେସ୍ତାରେ ଅସୁର ଶବ୍ଦ ସମ୍ମାନ ଓ ଶ୍ରଦ୍ଧାର ପ୍ରତୀକ । କିନ୍ତୁ ସପ୍ତସିନ୍ଧୁ ଅଞ୍ଚଳରୁ ଆର୍ଯ୍ୟଗୋଷ୍ଠୀ ନୂତନ ସତ୍ୟରେ ଉପନୀତ ହେଲେ । ସେମାନେ ଏହି ନୂତନ ଚିନ୍ତାକୁ ‘ଆଦିତ୍ୟ’ ଓ ‘ଦେବ’ ଏହି ପ୍ରତୀକ ଶବ୍ଦରେ ପ୍ରକାଶକଲେ । ଏହାକୁ କେନ୍ଦ୍ରକରି ପୁରାତନପନ୍ଥୀ ଓ ନୂତନପନ୍ଥୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେଲା ଏବଂ ସେହି ସଂଘର୍ଷର ସାଂସ୍କୃତିକ ମୂଲ୍ୟାୟନକୁ ଆମ୍ଭେମାନେ ଦେବାସୁର ଯୁଦ୍ଧରେ ଅଭିହିତ କରୁ । ଅସୁର ଶବ୍ଦ ଆଭେସ୍ତା ଗ୍ରନ୍ଥରେ ‘ଆହୁର’ ରୂପେ ଇଚ୍ଚାରିତ । ଇରାନ୍‌ର ପୁରାତନ ପହ୍ଲବୀ ଭାଷାରେ ‘ସ’ର ଉଚ୍ଚାରଣ ‘ହ’ ହୋଇଥାଏ-। ତେଣୁ ଆମ୍ଭମାନଙ୍କର ଅସୁର, ସପ୍ତ, ସିନ୍ଧୁ, ସୋମ ପ୍ରଭୃତି ଶବ୍ଦ ଯଥାକ୍ରମେ ପହ୍ଲବୀ ଭାଷାରେ ଅହୁର, ହପ୍ତ, ହିନ୍ଦୁ, ହୋମ ଶବ୍ଦରେ ରୂପାୟିତ । ଦେବ ସଭ୍ୟତାର ଅଭ୍ୟୁତ୍‌ଥାନ ପୂର୍ବରୁ ଅସୁର-ସଭ୍ୟତାର ସ୍ଥିତି ପ୍ରମାଣସିଦ୍ଧ । ସେଥିପାଇଁ ଅସୁର ଶବ୍ଦର ସମପର୍ଯ୍ୟାୟବାଚକ ଶବ୍ଦରୂପ ‘ପୂର୍ବଦେବ’ ଶବ୍ଦର ପ୍ରଚଳନ ଅଛି । ଏହାର ଯଥାର୍ଥ୍ୟ ପ୍ରତିପାଦନ ପାଇଁ ମୁଁ ପୌରାଣିକ ବିବରଣୀର ଅବତାରଣା କରୁଛି । ଆଦିପିତା କାଶ୍ୟପଙ୍କର ପ୍ରଥମା ସ୍ତ୍ରୀ ହେଉଛନ୍ତି ଦିତି । ତାଙ୍କର ସନ୍ତାନମାନେ ଦୈତ୍ୟନାମରେ ଅଭିହିତ । ଆମେ ଅସୁର ଓ ଦୈତ୍ୟମାନଙ୍କୁ ସମପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିଥାଉ-। ମହାତ୍ମା କଶ୍ୟପଙ୍କର କଶ୍ୟପଙ୍କର ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ଅଦିତି । ତାଙ୍କଠାରୁ ଆଦିତ୍ୟମାନେ ଜନ୍ମ ନେଇଛନ୍ତି । ଏଥିରୁ ସ୍ପଷ୍ଟ ହୁଏ, ଦୈତ୍ୟମାନେ ଆଦିତ୍ୟମାନଙ୍କର ପୂର୍ବବତ୍ତୀ । ସାଂସ୍କୃତିକ ଦୃଷ୍ଟିକୋଣରୁ ଅସୁର ଓ ଦୈତ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ ଥିଲେ ମଧ୍ୟ, ସାଧାରଣ ଭାବରେ ସେମାନେ ଏକ ଅର୍ଥରେ ଅଭିବ୍ୟକ୍ତ ହୋଇଥାନ୍ତି । ଭାରତୀୟ ସାହିତ୍ୟ ଓ ପୁରାଣ ଗ୍ରନ୍ଥରେ ଅସୁର ଶବ୍ଦ ଯେପରି ପତିତ ଅର୍ଥରେ ପ୍ରତିପାଦିତ, ସେହିପରି ଇରାନ୍‌ର ଆଭେସ୍ତା ଓ ପାଶ୍ଚାତ୍ୟ ଗ୍ରନ୍ଥରେ ଦେବ ଶବ୍ଦ ଅନୁରୂପ ପତିତ ଅର୍ଥରେ ମଧ୍ୟ ରୂପାୟିତ । ଏହି ଦେବ ଶବ୍ଦରୁ ବାଇବେଲ୍‌ର ଡେଭିଲ (Devil) ଶବ୍ଦର ସୃଷ୍ଟି ହୋଇଛି । ସଂସ୍କୃତିରେ ପରସ୍ପରବିରୋଧୀ ବିଚାରଧାରାକୁ କେନ୍ଦ୍ରକରି ଦେବ ଓ ଅସୁର ଶବ୍ଦର ଅର୍ଥ ପ୍ରତୀତ ହୋଇଥିବାରୁ ଏହାର ଆପେକ୍ଷିକ ଗୁଣଧର୍ମ ଦେଶକାଳଭେଦରେ ପ୍ରକାଶ ପାଇଛି । ଏ ସବୁ ସତ୍ତ୍ୱେ ଇରାନ୍‌ ଓ ଆର୍ଯ୍ୟ ଶବ୍ଦ ମଧ୍ୟରେ କେତେକ ସାଦୃଶ୍ୟ ରହିଛି-

 

‘ଅରି ଶବ୍ଦ’ରୁ ଆର୍ଯ୍ୟ ଶବ୍ଦର ନିଷ୍ପତ୍ତିକୁ କେତେକ ପଣ୍ଡିତ ଦର୍ଶାଇଛନ୍ତି । ଅରି ଶବ୍ଦ ଅଧୁନା ଶତ୍ରୁ ଅର୍ଥରେ ବ୍ୟବହୃତ । କିନ୍ତୁ ବୈଦିକ ସାହିତ୍ୟରେ ଏହା ଆଗନ୍ତୁକ ଅର୍ଥରେ ପ୍ରଯୁକ୍ତ ହେଉଥିଲା । ଭାରତର ଆର୍ଯ୍ୟୋତର ଗୋଷ୍ଠୀ ନୂତନ ଭାବରେ ଆସିଥିବା ସଂପ୍ରଦାୟକୁ ଆଗନ୍ତୁକ ଅର୍ଥରେ ଆର୍ଯ୍ୟ ବୋଲି ସମ୍ବୋଧନ କରୁଥିଲେ ଏବଂ କାଳକ୍ରମେ ଏହି ଆଗନ୍ତୁକ ଗୋଷ୍ଠୀ ଆର୍ଯ୍ୟନାମରେ ପରିଚିତ ହେଲେ । ସମୟକ୍ରମେ ଆର୍ଯ୍ୟ ଓ ଆର୍ଯୋତରମାନଙ୍କ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ହୋଇଗଲା ଏବଂ ଅରି ଶବ୍ଦ ଶତ୍ରୁ ଅର୍ଥରେ ପ୍ରଚଳିତ ହେଲା । ଅରି ଶବ୍ଦରୁ ଆର୍ଯ୍ୟ ଶବ୍ଦର ନିଷ୍ପତ୍ତି ବ୍ୟାକରଣ ଦୃଷ୍ଟିରୁ ସମ୍ମତ । ସିନ୍ଧୁ ଉପତ୍ୟକାର ଅଧିବାସୀମାନଙ୍କୁ ଅନ୍ୟମାନେ ହିନ୍ଦୁ କହିଲାପରି, ଏହି ନୂତନ ପ୍ରବେଶକାରୀମାନଙ୍କୁ ସମ୍ଭବତଃ ପୁରାତନ ଅଧିବାସୀମାନେ ଅରି ବା ଅରୟ (ଆଗନ୍ତୁକ ଅର୍ଥରେ) କହିଥିବେ । ସେମାନଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ଅରି ଶବ୍ଦ ଶତ୍ରୁ ଅର୍ଥରେ ପର୍ଯ୍ୟବସିତ ହେଲା । କିନ୍ତୁ ଆର୍ଯ୍ୟ ଶବ୍ଦ ଅରି ଶବ୍ଦରୁ ନିଷ୍ପନ୍ନ ହୋଇଥିଲେ ମଧ୍ୟ ସେମାନେ ସଂଗ୍ରାମରେ ବିଜୟୀ ହେବାରୁ ସେହି ଶବ୍ଦର ଅବମୂଲ୍ୟତା ଆସିଲା ନାହିଁ । ଅରି ଶବ୍ଦରୁ ଅର୍ଯ୍ୟ ଓ ଆର୍ଯ୍ୟ-ଏହି ଶବ୍ଦଦ୍ୱୟର ସୃଷ୍ଟି ହୋଇଛି । ବୈଦିକଯୁଗର ପ୍ରାରମ୍ଭରେ ଏହି ଶବ୍ଦାପତ୍ତିର ସ୍ଥିତି ଶୀଳତା ଆସିନଥିଲା । ଅର୍ଯ୍ୟ ଶବ୍ଦ କେତେକ ସ୍ଥଳରେ ଅବବୋଧାତ୍ମକ ଓ କେତେକ ସ୍ଥାନରେ ଉତ୍କର୍ଷାତ୍ମକ ହୋଇଛି । ଋଗ୍‌ବେଦ ଅଷ୍ଟମ ମଣ୍ଡଳର ନିମ୍ନୋକ୍ତ ମୁକ୍ତରେ ‘ଅର୍ଯଃ’ ଶବ୍ଦ ଶତ୍ରୁର-ଏହି ଅବୋଧାତ୍ମକ ଅର୍ଥରେ ପ୍ରଯୁକ୍ତ :

 

‘‘ମା ନଃ ଅର୍ଯୋ ଅନୁକାମଂ ପରା ଦାଃ’’–

 

(ଋଗ୍‌ବେଦ ୮-୪୮-୮)

 

‘‘ହେ ସୋମ, ଆମ୍ଭମାନଙ୍କୁ ଶତ୍ରୁମାନଙ୍କ ଦୟା ଉପରେ ଛାଡ଼ିଦିଅ ନାହିଁ ।’’

 

ଦଶମ ମଣ୍ଡଳରେ ‘ଅର୍ଯଃ’ ଶବ୍ଦ ସମ୍ମାନୀୟ ଅର୍ଥରେ ପ୍ରଯୁକ୍ତ :

 

‘‘ତନ୍ମୋ ବି ଚଷ୍ଟେ ସବିତାୟମର୍ଯଃ’’

 

ମହାମାନ୍ୟ ସବିତା ମୋତେ ଅନୁପ୍ରେରଣା ଦେଉଛନ୍ତି । ଉକ୍ତ ଉଦାହରଣଦ୍ୱୟରେ ଅର୍ଯ୍ୟ ଶବ୍ଦ ପରସ୍ପର ବିପରୀତ ଅର୍ଥର ସୂଚନା ଦେଉଛି । ଗୋଟିଏ ଅରି ଶବ୍ଦର ଷଷ୍ଠୀ ବିଭକ୍ତି ଅର୍ଥାତ୍‌ ‘ଶତ୍ରୁର’- ଏହି ପର୍ଯ୍ୟାୟରେ ଏବଂ ଅନ୍ୟଟି ମାନନୀୟ ଅର୍ଥରେ ବ୍ୟବହୃତ । ଉପରୋକ୍ତ ଅର୍ଥବିଭାନ୍ତି ଓ ଅପକର୍ଷକ ସଂଜ୍ଞାକୁ ପରିବର୍ତ୍ତିତ କରିବା ପାଇଁ ପରବର୍ତ୍ତୀ ସମୟରେ ଏହି ନୂତନ ଗୋଷ୍ଠୀ ନିଜକୁ ଆର୍ଯ୍ୟନାମରେ ନାମିତ କରିଥିବ ।

 

ଅନ୍ୟ ଏକ ମତ ହେଉଛି; ଋଜୁ ଶବ୍ଦରୁ ଆର୍ଯ୍ୟ ଶବ୍ଦର ସୃଷ୍ଟି । ଋଜୁ ଶବ୍ଦ ସରଳତାର ଦ୍ୟୋତକ । ଆର୍ଯ୍ୟମାନଙ୍କର ସରଳ ଜୀବନଯାପନ ପ୍ରଣାଳୀକୁ ଲକ୍ଷ୍ୟକରି ଏହିପରି ବ୍ୟାଖ୍ୟା କେତେକ କରିଥାନ୍ତି । କିନ୍ତୁ ଋଜୁ ଶବ୍ଦରୁ ଆର୍ଯ୍ୟ ଶବ୍ଦର ନିଷ୍ପତ୍ତି ବ୍ୟାକରଣସମ୍ମତ ନୁହେଁ ।

 

ଆର୍ଯ୍ୟ ଶବ୍ଦର ନିଷ୍ପତ୍ତି ଯେଉଁପରି ହୋଇଥାଉନା କାହିଁକି, ଆମ ସଂସ୍କୃତିରେ ଏହା ସମ୍ମାନ ଓ ଶ୍ରଦ୍ଧାର ସଂକେତ ବହନ କରିଆସିଛି । ଆର୍ଯ୍ୟମାନେ ସରଳ, ଓନିରାଡ଼ମ୍ବର ଜୀବନଯାପନ କରୁଥିଲେ । ସେମାନେ ଚିନ୍ତା ଓ ପ୍ରକାଶରେ ସତ୍ୟକୁ ସମ୍ମାନ ଦେଉଥିଲେ । ତେଣୁ ମନ ଓ ଶରୀରରେ ସେମାନେ ନିଷ୍ପାପ ଥିଲେ । ଚିତ୍ତବୃତ୍ତିର ଉଦାରତା ସେମାନଙ୍କର ଅଭ୍ୟାସ ଥିଲା-। ଏହି ପରିପ୍ରେକ୍ଷୀରେ ଗୋଟିଏ ଦୃଷ୍ଟାନ୍ତ ପ୍ରଣିଧେୟ ।

 

ନିଷ୍ପାପଚିତ୍ତତା ସମ୍ପର୍କରେ ଆର୍ଯ୍ୟମାନେ ଆତ୍ମପ୍ରତ୍ୟୟୀ ଥିଲେ । ଆର୍ଯ୍ୟର ଅନ୍ତଃକରଣ ଏତେ ପବିତ୍ର ଥିଲା ଯେ, କୌଣସି ଆର୍ଯ୍ୟାଭ୍ୟାସୀ ପ୍ରମାଦଗ୍ରସ୍ତ ହେଉନଥିଲା । ଅଧିକନ୍ତୁ ଦ୍ୱିଧା ଓ ଦ୍ୱନ୍ଦରେ ସେମାନେ ନିଜର ଅନ୍ତରକୁ ଓ ଅନ୍ତଃକରଣ-ଭାଦକୁ ସମାଧାନର ପ୍ରମାଣ ରୂପେ ଗ୍ରହଣ କରୁଥିଲେ ।

 

ପୁରୁରାଜ ଦୁଷ୍ମନ୍ତ କଣ୍ୱଙ୍କର ଆଶ୍ରମରେ ଲାବଣ୍ୟମୟୀ ଶକୁନ୍ତଳାଙ୍କୁ ଦେଖି କାମବିହ୍ୱଳିତ ହୋଇଛନ୍ତି । ଦୁଷ୍ମନ୍ତ କ୍ଷତ୍ରିୟ । ଶକୁନ୍ତଳା କଣ୍ୱଙ୍କର ଦୁହିତା; ତେଣୁ ବ୍ରାହ୍ମଣ କନ୍ୟା ହୋଇପାରିଥାନ୍ତି । ବ୍ରାହ୍ମଣେତରମାନେ ମୁନିକନ୍ୟାମାନଙ୍କର ରତିକାଙ୍‌କ୍ଷୀ ହେବା ଆର୍ଯ୍ୟଶାସନର ବିରୋଧୀ । ଶକୁନ୍ତଳାର ପ୍ରଣୟ ଦୁଷ୍ମନ୍ତଙ୍କ ପକ୍ଷରେ ସମ୍ଭବ କି ନା-ଏହାହିଁ ତାଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ସେତେବେଳେ ଦୁଷ୍ମନ୍ତ କହୁଛନ୍ତି–

 

‘‘ଅସଂଶୟଂ କ୍ଷତ୍ର ପରିଗ୍ରହକ୍ଷମା ଯଦାର୍ଯ୍ୟମସ୍ୟାମଭିଳାଷି ମେ ମନଃ

ସତାଂ ହି ସନ୍ଦେଦପଦେଷୁ ବସ୍ତୁଷ୍ଣ ପ୍ରମାଣମନ୍ତଃ କରଣପ୍ରବୃତ୍ତୟଃ’’

 

[ଶକୁନ୍ତଳା-କାଳିଦାସ]

 

‘‘ନିଶ୍ଚିତଭାବରେ ଏହି କନ୍ୟା କ୍ଷତ୍ରିୟର ବିବାହଯୋଗ୍ୟା । ମୋର ଚିତ୍ତବୃତ୍ତି ଆର୍ଯ୍ୟ ଏବଂ ଏହି କନ୍ୟାର ଅଭିଳାଷୀ । ସଜ୍ଜନମାନଙ୍କ ସନ୍ଦେହ ସ୍ଥଳରେ ସେମାନଙ୍କର ଅନ୍ତଃକରଣ ହିଁ ପ୍ରମାଣ-।’’ ଏଠାରେ ଉଲ୍ଲେଖଯୋଗ୍ୟ, ‘‘ଆର୍ଯ୍ୟନିଷ୍ଠା ତ ଚିତ୍ତବୃତ୍ତି ଭୁଲ୍‌ କରିପାରେ ନାହିଁ’’–ଏହା ଦୁଷ୍ମନ୍ତଙ୍କର ଆତ୍ମପ୍ରତ୍ୟୟ । ଯେହେତୁ ତାଙ୍କର ମନ ଶକୁନ୍ତଳାଙ୍କ ପ୍ରତି ଆକୃଷ୍ଟ ହୋଇଥିଲା; ଶକୁନ୍ତଳା ନିଶ୍ଚିତ ଭାବରେ କ୍ଷତ୍ରିୟର ପ୍ରଣୟିନୀ ହୋଇପାରିବେ—ଏ ବିଷୟରେ ଦୁଷ୍ମନ୍ତ ନିଃସନ୍ଦେହ ହଉଛନ୍ତି-। ଏଥିରୁ ଆର୍ଯ୍ୟ ଶବ୍ଦର ମହନୀୟତା ସୁସ୍ପଷ୍ଟ ।

Image

 

ପ୍ରଭାସରୁ ମହୋଦଧି

 

ମହାଭାରତ ଯୁଦ୍ଧ ଶେଷ ହୋଇଗଲାଣି । କୌରବମାନଙ୍କ ନିଧନ ପରେ ମହାନ୍‌ କରୁବଂଶର ଅବସାନ ଘଟିଛି । ଏହି ନିର୍ମମ ସଂବାଦରେ ବୃଦ୍ଧ ଅନ୍ଧରାଜା ଧୃତରାଷ୍ଟ୍ର ଓ ମହାରାଣୀ ସତୀ ଗାନ୍ଧାରୀ ଅଶ୍ରୁତର୍ପଣ କରୁଛନ୍ତି । ଦୁର୍ଯ୍ୟୋଧନର ମୃତ୍ୟୁପରେ ଶୋକାକୁଳା ଗାନ୍ଧାରୀ ଭୀମଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁଥିଲେ । ଭୀମଙ୍କୁ ଦେଖିବା ପାଇଁ କପଟ ଆଗ୍ରହ ପ୍ରକାଶ କଲେ; କିନ୍ତୁ ହାୟ, ଏ କ’ଣ ହେଲା ? କୁରୁବଂଶର ଶେଷ ଅଙ୍କୁର ଦୁର୍ଦ୍ଦକ୍ଷ ଗାନ୍ଧରୀଙ୍କ ନେତ୍ର-ଅଗ୍ନିରେ ଭସ୍ମୀଭୂତ ହୋଇଗଲା । ଗାନ୍ଧାରୀଙ୍କ ଚକ୍ଷୁରେ ବହୁଦିନରୁ ଯେଉଁ ଅନ୍ଧପୁଟୁଳି ବନ୍ଧାହୋଇଥିଲା, ତାହା କେବଳ ଭୀମଙ୍କ ଉଦ୍ଦେଶ୍ୟରେ ଖୋଲାହେଲା; କିନ୍ତୁ ଭୀମଙ୍କ ପରିବର୍ତ୍ତ ଯୁଦ୍ଧରୁ ରକ୍ଷାପାଇଥିବା ନିଜର ଏକମାତ୍ର କନିଷ୍ଠ ପୁତ୍ରକୁ ସେଠାକୁ ଆଣିଲା କିଏ ? ଅନ୍ଧପୁଟୁଳି ଖୋଲିବାର ରହସ୍ୟ ହିଁ କେବଳ ଜାଣିଥିଲେ ସେହି ମାୟାଧର ଶ୍ରୀକୃଷ୍ଣ । ହଁ, ହଁ, କେବଳ ସେହି ଶ୍ରୀକୃଷ୍ଣ । ସେହି ଶ୍ରୀକୃଷ୍ଣ ହିଁ କୁରୁବଂଶକୁ ପୃଥିବୀରୁ ଲୋପ କରିଛନ୍ତି । ‘‘ହେ ଶ୍ରୀକୃଷ୍ଣ, ତୁମେ ହିଁ କୌରବବଂଶକୁ ଲୋପ କଲ । ଆଜି ଶୋକାକୁଳା ଜନନୀ ଗାନ୍ଧାରୀର ଅଭିଶାପ ଗ୍ରହଣ କର-କୌରବବଂଶ ପରି ଯଦୁବଂଶ ସମୂଳେ ବିନଷ୍ଟ ହେଉ ।’’

 

ସତୀ ଗାନ୍ଧାରୀଙ୍କ ଅଭିଶାପରେ ସମରିଜୟୀ ଶ୍ରୀକୃଷ୍ଣ ଥରିଉଠିଲେ; ତାଙ୍କ ସହିତ ଥରିଉଠିଲେ ଅଷ୍ଟପାଟବଂଶୀ ଓ ସମଗ୍ର ଦ୍ୱାରକା । ମହାଭାରତ ଯୁଦ୍ଧରେ କିଏ ବା କ’ଣ ପାଇଲେ; କିନ୍ତୁ ଶ୍ରୀକୃଷ୍ଣ ପାଇଲେ ଗାନ୍ଧାରୀଙ୍କର ନିଷ୍ଠୁର ଅଭିଶାପ । ଏହି ଅଭିଶାପର ପ୍ରତିଧ୍ୱନିରେ ଋକ୍ମିଣୀ ଓ ସତ୍ୟଭାମା କେତେଥର ଆତଙ୍କିତ ହୋଇଛନ୍ତି, ରକ୍ଷାପାଇବା ପାଇଁ ସ୍ୱାମୀଙ୍କୁ କେତେ ଅନୁନୟ ବିନୟ କରିଛନ୍ତି । କିନ୍ତୁ ଏଣେ ଗାନ୍ଧାରୀଙ୍କ ପରି ସତୀ, ସାଧ୍ୱୀ ବିଳାପରତା ଜନନୀର ଅଭିଶାପ । ଯେଉଁ ଶ୍ରୀକୃଷ୍ଣ ସତୀ ଦ୍ରୌପଦୀଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ କୁରୁକ୍ଷେତ୍ର ଯୁଦ୍ଧର ପ୍ରବର୍ତ୍ତକ ହେଲେ, ସେ ବା କାହିଁକି ଅଭିଶାପକୁ ଅନ୍ୟଥାକରି ସତୀ ଗାନ୍ଧାରୀଙ୍କର ଅମର୍ଯ୍ୟାଦା କରନ୍ତେ ?

 

ଦିନ ବିତିଗଲା । ଆଜି ଦୁନିଆ ଗାନ୍ଧାରୀଙ୍କ ଅଭିଶାପକୁ ଭୁଲିଗଲାଣି; କିନ୍ତୁ ଶ୍ରୀକୃଷ୍ଣ ଭୁଲିନାହାନ୍ତି । କୁରୁକ୍ଷେତ୍ର ଯୁଦ୍ଧ ପରେ ଭାରତର ସମସ୍ତ ବିଭବ, ଅସ୍ତ୍ରଶସ୍ତ୍ର ଓ ରଣକୌଶଳ ପାଣ୍ଡବ ଓ ଯଦୁବଂଶୀୟମାନଙ୍କ ହାତରେ ପଡ଼ିଲା । ଯଦୁସେନା ମହାଭାରତ ଯୁଦ୍ଧରେ ସିଧାସଳଖ ଯୋଗଦେଇ ନଥିବାରୁ ସେମାନେ ଭାରତର ପ୍ରଥମ ଶକ୍ତିରୂପେ ଦେଖାଦେଲେ । ପାଣ୍ଡବମାନେ ଯୁଦ୍ଧରେ ଜୟୀ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛନ୍ତି । ତେଣୁ ଯଦୁବଂଶ ହିଁ ଆଜି ଅସ୍ତ୍ରବଳରେ ବଳୀୟାନ । ଏତେ ବିଭବ, ଏକାଧିପତ୍ୟ ଓ ପ୍ରାଚୁର୍ଯ୍ୟରେ ଯଦୁବଂଶୟୀମାନେ ଉତ୍‌ଫୁଲ୍ଲ ଓ ଉତ୍‌ସୀକ୍ତ । ରାଜନୀତିରେ ପରାଜୟର ଗ୍ଳାନି ଅପେକ୍ଷା ବିଜୟର ଆତ୍ମପ୍ରସାଦ ମଧ୍ୟ ଅତୀବ ଭୟଙ୍କର । ଯଦୁବଂଶୀୟମାନେ ଆଜି ଗର୍ବିତ ଓ ଅବାଧ୍ୟ । ସେମାନେ କୌଣସି ଶାସନ ବା ଶୃଙ୍ଖଳା ମାନୁନାହାନ୍ତି । ସ୍ୱାଭିମାନ ଓ ଅହଙ୍କାରରେ ସେମାନେ ମାନବିକତା ଓ ଇଶ୍ୱର-ସତ୍ତାକୁ ଅବମାନନା କରିବାକୁ ଆରମ୍ଭ କଲେଣି । ଅହଙ୍କାରୀ କୌରବମାନଙ୍କୁ ବିନାଶ କରି ଶ୍ରୀକୃଷ୍ଣ ଆର୍ଯ୍ୟଧର୍ମର ପ୍ରତିଷ୍ଠାକରିବା ପାଇଁ ଇଚ୍ଛାକରିଥିଲେ; କିନ୍ତୁ ଏ କ’ଣ ? ଦୁର୍ବିନୀତ ଯଦୁବଂଶୀମାନେ ମାନବିକତାକୁ ଅବଜ୍ଞା କରି ଦାନବ ପ୍ରବୃତ୍ତିକୁ ଚରିତାର୍ଥ କରୁଛନ୍ତି । ଆଜି ମଧ୍ୟ ଶ୍ରୀକୃଷ୍ଣ ଚକ୍ରଧାରୀ । ଯେଉଁ ଚକ୍ର ଆର୍ଯ୍ୟ ସଂସ୍କୃତି ଓ ଧର୍ମକୁ ପ୍ରତିଷ୍ଠା କରିବା ପାଇଁ କୌରବମାନଙ୍କୁ ନିଃଶେଷ କରିଛି, ସେହି ସୁଦର୍ଶନ କ’ଣ ଯଦୁବଂଶ ପ୍ରତି ପକ୍ଷପାତୀ ହେବ ? କିନ୍ତୁ ଆଜୀବନ ବିପ୍ଳବୀ ଶ୍ରୀକୃଷ୍ଣ ନିଜ ବଂଶର ଏହି ଅହଂକାର ସହିପାରିଲେ ନାହିଁ । ତାଙ୍କର ସୁଦର୍ଶନ ସ୍ୱୀୟ ବଂଶ ବିପକ୍ଷରେ ମଧ୍ୟ ଘୂରିଗଲା ।

 

ସେଦିନ ଥିଲା ବସନ୍ତୋତ୍ସବ । ଯଦୁବଂଶୀୟ କିଶୋର ଓ ଯୁବକମାନେ ଅକ୍ଷକ୍ରୀଡ଼ା ଏବଂ ମଦ୍ୟପାନରେ ଉନ୍ମତ୍ତ ଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଶାମ୍ବକୁ ନାରୀବେଶ କରି କୌତୁକ କରୁଥିଲେ । ଠିକ୍‌ ସେହି ସମୟର କଥା । ନୈମିଷାରଣ୍ୟରୁ ଦୁର୍ବାସା, ଅଙ୍ଗିରା, ଅଗସ୍ତ୍ୟ, ମରିଚି ପ୍ରଭୃତି ମହର୍ଷିମାନେ ଶ୍ରୀକୃଷ୍ଣଙ୍କ ଦର୍ଶନ ଉଦ୍ଦେଶ୍ୟରେ ଦ୍ୱାରକାଭିମୁଖେ ଯାଉଥା’ନ୍ତି । ଉଦ୍ଧତ ଯଦୁବଂଶୀୟ କିଶୋରମାନେ ଛଦ୍ମନାରୀବେଶରେ ଶାମ୍ବକୁ ଭୂଷିତ କରି ସେମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ । ଶାମ୍ବଙ୍କର ଆକୃତି ଖୁବ୍‌ କମନୀୟ । ପୁଣି ସେ ନାରୀସୁଲଭ ଚାତୁରୀରେ ପରିପୂର୍ଣ୍ଣ । ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇଥିବାରୁ ସେ ଖୁବ୍‌ ଆକର୍ଷଣୀୟ ହୋଇଥା’ନ୍ତି । ଶାମ୍ବ ଗର୍ଭବତୀ ନାରୀର ଅଭିନୟ କରୁଥା’ନ୍ତି । ତପକ୍ଳିଷ୍ଟ ମୁନିମାନଙ୍କୁ ପରୀକ୍ଷା କରିବା ପାଇଁ ଜଣେ ଯଦୁବଂଶୀ ପଚାରିଲେ, ‘‘ମହର୍ଷିଗଣ, ଏହି ନାରୀଟି ବହୁଦିନରୁ ଅନ୍ତସତ୍ତ୍ୱା ରହିଛି । ଏପର୍ଯ୍ୟନ୍ତ ପ୍ରସବ କରୁନାହିଁ । ଦୟା କରି କୁହନ୍ତୁ, ଏ କେବେ ଓ କି ସନ୍ତାନ ପ୍ରସବ କରିବ ?’’ କିନ୍ତୁ ହାୟ, କୌତୁକର ଏ କି ଶୋଚନୀୟ ପରିଣତି ହେଲା ? ମୁନିମାନେ ଉତ୍ତର ଦେଲେ:

 

‘‘ଏହାର ଗର୍ଭେ ଅଛି ବାଳ । ପ୍ରଚଣ୍ଡ ଲୋହର ମୂଷଳ ।।

ଏ ଆଜ ଗର୍ଭ ପ୍ରସବିବ । ତୁମ୍ଭର ବଂଶ ବିନାଶିବ ।।’’

 

[ଭାଗବତ]

 

ସନ୍ତ୍ରସ୍ତ ଯାଦବମାନେ ଶାମ୍ବର ଲୁଗା ଫିଟାଇ ଦେଖିଲେ, ଏକ ପ୍ରଚଣ୍ଡ ପିଙ୍ଗଳାଭ ଲୌହର ମୂଷଳ । ସେମାନେ ଆତଙ୍କିତ ହେଲେ ଏବଂ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଏହି ଦୁଃସମ୍ବାଦ ଦେଲେ । ସମଗ୍ର ଦ୍ୱାରକା ଓ ଅଷ୍ଟପାଟବଂଶୀ ପୁଣି ଥରେ ଥରିଉଠିଲେ । ଲୌହମୂଷଳକୁ ନିଶ୍ଚିହ୍ନ କରିବା ପାଇଁ କରୁକ୍ଷେତ୍ର ଯୁଦ୍ଧର ବିଜୟୀ ଭୀମ ପ୍ରଭାସ ତୀରସ୍ଥ ପାହାଡ଼ରେ ଘଷିବାକୁ ଲାଗିଲେ । ଘର୍ଷଣ ହେତୁରୁ ଫେନିଳ ତରଙ୍ଗ ଏରକାବନ ସୃଷ୍ଟି କଲା । ଲୌହ ମୂଷଳର ଅବଶେଷକୁ ଭୀମ ସମୁଦ୍ରରେ ପକାଇଦେଲେ । ଉକ୍ତ ଲୌହଖଣ୍ଡକୁ ଗୋଟିଏ ମାଛ ଖାଦ୍ୟ ଭାବି ଗିଳିଥିଲା ଏବଂ ଜାରା ଶବର ମାଛପେଟରୁ ସେହି ଲୁହାଖଣ୍ଡକ ପାଇ ନାରାଚରେ ଫଳ ରୂପେ ବ୍ୟବହାର କରିଥିଲା ।

 

ଗାନ୍ଧାରୀ ଓ ଋଷିମାନଙ୍କର ଅଭିଶାପ ସମ୍ପର୍କରେ ଶ୍ରୀକୃଷ୍ଣ ଅବହିତ ଥାଆନ୍ତି । ବର୍ଷାଋତୁ ଆସନ୍ନ । ଦିନେ ଶ୍ରୀକୃଷ୍ଣ ଉଦ୍ଧବଙ୍କ ସହିତ ପରାମର୍ଶ କରିବା ପାଇଁ ଡକାଇପଠାଇଲେ । ନିର୍ଜନ ପ୍ରକୋଷ୍ଠ । ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ, ‘‘ବ୍ରାହ୍ମଣମାନଙ୍କର ଅଭିଶାପରେ ଏହି ଯଦୁବଂଶ ଧ୍ୱଂସ ପାଇଯିବ । ବହୁ ଅପଶକୁନ ଦେଖାଯାଉଛି । ତୁମେ ତ ଜାଣ, ଋଷିମାନଙ୍କ କଥା ଅନ୍ୟଥା ହେବ ନାହିଁ । ତୁମେ ବଦି କାଶ୍ରମକୁ ଯାଇ ଜୀବନ ରକ୍ଷାକର । ମୋର ଇଚ୍ଛା, ତୁମେ ବଞ୍ଚିରୁହ ଏବଂ ମୋର ଚିନ୍ତା ଓ ବାଣୀକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କର ।’’ ଅଶ୍ରୁଳ ନୟନରେ ଉଦ୍ଧବ ଉତ୍ତର ଦେଲେ, ‘‘ହେ ଚକ୍ରୀ, ମାୟାଧର, ଶେଷରେ ନିଜର ବଂଶନାଶ କରିବା ପାଇଁ କ’ଣ ଇଚ୍ଛା କଲ ? ଏ ସବୁ ବିଡ଼ିମ୍ବନାର ତୁମେ ହିଁ ନିୟନ୍ତା । ବ୍ରାହ୍ମଣମାନଙ୍କର ଅଭିଶାପ କଥା କହି ମୋ ସହିତ କପଟତା କାହିଁକି କରୁଛ ? ତୁମେ ସର୍ବଶକ୍ତିମାନ; ଇଚ୍ଛାକଲେ ଋଷିମାନଙ୍କର ଅଭିଶାପ ଓ ବଂଶ ରକ୍ଷା-ଉଭୟ କଥା ସମ୍ଭବ ହେବ । ଭୀଷ୍ମଙ୍କ ମୃତ୍ୟୁରେ ଶୋକାକୁଳା ଜନନୀ ଗଙ୍ଗାଦେବୀଙ୍କ ଅଭିଶାପର କଥା କ’ଣ ମନେ ନାହିଁ ? ଗଙ୍ଗାଙ୍କ ବରରେ ବଳୀୟନା୍‌ ଓ ଭୀଷ୍ମଦେବଙ୍କ ଅଭିଶାପର କଥା କ’ଣ ମନେ ନାହିଁ ? ଗଙ୍ଗାଙ୍କ ବରରେ ବଳୀୟାନ୍‌ ଓ ଭୀଷ୍ମଦେବଙ୍କ ଶିଷ୍ୟ ବବ୍ରୁବାହନ ହସ୍ତରେ ତା’ର ପିତା ମଧ୍ୟମପାଣ୍ଡବ ଅର୍ଜୁନ ନିହତ ହେବେ । ଗଙ୍ଗାଙ୍କର ଅଭିଶାପ ଓ ଅର୍ଜ୍ଜୁନଙ୍କ ଜୀବନରକ୍ଷା-ଉଭୟ କଥା ହିଁ ତୁମଦ୍ୱାରା ସମ୍ଭବ ହେଲା । ହେ ଶ୍ରୀକୃଷ୍ଣ, ସତ କୁହ, ଧନଧାନ୍ୟରେ ପରିପୂର୍ଣ୍ଣ ଏହି ଦ୍ୱାରକା ଓ ସୌଭାଗ୍ୟଶାଳୀ ଯଦୁବଂଶୀମାନଙ୍କୁ କ’ଣ ସତେ ବିନାଶ କରିବ ? ଅନୁପମା ଅଷ୍ଟପାଟବଂଶୀ ଓ ରାଜବଧୂମାନଙ୍କର ଲୋତକଧାରାରେ ସତେ କ’ଣ ବିନାଶ କରିବ ? ଅନୁପମା ଅଷ୍ଟପାଟବଂଶୀ ଓ ରାଜବଧୂମାନଙ୍କର ଲୋତକଧାରାରେ ସତେ କ’ଣ ପବିତ୍ର ଦ୍ୱରକାକୁ ଅଶ୍ରୁସିକ୍ତ କରିବାକୁ ଚାହଁ ? ତୁମେ ଭଗବାନ୍‌, ବ୍ରାହ୍ମଣମାନଙ୍କର ଅଭିଶାପ କେବଳ ଛଳନା ସିନା ।’’

 

‘‘ବୋଲାଉ ତୁ ଯେ ଭଗବାନ । ନ କରୁ ବିପ୍ରଶାପ ଆନ ।।

ବଂଶ କି ବିନାଶିବୁ ତୁହି । ଏମନ୍ତ ପ୍ରାୟେ ମୁଁ ଭାବଇ ।।’

 

[ଭାଗବତ]

 

ଶ୍ରୀକୃଷ୍ଣ ଜାଣନ୍ତି, ଉଦ୍ଧବ କେବଳ ଭକ୍ତ ନୁହେଁ; ସେ ଜ୍ଞାନୀ, ଦାର୍ଶନିକ ଓ ଯାଦବ ସାମ୍ରାଜ୍ୟର ମନ୍ତ୍ରୀ । ତେଣୁ ନିଜର କପଟତା ଉଦ୍ଧବଙ୍କ ନିକଟରେ ଧରାପଡ଼ିଯିବ । ସେ ହସିଦେଲେ-। ଉଦ୍ଧବ ଜାଣିଛନ୍ତି, ଶ୍ରୀକୃଷ୍ଣ ଯେତେବେଳେ ହସନ୍ତି, ବିପ୍ଳବ ଓ ପ୍ରଳୟ ଦେଖାଦିଏ । ବିପ୍ଳବୀ ଶ୍ରୀକୃଷ୍ଣଙ୍କର ହସରେ ସାମାଜିକ ଓ ରାଜନୈତିକ ସ୍ଥିତି ଦୋହଲିଯାଏ । ଠିକ୍‌ ସେଦିନ ନିଜର ଭଣଜା ଅଭିମନ୍ୟୁଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଭଉଣୀ ସୁଭଦ୍ରାଙ୍କ ପାଖରେ ଶ୍ରୀକୃଷ୍ଣ ଏହିପରି ହସିଥିଲେ-। ଉଦ୍ଧବ ଭୟ ଓ ଆତଙ୍କରେ ଥରିଉଠିଲେ । ଅଶ୍ରୁଭରା ନୟନରେ ପୁଣି ଥରେ ମିନତିକଲେ :

 

‘‘ସକଳ ତୀର୍ଥ ତୋ ଚରଣେ । ବଦ୍ରିକା ଯିବି କି କାରଣେ ?’’

 

ଶ୍ରୀକୃଷ୍ଣ ଗମ୍ଭୀର ଓ ଶାନ୍ତ ଦେଖାଯାଉଛନ୍ତି । ‘‘ଉଦ୍ଧବ, ମୋ ସମେତ ସମଗ୍ର ଯଦୁବଂଶ ଧ୍ୱଂସ ହେବ । ଶୋକପାଶୋରା ଏହି ଦ୍ୱାରକା ଜଳମଗ୍ନ ହେବ । କିନ୍ତୁ ମୁଁ ଯେଉଁ ଆଦର୍ଶପାଇଁ ସାରାଜୀବନ ବିପ୍ଳବ କରିଆସିଲି, ସେହି ଆଦର୍ଶ ଓ ତତ୍ତ୍ୱକୁ ବିଦ୍ରକାଶ୍ରମର ମୁନିଋଷିମାନେ ସମଗ୍ର ବିଶ୍ୱରେ ପ୍ରଚାର କରିବେ । ଭଗବାନ ବ୍ୟାସଦେବ ଓ ଅନ୍ୟ ମୁନିଋଷିମାନେ ତୁମକୁ ଅପେକ୍ଷା କରିଛନ୍ତି । ତୁମେ ଯାଅ, ସେମାନଙ୍କ ସହିତ ଯୋଗ ଦେଇ ସେହି କାର୍ଯ୍ୟରେ ସାହାଯ୍ୟ କର । ଏହା ତୁମ ପ୍ରତି ମୋର ଆଦେଶ । କୁହ, ଭଗବାନ ଶ୍ରୀକୃଷ୍ଣଙ୍କର ଆଦେଶକୁ ତାଙ୍କର ପ୍ରିୟଭକ୍ତ ଉଦ୍ଧବ ଆଜି ପାଳନ କରିବ କି ନାହିଁ ?’’

 

ଶ୍ରୀକୃଷ୍ଣ ଏହି କଥାରେ ଉଦ୍ଧବଙ୍କର ମୁଣ୍ଡ ଘୂରିଗଲା । ଶ୍ରୀକୃଷ୍ଣଙ୍କର ଆଦେଶ; ଭଗବାନଙ୍କର ଆଦେଶ, ତାଙ୍କ ପକ୍ଷରେ ଅନତିକ୍ରମଣୀୟ । ଶୋକବିହ୍ୱଳ ଉଦ୍ଧବ ଲୋତକାଶ୍ରୁରେ ଶ୍ରୀକୃଷ୍ଣଙ୍କର ପଦ ଧୌତକଲେ; ତାଙ୍କର ପାଦୁକାକୁ ମସ୍ତକରେ ଧରି ବଦ୍ରିକା ଉଦ୍ଦେଶ୍ୟରେ ଯାତ୍ରା କଲେ । କେତେ କରୁଣ ସେ ଯାତ୍ରା ! ଆଗେଇ ଚାଲିଛନ୍ତି ଉଦ୍ଧବ; ପଛରେ ପଡ଼ିରହୁଛି ଅଭିଶପ୍ତ ଦ୍ୱାରକା ଓ ତା’ର ଅଧିବାସୀମାନେ । ଶ୍ରୀକୃଷ୍ଣ ଏକ ଲୟରେ ଉଦ୍ଧବଙ୍କ ପଥକୁ ଚାହିଁଛନ୍ତି । ଚିନ୍ତା କରୁଛନ୍ତି; ସତେ ଭଗବାନଙ୍କ ଠାରୁ ଭକ୍ତ କେତେ ବଡ ! ଭକ୍ତର ତ୍ୟାଗକୁ ଭଗବାନ ଶୁଝିପାରିବେନାହିଁ । ସେ ଭକ୍ତଙ୍କ ପାଖରେ ଚିରଋଣୀ ରହିବେ । ଚିନ୍ତା କରୁ କରୁ ତାଙ୍କର ଗଣ୍ଡ ଅଶ୍ରୁସିକ୍ତ ହେଲା ।

 

ମଳିମ୍ଳୁଚ ଆଷଢ଼ ମାସର କୃଷ୍ଣପକ୍ଷ । ଶ୍ରୀକୃଷ୍ଣ ବଳରାମ ଓ ଅନ୍ୟ ଯାଦବମାନଙ୍କ ସହିତ ପରାମର୍ଶ କଲେ । ‘‘ବ୍ରାହ୍ମଣମାନଙ୍କ ଅଭିଶାପରେ ଆଜି ସମସ୍ତ ଯଦୁବଂଶୀ ଓ ଦ୍ୱାରକା ଅଭିଶପ୍ତ । ଆଷାଢ଼ର ଏହି ଅଧିମାସଟି ଦାନଧର୍ମ ପାଇଁ ପ୍ରକୃଷ୍ଟ । ସାତ୍ୱତମାନେ ଏହି ମାସରେ ଦାନ ଯଜ୍ଞ କରି ପୁଣ୍ୟାଭିଳାଷୀ ହୋଇଥାନ୍ତି । ତେଣୁ ସମସ୍ତ ଯାଦବ, ଆଜି ସାଗର ବେଳାର ପ୍ରଭାସକ୍ଷେତ୍ରକୁ ଚାଲ ଯିବା । ସେଠାରେ ଋଷି ବ୍ରାହ୍ମଣମାନଙ୍କୁ ଦାନ ଦାକ୍ଷିଣ୍ୟରେ ସନ୍ତୁଷ୍ଟ କରି ଏହି ଅଭିଶାପରୁ ରକ୍ଷାପାଇବା ।’’ ଶ୍ରୀକୃଷ୍ଣଙ୍କର ଏହି ପ୍ରସ୍ତାବ ସମସ୍ତଙ୍କ ମନକୁ ପାଇଲା । ସମସ୍ତେ ପରଦିନ ପ୍ରଭାସକ୍ଷେତ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ଶ୍ରୀକୃଷ୍ଣ ପୁଣି ମନ୍ତ୍ରଣା ଦେଲେ, ‘‘ସମସ୍ତେ ନିଜ ନିଜର ଅସ୍ତ୍ରଶସ୍ତ୍ର ଧାରଣ କରି ସମୁଦ୍ରବେଳାକୁ ଯିବେ । ଅସ୍ତ୍ରଶସ୍ତ୍ର ତ କ୍ଷତ୍ରିୟମାନଙ୍କର ଭୂଷଣ ।’’ ଉକ୍ତ ମନ୍ତ୍ରଣାକୁ ମଧ୍ୟ ସମସ୍ତେ ଗ୍ରହଣ କଲେ । ପ୍ରଭାସର ବେଳାଭୂମିରେ ଯାଦବମାନେ ଦାନଧର୍ମ କରିବା ପରିବର୍ତ୍ତେ କାଦମ୍ବରୀ ଓ ବିଭିନ୍ନ ସୁସ୍ୱାଦୁ ଆସବ ପାନକରି ଉନ୍ମତ୍ତ ହେଲେ । ଘୋର ତମସାଛନ୍ନ ରାତ୍ରିରେ ସେମାନେ ମୋହଗ୍ରସ୍ତ ହେଲେ । ପରସ୍ପର ମଧ୍ୟରେ କଳହ ଦେଖାଦେଲା । ସମସ୍ତେ ପରସ୍ପରକୁ ଅସ୍ତ୍ରଶସ୍ତ୍ରରେ ପ୍ରହାର କରିବାକୁ ଲାଗିଲେ । ସେ କି ଭୀଷଣ ଦୃଶ୍ୟ ! ପରସ୍ପରର ଅସ୍ତ୍ରାଘାତରେ ଯାଦବମାନେ ଲୋଟି ପଡ଼ୁଥାନ୍ତି । ପୂର୍ବରୁ ସେହି ମୂଷଳର ଘର୍ଷଣ ଜନିତ ଫେନରେ ସୃଷ୍ଟି ହୋଇଥାଏ ମହାରୌରବ ଏରକାର ବନ । ତମସାଛନ୍ନ ସେହି ନିଘଞ୍ଚବନରେ ଯଦୁବଂଶ ସଂହାରକୁ ଶ୍ରୀକୃଷ୍ଣ ଧୀରସ୍ଥିର ଭାବରେ ଉପଭୋଗ କରୁଥାନ୍ତି । ସେ ପର୍ଯ୍ୟନ୍ତ କାଦମ୍ବରୀ ପାନ କରି ବଳରାମ ମଦମତ୍ତ ଥିଲେ ! ବଂଶନାଶର ଏହି ବିଭିଷୀକାରେ ତାଙ୍କର ସଂଜ୍ଞା ଫେରିଆସିଲା । ସେ ପ୍ରକୃତିସ୍ଥ ହୋଇ ଶ୍ରୀକୃଷ୍ଣଙ୍କୁ ତିରସ୍କାର କଲେ ଏବଂ ଯାଦବମାନଙ୍କୁ ଏହି ସଂହାରରୁ ନିବର୍ତ୍ତାଇବା ପାଇଁ ଶ୍ରୀକୃଷ୍ଣଙ୍କ ସହିତ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ । କିନ୍ତୁ ଏ କ’ଣ ? ଆଜି ଯଦୁବଂଶୀମାନେ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଚିହ୍ନି ପାରୁନାହାନ୍ତି । ସେମାନେ ବଳରାମ ଓ ଶ୍ରୀକୃଷ୍ଣଙ୍କ ଉପଦେଶ ମାନିବା ଦୂରରେ ଥାଉ, ସେମାନଙ୍କୁ ଅତି ନିର୍ମମ ଭାବରେ ଅସ୍ତ୍ରଶସ୍ତ୍ରରେ ଆଘାତ କଲେ-। ଶ୍ରୀକୃଷ୍ଣଙ୍କ ଶରୀରରୁ ରକ୍ତ ଧାର ପୃଥିବୀ ଉପରେ ବହି ଚାଲିଛି । ମା’ ବସୁମତୀ କମ୍ପି ଉଠିଲେ-। ଯେଉଁ ଶୀକୃଷ୍ଣ ସମଗ୍ର ବିଶ୍ୱର ନିଧାନ, ତାଙ୍କର ରକ୍ତକଣିକା ପୃଥିବୀ ପୃଷ୍ଠରେ ବିପ୍ଳବ ଓ ସଂହାରର ସ୍ରୋତ ଛୁଟାଇଦେବ । ବଳରାମ ଏ ଦୃଶ୍ୟ ଦେଖି ସହିପାରିଲେ ନାହିଁ । କ୍ରୋଧ ଓ ତମରେ ସେ ଯାଦବମାନଙ୍କୁ ସଂହାର କରିବାକୁ ଲାଗିଲେ । ବର୍ଣ୍ଣିତ ଅଛି, ବଳରାମଙ୍କ ଶସ୍ତ୍ରାଘାତରେ ଅଧିକାଂଶ ଯାଦବଙ୍କ ପ୍ରାଣ ହାନି ଘଟିଥିଲା । ବଳରାମଙ୍କ ମନରୁ ସଂହାର ଓ ତମଭାବର ନିଶା ଅପସରୀଗଲା ବେଳକୁ, ଯଦୁବଂଶୀମାନେ ଆଉ ଇହଜଗତରେ ନଥାନ୍ତି । ଗ୍ଳାନି ଓ ଅନୁତାପରେ ବଳରାମ ଦେହତ୍ୟାଗ କଲେ । ଶ୍ରୀକୃଷ୍ଣ ପୂର୍ବପରି ନିର୍ବାକ ଓ ନିଶ୍ଚଳ । ସେ ଦ୍ୱାରକାକୁ ଫେରି ଚାହିଁଲେ । ଓଃ ଏ ସମୁଦ୍ରର କରାଳ ଲହରୀ ତାଙ୍କର ପ୍ରିୟ ଦ୍ୱାରକାକୁ ଭସାଇ ନେଉଛି । ଅଷ୍ଟପାଟବଂଶୀ ଓ ଯଦୁବଂଶର ନବବଧୁମାନେ ଆକୁଳ ଚିତ୍କାର କରି ସମୁଦ୍ରଗର୍ଭରେ ଲୀନ ହୋଇଯାଉଛନ୍ତି । ଯେଉଁ ଦ୍ୱାରକା ଭୋଗ ଓ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା, ତାହା ନିଶ୍ଚିହ୍ନ !

 

ଶ୍ରୀକୃଷ୍ଣ ଅରଣ୍ୟ ମଧ୍ୟକୁ ଫେରିଚାଲିଲେ । ସମ୍ମଖରୁ କିଏ ଆସୁଛନ୍ତି ? କିଏ, ପିୟପୁତ୍ର ପ୍ରଦ୍ୟୁମ୍ନ । ସମ୍ଭବତଃ ଏହି ଦାରୁଣ ଦୁର୍ବିପାକରେ ପିତୃଭକ୍ତ ପ୍ରଦ୍ୟୁମ୍ନ ନିଜ ପିତାଙ୍କ ସମ୍ବାଦ ଜାଣିବା ପାଇଁ ଶ୍ରୀକୃଷ୍ଣଙ୍କୁ ପାଗଳ ପରି ଖୋଜି ବୁଲୁଛି ‘‘ପ୍ରଦ୍ୟୁମ୍ନ, କନ୍ଦର୍ପର ଅବତାର ପ୍ରଦ୍ୟୁମ୍ନ, ଶ୍ରୀକୃଷ୍ଣଙ୍କର ନୟନ ପିତୁଳା; ନାଁ- ସେ ବା ଆଉ କାହିଁକି ରହିବ ।’’ ସୁଦର୍ଶନକୁ ଶ୍ରୀକୃଷ୍ଣ ଆଦେଶ ଦେଲେ ‘‘ପ୍ରଦ୍ୟୁମ୍ନକୁ ସଂହାର କର ।’’ କି ନିର୍ମମ ସେ ଆଦେଶ ! ସୁଦର୍ଶନ ପ୍ରଦ୍ୟୁମ୍ନର ଶିରଚ୍ଛେଦ କରି ଆଉ ଶ୍ରୀକୃଷ୍ଣଙ୍କ ପାଖକୁ ଫେରିନାହିଁ; ସେ ଅନ୍ତର୍ହିତ ହେଲା । ଗୋଟିଏ ଯୁଗର ଅମୋଘ ଅସ୍ତ୍ର ଲୋପ ପାଇଗଲା । ଏହି ପ୍ରଭାସ ତୀର୍ଥରେ ସମସତି ଅସ୍ତ୍ରଶସ୍ତ୍ର ଧ୍ୱଂସ ପାଇଯାଇଥିବାରୁ ସମ୍ପୁର୍ଣ୍ଣ ନିରସ୍ତ୍ରୀକରଣ ସମ୍ଭବ ହେଲା ।

 

ରିକ୍ତହୃଦୟ ଅବସନ୍ନ ଶ୍ରୀକୃଷ୍ଣ ଘଞ୍ଚ ଅରଶ୍ୟରେ ପ୍ରବେଶ କଲେ । ଆଷଢ଼ ଅଧିମାସର କୃଷ୍ଣ ଚତୁର୍ଦ୍ଦଶୀ । ସମୟ ସେତେବେଳରୁ ନିଶାର୍ଦ୍ଧ । ଶିଆଳିଲତାର ଦୋଳିରେ ଚିରବିପ୍ଳବୀ ବିଶ୍ରାମ ନେଲେ । ଝଡ଼ପରେ ଆକାଶ ନୀରବ ଓ ପ୍ରଶାନ୍ତ ଥିଲାପରି ତାଙ୍କର ହୃଦୟ ଆଜି ପ୍ରଶାନ୍ତ । ଚିନ୍ତା ଆଜି ନିର୍ବିକଳ୍ପ ଏବଂ ଶରୀର ପ୍ରସନ୍ନ ଓ ଗମ୍ଭୀର । ଠିକ୍‌ ସେତିକିବେଳେ, ସେହି ଦାରୁଣ ମୁହୂର୍ତ୍ତରେ ମୃଗୟାସକ୍ତ ଜାରା ବିଦ୍ୟୁତ୍‌ଝଲକରେ ତାଙ୍କର ରଙ୍ଗାଚରଣ ଦେଖି ଭ୍ରମରେ ମୃଗକର୍ଣ୍ଣବୋଲି ଭାବି ଶର ନିକ୍ଷେପ କଲା । ହାୟ; ଏହି ଦାରୁଣ ନାରାଚ ଶ୍ରୀକୃଷ୍ଣଙ୍କ ବାମ ପାଦକୁ ଭେଦକଲା । ଯୁଗପୁରୁଷ ଶ୍ରୀକୃଷ୍ଣ ଚିତ୍କାର କରି ଉଠଲେ; ଜାରା ମନରେ ଆତଙ୍କ ସୃଷ୍ଟି ହେଲା । ‘‘ଏ କଣ କଲି, ଜଗତର ଅଭିରାମ ଭଗବାନ ଶ୍ରୀକୃଷ୍ଣଙ୍କୁ ମୃଗଭ୍ରମରେ ଶରବିଦ୍ଧ କଲି ।’’ ଜାରା ଅନୁତାପରେ କ୍ରନ୍ଦନ କରିବାକୁ ଲାଗିଲା । ପ୍ରସନ୍ନବଦନ ଶ୍ରୀକୃଷ୍ଣ ଜାରାକୁ ସେହି ନାରାଚର ବିବରଣ ପଚାରିଲା । ଜାରା ଉତ୍ତର ଦେଲା, ‘‘ପ୍ରଭାସକୂଳରୁ ମୋର ଜଣେ ଧୀବର ବନ୍ଧୁ ମାଛପେଟରୁ ଏହି ଲୁହାଖଣ୍ଡକ ପାଇଥିଲେ । ମୁଁ ତାକୁ ନାରାଚ କରିଛି । ହେ ଭଗବାନ୍‌, ମୁଁ ଯେଉଁ ଅପରାଧ କଲି, ତା’ର କ୍ଷମା ନାହିଁ; ମୋତେ ମାରିଦିଅନ୍ତୁ ।’’ ଶ୍ରୀକୃଷ୍ଣ ସାନ୍ତ୍ୱନା ଦେଇ କହିଲେ, ‘‘ବତ୍ସ, ତୋର କୌଣସି ଦୋଷ ନାହିଁ । ତୁ କେବଳ ନିମିତ୍ତମାତ୍ର । ବ୍ରାହ୍ମଣମାନଙ୍କ ଅଭିଶାପରୁ ଯେଉଁ ପ୍ରଚଣ୍ଡ ଲୌହମୁଷଳ ଜନ୍ମ ନେଇଥଲା, ଏହି ନାରାଚ ତା’ର ଅବଶେଷାଂଶ । ତେଣୁ ତୁ ଅନୁତାପ ନକରି ପାଣ୍ଡବମାନଙ୍କୁ ଏଠାକୁ ନେଇ ଆ । ସେମାନଙ୍କୁ ଦେଖିଲା ପରେ ମୁଁ ଦେହ ତ୍ୟାଗ କରିବି ।’’

 

ଯଦୁବଂଶ ଓ ଶ୍ରୀକୃଷ୍ଣଙ୍କର ଏହି ଦୁର୍ବିପାକର ସମ୍ବାଦ ଶୁଣି ପାଣ୍ଡବମାନେ ବ୍ୟଥିତ ହେଲେ-। ସେମାନେ ଶ୍ରୀକୃଷ୍ଣଙ୍କର ବିରହ ସହିପାରିବେ ନାହିଁ । ପାଣ୍ଡବମାନଙ୍କୁ ସାକ୍ଷାତ ନକରି ଯୁଗପୁରୁଷ ଶ୍ରୀକୃଷ୍ଣ ସଂସାରରୁ ବିଦାୟ ନେଇ ପାରିବେ ନାହିଁ । ସହଦେବ ଅର୍ଜ୍ଜୁନଙ୍କୁ ପରାମର୍ଶ ଦେଲେ, ‘‘ଆଜନ୍ମ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ତୁମେ ସାକ୍ଷାତ କରିବ; କିନ୍ତୁ ସ୍ପର୍ଶ କରିବ ନାହିଁ ।’’ ଅର୍ଜୁନ ଲୋତକପୂର୍ଣ୍ଣ ଚକ୍ଷୁରେ ଶ୍ରୀକୃଷ୍ଣ ଦେଖୁଥାନ୍ତି; କିନ୍ତୁ ତ୍ରିକାଳଜ୍ଞ ସହଦେବଙ୍କ କଥା ମାନି ତାଙ୍କ ନିକଟକୁ ଯାଉ ନଥା’ନ୍ତି-। ଯନ୍ତ୍ରଣାରେ ଶ୍ରୀକୃଷ୍ଣ ଛଟପଟ ହେଉଥିଲାବେଳେ ଅର୍ଜ୍ଜୁନ ତାଙ୍କୁ ଛୁଇଁବେ ନାହିଁ— ଏହି ଅବସ୍ଥା ଯେ କେତେ କରୁଣ, ତାହା ବର୍ଣ୍ଣନାତୀତ । ‘‘ସଖା ଅର୍ଜ୍ଜୁନ, ମୋ’ ପାଖକୁ ନ ଆସିଲ ନାହିଁ; ତୁମର ଗାଣ୍ଡିବ ଟିକେ ବଡ଼ାଇଦିଅ ।’’ ଅର୍ଜ୍ଜୁନ ଯନ୍ତ୍ରବତ୍‌ ତାହା କଲେ । ବାସ୍‌ ସେତିକି ସ୍ପର୍ଶ ଯଥେଷ୍ଟ ଯୁଗପୁରୁଷ ଶ୍ରୀକୃଷ୍ଣଙ୍କର ମହାପ୍ରୟାଣ ହେଲେ; ଏବଂ ଅର୍ଜ୍ଜୁନ ଶ୍ରୀହୀନ ହୋଇଗଲେ । ଯେଉଁ ଗାଣ୍ଡୀବ ସାହାଯ୍ୟରେ ଅର୍ଜ୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ବିଜୟୀ ହୋଇଥିଲେ, ସେହି ଗାଣ୍ଡୀବକୁ ସେ ଟେକି ଧରିପାରିଲେ ନାହିଁ । ସ୍ୱୟଂ ନାରାୟଣ ଚାଲିଗଲେ ଓ ନରନାରାୟଣ ଅର୍ଜ୍ଜୁନ ନିଷ୍ପ୍ରଭ ହୋଇଗଲେ ।

 

କୃଷ୍ଣ ଚତୁର୍ଦ୍ଦଶୀର ସେହି କରାଳ ରାତ୍ରି । ଜାରା ଓ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କର ଶରୀରକୁ ସତ୍‌କାର କରିବା ପାଇଁ ଆୟୋଜନ କଲେ । ଆଶ୍ଚର୍ଯ୍ୟର କଥା, ତାଙ୍କର ଶରୀର ଅଗ୍ନିରେ ଦଗ୍‌ଧ ହେଲାନାହିଁ । ଜାରା ଓ ଅର୍ଜ୍ଜୁନ ଚିନ୍ତାମଗ୍ନ ହୋଇପଡ଼ିଲେ । ଏହି ସମୟରେ ଆକାଶବାଣୀ ହେଲା: ‘‘ଶ୍ରୀକୃଷ୍ଣଙ୍କର ଶରୀରକୁ ଅଗ୍ନି ଦହନ କରିବା ପାଇଁ ଅକ୍ଷମ; ସେହି ଶରୀରକୁ ସମୁଦ୍ରରେ ଭସାଇଦିଅ-।’’ ଅର୍ଜ୍ଜୁନ ଓ ଜାରା ଶ୍ରୀକୃଷ୍ଣଙ୍କର ଶରୀରକୁ ସମୁଦ୍ରରେ ଭସାଇଦେଲେ । ତାଙ୍କର ଶରୀର ଅର୍ଦ୍ଧଦଗ୍‌ଧ କାଷ୍ଠଖଣ୍ଡ ପରି ଭାସିଚାଲିଲା । ଜାରା ସେହି ଶରୀର ଅନୁସନ୍ଧାନରେ ସମୁଦ୍ର କୂଳେ କୂଳେ ବୁଲିବାକୁ ଲାଗିଲେ । କଥିତ ଅଛି; ଏହି ଶରୀର ପ୍ରଭାସକୂଳରୁ ଭାସି ଭାସି ମହୋଦଧିରେ ଆସି ଲାଗିଲା ଓ ଜାରା ଉକ୍ତ ଶରୀରକୁ ବହୁଦିନ ପର୍ଯ୍ୟନ୍ତ ପୂଜା କରିଥିଲା । ଜାରାର ବଂଶଧର ବିଶ୍ୱାବସୁ ମଧ୍ୟ ବହୁଦିନଧରି ଏହି ଶରୀରକୁ ପୂଜା କରିଥିଲେ । ଯେଉଁ ଦାରୁକୁ ଇନ୍ଦ୍ରଦୁମ୍ନ୍ୟଙ୍କ ଅନୁରୋଧରେ ସ୍ୱୟଂ ବିଶ୍ୱକର୍ମା ମୂର୍ତ୍ତିଚତୁଷ୍ଟୟରେ ପରିଣତ କରିଥିଲେ, ତାହା ସମ୍ଭବତଃ ଦାରୁବତ୍‌ ପ୍ରତୀୟମାନ ଶ୍ରୀକୃଷ୍ଣଙ୍କ ଶରୀର ।

 

ସାରଳାଦାସଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ, ଶ୍ରୀକୃଷ୍ଣଙ୍କ ମହାପ୍ରୟାଣ ପରେ ତାଙ୍କର ଶରୀରକୁ ସଂସ୍କାର କରିବା ପାଇଁ ଶବର ଓ ଆର୍ଯ୍ୟମାନଙ୍କ ମଧ୍ୟରେ କଳହ ଦେଖାଦେଇଥିଲା । ତେଣୁ ଜାରା ଶବର ଓ ଅର୍ଜ୍ଜୁନ ସେହି ଶରୀରକୁ ଗୋପନରେ ପ୍ରଭାସ କୂଳରୁ ମହୋଦଧି ପର୍ଯ୍ୟନ୍ତ ନେଇ ଆସିଥିଲେ ଓ ମହୋଦଧି ତଟରେ ସଂସ୍କାର କରିବାପାଇଁ ଚେଷ୍ଟାକଲେ । କିନ୍ତୁ ଶରୀର ଅଗ୍ନିଦଗ୍‌ଧ ନହେବାରୁ ତାହାକୁ ସମୁଦ୍ରରେ ଭସାଇଦେଇଥିଲେ । ଉକ୍ତ ଶରୀର ଦାରୁ ପରି ଭାସି ଭାସି ଚକ୍ରତୀର୍ଥରେ ଲାଗିଥାଏ । ପରମ ବୈଷ୍ଣବ ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦେଶ ପାଇ ଏହାକୁ ମୂର୍ତ୍ତିଚତୁଷ୍ଟୟରେ ପରିଣତ କରାଇ ପୂଜା କରିଥିଲେ ।

 

ଜାରା ଓ ବିଶ୍ୱାବସୁ ଶବର ସହିତ ଶ୍ରୀକୃଷ୍ଣଙ୍କର ସମ୍ପର୍କ ସୂଚନା ଦେବା ଉଚିତ୍‌ ହେବ । ଶ୍ରୀକୃଷ୍ଣ ବସୁଦେବ ବଂଶରେ ଜନ୍ମଗ୍ରହଣ କରିଥିଲେ । ଏହି ବଂଶର ପୂର୍ବନାମ ସାତ୍ୱବଂଶ । ଯଦୁବଂଶ ସାତ୍ୱବଂଶର ଏକ ଶଖାବିଷେଶ । ଜାରା ଓ ବିଶ୍ୱାବସୁ ପ୍ରଭୃତି ଶବରମାନେ ଏହି ସାତ୍ୱତବଂଶୀୟ; ତେଣୁ ସେମାନେ ଶ୍ରୀକୃଷ୍ଣଙ୍କର ସକୁଟୁମ୍ବୀ ।

 

ଆଜି ଶ୍ରୀକ୍ଷେତ୍ର ଯେଉଁ ଦୟିତାପତିମାନେ ଶ୍ରୀମୂର୍ତ୍ତିମାନଙ୍କର ପ୍ରତ୍ୟକ୍ଷ ସେବାରେ ନିଯୁକ୍ତି ଅଛନ୍ତି, ସେମାନେ ବିଶ୍ୱାବସୁ ଶବରର ବଂଶଧର । ମହାପ୍ରଣାୟ ପରେ ଶ୍ରୀକୃଷ୍ଣ ଜଗନ୍ନାଥ ରୂପେ ପୂଜା ପାଉଛନ୍ତି ବୋଲି ଯେଉଁ ଧାରଣା ଲୋକମାନଙ୍କ ମଧ୍ୟରେ ପ୍ରଚଳିତ; ତଦନୁଯାୟୀ ଦୟିତାପତିମାନେ ଜଗନ୍ନାଥଙ୍କ ବଂଶଧର । ନବକଳେବରର ସମସ୍ତ ଅନୁଷ୍ଠାନ ଏମାନେ ହିଁ ସମ୍ପାଦନ କରନ୍ତି ଏବଂ ଘଟପରିବର୍ତ୍ତନ ପରେ ଶ୍ରୀବିଗ୍ରହମାନଙ୍କର ପୁରାତନ କଳେବରକୁ କୋଇଲିବୈକୁଣ୍ଠରେ ସଂସ୍କାର କରି ଏମାନେ ଅଶୌଚ ପାଳନ କରନ୍ତି ଓ ଶୁଦ୍ଧିକ୍ରିୟା କରନ୍ତି । ଆଷାଢ଼ ଅଧିମାସର ସେହି କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଓ ନିଶାର୍ଦ୍ଧରେ ଘଟ ପରିବର୍ତ୍ତନ କରାଯାଏ ।

 

କି ପବିତ୍ର ପରମ୍ପରା ! ଆରବ୍ୟ ସାଗରକୂଳସ୍ଥ ପ୍ରଭାସକ୍ଷେତ୍ରରୁ ମହୋଦଧି ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କର ଯେଉଁ ବିଶ୍ରୁତ କାହାଣୀ ପରମ୍ପରାରେ ରହିଆସିଅଛି, ତା’ର ପ୍ରାମାଣିକତା ଦର୍ଶାଇବା ଦୁରୂହ ହେଲେହେଁ, ଅବିଶ୍ୱାସ କରିହୁଏ ନାହିଁ । ଆଜି ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରକୁ ପଣ୍ଡିତ ମାନେ ଦ୍ୱିତୀୟ ଦ୍ୱାରକା ବୋଲି କହିଥାନ୍ତି ।

Image

 

ଆଚାରପ୍ରଭବୋ ଧର୍ମଃ

 

‘ଧର୍ମ ଆଚାରସମ୍ଭୂତ ଏବଂ ଏହାର ରକ୍ଷକ ସ୍ୱୟଂ ପରମେଶ୍ୱର’-ଏହି ମହତ୍ତମ ବାଣୀ ଯେତେବେଳେ ବ୍ୟାସଦେବ ପ୍ରଚାର କରିଥିବେ, ସମ୍ଭବତଃ ଧର୍ମର ସଂଜ୍ଞା ସେତେବେଳେ ବିସମ୍ବାଦିତ ହୋଇ ନଥିବ । ଆଜି ଧର୍ମ ଏକ ଅପପ୍ରଚଳିତ କ୍ରାନ୍ତିହୀନ ଶବ୍ଦ ହେବାକୁ ବସିଲାଣି । ବିଶେଷକରି ମଧ୍ୟଯୁଗରେ ବିଭିନ୍ନ ସମ୍ପ୍ରଦାୟ ଧର୍ମନାମରେ ଅଭିଜ୍ଞାତ ହେଲାରୁ ଧର୍ମର ସ୍ୱରୂପରେ ବିଭାଜନ ଦେଖାଦେଇଛି ଏବଂ ତଥାକଥିତ ଧର୍ମ ସଂଜ୍ଞାକୁ କେନ୍ଦ୍ର କରି ବହୁ ସଂଘର୍ଷ ଓ ରକ୍ତପାତ ଘଟିଯାଇଛି । ଆଜି ମଧ୍ୟ ସାମ୍ପ୍ରଦାୟିକ ବିଭାଜନର ଶରବ୍ୟ ହୋଇ ଭାରତବର୍ଷ ବିଖଣ୍ଡିତ ହୋଇଛି ଏବଂ ସାମ୍ପ୍ରଦାୟିକ କ୍ରୂରତାର ଶିକାର ହୋଇ ବହୁ ହିନ୍ଦୁ ଅଧିବାସୀ ନିଜର ଜନ୍ମଭୂମି ତ୍ୟାଗକରି ପଳାଇଆସୁଛନ୍ତି ।

 

ଆମ ଦେଶର ସଂବିଧାନକୁ ଧର୍ମନିରପେକ୍ଷ ବୋଲି କୁହାଯାଉଛି । ବସ୍ତୁତଃ କୌଣସି ମାନବିକ ସଂବିଧାନ ଧର୍ମନିରପେକ୍ଷ ହୋଇ ନ ପାରେ; କିନ୍ତୁ ସଂପ୍ରଦାୟର ନିରପେକ୍ଷ ହୋଇପାରେ-। ଏଠାରେ ଧର୍ମ ଶବ୍ଦର ଅର୍ଥ ସଙ୍କୁଚିତ ଏବଂ ସେହି ସଂପ୍ରଦାୟ ଅର୍ଥରେ ବୁଝାଯାଉଛି-। ଧର୍ମ ଶବ୍ଦର ଅର୍ଥରେ ଯେଉଁ ଅବନମନ ଆସିଛି ତା’ର ମୂଳକାରଣ ହେଲା ଭୌଗୋଳିକ ଓ ସାଂପ୍ରଦାୟିକ ବିଭେଦ । ପ୍ରତ୍ୟେକ ସମ୍ପ୍ରଦାୟର ପରସ୍ପର ମଧ୍ୟରେ ବିଭାଜନରେଖା ସୃଷ୍ଟି କଲେ ଏବଂ ପରସ୍ପର ସଂଘର୍ଷ ଓ ତଜ୍ଜନିତ ଅସୂୟାବଶତଃ ନିଜର ସାଂପ୍ରଦାୟିକ ମତକୁ ଧର୍ମନାମରେ ପ୍ରଚାର କଲେ-। ବସ୍ତୁତଃ ଧର୍ମ ନାମରେ କଳହ ଓ ବିଦ୍ୱେଷ ଦେଖାଦେଲା ।

 

ମହର୍ଷି ବ୍ୟାସ ଯେଉଁ ଆଚାରକୁ ଧର୍ମର ଉତ୍ସ ବୋଲି କହିଛନ୍ତି, ତାହା ମାନବିକ ଆଚାର ଏବଂ ଭୌଗୋଳିକ ଓ ସାଂପ୍ରଦାୟିକ ପ୍ରବଣତାରେ ମଧ୍ୟ ଅବିଭାଜ୍ୟ ।

 

ଆଚାର ଶବ୍ଦର ନିର୍ବାଚନରେ ଦୁଇଟି ବିଭାବ ଆମେ ଦେଖିବାକୁ ପାଉ । ଏହାର ଗୋଟିଏ ଦିଗ ହେଉଛି ଋତାଶ୍ରୟୀ ଏବଂ ଅନ୍ୟଟି ବ୍ୟବହାରିକ ଚଳଣିରେ ପର୍ଯ୍ୟବସିତ । ମନୁଷ୍ୟ ସ୍ୱଭାବରେ ଯେଉଁ ସହଜାତ ଶୃଙ୍ଖଳା-ପ୍ରବୃତ୍ତି ରହିଛି, ତାହା ଋତାଶ୍ରୟୀ । ଏହାକୁ ଆମେ ବିନୟ କହିପାରୁ । ଯେଉଁ ନିୟମନରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହନକ୍ଷତ୍ର ନିଜ ନିଜ କକ୍ଷରେ ଘୂର୍ଣ୍ଣାୟମାନ, ତାହା ହିଁ ଋତ । ଏହା ହିଁ ବିନମୟର ପରିପ୍ରକାଶ । ଅନ୍ୟଥା ସୃଷ୍ଟି ଓ ସ୍ଥିତିର ସମ୍ଭବ ହୋଇପାରନ୍ତା ନାହିଁ ।

 

ଏହା ହିଁ ଜାଗତିକ ଶୃଙ୍ଖଳା ବା ମହାକର୍ଷଣ । ସେହିପରି ଜୀବମଧ୍ୟରେ ଯେଉଁ ସ୍ନେହ, ପ୍ରୀତି, ସଦ୍‌ଭାବ, ବନ୍ଧୁତା ଓ ଅନୁରକ୍ତି ପ୍ରଭୃତି ସଦ୍‌ଗୁଣ ରହିଛି; ସତ୍ୟ, ଶାନ୍ତି, ଦୟା ଏବଂ କ୍ଷମା ପ୍ରତି ନିଷ୍ଠା ରହିଛି; ତାହାହିଁ ତା’ର ଶୃଙ୍ଖଳାଜ୍ଞାନ ବା ବିନୟରେ ପରିଚୟ ଦିଏ । ଏହା ଋତାଶ୍ରୟୀ ଆଚାର-। ବ୍ୟବହାରିକ କ୍ଷେତ୍ରରେ ଚରିତ୍ରର ଅନୁଭୂତି, ଅନୁଭୂତି, ଅନୁଭୂତି-ଜନିତ କ୍ରିୟାପ୍ରକ୍ରିୟା ଏବଂ ସାମାଜିକ ନିୟମନ ଓ ଚଳଣି ହେଉଛି ବ୍ୟାବହାରିକ ଆଚାର । ଏହି ବ୍ୟାବହାରିକ ଆଚାର ଋତ ବା ବିନୟର ଯେତେ ନିକଟତମ ହୁଏ, ଜୀବ ସେହି ପରିମାଣରେ ଉନ୍ନତ ଓ ସ୍ଥିତଧୀ ହୋଇଥାଏ-। ଏହା ହିଁ ମାନବିକ ଧର୍ମ ଏବଂ ସେଥିପାଇଁ ଧର୍ମକୁ ଆଚାରସମ୍ଭୁତ ବୋଲି କୁହାଯାଇଛି-। ଆଚାରର ଅତିକ୍ରମଣରେ ପରସ୍ପର ମଧ୍ୟରେ ସଂଘର୍ଷ ଦେଖାଦିଏ ।

 

ଆମର ଆଚାର କିପରି ହେବା ଉଚିତ; ଅର୍ଥାତ୍‌ ଧର୍ମର ଅବିଭାଜ୍ୟ ସ୍ୱରୂପ କ’ଣ, ଏ ସମ୍ପର୍କରେ ଭାରତୀୟ ସଂସ୍କୃତି ସମଗ୍ର ଜଗତକୁ ବହୁ ଶିକ୍ଷା ଦେଇଛି । ଆମ ଦେଶର ପ୍ରାଚୀନ ମହର୍ଷିମାନେ ଉପଦେଶର ତର୍ଜମା ମାଧ୍ୟମରେ ନୁହେଁ; ଅନୁଭୂତିର ସ୍ନିଗ୍‌ଧ ପ୍ରକାଶରେ ସମଗ୍ର ବିଶ୍ୱକୁ ଶୁଣାଇ ଦେଇ ଯାଇଛନ୍ତି–

 

‘‘ଶୃଣ୍ୱନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ...’’

 

‘‘ହେ ଅମୃତର ସନ୍ତାନ, ଶୁଣିଯାଆନ୍ତୁ, ପ୍ରଣିହିତ ଚିତ୍ତରେ ମୁଁ ଆପଣମାନଙ୍କର ସତ୍ୟ ସ୍ୱରୂପରେ ସମାହିତ; ସେହି ଉଜ୍ଜ୍ୱଳ ସତ୍ୟାଲୋକରେ ଉଦ୍‌ଭାସିତ ଓ ସଂକ୍ରାନ୍ତ ହୋଇଥିବା ମୋର ସ୍ଥିତି ବିସ୍ତାର ଲାଭକରୁ । ଆମେ ଯେତେ ଅମୃତପାୟୀ ମନରୁ ସନ୍ତାନ ସମସ୍ତେ ସେହି ଦିବ୍ୟଧାମର ଅଧିକାରୀ ହେବା ।’’

 

ଆଜିକୁ ପ୍ରାୟ ପାଞ୍ଚହଜାର ବର୍ଷ ତଳର କଥା । ଏହି ମାଟିରେ ଆମର ପୂର୍ବପୁରୁଷମାନେ ମନୁଷ୍ୟକୁ ଅମୃତସନ୍ତାନ କରିବାପାଇଁ ଉତ୍ତାନପାଦ ହୋଇଥିଲେ; ଯେଉଁମାନଙ୍କର ଅଭୀପ୍‌ସା ଓ ସଂକଳ୍ପରୁ ସତ୍ୟର ଧ୍ରୁବରୂପ ପ୍ରକାଶ ପାଇଲା ଏବଂ ବିଶ୍ୱରୁ ମିଥ୍ୟା ଓ ଜଡ଼ତା ଦୂରୀଭୂତ ହେଲା; ଆମେ ଆଜି ସେମାନଙ୍କର ସେହି ଉଦାତ୍ତବାଣୀକୁ କ’ଣ ଭୁଲିଯିବା ?

 

ନା, ଆମକୁ ସେହି ଅମୃତଧାମରେ ପହଞ୍ଚିବାକୁ ହେବ । କିନ୍ତୁ ତା’ ପୂର୍ବରୁ ମୃତ୍ୟୁର ଦୁରୂହ ପଥକୁ ଅତିକ୍ରମ କରିବାକୁ ହେବ । ଏହି ମୃତ୍ୟୁର ପଥ ଦୁଃଖର ଅନୁଭୂତିରେ ଅଶ୍ରୁସିକ୍ତ । ବଞ୍ଚିବାକୁ ହେବ, ବାସଗୃହ, ଖାଦ୍ୟ ଓ ପାନୀୟ ଆବଶ୍ୟକ । ଲଜ୍ଜା ନିବାରଣପାଇଁ ବସ୍ତ୍ର ଆବଶ୍ୟକ । ଏହା ଆମର ସର୍ବନିମ୍ନ ଆବଶ୍ୟକତା । ଏଥିପାଇଁ ବ୍ୟକ୍ତି ଓ ସମାଜକୁ କର୍ମାଭିମୁଖୀ ହେବାକୁ ହେବ-। କର୍ମଯୋଗରେ ହିଁ ଏହା ସୁଲଭ୍ୟ । ସେଥିପାଇଁ ବ୍ୟାବହାରିକ ଶିକ୍ଷା, କର୍ମକୁଶଳତା, ଶ୍ରମ ବିଭାଜନ ଓ ଯୋଜନାବଦ୍ଧ ଅର୍ଥନୀତି ଦରକାର । ଏହି ପରିପ୍ରେକ୍ଷୀରେ ଆମର ଜାତୀୟଶିକ୍ଷା ଅନୁପ୍ରେରଣା ଦେବ । ଏତିକି ଯଥେଷ୍ଟ ନୁହେଁ; ଆମକୁ ଚିନ୍ତାରାଜ୍ୟରେ ଅଧିକ କ୍ଷିପ୍ର ହେବାକୁ ହେବ-। କେବଳ ଜୀବନଧାରଣର ସମସ୍ୟା ସମାଧାନ କଲେ ଆମେ ଅମୃତତ୍ୱରେ ଉପନୀତ ହେବା ନାହିଁ–ବସ୍ତୁ-ବିଜ୍ଞାନ ଆମକୁ ସ୍ୱାଚ୍ଛନ୍ଦ୍ୟ ଦେବ; ତା ସହିତ ଆତ୍ମଚିନ୍ତନ ଆମକୁ ପରମ ଶାନ୍ତି ଦେବ-। ଏହି ଦୁଇ ବିଦ୍ୟାର ସମନ୍ୱୟରେ ଆମେ ମୃତ୍ୟୁକୁ ଅତିକ୍ରମ କରି ଅମୃତର ସ୍ୱାଦ ଲାଭ କରିବା-। ଏଥିପାଇଁ ଆମର ପୂର୍ବ ମହାପୁରୁଷମାନେ କହିଛନ୍ତି–

 

‘‘ଅବିଦ୍ୟୟା ମୃତ୍ୟୁଂ ତୀର୍ତ୍ତ୍ୱ । ବିଦ୍ୟୟାଽମୃତମଶ୍ନୁତେ’’

 

X X X

 

‘‘ଆଜ୍ଞା ମୁଁ ଅଥର୍ବ, ନିଶ୍ଚେଷ୍ଟ ଓ ଭ୍ରାନ୍ତ । ସେଠାକୁ ଯିବି । ଦୟାକରି କୁହନ୍ତୁ କେଉଁ ବାଟରେ ଯିବି ?’’ ଚକ୍ଷୁ ତା’ର ଅଶ୍ରୁସିକ୍ତ; ମୁଖ ଘର୍ମାକ୍ତ ଓ ମିଳନ । ହୃଦୟ ଦ୍ୱିଧାଗ୍ରସ୍ତ । ପଛରେ ସଂଧ୍ୟାର ଧୂସର କୁହେଳିକା; ସମ୍ମୁଖରେ ଧ୍ୱାନ୍ତ ତମିସ୍ରା । ହାୟ, ଲକ୍ଷ୍ୟହୀନ ଏ ପଥିକ । କେତେବାଟ, ଯେ ଯିବ; କେଉଁଠିକି ବା ଯିବ ?

 

ହଁ ବାଟ ଅଛି; ତାହା ହିଁ ଏକମାତ୍ର ବାଟ । ସେଠାରେ ପହଞ୍ଚିବାପାଇଁ ଅନ୍ୟ କୌଣସି ବାଟ ନାହିଁ–ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ । ତାହା ହେଉଛି :

 

‘‘ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟସିନ୍ଧନମ୍‌ ।’’

 

ତ୍ୟାଗରେ ହିଁ ଭୋଗକର । ଯେଉଁମାନେ ତ୍ୟାଗ କରିବାକୁ ଅନିଚ୍ଛୁକ, ସେମାନେ ଭୋଗ କରିବାକୁ ଅନୁପଯୁକ୍ତ । ଅନ୍ୟର ଉନ୍ନତିରେ କାତର ହୁଅନାହିଁ; ତୁମେ ଚେଷ୍ଟାକର, ଉନ୍ନତି ହେବ । ଆଜିର ସମାଧାନ, କର୍ମ; କେବଳ ହିଁ କର୍ମଯୋଗ–‘‘କର୍ମଣ୍ୟେବାଧିକାରଃ ।’’

Image

 

Unknown

ଜଗନ୍ନାଥ : ଏକ ସମନ୍ୱୟ

 

ପୁରୁଷୋତ୍ତମ କ୍ଷେତ୍ରର ଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ରକରି ଧାର୍ମିକ ଓ ସାମାଜିକ ସମନ୍ୱୟର ଯେଉଁ ରୂପକଳ୍ପଟି ଗଢ଼ିଉଠିଛି, ତାହା ଦିନେ ନା ଦିନେ ସମଗ୍ର ବିଶ୍ୱକୁ ଆକୃଷ୍ଟ ଓ ଆବିଷ୍ଟ କରିବ । ବୈଦିକଯୁଗରେ ଦ୍ୱାଦଶ ଆଦିତ୍ୟ, ଏକାଦଶ ରୁଦ୍ର, ଅଷ୍ଟବସୁ ଓ ଦ୍ୟାବାପୃଥିବୀ–ଏହିପରି ତେତିଶଗୋଟି ଦେବତାଙ୍କର କଳ୍ପିତ ରୂପ ଓ ବର୍ଣ୍ଣନା ଋଗ୍‌ବେଦରେ ସ୍ଥାନ ପାଇଛି । ଏତଦ୍‌ବ୍ୟତୀତ ବିଶ୍ୱେଦେବା ପର୍ଯ୍ୟାୟରେ ବହୁ ଅଧିଦେବତା ସ୍ଥାନ ପାଇଛନ୍ତି । କାଳକ୍ରମେ ପୂଜା ଉପାସନାରେ ପ୍ରତ୍ୟେକ ଦେବତାଙ୍କୁ କେନ୍ଦ୍ରକରି ସ୍ୱତନ୍ତ୍ର ଗୋଷ୍ଠୀ ଯେତେବେଳେ ଦେଖାଦେଲେ, ସେମାନଙ୍କୁ ଏକୀଭୂତ ସମାହାରରେ ବ୍ୟକ୍ତକରି ବୈଦିକ ସୂକ୍ତି ପ୍ରକାଶ ପାଇଲା ।

 

–‘‘ଏକଂ ସଦ୍‌ ବିପ୍ରା ବହୁଧା ବଦନ୍ତି’’ ଅର୍ଥାତ୍‌ ଏକ ପରମାତ୍ମା ବହୁ ରୂପରେ ପ୍ରକଟିତ ଓ ପ୍ରକାଶିତ ହୋଇଥାନ୍ତି । ଏହି ସମନ୍ୱୟର ବାର୍ତ୍ତା ଆମ ଦେଶରେ ବହୁପୂର୍ବରୁ ପ୍ରଚଳିତ । ଭାରତବର୍ଷ ସମଗ୍ର ପୃଥିବୀର ଏକ ସଂସ୍କରଣ । ପୃଥିବୀର ବିଭିନ୍ନ ଦେଶରେ ଯେଉଁ ଧର୍ମ, ଆଚାର ଓ ସାମାଜିକ ବ୍ୟବସ୍ଥା ପୃଥକ୍‌ ଭାବେ ରହିଅଛି; ସେ ସମସ୍ତ ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ଏହି ଦେଶରେ ଦେଖାଯାଏ । ଅନ୍ୟ ପକ୍ଷରେ ଆଚାର ଓ ଚଳଣି କ୍ଷେତ୍ରରେ ଏହି ଦେଶ ନୂତନ ଆଲୋକ ଦେଇ ଆସିଛି ।

 

ମନୁଷ୍ୟଚରିତ୍ର ଶିକ୍ଷାଦେବା ସମ୍ପର୍କରେ ଭାରତବର୍ଷ ହିଁ ଆଦର୍ଶନୀୟ । ପୃଥିବୀର ଲୋକମାନେ ଏହି ଦେଶସମ୍ଭୁତ ଅଗ୍ରଜନ୍ମା ବ୍ରାହ୍ମଣମାନଙ୍କଠାରୁ ନିଜ ନିଜର ଚରିତ୍ର ଶିକ୍ଷା କରିବେ ବୋଲି ମହାତ୍ମା ମନୁ ବିନୀତ ଅଥଚ ଅବିତଥ ଭାବରେ କହିଛନ୍ତି :

 

‘‘ଏତଦଦେଶ ପ୍ରସୂତସ୍ୟ ସକାଶାଦଗ୍ରଜନ୍ମନଃ

ସ୍ୱଂ ସ୍ୱଂ ଚରିତ୍ରଂ ଶିକ୍ଷେରନ୍‌ ପୃଥିବ୍ୟାଂ ସର୍ବମାନବାଃ ।’’

 

(ମନୁ ସ୍ମୃତି)

 

ଏହି ଦେଶର ବିଶେଷତ୍ୱ ହେଉଛି, ସବୁ ବର୍ଣ୍ଣ, ରୁଚି, ଚଳଣି ଓ ସ୍ୱଭାବଯୁକ୍ତ ମନୁଷ୍ୟମାନେ ଏହିଠାରେ ହିଁ ଦେଖାଯାନ୍ତି । ଏ ଦେଶର ଭୌଗୋଳିକ ସ୍ଥିତି ମଧ୍ୟ ବିଚିତ୍ର । ଉତ୍ତରରେ ଉତ୍ତୁଙ୍ଗ ହିମାଳୟ; ଦକ୍ଷିଣ, ପୂର୍ବ ଓ ପଶ୍ଚିମରେ ଅନନ୍ତ ସାଗର; ମଧ୍ୟଭାଗରେ ସମୁଚ୍ଚ ବିନ୍ଧ୍ୟପର୍ବତ; ଶତ ସହସ୍ର ନଦନଦୀ, ବନ ପର୍ବତ—ସମସ୍ତ ପ୍ରକୃତି ଭାରତବର୍ଷକୁ ଚମତ୍କାର କରି ଗଢ଼ିଛନ୍ତି । ସେହିପରି ଭାରତୀୟମାନେ ସାଧାରଣତଃ ଶ୍ୟାମଳବର୍ଣ୍ଣ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ବର୍ଣ୍ଣବୈଚିତ୍ର୍ୟ ରହିଛି । ଆଚାର, ଚଳଣି ଓ ରୁଚିଭେଦରେ ମଧ୍ୟ ତାରତମ୍ୟ ରହିଛି । ରବୀନ୍ଦ୍ରନାଥଙ୍କ ଭାଷାରେ, ‘‘ମହାମାନବେର ସାଗରତୀରେ’’–ଏଠାରେ ଜାତିଭେଦ ରହିଛି, ପୁଣି ନାହିଁ; ବିଗ୍ରହପୂଜା ରହିଛି, ଅନ୍ୟ ପକ୍ଷରେ ନାହିଁ; ତେଣୁ ଆପାତ-ବିରୋଧ-ଭାସ ମାନବ-ସଂସ୍କୃତିକୁ ରକ୍ଷା କରିଚାଲିଛି । ଅନ୍ୟ ଦେଶରେ ବିଭିନ୍ନ ମତବାଦ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ । ଭାରତବର୍ଷରେ ସଂଘର୍ଷ ଯେ ନ ହୁଏ, ତାହା ନୁହେଁ; କିନ୍ତୁ ସଂଘର୍ଷ ମଧ୍ୟରେ ସମନ୍ୱୟ ହିଁ ଆସିଥାଏ । ଏହି ଯେଉଁ ସମନ୍ୱୟର ସ୍ରୋତ ପାଗ୍‌ବୈଦିକ ସମୟରୁ ବହିଆସୁଛି; ତାହାର ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟ ଜଗନ୍ନାଥ-ସଂସ୍କୃତିରେ ଦେଖିବାକୁ ମିଳେ ।

 

କଥିତ ଅଛି, ଏହି ପୁରୁଷୋତ୍ତମ କ୍ଷେତ୍ରରେ ବିଶ୍ୱାବସୁ ଶବର ନୀଳମାଧବ ମୂର୍ତ୍ତିଙ୍କୁ ପୂଜା କରୁଥିଲେ । ନୀଳମାଧବ ମୂର୍ତ୍ତି ଅନ୍ତର୍ହିତ ହେଲା ପରେ ଦାରୁବ୍ରହ୍ମ ମୂର୍ତ୍ତି ଏବେ ପୂଜା ପାଉଛନ୍ତି । ପଦ୍ମରାଗମଣି-ନିର୍ମିତ ସେହି ନୀଳମାଧମ ମୂର୍ତ୍ତି ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ । ନୀଳଶୈଳର ସେହି ସୁଗୁପ୍ତ କନ୍ଦରରେ ବହୁ କାଳ ପୂଜା ପାଇଲା ପରେ, ମାଳବରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ପୁରୋହିତ ବିଦ୍ୟାପତି ତାଙ୍କୁ ଦର୍ଶନ କରିଥିଲେ । କିନ୍ତୁ ଆର୍ଯ୍ୟ ରାଜା ଇନ୍ଦ୍ରଦ୍ୟୁମ୍ନ ଏଠାରେ ଆସି ପହଞ୍ଚିବା ପୂର୍ବରୁ ସେହି ସୁରମ୍ୟ ଚତୁର୍ଭୁଜ ମୂର୍ତ୍ତି ଅନ୍ତର୍ହିତ ହୋଇସାରିଥିଲେ ।

 

ତେଣୁ ଜଗନ୍ନାଥ-ଐତିହ୍ୟରେ ସେ ଶବରପୂଜିତ ନାରାୟଣ । ଦାରୁମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦିଷ୍ଟ ହୋଇଥିଲେ ଏବଂ ସେହି ଶଙ୍ଖ-ଚକ୍ର-ଶୋଭିତ ଦାରୁ ମହୋଦଧିରେ ଭାସୁଥିଲା । ଇନ୍ଦ୍ରଦ୍ୟୁମ୍ନ ସେହି ଦାରୁକୁ ଆଣି ନ ପାରିବାରୁ, ଶବରମାନେ ତାଙ୍କୁ ସାହାଯ୍ୟ କରିଥିଲେ-। ପୁରୀ ମନ୍ଦିରରେ ଯେଉଁ ରୀତି, ନୀତି ପ୍ରଚଳିତ; ସେଥିରେ ଶବରପ୍ରଭାବ ସୁସ୍ପଷ୍ଟ । ନବକଳେବର ସମୟରେ ଦଇତାପତିମାନେ ସେହି କାର୍ଯ୍ୟ ସମ୍ପନ୍ନ କରନ୍ତି । ଏପରିକି ସେମାନେ ସ୍ୱୟଂ ଜଗନ୍ନାଥଙ୍କର ସ୍ୱକୁଟୁମ୍ବପରି ନବକଳେବର ପରେ ଅଶୌଚ ପାଳନ କରନ୍ତି । ଅନବସର (ଅଣସର) ପୂଜାବେଳେ ଏହି ଦଇତାମାନେ ଶ୍ରୀମୂର୍ତ୍ତିମାନଙ୍କୁ ଶବର-ବିଧିରେ ଉପାସନା କରନ୍ତି-। ଦାରୁ ବୃକ୍ଷକୁ ଛେଦନ କରିବା ପୂର୍ବରୁ ସେହି ସ୍ଥାନରେ ଶବରପଲ୍ଲୀ ନିର୍ମାଣ କରାଯାଏ । ରଥଯାତ୍ରା ସମୟରେ ଏହି ଦଇତାମାନେ ଶ୍ରୀମୂର୍ତ୍ତିଙ୍କୁ ଯେଉଁ ବେଶ କରିଥାନ୍ତି ସେଥିରେ ମଧ୍ୟ ଶବରବିଧି ସ୍ପଷ୍ଟ-। ବିଶେଷକରି ସ୍ନାନପୂର୍ଣ୍ଣିମା ଦିନ ଆବଦ୍ଧ କୂପ-ଜଳରେ ଜଗନ୍ନାଥଙ୍କୁ ସ୍ନାନ କରାଯାଏ । ଗିରିବାସୀ ଶବରମାନେ ଆବଦ୍ଧ ଜଳକୁ ବିଶେଷ ପବିତ୍ର ବୋଲି ମନେକରନ୍ତି । ନିଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ଜଳ ଉପରେ ସୂର୍ଯ୍ୟକିରଣ ପଡ଼ୁ ନ ଥିବ କିମ୍ବା କୌଣସି ଜୀବଜନ୍ତୁ ଯାହାକୁ ସ୍ପର୍ଶ କରି ନ ଥିବେ, ସେହି ଜଳ ହିଁ ସେମାନଙ୍କ ମତରେ ପବିତ୍ରତମ । ତେଣୁ ଆବଦ୍ଧ ସୁନା କୂଅରୁ ପାଣି ଆଣି ସ୍ନାନପୂର୍ଣ୍ଣିମାରେ ଅଭିଷେକ କରିବାର ବିଧି ପ୍ରଚଳିତ । ବିଦ୍ୟାପତିଙ୍କର ଶବରୀ ସ୍ତ୍ରୀ ଲଳିତାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନେ ସୁଆରରୂପେ ପରିଚିତ ହୋଇ ଅଦ୍ୟାପି ରନ୍ଧନକାର୍ଯ୍ୟରେ ନିଯୁକ୍ତ ରହିଛନ୍ତି । ତେଣୁ ଜଗନ୍ନାଥଙ୍କ ପୂଜାବିଧିରେ ଆର୍ଯ୍ୟ ବ୍ରାହ୍ମଣ ବିଦ୍ୟାପତି ଓ ଶବର ବିଶ୍ୱାବସୁ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ସେହି ଦୃଷ୍ଟିରୁ ବିଚାର କଲେ ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁ ସଂସ୍କୃତିର ଉଦ୍‌ଭବ ହୋଇଛି ତାହା ଆର୍ଯ୍ୟ ଓ ଆର୍ଯ୍ୟେତରମାନଙ୍କର ସମନ୍ୱୟର ପ୍ରତୀକ ।

 

ଜଗନ୍ନାଥ କୌଣସି ଧର୍ମ-ସଂପ୍ରଦାୟବିଶେଷର ପ୍ରତୀକ ଦେବତା ନୁହନ୍ତି; ଅଧିକନ୍ତୁ ସବୁ ଧର୍ମ-ସଂପ୍ରଦାୟ ଜଗନ୍ନାଥଙ୍କୁ ସେମାନଙ୍କର ଆରାଧ୍ୟ ଦେବତାରୂପେ ଗ୍ରହଣ କରିଛନ୍ତି । ଇନ୍ଦ୍ରଦ୍ୟୁମ୍ନ ପରମ ବୈଷ୍ଣବ ଥିଲେ; ତେଣୁ ଜଗନ୍ନାଥଙ୍କ ପୂଜାରେ ବୈଷ୍ଣବପ୍ରଭାବ ଥିଲେ ମଧ୍ୟ ଶାକ୍ତ, ଗାଣପତ୍ୟ, ଶୈବ, ସୌର ଓ ତାନ୍ତ୍ରିକ ଗୋଷ୍ଠୀମାନେ ମଧ୍ୟ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତାରୂପେ ମାନିଥାନ୍ତି । ଶ୍ରୀକ୍ଷେତ୍ରର ମନ୍ଦିରବେଢ଼ା ମଧ୍ୟରେ ବିଲ୍ୱେଶ୍ୱର, ପାତାଳେଶ୍ୱର ପ୍ରଭୃତି ଶିବ ଲିଙ୍ଗ ପୂଜାପାନ୍ତି; ତାନ୍ତ୍ରିକ ଦେବୀ ବିମଳା ମଧ୍ୟ ପୂଜାପାଉଛନ୍ତି । ସେହିପରି ଗଣେଶ ଓ ଅନ୍ୟାନ୍ୟ ପାର୍ଶ୍ୱଦ ଦେବତାମାନେ ଏକାଧାରରେ ଏହି କ୍ଷେତ୍ରରେ ପୂଜା ପାଇ ଆସୁଛନ୍ତି । ପ୍ରାଚୀନ ନୃସିଂହ ପୂଜାପଦ୍ଧତି ମଧ୍ୟ ଏଠାରେ ପ୍ରଚଳିତ । କଥିତ ଅଛି, ଜଗନ୍ନାଥ-ମନ୍ଦିର ନିର୍ମିତ ହେବା ପୂର୍ବରୁ ଏଠାରେ ଆଦିନୃସିଂହ ପୂଜା ପାଇଆସୁଛନ୍ତି । ସମସ୍ତ ସମ୍ପ୍ରଦାୟ ଜଗନ୍ନାଥଙ୍କଠାରେ ଏକୀଭୂତ ହେଲାପରି ଜଣାଯାଏ । ଜଗନ୍ନାଥଙ୍କର ରଥଯାତ୍ରାରେ ସୌର ଉପାସନାର ପ୍ରଭାବ ଦେଖାଯାଏ । ସେଥିପାଇଁ ଶାସ୍ତ୍ରୀୟ ସୂକ୍ତି ଅଛି–‘‘ରଥସ୍ଥଂ ବାମନଂ ଦୃଷ୍ଟ । ପୁନର୍ଜନ୍ମ ନ ବିଦ୍ୟତେ ।’’

 

ରଥସ୍ଥ ଜଗନ୍ନାଥ ବାମନ ବା ଦ୍ୟୁତିବାମନଙ୍କ ସହିତ ସମାହିତ ହୋଇଛନ୍ତି । ଏହି ବାମନ ସୌର ଉପାସନାରେ ଆରାଧ୍ୟ ଦେବତା । ସୂର୍ଯ୍ୟଙ୍କର ଅନ୍ୟ ନାମ ମଧ୍ୟ ବାମନ ।

 

କେବଳ ସଂପ୍ରଦାୟ ନୁହନ୍ତି; ବିଭିନ୍ନ ଧର୍ମାବଲମ୍ବୀମାନେ ମଧ୍ୟ ଜଗନ୍ନାଥଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ବୌଦ୍ଧମାନଙ୍କ ମତରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବୁଦ୍ଧଙ୍କର ପ୍ରତୀକ । କେତେକ ସମାଲୋଚକ ମତ ଦେଇଥାନ୍ତି ଯେ, ବ୍ରହ୍ମରୂପରେ ଏହି ତ୍ରିମୂର୍ତ୍ତି ମଧ୍ୟରେ ବୁଦ୍ଧଦେବଙ୍କର ଦନ୍ତ ପୂଜା ପାଉଛି । କେବଳ ସେତିକି ନୁହେଁ; ଜଗନ୍ନାଥ, ବଳରାମ ଓ ସୁଭଦ୍ରା-ଏହି ତିନି ମୂର୍ତ୍ତି ବୌଦ୍ଧଧର୍ମରେ ପ୍ରଚଳିତ ଧର୍ମ, ସଂଘ ଓ ବୁଦ୍ଧଙ୍କୁ ହିଁ ବ୍ୟକ୍ତି କରୁଛି । ଏ ସମ୍ପର୍କରେ ଆକର୍ଷଣୀୟ ବିଷୟଟି ହେଉଛି; ସିଂହଦ୍ୱାରରେ ଯେଉଁ ଦଶ ଅବତାରର ଚିତ୍ର ରହିଛି, ସେଥିରେ ବୁଦ୍ଧଅବତାର ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଖୋଦିତ ହୋଇଛି । ତେଣୁ ବୌଦ୍ଧମାନେ ଜଗନ୍ନାଥଙ୍କୁ ବୁଦ୍ଧଦେବଙ୍କ ସହିତ ସମାହିତ କରିଥାନ୍ତି । ଅଧିକନ୍ତୁ, ପ୍ରାଚୀନ ଓଡ଼ିଆ ଲେଖାମାନଙ୍କରେ ‘‘ଜଗନ୍ନାଥ କଳିଯୁଗରେ ବୁଦ୍ଧରୂପା’’ ବୋଲି ଲେଖା ଅଛି ।

 

ବୌଦ୍ଧମାନଙ୍କପରି ଜୈନମାନେ ମଧ୍ୟ ଜଗନ୍ନାଥଙ୍କୁ ଆରାଧ୍ୟଦେବତା ରୂପେ ମାନିଥାନ୍ତି । ସେମାନଙ୍କ ମତରେ ‘ନାଥ ବାଚକ’ ଶବ୍ଦ ଜୈନ ପ୍ରଭାବର ସୂଚନାଦିଏ । ତେଣୁ ସେମାନେ ଆଦିତୀର୍ଥଙ୍କର ଋଷଭନାଥଙ୍କୁ ଜଗନ୍ନାଥଙ୍କଠାରେ ସମାହିତ କରିଥାନ୍ତି । ଶିଖ୍‌ ଧର୍ମାବଲମ୍ବୀମାନେ ମଧ୍ୟ ଜଗନ୍ନାଥଙ୍କ ପ୍ରତି ସଶ୍ରଦ୍ଧ ଭକ୍ତି ନିବେଦନ କରନ୍ତି । ଗୁରୁ ନାନକ ଜଗନ୍ନାଥଙ୍କର ଆରାଧନାରେ ନିଜକୁ ନିୟୋଜିତ କରିଥିଲେ । ଶାକ୍ତ ତାନ୍ତ୍ରିକମାନେ ଜଗନ୍ନାଥଙ୍କୁ ଭୌବ ଓ ବିମଳାଙ୍କୁ ଭୈରବୀ ରୂପେ ଗ୍ରହଣ କରି ପୂଜା କରନ୍ତି । ବସ୍ତୁତଃ ଜାତିବର୍ଣ୍ଣ-ନିର୍ବିଶେଷରେ ମହାପ୍ରସାଦ ସେବନ ହେଉଛି ତାନ୍ତ୍ରିକ ଶାକ୍ତମାନଙ୍କର ପ୍ରଭାବ । ସେଥିପାଇଁ ଜଗନ୍ନାଥଙ୍କୁ ଭୋଗ ଲାଗିହେଲାପରେ ପ୍ରସାହ ବିମଳାଙ୍କୁ ସମର୍ପିତ ହୋଇ ମହାପ୍ରସାଦରୂପେ ଗୃହୀତ ହୁଏ ।

 

ଦାର୍ଶନିକ ଦୃଷ୍ଟିରୁ ବିଚାର କଲେ, ଜଗନ୍ନାଥ ସଗୁଣ ଓ ନିର୍ଗୁଣ ପୂଜାର ସମାହାର । ତାଙ୍କ ମୂର୍ତ୍ତିରେ କୌଣସି ସ୍ପଷ୍ଟତା ନ ଥିବାରୁ ତାହା ସଗୁଣ ବା ନିର୍ଗୁଣ ଆରାଧନା ବୋଲି କୁହାଯାଇ ନ ପାରେ । ତେଣୁ ଯେଉଁମାନେ ବ୍ରହ୍ମବାଦୀ; ସେମାନେ ଜଗନ୍ନାଥଙ୍କୁ ନିର୍ଗୁଣ ବ୍ରହ୍ମରୂପେ ମଧ୍ୟ କଳ୍ପନା କରିଥାନ୍ତି ।

 

ଭାରତର ସବୁ ସମ୍ପ୍ରଦାୟର ସାଧକମାନେ ଏହି ପୁରୁଷୋତ୍ତମ କ୍ଷେତ୍ରକୁ ନିଜର ଧର୍ମମତର ପ୍ରଚାର ଓ ପ୍ରସାର ପାଇଁ ଆସିଛନ୍ତି । ଏହି କ୍ଷେତ୍ରରେ ସ୍ୱୀକୃତି ନ ପାଇଲାଯାଏ କୌଣସି ଧର୍ମମତ ଆଦୃତ ହୋଇନାହିଁ ।

 

ଭାରତୀୟ ଆଚାର-ପରମ୍ପରା, ଚଳଣି, ଧର୍ମଚେତନା ଓ ଦର୍ଶନମନୀଷା ମଧ୍ୟରେ ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ । ଆବ୍ରାହ୍ମଣ ଚାଣ୍ଡାଳ ସମସ୍ତେ ତାଙ୍କର ଦର୍ଶନ, ସ୍ପର୍ଶନରେ ଆତ୍ମବିସ୍ମୃତ ହୁଅନ୍ତି । ସେ ପତିତପାବନ; ତେଣୁ ଜାତିଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛନ୍ତି ।

Image

 

ସରତ୍‌ବରା ସରସ୍ୱତୀ

 

ଯେତେଦୂର ମନେହୁଏ, ବିଦ୍ୟାଦାତ୍ରୀ ସରସ୍ୱତୀଙ୍କର ଏକ କ୍ରମବିକାଶ ବିଭିନ୍ନ ପର୍ଯ୍ୟାୟରେ ଘଟିଛି । ନଦୀବୀଶେଷରୂପେ ସରସ୍ୱତୀଙ୍କୁ ଆମେ ପ୍ରାଚୀନ ବିଶ୍ୱସାହିତ୍ୟ ‘‘ଋଗ ବେଦ’’ରେ ଦେଖିବାକୁ ପାଉଁ । ‘ସରସ୍ୱତୀ’ ଶବ୍ଦର ଅଭିଧାଅର୍ଥ ହେଉଛି ଜଳପୂର୍ଣ୍ଣା । ବୈଦିକ ଆର୍ଯ୍ୟମାନେ ଯେଉଁ ଅଞ୍ଚଳରେ ପ୍ରଥମେ ବାସକରୁଥିଲେ, ତାହା ବ୍ରହ୍ମାବର୍ତ୍ତ ନାମରେ ପରିଚିତ । ଏହି ବ୍ରହ୍ମାବର୍ତ୍ତ ଅଞ୍ଚଳ ସରସ୍ୱତୀ ନଦୀ ଓ ଦୃଷଦ୍‌ବତୀ ନଦୀଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳକୁ କୁହାଯାଉଥିଲା । ପ୍ରାଚୀନ ଆର୍ଯ୍ୟଋଷିମାନେ ବୈଦିକ ସୂକ୍ତଗୁଡ଼ିକୁ ସରସ୍ୱତୀ ନଦୀକୂଳରେ ରଚନାକରି ଉଦାତ୍ତ-କଣ୍ଠରେ ଗାନକରୁଥିଲେ; ସେମାନେ ସଙ୍ଗୀତପ୍ରେମୀ ଓ ରସଜ୍ଞ ଥିଲେ । ବୈଦିକ ଆର୍ଯ୍ୟମାନେ କେତେକ ଚାରଣଶୀଳ ସମ୍ପ୍ରଦାୟରେ ବିଭକ୍ତ ହୋଇ ନିଜର ଗୋଧନ ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରଥମେ ଚାରଣଭୂମି ଅନ୍ୱେଷଣରେ ଯାତ୍ରା କରୁଥିଲେ; ‘ବେଦ’ ନାମରେ ସେମାନଙ୍କର ଏକ ଲୋକସାହିତ୍ୟ ଥିଲା ଓ ‘ଯଜ୍ଞ’ ନାମରେ ଏକ ସାମାଜିକ ତଥା ଧର୍ମଗତ ଅନୁଷ୍ଠାନ ଥିଲା । କାଳକ୍ରମେ ସେମାନଙ୍କର ଅନୁଭୂତି ଓ ଜ୍ଞାନର ସ୍ୱାକ୍ଷର ବହନ କରି ବେଦ ପ୍ରାମାଣ୍ୟ-ଗ୍ରନ୍ଥ ହେଲା ଏବଂ ବୈଦିକ-ଯଜ୍ଞ ଆର୍ଯ୍ୟସଭ୍ୟତା ସଂକ୍ରମଣର ପ୍ରତୀକ ଅନୁଷ୍ଠାନ ହେଲା । ଇତ୍ୟବସରରେ ସେମାନଙ୍କର ଚାରଣଯାତ୍ରା, ସଭ୍ୟତା ଓ ଆର୍ଯ୍ୟସଂସ୍କୃତିର ଯାତ୍ରା ହୋଇଛି ।

 

ସମୟକ୍ରମେ ବୈଦିକ ଆର୍ଯ୍ୟମାନେ ବ୍ରହ୍ମାବର୍ତ୍ତ ଅଞ୍ଚଳରୁ ବହୁଦୂରକୁ ଯାତ୍ରା କରିଛନ୍ତି; କିନ୍ତୁ ସ୍ୱଚ୍ଛନୀରା ସରସ୍ୱତୀ ନଦୀର କୁଳୁକୁଳୁ ତାନ ଆର୍ଯ୍ୟଋଷିମାନଙ୍କ ମନରେ ଯେଉଁ ଆବେଗ ଓ ପ୍ରେରଣା ଆଣିଥିଲା, ତାହାକୁ ସେମାନେ ଭୁଲିପାରିନାହାନ୍ତି ।

 

ନିଜର ସଭ୍ୟତା ଓ ଜ୍ଞାନକୁ ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷ ଓ ଦେଶବିଦେଶରେ ସଂପ୍ରସାରିତ କରିବାକୁ ସେମାନେ ପବିତ୍ର କର୍ତ୍ତବ୍ୟରୂପେ ଗ୍ରହଣ କରିଥିଲେ । ସଞ୍ଚାରିଣୀ ମହତୀ ଆର୍ଯ୍ୟ-ସଭ୍ୟତାର ‘‘ଚରୈବେତି, ଚରୈବେତି, ରଚନ୍‌ବୈ ମଧୁ ବିନ୍ଦତି ।’’ ‘‘ଆଗେଇ ଚାଲ, ଆହୁରି ଆଗକୁ ଚାଲ, ଗତିଶୀଳ ବ୍ୟକ୍ତି ହିଁ ମଧୁଲାଭ କରେ’’-ଏହି ଉକ୍ତିଟି ସେତେବେଳର ପ୍ରେରଣାତ୍ମକ ଆର୍ଯ୍ୟସଭ୍ୟତାର ଧ୍ୱନି । ବସ୍ତୁତଃ ଆର୍ଯ୍ୟଋଷିଗଣ ଗହନ ବନ, କାନ୍ତାର ଭେଦ କରି ସ୍ୱକୀୟ ଜ୍ଞାନକୁ ସର୍ବତ୍ର ବିଚ୍ଛୁରିତ କରାଇଥିଲେ । ଏହି ସଭ୍ୟତାର ସଂକ୍ରମଣ ଓ ଆକ୍ରମଣରେ କେତେ ଘାତ-ପ୍ରତିଘାତ ଦେଖାଦେଇଛି । ଆର୍ଯ୍ୟେତର ଅସୁର, ରାକ୍ଷସ ଓ ଦାନବମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଛି । ଶେଷରେ ଆର୍ଯ୍ୟ ଆଚାର, ବିଚାର ଓ ଚଳଣି ଦାକ୍ଷିଣାତ୍ୟ ସମେତ ସମଗ୍ର ଭାରତ ଉପମହାଦେଶ, ସିଂହଳ, ସୁବର୍ଣ୍ଣଭୂମି, ଶ୍ୟାମଦେଶ, କମ୍ବୋଜ, ଇରାଣ, ହରିବର୍ଷ ଓ ମିଶର ପ୍ରଭୃତି ଦେଶରେ ବ୍ୟାପିଯାଇଥିଲା ।

 

ଯେଉଁମାନଙ୍କର ନିଷ୍ଠା ଓ ତ୍ୟାଗ ଏହି ମହାନ ନଦୀମାତୃକ ସୈନ୍ଧବ ସଭ୍ୟତାକୁ ବିଶ୍ୱଜନନୀ ରୂପ ଦେଇଥିଲା, ସେମାନେ କାଳକ୍ରମେ ଗୋତ୍ର ଓ ପ୍ରବର ସ୍ଥାନୀୟ ହୋଇ ହିନ୍ଦୁ ସମାଜର ପୂର୍ବାଚାର୍ଯ୍ୟରୂପେ ସ୍ୱୀକୃତ ଓ ପୂଜିତ ହେଉଛନ୍ତି । ସରସ୍ୱତୀ ନଦୀର ବହୁ ଦୂରକୁ ଯାଇ ବୈଦିକ ଆର୍ଯ୍ୟମାନେ ବସତି ସ୍ଥାପନ କରିଥିଲେ ମଧ୍ୟ ଉକ୍ତ ନଦୀକୁ ଭୁଲି ପାରିନାହାନ୍ତି । ଯେଉଁ ନଦୀକୂଳରେ ପିତୃ-ପିତାମହମାନେ ଉଦ୍‌ବୁଦ୍ଧ ହୋଇ ପ୍ରାଚୀନ ବୈଦିକ ସୂକ୍ତ ରଚନା କରିଥିଲେ, ସେହି ସରସ୍ୱତୀ ନଦୀ ସେମାନଙ୍କର ବନ୍ଦନୀୟା ହୋଇଛି । ଭାରତୀୟ ସଭ୍ୟତା ନଦୀମାତୃକା ଓ ଦେବମାତକା । ଏଠାରେ ଗଙ୍ଗା, ସିନ୍ଧୁ, ସରସ୍ୱତୀ, ଯମୁନା, ଗୋଦାବରୀ, ନର୍ମଦା, କାବେରୀ, ପ୍ରାଚୀ ଓ ଚିତ୍ରୋତ୍ପଳା ପ୍ରଭୃତି ନଦୀଗୁଡ଼ିକ ଦେବୀର ଆସନ ଲାଭ କରିଛନ୍ତି । ସେମାନଙ୍କ ମଧ୍ୟରେ ସରସ୍ୱତୀ ନଦୀ ଅଗ୍ରଗଣ୍ୟା ଓ ବିଶେଷ ପୂଜ୍ୟା । ସେହିପରି ସମୁଦ୍ର ଓ ପର୍ବତଗୁଡ଼ିକ ପୂଜା ପାଇଛନ୍ତି ଓ ଦେବଦେବୀମାନଙ୍କର ଜନକ ମଧ୍ୟ ହୋଇଛନ୍ତି । ବିଷ୍ଣୁ ମନୋରମା ଲକ୍ଷ୍ମୀ ସମୁଦ୍ରରୁ ଜନ୍ମ ନେଇଛନ୍ତି ଓ ଶୈଳାଧିରାଜତନୟା ହୈମବତୀ ଉମା ପରମେଶ୍ୱର ଶିବଙ୍କର ପତ୍ନୀ ହୋଇଛନ୍ତି ।

 

ବେଦକୁ ସକଳ ବିଦ୍ୟାର ଜନ୍ମଦାତା ରୂପେ କଳ୍ପନା କରାହୋଇଛି । ‘ବେଦ’ ଶବ୍ଦର ଅର୍ଥ ମଧ୍ୟ ଜ୍ଞାନ । ଏହି ବେଦର ପ୍ରଥମ ସ୍ଫୁରଣ ଯେଉଁ ନଦୀକୂଳରେ ସମ୍ଭବ ହୋଇଥିଲା ସେହି ନଦୀ କାଳକ୍ରମେ ବିଦ୍ୟାର ଅଧିଷ୍ଠାତ୍ରୀ ହେବା ସ୍ୱାଭାବିକ ।

 

ପୂର୍ବବର୍ଣ୍ଣିତ ବେଦ ଓ ଯଜ୍ଞ ସହିତ ଆର୍ଯ୍ୟମାନଙ୍କର ଏକ ମହତୀ ଭାଷା ଥିଲା । ତାକୁ ବାଣୀ, ବାକ୍‌, ବ୍ରାହ୍ମୀ, ଭାରତୀ ଓ ସରସ୍ୱତୀ-ଏହି ନାମରେ ଅଭିହିତ କରାହୋଇଛି । ଏହା ସରସ୍ୱତୀଙ୍କର ସମପର୍ଯ୍ୟାୟ ନାମ-ବିଶେଷରୂପେ ଅମରକୋଷରେ ଲିପିବଦ୍ଧ ହୋଇଛି । ‘‘ବ୍ରାହ୍ମୀ ତୁ ଭାରତୀ ଭାଷା ଗୀର୍ବାକ୍‌ ବାଣୀ ସରସ୍ୱତୀ’’-ଏଥିମଧ୍ୟରୁ ବେଦବର୍ଣ୍ଣିତ ବାଣୀ ଓ ବାକ୍‌ ଆଖ୍ୟାନ ଦୁଇଟି ପ୍ରଣିଧେୟ । ବୈଦିକ ସାହିତ୍ୟରୁ ଜଣାଯାଏ ଆର୍ଯ୍ୟ ଜନ-ନେତା ଇନ୍ଦ୍ର ପଣିନାମକ ଏକ ଆର୍ଯ୍ୟେତର ବଣିକ୍‌ଗୋଷ୍ଠୀର ଗୁପ୍ତଧନ ଅପହରଣ କରିବାପାଇଁ ଇଚ୍ଛା କରିଥିଲେ । ମହାବିକ୍ରମ ଶମ୍ବର ପଣିମାନଙ୍କର ନେତା ଥିଲେ । ସେ ସୈନ୍ଧବ ଅଞ୍ଚଳର ଏକ ସୁରକ୍ଷିତ ସ୍ଥାନରେ ନିଜର ଦୁର୍ଗ ଓ ପୁର ନିର୍ମାଣ କରି ବୈଦିକ ଆର୍ଯ୍ୟମାନଙ୍କର ପ୍ରତିରୋଧ କରୁଥିଲେ । ସେ ମଧ୍ୟ ଆର୍ଯ୍ୟମାନଙ୍କର ଗୋ-ଧନ ଅପହରଣ କରି ନିଜ ଦୁର୍ଗରେ ଲୁଚାଇ ରଖିଥିଲେ । ଇନ୍ଦ୍ର ପ୍ରଥମେ ବହୁଚେଷ୍ଟାକରି ସେହି ଦୁର୍ଗକୁ ଭେଦକରି ପାରି ନ ଥିଲେ କିମ୍ବା ପୁରକୁ ଧ୍ୱଂସ କରି ପାରି ନ ଥିଲେ । ଶମ୍ବର ଓ ଇନ୍ଦ୍ରଙ୍କ ମଧ୍ୟରେ ଯୁଦ୍ଧ ବୀଭତ୍ସ ଓ ଲୋମହର୍ଷଣକାରୀ ହୋଇଥିଲା । ଶେଷରେ ପଣିମାନଙ୍କର ଗୁପ୍ତଧନ ଓ ଗୋଧନର ସନ୍ଧାନ ନେବାପାଇଁ ଇନ୍ଦ୍ର ବାଣୀଙ୍କୁ ପଠାଇଲେ । ବାଣୀ ଶମ୍ବରପୁରରେ ଆତ୍ମବିସ୍ମୃତ ହୋଇ ରହିଗଲେ । ଦେବତାମାନେ ଏଥିରେ ବ୍ୟଥିତ ହୋଇ ବାଣୀଙ୍କୁ ଉଦ୍ଧାର କରିବାପାଇଁ ଓ ଗୁପ୍ତଧନର ସନ୍ଧାନ ନେବାପାଇଁ ‘ସରମା’ ନାମକ ଏକ ଶ୍ୱାନକୁ ପଠାଇଥିଲେ । ଏହି ‘ସରମା’ ନିଜର ପ୍ରତ୍ୟୁତ୍ପନ୍ନତା ବଳରେ ବାଣୀଙ୍କୁ ଉଦ୍ଧାର କରିଥିଲେ ଓ ଇନ୍ଦ୍ରଙ୍କୁ ଶମ୍ବରର ଗୁପ୍ତଧନ ଓ ଅପହୃତ ଗୋଧନ ବିଷୟରେ ସନ୍ଧାନ ଦେଇଥିଲେ । ଇନ୍ଦ୍ର ବଜ୍ର ଦ୍ୱାରା ଶମ୍ବରର ଦୁର୍ଗ ଓ ପୁରକୁ ଧ୍ୱଂସ କରି ‘ପୁରନ୍ଦର’ ହେଲେ ।

 

ବାଣୀକୁ ଉଦ୍ଧାର କରାଗଲା ସତ; କିନ୍ତୁ ତାହା ନିଜର ପୂର୍ବ ପବିତ୍ରତା ହରାଇ ପତିତ ହେଲା । ସେହି ଦିନଠାରୁ ବାଣୀ ମିଥ୍ୟାଶ୍ରୟୀ ଓ ଅନୃତା–ଏହି ନିନ୍ଦାକୁ ବହନ କଲା । ଏଠାରେ ବାଣୀର ପ୍ରୟୋଗ ଲାକ୍ଷଣିକ ପରି ମନେହୁଏ । ବୈଦିକ ଭାଷା ସମ୍ଭବତଃ ଆର୍ଯ୍ୟେତର ଶମ୍ବର ସମ୍ପ୍ରଦାୟର ସଂସର୍ଗରେ ଆସି କଥିତ ପ୍ରାକୃତ କିମ୍ବା ପୈଶାଚୀ ଭାଷାରୂପରେ ଦେଖାଦେଲା । ଭାଷାର ଏହି ରୂପକୁ ନୈଷ୍ଠିକ ଆର୍ଯ୍ୟମାନେ ପତିତ ମିଥ୍ୟାଶ୍ରୟୀ ଓ ଅନୃତା କହିଥିବା ମନେହୁଏ । ବାଣୀ ଶମ୍ବରପୁରରେ ବିସ୍ମୃତ ହେବା ଓ ସରସ୍ୱତୀ ନଦୀ ଲୋପପାଇବା, ଏ ଦୁଇଟି କଥା ପ୍ରଣିଧେୟ-। ସରସ୍ୱତୀ ନଦୀ ଉତ୍ତର କୁରୁଞ୍ଚଳର ମେରୁପୃଷ୍ଠନାମକ କୌଣସି ସ୍ଥାନରୁ ବାହାରି ବ୍ରହ୍ମାବର୍ତ୍ତ ଓ ଆର୍ଯ୍ୟାବର୍ତ୍ତରେ ପ୍ରବାହିତ ହେଉଥିଲା । କାଳକ୍ରମେ ଆର୍ଯ୍ୟାବର୍ତ୍ତର ବିନଶନ ନାମକ ସ୍ଥାନରେ ତାହା ବିଲୁପ୍ତ ହୋଇଛି । କଥିତ ଅଛି-ଗଙ୍ଗା, ଯମୁନା ଓ ସରସ୍ୱତୀ ଏହି ତିନୋଟି ପ୍ରଧାନ ନଦୀ ପ୍ରୟାଗର ତ୍ରିବେଣୀଠାରେ ମିଳିତ ହୋଇଥିଲେ । ସେଥିମଧ୍ୟରୁ ସରସ୍ୱତୀ ନଦୀ ଲୋପ ପାଇ ଯାଇଛି ।

 

ଆର୍ଯ୍ୟମାନେ ସରସ୍ୱତୀ ନଦୀର ଅନ୍ତର୍ଦ୍ଧାନରେ ଶୋକାଭିଭୂତ ହୋଇ ତାହାକୁ ସମଗ୍ର ଭାରତବର୍ଷରେ ଖୋଜିଛନ୍ତି, ପରେ ଅନ୍ୟତ-ପ୍ଳକ୍ଷ ନାମକ ଏକ ପଦ୍ମପଲାଶ-ଶୋଭିତ ସରୋବରରେ ସରସ୍ୱତୀ ନଦୀର ଆବିର୍ଭାବକୁ ଦେଖି ସେମାନେ ତାଙ୍କୁ ଦେବୀରୂପରେ ସ୍ତୁତି କରିଛନ୍ତି । ସରସ୍ୱତୀ ଉକ୍ତ ସରୋବରରେ ରାଜହଂସୀ-ମେଳରେ କ୍ରୀଡ଼ା କରି ଆର୍ଯ୍ୟମାନଙ୍କୁ ଦେବୀରୂପରେ ଦେଖାଦେଇଛନ୍ତି ଓ ତଦବଧି ଭାରତୀୟମାନେ ତାଙ୍କୁ ବନ୍ଦନା ଓ ଅର୍ଚ୍ଚନା କରି ଆସୁଛନ୍ତି ।

 

ପଣ୍ଡିତ, ବାଗ୍ମୀ, କବି ତଥା ମନ୍ତ୍ରଦ୍ରଷ୍ଟା ଋଷିମାନେ ଯେଉଁ ନଦୀକୂଳରେ ନିଜନିଜର ଚିନ୍ତା ପ୍ରକାଶ କରି ବୈଦିକ ସୂକ୍ତ ରଚନା କରିଥିଲେ, ସେହିଭଳି ଏକ ପୁଣ୍ୟତୋୟା ପବିତ୍ର ନଦୀ ପରବର୍ତ୍ତୀ ସମୟରେ ବିଦ୍ୟାର ଜନୟିତ୍ରୀ ତଥା ଅଧିଷ୍ଠାତ୍ରୀ ଦେବୀରୂପେ କଳ୍ପିତ ହୋଇ ପୂଜା ପାଇବାରେ ଯାଥାର୍ଥ୍ୟ ରହିଛି ।

 

ସରସ୍ୱତୀଙ୍କର ସମପର୍ଯ୍ୟାୟଭୁକ୍ତ ବାକ୍‌ଦେବୀଙ୍କ ଉଲ୍ଲେଖ ଋକ୍‍ ବେଦ ଓ ଅନ୍ୟାନ୍ୟ ସ୍ତୋତ୍ରରେ ଦେଖିବାକୁ ମିଳେ :

 

‘‘ବୀଣାବାଦନଦକ୍ଷଦକ୍ଷିଣକରା ମନ୍ଦସ୍ମିତୈଃସଂଯୂତା,

ହଂସାଧିଷ୍ଠିତପାଦପଦ୍ମଯୁଗଳା ବ୍ରହ୍ମାଦିଭିଃପୂଜିତା ।

ଭକ୍ତାଜ୍ଞାନବିନାଶନେଽତିଚତୁରା ବିଦ୍ୟାପ୍ରଦା ଶାରଦା,

ସା ଦେବୀ ଖଳୁ ଦକ୍ଷିଣା ବିତରତାଂ ବୁଦ୍ଧିଂ ପରାଂ ନୋ ମୁଦା ।’’

 

(ଋଗ୍‌ବେଦ ଅନ୍ତର୍ଗତ ୧୦ମ ମଣ୍ଡଳ)

 

ଦଶମ ଅଧ୍ୟାୟର ଅଷ୍ଟୋତ୍ତର-ଶତସଂଖ୍ୟକ ସୂକ୍ତରେ ବାଗ୍‌ଦେବୀ ସ୍ତୁତା ହୋଇଛନ୍ତି । ଏହି ସୂକ୍ତର ମନ୍ତ୍ରଦ୍ରଷ୍ଟା ଋଷି ହେଉଛନ୍ତି ବାଗାମ୍ଭୁଣୀ । କଥିତ ଅଛି, ଅମ୍ଭୃଶ ଋଷିଙ୍କର ‘ବାକ୍‌’ ନାମ୍ନୀ କନ୍ୟା ବ୍ରହ୍ମବାଦିନୀ ଥିଲେ । ସେ ସତ୍ୟକୁ ଉପଲବ୍‌ଧି କରି ବିଶ୍ୱର ସମସ୍ତ ବିଭାବକୁ ଆତ୍ମଜ୍ଞାନରେ ପ୍ରକାଶ କରିଥିଲେ । ସେହି ସଚ୍ଚିଦାନନ୍ଦମୟୀ ବାଗ୍‌ଦେବୀ-ରୁଦ୍ର, ବସୁ, ଆଦିତ୍ୟ, ବିଶ୍ୱଦେବ, ମିତ୍ର, ବରୁଣ, ଇନ୍ଦ୍ର, ଅଗ୍ନି ଓ ଅଶ୍ୱିନୀକୁମାର ପ୍ରଭୃତି ଦେବତାଙ୍କର ସାମଗ୍ରିକ ସ୍ୱରୂପରେ କଳ୍ପିତ ହୋଇଛନ୍ତି-

 

‘‘ଅହଂ ରୁଦ୍ରେଭିବଂସୁଭିଶ୍ଚରାମ୍ୟହମାଦିତୈ ରୁତ ବିଶ୍ୱଦେବୈଃ

ଅହଂ ମିତ୍ରାବରୁଣୋଭା ବିଭର୍ମ୍ୟ ହମିନ୍ଦ୍ରାଗ୍ନୀ ଅହମଶ୍ୱି ନୋଭା-।’’

 

–ଇତ୍ୟାଦି ।

 

ଋଗ୍‌ବେଦର ଏହି ସୂକ୍ତଟି ପ୍ରସିଦ୍ଧ ଦେବୀସୂକ୍ତରୂପେ ପରିଚିତ । ପରବର୍ତ୍ତୀ କାଳରେ ଆମ୍ଭୂଣଋଷିକନ୍ୟା ବାଗ୍‌ଦେବୀ ଓ ସରସ୍ୱତୀ ନଦୀ ଏକତ୍ର ସମାହିତ ହୋଇ ବିଦ୍ୟା ଓ ଜ୍ଞାନର ଅଧିଷ୍ଠାତ୍ରୀ ଦେବୀରୂପେ ପୂଜା ପାଉଛନ୍ତି ।

 

ସରସ୍ୱତୀ ନଦୀ ଦେବୀ ହେବାପରେ ତାଙ୍କଠାରେ ବିଷ୍ଣୁଙ୍କର ପତ୍ନୀତ୍ୱ ଆରୋପ କରାହୋଇଛି । ବିଷ୍ଣୁଙ୍କର ପ୍ରଭାବ ଉତ୍ତର କୁରୁ, ମେରୁପୃଷ୍ଠ ଅଞ୍ଚଳ ବ୍ରହ୍ମାବର୍ତ୍ତ ଓ ଆର୍ଯ୍ୟାବର୍ତ୍ତରୁ ସଂପ୍ରସାରିତ ହୋଇ ଭାରତର ପୂର୍ବାଞ୍ଚଳ, ଦାକ୍ଷିଣାତ୍ୟ ଓ ପୂର୍ବଭାରତୀୟ ଦ୍ୱୀପଗୁଡ଼ିକରେ ଅନୁଭୂତ ହେଲାଣି । ଲାକ୍ଷଣିକ ଦୃଷ୍ଟିରେ ବିଷ୍ଣୁ ସ୍ୱର୍ଗ, ଅନ୍ତରୀକ୍ଷ ଓ ମର୍ତ୍ତ୍ୟକୁ ଅତିକ୍ରମ କରି ତ୍ରିବିକ୍ରମ ଓ ଉରୁକ୍ରମ ହେଲେଣି । ଇନ୍ଦ୍ରଙ୍କ ପ୍ରଭାବରେ ପ୍ରାଗ୍‌ବୈଦିକ ମିତ୍ର ଓ ବରୁଣ ଦେବତା ମ୍ଳାନହେଲାପରି ଆଜି ବିଷ୍ଣୁଙ୍କ ପ୍ରଭାବରେ ଇନ୍ଦ୍ର ନିଷ୍ପ୍ରଭ ହୋଇଗଲେ । ବିଷ୍ଣୁ ଇନ୍ଦ୍ର ନିୟନ୍ତ୍ରିତ ବୈଦିକ ସଭ୍ୟତାକୁ ବହୁଭାବରେ ସଂପ୍ରସାରିତ କରାଇ ଉପେନ୍ଦ୍ର ହେଲେ । ଏହି ବିଷ୍ଣୁ ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଅନନ୍ତ ଜ୍ଞାନର ପ୍ରତୀକ; ତେଣୁ ତାଙ୍କର ଶକ୍ତିସ୍ୱରୂପା ପତ୍ନୀଭାବରେ ଐଶ୍ୱର୍ଯ୍ୟପ୍ରଦାୟିନୀ ଲକ୍ଷ୍ମୀ ଓ ଜ୍ଞାନଦାତ୍ରୀ ସରସ୍ୱତୀ କଳ୍ପିତ ହେବା ସ୍ୱାଭାବିକ ।

 

ସରସ୍ୱତୀଙ୍କୁ ମାହେଶ୍ୱରୀ ରୂପରେ ମଧ୍ୟ ପୂଜା କରାଯାଏ । ଭାରତୀୟ ପରମ୍ପରାରେ ମହେଶ୍ୱର ସର୍ବଜ୍ଞାନର ଆଦି ଉତ୍ସ । ଏହି ଦୃଷ୍ଟିରୁ ଜ୍ଞାନ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କୁ ମହେଶ୍ୱରଙ୍କର ଶକ୍ତିରୂପେ ଗ୍ରହଣ କରିବା ସ୍ୱାଭାବିକ ଓ ସହଜ ପରିଣତି ପରି ମନେହୁଏ । ମହେଶ୍ୱରଙ୍କୁ ପୂଜା କରିବାରେ ଏକ ସୁପ୍ରାଚୀନ ସଂହତି ରହିଛି । ବୈଦିକ ଆର୍ଯ୍ୟମାନଙ୍କ ପୂର୍ବରୁ ମହେଶ୍ୱର ପଶୁପତି ଓ ଶିବ ରୂପରେ ପୂଜା ପାଉଥିଲେ । ବୈଦିକ ଆର୍ଯ୍ୟମାନେ ରୁଦ୍ରଙ୍କୁ ପୂଜା କରୁଥିଲେ । କାଳକ୍ରମେ ପଶୁପତି ଶିବ ଓ ରୁଦ୍ର ଏକପର୍ଯ୍ୟାୟଭୁକ୍ତ ହୋଇ ମହେଶ୍ୱର ତଥା ଶିବରୂପରେ ପୂଜା ପାଇଲେ । ସେ ମହାଯୋଗେଶ୍ୱର ଓ ଅନନ୍ତ ଜ୍ଞାନର ସ୍ରଷ୍ଟା । ତେଣୁ ଜ୍ଞାନେଶ୍ୱରୀ ସରସ୍ୱତୀଙ୍କୁ ମହେଶ୍ୱରଙ୍କ ଶକ୍ତି ମାହେଶ୍ୱରୀରୂପେ କଳ୍ପନା କରାହୋଇଛି ।

 

ବ୍ରହ୍ମାଙ୍କର ଶକ୍ତିରୂପିଣୀ ବ୍ରହ୍ମାଣୀରୂପରେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରାଯାଏ । ବ୍ରହ୍ମା ପଦ୍ମଯୋନି ଓ ହଂସବାହନରୂପେ ବର୍ଣ୍ଣିତ ହୋଇଥାନ୍ତି । ସରସ୍ୱତୀ ଶ୍ୱେତପଦ୍ମାସୀନା ଓ ତାଙ୍କର ବାହନ ମଧ୍ୟ ହଂସ । ‘ହଂସ’ ଶବ୍ଦ ନିର୍ମଳ ଜ୍ଞାନ, ଆତ୍ମା ଓ ପ୍ରାଣ-ଶକ୍ତିକୁ ବୁଝାଏ । ପୁଷ୍କରିଣୀରେ ହଂସ କ୍ରୀଡ଼ା କଲାପରି ପ୍ରାଣଶକ୍ତି ବା ପବନ ସ୍ଥୂଳ ଶରୀରରେ ସଞ୍ଚରଣ କରୁଥାଏ । ‘ପଦ୍ମ’ ଭାରତୀୟ ରୁଚିବୋଧ, ଶୁଚିତା, ସୌନ୍ଦର୍ଯ୍ୟ ଓ ସୁକୁମାରତାର ସଙ୍କେତ । ବହୁ ପ୍ରାଚୀନ କାଳରୁ ରସଜ୍ଞ ଭାରତୀୟମାନେ ପଦ୍ମକୁ ସାଂସ୍କୃତିକ ସଙ୍କେତରୂପେ ଗ୍ରହଣ କରି ଆସିଛନ୍ତି । ସରସ୍ୱତୀଙ୍କର ‘ପଦ୍ମାସନ’ ଓ ‘ହଂସବାହନ’ ଯଥାର୍ଥରେ ଏକ ସାଙ୍କେତିକ ସୃଷ୍ଟି । ବିଶେଷକରି ‘ହଂସବାହନ’ ଓ ‘ପଦ୍ମାସନ’ ନଦୀସଭ୍ୟତାର ଦ୍ୟୋତକ ।

 

ସରସ୍ୱତୀ ଶୁଭମୟୀ ଓ ତୁଷାରହାରଧବଳା । ତାଙ୍କର ରୂପବର୍ଣ୍ଣନାରେ ଶୁଭତା ବିଶେଷ ଉଲ୍ଲେଖଯୋଗ୍ୟ । ଜ୍ଞାନର ଯଥାର୍ଥ ସ୍ୱରୂପ ହେଉଛି ନିର୍ମଳ, ସ୍ୱଚ୍ଛ ଓ ଅବିମିଶ୍ରିତ । ତେଣୁ ପ୍ରାଚୀନ ସ୍ତୋତ୍ରଗୁଡ଼ିକରେ ନିର୍ମଳ ଜ୍ଞାନର ସାବିତ୍ରୀ ଦେବୀ ସରସ୍ୱତୀଙ୍କୁ ଜ୍ୟୋତିର୍ମୟୀ ଓ ଶୁଭ୍ରମୟୀରୂପେ କଳ୍ପନା କରାହୋଇଛି । ବୀଣା ସରସ୍ୱତୀଙ୍କର ଅନ୍ୟତମ ଭୂଷଣ । ବୀଣାର ଝଙ୍କାର ମନରେ ଭାବାବେଗ ସୃଷ୍ଟିକରେ । ଏହି ଚିନ୍ତା ଓ ମନନଶକ୍ତି ମନୁଷ୍ୟକୁ ଅନୁସନ୍ଧତ୍ସୁ ଓ ଜିଜ୍ଞାସୁ କରିଥାଏ ।

 

ବାଗ୍‌ଦେବୀ ସରସ୍ୱତୀଙ୍କର ସୁବିଦିତ ଧ୍ୟାନ ହେଉଛି–

 

‘‘ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶ୍ୱେତପଦ୍ମାସୀନା

ଯା ବୀଣାବରଦଣ୍ଡମଣ୍ଡିତ-କରା ଯା ଶୁକ୍ଳବସ୍ତ୍ରାବୃତା

ଯା ବ୍ରହ୍ମାଽଚ୍ୟୁତଶଙ୍କରପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା

ସା ମାଂ ପାତୁ ସରସ୍ୱତୀ ଭଗବତି ନିଃଶେଷଜାଡ଼୍ୟାପହା ।’’

 

ଏହିପରି ବାଗ୍‌ଦେବୀ ସରସ୍ୱତୀ କଲ୍ୟାଣମୟୀ ବିଦ୍ୟାଦାତ୍ରୀ ରୂପେ ଆମ ପରମ୍ପରାରେ ପୂଜିତ ହୋଇ ଆସୁଛନ୍ତି ।

Image

 

ବିବାହ

 

ପ୍ରତ୍ୟେକ ଦେଶରେ ବିବାହ ଏକ ସ୍ୱୀକୃତ ସାମାଜିକ ଅନୁଷ୍ଠାନ । ଭାରତୀୟମାନଙ୍କ ମଧ୍ୟରେ ଏହା ଏକ ଅବିଚ୍ଛେଦ୍ୟ ବନ୍ଧନ । ସାମାଜିକ ନିୟନ୍ତ୍ରଣ ସହିତ ଆମର ଆଚାର, ବ୍ୟବହାର ଓ ଧର୍ମାଚରଣ ବିବାହପଦ୍ଧତି ସହିତ ସୁସମ୍ପର୍କିତ । ବିବାହ ଅନୁଷ୍ଠାନ ଗାର୍ହସ୍ଥ୍ୟ ଆଶ୍ରମର ମୂଳଭିତ୍ତି । ଭାରତୀୟମାନଙ୍କ ଦୃଷ୍ଟି କୋଣରେ ଯୌଥ ପରିବାର ଏକ ସ୍ୱୟଂସିଦ୍ଧ ଏକକ । ଆଧୁନିକ ଯୁଗରେ ଏକାନ୍ନବର୍ତ୍ତୀ ପରିବାରର ସଂଜ୍ଞା କ୍ରମେ ସଂକୁଚିତ ହୋଇଯାଉଛି । ଆମର ଆଧୁନିକ ଅର୍ଥନୀତି ଯୌଥ ପରିବାରକୁ ଭାଙ୍ଗି ଦେବାରେ ସାହାଯ୍ୟ କରୁଛି; କିନ୍ତୁ ବହୁ ପ୍ରାଚୀନକାଳରୁ ଯେଉଁ ଗୋତ୍ରମୂଳକ ଗୋଷ୍ଠୀଗତ ଜୀବନର ଧାରା ପ୍ରବାହିତ ହେଉଥିଲା; ସେଥିରେ ଏକାନ୍ନବର୍ତ୍ତୀ ପରିବାରର ଗୁରୁତ୍ୱ ବେଶ୍‌ ସ୍ପଷ୍ଟ ଥିଲା । ସମାଜ ପିତୃମୂଳକ ହୋଇଥିବାରୁ ନବବଧୂ ବିବାହ ପରେ ସ୍ୱାମୀଗୃହକୁ ଆସିବାର ବ୍ୟବସ୍ଥା ଅବଶ୍ୟମ୍ଭାବୀ । ସ୍ୱାମୀଗୃହ ନବବଧୂ ପକ୍ଷରେ ଏକ ସ୍ୱର୍ଗରାଜ୍ୟ । ନବବଧୂ ରାଜରାଣୀ ପରି ମର୍ଯ୍ୟାଦା ଓ ସମ୍ଭ୍ରମର ସହିତ ସ୍ୱାମୀଗୃହକୁ ଆସିଥାନ୍ତି । ନବୋଢ଼ାର ସ୍ନେହ ଓ ସୁକୁମାର ପ୍ରବୃତ୍ତିକୁ ଉତ୍ତରୋତ୍ତର ବର୍ଦ୍ଧିତ କରିବାପାଇଁ ଉଭୟ ପିତୃକୁଳ ଓ ସ୍ୱାମୀଗୃହର ବ୍ୟକ୍ତିମାନେ ବସନ ଭୂଷଣ ପ୍ରଦାନ କରନ୍ତି ଓ ଅନ୍ୟାନ୍ୟ ମାଙ୍ଗଳିକ ଅନୁଷ୍ଠାନ କରିଥାନ୍ତି । ଭୃଗୁପ୍ରୋକ୍ତ ମାନବ ଧର୍ମଶାସ୍ତ୍ରରେ ନବବଧୂ ଓ ନାରୀମାନଙ୍କର ପ୍ରସାଦନ ଉପରେ ଗୁରୁତ୍ୱ ଦିଆହୋଇଛି । ଯେଉଁ ଗୃହରେ ନାରୀମାନେ ପୂଜା ପାଆନ୍ତି ଓ ପ୍ରସନ୍ନ ହୁଅନ୍ତି, ସେଠାରେ ସମସ୍ତ ଦେବତା ତୃପ୍ତ ହୁଅନ୍ତି; ଯେଉଁଠାରେ ନାରୀମାନେ ଦୁଃଖ ଭୋଗ କରନ୍ତି ସେହି ଗୃହରେ ସମସ୍ତ ଅନୁଷ୍ଠାନ ନିଷ୍ଫଳ ହୁଏ । ଯେଉଁ ବଂଶରେ ନାରୀମାନେ କଷ୍ଟ ପାଆନ୍ତି, ସେହି ବଂଶ ଅଚିରେ ବିନଷ୍ଟ ହୁଏ । ଅନାଦୃତ ଓ ଅବହେଳିତ ନାରୀମାନଙ୍କର ଅଭିସମ୍ପାତରେ ଧର୍ମ, ଆଚାର ଓ ବଂଶ ନଷ୍ଟ ହୋଇଥାଏ । ତେଣୁ ମଙ୍ଗଳକାମୀ ପୁରୁଷମାନେ ନାରୀମାନଙ୍କୁ ସର୍ବଦା ଭୂଷଣ, ନବବସ୍ତ୍ର, ଭୋଜନ ପ୍ରଭୃତି ଦ୍ୱାରା ସନ୍ତୁଷ୍ଟ ରଖିବେ ଏବଂ ସମସ୍ତ ସତ୍‌କାର୍ଯ୍ୟ ଓ ଉତ୍ସବରେ ସେମାନଙ୍କୁ ବସନଭୂଷଣରେ ସତ୍‌କୃତ କରିବେ । ସ୍ୱାମୀ ଓ ସ୍ତ୍ରୀର ପରସ୍ପର ସନ୍ତୋଷରେ ଚିରକଲ୍ୟାଣ ନିହିତଥାଏ । ସୁଶୋଭିତ ଓ ମୋଦିତ ନାରୀମାନେ ସ୍ୱାମୀମାନଙ୍କର ପ୍ରମୋଦ ଜନ୍ମାଇଥାନ୍ତି ଏବଂ କୁଳ ଉଜ୍ଜ୍ୱଳ କରିଥାନ୍ତି ।

 

ଆମର ବିବାହମନ୍ତ୍ରମାନଙ୍କରେ ନାରୀମାନଙ୍କପ୍ରତି ଶ୍ରଦ୍ଧା ଓ ସମ୍ମାନ ସୁସ୍ପଷ୍ଟ । ଅଗ୍ନିକୁ ସାକ୍ଷୀ ରଖି ବର କନ୍ୟାର ହସ୍ତଧାରଣପୂର୍ବକ ଯେଉଁ ଉଦାତ୍ତମନ୍ତ୍ରୀ ପାଠ କରନ୍ତି, ତାହା ପ୍ରଣିଧେୟ ।

 

‘‘ହେ ସୁଭଗେ, ସୌଭାଗ୍ୟ ଓ ମଙ୍ଗଳପାଇଁ ମୁଁ ତୁମକୁ ଗ୍ରହଣ କରୁଛି । ସବିତୃ, ଅର୍ଯ୍ୟମା ଓ ଇନ୍ଦ୍ର ଦେବତା ତୁମକୁ ମୋତେ ଅର୍ପଣ କରିଛନ୍ତି । ଆଜିଠାରୁ ତୁମେ ମୋର ଓ ମୁଁ ତୁମ୍ଭର । ମୁଁ ମନ୍ତ୍ରଗାନର ମୂର୍ଚ୍ଛନା ହେଲେ, ତୁମେ ହେବ ସେହି ମନ୍ତ୍ର । ମୁଁ ଆକାଶସ୍ୱରୂପ ହେଲେ ତୁମେ ହେବ ପୃଥିବୀ-ସଦୃଶା । ହେ ସୌଭାଗ୍ୟବତୀ, ଆମେ ଦୁହେଁ ପରସ୍ପରକୁ ବିବାହକରି ପରସ୍ପରର ଜୀବନୀଶକ୍ତିରେ ନିଷିକ୍ତ ହେବା । ସନ୍ତାନ-ସନ୍ତତିଙ୍କୁ ଜନ୍ମଦେଇ ଆମେ ସମ୍ମାନିତ ହେବା । ହେ ବହୁପୁତ୍ରସମ୍ଭବା କଲ୍ୟାଣମୟୀ, ଆମେ ଦୁହେଁ ପରସ୍ପର ପ୍ରତି ସଂପ୍ରୀତି ଓ ସୌହାର୍ଦ୍ଦ୍ୟର ସହିତ ଶତାୟୁ ହେବା ।’’

 

ସେହିପରି ବିବାହବେଦୀରେ ବର ନବୋଢ଼ା କନ୍ୟାର ଦକ୍ଷିଣ କାନ୍ଧରେ ହସ୍ତ ରଖି ହୃଦୟ ଆଲମ୍ବନପୂର୍ବକ କହିବେ–

 

‘‘ସୁଭଗେ, ମୋର ବ୍ରତରେ ତୁମର ହୃଦୟକୁ ଅଭିନିବିଷ୍ଟ କରାଇବି, ତୁମର ଚିତ୍ତବୃତ୍ତି ମୋର ଚିତ୍ତବୃତ୍ତିର ଅନୁରୂପ ହେଉ । ମୋର ବାଣୀରେ ତୁମେ ଏକମନା ଓ ଶ୍ରଦ୍ଧଧାନା ହୁଅ; ପ୍ରଜାପତି ମୋ ପାଇଁ ତୁମକୁ ନିର୍ଦ୍ଦିଷ୍ଟ ଓ ସଂପ୍ରେରିତ କରିଛନ୍ତି ।’’

 

ହିନ୍ଦୁମାନଙ୍କର ବିବାହପଦ୍ଧତି ସାମଗ୍ରିକ ଜୀବନକୁ ଲକ୍ଷ୍ୟକରି ସ୍ଥିରୀକୃତ ହୋଇଛି । ଉଭୟେ ବର ଓ କନ୍ୟା ମିଳିତ ଭାବରେ ଗାର୍ହସ୍ଥ୍ୟଜୀବନ ଯାପନ କରି ଧର୍ମାଚରଣ କରିବେ; ଏହା ହିଁ ଉଦ୍ଦେଶ୍ୟ । ଏଠାରେ ଧର୍ମ ଶବ୍ଦ ଜୀବନର ସମସ୍ତ ବିଭାବକୁ କ୍ରୋଡ଼ୀଭୂତ କରିଛି । ତେଣୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ-ଏହି ଚତୁର୍ବର୍ଗପାପ୍ତିରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରର ସହାୟକ ଓ ଅନୁପୂରକ । ବିବାହ ଶବ୍ଦର ମୌଳିକ ଅର୍ଥ ହେଉଛି ‘ବହନ କରିବା’ । ଗୃହସ୍ଥ ହିସାବରେ ବ୍ୟକ୍ତିଗତ ପାରିବାରିକ ତଥା ସାମାଜିକ ଦାୟିତ୍ୱ ଉଭୟେ ପରସ୍ପରର ସମ୍ମତିପୂର୍ବକ ଗ୍ରହଣ କରିବା ପାଇଁ ପ୍ରତିଜ୍ଞାତ ଅନୁଷ୍ଠାନକୁ ବିବାହ କହନ୍ତି । ସେହି ଅର୍ଥରେ ଉଦ୍‌ବାହ ଓ ଉଦ୍‌ବହନ ପ୍ରଭୃତି ବିବାହର ସମାର୍ଥବାଚକ ଶବ୍ଦ ଗ୍ରହଣ କରାଯାଇପାରେ । ଏହି ଅନୁଷ୍ଠାନରେ ଉତ୍ତରଣର ଅଭୀପ୍‌ସା ରହିଛି । ତେଣୁ ଏହି ଅନୁଷ୍ଠାନମୂଳରେ ବାସ୍ତବତା ଓ କଳ୍ପନା-ବିଳାସ ଭରିରହିଛି । ଉପଯମ ଓ ଉପଯାମ ପ୍ରଭୃତି ଶବ୍ଦ ମଧ୍ୟ ବିବାହର ଅର୍ଥକୁ ବୁଝାଇଥାଏ । ଏହା ଯୁଗଳ ଶବ୍ଦର ପର୍ଯ୍ୟାୟବାଚକ । ‘‘ହାତଧରି ବିଭାହେବା’’—ଏକ ଲାକ୍ଷଣିକ ଉକ୍ତି । ଏଥିରେ ଦାୟିତ୍ୱବୋଧ, ପରସ୍ପରପ୍ରତି ଆଶ୍ରୟ ଓ ଗଭୀର ଆଶ୍ୱାସନା ନିହିତ । ତେଣୁ ବିବାହର ପର୍ଯ୍ୟାୟବାଚକ ଶବ୍ଦରୂପେ ‘ପାଣିଗ୍ରହଣ, ପାଣିପୀଡ଼ନ, କର-ପୀଡ଼ନ’-ପ୍ରଭୃତି ଶବ୍ଦର ପ୍ରଚଳନ ଅଛି । ପରିଣୟ ଶବ୍ଦ ପରସ୍ପର ପରସ୍ପରପ୍ରତି ନିକଟତମ ହେବାର ଅଭୀପ୍‌ସାକୁ ବୁଝାଉଛି ।

 

ଜୀବମାତ୍ରେ ହିଁ ରମଣର ଇଚ୍ଛା ରହିଛି; କିନ୍ତୁ ଏହି ରିଂରସାକୁ ଅଧିକ ସରସ ଓ ସୁନ୍ଦର କରି ଜୀବନରେ ସାର୍ଥକତା ଆଣିବାପାଇଁ ପ୍ରତ୍ୟେକ ସମାଜରେ ବିବାହପଦ୍ଧତି ପ୍ରଚଳିତ । ଅନ୍ୟମାନଙ୍କ ତୁଳନାରେ ଆମ ଦେଶର ବିବାହପଦ୍ଧତିରେ ଏକ ଅପୂର୍ବ ରୁଚିବୋଧ ରହିଆସିଛି । ଏଠାରେ କନ୍ୟାର ସମ୍ପ୍ରଦାନ ପଦ୍ଧତିରେ ଯେଉଁ ବୈଶିଷ୍ଟ୍ୟ ରହିଛି, ତାହା ଅତ୍ୟନ୍ତ୍ର ବିରଳ । ତେଣୁ କନ୍ୟାପିତା ଉପଯୁକ୍ତ ପାତ୍ରରେ ସ୍ୱକୀୟ କନ୍ୟାକୁ ସମର୍ପଣ କରିଥାନ୍ତି । ଆଚର, ଚଳଣି ଓ ପରମ୍ପରାଗତ ଭିନ୍ନତା ସତ୍ତ୍ୱେ ଆମ ଦେଶର ବିବାହ ଅନୁଷ୍ଠାନରେ କନ୍ୟା-ପିତା ବିଶେଷ ଅଂଶ ଗ୍ରହଣ କରିଥାନ୍ତି । ବହୁ ପୂର୍ବକାଳରୁ ଏହି ଦେଶରେ ବହୁବିଧ ବିବାହପଦ୍ଧତି ଅନୁସୃତ ହୋଇଆସିଛି-। ଭାରତରେ ବହୁ ସଭ୍ୟତା ଓ ସଂସ୍କୃତିର ସମନ୍ୱୟ ଘଟିଛି । ତେଣୁ ଆମ ଦେଶରେ ଆଜି ପ୍ରଚଳିତ ବିବାହପଦ୍ଧତିରେ ବହୁ ସଂସ୍କୃତିର ଛାପ ପଡ଼ିଛି । ଏସବୁକୁ ନିରୀକ୍ଷଣ କଲେ ଜଣାଯାଏ ଯେ, ଅତୀତକାଳରେ ଭିନ୍ନ ରୁଚିସମ୍ପନ୍ନ ପୃଥକ୍‌ ପୃଥକ୍‌ ଗୋଷ୍ଠୀ ଭିନ୍ନ ଭିନ୍ନ ପଦ୍ଧତିରେ ବିବାହ କରୁଥିଲେ-। ବିଭିନ୍ନ ବିବାହପଦ୍ଧତିକୁ ଳକ୍ଷ୍ୟ କଲେ ଆମେ ସାସ୍କୃତିକ ସଘଂର୍ଷ ଓ ସମନ୍ୱୟର ଧାରାକୁ ବୁଝିବା ପାଇଁ ସକ୍ଷମ ହେବା । ଭାରତର ପ୍ରାଚୀନ ଶାସ୍ତ୍ରମାନଙ୍କରେ ଆଠପ୍ରକାର ବିବାହର ଉଲ୍ଲେଖ ଦେଖିବାକୁ ମିଳୁଛି । ଏହି ଅଷ୍ଟବିଧ ବିବାହର ନାମ ହେଲା–ବ୍ରାହ୍ମ୍ୟ, ଦୈବ, ଆର୍ଷ, ପ୍ରାଜାପତ୍ୟ, ଆସୁର, ଗାନ୍ଧର୍ବ, ରାକ୍ଷସ ଓ ପୈଶାଚ ।

 

‘‘ବ୍ରାହ୍ମ୍ୟୋ ଦୈବସ୍ତଥୈବାର୍ଷଃ ପ୍ରାଜାପତ୍ୟସ୍ତଥାସୁରଃ

ଗାନ୍ଧର୍ବୋ ରାକ୍ଷସଶ୍ଚୈବ ପୈଶାଚଶ୍ଚାଷ୍ଟମୋଽଧମଃ ।’’

 

(ମନୁସଂହିତା-୩ୟ ଅଧ୍ୟାୟ)

 

ନାରୀ ଗ୍ରହଣ କରିବା ସମ୍ପର୍କରେ ମୁଖ୍ୟତଃ ଯେଉଁ ଆଠଟି ପ୍ରଥା ପ୍ରଚଳିତ ଥିଲା, ତହିଁରେ ଭାରତବର୍ଷରେ ହୋଇଥିବା ଯୁଦ୍ଧବିଗ୍ରହ ଓ ବିଭିନ୍ନ ମୂଲ୍ୟବୋଧର ସମୀକ୍ଷା କରାଯାଇପାରେ ।

 

ଯେତେବେଳେ କନ୍ୟାପିତା ବେଦଜ୍ଞ ଓ ସୁଶୀଳ ଜାମାତାକୁ ନିଜ ଗୃହକୁ ଆମନ୍ତ୍ରଣ କରି ଅର୍ଚ୍ଚନା କରନ୍ତି ଏବଂ ନିଜର ସୁମଣ୍ଡିତା କନ୍ୟାକୁ ବିଧିପୂର୍ବକ ପ୍ରଦାନ କରନ୍ତି, ତାହା ବ୍ରାହ୍ମ୍ୟ ବିବାହ ନାମରେ ନାମିତ ହୁଏ । ଏହି ବିବାହରେ ବର ନିଜେ ବେଦଜ୍ଞ ବ୍ରାହ୍ମଣ ହୋଇଥିବେ । ବେଦାଭ୍ୟାସ ଓ ବେଦାଧ୍ୟୟନ, ଆଚାରଶୀଳତା-ଏହାହିଁ ବରର ଗୁଣରୂପେ ବିବେଚିତ ହୁଏ । ଏହି ବିବାହରେ କନ୍ୟା ପ୍ରଦେୟା, ତେଣୁ କନ୍ୟାପିତାର ଭୂମିକା ସ୍ୱୀକାର୍ଯ୍ୟ । ନାରୀପ୍ରତି ସଂଭମ ଓ ସମ୍ମାନ ପୂର୍ଣ୍ଣଭାବରେ ପ୍ରଦର୍ଶିତ ହୋଇଥାଏ । ଦୃଷଦ୍‌ବତୀ ଓ ସରସ୍ୱତୀ ନଦୀର ମଧ୍ୟବର୍ତ୍ତୀ ବ୍ରହ୍ମାବର୍ତ୍ତ ଅଞ୍ଚଳରେ ବାସକରୁଥିବା ବୈଦିକ ଆର୍ଯ୍ୟମାନଙ୍କର ଏହାହିଁ ପଦ୍ଧତି ଥିଲା । ବଶିଷ୍ଠ ଓ ଅରୁନ୍ଧତୀ, ଅତ୍ରି ଓ ଅନସୂୟା ପ୍ରଭୃତିଙ୍କର ବିବାହ ଏହି ପଦ୍ଧତିରେ ସମ୍ପନ୍ନ ହୋଇଥିଲା ।

 

ପ୍ରସିଦ୍ଧ ଯଜ୍ଞକର୍ମରେ ପ୍ରବୃତ୍ତ ଋତ୍ୱିକ୍‌ ପୁରୋହିତଙ୍କୁ ସମ୍ମାନପୂର୍ବକ କନ୍ୟା ପ୍ରଦାନ କରାଗଲେ, ତାହାକୁ ଦୈବ ବିବାହ କହିଥାନ୍ତି । ଏହି ବିଧିମୂଳରେ କନ୍ୟାପିତାର କୁଶଳୀ ଋତ୍ୱିକ୍‌ଙ୍କୁ ସମ୍ମାନିତ କରିବାପାଇଁ ଇଚ୍ଛା ରହିଛି । ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ କିମ୍ବା ଦେବତାଙ୍କ ଉଦ୍ଦେଶ୍ୟରେ ଏଠାରେ କନ୍ୟା ସମର୍ପଣ କରାହୁଏ ଏବଂ ସେହି ଚିନ୍ତାର ରୂପକଳ୍ପରେ ଅନୁରଞ୍ଜିତ ଋତ୍ୱିକ୍‌ ବ୍ରାହ୍ମଣ ବା ପୁରୋଧା କନ୍ୟା ଗ୍ରହଣ କରିଥାନ୍ତି । ସାଧାରଣତଃ କେତେକ ରାଜା ନିଜର ବା ନିଜ ରାଜ୍ୟର ଅନିଷ୍ଟ ଦୂରୀକରଣପାଇଁ ଯଜ୍ଞକାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି ଏବଂ ଏହି ଯଜ୍ଞର ମୁଖ୍ୟ ଋତ୍ୱିକ୍‌ଙ୍କୁ ଦେବପୀଡ଼ନର ପ୍ରଶମନପାଇଁ ନିଜର କନ୍ୟାକୁ ସମ୍ପ୍ରଦାନ କରିଥାନ୍ତି । ପୂର୍ବକାଳରେ ଏହି ପ୍ରଥା ଅନୁସାରେ ବହୁ କ୍ଷତ୍ରିୟ କନ୍ୟା ବ୍ରାହ୍ମଣପତ୍ନୀ ହେବାର ସୌଭାଗ୍ୟ ଲାଭକରିଛନ୍ତି । ରାଜା ଦଶରଥ ନିଜର କନ୍ୟା ଶାନ୍ତାଙ୍କୁ ଋଷି ଋଷ୍ୟଶୃଙ୍ଗଙ୍କ ହସ୍ତରେ ଏହି ବିଧିରେ ଅର୍ପଣ କରିଥିଲେ । ଏହି ବିବାହକୁ ଦୈବ ବିବାହ କହିବାର ଯଥାର୍ଥତା ଦୁଇଟି ଦୃଷ୍ଟି କୋଣରୁ ବିଚାର୍ଯ୍ୟ । ଯଜ୍ଞବହୁଳ ଆର୍ଯ୍ୟାବର୍ତ୍ତରେ ଦେବସଂସ୍କୃତିରେ ନିଷ୍ଣାତ ଓ ପରିଚିତ ଆର୍ଯ୍ୟମାନେ ସମ୍ଭବତଃ ଏହି ବିବାହକୁ ଉତ୍ସାହିତ କରୁଥିଲେ ଅଥବା ଦେବତାଙ୍କର ପ୍ରୀତି ସାଧନ ଉଦ୍ଦେଶ୍ୟରେ କିମ୍ବା ଦୈବ ଅଶାନ୍ତି ବା ଦୁର୍ବିପାକ ଦୂର କରିବାକୁ ଇଚ୍ଛାକରି କାମନାପୂର୍ବକ ସଂକଳ୍ପିତ କନ୍ୟାଦାନ କରିବା ଇଚ୍ଛାରେ ଏହି ପଦ୍ଧତିର ପ୍ରସାର ଘଟିଥିଲା । ଏହି କନ୍ୟା ସମ୍ଭବତଃ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତା ହୋଇ ବ୍ରାହ୍ମଣ ପୁରୋହିତଙ୍କୁ ସମ୍ପ୍ରଦାନ କରାହେଉଥିଲା । ଅଧୁନା ବିବାହ ପ୍ରସଙ୍ଗରେ ଯେଉଁ ସପ୍ତପଦୀ କର୍ମ ନିହିତ ଅଛି, ତହିଁରେ ଦୈବ ବିବାହର ସ୍ମୃତି ଜଡ଼ିତ । ବର କନ୍ୟାକୁ ଉତ୍ତରମୁଖରେ ସାତପାଦ ନେଇଯିବେ । ପ୍ରଥମ ପାଦରେ ବର କହିବେ, ‘‘ବିଷ୍ଣୁ ତୁମ୍ଭଙ୍କୁ ଏକ୍‌ମିଟ ନକ୍ଷତ୍ରଙ୍କ ନିକଟକୁ ନେଇଯାଆନ୍ତୁ,’’ ଦ୍ୱିତୀୟ ପଦଯାତ୍ରାରେ, ‘ବିଷ୍ଣୁ ଊଦ ଆଦିତ୍ୟଙ୍କୁ ତୁମଙ୍କୁ ପ୍ରଦାନ କରନ୍ତୁ ।’ ତୃତୀୟ ପାଦରେ ‘ବିଷ୍ଣୁ ରାୟ-ସ୍ପୋଷ-ନାମକ ବିଶ୍ୱଦେବାଙ୍କ ନିକଟକୁ ତୁମକୁ ନେଇଯାନ୍ତୁ ।’ ଚତୁର୍ଥ ପାଦରେ ‘ମୟୋଭବ’, ପଞ୍ଚମରେ ‘ପଶୁ’, ଷଷ୍ଠରେ ‘ଷଡ଼୍‌ ଋତୁ’-ଏହିପରିଭାବରେ କନ୍ୟା ପ୍ରଦତ୍ତା ହେଲା ପରେ ସପ୍ତମ ପାଦରେ ‘ବିଷ୍ଣୁ ବିବାହିତ ବରକୁ ଏହି କନ୍ୟାକୁ ପ୍ରଦାନ କରନ୍ତୁ’-ଏହାହିଁ ଅଭୀପ୍‌ସା । ସପ୍ତମପାଦ ପ୍ରକ୍ରମଣର ମନ୍ତ୍ର ହେଉଛି-

 

‘‘ସଖେ, ସପ୍ତପଦା ଭବ; ସା ମାମନୁବ୍ରତା ଭବ, ବିଷ୍ଣୁଃ ତ୍ୱା ନୟତୁ’’ । ହେ ସଖୀ, ସପ୍ତପଦଯାତ୍ରାରେ ତୁମେ ମୋର ଅନୁବ୍ରତା ହୁଅ; ଆଦିତ୍ୟ ବିଷ୍ଣୁ ତୁମକୁ ମୋ ନିକଟକୁ ସଂପ୍ରେରିତ କରନ୍ତୁ, ଅଥାର୍ତ୍‌ ମୋତେ ପ୍ରଦାନ କରନ୍ତୁ ।

 

ସେତେବେଳେ ଯଜ୍ଞ ଏକ ସାମାଜିକ ତଥା ଧାର୍ମିକ ଉତ୍ସବ ଥିଲା । ଗୋଷ୍ଠୀ ମିଳନର ଏହା ଏକ ଅପୂର୍ବ ସୁଯୋଗ । ତେଣୁ ଯଜ୍ଞସ୍ଥଳରେ ବହୁ କନ୍ୟାପିତା ନବୀନ ବେଦବିତ୍‌ ଆର୍ଯ୍ୟମାନଙ୍କୁ ଦେଖୁଥିବେ ଏବଂ ସେଥିମଧ୍ୟରୁ ନିଜର କନ୍ୟାପାଇଁ ଉପଯୁକ୍ତ ବର ବାଛିବାର ସୁଯୋଗ ଲାଭକରୁଥିବେ । ଏହି ବିବାହ ମୂଳରେ ଦୈବର ଅନୁପ୍ରେରଣା କାର୍ଯ୍ୟ କରୁଥିବ । ଏପ୍ରକାର ବିବାହ ମଧ୍ୟ କେତେକାଂଶରେ ରାଜସିକ ଉତ୍ସବମୟ । ସ୍ୱୟମ୍ବରପ୍ରଥା ଏହି ବିବାହର ଅନ୍ତର୍ଗତ । ବରଠାରୁ ଧର୍ମାର୍ଥେ ଗୋଟିଏ ବା ଦୁଇଟି ଗୋମିଥୁନ ଗ୍ରହଣ କରି ବିଧିପୂର୍ବକ କନ୍ୟାଦାନକୁ ଆର୍ଷ ବିବାହ କହନ୍ତି । ଏହି ପ୍ରଥା ଆରଣ୍ୟକ ଋଷିମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା । ‘‘ଉଭୟେ ମିଳିକରି ଧର୍ମାଚରଣ କର’’—ଏହି କଥା କହି ବିଧିପୂର୍ବକ ଅର୍ଚ୍ଚନା ସହିତ କନ୍ୟାସମ୍ପ୍ରଦାନୁ ପ୍ରାଜାପତ୍ୟ ବିବାହ କୁହାଯାଏ । ଏହି ପ୍ରଥା ଅଧୁନା ବହୁଳଭାବରେ ପ୍ରଚଳିତ ।

 

କନ୍ୟାର ଜ୍ଞାତିମାନଙ୍କୁ ଓ କନ୍ୟାକୁ ଯଥାଶକ୍ତି ଧନ ଦାନକରି ସ୍ୱଚ୍ଛନ୍ଦଭାବରେ କନ୍ୟା ଗ୍ରହଣକଲେ, ତାହା ଆସୁର ବିବାହ ହୋଇଥାଏ । ଏହି ସ୍ଥଳରେ କନ୍ୟା ଏକପ୍ରକାର କ୍ରୀତ ହୋଇଥାଏ; ତେଣୁ ସଂପ୍ରଦାନରେ ପ୍ରଶ୍ନ ଉଠେନାହିଁ । ଏକଦା ଅସୁରମାନଙ୍କ ଚଳଣିରେ ଏହି ବିଧିବ୍ୟବସ୍ଥା ଥିବାରୁ, ଏହି ପ୍ରକାର ବିବାହ ଆସୁର ବିବାହରୂପେ ପରିଚିତ । ଯେଉଁସ୍ଥଳରେ ବର ଓ କନ୍ୟା ପରସ୍ପରର ଇଚ୍ଛାପୂର୍ବକ ମିଳିତ ହୋଇଥାନ୍ତି, ତାହା ଗାନ୍ଧର୍ବ ବିବାହ ନାମରେ କଥିତ । ଏହି ବିବାହରେ ସେମାନଙ୍କର ପରସ୍ପରପ୍ରତି କାମସକ୍ତି ହିଁ ନିୟାମକ ହୋଇଥାଏ । କ୍ଷତ୍ରିୟମାନଙ୍କ ମଧ୍ୟରେ କେତେକ ନିର୍ଦ୍ଦଷ୍ଟ ସର୍ତ୍ତ ଥାଏ ଓ ସେହି ସର୍ତ୍ତ ପାଳନ ପର୍ଯ୍ୟନ୍ତ ଏହି ବିବାହ ଦୃଢ଼ତର ଥାଏ; ଅନ୍ୟଥା ବିବାହ ବିଚ୍ଛେଦର ମଧ୍ୟ ବହୁ ଉଦାହରଣ ଅଛି । ଅବଶ୍ୟ ସବୁ ଗାନ୍ଧର୍ବ ବିବାହ ସର୍ତ୍ତମୂଳ ନୁହେଁ । ପୁରୁରବା ଓ ଊର୍ବଶୀ ଦୁଷ୍ମନ୍ତ ଓ ଶକୁନ୍ତଳା, ଶାନ୍ତନୁ ଓ ଗଙ୍ଗା ପ୍ରଭୃତି ଏହି ପ୍ରଥାରେ ବିବାହିତ ହୋଇଥିଲେ । ରାଜରା ଦଶରଥ ଓ କୈକୟୀଙ୍କ ମଧ୍ୟରେ ବିବାହ ମଧ୍ୟ ଗାନ୍ଧର୍ବଧିସମ୍ମତ । କୈକେୟୀଙ୍କର ସନ୍ତାନ ଦଶରଥଙ୍କ ପରେ ସିଂହାସନାସିକ୍ତ ହେବେ-ଏହା ହିଁ ସର୍ତ୍ତ ଥିଲା ଏବଂ ଏଥିପାଇଁ ରାମଚନ୍ଦ୍ରଙ୍କୁ ବନବାସୀ ହେବାକୁ ପଡ଼ିଥିଲା ।

 

କନ୍ୟାର ଆତ୍ମୀୟମାନଙ୍କୁ ହତ୍ୟାକରି, ପରାସ୍ତ କରି କିମ୍ୱା ଅନ୍ୟ ପ୍ରକାରରେ ବଳପୂର୍ବକ କନ୍ୟାଗ୍ରହଣକୁ ରାକ୍ଷସ ବିବାହ କହନ୍ତି । ଏହି ବିବାହରେ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ବିବାଦ ଓ ସଘଂର୍ଷ ଅବଶ୍ୟମ୍ଭାବୀ । ରାକ୍ଷସମାନଙ୍କ ମଧ୍ୟରେ ଏହି କ୍ରୂର ପ୍ରଥା ପ୍ରଚଳିତ ଥିଲା । ସୁପ୍ତ, ମତ୍ତ ବା ପ୍ରମତ୍ତ ଅବସ୍ଥାରେ କନ୍ୟାକୁ ଗୋପନ ଭାବରେ ହରଣ କରିନେଇ ବିବାହ କରିବାକୁ ପୈଶାଚ ବିବାହ କହନ୍ତି । ଧର୍ମାଚାରହୀନ ପିଶାଚମାନଙ୍କ ମଧ୍ୟରେ ଏହି ପ୍ରଥା ପ୍ରଚଳିତ ଥିଲା ।

 

ବିବାହର ଏପରି ନାମକରଣ ମୂଳୀରେ ଆମେ ଭାରତବର୍ଷରେ ପୂର୍ବରୁ ଘଟିଯାଇଥିଲା ସଘଂର୍ଷର ସୂଚନା ପାଉ । ଆମର ପୁରାଣ ଶାସ୍ତ୍ରମାନଙ୍କରେ ଯେଉଁ କେତୋଟି ଗୋଷ୍ଠୀ ଓ ସଂପ୍ରଦାୟମାନଙ୍କ ସମ୍ପର୍କରେ ଉଲ୍ଲେଖ ମିଳୁଛି, ସେମାନେ ହେଲେ—ଅସୁର, ଦେବତା, ବ୍ରାହ୍ମଣ, ଋଷି, ମନୁଷ୍ୟ, ଯକ୍ଷ, ଗନ୍ଧର୍ବ, ରାକ୍ଷସ ଓ ପିଶାଚ ପ୍ରଭୃତି । ଏମାନଙ୍କ ମଧ୍ୟରେ ରୁଚିବୋଧ ଓ ମୂଲ୍ୟବୋଧରେ ଭିନ୍ନତା ପରିଲକ୍ଷିତ ହୋଇଛି । ବ୍ରାହ୍ମଣ, ଋଷିତ, ଦେବତା ଓ ମନୁଷ୍ୟମାନେ ଗୋଟିଏ ସଂସ୍କୃତି ଓ ସଭ୍ୟତାର ଅନ୍ତର୍ଗତ । ଏମାନେ ବେଦର ପ୍ରାମାଣିକତାକୁ ସ୍ୱୀକାର କରନ୍ତି ଏବଂ ଆଦିତ୍ୟଙ୍କୁ ଉପାସଦା କରନ୍ତି । ପିତୃପୁରୁଷ ଓ ବିଗତ ବଂଶଧରମାନଙ୍କ ପ୍ରତି ଏମାନଙ୍କର ନିଷ୍ଠା ଓ କୃତଜ୍ଞତା ଭରିରହିଥାଏ । ନାରୀମାନଙ୍କୁ ଏମାନେ ରୁଚିବୋଧ ଓ ସୌନ୍ଦର୍ଯ୍ୟବୋଧର ପ୍ରତୀକରୂପେ ଗ୍ରହଣକରନ୍ତି ଏବଂ ସମ୍ମାନ ପ୍ରଦର୍ଶନ କରନ୍ତି । ଏମାନଙ୍କ ମଧ୍ୟରେ ସମାଜ ପିତୃମୂଳକ ହେଲେ ମଧ୍ୟ, ପୁରୁଷମାନେ ନାରୀମାନଙ୍କ ପ୍ରତି ତ୍ରୁର ଓ ଅବିନୟୀ ନୁହନ୍ତି । ନାରୀମାନେ ବିଳାସର ସାମଗ୍ରୀ ନୁହନ୍ତି, ଅଧିକନ୍ତୁ ଧର୍ମାଚରଣରେ ସେମାନେ ପୁରୁଷର ଅର୍ଦ୍ଧାଙ୍ଗିନୀ—ଏହା ହିଁ ଏମାନଙ୍କର ଧାରଣା । ତେଣୁଚ ବୈବାହିକ ଅନୁଷ୍ଠାନରେ ନାରୀପ୍ରତି ସଂଭମ ଓ ସମ୍ମାନ ପ୍ରଦର୍ଶିତ ହୋଇଥାଏ । କନ୍ୟାର ସୁକୁମାରତା ପ୍ରତି କନ୍ୟାପିତା ଅଧିକ ଯତ୍ନଶୀଳ ଥାଆନ୍ତି । ବିବାହ ଧର୍ମାଚରଣର ଏକ ଅଙ୍ଗରୂପେ ଅନୁଷ୍ଠିତ ହୋଇଥାଏ । ଯୌନକାମନା ଓ ରିଂରସା ଧର୍ମାଚାର ମଧ୍ୟରେ ସ୍ନିଗ୍‌ଓ ଓ ସାର୍ଥକ ହୁଏ । ତେଣୁ ବ୍ରାହ୍ମ୍ୟ, ଆର୍ଷ, ଦୈବ ଓ ପ୍ରାଜାପତ୍ୟ ବିବାହ ମଧ୍ୟରେ ବରପକ୍ଷ ଓ କନ୍ୟାପକ୍ଷ ଉଭୟଙ୍କର ପରସ୍ପର ପ୍ରତି ଆନୁକୂଲ୍ୟ ଲକ୍ଷଣୀୟ ହୋଇଥାଏ ।

 

ଅସୁରମାନଙ୍କ ମଧ୍ୟରେ ନାରୀର ଭୂମିକା ଗୌଣ ଥିଲା । ସେଠାରେ ନାରୀ ଭୋଗ ବିଳାସର ସାମଗ୍ରୀମାତ୍ର । ପୁନଶ୍ଚ ସେମାନଙ୍କ ମଧ୍ୟରେ କ୍ରୀତଦାସ ଓ କ୍ରୀତଦାସୀ ପ୍ରଥା ପ୍ରଚଳିତ ଥିଲା । ନାରୀକୁ ଉପଭୋଗର ସାମଗ୍ରୀରୂପେ ପାଇବାପାଇଁ ଧନିକ ପୁରୁଷମାନେ କିଣିନେଉଥିଲେ-

 

ରାକ୍ଷସମାନଙ୍କର ପ୍ରଥା ଆହୁରି ନିନ୍ଦନୀୟ । ନାରୀ ଗ୍ରହଣ ବ୍ୟାପାରରେ ରାକ୍ଷସମାନେ ବଳପ୍ରୟୋଗ କରୁଥିଲେ । କୌଣସି କନ୍ୟାକୁ ଲାଭକରିବାପାଇଁ ଏମାନେ ଆବଶ୍ୟକ ହେଲେ ଯୁଦ୍ଧବିଗ୍ରହ ସୃଷ୍ଟି କରୁଥିଲେ । ଏତଦ୍‌ବ୍ୟତୀତ ଏମାନଙ୍କର ବିଶ୍ୱାସ ଯେ, ନାରୀ ରତ୍ନ ବା ସମ୍ପତ୍ତିସ୍ଥାନୀୟ ହୋଇଥିବାରୁ ତାହାକୁ ଲାଭ କରିବାପାଇଁ ବଳପ୍ରୟୋଗରେ କୌଣସି ଭୁଲ ହୁଏନାହିଁ-। ରାବଣ ସୀତାଙ୍କୁ ଚୋରି କରିନେବା ଏବଂ ସେଥିପାଇଁ ଏତେ ବଡ଼ ଯୁଦ୍ଧବିଗ୍ରହ ଘଟିବାରେ ଏହାହିଁ କାରଣ । ସେମାନଙ୍କ ମତରେ ସ୍ତ୍ରୀମାନଙ୍କର ଇଚ୍ଛାର କୌଣସି ଅର୍ଥ ନାହିଁ ।

 

ପିଶାଚଗୋଷ୍ଠୀ ନାରୀମାନଙ୍କୁ ବଳାତ୍‌କାରରେ କିମ୍ୱା ନିନ୍ଦିତ କୌଶଳରେ ଚୋରାଇ ନେଇ ବିବାହ କରୁଥିଲେ । କନ୍ୟାକୁ ଅବାଞ୍ଛତ ପ୍ରଲୋଭନରେ ବଶକରି ବିବାହ କରିବା ଏମାନଙ୍କର ବିଧି ଥିଲା । ସୁପ୍ତ ଓ ପ୍ରମତ୍ତ ଅବସ୍ଥାରେ ଏମାନେ କନ୍ୟାହରଣ କରୁଥିଲେ । କନ୍ୟା ବା କନ୍ୟାପକ୍ଷରେ ସଦିଚ୍ଛା ଲାଭ କରିବାରେ ଏମାନେ ଆଗ୍ରହୀ ନଥିଲେ ।

 

ପ୍ରାଚୀନ ଭାରତର ସାଂସ୍କୃତିକ ସଂଘର୍ଷର ବିଭିନ୍ନ କାରଣ ମଧ୍ୟରେ ସମାଜରେ ନାରୀପ୍ରତି ଦୃଷ୍ଟିଭଙ୍ଗୀ ଏକ କାରଣ ହୋଇଆସିଛି । ବିଖ୍ୟାତ ରାମ ରାବଣ ଯୁଦ୍ଧ ମୂଳରେ କୌଣସି ରାଜନୀତିକ କାରଣ ନ ଥିଲା; ଏହା ମୁଖ୍ୟତଃ ଏକ ସାଂସ୍କୃତିକ ସଂଘର୍ଷ । ଭାରତବର୍ଷର ଆର୍ଯ୍ୟ ସଭ୍ୟତାର ପ୍ରତୀକ ଥିଲେ ରାମଚନ୍ଦ୍ର । ନାରୀମାନଙ୍କ ପ୍ରତି ଆର୍ଯ୍ୟମାନଙ୍କର ଦୃଷ୍ଟିକୋଣ ମହନୀୟ ଥିଲା । ସେମାନଙ୍କ ବିବାହ ପଦ୍ଧତିରେ ମହାନ୍‌ ରୁଚିବୋଧ କାର୍ଯ୍ୟ କରୁଥିଲା । ସୀତା ଆର୍ଯ୍ୟମାନସରେ ମର୍ଯ୍ୟାଦା ଓ ରୁଚିବୋଧର ପ୍ରତୀକ । ଅନ୍ୟପକ୍ଷରେ ରାବଣର ସଂସ୍କୃତି ସୀତାଙ୍କ ପ୍ରତି ଅମର୍ଯ୍ୟାଦା ଆଣିଛି । ‘ଜନସ୍ଥାନ ରାବଣ ସାମ୍ରାଜ୍ୟର ପରିସରଭୁକ୍ତ ହୋଇଥିବାରୁ ସେଠାରେ ବାସ କରୁଥିବା ସୀତା ରାବଣର ଉପଭୋଗ୍ୟା ହୋଇପାରନ୍ତି’-ଏହି ନିନ୍ଦିତ ଆଭିମୁଖ୍ୟରେ ରାବଣ ସୀତାଙ୍କୁ ହରଣ କରିନେଇଛି । ଅନ୍ୟ ପକ୍ଷରେ ରାମଚନ୍ଦ୍ର ଏହି ବିଚାରଧାରାର ବିରୋଧକରି ନାରୀତ୍ୱକୁ ଏହି ରାକ୍ଷସକୃତ ବିଡ଼ମ୍ବନାରୁ ରକ୍ଷାକରିବାପାଇଁ ରାବଣ ସହିତ ଯୁଦ୍ଧ କରିଛନ୍ତି ।

 

ସେହିପରି ଦ୍ରୁପଦନନ୍ଦିଦୀ କୃଷ୍ଣାଙ୍କର ଅପମାନ ହିଁ ମହାଭାରତ ଯୁଦ୍ଧର ଅନ୍ୟତମ କାରଣ ହୋଇଛି । ମଧ୍ୟଯୁଗରେ ଭାରତ ଉପରେ ଯେଉଁ ବର୍ବର ମୁସଲମାନ ଆକ୍ରମଣ ହୋଇଥିଲା, ସେଥିରେ ନାରୀତ୍ୱର ବହୁ ଅମର୍ଯ୍ୟାଦା ଘଟିଛି ଏବଂ ତା ବିରୁଦ୍ଧରେ ସମଗ୍ର ଭାରତବର୍ଷରେ ଯୁଦ୍ଧର ପ୍ରହେଳିକା ସୃଷ୍ଟି କରିଛି ।

 

ଉପର୍ଯ୍ୟୁକ୍ତ ବିବାହଗୁଡ଼ିକ ମଧ୍ୟରୁ ଗାନ୍ଧର୍ବ ବିବାହରେ ନାରୀର ମତ ଉପରେ ବିଶେଷ ଗୁରୁତ୍ୱ ଆରୋପିତ ହୋଇଥାଏ । ଏହି ବିବାହ ପ୍ରଥା ବସ୍ତୁତଃ ପରସ୍ପର ପ୍ରଣୟଜନିତ ହୋଇଥିବାରୁ ନାରୀର ସଦିଚ୍ଛା ଓ ସମ୍ମତି ଅପେକ୍ଷଣୀୟ । ଏହି ପ୍ରକାରର ବିବାହ ଗନ୍ଧର୍ବମାନଙ୍କ ମଧ୍ୟରେ ବିଶେଷଭାବରେ ପ୍ରଚଳିତ ଥିବାରୁ ଏହାର ନାମକରଣ ଏହିପରି ହୋଇଅଛି । ମେରୁପୃଷ୍ଠ ଓ କିଂପୁରୁଷ ପର୍ବତ ନିକଟରେ ବାସକରୁଥିବା ପାର୍ବତ୍ୟ ଉପଜାତିମାନଙ୍କ ମଧ୍ୟରୁ ଗନ୍ଧର୍ବମାନେ ଅନ୍ୟତମ । ଏମାନେ ଗଣଜାତିବିଶେଷ ଓ ଶୈବ ଥିଲେ । ବିଦ୍ୟାଧର, ଅପ୍‌ସର, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର, ଗୃହ୍ୟକ ଜାତି ଏହି ଶ୍ରେଣୀର । ସେମାନଙ୍କୁ ଦେବଯୋନି କୁହାଯାଉଥିଲା । ପିଶାଚ ଜାତି ଦେବଯୋନିବିଶେଷ ହେଲେ ମଧ୍ୟ ଏମାନଙ୍କଠାରୁ ନିକୃଷ୍ଟତର ଥିଲେ । ସମ୍ଭବତଃ ହିମାଳୟର ପାର୍ବତ୍ୟ ଅଞ୍ଚଳରେ ଏହି ଉପଜାତିର ଲୋକମାନେ ବସବାସ କରୁଥିଲେ । ପ୍ରାଚୀନକାଳରେ ଅଶ୍ୱର ମୁଖା ମୁହଁରେ ଦେଇ ବହୁ ସମୟରେ ନୃତ୍ୟ କରୁଥିବାରୁ ଗନ୍ଧର୍ବମାନଙ୍କୁ ଅଶ୍ୱମୁଖ୍ୟାକୃତିରୂପେ ବର୍ଣ୍ଣନା କରାଯାଇଛି ।

 

ଭାରତରେ ଅଧନା ପ୍ରଚଳିତ ବିବାହପଦ୍ଧତିରେ ବ୍ରାହ୍ମ୍ୟ, ଦୈବ, ଆର୍ଷ, ପ୍ରଜାପତ୍ୟ ଓ ଗାନ୍ଧର୍ବ ବିବାହର ପ୍ରଭାବ ଅଳ୍ପେ ବହୁତେ ରହିଯାଇଛି । ଆସୁର, ରାକ୍ଷସ ଓ ପୈଶାଚ ବିବାହ କାଳକ୍ରମେ ନିନ୍ଦିତ ହୋଇଛି । ଏହି ଅଷ୍ଟବିଧ ବିବାହ ମଧ୍ୟରୁ ପୈଶାଚ ବିବାହ ଅଧମରୂପେ ବିବେଚିତ । ପିଶାଚ ଶବ୍ଦ ଆମ୍ଭମାନଙ୍କ ମଧ୍ୟରେ କେତେକ ଅଂଶରେ ଦୁର୍ବୋଧ୍ୟ ହୋଇପଡ଼ିଛି । ପ୍ରାଚୀନ କାଳରେ ଭାରତର ବଣଜଙ୍ଗଲ ଓ ବିଶେଷକରି ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ଏହି ପିଶାଚମାନେ ବାସକରୁଥିଲେ । ଏମାନେ କଞ୍ଚା ମାଂସ ଓ ପର୍ଯ୍ୟୁଷିତ ଅନ୍ନ ଭକ୍ଷଣ କରୁଥିଲେ । ଏହି ପିଶାଚମାନଙ୍କ ସହିତ ଆର୍ଯ୍ୟମାନଙ୍କୁ ବହୁ ଯୁଦ୍ଧରେ ସମ୍ମୁଖୀନ ହେବାକୁ ପଡ଼ିଛି ।

Image

 

କବି-ପ୍ରସିଦ୍ଧି

 

ପ୍ରାଚୀନ କାବ୍ୟକବିତାରେ ଆମେ କେତେକ ଅହେତୁକ ଓ ଆପାତବିରୋଧ ବର୍ଣ୍ଣନା ଦେଖିବାକୁ ପାଉ । ଏହି ବର୍ଣ୍ଣନାଗୁଡ଼ିକ ଅନୁଭୂତି ବା ପ୍ରମାଣ-ସିଦ୍ଧ ନହେଲେ ମଧ୍ୟ କବିମାନେ ବ୍ୟବହାର କରିଥିବା ଦୃଷ୍ଟିରୁ ସେଗୁଡ଼ିକୁ ଆମେ ଗ୍ରହଣ କରିଥାଉ । ଏଗୁଡ଼ିକୁ ‘କବିପ୍ରସିଦ୍ଧି’ ବା କବିସମୟ ପ୍ରସିଦ୍ଧି କୁହାଯାଏ । ‘କବିସମୟ’ ଶବ୍ଦକୁ ରାଜଶେଖର ସର୍ବପ୍ରଥମେ ପ୍ରୟୋଗ କରିଛନ୍ତି-। ସମ୍ଭବତଃ ରାଜଶେଖର ଏହି ଶବ୍ଦକୁ ବ୍ୟବହାର କରିବାରେ ଅଭିପ୍ରାୟ ଥିଲା, ‘ଦେଶକାଳ ବିରୁଦ୍ଧବର୍ଣ୍ଣନା କବିତ୍ୱର ହାନିକାରକ ହେଲେହେଁ, କବିପରମ୍ପରାରେ ଏପରି କେତେକ ବର୍ଣ୍ଣନା ଅଛି ଯାହାକୁ ଦୋଷରୂପେ ଗ୍ରହଣ କରିବା ଉଚିତ ନୁହେଁ ।’ ବାମନ ସ୍ୱୀୟ ‘ଅଳଙ୍କାରସୂତ୍ର’ରେ ପ୍ରାୟ ଅନୁରୂପ ଅର୍ଥରେ ‘କାବ୍ୟସମୟ’ ପଦର ବ୍ୟବହାର କରିଛନ୍ତି । କାବ୍ୟସମୟ ପଦର ଅର୍ଥ ହେଉଛି ଲୋକ-ଶାସ୍ତ୍ରର ବିରୁଦ୍ଧ ବର୍ଣ୍ଣନା । ବହୁ ଆଳଙ୍କାରିକ ଏହିପରି ବର୍ଣ୍ଣନାକୁ ଦୋଷପର୍ଯ୍ୟାୟର ଅନ୍ତର୍ଭୁକ୍ତ କରିଛନ୍ତି । ବିଶ୍ୱନାଥ କବିରାଜ ସାହିତ୍ୟଦର୍ପଣରେ ଏହି କବିସମୟପ୍ରସିଦ୍ଧିକୁ ଦୋଷ-ପର୍ଯ୍ୟାୟ ପରିଚ୍ଛେଦରେ ସ୍ଥାନ ଦେଇଛନ୍ତି । ସମାଲୋଚକମାନେ ଏହି ଶାସ୍ତ୍ରବିରୁଦ୍ଧ ବା ପ୍ରମାଣବିରୁଦ୍ଧ ବର୍ଣ୍ଣନା ସବୁକୁ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରନ୍ତି ନାହିଁ । ବିଶ୍ୱନାଥଙ୍କ ମତରେ ପ୍ରଚଳିତ କବିପ୍ରସିଦ୍ଧି ଗୁଡ଼ିକ ହେଲା–

 

‘‘ମାଳିନ୍ୟଂ ବ୍ୟୋମ୍ନି ପାପେ ଯଶସି ଧବଳତା ବର୍ଣ୍ଣ୍ୟତେ ହାସକୀର୍ତ୍ତ୍ୟୋଃ

ରକ୍ତୌ ଚ କ୍ରୌଧରାଗୌ ସରିଦୁଦଧିଗତଂ ପଙ୍କଜେନ୍ଦୀବରାଦି ।

ତୋୟାଧାରେଽଖିଳେଽପି ପ୍ରସରତି ଚ ମରାଳାଦିକଃ ପକ୍ଷିସଘୋଂ

ଜ୍ୟୋତ୍ସ୍ନା ପେୟା ଚକୋରୈର୍ଜଳଧରସମୟେ ମାନସଂ ଯାନ୍ତି ହଂସାଃ ।

ପାଦାଘାତାଦଶୋକଂ ବିକସତି ବକୁଳ୍ୟ ଯୋଷିତାମାସ୍ୟମଦ୍ୟୈଃ

ଯୂନାମଙ୍ଗେଷୁ ହାରାଃ ସ୍ଫୁଟତି ଚ ହୃଦୟଂ ବିପ୍ରଯୋଗସ୍ୟ ତାପୈଃ ।

ମୌବୀଂ ଲୋଳମ୍ବମାଳା ଧନୁରଥବିଶିଖାଃ କୌସୁମାଃ ପୁଷ୍ପକେତୋଃ

ଭିନ୍ନଂ ସ୍ୟାଦସ୍ୟ ବାଣୈର୍ଯୁ ବଜନହୃଦୟଂ ସ୍ତ୍ରୀକଟାକ୍ଷେଣ ତଦ୍‌ବତ୍‌ ।।

ଅହ୍ନ୍ୟମ୍ଭୋଜଂ ନିଶାୟାଂ ବିକସିତ କୁମୁଦଂ ଚନ୍ଦ୍ରିକା ଶୁକ୍ଳପକ୍ଷେ

ମେଘଧ୍ୱାନେଷୁ ନୃତ୍ୟଂ ଭବତି ଚ ଶିଖିନାଂ ନାପ୍ୟଶୋକେ ଫଳଂ ସ୍ୟାତ୍‌,

ନ ସ୍ୟାଜ୍ଜତୀ ବସନ୍ତେ ନ ଚ କୁସୁମଫଳେ ଗନ୍ଧସାରଦ୍ରୁ ମାଣା-

ମିତ୍ୟାଦ୍ୟୁନ୍ମେୟମନ୍ୟତ୍‌ କବିସମୟଗତଂ ସତ୍‌କବୀନାଂ ପ୍ରବନ୍ଧେ ।’’

 

(ସାହିତ୍ୟଦର୍ପଣ-୭-୧୯)

 

[ଆକାଶ ଓ ପାପର ବର୍ଣ୍ଣ କୃଷ୍ଣ, ହାସ ଓ କୀର୍ତ୍ତି ଧବଳବର୍ଣ୍ଣ, କ୍ରୋଧ ଓ ଅନୁରାଗ ରକ୍ତବର୍ଣ୍ଣ ବୋଲି କବିମାନେ ଲେଖିଛନ୍ତି । କବିମାନଙ୍କ ବର୍ଣ୍ଣନାରେ ନଦୀ ଏବଂ ସମୁଦ୍ରରେ ମଧ୍ୟ ପଦ୍ମ, ଇନ୍ଦ୍ରୀବର ପ୍ରଭୃତି ପ୍ରସ୍ଫୁଟିତ ହୋଇଥାଏ । ସମସ୍ତ ଜଳାଶୟରେ ହଂସପ୍ରଭୃତି ପକ୍ଷୀମାନେ ସଞ୍ଚରଣ କରନ୍ତି । ଚକୋରମାନେ ଜ୍ୟୋତ୍ସ୍ୟା ପାନ କରିଥାନ୍ତି । ବର୍ଷାୠତୁରେ ରାଜହଂସମାନେ ମାନସ ସରୋବରକୁ ଯାଆନ୍ତି । ଲଳନାର ପଦାଘାତରେ ଅଶୋକ ଏବଂ ମୁଖମଦିରା ପାନକରି ବକୁଳ ବୃକ୍ଷ ପୁଷ୍ପିତ ହୋଇଥାଏ । ଯୁବକମାନଙ୍କର ବକ୍ଷଦେଶରେ ମୁକ୍ତାମାଳା ବିଲମ୍ୱିତ ହୋଇଥାଏ ଓ ସେମାନଙ୍କ ହୃଦୟ ବିରହ ସନ୍ତାପରେ ବିଦୀର୍ଣ୍ଣ ହୁଏ । କନ୍ଦର୍ପର ଧନୁ ଓ ଶର ପୁଷ୍ପରେ ଏବଂ ଧନୁର୍ଗୁଣ ଭ୍ରମରପଙ୍‌କ୍ତିଦ୍ୱାରା ନିର୍ମିତ ହୋଇଥାଏ । ପୁଷ୍ପନିର୍ମିତ ଶର ଓ ସ୍ତ୍ରୀ କଟାକ୍ଷରେ ଯୁବକର ହୃଦୟ ବିଦ୍ଧହୁଏ । ଦିବସରେ ପଦ୍ମ ଓ ରାତ୍ରିରେ କୁମୁଦ ବିକଶିତ ହୁଏ । କେବଳ ଶୁକ୍ଳପକ୍ଷର; ଚନ୍ଦ୍ରିକା ଓ ମେଘ ସନ୍ଦର୍ଶନରେ ମୟୁରର ନୃତ୍ୟ ଦେଖାଯାଏ । ଆଶୋକବୃକ୍ଷରେ ଫଳ ହୁଏନାହିଁ । ଜାତୀପୁଷ୍ପ ବସନ୍ତରେ ଫୁଟେନାହିଁ । ଚନ୍ଦନବକ୍ଷରେ ପୁଷ୍ପ ଓ ଫଳର ବର୍ଣ୍ଣନା କରା ହୁଏନାହିଁ ।]- ଏହିପରି ଅନ୍ୟ କେତେକ ପ୍ରସିଦ୍ଧ ଚଳଣି ମଧ୍ୟ ପ୍ରାଚୀନ କବିମାନଙ୍କର ବର୍ଣ୍ଣନାରେ ଦେଖାଯାଏ । ବାସ୍ତବତା ଦୃଷ୍ଟିରୁ ବିଚାରକଲେ ଏହି ଚଳଣିଗୁଡ଼ିକର ଅସାରତା ପରିଦୃଷ୍ଟ ହୁଏ । ଉଦାହରଣ ସ୍ୱରୂପ- ନଦୀ ଏବଂ ସମୁଦ୍ରରେ ପଦ୍ମ କୁମୁଦପ୍ରଭୃତି ପ୍ରସ୍ଫୁଟିତ ହେବାର କେହି ଦେଖିନାହିଁ । ସେହିପରି ସମସ୍ତ ଜଳାଶୟରେ ମଧ୍ୟ ହଂସ, କରଣପ୍ରଭୃତି ପକ୍ଷୀମାନେ ନଥାନ୍ତି । ଚକୋରମାନେ ଜ୍ୟୋତ୍ସ୍ୟାପାନ କରନ୍ତି କି ନାହିଁ କେହି କହିପାରିବେ ନାହିଁ । ବର୍ଷାୠତୁରେ ରାଜହଂମାନେ ମାନସ ସରୋବରକୁ ଯିବା କବିମାନଙ୍କର କଳ୍ପନା । ଅଶୋକ ଓ କୁଳବୃକ୍ଷର ଦୋହଦ ପ୍ରମାଣସିଦ୍ଧ ନୁହେଁ । ଅଶୋକ ବୃକ୍ଷରେ ଫଳ ମଧ୍ୟ ଦେଖାଯାଏ ଏବଂ ଚନ୍ଦନବୃକ୍ଷରେ ପୁଷ୍ପ ଓ ଫଳ ମଧ୍ୟ ହୋଇଥାଏ ।

 

ବୃକ୍ଷଦୋହଦ- କିନ୍ତୁ ଅନୁଭୂତିନିରାଳମ୍ୱ ଏହି ବର୍ଣ୍ଣନାଗୁଡ଼ିକ ପଛରେ କି ପ୍ରକାର କାରଣ ରହିଅଛି ତାହା ବିଚାର୍ଯ୍ୟ । ଏହି ପ୍ରସଙ୍ଗରେ ବୃକ୍ଷଦୋହଦ-ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରିବା ଉଚିତ ହେବ । ଯେତେ ପ୍ରଚଳିତ କାବ୍ୟପ୍ରସିଦ୍ଧ ରହିଅଛି ସେମାନଙ୍କ ମଧ୍ୟରୁ ବୃକ୍ଷଦୋହଦ ପ୍ରସିଦ୍ଧିଟି ବିଶେଷଭାବେ ଆମ୍ଭମାନଙ୍କୁ ବିସ୍ମିତ କରିଥାଏ ।

 

ଗର୍ଭବତୀର ଇଚ୍ଛାକୁ ଦୋହଦ କୁହାଯାଏ । ଦୋହଦ ଶବ୍ଦ ଟି ‘ଦ୍ୱୌହୃଦକ୍ଷ ଶବ୍ଦରୁ ଆସିଛି-। ଗର୍ଭାଧାନ ପରେ ଗର୍ଭସ୍ଥ ସନ୍ତାନ ଓ ଗର୍ଭବତୀନାରୀ—ଏହିପରି ଦୁଇଟି ହୃଦୟର ଏକତ୍ର ସମାବେଶ ହୋଇଥିବାରୁ ‘ଦୋହଦ’ ଶବ୍ଦରୁ ସୃଷ୍ଟି ହୋଇଛି । ଅର୍ଥର ସଂକ୍ରମଣରେ ଏହା ଗର୍ଭବତୀ ଅବସ୍ଥାରେ ନାରୀର ଅଭିଳାଷକୁ ବୁଝାଇଥାଏ । ଏହାକୁ ଗାଁଗହଳିରେ ‘ସାଦ’ ବା ‘ସୁଆଦଖିଆ’ କହିଥାନ୍ତି ।

 

ନାରୀର ଦୋହଦ ପୂରଣକରିବା ଆମର ଏକ ସାମାଜିକ ପ୍ରଥା । ଏହା ନକଲେ ସୁଖପ୍ରସଦ ହୁଏନାହିଁ; କିମ୍ୱା ସନ୍ତାନ ବିକଳାଙ୍ଗ ହୁଏ । ତେଣୁ ଧର୍ମାଚାରରେ ଦୋହଦ ଚଳଣିଟି ରହିଗଲାଣି । ଉକ୍ତ ପ୍ରଥା ବହୁ ପୂର୍ବରୁ ପ୍ରଚଳିତ । ରାମାୟଣ ଓ ଉତ୍ତରରାମଚରିତର ବର୍ଣ୍ଣନା ଅନୁସାରେ ରାମଚନ୍ଦ୍ର ଅନ୍ତଃସତ୍ତ୍ୱା ସୀତାଙ୍କର ଦୋହଦପୂର୍ତ୍ତିଛଳରେ ତାଙ୍କୁ ତମସାତୀରସ୍ଥ ବାଲ୍ମିକୀଙ୍କ ଆଶ୍ରମ ପଠାଇଥିଲେ ।

 

କିନ୍ତୁ ‘ବୃକ୍ଷଦୋହଦ’ ଏକ ଭିନ୍ନ ଅର୍ଥରେ ପ୍ରଚଳିତ । ଏଠାରେ ଦୋହଦର ଅର୍ଥ ବୃକ୍ଷର ବନ୍ଧ୍ୟତାଦୋଷର ନିରାକରଣ । କେତେକ ବୃକ୍ଷ ବହୁଦିନଧରି ପୁଷ୍ପିତ ହୁଅନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଷ୍ପିତକରିବା ଅର୍ଥରେ ଦୋହଦ ଶବ୍ଦ ପ୍ରଯୁକ୍ତ । ଆଉ ମଧ୍ୟ କେତେକ କୁଶଳବ୍ୟକ୍ତିଙ୍କ ସ୍ପର୍ଶ ଓ ସମାଗମରେ ଅକାଳରେ ତରୁ, ଗୁଳ୍ମ, ଓ ଲତାଗୁଡ଼ିକର ପୁଷ୍ପୋଦ୍‌ଗମ ହେବାର ବର୍ଣ୍ଣନା ଦେଖିବାକୁ ମିଳେ । ରଘୁବଂଶର ପ୍ରଥମ ସର୍ଗରେ ବର୍ଣ୍ଣିତ ଅଛି–

 

‘‘ଶଶାମ ବୁଷ୍ଟ୍ୟାପି ବିନା ଦବାଗ୍ନିଃ

ଆସୀଦ୍‌ବିଶେଷା ଫଳପୁଷ୍ପବୃଦ୍ଧିଃ’’

 

ଅର୍ଥାତ୍‌ ରାଜା ଦିଲୀପ ଅରଣ୍ୟରେ ପ୍ରବେଶ କରନ୍ତି ବିନା ମେଘରେ ବନାଗ୍ନି ପ୍ରଶମିତ ହୋଇଯାଇଛି ଓ ବୃକ୍ଷଲତାରେ ଫଳପୁଷ୍ପ ଅଧିକମାତ୍ରାରେ ଦେଖାଦେଇଛି । ପୁରୁଷମାନଙ୍କ କନ୍ଦର୍ପକଳାକୁ ନାରୀମାନଙ୍କ ଅଙ୍ଗସ୍ପର୍ଶରେ ପୁଷ୍ପୋଦ୍‌ଗମର ବର୍ଣ୍ଣନା ବିଶେଷଭାବରେ ଦେଖିବାକୁ ମିଳିଥାଏ ।

 

ଲଳନାର ସ୍ପର୍ଶ- ବୃକ୍ଷଦୋହଦର ଯେଉଁ କେତେକ ବିଶେଷ ବର୍ଣ୍ଣନା କବିପ୍ରସିଦ୍ଧିରେ ମିଳିଥାଏ ତାହା ହେଉଛି, ‘‘ସୁନ୍ଦରୀ ଲଳନାର ପଦାଘାତରେ ଅଶୋକର ଓ କ୍ରୀଡ଼ାରସଜନିତ କୁଚାଘାତରେ କୁରବକର ପୁଷ୍ପୋଦ୍‌ଗମ ହୋଇଥାଏ । ସେହିପରି ବକୁଳବୃକ୍ଷ ବଦନମଦିରା ପାନକରି ପୁଷ୍ପିତ ହେବାର ଉଲ୍ଲେଖ ଅଛି । ସ୍ତ୍ରୀର ନୃତ୍ୟ ସନ୍ଦର୍ଶନରେ କର୍ଣ୍ଣିକାର, ମୃଦୁହାସରେ ଚମ୍ପକ, ଚାହାଁଣିରେ ତିଳକ (ପୁନ୍ନାଗ ?) ଗୀତ ଶ୍ରବଣରେ ନମେରୁ, ଅଙ୍ଗସ୍ପର୍ଶରେ ପ୍ରିୟଙ୍ଗୁ ଓ ମୁଖନିର୍ଗତ ବାୟୁସ୍ପର୍ଶରେ ସହକାର ପୁଷ୍ପିତ ହୋଇଥାନ୍ତି ।’’

 

କବିପ୍ରସିଦ୍ଧି ରୂପେ ପ୍ରଚଳିତ ବୃକ୍ଷଦୋହଦ ମୂଳରେ ଭାରତର ଏକ ସାଂସ୍କୃତିକ ଜୀବନର ଇତିହାସ ରହିଅଛି । ଏହି ବୃକ୍ଷରୂପେ ପରିଚିତ । ବହୁ ଭିତ୍ତିଚିତ୍ରରେ ବୃକ୍ଷର ଦୋହଦପାଇଁ ନାରୀ ଅଙ୍ଗର ସ୍ପର୍ଶ, ନର୍ତ୍ତନ, ଗାନ ପ୍ରଭୃତିର ଆଲେଖ୍ୟ ଦୃଷ୍ଟିଗୋଚର ହୋଇଥାଏ । ଭାରତର ବିଭିନ୍ନ ମନ୍ଦିରଗାତ୍ରରେ ସ୍ତମ୍ଭ ଓ ଶିଳାଭିତ୍ତିରେ ଆମେ ଏପରି ଚିତ୍ର ଦେଖିବାକୁ ପାଇଁଥାଉଁ । ମଥୁରା ମ୍ୟୁଜିୟମରେ ସଂରକ୍ଷିତ ଗୋଟିଏ ମୂର୍ତ୍ତିରୁ ଜଣାଯାଏ, ସୁନ୍ଦରୀ ଯକ୍ଷିଣୀ ଅଶୋକବୃକ୍ଷର ଶାଖା ଧାରଣକରି ଦଣ୍ଡାୟମାନ ହୋଇଛି ଏବଂ ପୁଷ୍ପୋଦ୍‌ଗମପାଇଁ ବାମ ପାଦରେ ବୃକ୍ଷକୁ ଆଘାତ କରୁଛି-। ସେହିପରି ତାଞ୍ଜୋରର ‘ସୁବ୍ରହ୍ମଣ୍ୟମ୍‌’ ମନ୍ଦିରର ଦ୍ୱାରଦେଶରେ ଗୋଟିଏ ମୂର୍ତ୍ତି ଉତ୍କୀର୍ଣ୍ଣ ହୋଇଅଛି-। ତେଣୁ ବୃକ୍ଷଦୋହଦ ପଛରେ ଯକ୍ଷ ସଭ୍ୟତାର ସଂସ୍କୃତି ଅନୁମେୟ ।

 

ଯକ୍ଷ ସଭ୍ୟତା- ଏହି ପ୍ରସଙ୍ଗରେ ଭାରତର ଆର୍ଯୋତର ସଂସ୍କୃତିର ପରିଚୟ ଦେବା ଆବଶ୍ୟକ ହେବ । ଏଠାରେ ଆର୍ଯ୍ୟଶବ୍ଦ ବୈଦିକ ଆର୍ଯ୍ୟ ଅର୍ଥରେ ବ୍ୟବହୃତ । ବୈଦିକ ସଂସ୍କୃତିର ବାହାରେ ଏକ ମହାନ୍‌ ସଂସ୍କୃତି ଏ ଦେଶରେ ପ୍ରଚଳିତ ଥିଲା । ଏହି ସଂସ୍କୃତିର ନିୟାମକମାନେ ଅସୁର, ଯକ୍ଷ, ଗନ୍ଧର୍ବ, ଅପୁସରା ଓ ନାଗ ନାମରେ ଆଖ୍ୟାତ । ଏମାନଙ୍କର ସଂସ୍କୃତି ବେଦବର୍ଣ୍ଣିତ ବ୍ରାତ୍ୟସଂସ୍କୃତିର ଅନୁପୂରକ । ଅସୁର ସଂସ୍କୃତିର ପରିବ୍ୟାପ୍ତି ମିଶର, ମେସୋପଟାମିଆ ଓ ମଧ୍ୟ ଏସିଆରୁ ଆରମ୍ଭ କରି ସିନ୍ଧୁ ନଦୀର ଉପକୂଳ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା । ବେଦରେ ମିତ୍ର ଓ ବରୁଣଙ୍କୁ ଅସୁର ବୋଲି ମଧ୍ୟ କୁହାଯାଇଛି । ମିତ୍ର ଓ ବରୁଣଙ୍କୁ ଆମେ ଆକାଶ, ସୂର୍ଯ୍ୟ ଓ ଜଳର ଦେବତା ରୂପେ ଗ୍ରହଣ କରିଥାଉ । ସମ୍ଭବତଃ ଅସୁରମାନେ ସୂର୍ଯ୍ୟ ଓ ଜଳର ଉପାସକ ଥିଲେ । ଯକ୍ଷମାନେ ମେରୁପୃଷ୍ଠ ପର୍ବତ ଓ ଉତ୍ତରକୁରୁ ଅଞ୍ଚଳରେ ଯୁବନଦ୍ଧଭାବରେ ବିଚରଣ କରୁଥିବାର ବହୁବର୍ଣ୍ଣନା ମିଳେ । କୁବେରଙ୍କୁ ଯକ୍ଷପତି କୁହାଯାଏ । ଶିବ, ବରୁଣ ଓ କାମଦେବ ମଧ୍ୟ ଯକ୍ଷପତିରୂପେ ବର୍ଣ୍ଣିତ ହୋଇଛନ୍ତି । ଅପସରା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଜଳରେ ବିଚରଣ କରନ୍ତି (ଅପସୁରାସରିତ ଇତି) । ତେଣୁ ଜଳସଭ୍ୟତା ସହିତ ଏମାନଙ୍କ ସମ୍ପର୍କ ସୁସ୍ପଷ୍ଟ । ସେହିପରି ପୁରାଣମାନଙ୍କରେ ନାଗଜାତି ଓ ନାଗକନ୍ୟାମାନଙ୍କ ସମ୍ପର୍କରେ ବହୁ ବର୍ଣ୍ଣନା ରହିଛି । ଏହି ଜାତିର ଲୋକମାନେ ସର୍ପପୂଜା କରୁଥିଲେ । ଓଡ଼ିଶାରେ ବହୁ ଲୋକଙ୍କ ମଧ୍ୟରେ ନାଗଗୋତ୍ର ବିଶେଷରୂପେ ରହିଛି । ଏହି ନାମରେ ବହୁ ରୂପକଥା (myth) ଏ ଦେଶରେ ପ୍ରଚଳିତ । ସ୍ଥାନବିଶେଷର ନାମ ମଧ୍ୟ ନାଗକୁଣ୍ଡ, ମଣିନାଗ, ନାଗାର୍ଜ୍ଜୁନ ଓ ନାଗାପ୍ରଭୃତି ରହିଅଛି । ଏମାନଙ୍କ ସମ୍ପର୍କରେ ସବିଶେଷ ଆଲୋଚନା ବାରାନ୍ତରେ କରିବାର ଅଭିଳାଷ ରଖି ପ୍ରସଙ୍ଗକ୍ରମେ ଆବଶ୍ୟକୀୟ ସୂଚନା ଦେଉଛି । ସମୁଦ୍ରଗୁପ୍ତଙ୍କ ବିରୋଧରେ ଯେଉଁ ପାର୍ବତ୍ୟରାଜାମାନେ ମିଳିତହୋଇ ଯୁଦ୍ଧକରିଥିଲେ, ସେମାନଙ୍କ ମଧ୍ୟରେ ନାଗସେନ, ଗଣପତି ନାଗ ଓ ଅଚ୍ୟୁତ ନାଗ ଅନ୍ୟତମ ।

 

ଏକ ମହାନ୍‌ ପ୍ରାଚୀନ ସଂସ୍କୃତିର ପରିପ୍ରେକ୍ଷୀରେ ଆମେ ଏହି ଯକ୍ଷ ଓ ନାଗ ପ୍ରଭୃତିଙ୍କୁ ଗ୍ରହଣକରିବା ଉଚିତ । ବୈଦିକ ଆର୍ଯ୍ୟମାନଙ୍କ ସହିତ ସେମାନଙ୍କ ସଂଘର୍ଷ ପ୍ରମାଣସିଦ୍ଧ । ସିନ୍ଧୁ ଉପତ୍ୟକାରେ ବୈଦିକ ଆର୍ଯ୍ୟମାନେ ବସତି ସ୍ଥାପନ କରିବା ପୂର୍ବରୁ ସମ୍ଭବତଃ ଏମାନଙ୍କ ବିରାଟ ସଂସ୍କୃତି ଗଢ଼ିଉଠିଥିଲା ଓ ତାହାର ନିଦର୍ଶନ ହରପ୍‌ପା ଏବଂ ମହେଞ୍ଜୋଦାରରୁ ମିଳେ । ସଂଘର୍ଷରେ ଏମାନେ ବହୁ ସ୍ଥଳରେ ବୈଦିକ ଆର୍ଯ୍ୟମାନଙ୍କଦ୍ୱାରା ପରାଜିତ ହୋଇଅଛି; କିନ୍ତୁ ବିଜୟୀ ଆର୍ଯ୍ୟମାନେ ଏମାନଙ୍କ ସଂସ୍କୃତିଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିବାର ବିଶ୍ୱାସ କରାଯାଏ ।

 

ଉଲ୍ଲିଖିତ ଅସୁର, ଯକ୍ଷ, ଅପ୍‌ସରା, ଗନ୍ଧର୍ବ ଓ ନାଗମାନଙ୍କ ମଧ୍ୟରୁ ଯକ୍ଷ, ଅପ୍‌ସରା ଓ ଗନ୍ଧର୍ବମାନଙ୍କୁ ଅଧିଦେବତା ରୂପେ ଗ୍ରହଣ କରାହୋଇଛି । ଅମରକୋଷରେ ବର୍ଣ୍ଣିତ ଅଛି–

 

‘‘ବିଦ୍ୟାଧରୋପ୍‍ସରୋ ଯକ୍ଷରକ୍ଷଗନ୍ଧର୍ବକିନ୍ନରାଃ

ପିଶାଚଗୁହ୍ୟକୋସିଦ୍ଧଭୂତୋଽମୀ ଦେବଯୋନୟଃ ।’’

 

-ବିଦ୍ୟାଧର, ଅପ୍‌ସରା, ଯକ୍ଷ, ଗନ୍ଧର୍ବ, କିନ୍ନର, ପିଶାଚ, ଗୁହ୍ୟକ, ସିଦ୍ଧ, ଭୂତ ଏମାନେ ଦେବଯାନିବି ଶେଷରୂପେ କଥିତ ହୋଇଛନ୍ତି । ବୈଦିକ ଆର୍ଯ୍ୟମାନଙ୍କଦ୍ୱାରା ଏମାନେ ପରାଜିତ ହେଲାପରେ ସେମାନଙ୍କ ବଶତା ସ୍ୱୀକାର କରିବା ସ୍ୱାଭାବିକ । ଅପର ପକ୍ଷରେ ବୈଦିକ ଆର୍ଯ୍ୟମାନେ ଏମାନଙ୍କୁ ଅଧିଦେବତା ବା ଦେବଯାନିରୂପେ ଗ୍ରହଣକରି (subordinate deities) ସାଂସ୍କୃତିକ ସମନ୍ୱୟ ଆଣିପାରିଛନ୍ତି । ବୈଦିକ ଆର୍ଯ୍ୟମାନେ ମଧ୍ୟ ଏମାନଙ୍କର କେତେକ ରୁଚିପୂର୍ଣ୍ଣ ସଂସ୍କୃତି ଗ୍ରହଣକରି ସ୍ୱକୀୟ ସଂସ୍କୃତିକୁ ପୁଷ୍ପଳ କରିଛନ୍ତି । ଯକ୍ଷ ଓ ଅପସରାମାନଙ୍କ ମଧ୍ୟରେ ବୃକ୍ଷ ପୂଜା ପ୍ରଚଳିତ ଥିଲା । ଏମାନେ ସମ୍ଭବତଃ ପ୍ରଥମେ ନଦୀକୂଳରେ ବାସକରୁଥିଲେ ଓ ଜଳପୂଜକ ଥିଲେ; କିନ୍ତୁ କାଳକ୍ରମେ ଏମାନେ ବୃକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି । ଯକ୍ଷ ଓ ଗନ୍ଧର୍ବ ସମପର୍ଯ୍ୟାୟବାଚକ । ଏମାନେ ପାର୍ବତ୍ୟ ଜାତିବୋଲି ଅନୁମାନ କରାଯାଇପାରେ । ଅସୁର, ଦେବତା, ଯକ୍ଷ, ନାଗ-ପ୍ରତ୍ୟେକେ ଗୋଟିଏ ଗୋଟିଏ ସମ୍ପ୍ରଦାୟ ଓ ସଂସ୍କୃତିର ସଂକେତ । ବନ ପର୍ବରେ ବାସ କରୁଥିବା ଯକ୍ଷମାନେ ଲଳିତକଳାନିପୁଣ ଓ ରୁଚିବନ୍ତ ସଂସ୍କୃତିରେ ପରିପୁଷ୍ଟ ଥିଲେ । ସେମାନେ ଗୀତ, ବାଦ୍ୟ ଓ ନୃତ୍ୟରେ ନିପୁଣ ଏବଂ ରତିକ୍ରୀଡ଼ାରେ ସୁରସିକ ଥିଲେ । ସେମାନଙ୍କ ସୁରତକ୍ରୀଡ଼ାରେ ବୈଭବ ଓ ରମଣୀୟତା ଉଲ୍ଲେଖଯୋଗ୍ୟ । ତେଣୁ ଯକ୍ଷବିଶେଷ କନ୍ଦର୍ପ ଓ ତାଙ୍କର ପ୍ରଣୟିନୀ ରତିଙ୍କୁ ସୁରତକେଳି ଓ ପ୍ରଜନନର ଦେବତାରୂପେ ଗ୍ରହଣ କରାଯାଇଛି-। ମୋଟଉପରେ ଏମାନଙ୍କର ରୁଚିବାଦ ଓ ସୌନ୍ଦର୍ଯ୍ୟବୋଧ ବୈଦିକ ଆର୍ଯମାନଙ୍କୁ ଉଦ୍‌ବୁଦ୍ଧ କରିଛି ଏବଂ ବୈଦିକ ଆର୍ଯ୍ୟମାନେ ଗାନ୍ଧର୍ବ ସଂସ୍କୃତିକୁ ନିଜସ୍ୱ କରିନେଇଛନ୍ତି । ଏହି ଭୂମିକାରେ ବୈଦିକ ଦେବତା ଇନ୍ଦ୍ରଙ୍କର ନୃତକାରିଣୀରୂପେ ଅପ୍‌ସରା ଏବଂ ସହାୟକ ସନ୍ତାରୂପେ କନ୍ଦର୍ପ ଓ ଗନ୍ଧର୍ବମାନେ ଗୃହୀତ ହେଲେ । ଏପରିକି ଇନ୍ଦ୍ରଙ୍କ ପରେ ଉପେନ୍ଦ୍ର-ସଂସ୍କୃତିର ପ୍ରବର ପ୍ରସ୍ଥାପକ ଶ୍ରୀକୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ କନ୍ଦର୍ପଙ୍କ ସହିତ ସମାହିତ ହୋଇଛନ୍ତି ।

 

ପ୍ରଜନନ ଦେବତା–ଏହି ଗନ୍ଧର୍ବମାନେ ପ୍ରଜନନକ୍ରିୟାର ଦେବତା । ତେଣୁ ସେମାନଙ୍କ ସଂସ୍କୃତିର ଚିହ୍ନ ସ୍ୱରୂପ ବୃକ୍ଷମାନେ ମଧ୍ୟ ସାଙ୍କେତିକ ଭିତ୍ତିରେ ପୂଜା ପାଇଲେ । ଏବେ ମଧ୍ୟ ଆମ ସମାଜରେ ବିଲ୍ୱ, ବଟ, ଅଶ୍ୱତ୍‌ଥ, ଉଦୁମ୍ୱର ପ୍ରଭୃତି ବୃକ୍ଷ ଶ୍ରଦ୍ଧା ଓ ଭକ୍ତିରେ ପୂଜିତ ହୁଅନ୍ତି । ବୃକ୍ଷପୂଜାର ଉଦ୍ଦେଶ୍ୟ ଦୁଇପ୍ରକାର ଥାଏ । ଗୋଟିଏ ଧର୍ମ ଓ ଅର୍ଥର ପରିପୂରଣପାଇଁ । ଅନ୍ୟ ଏକ ଶୃଙ୍ଗାର ସମ୍ଭୋଗପାଇଁ । ଉଲ୍ଲିଖିତ ବୃକ୍ଷଗୁଡ଼ିକ ଧର୍ମ ଓ ଅର୍ଥକାମନାରେ ପ୍ରାୟ ଉଦ୍ଦିଷ୍ଟ । କିନ୍ତୁ ରମଣୀୟ ସୁଖଗ୍ରାହ୍ୟ ଶୃଙ୍ଗାରର ସଙ୍କେତ ରୂପେ ଅଶୋକ, ବକୁଳ, କର୍ଣ୍ଣିକାର, ଚମ୍ପକ, ପୁନ୍ନାଗ, ପ୍ରଭୃତି ଆଦୃତ । ଏମାନେ ରୁଚିବାଦର (Aesthetic) ସଙ୍କେତ ବହନ କରନ୍ତି । ସମ୍ଭବତଃ ଯକ୍ଷ ଓ ଯକ୍ଷିଣୀମାନେ ଏହି ବୃକ୍ଷଶୋଭିତ ଉପବନରେ ସ୍ୱଚ୍ଛନ୍ଦବିହାର କରୁଥିଲେ ଏବଂ ସେମାନଙ୍କର ଯୁଗନଦ୍ଧ ସୁରତକ୍ରୀଡ଼ା, ଲୋକୋତ୍ତର ରୁଚିବୋଧ ଓ ଆନନ୍ଦର ପ୍ରତୀକ ହୋଇପାରିଛି । ଯକ୍ଷ ଓ ଯକ୍ଷିଣୀମାନେ ଉର୍ବରତାର ଦେବତା । କନ୍ଦର୍ପ ପ୍ରଜନନର ଦେବତା । ଏଠାରେ ଉର୍ବରତା ପୃଥିବୀ ଓ ନାରୀର ଅବନ୍ଧ୍ୟତ୍ୱକୁ ବୁଝାଉଛି । ପୃଥିବୀକୁ ଶସ୍ୟଶାମଳା ଓ ନାରୀକୁ ସନ୍ତାନବତୀ କରିବାପାଇଁ ସାମଜରେ ଯେଉଁ ପରିପୂର୍ଣ୍ଣ ଅଭିଳାଷ ରହିଛି ତାହାର ରୂପାନ୍ତର ଭାବେ ବୃକ୍ଷଦୋହଦକୁ ଗ୍ରହଣ କରାଯାଇପାରେ । ପୁରୁଷ ନାରୀର ଯେଉଁ ବିଭାବ ଇଚ୍ଛାକରେ, ବୃକ୍ଷ ତାହାହିଁ ଇଚ୍ଛାକରେ ବୋଲି କଳ୍ପିତ ହୋଇଛି ।

 

ଏଠାରେ ଅନ୍ୟ ଏକ ପ୍ରତୀୟମାନେ ଧ୍ୱନି ରହିଅଛି । ଅଶୋକ, ବକୁଳ, ପୁନ୍ନାଗ, ସହକାର ପ୍ରଭୃତି ବୃକ୍ଷଗୁଡ଼ିକ ସରଳ ଓ ଦେଖିବାକୁ ସୁନ୍ଦର । ବନ୍ୟନାରୀ ଯକ୍ଷିଣୀମାନେ ଏକାନ୍ତରେ ଏହି ବୃକ୍ଷ ସହିତ ରମଣୀର ଅଭିନୟ କରିବା ଅସମ୍ଭବ ନୁହେଁ । ରତି ପ୍ରସଙ୍ଗରେ ପୁରୁଷ ନାରୀର ପଦାଘାତ, ଆଲିଙ୍ଗନ, ଅଧରସୀଧୁ, ଲାସ୍ୟ, ହାସ୍ୟ, ଅଙ୍ଗସ୍ପର୍ଶ, ପ୍ରଭୃତି ଇଚ୍ଛା କଲାପରି ଏହି ବୃକ୍ଷଗୁଡ଼ିକ ସେହି ବିକ୍ଷେପର ଅଭିଳାଷ କରନ୍ତି ଓ ନାରୀମାନେ ବୃକ୍ଷମାନଙ୍କୁ ଆଙ୍ଗିକ ଓ ବାଚିକ ବିକ୍ଷେପରେ ରସାଳି କରି ସେମାନଙ୍କୁ ଉଲ୍ଲସିତ ଓ ପୁଷ୍ପିତ କରାନ୍ତି । ଅବଶ୍ୟ ଉପରୋକ୍ତ ବର୍ଣ୍ଣନାକୁ ସାଙ୍କେତିକ ଅର୍ଥରେ ଗ୍ରହଣକରିବା ବିଧେୟ । ବୃକ୍ଷଦୋହଦ ଛଳରେ ନାରୀହୃଦୟର ସନ୍ତାନଲିପ୍‌ସା ପ୍ରତିଫଳନ ମାତ୍ର ।

 

ଏ ସମ୍ପର୍କରେ ଗୋଟିଏ ଉଦାହରଣ ଦେଲେ କଥାଟି ସ୍ପଷ୍ଟ ହୋଇଯିବ । ସୁକୁମାରତା ଦୃଷ୍ଟିରୁ ଅଶୋକବୃକ୍ଷର ଗୁରୁତ୍ୱ ସ୍ମରଣୀୟ । ଏହି ବୃକ୍ଷର ନାମକରଣରେ ସମ୍ଭୋଗସଙ୍କେତ ରହିଛି । କବି ପ୍ରସିଦ୍ଧିରେ ଅଶୋକର ବର୍ଣ୍ଣନା ସମସ୍ତଙ୍କ ଅପେକ୍ଷା ବିଶେଷ ଦେଖାଯାଏ । ତେଣୁ ତାର ସାହିତ୍ୟିକ ମୂଲ୍ୟ ଅପରିହାର୍ଯ୍ୟ । ତନ୍ତ୍ର ଓ ସାମାଜିକ ପରମ୍ପରାରେ ଅଶୋକର ତାତ୍ପର୍ଯ୍ୟ ବିଚାର କରାଯାଉ । ମଧୁମାସର ଶୁକ୍ଳାଷ୍ଟମୀକୁ କୁହାଯାଏ । ସାଧାରଣ ବିଶ୍ୱାସ ଯେ, ବନ୍ଧ୍ୟାନାରୀ ଏହି ଦିନ ସ୍ନାନାନ୍ତେ ଅଶୋକବୃକ୍ଷତଳେ ଠିଆହୋଇ ଆଠଟି ଅଶୋକକଢ଼ି ଖାଇଲେ ଗର୍ଭବତୀ ହୁଏ । ଏ ପ୍ରଥା ଏବେ ମଧ୍ୟ ଚଳିଆସୁଛି । ଆଉ ମଧ୍ୟ ଶୋକଶୂନ୍ୟ ହେବାପାଇଁ ପ୍ରତ୍ୟେକ ଲୋକ ଏହି ଅଶୋକାଷ୍ଟମୀରେ ଅଶୋକ କଳିକା ଖାଇବା ବିଧେୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

 

ପଞ୍ଚବାଣ- ବସନ୍ତୠତୁର ରମରଣୀୟତା ସହିତ ପୁଷ୍ପିତ ଅଶୋକର ଶୋଭା—ଏକ ଅପୂର୍ବ ଉଲ୍ଲାସ ସୃଷ୍ଟି କରେ ଏବଂ ବସନ୍ତୋତ୍ସବ ବା ମଦନୋତ୍ସବର ଉଦ୍ଦୀପକ ବିଭାବରୂପେ ହୃଦୟ ଓ ମନକୁ କାମସିକ୍ତ କରିଥାଏ । ଅଶୋକ ବୃକ୍ଷ ଆନନ୍ଦ ଓ ମୈତ୍ରୀର ସଙ୍କେତ । ସେଥିପାଇଁ ବୋଧହୁଏ ଅଶୋକ କଳି ବିନିମୟକରି ସମବୟସୀମାନେ ଅଶୋକା ବସନ୍ତି । ବସ୍ତତଃ ଅଶୋକ ବୃକ୍ଷ ମହୋତ୍ସବର ସଙ୍କେତ । ଅଶୋକ କେତେ ପ୍ରେମ, ମୈତ୍ରୀ, ସମ୍ଭୋଗ ଓ ଶୃଙ୍ଗାର ଅଭିଳାଷର ରସଦୀପ୍ତ ସଙ୍କେତଳ ତାହା ବିଦଗ୍‌ଧମାନେ ସହଜରେ ଅନୁମାନ କରିପାରିବେ । ଆମର କବିମାନେ ଅଶୋକ ପୁଷ୍ପକୁ କନ୍ଦର୍ପର ଶରବିଶେଷରୂପେ ମଧ୍ୟ ବର୍ଣ୍ଣନା କରନ୍ତି ।

 

‘‘ଅରବିନ୍ଦମଶୋକଞ୍ଚ ଚୁତଂଚ ନମମାଳିକା,

ନୀଳୋତ୍ପଳଂ ଚ ପଞ୍ଚୈତେ ପଞ୍ଚବାଣସ୍ୟ ସାୟକାଃ-’’

 

ଅର୍ଥାତ୍‌ ପଦ୍ମଳ ଅଶୋକ ଓ ଆମ୍ୱ ବଉଳ ନବମାଳିକା, ନୀଳୋତ୍ପଳ-ଏହି ପାଞ୍ଚଟି ପୁଷ୍ପ କାମଦେଙ୍କର ଶରରୂପେ କଥିତ ହୋଇଥାଏ ।

 

ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, କବିପ୍ରସିଦ୍ଧ ମୂଳରେ ପ୍ରାଚୀନ ରୁଚିବୋଧ ଓ ସଂସ୍କୃତି ନିହିତ ରହିଛି ।

Image

 

କନ୍ଦର୍ପ

 

ଭାରତୀୟ ସଂସ୍କୃତିରେ କନ୍ଦର୍ପ ସମ୍ମୋହନରେ ଦେବତାରୂପେ ପ୍ରଖ୍ୟାତ । ପ୍ରତ୍ୟେକ ଦେବତାଙ୍କର ସ୍ୱର୍ଗୀୟ ଓ ପାର୍ଥିବ ରୂପବିନ୍ୟାସ ଦେଖିବାକୁ ମିଳେ; କିନ୍ତୁ କନ୍ଦର୍ପଙ୍କର ସ୍ୱର୍ଗୀୟ ଓ ପାର୍ଥିତ ରୂପସହିତ ମାନସିକ ସ୍ୱରୂପ କଳ୍ପିତ । ଲାବଣ୍ୟ ଓ ସୌନ୍ଦର୍ଯ୍ୟର ଅଧିଦେବତା ରୂପେ କନ୍ଦର୍ପ ବହୁ ପୁରାକାଳରୁ କଳ୍ପିତ ହୋଇଆସିଛନ୍ତି । ରତିଦେବୀ ତାଙ୍କର କାନ୍ତା ଓ ଶକ୍ତିରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ସାହିତ୍ୟରେ କନ୍ଦର୍ପଙ୍କ ବା କାମଦେବ ବିଶ୍ୱଦେବା ପର୍ଯ୍ୟାୟରେ ବର୍ଣ୍ଣିତ । ସେ ସୃଷ୍ଟି ତତ୍ତ୍ୱ ଓ ସୌନ୍ଦର୍ଯ୍ୟ ତତ୍ତ୍ୱ ସହିତ କନ୍ଦର୍ପଙ୍କର ସମ୍ପର୍କ ନିବିଡ଼ । ପୁରାଣ ଶାସ୍ତ୍ରରେ କନ୍ଦର୍ପଙ୍କର ସ୍ୱରୂପ ଓ କାର୍ଯ୍ୟାବଳୀର ଭୂୟସୀ ବର୍ଣ୍ଣନା ଦେଖାଯାଏ । ବୈଦିକ ଯୁଗରେ କନ୍ଦର୍ପଙ୍କର ସ୍ୱରୂପ କିପରି ଥିଲା: ତାହାର ପ୍ରମାଣ ଖୋଜି ପାଇବା କଷ୍ଟକର । ସମ୍ଭବତଃ ସେହି ସ୍ୱରୂପବର୍ଣ୍ଣନା, ରୁଚି ଓ ସୌନ୍ଦର୍ଯ୍ୟ ଭିତ୍ତିର ବିଭିନ୍ନତା ହେତୁରୁ ବହ୍ନାଶ୍ରୟୀ ଥିଲା । ରମ୍ୟ ଓ କାନ୍ତ ପ୍ରବୃତ୍ତି ତଥା ସମ୍ମୋହନର କଳ୍ପିତରୂପ-ପ୍ରତ୍ୟେକ ବ୍ୟକ୍ତିଚିନ୍ତାରେ ପୃଥକ୍‌ ଭାବେ ପ୍ରକାଶ ପାଇଲା । ତେଣୁ କାଳକ୍ରମେ କାମଦେବଙ୍କର ସ୍ୱରୂପ ନିବୈକ୍ତିକ ହୋଇଛି । ସେଥିପାଇଁ ଆମେ କନ୍ଦର୍ପଙ୍କର ସଂଜ୍ଞାସମୁଚ୍ଚୟରେ ଅନଙ୍ଗ; ଅତନୁ, ସ୍ମର, ମନସିଜ, ଆତ୍ମଭୁ ପ୍ରଭୃତି ଶବ୍ଦ ଦେଖିବାକୁ ପାଉ । ଅନ୍ୟ ପକ୍ଷରେ ପ୍ରଜାପତି କନ୍ଦର୍ପ ‘ବ୍ରହ୍ମା’ ଶବ୍ଦରେ ପ୍ରକାଶିତ ହେଲେ ମଧ୍ୟ, ତାଙ୍କର ସ୍ୱରୂପ ଅପ୍ରକଟ ଓ ଅଜ୍ଞାତ । ସେଥିପାଇଁ ଏକ ସାଧାରଣ କଥା ଅଛି, ‘‘କଳିଯୁଗରେ ବ୍ରହ୍ମା ଅପୂଜା ରହିଛନ୍ତି ।’’

 

ପୁରାଣଗ୍ରନ୍ଥମାନଙ୍କରେ କନ୍ଦର୍ପଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି । ସମ୍ମୋହନର ଅଧପ ଦେବତାରୂପେ ତାଙ୍କରି ଶରୀର କ୍ଳାନ୍ତ ଓ ସୁନ୍ଦର । ସୌନ୍ଦର୍ଯ୍ୟ ଉପମାର ସେ ପରାକାଷ୍ଠା । ବିଜୟୀ ରାଜପୁତ୍ରପରି କନ୍ଦର୍ପଙ୍କର ହସ୍ତରେ ଧନୁର୍ବାଣ । ଅଧିକନ୍ତୁ ସେ ଧନୁ ପୁଷ୍ପନିର୍ମିତ । ବିଲମ୍ୱମାନ ଭ୍ରମରପଙକ୍ତି ଧନୁର୍ଗୁଣରୂପେ କଳ୍ପିତ । ମଳୟମରୂତ ତାଙ୍କର ରଥ ଏବଂ ଏହି ରଥର ବିଜୟକେତନ ମକର ବା ମୀନଲାଞ୍ଛିତ । ତେଣୁ କନ୍ଦର୍ପଙ୍କର ଅନ୍ୟନାମ ମକରଧ୍ୱଜ ଓ ମୀନକେତନ । ସେ ସୃଷ୍ଟିଚେତନାର ଅଧିକାରୀ ଦେବତା, ତେଣୁ ତାଙ୍କର ଗତି ସର୍ବତ୍ର ଅପ୍ରତିହତ । କନ୍ଦର୍ପ ତୂଣୀରରେ ପଞ୍ଚସଂଖ୍ୟକ ପୁଷ୍ପନିର୍ମିତ ଶର ଶୋଭାପାଏ । ତାଙ୍କର ଅନ୍ୟନାମ ପଞ୍ଚଶର । ବିଦଗ୍‌ଧ କବିମାନେ ପଦ୍ମ, ଅଶୋକ, ଚୂତ, ନବମାଳିକା, ନୀଳୋତ୍ପଳ- ଏହି ପାଞ୍ଚଟି ପୁଷ୍ପକୁ କନ୍ଦର୍ପଙ୍କର ଶରରୂପେ କଳ୍ପନା କରିଛନ୍ତି ।

 

କାବ୍ୟମୀମାଂସାକାରଙ୍କ ମତରେ ପଞ୍ଚେନ୍ଦ୍ରିୟର ତନ୍ମାତ୍ର ହେଉଛି କାମଦେବଙ୍କର ପଞ୍ଚବାଣ । ଏମାନେ ହେଲେ- ଶବ୍ଦ ସ୍ପର୍ଶ, ରୂପ, ରସ, ଓ ଗନ୍ଧ । ଅନ୍ୟମାନେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନକୁ କନ୍ଦର୍ପଙ୍କର ପଞ୍ଚବାଣରୂପେ ବର୍ଣ୍ଣନା କରିଛନ୍ତି । ସମସ୍ତ ଇନ୍ଦ୍ରିୟ ଓ ମନର ଅଧିକାରୀ ଦେବତାରୂପେ କାମଦେବଙ୍କର ପ୍ରାଧାନ୍ୟ ସର୍ବଗ୍ରାହ୍ୟ । ୠତୁରାଜ ବସନ୍ତ କନ୍ଦର୍ପଙ୍କର ସେନାପତି ତଥା ଅଗ୍ରଦୂତ ।

 

ବିଖ୍ୟାତ ଅଦ୍ୱୈତବାଦୀ ଦାର୍ଶନିକ ଶଙ୍କରାଚାର୍ଯ୍ୟ ସୌନ୍ଦର୍ଯ୍ୟର ସମ୍ମୋହନ କ୍ରିୟାକୁ ବର୍ଣ୍ଣନା କରିବା ଅବସରରେ କାମଦେବଙ୍କର ସ୍ୱରୂପ ଉଲ୍ଲେଖ କରିଛନ୍ତି ।

 

‘‘ଧନୁଃ ପୌଷ୍ପଂ ମୌବୀ ମଧୁକରମୟୀ ପଞ୍ଚବିଶିଖା

ବସନ୍ତଃ ସାମନ୍ତୋ ମଳୟମରୁଦାୟୋଧନରଥଃ

ତଥାପ୍ୟେକଃଽସର୍ବଂ ହିମଗିରିସୁତେ କାମପି କୃପା

ମପାଙ୍ଗାତ୍ତେ ଲବ୍‌ଧ୍ୱା ଜଗଦିଦମନଙ୍ଗୋ ବିଜୟତେ ।’’

 

‘‘ପୁଷ୍ପନିର୍ମିତ ଧନୁ ଓ ଭ୍ରମରପଙ୍‌କ୍ତିର ମୌର୍ବୀ; ପାଞ୍ଚଟି ପୁଷ୍ପଶର; ବସନ୍ତ ରୂପକ ସେନାପତି ଏବଂ ମଳୟ ରଥ–ଏହି ଆୟୁଧ ଓ ଆଭରଣରେ ସ୍ୱୟଂ କନ୍ଦର୍ପ ଏହି ଜଗତ୍‌କୁ ଏକାକୀ ଜୟ କରୁଛନ୍ତି । ହେ ଜଗଦମ୍ୱେ ! ତୋର କୃପା ହିଁ କନ୍ଦର୍ପକୁ ସର୍ବତ୍ର ଜୟଶୀଳ କରାଉଛି ।’’

 

ପୌରାଣିକ ଆଖ୍ୟାନରୁ ଜଣାଯାଏ, କନ୍ଦର୍ପ ଶିବଙ୍କର ତପସ୍ୟା ଭଗ୍ନ କରନ୍ତେ ତାଙ୍କର କ୍ରୋଧାଗ୍ନିରେ ଭସ୍ମୀଭୂତ ହେଲେ । ସମସ୍ତ ପୃଥିବୀ ସ୍ତବ୍‌ଧ ଓ ଚକିତ ହୋଇ ଶିବଙ୍କର ଏହି ଦାରୁଣ କାର୍ଯ୍ୟକୁ ଦେଖୁଥାନ୍ତି । ଆକାଶରେ ଦେବତାମାନେ ପ୍ରଳୟସଙ୍କାଶ ରୁଦ୍ରଙ୍କର କ୍ରୋଧ ସମ୍ୱରଣ ପାଇଁ ସ୍ତୁତିମାନ କରୁଥାନ୍ତି; କିନ୍ତୁ ହାୟ, ଦେବତାଙ୍କ ଏହି ସ୍ତୁତିବାଣୀ ଆକାଶରେ ସଞ୍ଚାରିତ ନ ହେଉଣୁ ଲାବଣ୍ୟ ଓ ସମ୍ମୋହନର ଦେବତା ଧ୍ୱଂସ ହୋଇଗଲେ । ମହାକବି କାଳିଦାସ ଏହି କରୁଣ ଓ ଦାରୁଣ ପରିବେଶକୁ କୁମାରସମ୍ଭବରେ ବର୍ଣ୍ଣନା କରି କହିଛନ୍ତି–

 

‘‘କ୍ରୋଧଂ ପ୍ରଭୋ ସଂହର ସଂହରେତି

ଯାବଦ୍‌ଗିରଃ ଖେ ମରୁତାଂ ଚରନ୍ତି ।

ତାବତ୍‌ ସ ବହ୍ନି ର୍ଭବନେତ୍ରଜନ୍ମା

ଭସ୍ମାବଶେଷଂ ମଦନଂ ଚକାର ।’’

 

ତଦବଧି ଶିବ ‘ତ୍ରିଲୋଚନ’ ଓ ‘ସ୍ମରରିପୁ’ ରୂପେ ପରିଚିତ ହେଲେ । ଦୁର୍ବାର କନ୍ଦର୍ପ ସମ୍ଭବତଃ ପ୍ରଥମ ଓ ଶେଷଥର ପାଇଁ ପରାଜୟ ସ୍ୱୀକାର କଲେ । ବିହ୍ୱଳା ରତିଦେବୀ କନ୍ଦର୍ପଙ୍କର ଏତାଦୃଶ ଦୟନୀୟ ଅବସ୍ଥାରେ ମୁହ୍ୟମାନା ହୋଇ ତପଶ୍ଚରଣ କଲେ । ତାଙ୍କର ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ କନ୍ଦର୍ପଙ୍କୁ ପୁନର୍ଜୀବିତ କରାଇଲେ; କିନ୍ତୁ କାମଦେଙ୍କର ସେହି ମୂର୍ତ୍ତି ବିଗ୍ରହ ଆଉ ରହିଲାନାହିଁ । ସେ ଅମୂର୍ତ୍ତି ହୋଇ ମନସିଜ ହେଲେ । ଏହି ଘଟଣାର ତାତ୍ତ୍ୱିକ ବିଶ୍ଳେଷଣ ପରେ କରାଯିବ । କିନ୍ତୁ କନ୍ଦର୍ପଙ୍କର ବିଗ୍ରହ ଶାପଗ୍ରସ୍ତ ଓ ବିଡ଼ମ୍ୱିତ—ଏହାହିଁ ସୂଚନା ମିଳୁଛି । ଏହି ଘଟଣାର ସାମାଜିକ ବିଶ୍ଳେଷଣ ଗୁରୁତ୍ୱପୂର୍ଣ୍ଣ । ପୂର୍ବକାଳରେ କନ୍ଦର୍ପ ଓ ରତିଦେବୀଙ୍କୁ ରଥରେ ବସାଇ ଉତ୍ସବ କରାଉଥିଲେ । ବହୁସ୍ଥାନରେ ଅଧୁର୍ବାଣଧାରୀ କନ୍ଦର୍ପ ଓ ପୁଷ୍ପଗୁଚ୍ଛପରି ଶୋଭିତା ରତିଦେବୀଙ୍କର ଯୁଗଳମୂର୍ତ୍ତି ପୂଜା ପାଉଥିଲେ । ମଧୁ ମାସ ଚୈତ୍ରମାସରେ ଶୁକ୍ଳପକ୍ଷରେ ମଦନ ଉତ୍ସବ ଭାରତର ବହୁସ୍ଥାନରେ ଅନୁଷ୍ଠିତ ହେଉଥିଲା । ତତ୍‌କାଳିକ ସମାଜରେ ଏହି ଉତ୍ସବ ପରମ ଉଲ୍ଲାସ ଓ ଚରମ ତୃପ୍ତିର ସ୍ୱାକ୍ଷର ବହନ କରିଥିଲା । କାଳକ୍ରମେ ଆମ ସମାଜରୁ ଏହି ଉତ୍ସବ ଏକ ପ୍ରକାର ଲୋପପାଇଛି । ଏଥିରୁ ଅନୁମାନ କରାଯାଇପାରେ ଯେ, ପ୍ରାଜ୍ୟପତ୍ୟ ଗୋଷ୍ଠୀଙ୍କର ମଦନପୂଜା ପାଶୁପତି ଗୋଷ୍ଠୀର ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ତିଷ୍ଠି ପାରିନାହିଁ । ପ୍ରଜାପତି ଓ ମଦନ—ଉଭୟେ ସାମାଜି ଉତ୍ସବ ଓ ପୂଜାରୁ ଏକପ୍ରକାର ବଞ୍ଚିତ ହୋଇଛନ୍ତି ।

 

କନ୍ଦର୍ପଙ୍କର ଆଚରଣରେ ବିଡ଼ମ୍ୱନା ପୁରାଣ ଆଖ୍ୟାନରେ ବିରଳ ନୁହେଁ । ଏକ ଆଖ୍ୟାନରୁ ଜଣାପଡ଼େ, ସ୍ୱୟଂ ବ୍ରହ୍ମାଙ୍କର କନ୍ୟାଥିଲେ ଅପରୂପା ସନ୍ଧ୍ୟା । କନ୍ଦର୍ପଙ୍କର ସମ୍ମୋହନରେ ଉଭୟେ କାମାସକ୍ତ ହେଲେ । ଲଜ୍ଜିତ ବ୍ରହ୍ମା କନ୍ଦର୍ପଙ୍କର ଅଭିଶାପ ଦେଲେ, ‘‘କେବଳ ଯୁବକ ଓ ଯୁବତୀଙ୍କର ହୃଦୟକୁ, କ୍ୱଚିତ୍‌ କିଶୋର ଓ କିଶୋରୀମାନଙ୍କୁ, ତୁମେ ଆକୃଷ୍ଟ କରିପାରିବ ।’’ ତତ୍‌ପୂର୍ବରୁ କନ୍ଦର୍ପଙ୍କର ପ୍ରଭାବ ବୟସନିର୍ବିଶେଷରେ ସମସ୍ତଙ୍କ ଉପରେ ଥିଲା । ସେହି ଦିନଠାରୁ କେବଳ ଯୁବକ ଓ ଯୁବତୀମାନେ କାମଦେଙ୍କର ଶରବ୍ୟ ହେଲେ ।

 

ଦ୍ୱାପର ଯୁଗରେ ସ୍ୱୟଂ କନ୍ଦର୍ପ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପେ ଅବତୀର୍ଣ୍ଣ ହୋଇଥିଲେ । ସେ ଶମ୍ୱରାସୁରକୁ ମାରି ଶମ୍ୱରାରି ରୂପେ ପ୍ରଖ୍ୟାତି ହେଲେ । ବିଷ୍ଣୁ ଆରାଧନାର ଚତୁର୍ବ୍ୟୂହବା ଚତୁର୍ଧାମୂର୍ତ୍ତି ମଧ୍ୟରୁ କନ୍ଦର୍ପ ଅନ୍ୟତମ । ବିଷ୍ଣୁଙ୍କୀ ପୂର୍ଣ୍ଣ ପ୍ରକାଶ ମଧ୍ୟରେ କାମକଳା ବା ସମ୍ମୋହନର ସ୍ନିଗ୍‌ଧତାରେ ସେ ଉଜ୍ଜୀବିତ । ସୃଷ୍ଟି, ସ୍ଥିତି ଓ ଲୟ ମଧ୍ୟରୁ ସୃଷ୍ଟିର ଦେବତା କେବଳ କନ୍ଦର୍ପ ହୋଇପାରିବେ । ଅନ୍ୟ ପକ୍ଷରେ ବିଲୟର ଦେବତା ଶିବ । ସୃଷ୍ଟି ଓ ବିଲୟ ମଧ୍ୟରେ ଆପାତ ବିରୋଧ ଗ୍ରହଣୀୟ । ତେଣୁ କନ୍ଦର୍ପ ଓ ଶିବଙ୍କର ବିରୋଧ କେବଳ ପୌରାଣିକ କିଂବଦନ୍ତୀ ନୁହେଁ; ଲାକ୍ଷଣିକ ତତ୍ତ୍ୱରୂପେ ଗ୍ରହଣ କରାଯାଇପାରେ । ପୁନଶ୍ଚ ପ୍ରଜନନର ଦେବତା, ରୂପେ ପ୍ରଜାପତି ଓ କନ୍ଦର୍ପ ଏକ ଭୂମିକାରେ ଅବତୀର୍ଣ୍ଣ । ପ୍ରାକ୍‌ କାଳରେ ଏହି ଉଭୟ ଦେବତା ଅଭିନ୍ନ ଓ ସମଭିତ୍ତିକ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଜାପତି ମଧ୍ୟ ଆତ୍ମଭୂ; କିନ୍ତୁ ପ୍ରଜାପତିଙ୍କୁ ଆମେ ବ୍ରହ୍ମା କହିଥାଉ । ଅର୍ଥାତ୍‌ ପ୍ରଥମ ପୁରୁଷ ରୂପେ ତାଙ୍କର କଳ୍ପନା ବୈଦିକ ସୂକ୍ତରେ ସମ୍ମାନାହିଁ । ସେ ଆଦିସ୍ରଷ୍ଟା ଓ ସୃଷ୍ଟି । ତେଣୁ ହିରଣ୍ୟଗର୍ଭ ବ୍ରହ୍ମାଙ୍କର ସ୍ତୁତିରେ ଆକର୍ଷଣ ପରିବର୍ତ୍ତେ ସୃଷ୍ଟି ଧର୍ମର ସ୍ଥାପକତା ଉଲ୍ଲେଖଯୋଗ୍ୟ ।

 

‘‘ହିରଣ୍ୟଗର୍ଭଃ ସମବର୍ତ୍ତତାଗ୍ରେ...’’

 

କିନ୍ତୁ ମଦନ ବା କନ୍ଦର୍ପଙ୍କର ସୃଷ୍ଟିଧର୍ମର ସହିତ ଆକର୍ଷଣ ଓ ସମ୍ମୋହନ ବିଶେଷ ଲକ୍ଷଣୀୟ । ତେଣୁ ସେ ଆଦିପୁରୁଷ ବା ଆଦିପିତା ନୁହନ୍ତି । ସୃଷ୍ଟି ପାଇଁ ସେ ସମ୍ମୋହନର ଶକ୍ତିବିଶେଷ, ଅର୍ଥାତ୍‌ ସୃଷ୍ଟି ମୂଳରେ ସେ ସୌନ୍ଦର୍ଯ୍ୟ ତତ୍ତ୍ୱ । ପ୍ରଜାପତି କଳ୍ପନାରେ ଏହି ସୌନ୍ଦର୍ଯ୍ୟତତ୍ତ୍ୱର ମହନୀୟତା ଅପ୍ରକାଶିତ; କିନ୍ତୁ କନ୍ଦର୍ପଙ୍କଠାରେ ସୌନ୍ଦର୍ଯ୍ୟତତ୍ତ୍ୱ ପୂର୍ଣ୍ଣଭାବରେ ଆଧାରିତ ।

 

କନ୍ଦର୍ପଙ୍କର ମୀନ ବା ମକର ସହିତ ସମ୍ପର୍କ ପୁରାଣଶାସ୍ତ୍ରରେ ବିଶେଷ ପ୍ରସିଦ୍ଧି ଲାଭ କରିଛ । ସେ ମକରକେତନ, ମକରଧ୍ୱଜ, ମୀନକେତନ, ଝସକେତନ—ପ୍ରଭୃତି ସଂଜ୍ଞାସମୁଚ୍ଚୟରେ ବ୍ୟକ୍ତି ହୋଇଛନ୍ତି । ମକର ଓ ମୀନ ଏଠାରେ ଏକ ଅର୍ଥରେ ଗ୍ରହଣ କରାଯାଇପାରେ । ଅନ୍ୟପକ୍ଷରେ ଏହି ମକର ବା ମୀନ ଜଳାଶ୍ରୟୀ । ତେଣୁ ଜଳସଭ୍ୟତାର ଅନ୍ୟତମ ଦେବତାରୂପେ କନ୍ଦର୍ପଙ୍କର ସ୍ଥିତି ବିଚାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଅପ୍‌ସରା ଓ ଯକ୍ଷ ସଭ୍ୟତାର ସ୍ମୃତି ମନକୁ ସ୍ୱତଃ ଆସୁଛି । ବସ୍ତୁତଃ ଯକ୍ଷ ମୂର୍ତ୍ତିମାନଙ୍କ ମଧ୍ୟରେ ମୀନକେତନ କନ୍ଦର୍ପଙ୍କର ଚିତ୍ର ଭାରତର ବହୁ ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ । ପୁରାଣକଳ୍ପିତ ପୁଷ୍ପଧନ୍ୱା ଓ ରଥାରୂଢ଼ ମୀନକେତନ ମୂର୍ତ୍ତିର ସମ୍ପର୍କ ଯକ୍ଷସଭ୍ୟତାର ସହିତ ସମ୍ପର୍କିତ । ଏମାନେ ଗଣଧର୍ମର ଦେବତାରୂପେ ପୂଜାପାଉଥିଲେ । କନ୍ଦର୍ପଙ୍କର ଏହି ପୌରାଣିକମ ମୂର୍ତ୍ତି ବୈଦିକ ବଳୟର ପରିସଭୁକ୍ତ ନୁହେଁ । ତେଣୁ ଦେବଯୋନି ରୂପେ ତାଙ୍କର ପୂଜା ଜନସମାଜରେ ପ୍ରଚଳିତ ଥିଲା । ପଶୁପତି ଶିବ ଗଣଧର୍ମର ଉପାସ୍ୟ ମଧ୍ୟ ଥିଲେ । ସେ ମଧ୍ୟ ଯକ୍ଷପତି ରୂପେ ବର୍ଣ୍ଣିତ । ପାଶୁପତି ଓ କନ୍ଦର୍ପ-ଉପାସ୍ୟ ଗୋଷ୍ଠୀ ମଧ୍ୟରେ ଏକ ସାମ୍ଭବ୍ୟ ବିରୋଧକୁ କେନ୍ଦ୍ର କରି ମଦନ ଭସ୍ମର କଳ୍ପନର କରାହୋଇଅଛି । ଦଶସଂଖ୍ୟକ ଗଣଗୋଷ୍ଠୀ ମଧ୍ୟରୁ କେତେକ ବୈଦିକ ଗୋଷ୍ଠୀ ଓ ଅନ୍ୟମାନେ ପାଶୁପତି ଗୋଷ୍ଠୀ ସହିତ ମଳିତ ହୋଇଥିଲେ ।

 

ସେମାନଙ୍କ ମଧ୍ୟରୁ ବିଦ୍ୟାଧର, ଅପ୍‌ସରା, ଯକ୍ଷ, ଗନ୍ଧର୍ବ ଓ କିନ୍ନରମାନେ ବୈଦିକ ଗୋଷ୍ଠୀକୁ ସମ୍ମାନ ଦେଲେ ଏବଂ ରାକ୍ଷସ, ପିଶାଚ, ଗୁହ୍ୟକ, ସିଦ୍ଧ ଓ ଭୂତ ସଂଜ୍ଞକ ଗଣଗୋଷ୍ଠୀ ବହୁପ୍ରଚଳିତ ପାଶୁପତି ଗୋଷ୍ଠୀ ସହିତ ମିଳିତ ହେଲେ । କାଳକ୍ରମେ ସମସ୍ତ ଗୋଷ୍ଠୀ ମିଳିଯାଉଛନ୍ତି; କିନ୍ତୁ ଏହି ମିଳନର ଇତିହାସ ଏକ ପକ୍ଷରେ ଯେପରି ଅଶ୍ରୁସିକ୍ତ, ଅନ୍ୟପକ୍ଷରେ ସେହିପରି ସମ୍ୱେଦନଶୀଳ । ମଦନପୂଜାର ସାମାଜିକ ମୂଲ୍ୟବୋଧ ହାସହେବା ମୂଳରେ ବହୁ ସାମାଜିକ ବିବର୍ତ୍ତନ ଆଖ୍ୟାନ ନିହିତ । ଖ୍ରୀଷ୍ଟାବ୍ଦ ୯ମ ଶତାବ୍ଦୀ ବେଳକୁ ଏହି ପୂଜାର ପ୍ରଚଳନ ଥିଲା । ତତ୍ପରେ ଏହି ଉତ୍ସବ କେତେକାଂଶରେ ସୀମିତ ହୋଇଛି ।

Image

 

ଜୀବେମ ଶରଦଃ ଶତମ୍‌

 

ଶରତ୍‌ ଶବ୍ଦ ଆଜି କେବଳ ୠତୁବିଶେଷ ଅର୍ଥରେ ବ୍ୟବହୃତ ହୋଇଛି । ସାଧାରଣତଃ ଭାଦ୍ରବ ଓ ଆଶ୍ୱିନ, ଏହି ଦୁଇମାସକୁ ଶରତ୍‌ ୠତୁ କହିଥାଉ । ଜ୍ୟୋତିଷଶାସ୍ତ୍ରରେ ଆଶ୍ୱିନ ଓ କାର୍ତ୍ତିକକୁ ଶରତ କୁହାଯାଉଛି । ଶିଶିର, ବସନ୍ତୁ, ଗ୍ରୀଷ୍ମ, ବର୍ଷା, ଶରତ୍‌ ଓ ହିମ- ଯଥାକ୍ରମେ ମାଘଠାରୁ ଆରମ୍ଭକରି ଦୁଇ ଦୁଇ ମାସ ନେଇ ପରିଚିତ ।

 

‘‘ଶିଶିରଃ ପୁଷ୍ପସମୟୋ ଗ୍ରୀଷ୍ମୋ ବର୍ଷା ଶରଦ୍‌ହିମଃ

ମାଘାଦି-ମାସଯୁଗ୍ମୈଃସ୍ୟୁଃ ୠତବଃ ଷଟ୍‌କ୍ରମାଦମୀ ।’’

 

ମୋଟଉପରେ ଭାଦ୍ରବଠାରୁ ଆରମ୍ଭ କରି କାର୍ତ୍ତିକ ପର୍ଯ୍ୟନ୍ତ ଶରତ୍‌ୠତୁର ବ୍ୟାପ୍ତି ଜଣାଯାଏ । ଶରତ୍‌ୠତୁ ବର୍ଷା ପରେ ଆରମ୍ଭ ହୁଏ; ଏଥିପାଇଁ ବର୍ଷାତ୍ୟୟ, ବର୍ଷାନ୍ତ ପ୍ରଭୃତି ଶବ୍ଦ ଶରତୠତୁର ସମପର୍ଯ୍ୟୟବାଚକ ।

 

‘ଶରତ୍‌’ ଶବ୍ଦ ଶୃ ଧାତୁରୁ ନିଷ୍ପନ୍ନ । (ଶୃ ହିଂସାୟାଂ + ଅଦ୍‌) ଶୃ-ଧାତୁ ହିଂସାର୍ଥ-ବାଚୀ; ତେଣୁ ଛେଦନ ଅର୍ଥ ପ୍ରକାଶ କରେ। ସମ୍ଭବତଃ ଏହି ସମୟରେ ଶସ୍ୟ ସଂଗ୍ରହକୁ ଲକ୍ଷ୍ୟକରି ଶସ୍ୟଛେଦନ ଅର୍ଥରେ ଶୃଧାତୁର ପ୍ରୟୋଗ ହୋଇଥିବ । ଏଠାରେ ଲକ୍ଷ୍ୟ କରିବା କଥା, ଆମ ଦେଶରେ ନବାନ୍ନଭକ୍ଷଣ ଉତ୍ସବ ଏହି ଶରତ୍‌କାଳରେ ଅନୁଷ୍ଠିତ ହୋଇଥାଏ ।

 

ତେଣୁ ପ୍ରାଚୀନ କୃଷିସଭ୍ୟତାର ଉତ୍ସବମୟ ସମ୍ଭୋଗସମୟରୂପେ ଏହି ଶରତ୍‌ୠତୁ ଜନଗଣଙ୍କୁ ଆକୃଷ୍ଟକରିଆସିଛି; କିନ୍ତୁ ଏହି ସମୟ ସହିତ ଶିକାରଜୀବୀ କାହାଣୀର ସ୍ମୃତି ନିହିତ । କୃଷିସଭ୍ୟତାର ଉଦ୍‌ବର୍ତ୍ତନ ପୂର୍ବରୁ ଆରଣ୍ୟ ଯାଯାବରମାନେ ଶିକାର ଉପରେ ହିଁ ନିର୍ଭର କରୁଥିଲେ-। ତେଣୁ ଶୀତୠତୁ ପୂର୍ବରୁ ଶରତ୍‌ ସମୟରେ ସେମାନେ ଶିକାର ସନ୍ଧାନରେ ବାହାରିଯାନ୍ତି ଏବଂ ନୂତନ ଶିକାର ପାଇ ଉଲ୍ଲାସରେ ଏହି ସମୟର ଜ୍ୟୋତ୍ସାୟିତ ରଜନୀକୁ ଉପଭୋଗ କରିଥାନ୍ତି । ଶିକାରରେ ପଶୁହତ୍ୟାଜନିତ ହିଂସାକୁ ଲକ୍ଷ୍ୟକରି ଶୃ-ଧାତୁର ହିଂସାଅର୍ଥରେ ପ୍ରଯୁକ୍ତ ହୋଇଛି ।

 

ସେତେବେଳର କଥା; ବୈଦିକ ଆର୍ଯ୍ୟମାନେ ସିନ୍ଧୁନଦୀର ଅବବାହିକାରୁ ଅତିକ୍ରମ କରି ପୂର୍ବଦେଶ ଓ ଦାକ୍ଷିଣାତ୍ୟରେ ବିସ୍ତାରିତ ହୋଇନଥାନ୍ତି । ବର୍ଷାସମୟ ସେମାନଙ୍କ ପକ୍ଷରେ ବିଶେଷ ଲକ୍ଷ୍ୟଣୀୟ ନଥାଏ । ଅନ୍ୟ ପକ୍ଷରେ ଶରତ୍‌ ନିର୍ମଳ ଆକାଶ, ସୁରଭିତ ବାୟୁ, ପୁଷ୍ପଶୋଭିତ ଦିଗ୍‌ବିଦିଗ ଓ ସର୍ବୋପରି ପାର୍ବଣ ଜ୍ୟୋତ୍ସାର ରମଣୀୟ ପୁଲକ ସେମାନଙ୍କ ହୃଦୟକୁ ରସୋତ୍ତୀର୍ଣ୍ଣ କରିଥିଲା । ବର୍ଷମଧ୍ୟରେ ଏହି ଶରତୠତୁ ନିଜର ବର୍ଣ୍ଣାଢ଼୍ୟ ଶୋଭାରେ ବିଶେଷ ଆକର୍ଷଣୀୟ ଥିଲା-। ବସ୍ତୁତଃ ଚନ୍ଦ୍ରସଂକ୍ରାନ୍ତ ସମୟବିଭାଜନକୁ ସେମାନେ ଶରତ୍‌ ଶବ୍ଦରେ ପ୍ରକାଶ କରିଥିଲେ । ବର୍ଷ ଅର୍ଥରେ ସେମାନେ ଶରଦ୍‌ ଶବ୍ଦକୁ ପ୍ରୟୋଗ କରିଥିଲେ । କିନ୍ତୁ କାଳକ୍ରମେ ଏହି ଚାରଣଶୀଳ ଆର୍ଯ୍ୟମାନେ ପୂର୍ବ ଓ ଦକ୍ଷିଣ ଭାରତରେ ପରିବ୍ୟାପ୍ତ ହେଲେ ।

 

ଏହି ନୂତନ ଅଞ୍ଚଳମାନଙ୍କରେ ବର୍ଷାସମୟର ଲକ୍ଷଣୀୟତା ସେମାନଙ୍କୁ ଅଧିକ ପ୍ରଭାବିତ କଲା । ଫଳରେ ବର୍ଷାକୁ ଲକ୍ଷ୍ୟକରି ସେମାନେ ସଂକ୍ରାନ୍ତ ବତ୍ସର ଗଣନାକଲେ । ଆମେ ଆଜି ବର୍ଷ କହିଲେ ଯାହା ବୁଝୁ, ସେତେବେଳେ ‘ଶରଦ’ ଶବ୍ଦ ସେହି ଅର୍ଥରେ ପ୍ରଚଳିତ ଥିଲା । ସେଥିପାଇଁ ଶହେଟି ବର୍ଷ ନୀରୋଗଜୀବନ ଲାଭକରିବାର ଅଭୀପ୍‌ସାକୁ ବୈଦିକ ଆର୍ଯ୍ୟମାନେ;

 

‘‘ଜୀବେମ ଶରଦଃ ଶତମ୍‌

ବ୍ୟଶେମ ଶରଦଃ ଶତମ୍‌

ପଶ୍ୟେମ ଶରଦଃ ଶତମ୍‌’’

 

ଏହିପରି ପ୍ରକାଶ କରିଛନ୍ତି ।

 

ସମ୍ୱତ୍ସର ଅର୍ଥରେ ‘ଶରଦ’ ପ୍ରୟୋଗ ବୈଦିକ ସାହିତ୍ୟରେ ବହୁଳ ଦେଖାଯାଏ । ଉପନିଷଦ୍‌ ଯୁଗ ପର୍ଯ୍ୟନ୍ତ ଏହାହିଁ ପ୍ରଚଳିତ ଥିଲା । କଠୋପନିଷଦ୍‌ରେ ମୃତ୍ୟୁରାଜ ଯମ ଜିଜ୍ଞାସୁ ନଚିକେତାଙ୍କୁ କହିଛନ୍ତି-

 

‘‘ଶତାୟୁ ପୁତ୍ର ପୌତ୍ର ଲାଭକରିବାପାଇଁ; ବହୁ ସଂଖ୍ୟକ ଗବାଦି ପଶୁ, ହସ୍ତୀ, ଅଶ୍ୱ, ହିରଣ୍ୟ ଓ ବିଶାଳ ପୃଥିବୀ ଏବଂ ଯେତେ ବର୍ଷ (ଶରଦ୍‌) ବଞ୍ଚିରହିବାପାଇଁ ଇଚ୍ଛା କରୁଛ; ତାହା ସବୁ ମୋ’ଠାରୁ ମାଗିନିଅ ।’’

 

‘‘ଶତାୟୁଷଃ ପୁତ୍ରପୌତ୍ରାନ୍‌ ବୃଣୀଷ୍ୱ ବହୂନ୍‌ ପଶୂନ୍‌ ହସ୍ତିହିରଣ୍ୟମଶ୍ୱାନ୍‌

ଭୂମେର୍ମହଦାୟତନଂ ବୃଣୀଷ୍ୱ ସ୍ୱୟଂ ଚ ଜୀବ ‘ଶରଦୋ’ ଯାବଦିଚ୍ଛସି ।।

 

[କଠୋପନିଷଦ୍‌- ୧ମ ଅଧ୍ୟାୟ–୧ମ ବଲ୍ଲୀ]

 

ସେହିପରି ରୁଗ୍‌ବେଦର ସପ୍ତମ ମଣ୍ଡଳରେ ମିତ୍ରାବରୁଣଙ୍କୁ ସ୍ତୁତିକରି ଆର୍ଯ୍ୟୠଷିମାନେ ଶତାୟୁ ହେବାପାଇଁ ପ୍ରାର୍ଥନା କରୁଛନ୍ତି ।

 

‘‘ତଚ୍ଚକ୍ଷୁର୍ଦେବହିତଂ ଶୁକ୍ରମୁଚ୍ଚରିତ୍‌ ପଶ୍ୟେମ ‘ଶରଦଃ’ ଶତଂ, ଜୀବେମ ‘ଶରଦଃ’ ଶତମ୍‌’’-। (୭-୬୬-୧୬)

 

ୠଗ୍‌ବେଦର ଦ୍ୱିତୀୟମଣ୍ଡଳରେ ବୈଦିକୠଷି, ଆର୍ଯ୍ୟଜନମାନଙ୍କର ଜାତୀୟନେତା ଇନ୍ଦ୍ରଙ୍କୁ ସ୍ତୁତିକରି କହୁଛନ୍ତି–

 

‘‘ଯିଏ ଚତ୍ୱାରିଂଶ ବର୍ଷରେ (ଶରଦ) ଶମ୍ୱରଙ୍କୁ ପର୍ବତରେ ରହିଥିବାର ଦେଖିଥିଲେ ଏବଂ ଦନୁଙ୍କର ସୁତ ବ୍ୟକ୍ତିବିକ୍ରମ ଶୟାନ ଅହିଙ୍କୁ ହତ୍ୟାକରିଥିଲେ; ହେ ମନୁଷ୍ୟମାନେ, ତାହାଙ୍କୁ ତୁମେ ଇନ୍ଦ୍ରବୋଲି ଜାଣ’’ । ଭାରତ-ଇରାଣୀ ସଭ୍ୟତାର ସେହି ଯୁଗଳ ଦେବତା; ଯାହାଙ୍କୁ ୠଷିମାନେ ମିତ୍ରାବରୁଣରୂପେ ସ୍ତୁତି କରିଛନ୍ତି; ତାଙ୍କରି ଉଦ୍ଦେଶ୍ୟରେ ନୂତନ ବର୍ଷର (ଶରଦ୍‌) ନବୋନ୍ମେଷଶାଳୀନୀ ପ୍ରଜ୍ଞା ଲାଭ କରିବା ପାଇଁ ଆର୍ଯ୍ୟଜନା ପ୍ରାର୍ଥନା କରୁଛନ୍ତି;

 

‘‘ହେ ଜ୍ଞାନମୟ ମିତ୍ରାବରୁଣ, ତୁମରି ଦୁଇଜଣଙ୍କର ଉଦ୍ଦେଶ୍ୟରେ ଯେଉଁ ଆର୍ଯ୍ୟବିପ୍ର ସ୍ତୁତିକରି ଆସୁଛନ୍ତି, ସେହି ଆର୍ଯ୍ୟଜନମାନଙ୍କର ବୟସସମ୍ୱତ୍ସରକୁ ତୁମେ ନୂତନ ପ୍ରଜ୍ଞାରେ ଉନ୍ମେଷିତ ଓ ପରିପୂର୍ଣ୍ଣ କର ।’’

 

‘‘ପ୍ର ବାଂ ସ ମିତ୍ରବରୁଣାବୃତାବା ବିପ୍ରୋ ମନ୍ମାଦି ଦୀର୍ଘଶ୍ରୁ ଦିଯର୍ତି ।

ଯସ୍ୟ ବ୍ରହ୍ମାଣି ସୁକୁତୂ ଅବାଥ ଆ ଯତ୍‌ କ୍ରତ୍ୱା ନ‘ଶରଦ’ ପୃଣୈଥେ ।।’’

 

[ୠଗ୍‌ ବେଦ୍‌-୬-୬୧-୨]

 

ବର୍ଷ ବା ସମ୍ୱତ୍ସର ଅର୍ଥରେ ‘ଶରଦ୍‌’ ଶବ୍ଦର ପ୍ରୟୋଗ ଦର୍ଶାଇବାକୁ ଉଲ୍ଲିଖିତ ସୁକ୍ତିଗୁଡ଼ିକରେ ଅବତାରଣା କରାଗଲା । ୠଗ୍‌ଦେବ ସମୟରେ ଯେଉଁ ତିନୋଧି ୠତୁ ପ୍ରଧାନ ଥିଲେ ସେମାନେ ହେଲେ ବସନ୍ତ, ଗ୍ରୀଷ୍ମ ଓ ଶରତ୍‌ ଏ ସମ୍ପର୍କରେ ପ୍ରସିଦ୍ଧ ପୁରୁଷସୂକ୍ତରେ ସୂଚନା ମିଳେ–

 

‘‘ଯେତେବେଳେ ଦେବତାମାନେ ସେହି ମହାନ୍‌ ପୁରୁଷଙ୍କୁ ଯଜ୍ଞରେ ସମ୍ଭୃତ କଲେ; ବସନ୍ତ ଏହି ଯଜ୍ଞର ଆଜ୍ୟ, (ଆହବନୀୟ ଘୃତ), ଗ୍ରୀଷ୍ମ ସମିଧ ଓ ଶରତ୍‌ ହବ୍ୟ (ପୂଜୋପହାର) ହୋଇଥିଲା ।’’

 

‘‘ଯତ୍‌ପୁରୁଷେଣ ହବିଷା ଦେବା ଯଜ୍ଞମତନ୍ୱତ ।

ବସନ୍ତୋ ଅସ୍ୟାସୀଦାଜ୍ୟଂ ଗ୍ରୀଷ୍ମ ଇଧ୍‌ମଃ ‘ଶରଦ୍‌’ ହବିଃ ।’’

 

[ୠକ୍‌ବେଦ-୧୦-୯୦୬]

 

ଉକ୍ତ ସୂକ୍ତରୁ ଜଣାଯାଏ—ବସନ୍ତୁ, ଗ୍ରୀଷ୍ମ, ଶରତ୍‌—ଏହି ୠତୁତ୍ରୟର ପ୍ରାଧାନ୍ୟ ଥିଲା; ଅନ୍ୟ ୠତୁମାନେ ପ୍ରାଧାନ୍ୟ ଲାଭ କରି ନାହାନ୍ତି ।

 

ଏହି ୠତୁମଧ୍ୟରେ ଶରତର କମନୀୟତା ବିଶେଷ ଲକ୍ଷଣୀୟ । ତଳେ ଶ୍ୟାମଳ ଧରିତ୍ରୀ, ଉପରେ ନିର୍ମଳ ନୀଳ ଆକାଶ, ଚତୁର୍ଦ୍ଦିଗରେ ପୁଷ୍ପସୁରଭିତ ବନସ୍ପତି; ପଦ୍ମପଳାସଶୋଭିତ ପୁଷ୍କରିଣୀ ଏବଂ ନେତ୍ରନିର୍ବାଣକଳ୍ପ ଶାରଦୀୟ ଜ୍ୟୋତ୍ସା- ଏହି ଅପରୂପ ସମ୍ଭାରରେ ଆର୍ଯ୍ୟମାନସ ବିମୁଗ୍‌ଧ । ତେଣୁ ସେମାନେ ଶରତ୍‌ର ସ୍ତୁତିଗାନ କରିବା ସହିତ ସମ୍ୱତ୍ସର ଅର୍ଥରେ ଏହାର ଲାକ୍ଷଣିକ ପ୍ରୟୋଗ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ନାକ୍ଷତ୍ରିକ ଗଣନା ଅନୁସାରେ ଅଶ୍ୱିନୀ ନକ୍ଷତ୍ର ଏହି ସମୟରେ ପୂର୍ବଯୁକ୍ତ ହୋଇଥାଏ । ସମ୍ଭବତଃ ସେହି ସୁଦୂର ଅତୀତରେ ବର୍ଷର ଗଣନା ଏହି ଅଶ୍ୱିନୀକ୍ରାନ୍ତ ଆଶ୍ୱିନମାସରୁ ଆରମ୍ଭ ହେଉଥିବ । ଏହି ନକ୍ଷତ୍ର ସପ୍ତବିଶଂତି ନକ୍ଷତ୍ର ମଧ୍ୟରେ ପ୍ରଥମ । କାଳକ୍ରମେ ବର୍ଷର ଗଣନା ବିଶାଖାଯୁକ୍ତ ବୈଶାଖ ମାସରୁ ହେଉଛି ।

 

କବି ବର୍ଣ୍ଣନା–

 

ରମଣୀୟ ଶରତ୍‌ ଶୋଭାର ବର୍ଣ୍ଣନାରେ ଭାରତୀୟ କବିମାନସ ଉଦ୍‌ବୁଦ୍ଧ । କବିକୁଳଗୁରୁ କାଳିଦାସ ଶରତ୍‌ୠତୁରେ ନବବଧୂର ସଙ୍କେତ ପାଇଛନ୍ତି । ‘‘ପଦ୍ମାନନା ରୂପବତୀ ଶରତ୍‌ୠତୁ କାଶପୁଷ୍ପର ଶୁଭ୍ରବସନ ପରିଧାନଙ୍କର ହଂସରବରେ ଶବ୍ଦାୟମାନ ନୂପୁରର ଅନୁରଣନ କରୁଛନ୍ତି । ଚତୁର୍ଦ୍ଦିଗରେ ପକ୍ୱଧାନର ସମୃଦ୍ଧଶ୍ରୀରେ ସେ ୠଦ୍ଧିମତୀ ଏବଂ ତାଙ୍କର ଅଙ୍ଗଯଷ୍ଟି ସୁନ୍ଦର ଓ ରମଣୀୟ ।’’ ଏଠାରେ ଶରତ୍‌ ନବବଧୂବେଶରେ କଳ୍ପିତ ।

 

‘‘କାଶାଂଶୁକା ବିକଚପଦ୍ମମନୋଜ୍ଞବକ୍ତ୍ର ।

ସୋନ୍ମାଦହଂଦସରବନୂପୁରନାଦରମ୍ୟା ।

ଆପକ୍ୱଶାଳିରୁଚିରା ତନୁଗାତ୍ରଯଷ୍ଟିଃ

ପ୍ରାପ୍ତା ଶରନ୍ନବବଧୂରିବ ରୂପରମ୍ୟା ।’’

 

(ୠତୁସଂହାର)

 

ଶରତ୍‌ବଧୂର ସନ୍ଦର୍ଶନରେ କବି ବଲ୍ଲଭ ଦେବ ଉଲ୍ଲସିତ ହୋଇ କହିଛନ୍ତି–

 

‘‘ଶୁଭ୍ରଚନ୍ଦ୍ରାନନା ଓ ସିତବସନା ଶରତ୍‌ୠତୁ ନବପରିଶୀତା ବଧୂପରି ସମାଗତା । ତାଙ୍କର ଚକ୍ଷୁଦ୍ୱୟ ନୀଳପଦ୍ମର ଶୋଭା ଧାରଣ କରିଛି । ପଦ୍ମବିଳାସିନୀ ଲକ୍ଷ୍ମୀଙ୍କ ପରି ଏହି ଶରତ୍‌ବଧୂ ହଂସଚାମରରେ ପୃଥିବୀଦେବୀର ସେବାରେ ନିଷ୍‌ଣାତା ହୋଇଛନ୍ତି ।’’

 

‘‘ଅଥ ପ୍ରସନ୍ନେନ୍ଦୁମୁଖୀ ସିତାମ୍ୱରା,

ସମାଯଯୌ ଉତ୍ପଳପତ୍ରଲୋଚନା

ସପଙ୍କଜା ଶ୍ରୀରିବ ଗାଂ ନିଷେବିତୁଂ

ସହଂସବାଳବ୍ୟଜନା ଶରଦ୍‌ବଧୂଃ ।’’

 

ରୁଦ୍ରଟି ନିଜର କାବ୍ୟାଳଙ୍କାରରେ ଶରତର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି କହିଛନ୍ତ– ‘‘ହଂସ ସ୍ୱକୀୟ ଧବଳିମାନେ ଚନ୍ଦ୍ରଙ୍କୁ, ଯୁବତୀକାନ୍ତା ନିଜ ଗତିରେ ହଂସକୁ, ପୁଷ୍କରିଣୀରେ ଜଳ ସୁଖସ୍ପର୍ଶରେ କାନ୍ତାକୁ ଏବଂ ନୀଳ ଆକାଶ ସ୍ୱଚ୍ଛତାରେ ନିର୍ମଳ ଜଳକୁ ଅନୁକରଣ କରୁଛନ୍ତି ।’’ –ଶରତ୍‌କାଳରେ ହଂସ, ଚନ୍ଦ୍ରମା, କାନ୍ତା, ଜଳ ଓ ଆକାଶ ପ୍ରତ୍ୟେକ ସୁଖପ୍ରଦ ହୋଇଥାନ୍ତି ।’’

 

‘‘ଚନ୍ଦ୍ରାୟତେ ଶୁକ୍ଳରୁଚାପି ହଂସୋ

ହଂସାୟତେ ଚାରୁଗତେନ କାନ୍ତା

କାନ୍ତାୟତେ ସ୍ପର୍ଶସୁଖେନି ବାରି,

ବାରୀୟତେ ସ୍ୱଚ୍ଛତୟା ବିହାୟଃ ।’’

 

ମୋଟଉପରେ ଶରତୠତୁର ଆକର୍ଷଣ ଭାରତୀୟ ଚେତନାକୁ ପ୍ରସ୍ନିଗଧ୍‌ କରିଛି । ଶରତ୍‌ର ରାକା ପୂର୍ଣ୍ଣିମାରେ ଶାରଦୀୟ ରାସ ଅନୁଷ୍ଠିତ ହୋଇଥାଏ । ଶୁଭ୍ରଜ୍ୟୋତ୍ସ୍ନାସ୍ନାତ ଧରିତ୍ରୀରେ ପୁଷ୍ପସମ୍ଭାରର ସମାଗମ ପ୍ରତ୍ୟେକ ପ୍ରାଣରେ ଆହ୍ଲାଦ ଆଣିଥାଏ । ବିଶେଷକରି ଶରତ୍‌ଜ୍ୟୋତ୍ସାକୁ ଆପ୍ରାଣ ଉପଭୋଗ କରିବାପାଇଁ ଜନମାନସ ଉନ୍ମତ୍ତହୁଏ । ତେଣୁ ଶରତ୍‌ କାଳରେ ରାସଉତ୍ସବ ସେହି ଉଲ୍ଲସିତ ଜନମାନସରେ ପ୍ରକାଶ ମାତ୍ର ।

 

ସେହିପରି କିଶୋର ଓ କିଶୋରୀମାନଙ୍କର ଉଲ୍ଲାସସ୍ଫୁରଣକୁ ବ୍ୟକ୍ତିକରି କୁମାରପୂର୍ଣ୍ଣମୀ ଉତ୍ସବର ଅନୁଷ୍ଠାନ ଏହି ଆଶ୍ୱିନ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଥାଏ । ଏହି ଆନନ୍ଦ ଉତ୍ସବ ମଧ୍ୟରେ ପ୍ରାଣର ପ୍ରାଚୁର୍ଯ୍ୟ ଓ ମନର ଉତ୍ତରଳତା ବିଶେଷ ଲକ୍ଷଣୀୟ ।

 

ଆଦ୍ୟାଶକ୍ତିର ପୂଜାଉପାସନା ଶାରଦୀୟ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ‘ଦୁର୍ଗାପୂଜା’ ନାମରେ ଖ୍ୟାତି । ସ୍ୱୟଂ ଆଦ୍ୟାଶକ୍ତି ଦୁର୍ଗାରୂପରେ ଅତ୍ୟାଚାରୀ ମହିଷାସୁରକୁ ବିନାଶକରି ପୃଥିବୀରେ ସୁଖ ଓ ଶାନ୍ତି ସ୍ଥାପନ କରିଥିଲେ । ତେଣୁ ଅମଙ୍ଗଳକୁ ଦୂରକରି ପୃଥିବୀପୃଷ୍ଠରେ କଲ୍ୟାଣ ଓ ସମୃଦ୍ଧି ପାଇଁ ଶରତ୍‌ ପାର୍ବଣରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ଏହା ଭାରତୀୟମାନଙ୍କର ପ୍ରଧାନ ଜାତୀୟପର୍ବ । କଥିତ ଅଛି, ସ୍ୱୟଂ ରାମଚନ୍ଦ୍ର ଆଦ୍ୟାଶକ୍ତିଙ୍କୁ ଉପାସନା କରି ଆଶ୍ୱନିମାସର ପାର୍ବଣଦଶମୀରେ ଲଙ୍କା ଅଭିଯାନ କରିଥିଲେ । କିଂବଦନ୍ତୀ ଓ ପରମ୍ପରାରେ ଶରତ୍‌ୠତୁ ମଳିମା ଯେପରି ସ୍ନିଗଧ, ପ୍ରକୃତି ସେହିପରି ମନୋହର ।

 

ଆଜି ଗ୍ରୀଷ୍ମର ପ୍ରାଣହୀନ ଉତ୍ତାପ ନାହିଁ କିମ୍ୱା ବର୍ଷାର ଭୟପ୍ରଦ ଗର୍ଜ୍ଜନ ବା ପ୍ଳାବିତବାରିର ଆବିଳତା ନାହିଁ । ଦିବସ ଓ ରାତ୍ରି ଓ ସମଶୀତୋଷ୍ଣ । ପୃଥିବୀ ଶସ୍ୟସମ୍ଭାରରେ ପରିପୂର୍ଣ୍ଣ । ଏହି ପରିବେଶ ଆମ ମନରେ ପ୍ରାଚୁର୍ଯ୍ୟ ଆଣିଦିଏ ଏବଂ ହୃଦୟ ଆଶା ଓ ଅଭୀପ୍‌ସାରେ ଉଲ୍ଲସିତ ହୁଏ । ସେଥିପାଇଁ କବି-ମାନସରେ ଶରତ୍‌ ପୁରକଲ୍ୟାଶୀ ନବବଧୂ ।

 

ପରାହତ ବସନ୍ତ—ଏଠାରେ ଗୋଟିଏ ସହଜ ପ୍ରଶ୍ନ ମନକୁ ଆସେ । ଆମ କାବ୍ୟ କବିତାରେ ବସନ୍ତକୁ ତାରୁଣ୍ୟ ଓ ପ୍ରାଚୁର୍ଯ୍ୟର ସମୟରୂପେ ବର୍ଣ୍ଣନା କରାହୋଇଛି । ତେଣୁ ବର୍ଷ ବା ସମ୍ୱତ୍ସର ଅର୍ଥରେ ବସନ୍ତ ଶବ୍ଦ କାହିଁକି ପ୍ରଚଳିତ ହୋଇନାହିଁ ? ପାଶ୍ଚାତ୍ୟ ଦେଶରେ ବସନ୍ତର ପ୍ରାଧାନ୍ୟ ରହିଛି । ସେମାନେ ସୁଖମୟ ବର୍ଷ ଅର୍ଥରେ ‘‘ବହୁ ବସନ୍ତକୁ ୠତୁରାଜ ଆଖ୍ୟା ଦିଆହେଲେ ମଧ୍ୟ ପ୍ରକୃତ ପକ୍ଷରେ ବସନ୍ତର ଅନୁଭୂତି ଅନ୍ୟତ୍ର ବଳିଷ୍ଠ ନୁହେଁ । ଏହାର କାରଣ ହେଉଛି, ଉତ୍ତର ପଶ୍ଚିମ ଅଂଶକୁ ବାଦ୍‌ଦେଲେ ଅନ୍ୟତ୍ର ବସନ୍ତ ୠତୁର ବ୍ୟାପ୍ତି ଖୁବ୍‌ ଅଳ୍ପ ସମୟ ପାଇଁ ହୋଇଥାଏ । ଶରତ୍‌ର ଲକ୍ଷୀୟତା ବସନ୍ତ ଅପେକ୍ଷା ଅଧିକ ।

 

ଏକ ସମୟରେ ବସନ୍ତ ୠତୁରେ ଆଦ୍ୟାଶକ୍ତିର ପୂଜା ଅନୁଷ୍ଠାନ ବହୁଳ ଭାବରେ ହେଉଥିଲା; ଏବେ ମଧ୍ୟ କେତେକାଂଶରେ ହେଉଛି । ଏହି ଉତ୍ସବକୁ ମଧୁପାର୍ବଣ ବା ବାସନ୍ତୀପୂଜା କୁହାଯାଏ; କିନ୍ତୁ ଶାରଦୀ ପାର୍ବଣ ଶୁଣାତ୍ମକ ଭାବରେ ମଧୁପାର୍ବଣକୁ ଅତିକ୍ରମ କରିଛି । ସମଗ୍ର ଭାରତବର୍ଷରେ ଶରତ୍‌ୠତୁ ପରି ବସନ୍ତର ସେପରି ଆକର୍ଷଣ ନାହିଁ । ବସନ୍ତ କେବଳ କବିମାନସରେ ଫଲଗୁ, ଯାହାର ଜଳଧାରା ଅବଲୁପ୍ତ ହୋଇଥିବାରୁ ଜନଗଣକୁ ତୃପ୍ତ କରିପାରୁନାହିଁ-। ଏସବୁ ସତ୍ତ୍ୱେ, ବସନ୍ତର ପୂର୍ବସ୍ମୃତି ଆମ ମନରେ ଉଜ୍ଜୀବିତ । ଶୀତ ୠତୁ ପରେ ଭାରତରେ ବହୁ ଅଂଶରେ ପ୍ରଚଣ୍ଡ ଗ୍ରୀଷ୍ମୀ ପ୍ରକୋପ ହେତୁ ବସନ୍ତ ଆଜି ପରାହତ । ସେହିପରି ବସନ୍ତର ମଧୁଚନ୍ଦ୍ରିକାରେ ମଦନୋତ୍ସବ ନାମକ ଯେଉଁ ତାରୁଣ୍ୟ ଓ ସୌନ୍ଦର୍ଯ୍ୟ ଉତ୍ସବ ଅନୁଷ୍ଠିତ ହେଉଥିଲା, ତାହା ଆଜି ଲୁପ୍ତପ୍ରାୟ । ବର୍ଣ୍ଣିତ ଅଛି, ସ୍ୱୟଂ ରୁଦ୍ର ମଦନଙ୍କୁ ତୃତୀୟନେତ୍ରାଗ୍ନିରେ ଭସ୍ମୀଭୂତ କରିଥିଲେ । ଏହାର ବ୍ୟଞ୍ଜନା ଅର୍ଥ ହୁଏତ ରୌଦ୍ର ଉତ୍ତାପରେ ୠତୁରାଜ ବସନ୍ତ ମ୍ଳାନ ଓ ନିଷ୍ପଭ- ଏହିପରି ଅନୁମାନ କରାଯାଇପାରେ ।

 

ଶରତ୍‌ୠତୁ ଦେବପୂଜା ଓ ପିତୃପୂଜା ଉଭୟ କାର୍ଯ୍ୟପାଇଁ ଉତ୍‌କୃଷ୍ଟ ସମୟ । ଆଶ୍ୱିନ ଓ କାର୍ତ୍ତିକ ମାସର ଶୁକ୍ଳପକ୍ଷରେ ଦେବଅର୍ଜନା ଓ କୃଷ୍ଣପକ୍ଷରେ ପିତୃଅର୍ଚ୍ଚନା ହୋଇଥାଏ । ଆମର ଚିନ୍ତା, ପରମ୍ପରା ଓ କାମନାର ପରିପୂର୍ତ୍ତିରେ ଶରତ୍‌କାଳ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

 

ଆମ ଭାଷାରେ ‘ଶରତ୍‌’ ଶବ୍ଦ ସ୍ତ୍ରୀ ଲିଙ୍ଗରେ ବ୍ୟବହୃତ । କବିମାନସ ଶରତ୍‌କୁ ନବବଧୂରୂପେ ଚିତ୍ରିତ କରିଛି । ଏହି ସମୟରେ ସୌକୁମାର୍ଯ୍ୟ ଓ କମନୀୟତାକୁ ଲକ୍ଷ୍ୟକରି ସମ୍ଭବତଃ ଆମର ପୂର୍ବ ୠଷିମାନେ ଶରତ୍‌ ଶବ୍ଦକୁ ସ୍ତ୍ରୀଲିଙ୍ଗରେ ବ୍ୟବହାର କରିଛନ୍ତି । ନାରୀର ଲାବଣ୍ୟ ଓ ସମ୍ମୋହନ ଶରତ୍‌ୠତୁରେ ପରିଦୃଷ୍ଟ । ଏହି ସମୟରେ ସନ୍ଦର୍ଶନରେ ମନକୁ ବହୁ ବ୍ୟକ୍ତ ଓ ଅବ୍ୟକ୍ତ ଚିନ୍ତା ଆସିଥାଏ । ଏହି ସମୟରେ ପ୍ରକୃତିର ଶୋଭା ଦୃଶ୍ୟମାନ ହେବା ସହିତ ବହୁ କଳ୍ପନାବିଳାସର ଉଦ୍ରେକ କରାଇଥାଏ ।

 

କଥିତ ଅଛି, ବର୍ଷାକାଳରେ ରାଜହଂସ ମାନସରୋବରକୁ ଯାଇଥାଏ ଏବଂ ଶରତ୍‌ ୠତୁରେ ପୁଣି ଫେରିଆସେ । ହଂସ ଆମ ଚେତନାରେ ଏକ କଳାଶ୍ରୟୀ ଓ ସଙ୍କେତ ଜ୍ଞାନମୟ । ସେଥିପାଇଁ ଜ୍ଞାନଦାତ୍ରୀ ସରସ୍ୱତୀଙ୍କ ବାହନରୂପେ ହଂସର ବର୍ଣ୍ଣନା ହୋଇଛି । ହଂସର ମାନସରୋବରକୁ ଯିବା ବିଷୟ ବର୍ଣ୍ଣନା କରି ମହାକବି କାଳିଦାସ ଯକ୍ଷମୁଖରେ କହିଛନ୍ତି-

 

‘‘ହେ ମେଘ, ମୃଣାଳ ଓ ପଦ୍ମପତ୍ରକୁ ପାଥେୟ ରୂପେ ଗ୍ରହଣ କରି ରାଜହଂସମାନେ କୈଳାସ ପର୍ଯ୍ୟନ୍ତ ଆକାଶରେ ତୁମର ସହଗାମୀ ହେବେ ।’’

 

‘‘ଆ କୈଳାସାତ୍‌ ବିସକିସଳୟଚ୍ଛେଦପାଥେୟବନ୍ତଃ

ସଂପତ୍‌ସ୍ୟନ୍ତେ ନଭସି ଭବତୋ ରାଜହଂସାଃସହାୟାଃ’’ ।

 

(ମେଘଦୂତ)

 

ଶରତ୍‌ଋତୁ ପ୍ରସଙ୍ଗରେ ହଂସ ଓ ପଦ୍ମବନର ବର୍ଣ୍ଣନା ବିଶେଷ ଉଲ୍ଲେଖଯୋଗ୍ୟ ।

 

ନଦୀମାତୃକ ଆର୍ଯ୍ୟଜନ ସିନ୍ଧୁ ଓ ସରସ୍ୱତୀ ନଦୀକୂଳରେ ଶରତ୍‌ର ଯେଉଁ ପ୍ରାଣବତ୍ତା ଅନୁଭବ କରିଥିଲେ, ଆମେ ଆଜି ତାହା କେତେକ ପାରିମାଣରେ ଅନୁଭବ କରୁଛୁ ଏବଂ ଶାରଦୀୟ ପର୍ବପର୍ବାଣି ମଧ୍ୟରେ ଶରତ୍‌ର ଜୟଗାନ କରୁଛୁ ।

 

ଆସନ୍ତୁ, ଆମ୍ଭେମାନେ ଆମର ପ୍ରାଚୀନ ଆର୍ଯ୍ୟ ୠଷିଙ୍କର ପରି ସମଭାବିତ ଓ ସମଚିତ୍ତ ହୋଇ କହିବା–

 

‘‘ଜୀବେମ ଶରଦଃ ଶତମ୍‍, ପଶ୍ୟମ ଶରଦଃ ଶତମ୍‌ ।’’

Image

 

ୠତୁନାଂ କୁସୁମାକରଃ

 

‘‘ମୁଁ ହେଉଛି ମାସ ମଧ୍ୟରେ ମାର୍ଗଶିର ଓ ୠତୁ ମଧ୍ୟରେ ବସନ୍ତ’’–ଏହି ନିର୍ଭୀକ ଘୋଷଣା ସ୍ୱୟଂ ବ୍ୟାସଦେବ ଶ୍ରୀକୃଷ୍ଣଙ୍କ ମୁଖରେ ପ୍ରକାଶକରିବା ସମୟରେ ବସନ୍ତର ସମ୍ମୋହନ ନିଶ୍ଚିତ ଭାବରେ ତାଙ୍କୁ ସାମ୍ପ୍ରତିକ ଯୁଗ ଅପେକ୍ଷା ଅଧିକ ସ୍ପର୍ଶ କରିଥିବ । ବସ୍ତତଃ ବସନ୍ତର ସମ୍ମୋହନ ଏତେ ସୁପ୍ରାଚୀନ ଯେ, ତାହାର ଅବଧି ସ୍ଥିରକରିବା ଆଜି କଷ୍ଟକର ହୋଇପଡ଼ିଛି । ଭାରତ-ୟୁରୋପୀୟ ଗୋଷ୍ଠୀର ସେ ଥିଲା ଉତ୍ତରଣ ସମୟ । ଭଲ୍‌ଗାର ଉପତ୍ୟକାରୁ ସିନ୍ଧୁର ଅବବାହିକା ପର୍ଯ୍ୟନ୍ତ ସେତେବେଳେ ବସନ୍ତର ପ୍ରଭାବ ସ୍ପଷ୍ଟ ଅନୁଭୂତି ହେଉଥାଏ । ବୈଦିକ ଓ ପ୍ରାଗ୍‌ବୈଦିକ ଯୁଗର ଅତଳ ସ୍ମୃତି । ସେତେବେଳେ ବର୍ଷଗଣନାରେ ତିନୋଟି ୠତୁର ଉଲ୍ଲେଖ ମିଳୁଛି; ବସନ୍ତ, ଗ୍ରୀଷ୍ମ ଓ ଶରତ୍‌ । ପରବର୍ତ୍ତୀ ଅବସ୍ଥାରେ ହେମନ୍ତ, ଶୀତ ଓ ବର୍ଷା ନାମରେ ଯେଉଁ ଅଧିକ ତିନୋଟି ୠତୁର ପରବର୍ତ୍ତୀ ଅବସ୍ଥାରେ ହେମନ୍ତ ଶୀତ ଓ ବର୍ଷା ନାମରେ ଯେଉଁ ଅଧିକ ତିନୋଟି ୠତୁର ଗଣନା ଆମ ଦେଶରେ ପ୍ରଚଳିତ ହୋଇଛି, ତାହା ଆପେକ୍ଷିକ ଭାବରେ ଆଧୁନିକ । ଚାରଣଶୀଳ ଆର୍ଯ୍ୟଜନ ସ୍ୱରସ୍ୱତୀ ଓ ଦୃଷଦ୍‌ବତୀର ଉପାନ୍ତରେ ଚିନ୍ତାମଗ୍ନ । ସେତେବେଳକୁ କୃଷିକୁ ଅଗ୍ରାଧିକାର ଦିଆଯାଇଥାଏ । ଶୀତ ସରିଆସିଛି, ଗ୍ରୀଷ୍ମର ତୀବ୍ରତା ସୁଦୂର ଭବିତବ୍ୟ ପ୍ରକୃତି ଆଜି କମନୀୟ । ଗୋଧନ ସହିତ ଆର୍ଯ୍ୟଜନ ସରସ୍ୱତୀ ନଦୀର କଳନିନାଦକୁ ଉପଭୋଗ କରୁଥାନ୍ତି । ସମଗ୍ର ସପ୍ତସିନ୍ଧୁ ଅଞ୍ଚଳ ପୁଷ୍ପର ସୁରଭିରେ ଆମୋଦିତ । ବୃକ୍ଷଲତା ନବକିଶଳୟରେ ସମୃଦ୍ଧ । ପଶୁ ପକ୍ଷୀ-ସମସ୍ତଙ୍କ ମନରେ ଅପାର ଆନନ୍ଦ । ଶିଶିର ପାତରେ ନଷ୍ଟଶ୍ରୀ ପଦ୍ମବନ ଆଜି ପୂର୍ବ ସୁଷମା ଫେରିଆସିଛି । ଭ୍ରମର ପଙକ୍ତିକୁ ପଦ୍ମବନଉପରେ ଗୁଞ୍ଜନରତ । ମଧୁପର ଉଲ୍ଲାସ ଅଫୁରନ୍ତ । ପ୍ରସ୍ଫୁଟିତ ପୁଷ୍ପ କଦମ୍ୱରୁ ମଧୁପାନକରି ମଧୁଚକ୍ରରେ ସଞ୍ଚୟ କରୁଛନ୍ତି । ସତେ ଅବା ଉନ୍ମତ୍ତ ପ୍ରକୃତି ମଧୁବର୍ଷା କରୁଛି । ସୁସ୍ୱାଦ ନିର୍ଯ୍ୟାସ ମଧ୍ୟରେ ଘୃତ ଓ ମଧୁର ଆସ୍ୱାଦ ଆର୍ଯ୍ୟାମାନଙ୍କୁ ଆତ୍ମବିସ୍ମୃତ କରିଆସିଛି। ପ୍ରାଣର ଅବ୍ୟକ୍ତ ଆନନ୍ଦ ପୁଷ୍ପମଧୁର ରୂପକଳ୍ପରେ ସୁବ୍ୟକ୍ତ । ପବନର ହିଲ୍ଲୋଳ ଓ ସାଗରର କଲ୍ଲୋଳରେ ସେହି ମଧୁରିମାକୁ ଉପଭୋଗକରି ବିସ୍ମୃତ ଆର୍ଯ୍ୟୠଷି ପ୍ରକୃତିର ସମ୍ମୋହନକୁ ସ୍ମୃତିକରି ଚାଲିଛନ୍ତି-

 

ମଧୁ ବାତା ରୂତାୟନ୍ତେ, ମଧୁ କ୍ଷରନ୍ତି ସିନ୍ଧବଃ,

ମାଧ୍ୱୀନଃ ସନ୍ତୋଷଧୀଃ । ମଧୁନକ୍ତମୃତୋଷସୋ

ମଧୁମତ୍‌ ପାର୍ଥିବଂ ରଜଃ, ମଧୁ ଦ୍ୟୈାରସ୍ତନଃ ପିତା ।

ମଧୁମାନ୍ମୋ ବନସ୍ପତି ମଧୁମାନ୍‌ ଅସ୍ତୁ ସୂର୍ଯ୍ୟଃ

ମାଧ୍ୱୀର୍ଗାବୋ ଭବନ୍ତୁଃ ନଃ ।।

 

ପବନ ମଧୁ ବୃଷ୍ଟି କରୁ, ସମୁଦ୍ରରୁ ମଧୁ ସ୍ରବଣ ଘଟୁ, ଔଷଧି ମଧୁମୟ ହେଉ, ପ୍ରଭାତ ଓ ରାତ୍ରି ମଧୁସମ୍ମିତ ହୁଅନ୍ତୁ । ପୃଥିବୀର ଧୂଳିକଣା, ଆକାଶ ସବୁ କିଛି ମଧୁର ହେଉ । ବନସ୍ପତି ଓ ସୂର୍ଯ୍ୟ ମଧୁସଂସ୍ରବରେ ସୁଖପ୍ରଦ ହୁଅନ୍ତୁ । ଆମ୍ଭମାନଙ୍କର ଗୋସମ୍ପଦ ଆଜି ମଧୁର ହେଉ ।

 

ସମଗ୍ର ଆର୍ଯ୍ୟାବର୍ତ୍ତ ଯଜ୍ଞଉତ୍ସବରେ ବିଭୋର ହୋଇଉଠିଛି । ମାଧ୍ୟନ୍ଦିନ ସୋମ ଆସବରେ ମତ୍ତକାଶ ଉଦ୍‌ଗାତାମାନେ ସୃଷ୍ଟିର ରହସ୍ୟ ଭେଦକରି ସଂବିତ୍‌ମୟ ପୁରୁଷସୂକ୍ତ ଗାନ କରି ଚାଲିଛନ୍ତି–

 

‘‘ଯତ୍‌ପୁରୁଷେଣ ହବିଷା ଦେବା ଯଜ୍ଞମତନ୍ୱତ

ବସନ୍ତୋଽସ୍ୟାଦାଜ୍ୟଂ ଗ୍ରୀଷ୍ମ ଇଧ୍ମ ଶରଦ୍‌ ହବିଃ ।’’ (ୠଗ୍‌ବେଦ)

 

ଦେବତାମାନେ ସେହି ଅଧିପୁରୁଷଦ୍ୱାରା ଅଗ୍ରଜନ୍ମା ବିରାଟପୁରୁଷ ହିରଣ୍ୟଗର୍ଭଙ୍କୁ ଯେତେବେଳେ ଯଜ୍ଞରେ ସଂସ୍ତୁତ କଲେ, ବସନ୍ତ ହେଲା ମହାକାଳରେଯଜ୍ଞର ଆଜ୍ୟ, ଗ୍ରୀଷ୍ମ ଓ ଶରତ ଯଥାକ୍ରମେ ସମିଧ ଓ ଶସ୍ୟାବଳିରୂପେ ପ୍ରତିଭାତ ହେଲେ । ବସନ୍ତର ସ୍ତୃତିଗାନର ଏହି ପ୍ରାଚୀନତା ଭାରତୟୁରୋପୀୟ ଓ ଭାରତ-ଇରାଣୀଗୋଷ୍ଠୀ ମଧ୍ୟରେ ଉଜ୍ଜୀବିତ ରହିଆସିଛି ।

 

ବୈଦିକ ଯୁଗ ପରେ ରୂପକଳ୍ପଧର୍ମୀ ଆର୍ଯ୍ୟମାନସରେ ବସନ୍ତ ହେଲା ଉତ୍ସବର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରାଜାପତ୍ୟ ଯଜ୍ଞ ଓ ମଦନନୋତ୍ସବ ଏହି ସମୟରେ ଅନୁଷ୍ଠିତ ହୁଏ । ‘‘ବସନ୍ତ୍ୟତ୍ର ମଦନୋତ୍ସବାଃ ଇତି ବସନ୍ତ’’- ମଦନୋତ୍ସବର ଅନୁଷ୍ଠାନ ହେତୁ ଏହି ୠତୁବିଶେଷକୁ ବସନ୍ତ କହୁଗଲା । ଏହାର ସମପର୍ଯ୍ୟାୟ ଶବ୍ଦରୂପେ ‘‘ପୁଷ୍ପ ସମୟ, ସୁରଭି, ମଧୁ, ମାଧବ, ଫଲ୍‌ଗୁ, ୠତୁରାଜ, ପୁଷ୍ପମାସ, ପିକାନନ୍ଦ, କାନ୍ତ ଓ କାମସଖ୍ୟ’’ ପ୍ରଭୃତି ଶବ୍ଦଗୁଡ଼ିକ ପ୍ରଚଳିତ । ଏଗୁଡ଼ିକ ଗୁଣାତ୍ମକ ଶବ୍ଦ ଏବଂ କନ୍ଦର୍ପ-ଉତ୍ସବ ସହିତ ସହାର୍ଥବାଚକ । ସାଧାରଣତଃ ଫାଲଗୁନ ଓ ଚୈତ୍ର ମାସକୁ ବସନ୍ତ କୁହାଯାଏ । କେତେକ ସ୍ଥଳରେ ମଧୁମାସ ଚେତ୍ର ଓ ମାଧବ ବୈଶାଖ ମଧ୍ୟ ବସନ୍ତର ଅନ୍ତର୍ଗତ ।

 

‘‘ମଧୁଶ୍ଚ ମାଧବଶ୍ଚ ବାସନ୍ତିକୠତୁଃ’’ - ‘‘ମଳମାସତତ୍ତ୍ୱ’’ କିନ୍ତୁ ମଧୁମାସ ଚୈତ୍ର ହିଁ ବୌନ୍ତର ସର୍ବାଦୃତ ସମୟ । ବିଶେଷକରି ଚେତ୍ରର ଶୁକ୍ଳପକ୍ଷରେ ମଦନୋତ୍ସବର ଅନୁଷ୍ଠାନ ବିଶେଷ ଉଲ୍ଲେଖଯୋକ୍ୟ । ଚୈତ୍ରକ ଶୁକ୍ଳାଷ୍ଟମୀରେ ବାସନ୍ତୀ ଦେବୀଙ୍କର ଉପାସନା ଏବଂ ତ୍ରୟୋଦଶୀରେ କନ୍ଦର୍ପ ଓ ରତି ଦେବୀଙ୍କର ଉତ୍ସବ ଆମର ପ୍ରାଚୀନ ସମାଜକୁ ଖୁବ୍‌ ଉଦ୍‌ବୃଦ୍ଧ କରିଥିଲା । ଏବେ ମଧ୍ୟ ମଧୁମାସର ଏହି ପାର୍ବଣ ପକ୍ଷରେ ବାସନ୍ତୀଦୁର୍ଗା ପୂଜାର ବିଧାନ ହୋଇଆସୁଛି । ଏହା ମଧୁ ପାର୍ବଣ ନାମରେ ଅଭିହିତ ।

 

ବସନ୍ତର ରୂପକଳ୍ପକୁ ସୁସଂହିତ କରିବାପାଇଁ ବହୁ ଆଖ୍ୟାନ ଆମ ପୁରାଣ ଶାସ୍ତ୍ରମାନଙ୍କରେ ଚଳିଆସିଛି । ଯୋଗେଶ୍ୱର ଶିବଙ୍କୁ ଆକୃଷ୍ଟ କରିବାପାଇଁ ଅପରୁପଲାବଣ୍ୟ ମୋହିନୀ କନ୍ୟା ସୃଷ୍ଟିକରିବାକୁ ବିଧାତା ଚିନ୍ତାମଗ୍ନ ହେଲେ । ତାଙ୍କର ସୌନ୍ଦର୍ଯ୍ୟଚିନ୍ତାଉଚ୍ଛ୍ୱାସରେ ରୂପ ନେଲା, ସେ ଉଚ୍ଛ୍ୱାସରୁ ଜନ୍ମ ନେଲେ ବସନ୍ତ । ଏହି ଚତୁର୍ଭୁଜ କମନୀୟ ମୂର୍ତ୍ତିର ହସ୍ତରେ ଚୂତାଙ୍କର ଶୋଭାପାଉଥାଏ, ଚୂତକଳିକା, ଭ୍ରମରମାଳା ଏବଂ ଆରକ୍ତ କିଂଶୁକ । ତାଙ୍କର ବିଗ୍ରହ ମାଧୁସ୍ରାବୀ କୁସୁମରେ ବିଭୂଷିତ; ଠିକ୍‌ ପ୍ରଫୁଲ୍ଲ ଚୂତବୃକ୍ଷ ପରି । ଆକୃତି ରକ୍ତ କୋକନଦନିଭ, ନୟନଦ୍ୱୟ ପ୍ରସ୍ଫୁଟିତ ଇନ୍ଦୀବରତୁଲ୍ୟ ସୁଶୋଭନ; ମୁଖମଣ୍ଡଳ ସାଂଧ୍ୟୋଦିତ ପୂର୍ଣ୍ଣଚନ୍ଦ୍ରମା ପରି ଉଜ୍ଜ୍ୱଳ-। ନାସିକା ସୁନ୍ଦର, କର୍ଣ୍ଣବିବର ଶଙ୍ଖସଦୃଶ, କେଶକଳାପ କୁଞ୍ଚିତ ଓ ଶ୍ୟାମବର୍ଣ୍ଣ, କର୍ଣ୍ଣାବତଂସ ମକରକୁଣ୍ଡଳ ଅସ୍ତୋନ୍ମୁଖ ସୂର୍ଯ୍ୟଙ୍କପରି ସମୁଜ୍ଜ୍ୱଳ ଏବଂ ବିକ୍ଷ ବିଦୀର୍ଣ୍ଣ । ତାଙ୍କର ବାହୁ ବର୍ତ୍ତୁଳ ଓ ଆୟତ, କରାଙ୍ଗୁଳି ଜାନୁ ସ୍ପର୍ଶକରୁଛି । ସୁବୃତ୍ତ ନିତମ୍ୱ, ଗ୍ରୀବା କମ୍ୱୁବତ୍‌ ରେଖାୟିତ, ସ୍କନ୍ଧ ପ୍ରାଂଶୁ ଓ ଉନ୍ମତ । ତାଙ୍କର ଘ୍ରାଣବାୟୁ ସୁରଭି ଓ ମୃଦୁ । ସେହି ଭବ୍ୟ ପୁରୁଷଙ୍କର ସନ୍ଦର୍ଶନରେ ଦ୍ରୁମଲତା ପୁଷ୍ପିତ ହେଲେ, ପିକକୁଳ ପଞ୍ଚମତାନରେ ବନଭୂମିକୁ ଆନନ୍ଦମୁଖର କଲେ । ଜଳାଶୟର ସ୍ୱଚ୍ଛ ସଲିଲରେ ହଂସ, ସାରସ କ୍ରୀଡ଼ା କଲେ ଏବଂ ପଦ୍ମ ବିକଶିତ ହେଲା । (କାଳିକା ପୁରାଣ)

 

କାବ୍ୟ ଯୁଗରେ ଏହି ବସନ୍ତ ସମୟ ରୂପକଳ୍ପ ମୂର୍ତ୍ତି ଅତ୍ୟନ୍ତ ହୃଦ୍ୟ ଓ ରମଣୀୟ ଭାବରେ ବ୍ୟକ୍ତହେଲା । ଯୋଦ୍ଧୃ ସୈନିକପରି ୠତୁରାଜ ବସନ୍ତ ଆଜି ଉପସ୍ଥିତ । ପ୍ରଫୁଲ୍ଲ ଚୂତାଙ୍କୁର ତାର ତୀକ୍ଷ୍‍ଣ ସାୟକ, ଭ୍ରମରମାଳା ସେହି ବିଜୟୀ ରାଜପୁତ୍ରର ଧନୁର୍ବାଣ । ସୁରତସିକ୍ତ ଯୁବକ-ଯୁବତୀମାନଙ୍କର ହୃଦୟକୁ ଶରବିଦ୍ଧ କରିବାପାଇଁ ସତେ ଅବା ଏହି ବସନ୍ତ ଉପଗତ । ମହାକବି କାଳିଦାସ ବସନ୍ତର ସ୍ମୃତି ଓ ଆପେକ୍ଷିକ ସ୍ଥିତିକୁ ପ୍ରବଣତାର ସହିତ ଉପଭୋଗ କରି ୠତୁରାଜ ସ୍ତୁତିଗାନ କରିଛନ୍ତି–

 

‘‘ପ୍ରଫୁଲ୍ଲଚୂତାଙ୍କୁରତୀକ୍ଷ୍‍ଣସାୟକୋ

ଦ୍ୱିରେଫମାଳାବିଳସଦ୍‌ଧନୁନୁର୍ଗୁଣଃ

ମନାଂସି ଭେତ୍ତୂଂ ସୁରତପ୍ରସଙ୍ଗିନାଂ

ବସନ୍ତଯୋଧଃ ସମୁପାଗତଃ ପ୍ରିୟେ ।’’

 

ଦ୍ରୁମସମୂହ ପଲ୍ଲବିତ ଓ ପୁଷ୍ପିତ, ଜଳାଶୟ ପଦ୍ମଶ୍ରୀରେ ମଣ୍ଡିତ । ସ୍ତ୍ରୀମାନେ କାମିନୀ । ପବନ ସୁଗନ୍ଧ । ସଂଧ୍ୟା ଓ ଦିବସ ରମଣୀୟ । ବସନ୍ତରେ ସବୁକିଛି ସୁଖପ୍ରଦ ଓ ଉପଭୋଗ୍ୟ ।

 

‘‘ଦ୍ରୁମାଃ ସୁପୁଷ୍ପାଃ ସଲିଳଂ ସପଦ୍ମମ୍‌

ସ୍ତ୍ରିୟଃ ସକାମାଃ ପବନଃ ସୁଗନ୍ଧଃ

ସୁଖାଃ ପ୍ରଦୋଷାଃ ଦିବସାଶ୍ଚ ରମ୍ୟାଃ

ସର୍ବଂ ପ୍ରିୟେ ଚାରୁତରଂ ବସନ୍ତେ ।’’

 

ସେ ବସନ୍ତ କନ୍ଦର୍ପର ସଖା; ପୁଣି ସ୍ୱୟଂ କନ୍ଦର୍ପଙ୍କ ପରି ଦେଖିବାକୁ କମ୍ର ଓ ସୁନ୍ଦର । ଦେବରାଜଇନ୍ଦ୍ରଙ୍କ ତୁଲ୍ୟ ଦିଗ୍‌ବାରଣବାହନ । ପୁଷ୍ପ ପରାଗରେ କେଶପାଶ ସମ୍ଭୃତ । କଟୀରେ ପୀତାମ୍ୱର, ହୃଦୟରେ ମୁକ୍ତାର ମାଳା । ହସ୍ତରେ ପଞ୍ଚସାୟକ; ପୁଷ୍ପଗୁଚ୍ଛରେ ଆପାଦମସ୍ତକ ବିମଣ୍ଡିତ-। ଶଙ୍କାହୀନଭାବରେ ଶରତ୍‌ର ବ୍ରୀଡ଼ା ଓ ହେମନ୍ତର ସ୍ପର୍ଶକାତରତା ଦୂରକରି ଆଜି ପ୍ରକୃତି ଅଙ୍କରେ ଦଣ୍ଡାୟମାନ । ତାର ସଂସ୍ପର୍ଶରେ ମୁଗ୍‌ଧା ହେବ ପ୍ରଗଳ୍‌ଭା, ଆଶା ଓ ଆଶଙ୍କାର କୃପଣତା ଦୂରକରି ଭରିଦେବ ଔଦାର୍ଯ୍ୟ । ବସନ୍ତର ଲୀଳା ସର୍ବତ୍ର ଅଖଣ୍ଡ ଓ ପରିପୂରର୍ଣ୍ଣ । ‘‘ହେ କ୍ଳାନ୍ତ ପଥିକ; ଆଜି ସେବାନିୟୋଗରୁ ଟିକେ ମୁକ୍ତହୋଇ ଘରକୁ ଫେରିଯାଅ । ଉତ୍ସବକୁ ହୃଦୟଭରି ଉପଭୋଗ କରିନିଅ । ହେ ମାନିନି ! ଥରେ ମାନ ତ୍ୟାଗକର, ରତିରଭସି ବସସ୍ତର ଦେଦୀପ୍ୟମାନ ମୂର୍ତ୍ତିକୁ ଥରେ ନିରୀକ୍ଷଣ କର । ଆଜି ତୁମେ ଶ୍ରାବଣର ଚକିତ କନ୍ୟା ନୁହିଁ, ନୁହଁ ତୁମେ ଶରତ୍‌ର ମୁଗ୍‌ଧା । ହେମନ୍ତର ଶୀର୍ଣ୍ଣତା କ୍ଷଣକପାଇଁ ଦୂରହେଉ । ସୃଜନର ଉତ୍ସବରେ ଥରେ ନିଷ୍ଣାତହୃଦୟା ହୋଇ ବସନ୍ତକୁ ସ୍ୱାଗତ ଜଣାଅ । ବସନ୍ତ ଆସିଛି, ତାର ପୁଷ୍ପସାୟକ, ଚୂତମଂଜରୀ; କୋକିଳର ପଞ୍ଚମ ଧ୍ୱନି, ଭ୍ରମରର ଗୁଞ୍ଜନ—ସବୁକିଛି ମଧୁମୟ । ବର୍ତ୍ତମାନର ଭବ୍ୟତାକୁ ଅତୀତର ଦୁଃଖ କିମ୍ୱା ଭବିତବ୍ୟର ତୀବ୍ର ବେଦନାରେ ନଷ୍ଟ କରନାହିଁ । ଉତ୍ତଳ ସେ କବି; ଉତ୍ତରଳ ତାଙ୍କର କାବ୍ୟ ।

 

‘‘ରେ ପାନ୍ଥାଃ ସ୍ୱଗୃହାଣି ଗଚ୍ଛତ ସୁଖଂ ସେବାଂ କ୍ଷଣଂ ମୁଚ୍ୟତାଂ

ମାନଂ ମାନିନି ମୁଞ୍ଚ ବଲ୍ଳଭଜନେ କୋପାନୁବନ୍ଧେନ କିଂ ।

ଆୟାତଃ କୁସୁମାକରଃ କ୍ଷପୟତି ପ୍ରାଣାନ୍‌ ବିୟୋଗାତୁରେ-

ଷ୍ୱିତ୍ୟେବଂ ପରପୁଷ୍ଟଘୃଷ୍ଟପଟହୋ ବକ୍ତବ୍ୟ କା ମାଜ୍ଞୟା ।।’’

 

ଦକ୍ଷିଣର ମଳୟାନିଳ ନର୍ମଚେତନା ଓ ସୁରଭି ବହି ଆଣୁଅଛି । ପୁଷ୍ଟର ସରାଗ ପରାଗରେଣୁ ରେ ଦିଗଙ୍ଗନାର ବଦନମଣ୍ଡଳ ଆରକ୍ତ ଓ ଉତ୍‌ସିକ୍ତ । ଚୂତଲତାଟି ନବପଲ୍ଲବରେ ମଣ୍ଡିତ ହୋଇ ଋତୁମତୀ ନାରୀପରି ଆତ୍ମସଂଗୋପାନ କରିବାକୁ ଚାହିଁଛି ; କିନ୍ତୁ ସଂକ୍ଷୁବ୍‌ଧ ଶ୍ରାନ୍ତ ମଳୟ ଆଜି ସନ୍ଧ୍ୟାର ଆସରଟିରେ ଏହି ଆରକ୍ତା ନବପୁଷ୍ପିତା ଚୂତଲତା ନିକଟରେ ଆଶ୍ରୟ ଲୋଡ଼ିଛି । ଈଷତ୍‌ କମ୍ପିତ ହୋଇ ଆମ୍ରକଲତିକାର ତନିମା । ସମୀରଣର ପ୍ରେମଯାଚ୍‌ଞ୍ଜା ; ‘‘ସନ୍ଧ୍ୟା ହୋଇଗଲାଣି, କାହିଁ ସେହି ସୁଦୂର ମଳୟପର୍ବତରୁ ମୁଁ ଧୀରେ ଧୀରେ ଆସୁଛି । ଶ୍ରାନ୍ତି ଓ କ୍ଳାନ୍ତି ମୋର ସମସ୍ତ ଶରୀରକୁ ଅବଶ କରିଦେଇଛି । ହେ କ୍ଷମାନୁଶୀଳେ ! କରୁଣାର ସଂସବରେ ମୋତେ ଆଜି ଏଠାରେ ଆଶ୍ରୟ ଦିଅ । ଏହି ଚୈତ୍ର୍ୟକ ଜ୍ୟେତ୍ସ୍ନାୟିତ ରାତ୍ରିଟି ମୁଁ ଏଠାରେ ଅତିବାହିତ କରିବି ।’’ ବନ ଜ୍ୟେତ୍ସ୍ନାର ଆଢୁ ଆଳରୁ ଭ୍ରମରର ଅଳସ ଗୁଞ୍ଜନ ଏବେ ମଧ୍ୟ ଶୁଣାଯାଉଛି । ବ୍ରୀଡ଼ାବତୀ ଶଂକିତା ଆମ୍ରଲତା ଆନ୍ଦୋଳିତ ହେଲା । ସତେଅବା ନବପୁଷ୍ପିତା ଅନୁଢା କନ୍ୟାଟି ପ୍ରତ୍ୟାଖ୍ୟାନର ରଙ୍ଗିତ ଦେଉଛି । ନାଁ, ନାଁ, ନାଁ-; ‘‘ ତୁମେ ଫେରିଯାଅ ସମୀରଣ’’ କରୁଣାର ଅନୁକ୍ରୋଶକୁ ମର୍ଯ୍ୟାଦାର ପ୍ରାଚୀର ରୁଦ୍ଧ କରିଦେଲା । ଆଜି ନୁହେଁ, କାଲି ନୁହେଁ, ପରଦିନ ମଧ୍ୟ ନୁହେଁ । ମୁଁ ଅସ୍ପୃଶ୍ୟା ।

 

X X X

 

ଦିଗନ୍ତବିସ୍ତାରୀ ବସନ୍ତ ସମ୍ମୋହନରେ କବିର ଉତ୍ତରଳ ଚିନ୍ତା ସ୍ପର୍ଶକରିଛି ପ୍ରଣୟ ଓ ସୌନ୍ଦର୍ଯ୍ୟ ଅନ୍ୱିତ ବୟଃସନ୍ଧିକୁ । ହୃଦୟ ଉଲ୍ଲାସର ସେହି ଧ୍ୱନି ଆଜି ମଧ୍ୟ ଶୁଣାଯାଏ–

 

‘‘ଇୟଂ ସନ୍ଧ୍ୟା ଦୂରାଦହମୁପଗତୋ ହନ୍ତ ମଳୟାତ୍‌

ଇଦାନୀଂ ତ୍ୱଦ୍‌ଗୃହେ କରୁଣବତି ନେଷ୍ୟାମି ରଜନୀଂ

ସମୀରେଣ ପ୍ରୋକ୍ତା ନବକୁସୁମିତା ଚୂତଲତିକା

ଧୂନାନା ମୂର୍ଦ୍ଧାନ ନହି ନହି ନହୀତ୍ୟେବ କରୁତେ ।’’

 

X X X

 

କମନୀୟ ବସନ୍ତର ସେହି ମଦନୋତ୍ସବ ଆଜି ଇତିହାସର ବିଷୟବସ୍ତୁ । ସୁରମ୍ୟ ରଥ ଉପରେ ସୌନ୍ଦର୍ଯ୍ୟର ପ୍ରତୀକ ଦେବତା ସ୍ୱୟଂ କନ୍ଦର୍ପ ଏବଂ ତାଙ୍କର ସହଚାରିଣୀ ଲୀଳାମୟୀ ରତିଦେବୀଙ୍କର ଯୁଗନଦ୍ଧ ବିଗ୍ରହ ରଖି ପୁରବାସୀମାନେ ଆଜି ଉନ୍ମତ୍ତ । ସମାଜର କୌଣସି ଶୃଙ୍ଖଳାବୋଧ ସେମାନଙ୍କୁ ସଂଯତ କରିପାରୁନାହିଁ । କି ନାରୀ, କି ପୁରୁଷ, ସମସ୍ତଙ୍କର ମୁଖରେ ସ୍ୱତଃସ୍ଫୂର୍ତ୍ତ ଉଲ୍ଲାସର ଚିହ୍ନ । ମଦ୍ୟ ଓ ଆସବର ତୀବ୍ରତାରେ କେତେକଙ୍କର ଚକ୍ଷୁ ମଦାଳସ ଏବଂ ଘୂର୍ଣ୍ଣିତ । କେତେକ ସୁକୁମାରୀ ନାରୀ ଆକଣ୍ଠ କାଦମ୍ବରୀ ପାନ କରି ଆଜି ଉନ୍ମତ୍ତା ହୋଇଛନ୍ତି । ଉତ୍ସାବର ସେହି ତାତ୍ତ୍ୱିକ ଅର୍ଥ—ସବନ କ୍ରିୟା ବା ମଦବିହ୍ୱଳତାର ଉତ୍‌କର୍ଷ । ସତସ୍ୱତୀର କଳନାଦରେ ଯଜ୍ଞୀୟ ସୋମରସ ସେହି ଚୈତ୍ରକ ରାକାରଜନୀରେ ଯେଉଁ ମୃଦୁତାର ବିଲୋପନ ଆଣିଥିଲା, ପ୍ରାଜାପ୍ରତ୍ୟ ଗୋଷ୍ଠୀ ପୌର୍ଣ୍ଣମାସୀ କ୍ରିୟା ସମାପନ କରି ନିଃଶଙ୍କ ଚିତ୍ତରେ ଉଲ୍ଲାସମୁଖର ହୋଇଉଠିଥିଲେ, ଠିକ୍‌ ସେହି ଚିନ୍ତା ଓ ସ୍ମୃତି ଆଜିମଧ୍ୟ ରହିଛି; କିନ୍ତୁ ସଂଯମର ସମସ୍ତ ଗ୍ରନ୍ଥିକୁ ଛେଦକରି ଆଜିର ତୀବ୍ରତା କେତେ ସମୟ ବା ରହିପାରେ ? ଏକ ତାତ୍ତ୍ୱିକ ପ୍ରଶ୍ନ । ସଂଯତ ଭାରତର ଆତ୍ମା ଏହି ତୀବ୍ରତାକୁ ନିଶ୍ଚୟ ବିରୋଧ କରିବ । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସାମାଜିକ ଉତ୍ସବ ମଧ୍ୟରେ ମଦନ ଉତ୍ସବ ପ୍ରାଧାନ୍ୟ ଲାଭ କରିଆସିଥିଲା; କିନ୍ତୁ ଏହାର ଆଚରଣରେ ଯେଉଁ ଶୃଙ୍ଖଳାହୀନତା ଦେଖାଦେଲା, ଆବଶ୍ୟକତା ଦୃଷ୍ଟିରୁ ପାଶୁପତମାନେ ଏହି ଉତ୍ସବର ବିରୋଧ କଲେ । ଫଳରେ ପାଶୁପତ ଓ ପ୍ରାଜାପତ୍ୟମାନଙ୍କ ମଧ୍ୟରେ ଥିବା ବହୁ ବିବଦମାନ ମତବାଦ କ୍ରମେ ସଂଘର୍ଷର ରୂପନେଲା । ଚୈତ୍ରକ ସୋମଯଜ୍ଞକୁ ଧ୍ୱଂସକରି ସ୍ୱୟଂ ଶିବ ହେଲେ କ୍ରତୁଧ୍ୱଂସୀ । ବସନ୍ତର ମଦନୋତ୍ସବ ବନ୍ଦ ହେଲା । କନ୍ଦର୍ପଙ୍କର ସୁରମ୍ୟ ମୂର୍ତ୍ତି ଧୂର୍ଜଟି ଶିବଙ୍କର ଅଗ୍ନିନେତ୍ରରେ ଦଗ୍‌ଧୀଭୂତ ହେଲା । ସେ ହେଲେ ଅତନୁ ଓ ମନସିଜ; କିନ୍ତୁ ବସନ୍ତ ! ସାମୟିକ ବିଷାଦ ବସନ୍ତକୁ ମ୍ରିୟମାଣ କଲା ସତ, ତାହାର ପ୍ରାଚୁର୍ଯ୍ୟକୁ ଲୋପକରି ପାରିଲା ନାହିଁ । ପୃଥିବୀ ଇତିହାସରେ ସେ ଏକ ଦ୍ୱିଧାଗ୍ରସ୍ତ ସଙ୍କଟ । ସର୍ବତ୍ର ସୌନ୍ଦର୍ଯ୍ୟବାଦ ଓ ନୀତିବାଦ ମଧ୍ୟରେ ଏକ ଅହେତୁକ ସଂଘର୍ଷର ସୂତ୍ରପାତ ହେଲା । ପାଶ୍ଚାତ୍ୟ ଦେଶ; ବିଶେଷ-କରି ଗ୍ରୀସରେ ହିବୃ ଓ ହେଲିନିକ—ଏହି ଦୁଇ ମତବାଦର ତର୍କ ବିତର୍କ । ଦୁଇଟି ବିବାଦୀୟ ପ୍ରକ୍ଷେପ ।

 

ସାହିତ୍ୟ, ସ୍ଥାପତ୍ୟ, କଳା ଓ ଚଳଣୀ-ସବୁଥିରେ ଏହି ଦ୍ୱନ୍ଦ୍ୱ । ଏକ ଦିଗରେ ଆସକ୍ତି ଓ ଅନ୍ୟ ଦିଗରେ ଧାର୍ମିକ ସଂଯମ । ଭାରତରେ ଯେତେବେଳେ ମଦନୋତ୍ସବର ଇତି ଘଟିଲା, ରୋମ ଓ ଗ୍ରୀସ୍‌ରେ ନୃତ୍ୟ ଆସର ଓ ଅନ୍ୟାନ୍ୟ ଉତ୍ସବକୁ ସଂଯତ କରାଗଲା । ହିବୃୟିଜମ୍‌ ଓ ହେଲେନିଜମ୍‌ ମଧ୍ୟର ସଂଘର୍ଷ ସେହି ସଙ୍କଟର ପ୍ରତିଧ୍ୱନି । ଭାରତରେ ଏହି ବିରୋଧ ଓ ବିରୋଧଭାସ ବେଶିଦିନ ରହିଲାନାହିଁ । ଜୀବନ ଓ ଯୌବନର ଅଳୀକତା ତତ୍ତ୍ୱର ଚର୍ବଣ ହୋଇପାରେ ; କିନ୍ତୁ ତା’ର ପ୍ରାଣପ୍ରାଚୁର୍ଯ୍ୟ ସମସ୍ତଙ୍କୁ ମୁଗ୍‌ଧ କରିଥାଏ । ଯେଉଁ କନ୍ଦର୍ପଙ୍କୁ ସ୍ୱୟଂ ଯୋଗେଶ୍ୱର ଦଗ୍‌ଧୀଭୂତ କଲେ, କାଳକ୍ରମେ ସେ ମଧ୍ୟ ସମ୍ମୋହନର ଶରବ୍ୟ ହୋଇ ଅର୍ଦ୍ଧନାରୀଶ୍ୱର ହେଲେ । ମନୁଷ୍ୟ ରୁଚିବାଦରେ ବସନ୍ତ ତା’ର ପୂର୍ବ ଗୌରବ ଅକ୍ଷୁଣ୍ଣ ରଖିଆସିଛି ।

 

ଫାଲ୍‌ଗୁନର ଶୁକ୍ଳପକ୍ଷ । କୋଟି କନ୍ଦର୍ପର ଅବତାର ସ୍ୱୟଂ କୃଷ୍ଣ ତାଙ୍କର ରାସସଙ୍ଗିନୀ ରାଧାଙ୍କ ସହିତ ଆଜି ଦୋଳାରୂଢ଼ । ବସନ୍ତର କ୍ରମ ରଜନୀ, ଆକାଶରେ ନିର୍ମଳ ଚନ୍ଦ୍ର ଓ ଉଜ୍ଜ୍ୱଳ ତାରକା । ମଦନୋତ୍ସବର ସ୍ମତୃ ଆଜି ସାମାଜିକମାନଙ୍କ ମନରୁ ଲୋପ ପାଇନାହିଁ ; କିନ୍ତ ଆତ୍ମପ୍ରକାଶ କରିବାର ଏକ ଅଭିନବ ରୂପାନ୍ତର ମାତ୍ର । ସୌନ୍ଦଯ୍ୟର ଉପାସନା ଏକ ଆଦିମ ପ୍ରବୃତ୍ତି । ସତ୍ୟ ଓ ଋତର ପ୍ରକାଶରେ ଯେଉଁ ଶୈଳୀ ଓ ସଂହତି ରହିଛି, ଯାହାର ବୈଜ୍ଞାନିକ ପରିପ୍ରକାଶ ମହାକର୍ଷଣ ଓ ମାଧ୍ୟାକର୍ଷଣ ଶବ୍ଦରେ ନିହିତ, ତାହାହିଁ ସୌନ୍ଦର୍ଯ୍ୟା ଆଦିଉତ୍ସ । ବସନ୍ତର ମାଦକତା ସମସ୍ତଙ୍କୁ ଆକୃଷ୍ଟ କରିଆସିଛି । ସେହି ସୌନ୍ଦର୍ଯ୍ୟର ବୋଧର ରୁଚିସମ୍ମତ ଅଭିବ୍ୟକ୍ତ କାବ୍ୟକବିତା ଓ ଉପାସନାରେ ପ୍ରକାଶ ପାଇଛି । ବସନ୍ତର ସେହି ଉଲ୍ଲାସମୟ ସନ୍ଧ୍ୟା, ଯମୁନାର ନୀଳବେଣୀକୁ ସ୍ପର୍ଶକରୁଛି ନବୋଦିତ ଚନ୍ଦ୍ରମାନଙ୍କ ଆକର୍ଷଣୀୟ ଜ୍ୟୋସ୍ନା । ବାସନ୍ତୀ ପୁଷ୍ପଗୁଚ୍ଛରେ ବିମଣ୍ଡିତା ଅଭିସାରିଣୀ ରାଧା କୃଷ୍ଣଙ୍କର ଅନୁସରଣରେ ବୃନ୍ଦାବନକୁ ଯାତ୍ରା କରୁଛନ୍ତି । କନ୍ଦର୍ପର ତୀବ୍ର ବେଦନା ସେ ମର୍ମେ ମର୍ମେ ଅନୁଭବ କରୁଅଛି । ଗତି ତାଙ୍କର ଧୀରେ, ଭଙ୍ଗୀ ତାଙ୍କର ଦେଳାୟିତ । ଏହି ସମୟରେ ପ୍ରିୟ ସଖୀ ଲଳିତା ତାଙ୍କୁ କୃଷ୍ଣଙ୍କର ଧୃଷ୍ଟତା ବିଷୟରେ ଜଣାଇଲେ–

 

‘‘ବସନ୍ତେ ବାସନ୍ତୀ କୁସୁମ-ସୁକୁମାରୈ ରବୟବୈଃ

ଭ୍ରମନ୍ତୀଂ କାନ୍ତାରେ ବହୁବିହିତକୃଷ୍ଣାନୁସରଣାଂ

ଅମନ୍ଦଂ କନ୍ଦର୍ପଜ୍ୱର ଜନିତଚିନ୍ତାକୁଳତୟା

ଚଳତ୍‌ବାଧାଂ ରାଧାଂ ସରସମିଦମୁଚେ ସହଚରୀ’’

 

ଲଲିତ ଲବଙ୍ଗଲତାର ପରିଶୀଳନରେ କୋମଳ ସ୍ନିଗ୍‌ଧ ହୋଇଛି ମଳୟାନିଳ ଭ୍ରମରସମୂହର ଗୁଞ୍ଜନ ଓ ପିକକୁଳର ପଞ୍ଚମତାନରେ ଉନ୍ମତ୍ତ ଓ ସୌମ୍ୟ ହୋଇଛି ବୃନ୍ଦାବନର ସେହି ଲୀଳାକୁଞ୍ଜ । ହେ ସଖୀ, ଏହି ଦୁର୍ବାର ବସନ୍ତ ସମୟରେ ସ୍ୱୟଂ ମାଧବ ଗୋପାଙ୍ଗନାମାନଙ୍କ ସହିତ ନୃତ୍ୟରତ ।

 

‘‘ଲଳିତଲବଙ୍ଗଲତାପରିଶୀଳନ କୋମଳମଳୟସମୀରେ

ମଧୁକରନିକରକରମ୍ୱିତକୋକିଳ କୂଜିତକୁଞ୍ଜକୁଟୀରେ

ବିହରତି ହରିରିହ ସରସବସନ୍ତେ,

ନୃତ୍ୟତି ଯୁବତୀଜନେନ ସମଂସଖି ! ବିରହିଜନସ୍ୟଦୂରନ୍ତେ ।’’

 

ବିପ୍ରଲବ୍‌ଧା ଓ ଖଣ୍ଡିତା ରାଧାଙ୍କର ଅଶ୍ରୁବେଦନା ଉତ୍‌ଥଳ ହୋଇଛି । ତାଙ୍କୁ ଚନ୍ଦ୍ର କିରଣ ଆଜି ଦୁଃସହ, ଚନ୍ଦନ ଆଜି ଅଗ୍ନିତୁଲ୍ୟ ବ୍ୟଥାଦାୟକ । ଶୀତଳ ମଳୟରେ ସେ ବିଷକନ୍ୟ ସର୍ପିଣୀର ଫୁତ୍‌କାର ଅନୁଭବ କରୁଛନ୍ତି । ସେହି ଭକ୍ତକବି ଜୟଦେବଙ୍କ ଭାଷାରେ–

 

‘‘ନିନ୍ଦତି ଚନ୍ଦନମିନ୍ଦୁ କିରଣମନୁ ବିନ୍ଦତି ଖେଦମଧୀରଂ

ବ୍ୟାଳନିଳୟମିଳନେନ ଗରଳମିବ କଳୟତି ମଳୟସମୀରମ୍‌’’

 

X X X

 

ମାନିନୀର ମାନଭଞ୍ଜନ ପାଇଁ ସ୍ୱୟଂ ଶ୍ରୀକୃଷ୍ଣ ରାଧିକାଙ୍କୁ ପ୍ରଣାମକରି କହିଲେ,

 

‘‘ପ୍ରିୟେ, ଚାରୁଶୀଳେ, ଅଭିମାନ ଦୂରକର । ସ୍ଥଳକମଳକୁ ଗଞ୍ଜନ କରୁଥିବା କନ୍ଦର୍ପର ଗରଳକୁ ଖଣ୍ଡନ କରିବାପାଇଁ ସମର୍ଥ ତୁମର ଏହି ଆରକ୍ତ ପାଦପଦ୍ମକୁ ମୋର ମସ୍ତକରେ ଅର୍ପଣ କର । ଟିକେ କଥା କୁହ, ମୁଖ ଉନ୍ନମିତ କର ମୁଁ ଏହି ପାଦପଦ୍ମରେ ଅଲକ୍ତକ ରଞ୍ଜନ କରି ଶାନ୍ତି ଅନୁଭବ କରିବି ।’’

 

‘‘ସ୍ମରଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ

ଦେହି, ପଦପଲ୍ଲବମୁଦାରମ୍‌ ।’’

 

ଉତ୍‌କଣ୍ଠ ଶ୍ରୀକୃଷ୍ଣଙ୍କର ଏହି ଆତ୍ମନିବେଦନରେ ରାଧିକାଙ୍କର ମାନଭଞ୍ଜନ ହୋଇଛି । ସେ କୋଟିକନ୍ଦର୍ପ ସଦୃଶ ଦୂର୍ବାଦଳ ଶ୍ୟାମମୂର୍ତ୍ତି ସେହି ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ନିଜକୁ ଅର୍ପିତକଲେ ଏବଂ ତଦବଧି ରଚିତ ହେଲା ସେହି ଅବ୍ୟକ୍ତ ରାସଯାତ୍ର । ପୁଷ୍ଟସଜ୍ଜିତ ଲତାମଣ୍ଡପରେ ରାଧା ଓ କୃଷ୍ଣଙ୍କୁ ଦୋଳାରୁଢ଼ କରି ଗୋପକନ୍ୟାମାନେ ଶଶିଶୋଭନା ରାକାରଜନୀରେ ଯେଉଁ ଅପୂର୍ବ ରାସ ରଚନା କରିଥିଲେ ଏବଂ ଫାଲ୍‌ଗୁନ ପୌର୍ଣ୍ଣମାସୀ ଉତ୍ସବର ଅବ୍ୟବହିତ ପରେ ଆରକ୍ତ ସୁରଭି ଅବିର ଓ ଚର୍ଚ୍ଚରୀରେ କୃଷ୍ଣଙ୍କୁ ଅନୁରଞ୍ଜନ କରିଥିଲେ, ତାହାର ସ୍ମୃତି ଆଜି ମଧ୍ୟ ଦୋଳଯାତ୍ରା ଓ ହୋରି ଉତ୍ସବରେ ଉଜ୍ଜୀବିତ ।

 

ବସନ୍ତର ଜୈତ୍ରକ ଯାତ୍ରା । ଏକ ରୁଚିବୋଧର ବ୍ୟଞ୍ଜନା ଭାରତୀୟମାନଙ୍କୁ ଆବିଷ୍ଟି କରିଦେଇଛି । ତା’ର ସଙ୍ଗୀତ ଶାସ୍ତ୍ରରେ ବସନ୍ତ ନାମରେ ସ୍ୱତନ୍ତ୍ର ରାଗ ଆଜି ଉଦ୍‌ଗୀତ । ସେହି ରାଗର ପ୍ରତିମୂର୍ତ୍ତି ଠିକ୍‌ ଯୋଦ୍ଧୃ ବସନ୍ତ ପରି ହୃଦୟଗ୍ରାହୀ । କେଶଦାମରେ ଚନ୍ଦ୍ରିକା ଶୋଭିତ ଶିଖଣ୍ଡ, କଟୀରେ ପୀତାମ୍ୱର, ହସ୍ତରେ ଚୂତାଙ୍କୁର ଓ ପୁଷ୍ପସାୟକ ଧାରଣକରି ଅତି ମନୋହର ଭଙ୍ଗୀରେ ବସନ୍ତ ଉପାଗତ, ପିକର କାକଳିରେ ତା’ର ଜୟଯାତ୍ରା ଉଦ୍‌ଘୋଷିତ ।

 

X X X

 

ଆଜି ପୂର୍ବପରି ଗଙ୍ଗା ଓ ସିନ୍ଧୁ ନଦୀରେ ତରଙ୍ଗ ରହିଛି । ଯମୁନାର କାକାକୃଷ୍ଣ ନୀରବେଣୀ ଆଜି ମଧ୍ୟ ଆମକୁ ଆକୃଷ୍ଟ କରୁଛି । ଦକ୍ଷିଣର ମଳୟ ସୁରଭି, ପିକର ପଞ୍ଚମ ତାନ, ପଲ୍ଲବିତ ଓ ବନସ୍ପତିର ଶୋଭା, ଭ୍ରମରର ଝଙ୍କାର ଏବଂ ମଧୁସିକ୍ତ ପୁଷ୍ପରାଗ ସବୁ କିଛି ସୌନ୍ଦର୍ଯ୍ୟର ଦ୍ୟୋତକ ।

 

ସେହି ସ୍ମୃତି, ସେହି ଭବ୍ୟ ଅନୁଭୂତି । ଦିନେ ଯେଉଁ ବସନ୍ତ ସ୍ୱଚ୍ଛସଲିଳା ସରସ୍ୱତୀ ଓ ଦୃଷଦ୍‌ବତୀର ତୀରଭୂମିରେ ଚାରଣ କରୁଥିବା ଆର୍ଯ୍ୟଋଷିମାନଙ୍କୁ ବିମୋହିତ କରିଥିଲା, ଆଜି ମଧ୍ୟ ଠିକ୍‌ ସେହିଭଳି ଉଲ୍ଲସିତ କରୁଛି । ପାର୍ଥକ୍ୟ ମାତ୍ର କେତେ ହଜାର ବର୍ଷ । ଏହା ମଧ୍ୟରେ କେତେ ଆଶା ଆଶଙ୍କାର ଘଟଣା ପୃଥିବୀ-ପୃଷ୍ଠରେ ଘଟିଯାଇଛି; କିନ୍ତୁ ସୌନ୍ଦର୍ଯ୍ୟା-ବୋଧର ଭବ୍ୟତା ତଥାପି ଅଲୁପ୍ତ । ଶୀତର ନର୍ମବିହୀନ ଶୀତଳତା ଓ ଗ୍ରୀଷ୍ମର ପ୍ରଖର ରୌଦ୍ର ସନ୍ତାପରେ ଆଜି ଆଶା ଓ ଆକାଙ୍‌କ୍ଷାର ଚତୁରସ୍ରଶୋଭୀ ସନ୍ଧିକ୍ଷଣ ହିଁ କେବଳ ବସନ୍ତ । ସୋମ-ଯଜ୍ଞରେ ଯାହା ଦିନେ ଆଧାରିତ ଥିଲା, ଆଜି ଦୋଳ ଉତ୍ସବ ଓ ବାସନ୍ତା ପୂଜାରେ ତାହାର ମଧୁର ସ୍ମୃତି ନିହିତ ରହିଛି ।

Image

 

Unknown

ବସନ୍ତ : ଯୁଗେଯୁଗେ

 

ବସନ୍ତର ସମ୍ମୋହନ ଯୁଗ ଯୁଗ ଧରି ହୃଦୟକୁ ସ୍ପର୍ଶକରି ଆସିଛି । ଆମର ଚେତନାକୁ ସରସ ଓ ଉଦାର କରିବାପାଇଁ ଯେଉଁ ଦୁଇଟି ମୌଳିକ ବିଭାବ କାର୍ଯ୍ୟ କରିଆସୁଅଛି, ତାହା ହେଉଛି ସୌନ୍ଦର୍ଯ୍ୟବୋଧ ଓ ବିନୟ । ବସ୍ତତଃ ଏହି ଦୁଇଟି ମୌଳିକ-ବୃତ୍ତି ହିଁ ସୃଷ୍ଟିର ଆଧାର । ଆମ ଚିନ୍ତାରେ ସୌନ୍ଦର୍ଯ୍ୟର ଏକ ରୂପକଳ୍ପ ରହିଛି, ଏହା ଯୁଗ ଯୁଗ ଧରି ମନୁଷ୍ୟ ମନର ଅନୁଭୂତି ଓ ସଂସ୍କାରରେ ପର୍ଯ୍ୟବସିତ । ଚିନ୍ତାରାଜ୍ୟରେ ଏହାକୁ ସମାନୁବର୍ତ୍ତିତା ବା Sense of proportion କୁହାଯାଇପାରେ । ସେହିପରି କେତେକ ସତ୍ୟକୁ ଜୀବନରେ ରୂପାୟିତ କରିବାପାଇଁ ଚେତନାର ସ୍ୱାଭାବିକ ଅନୁରିକ୍ତ ଓ ପ୍ରସନ୍ମତା ରହିଛି । ବାହ୍ୟ-ପ୍ରକୃତିରେ ଆମେ କେତେକ ନିତ୍ୟପ୍ରବୃତ୍ତି ନିୟମାନୁବର୍ତ୍ତୀ ବିଭାବ ଦେଖୁ ଏବଂ ସେଥିରୁ ଶୃଙ୍ଖଳାବୋଧର ପରିଚୟ ପାଉ । ସୃଷ୍ଟି ଓ ସ୍ଥିତି ପାଇଁ ଏହି ଶୃଙ୍ଖଳା ଅବଶ୍ୟମ୍ଭାବୀ । ଉଦାହଣସ୍ୱରୂପ ସୂର୍ଯ୍ୟ ପୂର୍ବଦିଗରେ ପ୍ରତ୍ୟହ ଉଦିତ ହୋଇ ପଶ୍ଚିମରେ ଅସ୍ତ ଯାଉଛନ୍ତି । ଗ୍ରହନକ୍ଷତ୍ରାଦି ନିଜ ନିଜର କକ୍ଷପଥରେ ପରିଭ୍ରମଣ କରୁଛନ୍ତି, ପବନ ଅନବରତ ବହିଚାଲିଛି, ସମୁଦ୍ର ନିଜର ବେଳାଭୂମିକୁ ଉଲ୍ଲଙ୍ଘନ କରୁନାହିଁ—ଇତ୍ୟାଦି । ଏହି ସମସ୍ତ ଚିତ୍ର ଆମ ସମକ୍ଷରେ ଜାଗତିକ ଶୃଙ୍ଖଳାର ପରିଚୟ ଦେଉଛି । ଏହାକୁ ଋତ ବା ନିୟମନ କୁହାଯାଏ । ଏହି ଋତର ମାନବିକ ପରିଭାଷା ହେଉଛି ବିନୟ । ଏହି ବିଶ୍ୱ ଋତାଶ୍ରୟୀ ହୋଇଥିବାରୁ ସୁନ୍ଦର, ଅନ୍ୟ ପକ୍ଷରେ ଋତ ହିଁ ସୌନ୍ଦର୍ଯ୍ୟ ହେତୁ । ଦାର୍ଶନିକ-ଦୃଷ୍ଟି- କୋଣରୁ ବିଚାରକଲେ ଏହି ଋତ ବା ବିନୟ ହିଁ ସତ୍ୟର ନିକଟତମ । ତେଣୁ ସତ୍ୟକୁ ସୁନ୍ଦର କୁହାଯାଇଛି ଏବଂ ସୌନ୍ଦର୍ଯ୍ୟକୁ ସତ୍ୟ କୁହାଯାଇଛି ।

 

ସୃଷ୍ଟି-ପ୍ରକ୍ରିୟାରେ ଏହାହିଁ ଉପଜୀବ୍ୟ । ବସନ୍ତ ଋତୁରେ ପ୍ରାକୃତିକ-ଦୃଶ୍ୟ ଆମ ସମ୍ମୁଖରେ ସତ୍ୟର ଏହି ରମଣୀୟତାକୁ ଉନ୍ମୋଚନ କରିଦିଏ । ଏହି ସମୟରେ ଦିବସ ଓ ରାତ୍ରିର ପରିମାଣ ପ୍ରାୟ ସମାନ । ବସନ୍ତ ସମ୍ପାତବେଳେ ସୂର୍ଯ୍ୟ ବିଷୁବରେଖା ଉପରେ ଥାଆନ୍ତି; ପବନ ଦକ୍ଷିଣ ଦିଗରୁ ମନ୍ଦ ଭାବରେ ବହୁଥାଏ: ଗ୍ରୀଷ୍ମର ସନ୍ତାପ ଓ ଶୀତର ଆର୍ତ୍ତନାଦ ଆଦି ନ ଥାଏ. ତରୁଲତା ନୂତନ ପୁଷ୍ପ ଓ ପଲ୍ଲବରେ ସୁଶୋଭିତ । ସମସ୍ତ-ପ୍ରକୃତି ସମାନୁବର୍ତ୍ତିତ ଓ ଅନୁକୂଳ । ସୃଷ୍ଟି-ଧର୍ମର ଅନବଦ୍ୟ-ଉଲ୍ଲାସରେ ପ୍ରତ୍ୟେକଙ୍କ ହୃଦୟ ବିଭୋର ହୋଇଉଠେ । ତେଣୁ ବସନ୍ତର ଉଲ୍ଲାସମୟ ଅନୁଭୂତି ଜନମାନସକୁ ରସାଣିତ କରେ । ପ୍ରତ୍ୟେକ ପ୍ରାଣୀ ଏହି ଅପୂର୍ବ ହୃଦାନନ୍ଦ ଅନୁଭବ କରନ୍ତି ଏବଂ ଯୁଗ ଯୁଗ ଧରି ବସନ୍ତର ଜୟଗାନ କରି ଆସିଛନ୍ତି । ବହିରଙ୍ଗ ଓ ଅନ୍ତରଙ୍ଗ ପ୍ରକୃତିର ମଧୁମୟ ବିତାନରେ ଆଜି ମଧ୍ୟ ଆମେ ବସନ୍ତକୁ ଅନୁଭବ କରୁଛି । ଲୋକମାନେ ବସନ୍ତର ଉଲ୍ଲାସକୁ ସ୍ମରଣକରି ଏହି ସମୟରେ ବିଭିନ୍ନ ଆନନ୍ଦ ଉତ୍ସବ କରିଥାନ୍ତି । ଆଜି ଆମେ ଫାଲ୍‌ଗୁନ ଓ ଚୈତ୍ର ମାସକୁ ବସନ୍ତ ଋତୁ ବୋଲି କହୁଛି । ବସନ୍ତର ବିବିକ୍ତ-ସ୍ପର୍ଶ ପ୍ରଥମେ ମାଘମାସର ଶୁକ୍ଳପକ୍ଷରୁ ଅନୁଭୂତ ହୁଏ; ତେଣୁ ଶ୍ରୀପଞ୍ଚମୀକୁ ବସନ୍ତ ପଞ୍ଚମୀ କହିଥାନ୍ତି । ସେହିପରି ବୈଶାଖ ମାସରେ ମଧ୍ୟ ବସନ୍ତର ପ୍ରଭାବ ପାରାହତ ହୋଇନଥାଏ । ତେଣୁ ବୈଶାଖର ଅନ୍ୟ ନାମ ମାଧବ ଓ ଏହି ମାସ ମଧ୍ୟ ବସନ୍ତର ପରିସରଭୁକ୍ତ । ତେଣୁ ମାଘ ମାସରୁ ପ୍ରାୟ ବୈଶାଖ ପର୍ଯ୍ୟନ୍ତ ବସନ୍ତ ସ୍ପର୍ଶ ଅନୁଭୂତ ହୋଇଥାଏ । ପୂର୍ବକାଳରେ ବିଭିନ୍ନ ଯଜ୍ଞାନୁଷ୍ଠାନ ଏହି ସମୟ ମଧ୍ୟରେ ହେଉଥିଲା । ଚୈତ୍ର ବା ମଧୁମାସ ହେଉଛି ବସନ୍ତର ପ୍ରକୃଷ୍ଟ ସମୟ ।

 

ବିଭିନ୍ନ-ସମୟରେ ଏହି ଦେଶର କବି-ଚେତନା ବସନ୍ତକୁ ସମ୍ମାନ ଦେଇଆସିଛି । ବୈଦିକ ସାହିତ୍ୟରେ ସୃଷ୍ଟି କ୍ରିୟାର ପୁରୁଷଯଜ୍ଞ ରୂପକଳ୍ପରେ ବର୍ଣ୍ଣିତଅଛି,‘‘ଦେବତାମାନେ ଏହି ପୁରୁଷଯଜ୍ଞ ଯେତେବେଳେ ସମ୍ପାଦନ କଲେ. ବସନ୍ତ, ଗ୍ରୀଷ୍ମ ଓ ଶରତ୍‌ ଯଥାକ୍ରମେ ଏହି ଯଜ୍ଞର ଘୃତ,ସମିଧ ଓ ହବ୍ୟ ସାମଗ୍ରୀରୂପେ ପରିକଳ୍ପିତ ହୋଇଥିଲା ।

 

ସଂସ୍କୃତ କାବ୍ୟଯୁଗରେ ବସନ୍ତର ବର୍ଣ୍ଣନା ଖୁବ୍‌ ଚମତ୍‌କାର ଓ ଭାବସବଳ । ମହାକିବି କାଳିଦାସ ଋତୁରାଜ ବସନ୍ତର ବର୍ଣ୍ଣନାରେ ଆତ୍ମବିହ୍ୱଳ ହୋଇପଡ଼ିଛନ୍ତି । ବିକଶିତ ଚୂତମଞ୍ଜରୀର ତୀକ୍ଷଣଶାୟକ ଓ ଭ୍ରମରପଙ୍‍କ୍ତିରୂପକ ଧନୁର୍ଗୁଣ ଶୋଭିତ ଯୋଦ୍ଧୃପ୍ରବର ବସନ୍ତ ସୁରତକାମୀମାନଙ୍କ ହୃଦୟକୁ ବିଦାରଣ କରିବାପାଇଁ ଉପଗତ । ଅଧୂନା ବୃକ୍ଷରାଜି ନବପୁଷ୍ପିତ ଓ ସରୋବର ପଦ୍ମଶ୍ରୀମଣ୍ଡିତ ।

 

ନାରୀମାନେ ମତ୍ତକାଶୀ କାମଧୁରା,ପବନ ସୌରଭପୂର୍ଣ୍ଣ; ସାୟଂକାଳ ଉପଭୋଗ୍ୟ ଓ ଦିବସ ରମ୍ୟ । ଏହି ବସନ୍ତ ସମୟରେ ମଣିମେଖଳିତ ପୁଷ୍କରିଣୀର ଜଳ, ଚନ୍ଦ୍ର, କିରଣ, ପ୍ରମଦାଜନ ଓ କୁସୁମାନତ ଆମ୍ରବୃକ୍ଷ ଅଧିକ ରମଣୀୟ ଦେଖାଯାନ୍ତି । ବିଳାସିନୀମାନେ ରଙ୍ଗବସ୍ତ୍ର ପରିଧାନ କରି ସ୍ୱକୀୟ ନିତମ୍ୱଦେଶକୁ ଏବଂ କୁଙ୍କୁମାରୁଣିତ ଉତ୍ତରୀୟରେ ସ୍ତନମଣ୍ଡଳକୁ ସୁମଣ୍ଡିତ କରିଥା’ନ୍ତି । କର୍ଣ୍ଣାବତଂସ ନବକର୍ଣ୍ଣିକାର, ଅଳକା ବିମଣ୍ଡିତ ଅଶୋକ ଓ ପ୍ରସାଧନଯୋଗ୍ୟ ପୁଷ୍ପିତ ମଲ୍ଲିକା ନାରୀମାନଙ୍କୁ ଅଧିକ କାନ୍ତିମୟୀ କରିଛି । ବକ୍ଷଦେଶରେ ପ୍ରବିଲୁପ୍ତଚନ୍ଦନ, ଦୋଳୟିତ ହାର, ଭୁଜରେ ବଳୟ ଓ କଙ୍କଣ, ଜଘନ ଦେଶରେ କାଞ୍ଚୀଦାମ, ପତ୍ରାବଳୀଶୋଭିତ ମୁଖମଣ୍ଡଳ, ଅବିରଳ ହୃଦୟରେ ମୁକ୍ତାସଦୃଶ ଘର୍ମବିନ୍ଦୁ—ଯୁବକମାନଙ୍କର ମନକୁ ଆକୃଷ୍ଟ କରୁଛି । ବିରହିଣୀ କାମିନୀମାନେ କାମାନୁଚିନ୍ତାରେ କୃଶ ଓ ପାଣ୍ଡୁର, ରିରଂସାବ୍ୟଞ୍ଜିତ ବିଳାସରେ ସେମାନେ ମୁହୁର୍ମୁହୁଃ ବିଜୃମ୍ଭିତ । ସେମାନଙ୍କର ମଦାଳସ ନୟନ, ପାଣ୍ଡୁର କପୋଳ, ଅବିରଳ ବକ୍ଷୋଜ, ନିମ୍ନନାଭି ଓ ସୁଶୀତଳ ପୀନଜଘନ କନ୍ଦର୍ପର ଆଶ୍ରୟୀଭୂତ ହୋଇଛି । ପ୍ରଜାଗରକୃଶାଙ୍ଗୀ କଟାକ୍ଷଶୋଭିନୀ ମଦାଳସା ନିଜର ବକ୍ଷଦେଶକୁ ପ୍ରିୟଙ୍ଗୁ କଳିକା, କୃଷ୍ଣାଗୁରୁ, କୁଙ୍କୁମ ଓ ଗୋରୋଚନାରେ ଆଲୋପିତ କରୁଛି । ଚୂତାନ୍ତରିତ ଉଲ୍ଲସିତ କୋକିଳ ପଞ୍ଚମାରାଗିଣୀ ତୋଳିଛି; ପଦ୍ମବିଳାସୀ ମଧୁମତ୍ତ ଭ୍ରମର ଗୁଞ୍ଜନକରି ପୁଷ୍ପବଧୂକୁ ସମ୍ମୋହିତ କରୁଛି । ପଲ୍ଲବାରୁଣିତ ଆମ୍ରବୃକ୍ଷର ଶାଖାରେ ପୁଷ୍ପିତ-ମଞ୍ଜରୀର କୋରକ । ମୃଦୁକମ୍ପିତ ମଞ୍ଜରିତ-ବିଟପ ନାରୀମାନଙ୍କୁ ଉତ୍‌କଣ୍ଠିତ କରୁଛି । ନବପୁଷ୍ପିତ କୁରୁବକ, ରକ୍ତାଭ ପଲାଶବନ, ଶୁକଚଞ୍ଚୁ-କିଂଶୁକ, କୋକିଳର କୁହୁତାନ, ମଧୁପର ଗୁଞ୍ଜନ, ମଳୟାନ୍ଦୋଳିତ ମୃଦୁବାୟୁ ଓ ନବପୁଷ୍ପିତ ବନସ୍ପତି ସମସ୍ତଙ୍କର ହୃଦୟକୁ ଉନ୍ମତ୍ତ ଓ ପ୍ରବଣକରି ଦେଉଛି । ବସନ୍ତର ସନ୍ତର୍ପଣରେ ଆଜି ବ୍ରୀଡ଼ାବତୀ ମୁଗ୍‌ଧା-ନବବଧୁ ତ୍ରପାହୀନା ହୋଇଛି, ତାହାର ହୃଦୟର ବିଳାସର ନିଧୁବନ ଓ ମନରେ ଉତ୍‌କଣ୍ଠ । ସମାଗତ ବସନ୍ତରେ ସବୁକିଛି ରମଣୀୟ ।

 

ଭକ୍ତକବି ଜୟଦେବ ରାଧାମାଧବଙ୍କ ରହଃକେଳିର ଉଦ୍ଦୀପନ ବିଭାବରୂପେ ବସନ୍ତ ଋତୁ ବର୍ଣ୍ଣନାକୁ ଖୁବ୍ ସରସ ଏବଂ ସୁନ୍ଦର କରିଛନ୍ତି । ମଳୟ ପବନରେ ସୁକୁମାର ଲବଙ୍ଗଲତା ପରିଶ୍ଳିଷ୍ଟ-। ବୃନ୍ଦାବନର ଲତାକୁଞ୍ଜ ଭ୍ରମରର ଗୁଞ୍ଜନରେ ଓ କୋକିଳର କଳରବରେ ମୁଖରିତ । ଏହି ସରସବସନ୍ତର ମଧୁମୟ ଉତ୍ସବରେ ଭାଗ୍ୟବତୀ ଗୋପକନ୍ୟାମାନଙ୍କ ସହିତ ଶ୍ରୀକୃଷ୍ଣ ନୃତ୍ୟବିଳାସୀ ହୋଇଛନ୍ତି ।

 

ବସନ୍ତ ସମୟ ବିରହୀମାନଙ୍କ ପକ୍ଷରେ ଦୁଃସହ । ପ୍ରୋଷିତଭର୍ତ୍ତୃକା ବିରହିଣୀମାନେ ଅଶ୍ରୁମୁଞ୍ଚନ କରୁଛନ୍ତି । ଆଜି ପୁଷ୍ପିତ ବକୁଳବୃକ୍ଷକୁ ଭମରପଙ୍‍କ୍ତି ଆକୁଳିତ କରୁଛନ୍ତି । ନବକିସଳୟ ମଣ୍ଡିତ ତମାଳ ବୃକ୍ଷରେ ମୃଗନାଭିତ ସୌରଭ ପ୍ରସ୍ଫୁଟିତ । ପଲାଶପୁଷ୍ପ ସତେଅବା କନ୍ଦର୍ପର ଉତ୍‌କ୍ରାନ୍ତ ନଖପଂକ୍ତି ସଦୃଶ ଯୁବକମାନଙ୍କର ହୃଦୟକୁ ବିଦୀର୍ଣ୍ଣ କରିବାପାଇଁ ଉଦ୍ୟତ । ପ୍ରଫୁଲ୍ଲ କେଶରପୁଷ୍ପ ଯୁବରାଜ କନ୍ଦର୍ପଙ୍କର କନକଚ୍ଛତ୍ରର ଦଣ୍ଡସ୍ୱରୂପ ଏବଂ ଭ୍ରମର ପରିବୃତ ପାଟଳିପୁଷ୍ପ ସେହି କନ୍ଦପଙ୍କର ଶରାସନପରି ଶୋଭାପାଉଛି ।

 

ମଧୁମାସର ସମାଗମରେ ସମସ୍ତେ ଆଜି ଲଜ୍ଜା ଦୂରକରି ଉତ୍ସବମୟ ହୋଇଛନ୍ତି । ଏହି ନବପୁଷ୍ପିତ ତରୁଣ ପାଦପଟି କୁଡ଼୍‌ ମଳଶୋଭାରେ ସ୍ମିତହାସ୍ୟ ପ୍ରକାଶ କରୁଛି, କେତେକ ପୁଷ୍ପ ବିରହୀନ ହୃଦୟକୁ ଭେଦ କରିବା ପାଇଁ ସତେ ଅବା ତୀକ୍ଷଣ-କଣ୍ଟକ ଧାରଣ କରିଛି । ଦିଗବଧୂମାନେ ପୁଷ୍ପ ଛଳେ ହାସର-ଶୁଭ୍ରିମା ପ୍ରକାଶ କରୁଛନ୍ତି । ଏହି ବସନ୍ତ ସମୟ ମାଧବୀପୁଷ୍ପ ମଧୁରିମାରେ ସ୍ନିଗ୍‌ଧ ଓ ନବମାଳିକାର ସୌରଭରେ ସୁରଭିତ । ଆତ୍ମସ୍ଥ ମୁନି-ଋଷିମାନେ ମଧ୍ୟ ବସନ୍ତର ସନ୍ତର୍ପଣରେ ମୁହ୍ୟମାନ ହୋଇଯାନ୍ତି ।

 

କେବଳ ସେତିକ ନୁହେଁ; ବିଦଗ୍‌ଧ ସଂସ୍କୃତକବି ମଧୁମାସରେ ସାନ୍ଧ୍ୟ ସମୀରଣରେ ପ୍ରଣୟୀ ଚରିତ୍ରର ଯେଉଁ ବ୍ୟକ୍ତ ରୂପକଳ୍ପଟି ପ୍ରକାଶ କରିଛନ୍ତି, ତାହା ଅନନ୍ୟସାଧାରଣ । ସନ୍ଧ୍ୟା ସମୟ; ଦକ୍ଷିଣ ଦିଗରୁ ପ୍ରବାହିତ ସୁରଭିତ ମଳୟାନିଳ ନବପୁଷ୍ପିତା ଚୂତଲତାକୁ ମୃଦୁକମ୍ପିତ କରୁଛି । ପ୍ରଣୟୀର ଆତୁର ଯାଚ୍‌ଞ୍ଜକୁ କବି ଉତ୍‌ପ୍ରେକ୍ଷା କରୁଛନ୍ତି,‘‘ସନ୍ଧ୍ୟା ହୋଇଗଲାଣି, ବହୁ ଦୂରରୁ ସେହି ମଳୟ ପର୍ବତରୁ ମୁଁ ଆସିଛି । ମୁଁ ପାନ୍ଥ । ହେ ଅନୁକମ୍ପିନୀ ମୁଗ୍‌ଧେ । ଏହି ରାତିଟି ତୁମରି ଗୃହରେ କଟାଇନେବି ।’’ ଉତ୍କଣ୍ଠ ସମୀରଣରେ ଏହି ଗୋପନ ଯାଚ୍‌ଞ୍ଜରେ ବ୍ରୀଡ଼ାବତୀ ନବପୁଷ୍ପିତା ଚୂତଲତିକା ମୁଣ୍ଡ ହଲାଇ କମ୍ପିତ କଣ୍ଠରେ ତିନିବାର ନାସ୍ତି କରି କହୁଛି‘‘ ନାହିଁ, ନାହିଁ, ନାହିଁ ।’’

 

ଏହାର ପ୍ରତୀୟମାନ ଅର୍ଥ ବିଦଗ୍‌ଧମାନେ ହିଁ ବୁଝିପାରିବେ ।

 

ବସନ୍ତ ଋତୁର ମଳୟ ପବନ, ପୁଷ୍ପିତ ପଦ୍ମବନ, ଚତୁମଞ୍ଜରୀ, ପକ୍ଷୀମାନଙ୍କର କାକାଳୀ, କୋକିଳର ପଞ୍ଚମରାଗିଣୀ, ପଲ୍ଲବିତ ଓ ପୁଷ୍ପିତ ବନସ୍ପତି, ଜ୍ୟୋତ୍ସ୍ନାୟିକ ଚୈତ୍ର ରଜନୀ ସୁଖପ୍ରଦ ଦିବସ ଓ ସନ୍ଧ୍ୟା—ସର୍ବୋପରି ପ୍ରାଣୀମାନଙ୍କର ଉଦାତ୍ତ ଓ ଉଲ୍ଲାସମୟ ମନୋଭାବ ବିଶେଷ ଲକ୍ଷଣୀୟ । ବସନ୍ତର ସୁଶୀତଳ ମଳୟ ପବନକୁ ଲକ୍ଷ୍ୟକରି କବିବର ରାଧାନାଥ ଭାବାବେଶରେ କହିଛନ୍ତି–

 

‘‘ବିମଳ ତଟିନୀ ତଟ କାନନେ

ବସନ୍ତେ କୋକିଳ ଭ୍ରମର ସ୍ୱନେ

ନଦୀ କଳ କଳ ଶୁଣିଣ ଚଞ୍ଚଳ

ହୁଅଇ ତୋ ମନ ଚାଟୁ ବଚନେ

ନଦୀକୁ ରହସ୍ୟ ଭାଷୁ ବିଜନେ ।।

ବାସର-ଯୌବନେ ବିଟପି ତଳେ

ବସନ୍ତି କଳାପିକୂଳକୁଶଳେ

ରତନ ଖଚିତପୁଚ୍ଛ ଆନ୍ଦୋଳିତ

କରୁ ତୁ ସେକାଳେ ବହି ଶୀତଳେ

ସେ ଛବି ରସିକ ରସନା ବଳେ ।।

 

ଗୋପବନ୍ଧୁଙ୍କ ବନ୍ଦୀଜୀବନରେ ଏହି ମଳୟପବନ ଗୁପ୍ତଚର ଭାବରେ ସ୍ୱଦେଶର ସମାଚାର ଆଣିଥିଲା । କେବଳ ସେତିକି ନୁହେଁ, ସତ୍ୟବାଦୀର ଗୋପୀନରାଥଙ୍କ ବଂଶୀରେ ଅସ୍ଫୁଟସ୍ୱନ ରଚନା କରି ରାଧିକାଙ୍କ ଅନୁସିକ୍ତ ଅଞ୍ଚଳକୁ ପ୍ରଣୟୀ-ଶ୍ରୀକୃଷ୍ଣ ଦେହରେ ଜଡ଼ିତ କରି ଦେଇଥିଲା । ଯୁଗଳ ମୂର୍ତ୍ତୀ ହସିଉଠେଲେ,ଶ୍ରୀଅଙ୍ଗରୁ ଫୁଲ ଖସିପଡ଼ିଥିଲା ଏବଂ ରୂଚିର ମୟୁରଚୂଳକୁ ମୃଦୁଭାବାରେ ହଲାଇ ଦେଇଥିଲା । ଦେଶପ୍ରେମ ଓ ସୌନ୍ଦର୍ଯ୍ୟବୋଧର ଯୁଗପତ୍‌ ବିଳାସ ଗୋପବନ୍ଧୁଙ୍କ କବିତାକୁ ରସାଣିତ କରିଛି ।

 

‘‘ମନ୍ଦିରେ ପ୍ରବେଶି ଗୋପୀନାଥ ବଂଶୀ

ରନ୍ଧ୍ରେ ରଚିଥିବ ଅସ୍ଫୁଟ ସ୍ୱନ

ରାଧିକା ଅଞ୍ଚଳ ଉଡ଼ାଇ ଚଞ୍ଚଳ

କରିଥିବ ଜାଣି ବେନିଙ୍କ ମନ ।

ହସି ଉଠିଥିବେ ଯୁଗଳ ମୂରତି

ଖସିପଡ଼ିଥିବ ଶ୍ରୀଅଙ୍ଗୁ ଫୁଲ

ଆହା କି ରୁଚିରେ ନବଘନ ଶିରେ

ହଲିଥିବ ବାଙ୍କ ମୟୂରଚୂଳ ।

 

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କୀଚକବଧ କାବ୍ୟରେ ବସନ୍ତ ଋତୁର ବର୍ଣ୍ଣନା ଖୁବ୍‌ ହୃଦ୍ୟ ହୋଇଛି । ଚୈତ୍ରମାସର ମଙ୍ଗଳବାରଦିନ ବନଦୁର୍ଗା ପୂଜା କରିବା ପାଇଁ ରାଣୀ ସୁଦେଷ୍ଣା ସହଚରୀମାନଙ୍କ ଗହଣରେ ଯାଉଥିବାର ଦୃଶ୍ୟକୁ ପୁରୋଭାଗରେ ରଖି ବସନ୍ତଋତୁର ମଧୁମୟ ପରିବେଶର ବର୍ଣ୍ଣନା କରିବାକୁ ଯାଇ ମେହେର ଲେଖିଛନ୍ତି ।

 

ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ

ପାଦପ ଆନୀତ ପତର ପରଭୃ‌ତ ପଠନେ ।

ବସନ୍ତ ଅତିଥି ପୀରତି ପାଇ ଅବନୀ ରାଣୀ

ଯୋଗାଡ଼ି ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି ।

ତରଭୁଜ, ଆମ୍ର, ପନସ, ନାନା ଖାଦ୍ୟସମ୍ଭାର

ଉପହାର ପାଇଁ ଉଜ୍ଜ୍ୱଳ ଫୁଲ ମାଣିକ୍ୟ ହାର ।

ପ୍ରମୋଦ ନିମନ୍ତେ କାନନ ମଣ୍ଡାଇଲା ଯତନେ

ମଧୁକ ମୁକୁତା-ପୁଞ୍ଜରେ ଚାରୁ ନୀଳ ରତନେ ।

ରତ୍ନମୟ ସିନ୍ଧୁ ତରଙ୍ଗ ଦୋଳା ବରଜି ରଙ୍ଗେ

ବିଜେକଲେ ଧୀରେ ସମୀର ଚାରୁ ବସନ୍ତ ସଙ୍ଗେ ।

 

[ଇତ୍ୟାଦି]

 

ପ୍ରତ୍ୟେକ ଯୁଗରେ ବସନ୍ତର ଉତ୍ସବମୟ ପ୍ରାଣବତ୍ତାକୁ ପ୍ରାଣୀମାନେ ଅନୁଭବ କରି ଆସିଛନ୍ତି ଏବଂ କବି-ଚେତନରେ ବସନ୍ତର ଜୟଗାନ କରିଆସିଛିନ୍ତି । ପ୍ରଣୟର ଅଧିଦେବତା କନ୍ଦର୍ପ ସହିତ ବସନ୍ତର ସଂପର୍କ ଅତି ନିବିଡ଼ । ସେଥିପାଇଁ ଋତୁରାଜ ବସନ୍ତକୁ କାମସଖ କୁହାଯାଏ-। କେତେକ ବର୍ଣ୍ଣନାରେ ସ୍ୱୟଂ ବସନ୍ତ ହିଁ କନ୍ଦର୍ପର ରୂପକଳ୍ପରେ ପ୍ରତିଭାତ ସୁରମ୍ୟତନୁ ନୀଳକାନ୍ତି ଯୁବକ, କଟୀରେ ପୀତମ୍ୱର, ହସ୍ତରେ ପୁଷ୍ପମୟ ଧନୁର୍ବାଣ ଓ ଚୂତମଞ୍ଜରୀ; ମଳୟ ତାଙ୍କର ରଥ-। ରଥର ପତାଙ୍କରେ ମୀନଲାଞ୍ଛନ । ଶୋଭାପାଉଛି । ବାମପାର୍ଶ୍ୱରେ ସୁକାନ୍ତି ରତିଦେବୀ ମୁଗ୍‌ଧନେତ୍ରରେ ଚାହିଁରହିଛନ୍ତି । ଏହାହିଁ କନ୍ଦର୍ପଙ୍କର ରୂପକଳ୍ପ । ଅତୀତ ଭାରତରେ ଏହି ମଧୁମାସରେ ବସନ୍ତ ଉତ୍ସବର ଆସର ଖୁବ୍‌ ଚିତ୍ତାକର୍ଷକ ଥିଲା । ଏହି ଅବସରରେ ଜନସାଧାରଣ କାମଦେବ ଓ ରତିଦେବୀଙ୍କର ସୁରମ୍ୟ ପ୍ରତିମୂର୍ତ୍ତିକୁ ମୀନକେତନ ରଥରେ ବସାଇ ରଥାଯାତ୍ରା କରାଉଥିଲେ ଏବଂ ଉଲ୍ଲାସ ଓ ଉନ୍ମାଦାରେ ଜୀବନ ଓ ଯୌବନକୁ ଉପଭୋଗ କରୁଥିଲେ । ଏହା କାଳକ୍ରମେ ବାସନ୍ତୀପୂଜା ଓ ବସନ୍ତରାସ ପ୍ରଭୃତି ଉତ୍ସବରେ ଉଦ୍‌ବର୍ତ୍ତିତ ହୋଇଛି-। ଖ୍ରୀଷ୍ଟାୟ ୧୦ମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ମଦନ ଉତ୍ସବ ପ୍ରବଳ ଉନ୍ମାଦନା ମଧ୍ୟରେ ଏହି ଦେଶରେ ଅନୁଷ୍ଠିତ ହେଉଥିବାର ନିଦର୍ଶନ ମିଳେ । କାଳକ୍ରମେ ଚୈତ୍ର ଶୁକ୍ଳପକ୍ଷର ଏହି ମଦନ ଉତ୍ସ କେତେକାଂଶରେ ସୀମିତ ଓ ସଂକୁଚିତ ହୋଇଯାଇଛି । ସମ୍ଭବତଃ ପାଶୁପତମାନଙ୍କଦ୍ୱାରା ଏହି ଉତ୍ସବ ବାଧାପ୍ରାପ୍ତ ହୋଇଥିଲା । ଶିବଙ୍କଦ୍ୱାରା ମଦନ ଭସ୍ମୀଭୂତ ହେବା ମୂଳରେ ଏହି ବିରୋଧର ବ୍ୟଞ୍ଜନା ରହିଛି; କିନ୍ତୁ ବସନ୍ତଋତୁର ରମଣୀୟତା ଏତେ ସ୍ୱଭାବସିଦ୍ଧ ଯେ, ତାହା କୌଣସି ବନ୍ଧନକୁ ନ ମାନି ସ୍ୱତଃ ପ୍ରଭାବିତ ହୋଇଆସିଛି । ଫାଲ୍‌ଗୁନର ଦୋଳଉତ୍ସବ, ଚୈତ୍ରମାନର ବନଦୁର୍ଗା ପୂଜା, ବାସନ୍ତୀପୂଜା ପ୍ରଭୃତି ଏହି ଉତ୍ସବର ରୂପାନ୍ତର ମାତ୍ର ।

Image

 

ତପସ୍ୱୀ ଗ୍ରୀଷ୍ମ

 

ବସନ୍ତର ଏକ କମନୀୟ ସନ୍ଧ୍ୟା ।

 

କୁଟ୍ଟିମର ପୁଷ୍ପାସ୍ତରଣ ଉପରେ ସୂର୍ଯ୍ୟଙ୍କର ଲୋହିତ ଅନୁରାଗ ବିଞ୍ଚିହୋଇ ଯାଉଥାଏ । କାମପ୍ରିୟା ରତିଙ୍କର କେଶଦାମ ପୁଷ୍ପସ୍ତବକରେ ବିମଣ୍ଡିତ । ମୁଖରେ ଲୋଧ୍ରରେଣୁ, କର୍ଣ୍ଣରେ ଶିରୀଷ ଓ ଗଭାରେ ନବମାଳିକାର ସ୍ତବକ । ଉଦାତ୍ତ କନ୍ଦର୍ପ ମୁଗ୍‌ଧା ରତିଙ୍କର ପଦ୍ମତାମ୍ର ପାଦଯୁଗଳକୁ ଅଲକ୍ତକରେ ରଞ୍ଜିତ କରୁଥାନ୍ତି । ଗବାକ୍ଷ ଦେଇ କେଶସଂସ୍କାରର ଧୂପ ନିର୍ଗତ ହେଉଥାଏ । ସାନ୍ଧ୍ୟ ସମୀରଣରେ ପ୍ରାସାଦର ମୀନଲାଞ୍ଛତ ପତାକା ସଗର୍ବରେ ଉଡ଼ୁଥାଏ । ଏହି ସମୟରେ ମାତଳି ରଥରୁ ଅବତରଣକରି ସମ୍ୱାଦ ଦେଲେ, ‘‘ଦେବରାଜ ଇନ୍ଦ ଦେବସଭାରେ ଆପଣଙ୍କୁ ପ୍ରତୀକ୍ଷା କରିଛନ୍ତି ।’’

 

ଅସମୟରେ ଏହି ଆହ୍ୱାନକୁ କାନ୍ତବଧୂ ରତି ସରଳଭାବରେ ଗ୍ରହଣ କରିପାରିଲେ ନାହିଁ-। ଏକ ଅହେତୁକ ଆଶଙ୍କାରେ ତାଙ୍କର ହୃଦୟ ଥରିଉଠିଲା । ଦେବରାଜଙ୍କର ଏହି ସାଦର ନିମନ୍ତ୍ରଣରେ କାମଦେବ ଉଲ୍ଲସିତ । ନିଜର ମକରକୁଣ୍ଡଳ ଓ କେୟୂର ପରିଧାନ କରି ହସ୍ତରେ ପୁଷ୍ପଧନୁ ଗ୍ରହଣ କଲେ : ‘‘ପ୍ରିୟେ, ତୁମ ପତ୍ରାବଳୀର ଆର୍ଦ୍ରତା ଗଣ୍ଡଦେଶରୁ ନିଃଶେଷ ହେବା ପୂର୍ବରୁ ମୁଁ ଫେରିଆସିବି ।’’

 

ବାସକସଜ୍ଜା ରତି ଉତ୍‌କଣ୍ଠା ଓ ଭୀତିର ଆଶଙ୍କାରେ ଅସ୍ଥିରା ହୋଇଉଠିଲେ । ‘‘ପ୍ରଜନନ ଓ ସମ୍ମୋହନର ଅଧିଦେବତା କନ୍ଦର୍ପ ଦେବସଭାରେ ଉପେକ୍ଷିତ ହୋଇ ଆସିଛନ୍ତି । ପୁଷ୍ପଧନୁର ସମ୍ମୋହନରେ ସେମାନେ ହୁଏତ ବିଡ଼ମ୍ୱିତ ହୋଇଥିବେ; କିନ୍ତୁ କନ୍ଦର୍ପଙ୍କର ସାମର୍ଥ୍ୟକୁ ସ୍ୱୀକାର କରିବାପାଇଁ ଦେବଗଣ ଆଦୌ ପ୍ରସ୍ତତ ନୁହଁନ୍ତି । କନ୍ଦର୍ପ ପୂର୍ଣ୍ଣ ଦେବତ୍ୱର ଅଧିକାରୀ ହୋଇପାରିନାହାନ୍ତି, ସେ ଅଧିଦେବତା ମାତ୍ର । ଆଜି କାହିଁକି ଦେବରାଜ ଇନ୍ଦ୍ର ନିଜର ମାତଳିକୁ ପଠାଇ କନ୍ଦର୍ପକୁ ନିମନ୍ତ୍ରଣ ଜଣାଇଲେ ? ତାରକାସୁରର ଅତ୍ୟାଚାରରେ ଦେବତାମାନେ ନିର୍ଜୀତ କିନ୍ତୁ ପୁଷ୍ପଧନ୍ୱା ସେଥିରେ ବା କ’ଣ କରିବେ ? ତାଙ୍କର ବଜ୍ର ନାହିଁ, ଚକ୍ର ନାହିଁ ବା ଅନ୍ୟନ୍ୟା ଆୟୁଧ ନାହିଁ । ଅଛି କେବଳ ଫୁଲର ଧନୁ ଓ ଶର ଏବଂ ସେ ଧନୁରେ ପୁଣି ଭ୍ରମରପଙ୍‌କ୍ତିର ଜ୍ୟାଗୁଣ । ହାୟ ଦେବତାମାନେ, ଛଳନା, କପଟ ଓ ପ୍ରବଞ୍ଚନାରେ ତୁମର ଦେବତ୍ୱ କେତେକାଳ ରହିପାରିବ ? ଅସୁରମାନଙ୍କର ବାରମ୍ୱାର ଆକ୍ରମଣକୁ ପ୍ରତିହତ କରିନପାରି କେତେକାଳ ତୁମେ ଲୁଚିରହିବ ? ପୌରୁଷ ଓ ଉଦ୍ଦୀପନାରେ କେହି ମାନବ ସତ୍ୟ ଓ ତପସ୍ୟାରେ ସାଧନାରତ ହେଲେ ଇନ୍ଦ୍ର ତ ଖୁସି ହୁଅନ୍ତି ନାହିଁ; ଅଧିକନ୍ତୁ ସେହି ତପସ୍ୟାରେ ବିଘ୍ନ ଆଣିବା ପାଇଁ ଉଳନା ଓ ବଞ୍ଚନାର ଜାଲ ଘେରାଇ ଦିଅନ୍ତି । ଧନ୍ୟ ତୁମେ ରମ୍ଭା, ଊର୍ବଶୀ, ଧନ୍ୟ ତୁମେ ମେନକା । ତୁମର ନାରୀତ୍ୱ ବାସ୍ତବିକ ଦୟନୀୟ-। ତୁମେ ସୁନ୍ଦରୀ ହୋଇପାର; କିନ୍ତୁ ସେ ସୌନ୍ଦର୍ଯ୍ୟ କେତେ ସ୍ୱାର୍ଥବିଜଡ଼ିକ । ସଂଯମୀକୁ ସଂଯମ ଓ ତପସ୍ୱୀକୁ ତପସ୍ୟାରୁ ବିଚ୍ୟୃତ କରିବାପାଇଁ ଦେବରାଜ ଇନ୍ଦ୍ର ତୁମକୁ ଅସ୍ତ୍ରରୂପେ ବ୍ୟବହାର କରନ୍ତି; ଆଉ ତୁମେ-ତୁମେ ନାରୀତ୍ୱର ଅବମାନନା କରି କେବଳ ଆତଙ୍କିତ ଇନ୍ଦ୍ରଙ୍କର ସ୍ୱର୍ଗଭୋଗକୁ ଚରିତାର୍ଥ କରିବାପାଇଁ ନିଜର ସମ୍ମାନକୁ ତିଳ ତିଳ କରି ବଳିଦିଅ । ହେ ରୂପବତୀ ମେନକା-! ତୁମେ ହୁଏତ ଏକ ଦୁର୍ବଳ ମୁହୂର୍ତ୍ତରେ କୌଶିକ ବିଶ୍ୱାମିତ୍ରଙ୍କୁ ପଥଚ୍ୟୁତ କରିଥିଲ; କିନ୍ତୁ ତୁମର ସେହି ଲାସ୍ୟ, ତ୍ୟାଗପୂଜ ନିଷ୍ପାପ ବିଶ୍ୱାମିତ୍ରଙ୍କୁ କ’ଣ ଆକୃଷ୍ଟ କରିପାରିଲା ? ମର୍ତ୍ତ୍ୟର ମାନବମାନେ ତପଶ୍ଚାରୀ ଓ ଧର୍ମପରାୟଣ ହେଉ ଦେବତାମାନେ, ବିଶେଷକରି ଇନ୍ଦ୍ରଦେବ ଆତଙ୍କିତ ହୋଇଉଠନ୍ତି । ସ୍ୱର୍ଗର ପାରିଜାତ, ସୁସ୍ୱାଦୁ ଅମୃତ, ଯୌବଦାନ୍ତ ବୟସ ଏବଂ ଦେବବାଳାଙ୍କର ଚତଚୀସ୍ରଶୋଭି ଯୌବନର ଉପଭୋଗପାଇଁ କେତେ ଯେ ହୀନ ମନ୍ତ୍ରଣା ନ କରନ୍ତି ? ଏକ ଆପେକ୍ଷିକ ସ୍ଥିତିରେ ଅସ୍ଥିର ଓ ଚଞ୍ଚଳ ଏହି ଇନ୍ଦ୍ର ; ନିଜର ସ୍ୱାର୍ଥରକ୍ଷା ପାଇଁ କେତେବାର ମୋତେ ଓ କନ୍ଦର୍ପକୁ ମିନତି କରନ୍ତି। ହାୟ ହତଭାଗ୍ର ଦେବଗଣ, ଯେଉଁ ମନୁଷ୍ୟମାନେ ତୁମକୁ ହବ୍ୟ ପ୍ରଦାନ ଓ ଉପାସନାକରି ଉପରିଚିତ କରୁଛନ୍ତି, ତୁମେ ସେମାନଙ୍କର ତପସ୍ୟା ଓ ଧର୍ମାତରିତାରେ ଚିନ୍ତିତ ହେଉଛ କାହିଁକି ? ଏହି ହୀନକାର୍ଯ୍ୟରେ ତୁମେ କନ୍ଦର୍ପଙ୍କର ସହାୟତା ଲୋଡ଼; କିନ୍ତୁ କେବେ ଅମୃତ ଓ ପାରିଜାତର ଗୌରବ ପ୍ରଦାନ କରିଛ ?’’ ରତିଦେବୀ ଆଉ ଭାବିପାରିଲେ ନାହିଁ । ସେତେବେଳକୁ କନ୍ଦର୍ପ ଦେବସଭାରେ ମନ୍ତ୍ରଣାରତ ।

 

‘‘ମୁଁ ପ୍ରତିଜ୍ଞା କରୁଛି ଦେବରାଜ, ମହାଯୋଗେଶ୍ୱର ଶିବଙ୍କୁ ମୁଁ ତପସ୍ୟାଚ୍ୟୁତ କରିବି । ନିବୃତ୍ତିର ପରମଗୁରୁ ସେହି ଶିବଙ୍କୁ ପ୍ରଭୃତ୍ତିର ସମ୍ମୋହନରେ ମୁଁ ଦୀକ୍ଷିତ କରିବି । ଏହି ଦେବକାର୍ଯ୍ୟରେ ମୁଁ ଆତ୍ମୋତ୍ସର୍ଗ କରିପାଇଁ ପ୍ରସ୍ତୁତ । ହିମାଳୟଙ୍କର ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ପାର୍ବତୀ ତପସ୍ୟାରତ ଶିବଙ୍କୁ ସ୍ୱାମୀରୂପରେ ପାଇବାପାଇଁ ଇଚ୍ଛୁକ; କିନ୍ତୁ ଯୋଗେଶ୍ୱରଙ୍କର ହୃଦୟରେ କାମନାର ଉଦ୍ରେକ ସ୍ୱଭାବସୁଲଭ ନୁହେଁ, ତେଣୁ ମୁଁ ସମ୍ମୋହନ ଅସ୍ତ୍ରରେ ତାଙ୍କୁ ବଶୀଭୂତ କରିବି ।’’

 

X X X

 

ମଧୁମାସର ମଦନ ଚତୁର୍ଦ୍ଦଶୀ । ଆଜି ସର୍ବତ୍ର ଉତ୍ସବର କୋଳାହଳ । ବସନ୍ତର ଏହି ମଧୁର ଆନନ୍ଦରେ ପଶୁପକ୍ଷୀ, ବୃକ୍ଷଲତା ସମସ୍ତେ ଉନ୍ମତ୍ତ । ମଳୟର ମୃଦୁ ଆନ୍ଦୋଳିତ ରଥରେ କାମସଖା ବସନ୍ତ ଅଗ୍ରଦୂତରୂପେ କୈଳାସରେ ଉପସ୍ଥିତ । ସ୍ୱୟଂ ପୁଷ୍ପଧନ୍ୱା ପନ୍ଦର୍ପ ଓ ଲାସ୍ୟମୟୀ ରତି ମୀନକେତନ ରଥରେ ଆରୋହଣ କରି ଧ୍ୟାନନିଷ୍ଠ ଶିବଙ୍କର ତପୋବନରେ ଉପଗତ ହେଲେ-। ତରୁଲତାମାନେ ପୁଷ୍ଟସମ୍ଭାରରେ ଶୋଭାପାଉଥାନ୍ତି । ପୁଶୁପକ୍ଷୀ ରିଂରସାର ଆବେଗରେ ମିଳନରତ । ପାର୍ବତୀ ପୁଷ୍ପଗୁଚ୍ଛରେ ମଣ୍ଡିତା ହୋଇ ଯୋଗେଶ୍ୱର ଶିବଙ୍କୁ ପରିଚର୍ଯ୍ୟା କରୁଥାନ୍ତି । ତାଙ୍କର ଅଳକାପଙ୍‌କ୍ତିରେ କୁନ୍ଦକଳିଦା ଗୁମ୍ପିତ ହୋଇଥାଏ । କର୍ଣ୍ଣରେ ଦୋଳାୟିତ ଶିରୀଷ ପୁଷ୍ପ, ଚୁଡ଼ାପାଶରେ ନବ କୁରବକ ଓ କଣ୍ଠରେ ଆଲମ୍ୱିତ ବନମାଳା । ଶିବଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ପ୍ରଦାନ କରୁ କରୁ ସୀମନ୍ତରୁ ପୁଷ୍ପବିଚ୍ଛିତି ଘଟୁଥାଏ । ଉପଯୁକ୍ତ ଅବସର ଦେଖି ଲୁକକାୟିତ କନ୍ଦର୍ପ ଶିବଙ୍କ ଉଦ୍ଦେଶ୍ୟରେ ସମ୍ମୋହନ ଅସ୍ତ୍ର ପ୍ରୟୋଗ କଲେ । ସ୍ଥିତଧର ଯୋଗେଶ୍ୱର ଶିବଙ୍କର ସମାହିତ ଚିତ୍ତରେ ବିକାଶ ଦେଖାଦେଲା । ସେ ଅବନତା ପାର୍ବତୀଙ୍କର କରାବଲମ୍ୱନ କରି ତାଙ୍କର ବ୍ରୀଡ଼ାନତ ମୁଖପଦ୍ମକୁ ଅବଲୋକନ କଲେ ।

 

ଏ କ’ଣ ? ସୌନ୍ଦର୍ଯ୍ୟର ସମ୍ମୋହନ ତାଙ୍କର ପ୍ରଶାନ୍ତ ବିତ୍ତବୃତ୍ତିକୁ ସ୍ପର୍ଶ କଲା କିପରି ? ପରମୁହୁର୍ତ୍ତରେ ସେ ଆତ୍ମସ୍ଥ ହୋଇ ଏହାର କାରଣ ଚିନ୍ତା କଲେ । ଅଦୂରରେ ଦେଖିଲେ, କନ୍ଦର୍ପ ସମ୍ମୋହନ ପୁଷ୍ପଶରରେ ତାଙ୍କୁ ଶରବ୍ୟ କରୁଛନ୍ତି । ପୁଣି ସେହି ବିଡ଼ମ୍ୱନା; ପ୍ରବୃତ୍ତିର ନିର୍ବାଣରେ ଯିଏ ଯୋଗେଶ୍ୱର ହୋଇଛନ୍ତି; ତାଙ୍କୁ ଯୋଗଭ୍ରଷ୍ଟ କରିବାକୁ ଏ ଅପଚେଷ୍ଟା କାହିଁକି ? ଶିବଙ୍କର କ୍ରୋଧ ରୌଦ୍ର ସଂକ୍ରାସ ଆଣିଲା । କପାଳରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେବାକୁ ଲାଗିଲା । ଆକାଶରେ ଦେବତାମାନେ ଏହି ପ୍ରଳୟ ସଂକାଶ ଭୀମମୂର୍ତ୍ତିକୁ ଦେଖି ସ୍ତୁତି କଲେ-

 

‘‘ହେ ଦେବେଶ, କ୍ରୋଧ ସମ୍ୱରଣ କରନ୍ତୁ ।’’ କିନ୍ତୁ ଦେବତାମାନଙ୍କର ଏହି ବାଣୀ ଆକାଶରେ ସଂପ୍ରସାରିତ ହେଉଣୁ ନହେଉଣୁ ଶିବଙ୍କର କ୍ରୋଧବହ୍ନି ମଦନକୁ ଭସ୍ମାବଶେଷ କରିଦେଲା ।

 

‘‘କ୍ରୋଧଂ ପ୍ରଭୋ ସଂହାର ସଂହରେତି ଯାବଦ୍‌ ଗିରଃ ଖେ ମରୁତାଂ ଚରନ୍ତି

ତାବତ୍‌ ସ ବହ୍ନିର୍ଭବନେତ୍ରଜନ୍ମା ଭସ୍ମାବଶେଷଂ ମଦନଂ ଚକାର ।’’

 

ନଷ୍ଟ ହେଲା ପାର୍ବତୀଙ୍କର ଅଭିସାର; ଲୋପ ହେଲା କନ୍ଦର୍ପଙ୍କର ଅତିକ୍ରମଣଜନିତ ଗର୍ବ-। ଶିବଙ୍କ ପକ୍ଷରେ ନିବୃତ୍ତିର ପରାକାଷ୍ଠା ପ୍ରବୃତ୍ତିର ଆକର୍ଷଣକୁ ଅବନମିତ କରିଛି । ବସନ୍ତର ମଳୟାନିଳ ଓ ଚୈତ୍ରକ ଅଭିସାର ଆଜି ବିଧ୍ୱସ୍ତ ।

 

‘‘ସୁଖାଃ ପ୍ରଦୋଷା ଦିବସାଶ୍ଚ ରମ୍ୟାଃ’’-ସନ୍ଧ୍ୟା ସମୟ ସୁଖପ୍ରଦ ଓ ଦିବସ ମଧ୍ୟ ରମ୍ୟ ବୋଲି କହତ କାଳିଦାସ ବସନ୍ତର ଯେଉଁ ସ୍ତତିଗାନ କରିଥିଲେ, ଆଜି ଗ୍ରୀଷ୍ମର ରୌଦ୍ରଉତ୍ତାପରେ ସେ ରମଣୀୟତା ଲୋପପାଇଛି । ନାହିଁ ସେ ବସନ୍ତ,. ନାହିଁ ତା’ର କମ୍ର ସ୍ପର୍ଶ । ଶିବ ମଦନକୁ ଭସ୍ମ କଲାପରି, ଗ୍ରୀଷ୍ମର ରୌଦ୍ର ଉତ୍ତାପ ବସନ୍ତକୁ ପରାହତ କରିଛି । ଉନ୍ମାଦନାର ଆବେଗ ଓ ଅନୁକୂଳ ସ୍ପର୍ଶରେ ଯେଉଁ ବସନ୍ତକୁ ଋତୁରାଜ ବୋଲି କୁହାଗଲା, ସେ ଗ୍ରୀଷ୍ମର ସଂକ୍ରାସରେ ବିଡ଼ମ୍ୱିତ । ଲୋପ ପାଇଲା ମଦନପୂଜା ଓ ବସନ୍ତର ଚୈତ୍ରକ ଉତ୍ସବ; କିନ୍ତୁ ଏହି କନ୍ଦର୍ପ ଓ ବସନ୍ତର ସ୍ମରଣୀୟ ଶୋଭା ସବୁଦିନ ପାଇଁ ସ୍ମୃତିର ଆଧାର ହେଲା । ମଦନ ହେଲେ ଅତନୁ । ତାଙ୍କର ସଖା ବସନ୍ତ ହେଲେ କଳ୍ପନାରେ ଭବ୍ୟତ । ପ୍ରତିବର୍ଷ ମଧୁମାସ ଆସେ, ମଳୟ ବହେ ଏବଂ ବସନ୍ତର ସ୍ପର୍ଶନୁକୂଳତା ଅନୁଭୂତ ହୁଏ; କିନ୍ତୁ ସେ ଦିନ ବସନ୍ତରେ ଯେଉଁ ଉନ୍ମତ୍ତତା ଥିଲା ଓ ତା’ର ମୂର୍ତ୍ତ ପ୍ରତୀକ ରୂପା ମଦନପୂଜାର ଯେଉଁ ଆସର ଅନୁଷ୍ଠିତ ହେଉଥିଲା, ତାହା କାଳକ୍ରମେ ବନ୍ଦ ହୋଇଯାଇଛି । ତା’ର ସ୍ମୃତି କେବଳ କଳ୍ପନାରେ ଉଜ୍ଜୀବିତ ।

 

ବାଧା ଓ ବିଘ୍ନର ଦୁର୍ବିପାକ ମଧ୍ୟରେ ସଂକଳ୍ପ ନିଃସାରିତ ହୁଏ ନାହିଁ । ମହାକାଳର ତପସ୍ୟର ପ୍ରମାଣ କରିଦେଇଛି, ଆକର୍ଷଣ ଓ ସୃଷ୍ଟିମୂଳରେ ତ୍ୟାଗ ହିଁ ନିହିତ । ପାର୍ବତୀ ତପସ୍ୱିନୀ ହେବେ, ଏକ ଯଥାର୍ଥ ଅଭିମାନର ଚରିତାର୍ଥ ପାଇଁ ସେ ନିଜକୁ ତିଳ ତିଳ କରି ଉତ୍ସର୍ଗ କରିବେ । ଆନନ୍ଦ ତପସ୍ୟାରେ ଯଦି ଶିବ ଯୋଗେଶ୍ୱର ହେବେ, ତା’ହେଲେ ସେହି ତପସ୍ୟା ମାଧ୍ୟମରେ ହିଁ ପାର୍ବତୀ ତାଙ୍କୁ ଲାଭକରିବେ । ଶିବଙ୍କର ଅନୁଚିନ୍ତାରେ ସେ ହେଲେ ତପସ୍ୱିନୀ । ତପସ୍ୱିନୀ ଜୀବନରେ ପୁନର୍ବାର ସେହି ଗ୍ରୀଷ୍ମଋତୁ । ବସନ୍ତର କମ୍ରତାକୁ କ୍ରୋଧାଗ୍ନିରେ ଧ୍ୱଂସକରି, ଆଜି ସ୍ମରଣୀୟ ବସନ୍ତକୁ ପୁନର୍ବାର ଅଙ୍ଗହୀନ କରି ଗ୍ରୀଷ୍ମ ତପସ୍ୱିନୀର ଆଶ୍ରମକୁ ଆସିଛି । ତପସ୍ୱିନୀ ପାର୍ବତୀ ସ୍ୱାଗତ ଜଣାଇଛନ୍ତି । ଉନ୍ମୁକ୍ତ ପ୍ରାଙ୍ଗଣରେ ଛାୟାହୀନ ପ୍ରସ୍ତରଚତ୍ୱର । ଚତୁଃପାର୍ଶ୍ୱରେ ଇନ୍ଧନ ସନ୍ଦୀପିତ ଅଗ୍ନି ଓ ଅକାଶରେ ସୂର୍ଯ୍ୟଙ୍କର ରୌଦ୍ର ଉତ୍ତାପ । ତପସ୍ୱିନୀ ପାର୍ବତୀ ନିଶ୍ଚଳ ଭାବରେ ଅଗ୍ନିସ୍ନାନ କରୁଛନ୍ତି । ମୁଖରେ ସ୍ମିତହାସ୍ୟ, ଚକ୍ଷୁ ତାଙ୍କର ସୂର୍ଯ୍ୟଙ୍କ ଠାରେ ନିବଦ୍ଧ । ପଞ୍ଚାଗ୍ନି ସାଧନା ମଧ୍ୟରେ ଜୀବନର ସଙ୍ଗୀତ ସେ ହଜାଇ ଦେଇଛନ୍ତି; କିନ୍ତୁ ସେଥିପାଇଁ ଅନୁଶୋଚନା ନାହିଁ । ଯଦି ମୃତ୍ୟୁଞ୍ଜୟ ଶିବ ପାର୍ବତୀଙ୍କର ସରଳ ଆକର୍ଷଣକୁ ଉପେକ୍ଷା କରିପାରିଲେ, ତେବେ ସେହି ଶିବଙ୍କୁ ପାଇବାପାଇଁ ଜୀବନକୁ ତିଳ ତିଳ କରି ତପସ୍ୟା ମାଧ୍ୟମରେ ତ୍ୟାଗ କରିବାରେ ଦୁଃଖ କାହିଁକି ? ପାର୍ବତୀଙ୍କ ପକ୍ଷରେ ତପସ୍ୟା କେବଳ ମାଧ୍ୟମ ନୁହେଁ, ଅଧିକନ୍ତୁ ଅଭୀପ୍‌ସାରେ ପରିଣତ ହୋଇଛି । କାଳିଦାସଙ୍କର ସେହି ମନୋରମ ପଙ୍‌କ୍ତି–

 

‘‘ଶୁଚୌ ଚତୁର୍ଣ୍ଣାଂ ଜ୍ୱଳତାଂ ହବିର୍ଭୁଜାଂ

ଶୁଚିସ୍ମିତା ମଧ୍ୟଗତା ସୁମଧ୍ୟମା ।

ବିଜିତ୍ୟ ନେତ୍ରପ୍ରତିଘାତନୀଂ ପ୍ରଭା

ମନନ୍ୟଦୃଷ୍ଟିଃ ସବିତାରମୈକ୍ଷତ ।।’’

 

X X X

 

ମହାକାଳର ସେହି ଅନନ୍ତ ତପସ୍ୟା ଓ ଯଜ୍ଞ, ଯାହାକୁ ଋଗ୍‌ବେଦରେ ପୁରୁଷଯଜ୍ଞ ରୂପେ କୁହାଯାଇଛି, ସେଥିରେ ଗ୍ରୀଷ୍ମର ପ୍ରାଧାନ୍ୟ ସୁଷ୍ପଷ୍ଟ । ଆକାଶ ଓ ପୃଥିବୀ ମଧ୍ୟରେ ଯେଉଁ ମିଳନର ସମ୍ଭାବ୍ୟ ଉଲ୍ଲାସ ବର୍ଷାପାତରେ ସମ୍ଭବ ହେବ, ସେହି ଆକାଶରୂପୀ ଶିବଙ୍କୁ ଲାଭ କରିବାପାଇଁ ପୃଥିବୀ ପାର୍ବତୀର ତପସ୍ୱିନୀ ରୂପରେ ପଞ୍ଚାଗ୍ନି ସାଧନା କରୁଛି । ଦ୍ୟାବାପୃଥିବୀର ସେହି ଶୁଭଙ୍କର ମିଳନକୁ ଆଜି ଜୀବଜଗତ ଅପେକ୍ଷା କରିବସିଛି । ବନରାଜି ଓ ଶସ୍ୟକ୍ଷେତ୍ରର ଶ୍ୟାମଳିମା; ନଦୀର ଉଲ୍ଲାସ ଓ ସମୁଦ୍ରର କଲ୍ଲୋଳ ଏବଂ ସର୍ବୋପରି ଜୀବଜଗତର ମଙ୍ଗଳପାଇଁ ବର୍ଷା ଅବଶ୍ୟମ୍ଭାବୀ ଏବଂ ତାହା ହିଁ ଆକାଶ ଓ ପୃଥିବୀ ମଧ୍ୟରେ ମିଳନର ରୂପକଳ୍ପ । ସେଥିପାଇଁ ଆଜି ଧରିତ୍ରୀ ତପସ୍ୱିନୀ ହୋଇ ପଞ୍ଚାଗ୍ନି ସାଧନା କରୁଛି ।

 

ଋଗ୍‌ବେଦର ମନ୍ତ୍ରଦ୍ରଷ୍ଟା ଋଷି ପୁରୁଷସୁକ୍ତରେ ଯେଉଁ ଯଜ୍ଞର କଳ୍ପନା କରିଥିଲେ, ତାହା ଅନନ୍ତକାଳଧରି ଚାଲିଛି । ଗ୍ରୀଷ୍ମ ସେ ଯଜ୍ଞରେ ସବିଧ ବା ଇନ୍ଧନ, ବସନ୍ତ ହେଉଛି ଘୃତ ଏବଂ ଶରତ୍‌ ହେଉଛି ଶସ୍ୟସମ୍ଭାର ।

 

‘‘ବସନ୍ତୋ ଅସ୍ୟାସୀଦାଜ୍ୟଂ ଗ୍ରୀଷ୍ମ ଇଧ୍‌ମଃ ଶରଦ୍‌ ହବିଃ’’

 

(ପୁରୁଷସୂକ୍ତ-ଋଗ୍‌ବେଦ)

 

ଆମ ସଂସ୍କୃତିରେ ତପସ୍ୟା ହେଉଛି ସୃଷ୍ଟି ଓ ସ୍ଥିତି ମୂଳରେ ଏକ ସ୍ୱତନ୍ତ୍ର ବିଭାବ । ତପସ୍ୟା ଶବ୍ଦ ‘ତପସ୍‌’ରୁ ଆସିଛି ଏବଂ ଏହାର ଏକ ଅର୍ଥ ଗ୍ରୀଷ୍ମଋତୁକୁ ବୁଝାଇଥାଲ । ତପସ୍ୟା ଏକ ଶୃଙ୍ଖଳିତ କ୍ରିୟା, ଯାହା ମନୁଷ୍ୟ ଚରିତ୍ରକୁ ଉଦାତ୍ତ କରିଥାଏ । ପୁରାଣ ଶାସ୍ତ୍ରମାନଙ୍କରେ ତପସ୍ୟା କେବଳ ସୁଖଲାଭର ମାଧ୍ୟମ ନୁହେଁ; ଅଧିକନ୍ତୁ ପ୍ରାଜ୍ଞିକ ଅଭୀପ୍‌ସା ରୂପେ ବର୍ଣ୍ଣିତ ହୋଇଥଛି । ମୁନିଋଷିମାନେ ତପସ୍ୟାପାଇଁ ତପସ୍ୱୀ ହେଉଥିଲେ । ତପସ୍ୟା ହିଁ ତାଙ୍କର ଧନସମ୍ପତ୍ତି । ତେଣୁ ସେମାନଙ୍କୁ ତପୋଧନ କୁହାଯାଏ । ତପସ୍ୱୀମାନଙ୍କ ମଧ୍ୟରେ କୁଶଳ ସମ୍ଭାଷଣ ହେଉଛି, ‘‘ଅପି ତପଃ ବର୍ଦ୍ଧତେ ?’’ —ତପସ୍ୟାରେ ବୃଦ୍ଧି ଘଟୁଛି ତ ? ଏକ ତ୍ୟାଗପୂତ ଜୀବନର ଯେଉଁ କଳ୍ପନା ଆମ ଦେଶରେ ରହି ଆସିଛି, ତପସ୍ୟା ହେଉଛି ସେହି ଜୀବନର ଆଧାର । ଋତୁଚକ୍ରରେ ଗ୍ରୀଷ୍ମ ହିଁ ତପସ୍ୱୀ । ତା’ର ସନ୍ତାପ ଓ ତ୍ୟାଗରେ ବସନ୍ତର କମ୍ରତା, ଶରତର ଶ୍ୟାମଳିମା ନର୍ମ, ହେମନ୍ତର କାତରତା ଓ ବର୍ଷାର ଜଳ ମହୋତ୍ସବ—ସବୁକିଛି ସମ୍ଭବ ହୁଏ ।

 

ଆଜି ବସନ୍ତ ଯାଇଛି ସତ; କିନ୍ତୁ ଆଗାମୀ ବସନ୍ତକୁ ଉଜ୍ଜୀବିତ କରିବାପାଇଁ ଏବଂ ଭସ୍ମୀକୃତ କନ୍ଦର୍ପକୁ ଅତନୁ ମନସିଚ୍ଚ ରୂପେ ଲାଭକରିବାପାଇଁ ଯେଉଁ ଯୋଗେଶ୍ୱର ଶିବ ସେଦିନ ମୋହପରାୟଣା ନିଃସହାୟା ରାତିଦେବୀଙ୍କୁ ଆଶ୍ୱାସନା ଶୁଣାଇଥିଲେ, ଆଜିର ଏହି ରୌଦ୍ର ଗ୍ରୀଷ୍ମ ନିଜର ପ୍ରଖରତା ସତ୍ତ୍ୱେ ମଧ୍ୟ ବର୍ଷାର ଆସାର ଓ ଶସ୍ୟସମ୍ଭାରର ଶ୍ୟାମଳିମା ପାଇଁ ଭବିତବ୍ୟ ସ୍ୱାକ୍ଷର ବହନ କରୁଛି ।

Image

 

ଦୀପାବଳୀ

 

ହିନ୍ଦୁମାନଙ୍କର ପର୍ବପର୍ବାଣି ମଧ୍ୟରୁ ଦୀପାବଳୀ ଅନ୍ୟତମ । କାର୍ତ୍ତିକମାସର ଅମାବାସ୍ୟାରାତ୍ରିରେ ଏହି ଉତ୍ସବ ପାଳିତ ହୁଏ । ଏହି ଉତ୍ସବକୁ ଦିଆଲି, ପିପେଇ ଓ ପିମ୍ପେଇ ପ୍ରଭୃତି କହିଥାନ୍ତି । ‘ଦିଆଲି’ ଶବ୍ଦ ଦୀପାବଳୀର ଅପଭଂଶ ରୂପ । ପିପେଇ ବା ପିମ୍ପେଇ ଶବ୍ଦ ‘ପୂପାଳି’ ଶବ୍ଦରୁ ଆସିଛନ୍ତି । ଉକ୍ତ ରାତ୍ରରେ ଲୋକମାନେ ଆଲୋକିତ ପିଷ୍ଟକ ନିର୍ମିତ ଦୀପାବଳୀକୁ ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ଏହି ପିଷ୍ଟକନିର୍ମିତ ଦୀପକୁ ‘ପୂପାଳି’ କୁହାଯାଏ । ତେଣୁ ଲୋକଭାଷାରେ ପୂପାଳି ଶବ୍ଦ ପିପେଇ ବା ପିମ୍ପେଇରେ ପରିଣତ ହୋଇଛି ।

 

ଭାରତୀୟ ସଂସ୍କୃତିର ବହୁଘଟଣା ଏହି ତିଥିସହିତ ସମ୍ପର୍କିତ । ତେଣୁ ଆମର ଆଚାରଚଳଣିରେ ଉକ୍ତ ପର୍ବର ଗୁରୁତ୍ୱ ଯଥେଷ୍ଟ ବେଶି । କଥିତ ଅଛି, ସ୍ୱୟଂ ରାମଚନ୍ଦ୍ର ଲଙ୍କା ଜୟକରି ଉକ୍ତ ଦିବସରେ ଅଯୋଧ୍ୟାକୁ ଫେରି ଆସିଥିଲେ ଓ ତାଙ୍କର ଅଭିଷେକ ହୋଇଥିଲା । ଅଯୋଧ୍ୟାର ନରନାରୀମାନେ ସର୍ବତ୍ର ଦୀପାଲୋକରେ ସଜ୍ଜିତକରି ଏହି ଉତ୍ସବକୁ ପାଳନ କରିଥିଲେ-। କାଳକ୍ରମେ ସତ୍ୟସନ୍ଧ ରାଜା ରାମଚନ୍ଦ୍ରଙ୍କର ବିଜୟର ସ୍ମୃତିରୂପେ ଉକ୍ତ ଦିବସକୁ ପାଳନ କରାଗଲା-

 

ଲକ୍ଷ୍ମୀ ପୂଜା–

 

ଏହି ଅମାବାସ୍ୟା ତିଥିରେ ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୁଏ । କଥିତ ଅଛି, ଚଞ୍ଚଳା ସୌଭାଗ୍ୟଲକ୍ଷ୍ମୀ ଅସୁରରାଜା ବଳିଙ୍କଦ୍ୱାରା ଦୀର୍ଘ ସମୟ ଧରି ବନ୍ଦିନୀ ହୋଇ ରହିଥିଲେ । ସ୍ୱୟଂ ବିଷ୍ଣୁ ବାମନରୂପରେ ଅବତୀର୍ଣ୍ଣ ହୋଇ ମହାରାଜ ବଳିକୁ ସତ୍ୟବଦ୍ଧ କରାଇ ରାଜ୍ୟଚ୍ୟୁତ କରାଇଥିଲେ ଏବଂ ଲକ୍ଷ୍ମୀଙ୍କୁ ମୁକ୍ତ କରିଥିଲେ । ତତ୍ପରେ ସ୍ୱୟଂ ବିଷ୍ଣୁ ଲକ୍ଷ୍ମୀଙ୍କ ସହ କ୍ଷୀରସାଗରରେ ସୁଖନିଦ୍ରା ଯାଇଥିଲେ । ଲକ୍ଷ୍ମୀଙ୍କର ମୁକ୍ତି ଦିବସକୁ ଦେବତା ଓ ମନୁଷ୍ୟମାନେ ମହା ସମାରୋହରେ ପାଳନ କରିଆସୁଛନ୍ତି । ମହାରାଜ ବଳି ତ୍ରିଲୋକର ଅଧିପତି ହୋଇ ଦେବତାମାନଙ୍କୁ ମଧ୍ୟ ବନ୍ଦୀ କରିଥିଲେ । ଲକ୍ଷ୍ମୀଙ୍କ ସହିତ ଦେବତାମାନେ ମଧ୍ୟ ମୁକ୍ତିଲାଭ କରିଥିଲେ ।

 

‘‘ବଳିକାରାଗୃହାଦ୍ଦେବା ଲକ୍ଷ୍ମୀଶ୍ଚାପି ବିମୋଚିତା

ଲକ୍ଷ୍ମ୍ୟା ସାର୍ଧଂ ତତୋ ଦେବା ନୀତାଃ କ୍ଷୀରୋଦଧୌ ପୁନଃ ।’’

 

(ବ୍ରତରାଜ)

 

ଏହି ଅମାବାସ୍ୟର ପୂର୍ବ ଚତୁର୍ଦ୍ଦଶୀ ରାତ୍ରିର ମଧ୍ୟଭାଗରେ ମହାଘୋରା କରାଳବଦନା ଆଦ୍ୟାଶକ୍ତିଙ୍କୁ କାଳୀରୂପରେ ପୂଜା କରାଯାଏ । ସୃଷ୍ଟିର ପ୍ରାକ୍‌କାଳରେ ପ୍ରକୃତି ତମୋମୟୀ ଅନନ୍ତ ତମିସ୍ରାରେ ପରିପୂର୍ଣ୍ଣ ଥିଲା । ଏହା ସୃଷ୍ଟିର ସଂହୃତି-କଳ୍ପନା । ଅନନ୍ତକଳ୍ପଯାବତ୍‌ ଏହି ଆଦ୍ୟାଶକ୍ତିଙ୍କର ଲୋକକ୍ଷୟକାରୀ ସଂହୃତିରୂପକୁ କାଳୀରୂପେ ପୂଜା କରାଯାଏ । କାଳକ୍ରମେ ସେହି ଭୟସଂକାଶ ନିସ୍ତବ୍‌ଧ ଘୋରତମିସ୍ର ସଂହୃତ ମହାକାଳ ସୃଜନୀଶକ୍ତିରେ ରୂପାନ୍ତରିତ ହେଲା । ସେହି ଶୁଭ ମୁହୂର୍ତ୍ତରୁ ସୃଷ୍ଟିର କ୍ରମ ଆରମ୍ଭ ହେଲା । ସୃଷ୍ଟି ରହସ୍ୟର ଏହି ଦୁଇଟି ବିଭାବକୁ ପ୍ରକାଶ କରିବାପାଇଁ କାଳୀପୂଜାର ପରଦିବସରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଆସୁଛି । ପ୍ରାଚୁର୍ଯ୍ୟମୟ ସ୍ମୃତିକୁ ଉଜ୍ଜୀବିତ କରିବାପାଇଁ ଏହି ଦିନ ଲକ୍ଷ୍ମୀପୂଜା ସମାରୋହରେ ଅନୁଷ୍ଠିତ ହୁଏ ଏବଂ ଜନସାଧାରଣ ନିଜର ଗ୍ରାମ ନଗରକୁ ଆଲୋକମାଳାରେ ସଜ୍ଜିତ କରନ୍ତି । ଲକ୍ଷ୍ମୀପୂଜାର ପୂର୍ବରୁ ଅଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଏବଂ ଦୈନ୍ୟ ଓ ଦାରିଦ୍ର୍ୟର ପ୍ରତୀକ ଏହି ଅଲକ୍ଷ୍ମୀଦେବୀଙ୍କୁ ରାତ୍ରି ସମୟରେ ବୃକ୍ଷରେ ଛାଡ଼ିଦିଆଯାଏ ଓ ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । ଏଥିପାଇଁ ଆମ ଚଳଣିରେ ରାତ୍ରିରେ ବୃକ୍ଷ ମୂଳରେ ଆଶ୍ରୟ ନେବାପାଇଁ ନିଷିଦ୍ଧ କରାଯାଇଛି ।

 

ଦୀପଦାନ–

 

ଏହି ଅବସରରେ ଜନସାଧାରଣ ସେମାନଙ୍କର ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାଆାନ୍ତି ଓ ପୟାଶ୍ରାଦ୍ଧ କରନ୍ତି । ଏହାକୁ ବଡ଼ବଡ଼ୁଆ ଡାକ କହନ୍ତି । ଉଲ୍ଲେଖ ଅଛି, ପୂର୍ବପୁରୁଷମାନେ ସେମାନଙ୍କର ଦାୟାଦମାନଙ୍କଠାରୁ ତିଳତର୍ପଣ ଓ ଭୋଜ୍ୟସାମଗ୍ରୀ ଆଶା କରିଥାନ୍ତି । ପିତୃପୁରୁଷଙ୍କର ଏହି ବିଶେଷ ସନ୍ତର୍ପଣର ବ୍ୟବସ୍ଥା ଆଶ୍ୱିନ କୃଷ୍ଣ ପକ୍ଷରେ ଅନୁଷ୍ଠିତ ହୁଏ ଏବଂ ଦୀପାବଳୀରେ ସମାପ୍ତ ହୁଏ । ତେଣୁ ଆଶ୍ୱିନର ମହାଳୟା ଅମାବାସ୍ୟା ଓ କାର୍ତ୍ତିକର ଦୀପାବଳୀ ଆମାବାସ୍ୟା; ଏହି ତିଥିଦ୍ୱୟ ପିତୃପୁରୁଷଙ୍କ ପୂଜାପାଇଁ ପ୍ରକୃଷ୍ଟ । ଏହି ଅବସରରେ ଯେଉଁମାନେ ଜଳ, ତିଳ ଓ ଭୋଜ୍ୟସାମଗ୍ରୀରେ ପିତୃପୁରୁଷଙ୍କୁ ତର୍ପିତ କରନ୍ତିନାହିଁ, ସେମାନେ ନରକଗାମୀ ଓ ବଂଶହୀନ ହୁଅନ୍ତି । କଥାରେ ଅଛି; ‘‘ପିମ୍ପେଇଠାରୁ ବଡ଼ ବଡ଼ୁ ଆମାନେ ନିଆଶା’’-ଅର୍ଥାତ୍‌ ଦୀପାବଳୀ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷମାନେ ଭୋଜ୍ୟବଳି ପାଇବାପାଇଁ ଆଶାୟୀ ଥା’ନ୍ତି ।

 

ଏହି ପରିପ୍ରେକ୍ଷୀରେ ପିତୃପୁରୁଷ ଓ ଦେବତାମାନଙ୍କ ମଧ୍ୟରେ ସମ୍ପର୍କର ଅବତାରଣା କରିବା ଆବଶ୍ୟକ ମନେହୁଏ । ଦେବକଳ୍ପନା ଓ ପିତୃପୁରୁଷମାନଙ୍କ ସ୍ଥିତି ଆପେକ୍ଷିକ । ଆମର ବିଶ୍ୱାସ, ଏହି ସୃଷ୍ଟିକ୍ରମ ଏକ ଅବ୍ୟାହତ ଓ ଚିରନ୍ତର ଶୈଳୀ । ଯେଉଁମାନେ ଶରୀର ତ୍ୟାଗ କରନ୍ତି ସେମାନଙ୍କର ଆତ୍ମା ଅନନ୍ତ ଜୀବନୀଶକ୍ତି ବା ଭୂମାରେ ମିଳିଯାଏ ଏବଂ ସେହି ଭୂମାର ବିଚ୍ଛୁରଣରେ ଜନ୍ମିତ ସନ୍ତାନ ଦେଖାଦିଏ । ଅନ୍ୟ ପକ୍ଷରେ ଆମେ ଏହି କ୍ରମକୁ ଜନ୍ମାନ୍ତରବାଦ ବୋଲି କହିଥାଉ । ତେଣୁ ଏହି ପିତୃପୁରୁଷମାନେ ହିଁ ଆମର ଦେବତା । ବସ୍ତତଃ ଇନ୍ଦ୍ର, ବରୁଣ, ଅର୍ଯ୍ୟମା, ବିଷ୍ଣୁ ପ୍ରଭୃତି ଆରାଧ୍ୟ ଦେବତାମାନେ ଆମ୍ଭମାନଙ୍କର ପୂର୍ବବଂଶଧର ଥିଲେ । ତେଣୁ ଦେହାତୀତ ପିତାଙ୍କୁ ବସୁ ରୂପରେ, ପିତାମହଙ୍କୁ ରୁଦ୍ରରୂପରେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପରେ ପୂଜା କରାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ, ଅର୍ଯ୍ୟମନ୍‌ ଆମ୍ଭମାନଙ୍କର ପ୍ରଥମ ଆଦିତ୍ୟ ଓ ପ୍ରଥମ ପିତୃ । ହିନ୍ଦୁର ଆଚାର ମୂଳରେ ପିତୃପୁରୁଷଙ୍କ ପୂଜା ଓ ସମ୍ମାନ ପାଇଁ ଏକ ବଳିଷ୍ଠ ପରମ୍ପରା ରହିଛି । ସେହି ଦୃଷ୍ଟିରୁ ପିତକାର୍ଯ୍ୟ ଦେବକାର୍ଯ୍ୟଠାରୁ ଗୁରୁତର ରୂପେ କଳ୍ପିତ ହୋଇଛି । ପିତୃପୁରୁଷମାନଙ୍କୁ ପ୍ରଣତି ଜଣାଇଲାବେଳେ ଆମ୍ଭେମାନେ କହିଥାଉ–

 

‘‘ଏତେବୈ ପିତରୋ ଦେବାଃ, ଦେବାଶ୍ଚ ପିତରଃ ପୁନଃ’’

 

ଅର୍ଥାତ୍‌ ଦେହାତୀତ ପିତୃପୁରୁଷମାନେ ଦେବତା ହୁଅନ୍ତି ଓ ଦେବତାମାନେ ଜନ୍ମ ନେଇ ପୁଣି ପିତୃ ହୁଅନ୍ତି । ତେଣୁ ପିତୃପୁରୁଷ ଓ ଦେବତାମାନଙ୍କର ସ୍ଥିତି ଆପେକ୍ଷିକ; ସ୍ୱତନ୍ତ୍ର ନୁହେଁ ।

 

ଆଗ୍ନିକ ସଭ୍ୟତାର ସେ କେଉଁ ସ୍ମରଣାତୀତ ସମୟ । ଅଥର୍ବଣ ଓ ଅଙ୍ଗିରସ୍‌ ଇରାଣୀ ଭାରତଗୋଷ୍ଠୀର ପୂଜ୍ୟ ପିତୃ ଥିଲେ । ଅଙ୍ଗିରସ୍‌ଙ୍କର ସ୍ତ୍ରୀ ସ୍ୱଧା । ତାଙ୍କଠାରୁ ଜନ୍ମ ନେଲେ ସୌମ୍ୟ, କବ୍ୟ, ଅଗ୍ନିସ୍ୱାତ୍ତ ଓ ବର୍ହିଷଦ । ଆଜି ମଧ୍ୟ ଆମ୍ଭେମାନେ ଏମାନଙ୍କୁ ସମ୍ମାନ ଦେଉଛୁ । ସେହିପରି ଇରାଣୀମାନେ ମଧ୍ୟ ଅଥର୍ବନ୍‌ ଓ ଅଙ୍ଗିରସ୍‌ଙ୍କୁ ସମ୍ମାନ ଦେଉଥିଲେ । ଏହି ଅଥର୍ବନ୍‌ ପରମ୍ପରାରେ ଆସିଲେ ଜରଥ୍ରୁଦ୍‌, ମଜଦା ବା ମେଧା । ଆଉ ମଧ୍ୟ ଅର୍ଯ୍ୟମନ୍‌ ଇରାଣୀ ଓ ଭାରତୀୟମାନଙ୍କ ମଧ୍ୟରେ ପ୍ରଥମ ପିତୃରୂପେ ପୂଜା ପାଇଆସୁଛନ୍ତି । ଋଗ୍‌ବେଦ ପରି ଆଭେସ୍ତା ଗ୍ରନ୍ଥରେ ଆର୍ଯ୍ୟମାନଙ୍କର ସ୍ମୃତି ଲିପିବଦ୍ଧ ।

 

X X X

 

ଦୀପାବଳୀ ଉତ୍ସବକୁ ବଳିରାଜାଙ୍କର ଉତ୍ସବ ବୋଲି କୁହାଯାଏ । ପୁରାଣମାନଙ୍କରେ ଉଲ୍ଲେଖ ଅଛି, ବିରୋଚନପୁତ୍ର ବଳି ତ୍ରିଲୋକର ଅଧିପତି ଥିଲେ । ସେ ପ୍ରହ୍ଲାଦଙ୍କର ପୌତ୍ର । ପ୍ରାଚୁର୍ଯ୍ୟ ଓ ସମ୍ଭୋଗର ଅଖଣ୍ଡ ଆଧିପତ୍ୟ ମଧ୍ୟରେ ମହାରାଜ ବଳି ଇନ୍ଦ୍ରତ୍ୱ ଲାଭ କରିଥିଲେ । ସମୁଦ୍ର ମନ୍ଥନ ପରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯେଉଁ ଭୟାବହ ଯୁଦ୍ଧ ହୋଇଥିଲା, ମହାରାଜ ବଳି ସେହି ଯୁଦ୍ଧରେ ଅସୁରମାନଙ୍କର ସେନାପତିତ୍ୱ କରିଥିଲେ ଓ ଦେବତାମାନଙ୍କୁ ପରାଭୂତ କରି ସ୍ୱର୍ଗ ଜୟ କରିଥିଲେ । ସନ୍ତ୍ରସ୍ତ ଦେବତାମାନେ ବିଷ୍ଣୁଙ୍କୁ ଆରାଧନା କରିବାରୁ ସ୍ୱୟଂ ବିଷ୍ଣୁ ଛଳନା କରି ବଳିକୁ ପରାଭୂତ କରିଥିଲେ ଏବଂ ଦେବତାମାନଙ୍କୁ ସ୍ୱର୍ଗରାଜ୍ୟ ଫେରାଇ ଦେଇଥିଲେ । ବଳିଙ୍କର ଉପଦେଷ୍ଟା ଆଚାର୍ଯ୍ୟ ଶୁକ୍ର ଏକଦା ବଳିଙ୍କୁ ବିଶ୍ୱଜିତ୍‌ ଯଜ୍ଞରେ ପ୍ରବୃତ୍ତ କରାଇଥିଲେ । ଏହି ଯଜ୍ଞରେ ମହାରାଜ ବଳି ସମସ୍ତ ଯାଚକମାନଙ୍କର ଅଭିଳାଷ ପୂରଣ କରୁଥାନ୍ତି-। ଏହି ସମୟରେ କାଶ୍ୟପତନୟ ବାମନ ବଳିଙ୍କ ଯଜ୍ଞଶାଳାରେ ଯାଚକ ରୂପେ ଉପସ୍ଥିତ ହେଲେ-। ଆଚାର୍ଯ୍ୟ ଶୁକ୍ର ବିଷ୍ଣୁଙ୍କର ମାୟା ବୁଝିପାରି ବାମନଙ୍କର ଅଭିଳଷିତ ଦାନ ନ ଦେବାପାଇଁ ବଳିଙ୍କୁ ପରାମର୍ଶ ଦେଲେ, କିନ୍ତୁ ସତ୍ୟସନ୍ଧ ବଳି ଶୁକ୍ରଙ୍କର ନ ମାନି ବାମନଙ୍କୁ ଦାନ ଦେବାପାଇଁ ଶପଥ କଲେ । ବାମନ କେବଳ ତିନିପାନ ଭୂମି ହିଁ ଦାନରୂପେ ମାଗିଥିଲେ । ଏହି ସମୟରେ ବାମନରୂପୀ ବିଷ୍ଣୁଙ୍କର ବିଶ୍ୱରୂପ ପ୍ରକାଶ ହେଲା । ଏକ ପାଦରେ ସେ ସମଗ୍ର ନଭୋମଣ୍ଡଳ, ଦ୍ୱିତୀୟ ପାଦରେ ଅନ୍ତରୀକ୍ଷ ଓ ତୃତୀୟ ପାଦରେ ପୃଥିବୀକୁ ଆଚ୍ଛନ୍ନ କଲେ । ବଳି ବିଷ୍ଣୁଙ୍କର ମାୟା ବୁଝିପାରି ତାଙ୍କର ପାଦତଳେ ନିଜର ମସ୍ତକ ଦେଖାଇ ଦେଇଥିଲେ ଏବଂ ବିଷ୍ଣୁ ନିଜର ତୃତୀୟ ପାଦରେ ବଳିକୁ ରସାତଳର ସୁତଳରାଜ୍ୟକୁ ଚାପିଦେଇଥିଲେ । ଏହି ସମୟରେ ବଳି ଗ୍ଳାନିରେ ମ୍ରିୟମାଣ ହୋଇ ନିଜ ରାଜ୍ୟ ଫେରିପାଇବାକୁ ଚେଷ୍ଟା କରିବାରୁ ବୈନତେୟ ଗରୁଡ଼ ତାଙ୍କୁ ବରୁଣଙ୍କର ପାଶରେ ବାନ୍ଧି ରଖିଥିଲେ । ତତ୍ପରେ ସ୍ୱୟଂ ବଳି, ତାଙ୍କର ସ୍ତ୍ରୀ ବିନ୍ଧ୍ୟାବଳୀ ଓ ଶୁକ୍ରାଚାର୍ଯ୍ୟ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ବିଷ୍ଣୁ ବଳିକୁ ସୁତଳରାଜ୍ୟର ଅଧିପତି କରିଥିଲେ ଓ ଏହି ରାଜ୍ୟର ଦ୍ୱାରରକ୍ଷକ ରୂପେ ନିଜେ ରହିଥିଲେ। ଏହି ଘଟଣାଟି ବୈବସ୍ୱତ ମନ୍ୱନ୍ତରର କଥା । କରୁଣାମୟ ବିଷ୍ଣୁ ବଳିକୁ ପରାଭୂତକରି ତ୍ରିଲୋକକୁ ଇନ୍ଦ୍ରଙ୍କ କର୍ତ୍ତୃତ୍ୱାଧୀନ କରିଥିଲେ ମଧ୍ୟ ସାବର୍ଣ୍ଣି ମନ୍ୱନ୍ତରରେ ମହାରାଜ ବଳି ଇନ୍ଦ୍ରତ୍ୱ ଲାଭକରି ତ୍ରଲୋକର ଅଧିପତି ହେବେ ବୋଲି ବର ଦେଇଥିଲେ । କ୍ରୋଲୋକ୍ୟାଧିପତି କିପରି ଅଛନ୍ତି ତାହା ଜାଣିବାପାଇଁ ଆଗ୍ରହ ପ୍ରକାଶ କଲେ । ତେଣୁ ବିଷ୍ଣୁଙ୍କୁ ଅନୁଗ୍ରହରେ କାର୍ତ୍ତିକ ଅମାବାସ୍ୟରେ ନିଶାର୍ଦ୍ଧରେ ସ୍ୱୟଂ ବଳି ଏହି ସସାଗରା ପୃଥିବୀରେ ସର୍ବତ୍ର ବିଚରଣ କରି ଲୋକମାନଙ୍କ ଅବସ୍ଥା ଦେଖିବାପାଇଁ ଅନୁମତି ପାଇଲେ । ଅପର ପକ୍ଷରେ ମହାରାଜ ବଳିଙ୍କପରି କୀର୍ତ୍ତିମାନ୍‌ ରାଜାଙ୍କୁ ହରାଇ ପୃଥିବୀର ପ୍ରଜାମାନେ ମ୍ରିୟମାଣ ହେଲେ । ଏହି ରାତ୍ରିରେ ବଳି ନିଜର ପୂର୍ବ ସାମ୍ରାଜ୍ୟକୁ ଆସିବେ ଜାଣି ଉଲ୍ଲସିତ ପ୍ରଜାବୃନ୍ଦ ଆନନ୍ଦ ଉତ୍ସବରେ ବଳିଙ୍କୁ ସ୍ୱାଗତ କରିବାପାଇଁ ଆଲୋକସଜ୍ଜାର ଆୟୋଜନ କରିଆସୁଛନ୍ତି । ତଦବିଧି ସତ୍ୟବନ୍ଧ ବଳି ବରୁଣଙ୍କ ପାଶବନ୍ଧନ ଭୟରେ ଦେବତା ଓ ବ୍ରାହ୍ମଣମାନଙ୍କର ବିରୋଧ କରୁନାହାନ୍ତି । ବଳିରାଜାଙ୍କ ବିଶ୍ୱଜିତ୍‌ ଯଜ୍ଞରେ ଅଭୂତଦାନର ବର୍ଣ୍ଣନା ନିମ୍ନପ୍ରକାରେ ଉଲ୍ଲେଖ କରାହୋଇଛି ।

 

‘‘ଅଥ ଦୈତ୍ୟେଶ୍ୱରଂ ପ୍ରାହ ବିଷ୍ଣୁଃ ସର୍ବସୁରେଶ୍ୱରଃ

ଯତ୍ତ୍ୱୟା ସଲିଳଂ ଦତ୍ତଂ ଗୃହୀତଂ ପାଣିନା ମୟା ।

କଳ୍ପପ୍ରମାଣଂ ତସ୍ମାତ୍ତେ ଭବିଷ୍ୟତ୍ୟାୟୁରୁତ୍ତମମ୍‌

ବୈବସ୍ୱତେ ତଥାତୀତେ ଚଳେ ମନ୍ୱନ୍ତରେତଥା ।

ସାବର୍ଣ୍ଣିକେ ତୁ ସଂପ୍ରାପ୍ତେ ଭବାନିନ୍ଦ୍ରେ । ଭବିଷ୍ୟତି

ଇଦାନୀଂ ଭୁବନଂ ଦତ୍ତଂ ସର୍ବଂ ଶକ୍ରାୟ ସର୍ବଦା

ଯଦା ସୁରୈଶ୍ଚ ବିପ୍ରୈଶ୍ଚ ବିରୋଧଂ ତ୍ୱଂ କରିଷ୍ୟତି

ବନ୍ଧିଷ୍ୟତି ତଦା ପାଶୋ ବାରୁଣୋ ଘୋରଦର୍ଶନଃ ।’’

 

‘‘ହେ ମହାରାଜ ବଳି ! ତୁମେ ମୋତେ ଜଳ ଦେଇ ସତ୍ୟ କରିଛ, ତେଣୁ ତୁମେ ସତ୍ୟସନ୍ଧ । ଏହି ହେତୁରୁ ତୁମେ କଳ୍ପଜୟୀ ଦୀର୍ଘାୟୁ ହେବ । ବୈବସ୍ୱତ ମନ୍ୱନ୍ତର ପରେ ସାବର୍ଣ୍ଣି ମନ୍ୱନ୍ତରରେ ତୁମେ ଇନ୍ଦ୍ରତ୍ୱ ଲାଭକରିବ । ଅଧୁନା ସମଗ୍ର ଭୁବନ ମୁଁ ଇନ୍ଦ୍ରଙ୍କୁ ପ୍ରଦାନ କରୁଛି । ତୁମେ ଯଦି ଦେବତା ଓ ବ୍ରାହ୍ମଣମାନଙ୍କର ବିରୋଧ କର, ତେବେ ଏହି ଭୟଙ୍କର ବରୁଣପାଶରେ ତୁମେ ବନ୍ଦୀ ହେବ ।’’

 

ମହାରାଜ ବଳି ସୁତଳରାଜ୍ୟରେ ନିଜର ରାଜକୀୟ ଉପଭୋଗ ପାଇଁ ପ୍ରାର୍ଥନା କରିବାରୁ ବିଷ୍ଣୁ କହିଥିଲେ, ‘‘ଅବିଧିପ୍ରଦତ୍ତ ଦାନ ଓ ଅଶ୍ରୋତ୍ରିୟ ଶ୍ରାଦ୍ଧର ଫଳ ତୁମେ ଲାଭ କରିବ । ଯେଉଁମାନେ ଅବିଧିପୂର୍ବକ କ୍ରିୟା କରିବେ ଓ ଦାକ୍ଷିଣ୍ୟରହିତ ଯଜ୍ଞ କରିବେ, ସେହି କ୍ରିୟା ଓ ଯଜ୍ଞର ଫଳ କର୍ତ୍ତା ନପାଇ ତୁମେ ପାଇବ । ଉପନୟନ ବ୍ୟତୀତ ବେଦାଭ୍ୟାସ, ଜଳବିହୀନ ପୂଜା, କୁଶବ୍ୟତୀରେକ କ୍ରିୟା ଓ ଆଜ୍ୟବିହୀନ ହୋମକର୍ମର ଫଳ ତୁମକୁ ପ୍ରାପ୍ତ ହେବ ।’’

 

‘‘ଦାନାନ୍ୟବିଧିଦତ୍ତାନି ଶ୍ରାଦ୍ଧାନ୍ୟଶ୍ରୋତିୟାଣି ଚ

କୃତାନ୍ୟଶ୍ରଦ୍ଧୟା ଯାନି ତାନି ଦାସ୍ୟନ୍ତି ତେ ଫଳମ୍‌ ।

ଅଦକ୍ଷିଣାସ୍ତଥା ଯଜ୍ଞାଃ କ୍ରିୟାଶ୍ଚାବିଧିନା କୃତାଃ

ଫଳାନି ତବ ଦାସ୍ୟନ୍ତି ହ୍ୟଧୀତାନ୍ୟ ବ୍ରତାନି ଚ ।

ଉଦକେନ ବିନା ପୂଜା ବିନା ଦର୍ଭେଣ ଯା କ୍ରିୟା

ଆଜ୍ୟେନ ଚ ବିନା ହୋମଂ ଫଳଦାସ୍ତେ ଚ ତେ ବଳେ ।’’

 

ନରକୋତ୍ସବ–

 

ଏହି ଉତ୍ସବକୁ ନରକୋତ୍ସବ ମଧ୍ୟ କୁହାଯାଏ । ବିଷ୍ଣୁ ନରକକୁ ଏହିଦିନ ପରାଭୂତ କରିଥିଲେ । ଲୋକମାନେ ଖତଗଦାରେ କାଉଁରିକାଠିରେ ନିଆଁ ଜାଳି ନରକକୁ ଆଲୋକରେ ସମ୍ବର୍ଦ୍ଧନା କରନ୍ତି । ଏହାଫଳରେ ପୃଥିବୀରୁ ସମସ୍ତ ପାପ ଓ ଆବର୍ଜନା ନଷ୍ଟ ହୁଏ । କୃଷିପ୍ରଧାନ ଭାରତବର୍ଷରେ ଆବର୍ଜନାରୁ ସାର ପ୍ରସ୍ତୁତ କରି ସେହି ସାରକୁ କ୍ଷେତରେ ପ୍ରୟୋଗ କରାଯାଏ । ଏହା ଶସ୍ୟକ୍ଷେତର ଉର୍ବରତା ବଢାଏ । ତେଣୁ ନରକାସୁରର ରୂପକଳ୍ପଭାବେ ଗୋବରଗଦାକୁ ଦୀପାଲୋକରେ ପୂଜା କରିବାର ବିଧି ପ୍ରଚଳିତ । ଏହି ଗୋବର କ୍ଷେତରେ ପଡ଼ିଲେ ଶସ୍ୟମଡ଼କ ଦୂରହେବ । ତେଣୁ ଲିଙ୍ଗପୁରାଣରେ ନରକ ଉଦ୍ଦେଶ୍ୟରେ ଦୀପଦାନର ବିଧି ଉଲ୍ଲିଖିତ ଅଛି ।

 

‘‘ନରକାୟ ପ୍ରଦାତେବ୍ୟା ଦୀପଃ ସଂପୂଜ୍ୟ ଦେବତାଃ ।’’

 

ଆମ ଓଡ଼ିଶାରେ ଏହି ଦିନଟି ପ୍ରାଚୁର୍ଯ୍ୟର ଦିନ ରୂପେ ଅନୁଷ୍ଠିତ ହୋଇଆସୁଛି । ଅତୀତରେ ଓଡ଼ିଶାର ସାଧବପୁଅମାନେ ବହିର୍ବାଣିଜ୍ୟ ଶେଷକରି ଦୀପାବଳି ଅମାବାସ୍ୟା ଦିନ ଘରକୁ ଫେରି ଆସୁଥିଲେ ଓ ପୁଣି ୧୫ ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମାଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ । ତେଣୁ ଦୀପାବଳୀ ଉତ୍ସବ ବଣିକସମ୍ପ୍ରଦାୟ ମଧ୍ୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଜି ମଧ୍ୟ ଓଡ଼ିଆଣୀମାନେ ଦୀପଦାନ ପରେ ବୋଇତ ଓ ବିଭିନ୍ନ ସାମଗ୍ରୀର ଚିତା ମୁରୁଜ ଲେଖି ପୂର୍ବ ସ୍ମୃତିକୁ ଅବିଚ୍ଛିନ୍ନ ରଖିଛନ୍ତି । ଲକ୍ଷ୍ମୀପୂଜାର ତାତ୍ପର୍ଯ୍ୟ ଏହି ଦୃଷ୍ଟିରୁ ମଧ୍ୟ ବିଚାର୍ଯ୍ୟ । କୃଷି ଓ ବାଣିଜ୍ୟ ଦୃଷ୍ଟିରୁ ଆମ ଦେଶରେ ଏହି ଦିନଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ତା’ର ସ୍ମୃତି ଆଜି ଦୀପାବଳୀ ଉତ୍ସବରେ ଅବଶେଷ ହୋଇଛି ।

 

ଜୈନମାନେ ଉକ୍ତ ଦିବସକୁ ପବିତ୍ର ଭାବରେ ପାଳନ କରନ୍ତି । ଖ୍ରୀ: ପୂ: ୫୨୭ରେ ଜୈନ ତୀର୍ଥଙ୍କର ମହାବୀର ଏହି ରାତ୍ରିର ଶେଷଯାମରେ ପ୍ରାୟୋପବେଶନ ବ୍ରତ କରି ନିର୍ବାଣପ୍ରାପ୍ତ ହୋଇଥିଲେ । ତେଣୁ ତୀର୍ଥଙ୍କର ମହାବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେମାନେ ଦୀପଦାନ ଦେଇଥାନ୍ତି-

 

ସମୟର ସୁଅରେ ଆମ ପରମ୍ପରାର କେତେ ଇତିଗାଥା ବିସ୍ମୃତ ହୋଇଯାଇଛି । ଏହି ପୌରାଣିକ ଆଖ୍ୟାନରେ ଯେଉଁ ବଳି ଓ ବାମନଙ୍କ ବିଷୟରେ ଉଲ୍ଲେଖ ଅଛି ସେମାନେ ପ୍ରକୃତରେ କିଏ, ମନୁଷ୍ୟ ନା ପ୍ରକୃତିର ବିଭାବ; କଳ୍ପନା ନା ରୂପକଳ୍ପ, ତାହା ସ୍ଥିର କରିବା ଦୁରୂହ । ତେବେ ସୂର୍ଯ୍ୟଙ୍କୁ ବେଦର ତ୍ରିବିକ୍ରମ ବୋଲି କୁହାଯାଇଛି ଓ ପରବର୍ତ୍ତୀ ସମୟରେ ସେ ବିଷ୍ଣୁରୂପରେ ଚିତ୍ରିତ ହୋଇଛନ୍ତି । ତାଙ୍କର କିରଣ ସ୍ୱର୍ଗ, ଅନ୍ତରୀକ୍ଷ ଓ ମର୍ତ୍ତ୍ୟ-ଏହି ତିନିଲୋକରେ ପରିବ୍ୟାପ୍ତ ହୋଇ ଧ୍ୱାନ୍ତତମ୍ରିସାକୁ ଦୂର କରିଥାଏ । ଅନ୍ୟପକ୍ଷରେ ବଳି ବା ନଗରକୁ ତମିସ୍ରାର ରୂପକଳ୍ପରୂପେ ଧରିଲେ, ସୂର୍ଯ୍ୟ ଅନ୍ଧାରରୂପୀ ନରକଠାରୁ ତ୍ରିଲୋକକୁ ଯାଚିନେଇ ତ୍ରିବିକ୍ରମ ହୋଇଛନ୍ତି । ତେଣୁ ଅନ୍ଧାର ଓ ଆଲୋକର ଯେଉଁ କ୍ରମଧାରା, ତାହା କ’ଣ ବଳି ଓ ବାମନଙ୍କର ଆଖ୍ୟାନରେ ସମାହିତ ହୋଇଛି ? ଏଠାରେ ସ୍ମରଣ କରାଯାଇପାରେ ଯେ, ସୂର୍ଯ୍ୟଙ୍କୁ ‘ଦ୍ୟୁତିବାମନ’ ମଧ୍ୟ କହିଥାନ୍ତି ଏବଂ ସେ କଶ୍ୟପଙ୍କର ପୁତ୍ର ।

 

ନରକାସୁର ସମ୍ପର୍କରେ ଅନ୍ୟ ଏକ ଆଖ୍ୟାନ ପ୍ରଣିଧେୟ । ଜୀବସୃଷ୍ଟିର ସ୍ମରଣାତୀତ ପ୍ରାକ୍‌କାଳ । ସମଗ୍ର ବିଶ୍ୱ ଘୋର ତମିସ୍ରାରେ ନିଶ୍ଚେଷ୍ଟ ଥିଲା । ତାହା ହେଉଛି ନରକର କଳ୍ପନା । କ୍ରମେ ଆଲୋକର କ୍ଷୀଣରେଖା ଦେଖାଦେଲା ଏବଂ ସେହି ଆଲୋକ ସୂର୍ଯ୍ୟ ରୂପ ନେଲେ । କ୍ରମେ ତାଙ୍କର କ୍ରମ ବା ପାଦ (କିରଣ ଅର୍ଥରେ) ତିନିଲୋକକୁ ବ୍ୟାପ୍ତହେଲା ଓ ନରକାସୁର ପରାଭୂତ ହେଲେ ।

 

‘‘ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ଶ୍ରୀ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।’’ ଏହା ମୂଳରେ କି ଆବେଗ ଓ ସଂହତି । ଭାରତର ସଂହତି ସମ୍ପର୍କରେ ଯେଉଁମାନେ ଚିନ୍ତା କରୁଛନ୍ତି, ସେମାନେ ଆମର ଆଚାର ଓ ପରମ୍ପରା ପ୍ରତି ଦୃଷ୍ଟି ଦେବେ ବୋଲି ଅନୁରୋଧ । ଯେଉଁ ସୂତ୍ରରେ ଗଙ୍ଗା, ଗୋଦାବରୀ, ଯମୁନା, ସିନ୍ଧୁ, ସରସ୍ୱତୀ, କୈଳାସ, ହିମାଳୟ, କନ୍ୟାକୁମାରୀ, କୁରୁକ୍ଷେତ୍ର, ଗୟା, ପ୍ରଭାସ ପ୍ରଭୃତି ଗୁନ୍ଥା ହୋଇଛନ୍ତି, ତାହା ହିଁ ଭାରତୀୟ ସଂହତିର ସୂତ୍ର ।

Image

 

ପ୍ରଥମାଷ୍ଟମୀ

 

ବିଶିଷ୍ଟ ତିଥିମାନଙ୍କରେ ପର୍ବପର୍ବାଣି ପାଳନ କରିବା ଆମଦେଶରେ ବହୁପୂର୍ବରୁ ଚଳିଆସୁଅଛି । ପର୍ବର ଅର୍ଥ ପୂର୍ଣ୍ଣିମୀତିଥି । ଅର୍ଥସଂକ୍ରମଣ ହେତୁ ତିଥିବିଶେଷର ପାଳିତ ହେଉଥିବା ଉତ୍ସବକୁ ପର୍ବ କହିଥାନ୍ତି । ଆମର ପର୍ବଗୁଡ଼ିକ ପ୍ରାୟ ଚନ୍ଦ୍ର ମାନମାସର ଗଣନା ଅନୁସାରେ ନିର୍ଦ୍ଦିଷ୍ଟ ହୋଇଥାଏ । ଅଧୁନା ସମୟ ବିଭାଜନପାଇଁ ଚନ୍ଦ୍ରମାନ ଓ ସୂର୍ଯ୍ୟମାନ ଏହି ଦୁଇପ୍ରକାର ଗଣନା ପ୍ରଚଳିତ । ଏଥି ମଧ୍ୟରୁ ଚନ୍ଦ୍ରମାନ ଗଣନା ବହୁ ପ୍ରାଚୀନ । ଏହାର କାରଣ ମଧ୍ୟ ସ୍ପଷ୍ଟ । ଚନ୍ଦ୍ରକଳାର ହାସବୃଦ୍ଧି ସହଜରେ ଲକ୍ଷ୍ୟ କରାଯାଇପାରେ । ତେଣୁ ଅଧିକାଂଶ ଉତ୍ସବ ଚନ୍ଦ୍ରମାନ ଗଣନାନୁସାରେ ତିଥିମାନଙ୍କର ଅନୁଷ୍ଠିତ ହୁଏ । ଏହି କାରଣରୁ ବିଭିନ୍ନ ଉତ୍ସବକୁ ପର୍ବପର୍ବାଣି ନାମରେ ଆଖ୍ୟାତ କରାହୋଇଛି ।

 

ଖାଣ୍ଟି ଓଡ଼ିଆପର୍ବ–

 

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବହୁ ସାଧାରଣ ଉତ୍ସବ ପ୍ରଚଳିତ ରହିଛି । ଏହି ଉତ୍ସବଗୁଡ଼ିକ ଦେଶରେ ସର୍ବତ୍ର ପାଳିତ ହୋଇଥାଏ; କିନ୍ତୁ ସ୍ଥାନଭେଦରେ କେତେକ ବିଶେଷ ଉତ୍ସବର ପ୍ରଚଳନ ମଧ୍ୟ ଦେଖାଯାଏ । ଓଡ଼ିଶାରେ ‘ରଜ’ ଓ ‘ପ୍ରଥମାଷ୍ଟମୀ’-ଏହି ଦୁଇଟି ସ୍ଥାନୀୟ ବିଶେଷ ପର୍ବରୂପେ ପାଳିତ ହୁଏ ।

 

ଆଷ୍ଟମୀତିଥିରେ ଆମର ଯେତେଗୁଡ଼ିଏ ପର୍ବବିଧି ରହିଛି, ତନ୍ମଧ୍ୟରୁ ଅଶୋକାଷ୍ଟମୀ, ଜନ୍ମାଷ୍ଟମୀ, ମହାଷ୍ଟମୀ, ରାଧାଷ୍ଟମୀ ଓ ପ୍ରଥମାଷ୍ଟମୀ ଉଲ୍ଲେଖଯୋଗ୍ୟ । ଆଲୋଚ୍ୟ ପ୍ରଥମାଷ୍ଟମୀ ପର୍ବ ମାର୍ଗଶିରମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହିଦିନ ଜ୍ୟେଷ୍ଠ ସନ୍ତାନର ସୁଖ, ସମୃଦ୍ଧି ଓ ଦୀର୍ଘାୟୁପାଇଁ ପୂଜାବିଧିର ଅନୁଷ୍ଠାନ ହୁଏ । ସାଧାରଣତଃ ଜ୍ୟେଷ୍ଠପୁତ୍ର ବା କନ୍ୟା ସ୍ନାନାନ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି ଓ ମା’ମାନେ ସେମାନଙ୍କୁ ବନ୍ଦାପନା କରିଥା’ନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣପୂଜା ହୋଇଥାଏ ।

 

ଓଡ଼ିଶାରେ ପ୍ରତ୍ୟେକ ପର୍ବରେ ସ୍ୱତନ୍ତ୍ର ପିଠାପଣା ଓ ଖାଦ୍ୟପେୟର ବ୍ୟବସ୍ଥା ରହିଅଛି । ରଜରେ ପୋଡ଼ପିଠା, ଶାମ୍ବଦଶମୀରେ ବୁଢ଼ା ଚକୁଳି, ଦଶହରାରେ କାକରା, ଚିତାଲାଗି ଅମାବାସ୍ୟାରେ ଚିତୋଉ, ସପ୍ତପୂରୀ ଅମାବାସ୍ୟାରେ ସପ୍ତପୂରୀମଣ୍ଡା ପରି ପ୍ରଥମାଷ୍ଟମୀରେ ଏଣ୍ଡୁରିପିଠା ପ୍ରସିଦ୍ଧ । ଏ ପ୍ରକାର ପିଠାପଣା ଓଡ଼ିଶାର ସ୍ୱାତନ୍ତ୍ର୍ୟ, ଅନ୍ୟଠାରେ ଦେଖିବାକୁ ବିରଳ । ଏଣ୍ଡୁରିପିଠା ପ୍ରଥମାଷ୍ଟମୀରୁ ସାତଦିନଧରି ହୁଏ ଓ ସପ୍ତମଦିନ ଅଥାର ଭଙ୍ଗା ହୋଇ ପାଣିରେ ପଡ଼େ ।

 

ଜ୍ୟେଷ୍ଠପୁତ୍ର ବା କନ୍ୟାର ଏହି ବିଶେଷ ପୂଜାବିଧିକୁ ‘ପୋଢ଼ୁଆଁ ହେବା’ କହିଥାନ୍ତି । ପୋଢ଼ୁଆଁ ଶବ୍ଦ ‘ପ୍ରଥମା’ର ଅପଭ୍ରଂଶ । ସାଧାରଣତଃ ପୋଢ଼ୁଆଁ କରିବା ଦାୟିତ୍ୱ ମାମୁ ଉପରେ ନ୍ୟସ୍ତ ଥାଏ । ଏହିଦିନ ‘ମାମୁମାନେ’ ନୂଆ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀସହ ଭଣଜା ଓ ଭାଣିଜୀ ଘରକୁ ଯାଇ ପୋଢ଼ୁଆଁ କରନ୍ତି । ସେଥିପାଇଁ ଶ୍ରଦ୍ଧା ଓ ପରିହାସରେ ସେମାନଙ୍କୁ ‘ଅଷ୍ଟମୀବନ୍ଧୁ’ ବୋଲି କହିଥାନ୍ତି ।

 

ନୂଆ ଫସଲର ଅମଳ–

 

ଏହିଦିନ ଯେଉଁ ଖାଦ୍ୟପେୟର ବ୍ୟବସ୍ଥା ହୋଇଥାଏ, ତାହା ସେହିବର୍ଷର ଉତ୍ପନ୍ନ ନୂତନ ଶସ୍ୟରେ ହେବାର ବିଧି ରହିଅଛି । ସାଧାରଣତଃ ଏହି ସମୟକୁ ଧାନ ପାଚି ଅମଳ ଆରମ୍ଭ ହୁଏ, ରବିଫସଲ ମଧ୍ୟରେ ବିରି ପ୍ରଭୃତି ମଧ୍ୟ ଅମଳ ହୋଇଥାଏ । ନବବର୍ଷର ନୂତନ ଶସ୍ୟରେ ଏହି ପର୍ବଟି ଆନନ୍ଦ ଓ ଉତ୍ସାହ ସହିତ ପାଳିତ ହୁଏ । ଆମର ଦେଶ ସାଧାରଣତଃ କୃଷିପ୍ରଧାନ । ତେଣୁ କୃଷିକୁ ଲକ୍ଷ୍ୟକରି ପର୍ବପର୍ବାଣିଗୁଡ଼ିକ ସୃଷ୍ଟି ହୋଇଛି । ଫସଲ ଆମଦାନୀ ସମୟରେ କୃଷକର ମନ ଉଲ୍ଲସିତ ହେବା ସ୍ୱାଭାବିକ । ତେଣୁ ପ୍ରଥମାଷ୍ଟମୀପରି ଏକ ଗଣଉତ୍ସବର ଅନୁଷ୍ଠାନ ବିଶେଷ ସାର୍ଥକ ହୋଇଛି ।

 

ଆମ୍ଭମାନଙ୍କର ପରିକଳ୍ପିତ ଓ ଅନୁଷ୍ଠିତ ପର୍ବପର୍ବାଣି ମୂଳରେ ଯେଉଁ ଅଭିଳାଷ ଗୁଡ଼ିକ ରହିଛି, ତନ୍ମଧ୍ୟରୁ ପ୍ରଣୟ-ସମ୍ଭୋଗ, ସନ୍ତାନ ଓ ଶସ୍ୟଲାଭ ପ୍ରଧାନ ଅଟେ । ତେଣୁ ନୂତନ ଶସ୍ୟଲାଭରେ ଉଚ୍ଛ୍ୱସିତ ଓ ଉତ୍‌ଫୁଲ୍ଲ ଜନତା କେଉଁ ଯୁଗରୁ ଏହି ଉତ୍ସବର ଆୟୋଜନ କରିଆସିଛି-। ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଏହା ନବାନ୍ନଭୋଜନର ଏକ ଉତ୍ସବବିଶେଷ-। ସନ୍ତାନର ମଙ୍ଗଳକାମନାପାଇଁ ବିଶେଷ ପୂଜାବିଧିର ବ୍ୟବସ୍ଥା ଥିବାରୁ ଏବଂ ଖାଦ୍ୟଶସ୍ୟ କୃଷକର ହସ୍ତଗତ ହୋଇଥିବାରୁ, ଏହି ଦିନଟି ସାର୍ଥକ ଅଭିଳାଷର ଅଭିବ୍ୟକ୍ତି ରୂପେ ଆନନ୍ଦ ଓ ଉତ୍ସାହ ସହିତ ପାଳିତ ହୁଏ ।

 

ପ୍ରଥମାଷ୍ଟମୀର ଅନ୍ୟନାମ ସୌଭାଗିନୀ ଅଷ୍ଟମୀ । ପୂର୍ବେ ଏହିଦିନ ସୌଭାଗିନୀଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । ‘‘ଆଜି କୃଷକ, ସନ୍ତାନ ଲାଭ କରିଛି ଓ ଶସ୍ୟ ମଧ୍ୟ ପାଇଛି’’-ଏହି ବାସ୍ତବ ଉପାଦାନ ତାକୁ ସ୍ନିଗ୍‌ଧ ଓ ଉଲ୍ଲସିତ କରେ, ତେଣୁ ଓଡ଼ିଶାର ଆଦିମ କୃଷକ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ କହି ଆସିଛି ।

 

ଅଷ୍ଟମୀର ତାତ୍ପର୍ଯ୍ୟ–ଉକ୍ତ ତିଥିକୁ ପ୍ରଥମାଷ୍ଟମୀ କହିବାର ଦୁଇଟି କାରଣ ବିଦ୍ୟମାନ । ପ୍ରଥମତଃ ଜନ୍ମିତ ପ୍ରଥମ ସନ୍ତାନର ମଙ୍ଗଳକାମନାରେ ମାତା, ପିତା ଓ ବନ୍ଧୁବର୍ଗ ଆହ୍ଲାଦିତ ଏବଂ ଈଶ୍ୱରଙ୍କ ନିକଟରେ କୃତଜ୍ଞ । ପ୍ରଥମ ସନ୍ତାନର ଦୀର୍ଘାୟୁ କାମନାକରି ବହୁ ସନ୍ତାନର ଅଭିଳାଷ ପୋଷଣ କରନ୍ତି । ଅଷ୍ଟମୀତିଥିର ବିଶେଷଣ ହୋଇପାରୁଥିବାରୁ ଓ ପ୍ରଥମ ସନ୍ତାନର ବିଶେଷ ମାଙ୍ଗଳିକବିଧି ଉଦ୍ଦିଷ୍ଟ ଥିବାରୁ ଏହାକୁ ପ୍ରଥମାଷ୍ଟମୀ କୁହାଯାଏ ।

 

ଆଉ ମଧ୍ୟ, ମାର୍ଗଶିର ମାସକୁ କେତେକ ପ୍ରାଚୀନ ଶାସ୍ତ୍ରରେ ପ୍ରଧାନ ଓ ପ୍ରଥମ ମାସ ବୋଲି କୁହାଯାଇଛି । ଗୀତାରେ ଉଲ୍ଲେଖ ଅଛି, ‘‘ମାସାନାଂ ମାର୍ଗଶୀର୍ଷୋଽସ୍ମି’’ । ତେଣୁ ବର୍ଷର ପ୍ରଥମ ବା ପ୍ରଧାନ ମାସର କୃଷ୍ଣପକ୍ଷର ପ୍ରଥମ ଅଷ୍ଟମୀକୁ ‘ପ୍ରଥମାଷ୍ଟମୀ’ କହିବା ମଧ୍ୟ ଯୁକ୍ତିଯୁକ୍ତ ମନେହୁଏ ।

 

ଏହି ଅଷ୍ଟମୀକୁ କାଳଭୈରବାଷ୍ଟମୀ କୁହାଯାଏ । ଏହିଦିନ ‘କାଳଭୈରବ’ଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଅଧୁନା ଏହି ପୂଜା ଲୁପ୍ତପ୍ରାୟ । କାଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିରମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ପ୍ରଭୃତି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ବିମୁକ୍ତ ହୁଅନ୍ତି ।

 

‘‘ମାର୍ଗଶୀର୍ଷାସିତାଷ୍ଟମ୍ୟାଂ କାଳଭୈରବସନ୍ନିଧୌ,

ଉପୋଷ୍ୟ ଜାଗରଂ କୁର୍ବନ୍‌ ସର୍ବପାପୈଃ ପ୍ରମୁଚ୍ୟତେ ।’’

 

‘ଶିବରହସ୍ୟ’ର ଉଲ୍ଲେଖ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଅବମାନିତ ଶିବଙ୍କ କ୍ରୋଧ ପ୍ରଳୟସଙ୍କାଶ କାଳଭୈରବ ଏହିଦିନ ସୂର୍ଯ୍ୟଙ୍କର ମଧ୍ୟାହ୍ନଗତି ସମୟରେ ଜନ୍ମ ନେଲେ ଓ ପୃଥିବୀକୁ ଭୀତତ୍ରସ୍ତ କରିଥିଲେ ।

 

‘‘ତଦୋଗ୍ରରୂପାଦନଘାନ୍ମତ୍ତଃ ଶ୍ରୀକାଳଭୈରବଃ

ଆବିରାସୀତ୍ତଦାଲୋକାନ୍‌ ଭୀଷୟନ୍ମଖିଳାନପି ।’’

 

କଥିତ ଅଛି, ଏହିଦିନ କାଳଭୈରବଙ୍କ ପୂଜା କରିବାଦ୍ୱାରା ଲୋକମାନେ ସର୍ବପାପରୁ ମୁକ୍ତ ହେଉଥିବାରୁ ଉକ୍ତ ଅଷ୍ଟମୀକୁ ପାପନାଶିନୀ ଅଷ୍ଟମୀ କହନ୍ତି ।

 

ତନ୍ତ୍ରପରମ୍ପରାରେ ସାଧନାସମୟର ଯେଉଁ ଅବତାରଣା ହୋଇଅଛି, ତନ୍ମଧ୍ୟରୁ ଏହି ପ୍ରଥମାଷ୍ଟମୀର ରାତ୍ରି ଉଲ୍ଲେଖନୀୟ । ତାନ୍ତ୍ରିକ ପରିଭାଷାରେ ଏହାର ନାମ ଘୋର ରାତ୍ର । ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପରେ ଏହି ଦିନ ଅବତୀର୍ଣ୍ଣା ହୋଇଥିଲେ । ଶକ୍ତିସଙ୍ଗମ ମହାତନ୍ତ୍ର ଓ ସିଦ୍ଧିତନ୍ତ୍ରରେ ଉଲ୍ଲେଖ ଅଛି :-

 

‘‘ମାସେ ମାର୍ଗଶୀର୍ଷେ ପ୍ରାପ୍ତେ କୃଷ୍ଣାଷ୍ଟମ୍ୟାଂ ମହେଶ୍ୱରି

ମହାକାଳ ସ୍ୱରୂପା ଚ ଘୋରରାତ୍ରିଃ ପ୍ରକୀର୍ତ୍ତିତା ।’’

 

ପୂର୍ବେ ଓଡ଼ିଶାର ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କର ପୂଜା ଅନୁଷ୍ଠିତ ହେଉଥିଲା । ଭୈରବଙ୍କ ଶକ୍ତିଙ୍କର ନାମ ବଜ୍ରବାରାହୀ । ଏବେ ମଧ୍ୟ ବହୁ ସ୍ଥାନରେ ବାରାହୀ ଦେବୀ ପୂଜିତା ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବଜ୍ରବାରାହୀସାଧନର ନିମ୍ନୋକ୍ତ ପଙ୍‌କ୍ତିଗୁଡ଼ିକ ବିଚାର୍ଯ୍ୟ ।

 

‘‘....ଭଗବତୀଂ ଭାବୟେତ୍‌ ବଜ୍ରବାରାହୀଂ ପ୍ରଳୟାନଳସନ୍ନିଭାଂ, ଦ୍ୱିଭୁଜୈକବକ୍ତ୍ରାଂ ଦକ୍ଷିଣେ ତର୍ଜ୍ଜୟନ୍ତୀଂ ଦୁଷ୍ଟତର୍ଜ୍ଜନବଜ୍ରିକାଂ । ବାମେ କପାଳଖଟ୍ୱାଙ୍ଗଧରାଂ ଭୈରବକାଳରାତ୍ୟାକ୍ରାନ୍ତାଂ, ପ୍ରତ୍ୟାଲୀଢ଼େନ ସତାଣ୍ଡବାଂ ଦିଗମ୍ବରାଂ ମୁକ୍ତକେଶାଂ, ଖଣ୍ଡମଣ୍ଡିତମେଖଳାଂ ଦଂଷ୍ଟ୍ରାକରାଳବଦନାଂ, ତ୍ରିନେତ୍ରାଂ ବିଶ୍ୱବଜ୍ରଧରାଂ ବଜ୍ରମାଳାକପାଳମୂର୍ଦ୍ଧଜାଂ, ମୁଣ୍ଡସ୍ରଗ୍‌ ଦାମଦେହଶୋଭାଂ ସର୍ବାଳଙ୍କାରଶୋଭିତାଂ, ସର୍ବବୁଦ୍ଧାଭିଷେକାଂ ବୈରୋଚନକୁଳୋଦ୍‌ଭବାଂ, ସର୍ବସିଦ୍ଧିପ୍ରଦାୟିକାଂ ସ୍ଫୁରତ୍‌ସଂହାରବିଗ୍ରହାମ୍‌ ।’’ (ସାଧନମାଳା-୨୨୭-ବଜ୍ରବାରାହୀସାଧନମ୍‌) ସେହିପରି ଅନ୍ୟ ଏକ ପଙ୍‌କ୍ତିରେ ଭୈରବାକ୍ରାନ୍ତ ବଜ୍ରବାରାହୀଙ୍କର ଯୁଗନଦ୍ଧରୂପର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହେଲା ।

 

‘‘ବାମେ କପାଳଂ ବିଶ୍ୱପତାକାବିରାଜିତବାହୁଦଣ୍ଡାସକ୍ତ ଖଟ୍ୱାଙ୍ଗଧରାଂ, ଭୈରବକାଳରାତ୍ର୍ୟାକ୍ରାନ୍ତାଂ ପ୍ରତ୍ୟାଲୀଢ଼େନ ତାଣ୍ଡବାଂ, ଦିଗ୍‌ବାସାଂ ମୁକ୍ତକେଶାଂ ଖଣ୍ଡମଣ୍ଡିତମେଖଳାଂ ଦଂଷ୍ଟ୍ରାକରାଳବଦନାଂତ୍ରିନେତ୍ରାଂ ବିକୃତାନନାଂ ବିଶ୍ୱବଜ୍ରଧରାଂ, ମୂର୍ଦ୍ଧ୍ନି ବଜ୍ରମାଳାକପାଳଶୋଭିତାଂ ମୁଣ୍ଡସ୍ତଗଦାମଦେହୋଭୟଶୋଭାଂ ସର୍ବାଲଙ୍କାରଭୂଷିତାଙ୍ଗୀଂ, ସର୍ବାବୁଦ୍ଧାଭିଷେକଜାଂ ବୈରୋଚନକୁଳୋଦ୍‌ଭବାଂ ସର୍ବସିଦ୍ଧିପ୍ରଦାୟିକାଂ ସ୍ଫୁରତ୍‌ସଂହାରବିଗ୍ରହାମ୍‌ ।’’

 

(ସାଧନମାଳା-୨୨୬-ବଜ୍ରବାରାହୀସାଧନାମ୍‌)

 

ଉକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ଏହିଦିନ କାଳଭୈରବ ଓ ବାରାହୀଙ୍କର ପୂଜା ଅନୁଷ୍ଠିତ ହେଉଥିଲା । ଏବେ କେତେକ ସ୍ଥାନରେ କାଳଭୈରବ ମୂର୍ତ୍ତି ପୂଜିତ ହେଉଛନ୍ତି । ପଦ୍ମପୁରରେ ସାର୍ଦ୍ଧତ୍ରିହସ୍ତ ଉଚ୍ଚତାବିଶିଷ୍ଟ କାଳଭୈରବମୂର୍ତ୍ତି ପୂଜା ପାଉଥିବାର ଲେଖକ ଜାଣିପାରିଛନ୍ତି ।

 

ଲିଙ୍ଗରାଜଙ୍କ ମୁଆଁ ଭୋଗ- ପ୍ରଥମାଷ୍ଟମୀରେ ଓଡ଼ିଶାର ଆଉ ଏକ ବିଶେଷତ୍ୱ ଯେ, ଏହି ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ବାର୍ଷିକ ଯାତ୍ରା ଆରମ୍ଭ ହୁଏ । ପାରମ୍ପରିକ ରୀତିରେ ଲିଙ୍ଗରାଜ ମହାପ୍ରଭୁ କପାଳିମଠ ନାମରେ ପରିଚିତ ହେଉଥିବା ତାଙ୍କର ମାମୁଘରକୁ ପୋଢୁଆଁ ହେବାପାଇଁ ଯାଇଥାନ୍ତି । ଏହି କପାଳିମଠଟି ଭୁବନେଶ୍ୱରସ୍ଥ ଲିଙ୍ଗରାଜମନ୍ଦିରର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ଏହି ମଠର ଆରାଧ୍ୟଦେବତା ‘ବରୁଣେଶ୍ୱର’ ଓ ‘ବନଦୁର୍ଗା’ ଯଥାକ୍ରମେ ଲିଙ୍ଗରାଜଙ୍କର ମାମୁ ଓ ମାଈଁ ରୂପରେ ପ୍ରଖ୍ୟାତ । ଏଠାରେ ନୂଆ ଲୁଗା ପିନ୍ଧି ଲିଙ୍ଗରାଜ ମୁଆଁ ଭୋଗ ଖାଆନ୍ତି ।

 

ଏହି ମଠଟି ଗୋରକ୍ଷନାଥଙ୍କର ଶିଷ୍ୟ କପାଳମୁନିଙ୍କଦ୍ୱାରା ସମ୍ଭବତଃ ପ୍ରତିଷ୍ଠିତ ହୋଇଥିଲା । କପାଳିନାମରେ ଜଣେ ରସସିଦ୍ଧ ସାଧକ ଭାରତୀୟ ବୈଦ୍ୟଶାସ୍ତ୍ରରେ ପରିଚିତ । ପାରଦକୁ ରସ କୁହାଯାଏ । ବିଭିନ୍ନ ରାସାୟନିକ ପ୍ରଣାଳୀରେ ଏହି ପାରଦରୁ ମହୌଷଧି ପ୍ରସ୍ତୁତ କରାହେଉଥିଲା । ଶରୀରକୁ ଲୋହମୟ ଓ ମୃତ୍ୟୁଞ୍ଜୟୀ କରିବାପାଇଁ ଏହି ରସସିଦ୍ଧ ପ୍ରାଚୀନ ବୈଦ୍ୟମାନେ ଏକ ଅଦ୍ଭୂତପୂର୍ବ ଗବେଷଣା ଚଳାଇଥିଲେ । କପାଳିମଠ ଏହିପରି ଏକ ପରୀକ୍ଷାଗାର ଥିଲା । ସାଧକ କପାଳିମୁନିଙ୍କ ନାମାନୁସାରେ ମଠର ନାମ କପାଳିମଠ ହୋଇଛି । ମଠହତାରେ ଥିବା ‘ପାପନାଶିନୀ’ ପୁଷ୍କରିଣୀ ସହିତ ଏହି ଦିନର ସ୍ମୃତି ଜଡ଼ିତ । କଥିତ ଅଛି, ଏହି ପୁଷ୍କରିଣୀର ଜଳ, ପ୍ରଥମାଷ୍ଟମୀରେ ପାନକରି ଲୋକମାନେ ନିଷ୍ପାପ ହୁଅନ୍ତି ଓ ବନ୍ଧ୍ୟାନାରୀମାନେ ଗର୍ଭବତୀ ହୁଅନ୍ତି । ଏହି ମଠଟି ନାଥସମ୍ପ୍ରଦାୟୀମାନଙ୍କର ଏକ ବିଶିଷ୍ଟ ପୀଠରୂପେ ପରିଚିତ ।

 

ଆଦିତ୍ୟପୁରାଣରେ କାଳଭୈରବ ବ୍ରତର ଆଖ୍ୟାନ ରହିଛି । ଏହି ବ୍ରତକୁ କୃଷ୍ଣାଷ୍ଟମୀବ୍ରତ ବୋଲି କହିଥାନ୍ତି ।

 

ଏହିପରି ଏକ ସାମାଜିକ ଓ ଧାର୍ମିକ ଭିତ୍ତିରେ କେଉଁ ପ୍ରାଚୀନକାଳରୁ ଏହି ପର୍ବଟି ଓଡ଼ିଶାରେ ପାଳିତହୋଇ ଆସୁଅଛି । ହେମନ୍ତର ବର୍ଣ୍ଣାଢ଼୍ୟ ପ୍ରଭାତ, ସୁଖଗ୍ରାହ୍ୟ ମଧ୍ୟାହ୍ନ ସାଙ୍ଗକୁ କୃଷି-ଉତ୍ପାଦନର ଆଦ୍ୟ ମହୋତ୍ସବରୂପେ ଉକ୍ତ ଦିବସଟି ଆନନ୍ଦର ସଙ୍କେତ ବହନକରି ଆସିଛି । ପ୍ରଥମାଷ୍ଟମୀ ସାର୍ଥକ ଅଭିଳାଷର ପ୍ରତୀକ ।

Image

 

ରସର ରଙ୍ଗ ଓ ଦେବତା

 

କାବ୍ୟର ପଠନ ଓ ଶ୍ରବଣରେ ସହୃଦୟମାନଙ୍କ ମନରେ ଯେଉଁ ଆନନ୍ଦାନୁଭୂତି ଆସେ, ତାହାକୁ କାବ୍ୟଶାସ୍ତ୍ରରେ ‘ରସ’ ନାମରେ ଅଭିହିତ କରାହୋଇଛି । ଏହି ଆନନ୍ଦାନୁଭୂତି ବା ରସକୁ କାବ୍ୟର ଆତ୍ମାରୂପେ ଆଳଙ୍କାରିକମାନେ ଗ୍ରହଣ କରିଛନ୍ତି । ନାଟ୍ୟଶାସ୍ତ୍ର-ପ୍ରଣେତା ମହର୍ଷି ଭରତଙ୍କଠାରୁ ଆରମ୍ଭକରି ସାହିତ୍ୟଦର୍ପଣକାର ବିଶ୍ୱନାଥ କବିରାଜଙ୍କ ପର୍ଯ୍ୟନ୍ତ ଆଳଙ୍କାରିକମାନେ କାବ୍ୟରେ ରସର ପ୍ରାଧାନ୍ୟକୁ ସ୍ୱୀକାର କରିଛନ୍ତି । ବିଶ୍ୱନାଥଙ୍କ ମତରେ ‘‘ବାକ୍ୟଂ ରସାତ୍ମକଂ କାବ୍ୟମ୍‌ ।’’ କାବ୍ୟିକ ରସକୁ ସାଧାରଣତଃ ଆଠଭାଗରେ ବିଭକ୍ତ କରାହୋଇଛି । ସେମାନେ ହେଲେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭତ୍ସ, ଅଦ୍‌ଭୁତ । କୌଣସି କୌଣସି ଆଳଙ୍କାରିକ ଶାନ୍ତ ଓ ବାତ୍ସଲ୍ୟକୁ ରସ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରିଛନ୍ତି । ଏହି ରସ ଅନୁଭୂତିସାପେକ୍ଷ ହୋଇଥିବାରୁ ତାହା ବସ୍ତୁଧର୍ମୀ ନ ହୋଇ ଗୁଣଧର୍ମୀ; କିନ୍ତୁ ହୃଦୟ ରସାପ୍ଲୁତ ହେଲେ ରସଗ୍ରାହୀର ଶରୀର ଓ ମନରେ ଆଙ୍ଗିକ ଓ ସାତ୍ତ୍ୱିକ ବିକ୍ରିୟା ଦେଖାଯାଏ । ପ୍ରତ୍ୟେକ ରସର ଉଦ୍ରେକ ନିର୍ଦ୍ଦିଷ୍ଟ ସ୍ଥାୟୀଭାବରୁ ସମ୍ଭବ ହୋଇଥାଏ । ଶୃଙ୍ଗାରରସର ସ୍ଥାୟୀଭାବ ରତି ଓ ହାସ୍ୟରସର ସ୍ଥାୟୀଭାବ ହାସ । ସେହିପରି ଶୋକ, କ୍ରୋଧ, ଉତ୍ସାହ, ଭୟ, ବିସ୍ମୟ, ଜୁଗୁପ୍‌ସା, ଶମ ଓ ସ୍ନେହ ଯଥାକ୍ରମେ କରୁଣ, ରୌଦ୍ର, ବୀର, ଭୟାନକ, ଅଦ୍‌ଭୁତ, ବୀଭତ୍ସ, ଶାନ୍ତ ଓ ବାତ୍ସଲ୍ୟରସଗୁଡ଼ିକର ସ୍ଥାୟୀଭାବ ଅଟନ୍ତି ।

 

କୌଣସି ବସ୍ତୁ ବା କ୍ରିୟାର ସନ୍ଦର୍ଶନ ଓ ଉପଲବ୍‌ଧିରେ ଆମ ମନରେ ବହୁତ ଭାବନା ଆସିଥାଏ । ଏଗୁଡ଼ିକୁ ଭାବ କୁହାଯାଏ । ତନ୍ମଧ୍ୟରୁ ବହୁଭାବ ଲୁପ୍ତ, ଅବଲୁପ୍ତ ଓ ଅବ୍ୟକ୍ତ ହୋଇ ରହେ । କେତେକ ଭାବ କ୍ଷଣସ୍ଥାୟୀ ମାତ୍ର; କିନ୍ତୁ ଯେଉଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଭାବ ହୃଦୟରେ ସ୍ଥାୟୀରୂପେ ରହିଥାଏ, ସେଗୁଡ଼ିକୁ ସ୍ଥାୟୀଭାବ କହିଥାନ୍ତି । ଏହି ସ୍ଥାୟୀଭାବ ଆମର ସହଜାତ ପ୍ରବୃତ୍ତିର ଅନୁରୂପ । ଉପଯୁକ୍ତ ପରିବେଶ, ବିଭାବ, ଅନୁଭାବ ଓ ସଂଚାରୀଭାବର ସଂଯୋଗରେ ଏହି ସ୍ଥାୟୀଭାବ ପୁଷ୍ଟ ଓ ବ୍ୟକ୍ତ ହୋଇ ରସର ଉଦ୍ରେକ କରାଇଥାଏ । ଏହା ହିଁ ସ୍ଥାୟୀଭାବ ସମ୍ପର୍କରେ ମୋଟାମୋଟି ସୂଚନା । ବିଶ୍ୱନାଥ କବିରାଜ ସ୍ଥାୟୀଭାବ ସମ୍ପର୍କରେ କହିଛନ୍ତି, ଅନୁକୂଳ ଓ ପ୍ରତିକୂଳ ଭାବାନ୍ତରସମୂହ ଯେଉଁ ଭାବକୁ ଦୂରକରିବା ପାଇଁ ଅକ୍ଷମ ହୁଅନ୍ତି, ଯେଉଁ ଭାବ ରସୋତ୍ପତ୍ତିର କାରଣ, ତାହା ହିଁ ସ୍ଥାୟୀଭାବ ।

 

‘‘ଅବିରୁଦ୍ଧା ବିରୁଦ୍ଧା ବା’ ଯଂତିରୋଧାତୁମକ୍ଷମା

ଆସ୍ୱାଦାଙ୍କୁରକନ୍ଦୋଽସୌ ଭାବଃ ସ୍ଥାୟୀତି ସମ୍ମତଃ ।’’

 

(ସାହିତ୍ୟଦର୍ପଣ-୩-୧୮୩)

 

ରସର ଅଭିବ୍ୟକ୍ତି ଓ ଉପଲବ୍‌ଧି ପାଇଁ ଏହି ସ୍ଥାୟୀଭାବଗୁଡ଼ିକ ମୂଳକାରଣ ରୂପେ ଗୃହୀତ । ସ୍ଥାୟୀଭାବ ପୁଷ୍ଟ ଓ ପୁଷ୍ଫଳ ହୋଇ ପାଠକମାନଙ୍କ ମନରେ ଆନନ୍ଦାନୁଭୂତି ବା ରସର ଉଦ୍ରେକ କରାଇଥାଏ । ଏହି ରସର ସଂଖ୍ୟା ଓ ପ୍ରତ୍ୟେକର ସ୍ଥାୟୀଭାବ ସମ୍ବନ୍ଧରେ ପୂର୍ବରୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦାନୁଭୂତି ଏକ ଗୁଣାତ୍ମକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଭାରତୀୟ ରୁଚିବାଦରେ ତାହାର ସାକାର ସ୍ୱରୂପର ପରିକଳ୍ପନା କରାହୋଇଛି । ଭାରତୀୟମାନେ ସାଧାରଣତଃ କଳାବିତ୍‌ ଓ ଚିତ୍ରପ୍ରିୟ । କୌଣସି ଗୁଣାତ୍ମକ କ୍ରିୟାକୁ ସେମାନେ ରେଖା, ଚିତ୍ର ଓ ସଙ୍କେତରେ ମଧ୍ୟ ପ୍ରକାଶ କରିଥାନ୍ତି । ହିନ୍ଦୁର ମୂର୍ତ୍ତିପୂଜା ମୂଳରେ ଏହି ରୁଚିବାଦ ନିହିତ ଅଛି । ସତ୍ୟ, ଶାନ୍ତି, ଦୟା, ବିନୟ ପ୍ରଭୃତି ଗୁଣାତ୍ମକ ଧର୍ମକୁ ଏମାନେ ବିଭିନ୍ନ ମୂର୍ତ୍ତି ଓ ଚିତ୍ରରେ ରୂପ ଦେଇଛନ୍ତି । ସେହିପରି ସୂର୍ଯ୍ୟଦେବତାଙ୍କୁ ଋତ ଓ ସତ୍ୟର ପ୍ରକାଶ ଭୂମିକାରେ ବର୍ଣ୍ଣନା କରିବା ସହିତ ସତ୍ୟର ଜୟଗାନ କରି ଆମର ପ୍ରାଚୀନ ଋଷିମାନେ ଗାଇଛନ୍ତି : ‘‘ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖମ୍‌ ।’’ ଏହି ପରିପ୍ରେକ୍ଷୀରେ ବୈଦିକ ଦେବତାମାନଙ୍କର ସ୍ୱରୂପବର୍ଣ୍ଣନା ପ୍ରଣିଧେୟ । ଅଗ୍ନି, ଇନ୍ଦ୍ର, ବରୁଣ, ଯମ, ବାୟୁ, ଉଷା ଓ ପୂଷା ପ୍ରଭୃତି ଦେବଦେବୀମାନେ ଆମର କଳ୍ପନାରାଜ୍ୟରେ ପ୍ରତିକୃତିସମ୍ପନ୍ନ ହୋଇଛନ୍ତି । ଏ ସବୁ ମୂଳରେ ଭାରତୀୟମାନଙ୍କର ରୁଚିବାଦ, ରସବତ୍ତା, କଳାବିଳାସୀ ହୃଦୟ ଓ ପ୍ରାଣପ୍ରାଚୁର୍ଯ୍ୟ ଅନ୍ତର୍ନିହିତ । କୌଣସି ଚିନ୍ତାକୁ ବ୍ୟକ୍ତ କରିବାରେ ଭାରତୀୟମାନେ ଅପୂର୍ବ କୁଶଳତା ପ୍ରଦର୍ଶନ କରିଆସିଛନ୍ତି । ସଙ୍କେତ (Symbolism) ବହୁପୂର୍ବରୁ ଏହି ଦେଶରେ ଦେଖାଦେଇଛି । ଏପରିକି ଆମ ପରମ୍ପରାରେ ଛନ୍ଦ ଓ ରାଗରାଗିଣୀମାନଙ୍କର ମୂର୍ତ୍ତିମୟୀ କଳ୍ପନା କରାହୋଇଛି । ମାଳବ ରାଗର କଳ୍ପନାରେ ଯେଉଁ ମୂର୍ତ୍ତିସ୍ୱରୂପୀ ଦିଆହୋଇଛି ତାହା ନିମ୍ନରେ ଉଦ୍ଧୃତ ହେଲା ।

 

‘‘ନିଡ଼ମ୍ବିନୀଚୁମ୍ବିତବକ୍ତ୍ରପଦ୍ମଃ ଶୁଭଦ୍ୟୁତିଃ କୁଣ୍ଡଳବାନ୍‌ ପ୍ରମତ୍ତଃ

ସଙ୍ଗୀତଶାଳାଂ ପ୍ରବିଶନ୍‌ ପ୍ରଦୋଷେ ମାଳାଧରୋମାଳବରାଗରାଜଃ ।’’

 

‘ରାଗରାଜ ମାଳବ ନିତମ୍ବିନୀର ମୁଖପଦ୍ମକୁ ଚୁମ୍ବନ କରୁଛନ୍ତି; ତାଙ୍କର କାନ୍ତି ଶୁଭ୍ର । ସେ ପ୍ରମତ୍ତ ଓ କୁଣ୍ଡଳ ଧାରଣ କରିଛନ୍ତି; ଶରୀରରେ ପୁଷ୍ପମାଳ୍ୟ ପରିଧାନପୂର୍ବକ ପ୍ରଦୋଷ ସମୟରେ ସଙ୍ଗୀତଶାଳାରେ ପ୍ରବେଶ କରୁଛନ୍ତି ।’ ଏଠାରେ ଭାରତୀୟ ଚିନ୍ତାର ବିଶେଷତ୍ୱ ପ୍ରକଟିତ । ଅବଶ୍ୟ ପ୍ରତ୍ୟେକ ଦେଶର ସାହିତ୍ୟ, ସଂସ୍କୃତି ଓ ରୁଚିବାଦର ଗୁଣାତ୍ମକ କ୍ରିୟାରେ ଚିତ୍ରକଳ୍ପ ରହିଛି; କିନ୍ତୁ ଭାରତୀୟ ଚେତନା ଏ ବିଷୟରେ ସୁଦୂରପ୍ରସାରୀ । ଭାରତୀୟ ଚିନ୍ତାର ପ୍ରତ୍ୟେକ ବିଭାବକୁ ଏହି ରୂପକଳ୍ପର ଅଭିବ୍ୟକ୍ତି ସ୍ପର୍ଶ କରିଛି । ରୂପକଳ୍ପର ଅଭିବ୍ୟକ୍ତିରେ ସ୍ୱରୂପ ବର୍ଣ୍ଣନା ପରି ବର୍ଣ୍ଣର ପ୍ରଭାବ ଉଲ୍ଲେଖନୀୟ । ସତ୍ୟ ଓ ଶାନ୍ତିର ବର୍ଣ୍ଣ ଶୁଭ୍ର । ସେହିପରି ପାପର ବର୍ଣ୍ଣ କୃଷ୍ଣ । ହାସ ଓ କୀର୍ତ୍ତିର ବର୍ଣ୍ଣ ମଧ୍ୟ ଶୁଭ୍ର । ‘‘ଧବଳତା ବର୍ଣ୍ଣ୍ୟତେ ହାସକୀର୍ତ୍ତ୍ୟୋଃ ।’’ ସେହିପରି କାମନା ଓ କ୍ରୋଧର ବର୍ଣ୍ଣ ରକ୍ତାଭ ଇତ୍ୟାଦି । ପ୍ରତ୍ୟେକ ରସର ବର୍ଣ୍ଣ ସମ୍ପର୍କରେ ବର୍ଣ୍ଣନା କରାହୋଇଛି । ଆଗରୁ କୁହାହୋଇଛି, ଭାରତୀୟ ପରମ୍ପରା ଅନୁସାରେ ଦେବତାମାନେ ହେଉଛନ୍ତି ପ୍ରାକୃତିକ କ୍ରିୟା, ଗୁଣାତ୍ମକ ଧର୍ମ ଓ ଚିନ୍ତାର ରୂପକଳ୍ପ । ଆମ ସମାଜରେ ପ୍ରଚଳିତ ମୂର୍ତ୍ତିପୂଜାର ରହସ୍ୟ ଏହି ଦିଗରୁ ବିଚାର୍ଯ୍ୟ । ଦେବତାମାନେ ସାଙ୍କେତିକ ଆଧାରବିଶେଷ (Symbolic image) । ପ୍ରତ୍ୟେକସୁଚିନ୍ତା ଓ ଦୁଶ୍ଚିନ୍ତାର ଦେବତା ଏବଂ ଅଧିଦେବତାର ବର୍ଣ୍ଣନା ଆମ ଶାସ୍ତ୍ରମାନଙ୍କରେ ରହିଛି । ସେହିପରି ଶୃଙ୍ଗାର ପ୍ରଭୃତି ଅନୁଭୂତିସାପେକ୍ଷ ଗୁଣାତ୍ମକ ରସମାନଙ୍କର ସ୍ୱକୀୟ ଦେବତା ଓ ତା’ର ରଙ୍ଗ ନିମ୍ନରେ ପ୍ରଦତ୍ତହେଲା ।

 

ଶୃଙ୍ଗାର ରସ-ଏହାର ସ୍ଥାୟୀଭାବ ରତି ବା ଆନନ୍ଦ, ଦେବତା ବିଷ୍ଣୁ ଓ ବର୍ଣ୍ଣ ଶ୍ୟାମଳ । ଆମ ଚିନ୍ତାରେ ବିଷ୍ଣୁ ସଚ୍ଚିଦାନନ୍ଦମୟ ହୋଇଥିବାରୁ ସେ ଶୃଙ୍ଗାରରସର ଦେବତା ରୂପେ ବର୍ଣ୍ଣିତ ହୋଇଛନ୍ତି । ସେ ପୁଣି ନବ ଦୂର୍ବାଦଳ ପରି ଶ୍ୟାମବର୍ଣ୍ଣ । ବସ୍ତୁତଃ ଶ୍ୟାମଳିମା ପ୍ରଶାନ୍ତି ଓ ଆନନ୍ଦର ଦ୍ୟୋତକ ।

 

ହାସ୍ୟରସ-ଏହାର ସ୍ଥାୟୀ ହାସ ବା ଚିତ୍ତବିସ୍ତୃତି । କବିପ୍ରସିଦ୍ଧିରେ ହାସ ଶ୍ୱେତବର୍ଣ୍ଣ । ଏହି ରସର ଦେବତା ହେଉଛନ୍ତି ପ୍ରଥମଗଣ । ପ୍ରଥମଗଣ ସର୍ବଦା ହସ କୌତୁକରେ ନିବିଷ୍ଟ ଥାନ୍ତି; ତେଣୁ ହାସ୍ୟରସର ଦେବତାରୂପେ ସେମାନେ କବିପ୍ରସିଦ୍ଧିରେ ପରିଗଣିତ ।

 

କରୁଣରସର ସ୍ଥାୟୀଭାବ ଶୋକ । ଏହା ବିୟୋଗାନ୍ତକ । ତେଣୁ କରୁଣରସର ଦେବତା ହେଉଛନ୍ତି ମୃତ୍ୟୁରାଜ ଯମ । କପୋତ ପକ୍ଷୀର ବର୍ଣ୍ଣ ପରି ଏହି ରସର ବର୍ଣ୍ଣ ଧୂସର । କାରୁଣ୍ୟର ବର୍ଣ୍ଣନାରେ କପୋତ ପକ୍ଷୀ ଏକ ପାରମ୍ପରିକ ସଙ୍କେତ । ବିଳାପରତ କପୋତର କ୍ରନ୍ଦନ ସମସ୍ତଙ୍କ ହୃଦୟକୁ ଦ୍ରବୀଭୂତ କରିଥାଏ ।

 

ରୌଦ୍ରରସର ଦେବତା ହେଉଛନ୍ତି ରୁଦ୍ର । ଏହାର ସ୍ଥାୟୀଭାବ କ୍ରୋଧ ହୋଇଥିବାରୁ ଏହା ବିନାଶଧର୍ମୀ । ତା’ର ବର୍ଣ୍ଣ ହେଉଛି ରକ୍ତାଭ । ସାଧାରଣତଃ କ୍ରୋଧ ରଜୋଗୁଣରୁ ସମ୍ଭୂତ ହୋଇଥାଏ; ତେଣୁ ଏହା ରକ୍ତବର୍ଣ୍ଣ ବୋଲି ବର୍ଣ୍ଣିତ ହୋଇଛି ।

 

ବୀରରସର ସ୍ଥାୟୀଭାବ ହେଉଛି ଉତ୍ସାହ । ଏହାର ଦେବତା ମହେନ୍ଦ୍ର । ମହେନ୍ଦ୍ରଙ୍କୁ ବେଦରେ ଶତକ୍ରତୁ ଓ ବିଜୟୀ ନେତାରୂପେ ଚିତ୍ରିତ କରାହୋଇଛି । ସେ ହେମାଙ୍ଗ ହୋଇଥିବାରୁ ବୀରରସ ହେମବର୍ଣ୍ଣରେ ପ୍ରଖ୍ୟାତ ।

 

ଭୟାନକରସର ସ୍ଥାୟୀଭାବ ହେଉଛି ଭୟ । ତେଣୁ ଭୟସଂକାଶ କାଳ ହେଉଛନ୍ତି ଏହି ରସର ଅଧିଦେବତା । ଏହି ପୁଣି ଧ୍ୱାନ୍ତକୃଷ୍ଣବର୍ଣ୍ଣ । ଅନନ୍ତ କାଳ ଅବଧିଶୂନ୍ୟ; ତେଣୁ ସ୍ୱରୂପହୀନ । ଏହା ଅରୂପ ହୋଇଥିବାରୁ କୃଷ୍ଣବର୍ଣ୍ଣ ହେବା ଯଥାର୍ଥ । ବସ୍ତୁତଃ ରଙ୍ଗଶୂନ୍ୟତା ହିଁ କୃଷ୍ଣତ୍ୱ ।

 

ବିଭତ୍ସରତ୍ସର ସ୍ଥାୟୀଭାବ ହେଉଛି ଜୁଗୁସପା ବା ଘୃଣା । ଏହାର ଅଧିଦେବତା ମହାକାଳ-। ଏହା ଧ୍ରୂମବର୍ଣ୍ଣ । ଶ୍ମଶାନର ଦେବତାଙ୍କୁ ମହାକାଳ କୁହାଯାଏ । ସେ ଧୂମବର୍ଣ୍ଣ ବୋଲି ସ୍ମୃତିଶାସ୍ତ୍ରରେ ବର୍ଣ୍ଣିତ ଅଛି ।

 

‘‘ମହାକାଳଂ ଯଜେତ୍‌ ବେଦ୍ୟାଃ ଦକ୍ଷିଣେ ଧୂମ୍ରବର୍ଣ୍ଣକମ୍‌ ।’’

 

ଅଦ୍ଭୁତରସର ସ୍ଥାୟୀଭାବ ବିସ୍ମୟ । ପୁରାଣଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଅଛି ଯେ, ଦେବଯୋନିବିଶେଷ ଗନ୍ଧର୍ବମାନେ ଗାନ ଓ କୁହୁକ ପ୍ରଭୃତି ଦ୍ୱାରା ଲୋକମାନଙ୍କ ମନରେ ବିସ୍ମୟ ସୃଷ୍ଟି କରିଥାନ୍ତି । ଗାନଶୀଳ ଗନ୍ଧର୍ବମାନଙ୍କର ବର୍ଣ୍ଣ ପିତାଭ ହୋଇଥିବାରୁ ଅଦ୍‌ଭୂତରସ ପୀତବର୍ଣ୍ଣ ରୂପେ ବର୍ଣ୍ଣିତ ହୋଇଅଛି ।

 

ଶାନ୍ତରସର ସ୍ଥାୟୀଭାବ ହେଉଛି ଶ୍ରମ । ତେଣୁ ଶାନ୍ତିର ପ୍ରତୀକ ନାରାୟଣ ହେଉଛନ୍ତି ଏହି ରସର ଦେବତା । ସେ କୁନ୍ଦେନ୍ଦୁ ଧବଳ; ତେଣୁ ଶାନ୍ତରସ ଶୁଭ୍ର । ଆମର ପୂଜା ପଦ୍ଧତିରେ ନାରାୟଣ-ବିଷ୍ଣୁଙ୍କର ଯେଉଁ ଧ୍ୟାନ ଅଛି, ତହିଁରେ ଶୁଭ୍ରିମାର ବୈଶିଷ୍ଟ୍ୟ ଲକ୍ଷଣୀୟ ।

 

‘‘ଶୁକ୍ଳାମ୍ବରଧରଂ ବିଷ୍ଣୁଂ ଶଶିବର୍ଣ୍ଣଂ ଚତୁର୍ଭୁଜଂ

ପ୍ରସନ୍ନବଦନଂ ଧ୍ୟାୟେତ୍‌ ସର୍ବବିଘ୍ନୋପଶାନ୍ତୟେ ।’’

 

ବାତ୍ସଲ୍ୟରସର ସ୍ଥାୟୀଭାବ ହେଉଛି ଅପତ୍ୟ-ସ୍ନେହ । ଗୌରୀ ପ୍ରଭୃତି ଷୋଡ଼ଶ ଲୋକମାତା ଏହି ରସର ଦେବତାରୂପେ ଗୃହୀତ ହୋଇଛନ୍ତି । ସମାଜର ଅଧୁନା ପ୍ରଚଳିତ ପିତୃମୂଳକ ସ୍ୱରୂପ ପୂର୍ବରୁ ଯେଉଁ ମାତୃମୂଳକ ସମାଜ ପ୍ରଚଳିତ ଥିଲା, ସମ୍ଭବତଃ ସେ ପ୍ରାଚୀନ ସମାଜରେ ଏହି ଲୋକମାତାମାନେ ନେତ୍ରୀରୂପେ ସୁଖ୍ୟାତ ଥିଲେ । ବାତ୍ସଲ୍ୟରସର ବର୍ଣ୍ଣ ପଦ୍ମଗର୍ଭପରି ଈଷତ୍‌ ଶୁଭ୍ର ଓ ପୀତାଭ ।

 

କାବ୍ୟଶାସ୍ତ୍ରରେ ଶୃଙ୍ଗାର ପ୍ରଭୃତି ରସମାନଙ୍କର ଏହି ଯେଉଁ ବର୍ଣ୍ଣ ଓ ଦେବତାମାନଙ୍କର ଉଲ୍ଲେଖ ମିଳେ, ଏହା ମୂଳରେ ଭାରତୀୟ ରୁଚିବାଦ ଓ ଚେତନା ନିହିତ ଅଛି । ଆମ ଚିନ୍ତାର ଏହା ରୂପକଳ୍ପ ଅଭିବ୍ୟକ୍ତିମାତ୍ର ।

Image

 

ବିଶ୍ୱାମିତ୍ର

 

ବ୍ୟାକରଣକାରମାନେ ବିଶ୍ୱାମିତ୍ର ଶବ୍ଦର ନିର୍ବାଚନକୁ ନିପାତନସିଦ୍ଧ ବୋଲି ଦର୍ଶାଇବାକୁ ଯାଇ ବିଶ୍ୱର ମିତ୍ର (ବିଶ୍ୱ+ମିତ୍ର) ବୋଲି ପ୍ରଖ୍ୟାପନ କରିଛନ୍ତି; କିନ୍ତୁ ଏହି ନିର୍ବାଚନକୁ ଆମେ ସାଧାରଣଭାବେ ଗ୍ରହଣ କଲେ ଶବ୍ଦଟି ବିଶ୍ୱାମିତ୍ର ନ ହୋଇ ବିଶ୍ୱମିତ୍ର ହୋଇଥା’ନ୍ତା । ଅନ୍ୟ ପକ୍ଷରେ ବିଶ୍ୱର ଅମିତ୍ର [ବିଶ୍ୱ+ଅମିତ୍ର]-ଏହି ଅର୍ଥରେ ହିଁ ବିଶ୍ୱାମିତ୍ର ଶବ୍ଦ ସ୍ୱୟଂସିଦ୍ଧ ହୋଇଥା’ନ୍ତା । ଆମର ଶବ୍ଦ ନିର୍ବାଚନ, ଚଳଣି, ଅର୍ଥ ପ୍ରତିପତ୍ତି ଏବଂ ବିଶେଷକରି ନିପାତନମାନଙ୍କରେ କେତେକାଂଶରେ ସାମାଜିକ ଓ ଐତିହାସିକ ବ୍ୟଞ୍ଜନା ରହିବା ଖୁବ୍‌ ସ୍ୱାଭାବିକ । ଉଦାହରଣ ସ୍ୱରୂପ, ବୌଦ୍ଧଧର୍ମର ପୃଷ୍ଠପୋଷକ ମହାରାଜ ଅଶୋକ ‘ଦେବାନାଂ ପ୍ରିୟଃ’ (ଦବାନାମ୍ପିୟ)-ଏହି ଅନୁତ୍ତମ ଉପାଧିରେ ଭୂଷିତ ହୋଇଥିଲେ । ପରବର୍ତ୍ତୀ ସମୟରେ କେତେକ ବୈୟାକରଣିକ ବୌଦ୍ଧଧର୍ମ ପ୍ରତି ଅସୂୟାବଶତଃ ଏହି ‘ଦେବାନାଂ ପ୍ରିୟଃ’ ସମାସରହିତ ବ୍ୟଞ୍ଜକ ବାକ୍ୟାଂଶର ଅର୍ଥରେ ନ୍ୟୂନବୋଧ ଆଣିବା ପାଇଁ ମୂର୍ଖ ଅର୍ଥରେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ, ଏବଂ ସମାସ ହୋଇ ଦେବପ୍ରିୟ ଶବ୍ଦରେ ପରିଣମିତ ହେଲେ ଉଦାତ୍ତ ଅର୍ଥ ବ୍ୟକ୍ତ କରିବବୋଲି ସୂତ୍ର ଖଞ୍ଜିଦେଲେ । ସଂସ୍କୃତିର ଘାତ-ପ୍ରତିଘାତରେ ବହୁ ଶବ୍ଦର ଅର୍ଥରେ ଅତିକ୍ରମଣ ଘଟି ପ୍ରଶଂସ୍ୟ ଅର୍ଥ ଆସିଛ ଏବଂ ବହୁ ଶବ୍ଦ ଅର୍ଥର ଅଧଃକ୍ରମଣରେ ପତିତ ବା ଅପାଂକ୍ତେୟ ହୋଇପଡ଼ିଛନ୍ତି । ‘‘ଦେବାନାଂ ପ୍ରିୟଃ’’-ଏହି ଅମୁକ୍ତ ଭୂଷଣ, ଯାହା ମହାମହିମ ଅଶୋକଙ୍କୁ ବୌଦ୍ଧଯୁଗରେ ଗୌରବମଣ୍ଡିତ କରିଥିଲା, ଉତ୍ତରକାଳରେ ସେହି ଉପାଧି ମୂର୍ଖ ଅପଣ୍ଡିତ ଅର୍ଥକୁ ବୁଝାଇଲା । ସେହିପରି ଯୋଗିନୀ ଶବ୍ଦ ଯୋଗସାଧିକା ନାରୀ ଅର୍ଥରେ ହୁଏତ ଉଦାତ୍ତ ଅର୍ଥ-ସଂକ୍ରମଣ କରିପାରେ; କିନ୍ତୁ ସେହି ଶବ୍ଦର ଅପଭ୍ରଂଶ ରୂପରେ ପତିତ ବ୍ୟଞ୍ଜନା ‘ଯୋଗିଣୀଖିଆ’ ଗାଲିରେ ନିହିତ । ନାଗର ଶବ୍ଦ ଏକଦା କଳାବିଳାସଚତୁର ବିଦଗ୍‌ଧ ରସିକ ଓ ଚିନ୍ତକକୁ ବୁଝାଉଥିଲା; କିନ୍ତୁ ଆଜି ନାଗର ଶବ୍ଦର ସେହି ଅର୍ଥ ଅପ୍ରଚଳିତ । ଅନ୍ୟ ପକ୍ଷରେ ତାହା ପତିତ ଅର୍ଥରେ ପ୍ରଯୁଜ୍ୟ । ଅର୍ଥର ଅଧୋଗମନ ଯେଉଁ ପରିପ୍ରେକ୍ଷୀରେ ଘଟିଛି, ଊର୍ଦ୍ଧ୍ୱଗମନ ମଧ୍ୟ ସେହି ସାଂସ୍କୃତିକ ସଂଘର୍ଷଫଳରେ ସମ୍ଭବ ହୋଇଛି । ଆର୍ଯ୍ୟ ଶବ୍ଦର ବ୍ୟଞ୍ଜନା ଯେପରି ସଦୁତ୍ତମ, ସେହିପରି ମହନୀୟ । ଏହି ଶବ୍ଦର ଯେଉଁ ଦୁଇଟି ନିର୍ଭରଯୋଗ୍ୟ ନିର୍ବାଚନ ଦେଖିବାକୁ ମିଳେ, ସେ ମଧ୍ୟରୁ ‘ଅରି’ ଶବ୍ଦରୁ ଆର୍ଯ୍ୟ ଶବ୍ଦର ସମ୍ଭବନ ଅନ୍ୟତମ । ପ୍ରଥମ ଅବସ୍ଥାରେ ଅର ଶବ୍ଦ ଆଗନ୍ତୁକ ବା ‘Stranger’–ଏହି ଅର୍ଥକୁ ବୁଝାଉଥିଲା । ତେଣୁ ଆର୍ଯ୍ୟୋତରମାନେ ଯେଉଁମାନଙ୍କୁ ଅରି ବା ଆଗନ୍ତୁକ ବୋଲି କହୁଥିଲେ, ସେହିମାନେ କାଳକ୍ରମେ ଆର୍ଯ୍ୟରୂପେ ପରିଚିତ ହୋଇପାରିଥା’ନ୍ତି । ଆର୍ଯ୍ୟେତର ଓ ଆର୍ଯ୍ୟମାନଙ୍କ ମଧ୍ୟରେ ପ୍ରାଗ୍‌ଯୁଗରେ ଯେଉଁ ଭୟାବହ ସଂଘର୍ଷ ଦେଖାଦେଲା, ତା’ଫଳରେ ଅରି ଶବ୍ଦ ଆର୍ଯ୍ୟେତରଙ୍କ ପକ୍ଷରେ ଶତ୍ରୁ ରୂପେ ପ୍ରତିଭାତ ହେଲା; କିନ୍ତୁ ଆର୍ଯ୍ୟେତରମାନଙ୍କର ନିର୍ବାଚନରେ ପରିଚିତ ଅରୟ ବା ଆର୍ଯ୍ୟମାନେ ନିଜ ପ୍ରତି ଉଦାତ୍ତ ଅର୍ଥର ବ୍ୟଞ୍ଜନା ଆଣିବାକୁ ବୋଧହୁଏ ‘ଋ’-ଏହି ଧାତୁର ନିର୍ବାଚନ ଲୋଡ଼ିଲେ । ‘ଋ’ ଧାତୁ ଗତି ଓ ପ୍ରଜ୍ଞା ଅର୍ଥରେ ପ୍ରଚଳିତ ହେଲା । ପୂର୍ବ ନିର୍ବାଚନରେ ଅରି ଶବ୍ଦର ଅର୍ଥରେ କିପରି ଊର୍ଦ୍ଧ୍ୱଗମନ ଘଟିଛି ତାହା ଦର୍ଶିତ ହେଲା । ଏଠାରେ ଉଲ୍ଲେଖନୀୟ ଯେ, ବିଶ୍ୱାମିତ୍ର ଶବ୍ଦ ହୁଏତ ପ୍ରଥମେ ‘ବିଶ୍ୱର ଶତ୍ରୁ’ ଅର୍ଥରେ ବ୍ୟବହୃତ ଥିବ; କିନ୍ତୁ କାଳକ୍ରମେ ତାହା ବିଶ୍ୱର ବନ୍ଧୁ ଅର୍ଥରେ ନିପାତନସିଦ୍ଧ ହୋଇଛି ।

 

ଶବ୍ଦର ଅର୍ଥ ସଂକ୍ରମଣରେ ଊର୍ଦ୍ଧ୍ୱନମନ ଓ ଅଧଃନମନର ଯେଉଁ ଅବତାରଣା କରାଗଲା, ତା ମୂଳରେ ସାମାଜିକ ପରିବର୍ତ୍ତନ ଓ ସଂଘର୍ଷର ବ୍ୟଞ୍ଜନା ଅନୁସନ୍ଧେୟ । ‘ବିଶ୍ୱାମିତ୍ର’ ଏହି ଉଦାର ଓ ମହନୀୟ ସଂଜ୍ଞା ପ୍ରଥମେ କିଭଳି ଅର୍ଥ ବ୍ୟକ୍ତ କରୁଥିବ, ତାହା ଚିନ୍ତାର ବିଷୟ । ସମ୍ଭବତଃ ବିପ୍ଳବର ପରିପନ୍ଥୀମାନେ ତାଙ୍କର ବୈପ୍ଳବିକ ଅନୁଦାନ ଓ କାର୍ଯ୍ୟ ପାଇଁ ଅସୁୟାବଶତଃ ତାଙ୍କୁ ‘ବିଶ୍ୱର ଅମିତ୍ର’ ବା ଶତ୍ରୁ ବୋଲି କହିଥିବେ । ସମୟକ୍ରମେ ତାଙ୍କର ବିପ୍ଳବ ଯେତେବେଳେ ଜନହିତକର ବୋଲି ପ୍ରତିପାଦିତ ହେଲା, ବ୍ୟାକରଣକାର ସେମାନଙ୍କର ନିର୍ବାଚନ ଶାସ୍ତ୍ରରେ ‘ବିଶ୍ୱ+ମିତ୍ର’-ଅର୍ଥାତ୍‌ ବିଶ୍ୱର ବନ୍ଧୁ-ଏହି ଅର୍ଥରେ ଶବ୍ଦଟିକୁ ନିପାତନସିଦ୍ଧ କଲେ । ଅନ୍ୟ ଏକ ନିର୍ବାଚନର ଧାରା ଆମର ଅନୁମାନସାପେକ୍ଷ । ହୁଏତ ମିତ୍ର ଶବ୍ଦ ବନ୍ଧୁ ଅର୍ଥରେ ଏବଂ ଅମିତ୍ର ଶବ୍ଦ ତା’ର ନିଷେଧାର୍ଥରେ ପ୍ରଥମେ ପ୍ରଚଳିତ ନଥିବ । ବନ୍ଧୁ ଅର୍ଥରେ ମିତ୍ର ଶବ୍ଦର ପ୍ରଚଳନ ପରେ ବିଶ୍ୱାମିତ୍ର ଶବ୍ଦକୁ ନିପାତନସିଦ୍ଧ କରିବା ଆବଶ୍ୟକ ହୋଇଥିବ । ଏହି ଦୁଇଟି ଅନୁମାନ ମଧ୍ୟରୁ ପ୍ରଥମଟିକୁ ସମ୍ପୂର୍ଣ୍ଣ ବାଦ୍‌ଦିଆଯାଇ ନପାରେ ।

 

ମହର୍ଷି ବିଶ୍ୱାମିତ୍ର ନୂତନ ସ୍ରଷ୍ଟା ଓ ଆଦି ବିପ୍ଳବିରୂପେ ଆଖ୍ୟାତ । ବିପ୍ଳବର ସଂଜ୍ଞା ଏହି ପରିପ୍ରେକ୍ଷୀରେ ବିଚାର୍ଯ୍ୟ । ସାଧାରଣଭାବରେ ଦ୍ରୁତ ପରିବର୍ତ୍ତନକୁ ଆମେ ବିପ୍ଳବ କହିଥାଉ । ବସ୍ତୁତଃ ବିପ୍ଳବ ପରିବର୍ତ୍ତନ ଆଣିଥାଏ; କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନ ବିପ୍ଳବ ନୁହେଁ । ହେତୁବାଦ ଜିଜ୍ଞାସା ଆନୟନ କରେ; ଫଳରେ କ୍ରାନ୍ତିକାରୀ ଓ ଚିନ୍ତାଶୀଳ ଜୀବ ହିସାବରେ ମନୁଷ୍ୟ ଦ୍ୱନ୍ଦାତ୍ମକ ଜଡ଼ତାର ନିୟମକୁ ବୁଝି ନିଜର ପ୍ରଜ୍ଞାରେ ପ୍ରତ୍ୟକ ବସ୍ତୁକୁ ଅବଧାରଣ କରିଥାଏ । ଆମର ଚିନ୍ତାରେ ସର୍ବଦା ଦୁଇଟି ଚିନ୍ତାର ପ୍ରକ୍ଷେପ କାର୍ଯ୍ୟ କରୁଛି । ଗୋଟିଏ ହେଉଛି, ଜଣେ ସ୍ରଷ୍ଟା ଅଛନ୍ତି; ଯିଏ ସମସ୍ତ ବିଶ୍ୱକୁ ନିମନ୍ତ୍ରଣ କରୁଛନ୍ତି । ଏହି ଚିନ୍ତାରୁ ଈଶ୍ୱରବାଦର ସୃଷ୍ଟି । ଅନ୍ୟ ପକ୍ଷରେ ସ୍ରଷ୍ଟା ଓ ସୃଷ୍ଟି ସମ୍ପର୍କ ଆପେକ୍ଷିକ; ଏବଂ ସମସ୍ତ ସୃଷ୍ଟି ସ୍ୱୟଂ ସଂଚାଳିତ । ତେଣୁ ଈଶ୍ୱରବାଦ ଏକ ଆପେକ୍ଷିକ ପ୍ରହେଳିକା; ଅର୍ଥାତ୍‌ ତତ୍ତ୍ୱଜ୍ଞାନର ଅଭାବରୁ ଆମେ ଈଶ୍ୱରଙ୍କୁ ଆରୋପ କରିଥାଉ । ଜଡ଼ତାର ଦ୍ୱନ୍ଦାତ୍ମକ ନିୟମନରେ ସମସ୍ତ କିଛି ବିବର୍ତ୍ତିତ । ସ୍ରଷ୍ଟା ଓ ସୃଷ୍ଟିର ଅଭିନ୍ନ ତତ୍ତ୍ୱ ଏବଂ ଜଡ଼ର ପରିଶମନ ହିଁ ସୃଷ୍ଟି । ଉପରୋକ୍ତ ମତଟି ମନୁଷ୍ୟର ପୌରୁଷ ଉଦ୍ରେକ କରୁଛି । ଅତୀନ୍ଦ୍ରିୟ, ବା Super Consciousର କୌଣସି ସ୍ଥିତିକୁ ଅସ୍ୱୀକାର କରି ମନୁଷ୍ୟକୁ ସର୍ବଶ୍ରେଷ୍ଠ ଆସନ ଦେଉଛି । ଯେକୌଣସି ପ୍ରଚଳିତ ପ୍ରଥା ବା ଆଚାର ବିଚାରକୁ ପୌରୁଷେୟ ବୋଲି ପ୍ରତିପନ୍ନ କରି ତାହାର ଆବଶ୍ୟକୀୟ ପରିବର୍ତ୍ତନ କରିବାପାଇଁ ଦ୍ୱିତୀୟ ମତଟି ସାହାଯ୍ୟ କରିଥାଏ । ଏଣୁ କୌଣସି ସ୍ଥିତିକୁ ଐକାନ୍ତିକ ରୂପେ ଗ୍ରହଣ ନକରି ଯେଉଁମାନେ ବିଚାରଧାରାରେ ଓ ଚଳଣିରେ ମୌଳିକ ପରିବର୍ତ୍ତନ କରିବାପାଇଁ ଆଣିବାକୁ ଚାହାନ୍ତି, ସେମାନେ ବିପ୍ଳବୀ । ବିଶ୍ୱାସ ଓ ହେତୁବାଦ ପରସ୍ପର ମଧ୍ୟରେ ବହୁସ୍ଥଳରେ ସଂଘର୍ଷ ଆଣିଛନ୍ତି । ସମାଜ ଚିନ୍ତାଶୀଳ ନହେଲେ, ବିଶ୍ୱାସ ଉପରେ ସ୍ଥାଣୁ ହୋଇଯାଏ; ଅପର ପକ୍ଷରେ ହେତୁବାଦୀମାନେ ପୁରାତନ ଓ ନୂତନ ମଧ୍ୟରେ ସଂଘର୍ଷକୁ ସ୍ୱୀକାର କରି ବିକଳ୍ପ ଚିନ୍ତା ପୋଷଣ କରନ୍ତି । ସେମାନେ ସମାଜକୁ କ୍ଷିପ୍ର କରିବାକୁ ଚାହାନ୍ତି ।

 

ବୈଦିକଯୁଗରେ ମହର୍ଷି ବିଶ୍ୱାମିତ୍ର ଯେଉଁ ନୂତନ ତଥା ମୌଳିକ ଚିନ୍ତାର ଆନୟନ କରିଥିଲେ, ସେଗୁଡ଼ିକ ବସ୍ତୁତଃ ବିଚାର୍ଯ୍ୟ । ବିଶ୍ୱାମିତ୍ର କୌଶିକ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଗାଧି । ସେ ନିଜେ ‘ଗାଧିତନୟ’ ଓ ‘କୌଶିକ’-ଏହି ସଂଜ୍ଞା ପର୍ଯ୍ୟାୟରେ ପରିଚିତ । ସେତେବେଳେ ଜନ୍ମବାଦ ଓ ହେତୁବାଦ ମଧ୍ୟରେ ସଂଘର୍ଷ ଲାଗିଥାଏ । ବିଶ୍ୱାମିତ୍ର ମଧ୍ୟଦେଶର ରାଜା ଥିଲେ । ଏକଦା ନିଜର ସୈନ୍ୟସାମନ୍ତ ସହିତ ମୃଗୟାବିହାରୀ ବିଶ୍ୱାମିତ୍ର ବିଶିଷ୍ଠଙ୍କର ଆଶ୍ରମରେ ଆତିଥ୍ୟ ଗ୍ରହଣକଲେ । କାମଧେନୁ ଶବଳାର ଅନୁଗ୍ରହରୁ ବ୍ରହ୍ମର୍ଷି ବଶିଷ୍ଠ ସହସ୍ର ସଂଖ୍ୟକ ସୈନ୍ୟସାମନ୍ତଙ୍କ ସହିତ ମହାରାଜ ବିଶ୍ୱାମିତ୍ରଙ୍କର ସତ୍‌କାର କରିବାକୁ ସମର୍ଥ ହେଲେ । ଏଥିରେ ବିସ୍ମିତ ବିଶ୍ୱାମିତ୍ର ବଶିଷ୍ଠଙ୍କୁ କାରଣ ପଚାରିଲେ ଏବଂ ବଶିଷ୍ଠଙ୍କର ଅତୁଳନୀୟ ସମ୍ପଦର କାରଣ କାମଧେନୁ ବୋଲି ଜାଣିପାରି ସ୍ୱୟଂ ମହାରାଜ ଏହି କାମଧେନୁକୁ ରାଜଧାନୀକୁ ନେବାପାଇଁ ସ୍ଥିରକଲେ । ଏଥିରେ ବଶିଷ୍ଠ ଅସମ୍ମତ ହେବାରୁ ବଳପ୍ରୟୋଗ କରି ସେ କାମଧେନୁକୁ ନେଇଯିବାପାଇଁ ଚେଷ୍ଟାକଲେ । ମହାତପା ବଶିଷ୍ଠ ଏବଂ ସ୍ୱୟଂପ୍ରଭା କାମଧେନୁ ବିଶ୍ୱାମିତ୍ରଙ୍କର ଏହି ପ୍ରୟାସକୁ ପ୍ରତିହତ କରିଦେବାରୁ ରାଜର୍ଷି ବିଶ୍ୱାମିତ୍ର ନିଜେ ବ୍ରହ୍ମର୍ଷି ହେବାପାଇଁ ସ୍ଥିରକଲେ । କିନ୍ତୁ ଜନ୍ମବାଦୀ ବଶିଷ୍ଠ ତାଙ୍କୁ ବ୍ରହ୍ମର୍ଷି ବୋଲି ସ୍ୱୀକାର କଲେ ନାହିଁ; ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେଲା । ଏକ ଦିଗରେ ବିଶ୍ୱାମିତ୍ର ନିଜର ପୌରୁଷ ବଳରେ ବ୍ରାହ୍ମଣତ୍ୱ ଦାବୀକଲେ ଏବଂ ଅନ୍ୟଦିଗରେ ବଶିଷ୍ଠ ତାଙ୍କୁ ସେଥିପାଇଁ ଅଯୋଗ୍ୟବୋଲି ଘୋଷଣା କଲେ । କ୍ରୁଦ୍ଧ ବିଶ୍ୱାମିତ୍ର ବ୍ରହ୍ମର୍ଷିପଦ ଲାଭକରିବା ପାଇଁ ତପସ୍ୱୀ ହେଲେ । ତାଙ୍କର ତପସ୍ୟା ଉଗ୍ର ଓ ଭୟସଂକାଶ ହେଲା । ବହୁ ବିଡ଼ମ୍ବନାରେ ଏହି ସାଧନାର ମାର୍ଗ ବିଡ଼ମ୍ବିତ । ସ୍ୱୟଂ ଇନ୍ଦ୍ର ବିଶ୍ୱାମିତ୍ରଙ୍କର ଉଗ୍ର ତପସ୍ୟାରେ ସଂତ୍ରସ୍ତ ହୋଇ ତାଙ୍କୁ ସାଧନାଚ୍ୟୁତ କରିବାପାଇଁ ଅନୁପମା ଅପସରୀ ମେନକାଙ୍କୁ ପଠାଇଲେ । ବସନ୍ତ ଓ କନ୍ଦର୍ପର ସମ୍ମୋହନରେ ବିଶ୍ୱାମିତ୍ର ମେନକାଙ୍କର ଆଲୋକସାମାନ୍ୟ ସୌନ୍ଦର୍ଯ୍ୟ ଦେଖି ମୂହ୍ୟମାନ ହେଲେ ଏବଂ ପ୍ରବଳ ରିଂରସାରେ ସେ ମେନକାଙ୍କ ସହିତ ରମଣକଲେ । ପରବର୍ତ୍ତୀ ସମୟରେ ନିଜକୁ କର୍ମବନ୍ଧନରେ ଆବଦ୍ଧ ଓ ତପସ୍ୟାଚ୍ୟୁତ ଦେଖି ତାଙ୍କର ପୁରୁଷକାର ବ୍ୟଥିତ ହେଲା । ନବପ୍ରସୂତା ଶକୁନ୍ତଳାଙ୍କୁ ବନଭୂମିରେ ପରିତ୍ୟାଗ କରି ଏବଂ ମେନକାଙ୍କୁ ଉପେକ୍ଷାକରି ତପସ୍ୱୀ ବିଶ୍ୱାମିତ୍ର ଚରମ ତପଶ୍ଚରଣରେ ପ୍ରବୃତ୍ତହେଲେ । ଏଠାରେ ବିପ୍ଳବୀ ବିଶ୍ୱାମିତ୍ରଙ୍କର ପୁରୁଷକାରର ଉଦ୍‌ବର୍ତ୍ତନ ଲକ୍ଷଣୀୟ । ତାଙ୍କ ଜୀବନରେ ବିଡ଼ମ୍ବନାର ଶେଷ ନାହିଁ । ବହୁବର୍ଷ ତପସ୍ୟାରତ ରହିଲାପରେ ଏକଦା କ୍ଷୁଦାତୁର ବିଶ୍ୱାମିତ୍ର ନିଜ ରାଜ୍ୟକୁ ଆସି ଦେଖନ୍ତି ତ ରାଜ୍ୟ ବିନଷ୍ଟ; ପ୍ରଜାମାନେ ଦୁର୍ଭିକ୍ଷକ୍ଲିଷ୍ଟ । ସର୍ବତ୍ର ‘ହା ଅନ୍ନ’ର ଚିତ୍କାର । ବହୁବର୍ଷହେଲା ବର୍ଷା ନାହିଁ । ଶସ୍ୟ ସମ୍ପଦ ଆଦି ଅନ୍ତର୍ହିତ । ପୃଥିବୀ ନୀରସ ଓ ଶୁଷ୍କ । କ୍ଷୁଧ୍ୱତ ଓ ତୃଷାତୁର ପ୍ରଜାଗଣ ହାହାକାର କରୁଛନ୍ତି । ଯେତେବେଳେ ମର୍ତ୍ତ୍ୟବାସୀଙ୍କର ଏହି ଶୋଚନୀୟ ଅବସ୍ଥା; ସ୍ୱର୍ଗବାସୀ ଦେବତାମାନେ ଅମୃତପାୟୀ ହୋଇ ରମ୍ଭା, ଊର୍ବଶୀ ପ୍ରଭୃତି ଅପ୍‌ସରାମାନଙ୍କର ଲାସ୍ୟ ସନ୍ଦର୍ଶନରେ ବିମୁଗ୍‌ଧ । ତପସ୍ୱୀ ବିଶ୍ୱାମିତ୍ର କ୍ଷୁଧାତୁର ହୋଇ କୌଣସି ଗୃହସ୍ଥଙ୍କୁ ଭୋଜନ ଯାଚଞ୍ଜା କଲେ । କିନ୍ତୁ ହାୟ, ଉକ୍ତ ଗୃହସ୍ଥ ପେଟ ବିକଳରେ ଖାଇବାପାଇଁ ଶ୍ୱାନ ମାଂସ ରନ୍ଧନ କରୁଥାଏ । ସେ ବିଶ୍ୱାମିତ୍ରଙ୍କୁ ଜଟା କୌପୀନବେଶୀ ତପସ୍ୱୀ ଦେଖି ଜଣାଇଲେ, ‘‘ମହାଶୟ, ଆପଣ ତପସ୍ୱୀ । ମୁଁ ଶ୍ୱାନମାଂସ ରନ୍ଧନ କରୁଛି । ଆପଣଙ୍କର ଶ୍ୱାନମାଂସ ଖାଇବାରେ କୌଣସି ଆପତ୍ତି ନାହିଁ ତ ?’’ ସମ୍ଭବତଃ ମଧ୍ୟଦେଶର ରାଜା ମହର୍ଷି ବିଶ୍ୱାମିତ୍ରଙ୍କ ପକ୍ଷରେ ଏହା ଚରମ ବିଡ଼ମ୍ବନା : ‘‘ନାଁ, ମୁଁ ମଧ୍ୟ ତୁମଭଳି ଶ୍ୱାନମାଂସ ଖାଇବି ଓ ଶ୍ୱପାକ ହେବି ।’’ ବିଶ୍ୱାମିତ୍ର ସ୍ନାନ ତର୍ପଣ ସମାପନ କରି ପ୍ରସ୍ତୁତ ପରିପାକ ଶ୍ୱାନମାଂସ ଖାଇବା ପୂର୍ବରୁ ମନ୍ତ୍ରବଳରେ ଇନ୍ଦ୍ର ପ୍ରଭୃତି ଦେବତାଙ୍କୁ ଏହି ଖାଦ୍ୟ ଅର୍ପଣ କରିବାପାଇଁ ଆହ୍ୱାନ କଲେ : ‘‘ମନୁଷ୍ୟ ଯଦି କ୍ଷୁଧାତୁର ହୋଇ ଶ୍ୱାନମାଂସ ଖାଇବ, ଦେବତାମାନେ ବାଦ୍‌ଯିବେ କାହିଁକି ? ଯୁଗେ ଯୁଗେ ମନୁଷ୍ୟ ଦେବତାଙ୍କୁ ଶସ୍ୟସମ୍ଭାରରେ ପୂଜା କରି ଆସିଛି । ଦେବମାତୃକ ଦେଶ ଆଜି ଶ୍ମଶାନରେ ପରିଣତ ହେଲାଣି । ଆଜି ବି ସେହି କ୍ରାନ୍ତିକାରୀ ମନୁଷ୍ୟ ଦେବତାଙ୍କୁ ତା’ର ଖାଦ୍ୟସମ୍ଭାର ଅର୍ପଣ କରିବ ।’’ ଯେଉଁ ବୈପ୍ଳବିକ ଚିନ୍ତା ବିଶ୍ୱାମିତ୍ରଙ୍କର ହୃଦୟକୁ ସେତେବେଳେ ଆନ୍ଦୋଳିତ କରୁଥିବ, ତାହା ଅନୁମେୟ । ମନ୍ତ୍ରାଧୀନ ଇନ୍ଦ୍ରାଦି ଦେବତାମାନେ ଆସିବାକୁ ଓ ବିଧିପ୍ରଯୁକ୍ତ ସତ୍‌କାର ଗ୍ରହଣ କରିବାକୁ ବାଧ୍ୟ । ଦେବରାଜ୍ୟ ପ୍ରକମ୍ପିତ ହେଲା । ଇନ୍ଦ୍ରାଦି ଦେବତାମାନେ ବିଶ୍ୱାମିତ୍ରଙ୍କୁ ନିବେଦନ କଲେ, ‘‘ମହର୍ଷି ବିଶ୍ୱାମିତ୍ର, ଦେବତାମାନଙ୍କୁ ବିଡ଼ମ୍ବିତ କରାଅ ନାହିଁ । ଅଚିରେ ବର୍ଷା ହେଉ, ପୃଥିବୀ ଶସ୍ୟଶ୍ୟାମଳା ହେଉ ଓ ପୃଥିବୀବାସି ଲୋକମାନେ ଶସ୍ୟସମ୍ଭାର ଓ ଗବ୍ୟାଦି ଭୋଜନ ଦ୍ରବ୍ୟରେ ଦେବତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ ।’’ ‘ଅଛି’, ‘ନାହିଁ’ର ବିକଟ ସଂଜ୍ଞାରେ ଯେଉଁ ସାମାଜିକ ତତ୍ତ୍ୱ ନିହିତ, ଯାହାର ବିଶ୍ଲେଷଣ ଆଜି ‘ସାମ୍ୟବାଦ’, ‘ସମାଜବାଦ’ ପ୍ରଭୃତି ତାତ୍ତ୍ୱିକ ଚିନ୍ତା ସୃଷ୍ଟି କରିଛ-ସେହି ତତ୍ତ୍ୱର ବ୍ୟଞ୍ଜନା ଏଠାରେ ନିହିତ । ଇନ୍ଦ୍ର ବର୍ଷାକଲେ । ପୃଥିବୀ ଶସ୍ୟଶ୍ୟାମଳା ହୋଇଛି ଓ ପ୍ରଜାମାନଙ୍କର ଦୁଃଖକଷ୍ଟ ଦୂରୀଭୂତ ହୋଇଛି । ପୃଥିବୀ ଆଜି ଧନୀ ଓ ଦରିଦ୍ର-ଏହି ଦୁଇ ଶ୍ରେଣୀରେ ବିଭକ୍ତ । ଧନୀମାନେ ଅମୃତପାୟୀ ହେବେ ଓ ଦରିଦ୍ରମାନେ ଶ୍ୱାନମାଂସ ଭକ୍ଷଣ କରିବେ, ଏହା ହୋଇପାରିବ ନାହିଁ । ବିଶ୍ୱାମିତ୍ରଙ୍କର ଏହି ଆଖ୍ୟାନ ଧନୀବ୍ୟକ୍ତିମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଉଚିତ ।

 

ବିପ୍ଳବର ଅନ୍ତ ନାହିଁ । ଭାଗ୍ୟବାନ ଓ ଜନ୍ମବାଦ ଉପରେ ପୌରୁଷର କର୍ତ୍ତୃତ୍ୱ ଜାହିର କରିବାକୁ ହେବ । ତ୍ରିଶଙ୍କୁ ଶୂଦ୍ର ହେଲେ ମଧ୍ୟ ସ୍ୱର୍ଗରେ ତା’ର ଅଧିକାର ଅଛି । କିନ୍ତୁ ମହର୍ଷି ବିଶିଷ୍ଠ ପ୍ରଭୃତି ତ୍ରିଶଙ୍କୁଙ୍କୁ ସେହି ଅଧିକାରରୁ ବଞ୍ଚିତ କରୁଛନ୍ତି । ସ୍ୱଦେହରେ ସ୍ୱର୍ଗଲାଭ କରିବା ପାଇଁ ତ୍ରିଶଙ୍କୁ ବଦ୍ଧପରିକର । ତେଣୁ ସେ ବିଶ୍ୱାମିତ୍ରଙ୍କର ଶରଣାପନ୍ନ ହେଲେ । ମହର୍ଷି ବିଶ୍ୱାମିତ୍ର ମଧ୍ୟ ତ୍ରିଶଙ୍କୁଙ୍କର ସ୍ୱର୍ଗଲାଭପାଇଁ ଯଜ୍ଞର ଆୟୋଜନ କଲେ । ନିଜର ପୁଣ୍ୟବଳରେ ବିଶ୍ୱାମିତ୍ର ତ୍ରିଶଙ୍କୁଙ୍କୁ ସ୍ୱର୍ଗଲାଭପାଇଁ ଯଜ୍ଞର ଆୟୋଜନ କଲେ । ନିଜର ପୁଣ୍ୟ ବଳରେ ବିଶ୍ୱାମିତ୍ର ତ୍ରିଶଙ୍କୁଙ୍କୁ ସ୍ୱର୍ଗକୁ ପଠାଇଲେ । ଦେବରାଜ ଇନ୍ଦ୍ର ଏହି ଗର୍ହିତ କାର୍ଯ୍ୟରେ ବାଧାଦେଇ ବଦ୍ରପ୍ରହାରରେ ତ୍ରିଶଙ୍କଙ୍କୁ ଧରାଶାୟୀ କରାଇବାକୁ ଚେଷ୍ଟାକଲେ । ବଜ୍ରାହତ ତ୍ରିଶଙ୍କୁ ବିଶ୍ୱାମିତ୍ରଙ୍କୁ ଯେତେବେଳେ କାକୁତ ପ୍ରାର୍ଥନା କଲେ, ମହର୍ଷି ଉତ୍ତର ଦେଲେ, ‘‘ତ୍ରିଶଙ୍କୁ ତୁମେ ସେହି ଅନ୍ତରୀକ୍ଷରେ ଅବସ୍ଥାନ କର । ତୁମପାଇଁ ମୁଁ ସେହିଠାରେ ହିଁ ସ୍ୱର୍ଗ ରଚନା କରିବି ।’’ ସେହି ଦକ୍ଷିଣ ଦିଗର ଅନ୍ତରୀକ୍ଷ ମଧ୍ୟରେ ତ୍ରିଶଙ୍କୁଙ୍କର ସ୍ୱର୍ଗ କଳ୍ପିତ ହେଲା ଏବଂ ସେଥି ସହିତ ଦିବ୍ୟ ସପ୍ତର୍ଷି ମଣ୍ଡଳର ଅନୁରୂପରେ ଦକ୍ଷିଣ ଦିଗରେ ଅନ୍ୟ ଏକ ସପ୍ତର୍ଷି ମଣ୍ଡଳ ସୃଷ୍ଟି କରାଗଲା ।

 

ସେଦିନ ଅଜୀଗର୍ତ୍ତଙ୍କର ମଧ୍ୟମପୁତ୍ର ଶୁନଶେଫ ଯଜ୍ଞୀୟ ପଶୁଭାବରେ ବରୁଣଦେବତାଙ୍କ ନିକଟରେ ବଳିପଡ଼ିବାକୁ ଯାଉଥାଏ । କିନ୍ତୁ କାରୁଣିକ ବିଶ୍ୱାମିତ୍ର ଏ ନରମେଧ ଯଜ୍ଞର ବିରୋଧ କଲେ । ସେ ଦମ୍ଭର ସହିତ ରାଜବ୍ୟୂହରୁ ଶୁନଶେଫଙ୍କୁ ମୁକ୍ତକଲେ । କାକୁସ୍ଥ ଅମ୍ବରୀଷଙ୍କୁ ଯଜ୍ଞଫଳ ପ୍ରଦାନ କରି ବରୁଣଙ୍କ ଉଦ୍ଦେଶ୍ୟରେ ସ୍ତୁତି ରଚନା କରିବା ପାଇଁ ପୁତ୍ରକଳ୍ପ ଶୂନଶେଫଙ୍କ ନିର୍ଦ୍ଦେଶଦେଲେ ।

 

ବିନ୍ଧ୍ୟାଞ୍ଚଳର ନିବାସୀ ନିଷାଦମାନଙ୍କୁ ମନ୍ତ୍ରଦୀକ୍ଷିତ କରି ବ୍ରାହ୍ମଣ ଭାବରେ ଗ୍ରହଣ କରିବାପାଇଁ ତାଙ୍କର ଚେଷ୍ଟା ତଦନାନ୍ତୀନ ଯୁଗରେ ନିଶ୍ଚୟ କ୍ରାନ୍ତିକାରୀ । ଏଥିରେ ନିଜର ପୁତ୍ର ମଧୁଛନ୍ଦ ପ୍ରଭୃତି ବାଧାଦେବାରୁ ସେ ସେମାନଙ୍କୁ ଅଭିଶପ୍ତ ଓ ନିହତ କରିବା ପାଇଁ ମଧ୍ୟ ପଶ୍ଚାତ୍‌ପଦ ହେଲେ ନାହିଁ ।

 

ବଶିଷ୍ଠଙ୍କର ସ୍ୱୀକାର ଲାଭ ନକଲା ପର୍ଯ୍ୟନ୍ତ ନିଜେ ସ୍ୱକୀୟ ତପସ୍ୟା ଓ ପୌରୁଷ ମାଧ୍ୟମରେ ବ୍ରହ୍ମର୍ଷି ହେବାପାଇଁ ଯେଉଁ ଅଭୀପ୍‌ସା ପୋଷଣ କରିଥିଲେ ତାହା ଅପୂର୍ଣ୍ଣ ରହିଯିବ । ଉଗ୍ରତପା ବ୍ରହ୍ମର୍ଷି ସ୍ୱାଭିମାନରେ ଲୋକୋତ୍ତର ତପସ୍ୟାରେ ପ୍ରବୃତ୍ତହେଲେ । ସ୍ୱାଭିମାନ ଓ ପୌରୁଷବଶତଃ କ୍ରୋଧର ଧୂମଶିଖା ତାଙ୍କର ବକ୍ଷଦେଶରୁ ନିର୍ଗତ ହୋଇ କାଳାନଳପରି ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧ୍ୱଂସ କରିଦେବାକୁ ବସିଲା । ଦେବତାମାନେ ଏହି ପ୍ରଳୟସଂକାଶ ମୂର୍ତ୍ତିରେ ପ୍ରମାଦ ଗଣିଲେ । ପବନର ଗତି ମନ୍ଦ ହୋଇଗଲା; ସୂର୍ଯ୍ୟ, ଅଗ୍ନି ନିଷ୍ପଭ୍ର ହେବାକୁ ଲାଗିଲେ । ଗ୍ରହନକ୍ଷତ୍ର ନିଜର କକ୍ଷପଥରେ ପ୍ରକମ୍ପିତ ହୋଇ କକ୍ଷଚ୍ୟୁତ ହେବାକୁ ବସିଲେ । ସମୁଦ୍ରବେଳାଭୂମି ଲଙ୍ଘନ କରିବାକୁ ଉଦ୍ୟତ ହେଲା । ବିଶ୍ୱାମିତ୍ରଙ୍କର ଐକିକ ସତ୍ୟାଗ୍ରହରେ ଜାଗତିକ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଲା । ସ୍ୱୟଂ ବ୍ରହ୍ମା ବିଶ୍ୱକୁ ଏହି ପରାଭବରୁ ରକ୍ଷା କରିବାପାଇଁ ବିଶ୍ୱାମିତ୍ରଙ୍କୁ ବ୍ରହ୍ମର୍ଷି ପଦରେ ଭୂଷିତକଲେ । ପୌରୁଷର ବିଜୟ ଘଟିଲା; କିନ୍ତୁ ଜିତେନ୍ଦ୍ରିୟ ବଶିଷ୍ଠ ତଥାପି ମଧ୍ୟ ବିଶ୍ୱାମିତ୍ରଙ୍କୁ ବ୍ରହ୍ମର୍ଷିଭାବରେ ସାମାଜିକ ସ୍ୱୀକୃତି ଦେଲେ ନାହିଁ ।

 

ଅମିତଯଶା ବିଶ୍ୱାମିତ୍ର ପ୍ରତିଶୋଧ ନେବାପାଇଁ ଯଜ୍ଞକାର୍ଯ୍ୟରେ ବିଶିଷ୍ଠଙ୍କୁ ପୌରୋହିତ୍ୟ କରିବାକୁ ନିମନ୍ତ୍ରଣ କଲେ । ଏହି ଯଜ୍ଞ ହେବ ‘ବଶିଷ୍ଠମାରଣ ଯଜ୍ଞ’ । ସ୍ଥିତଧୀ ବଶିଷ୍ଠ ସମ୍ମତି ଦେଲେ-। ଯଜ୍ଞ ବିଧିପୂର୍ବକ ଅନୁଷ୍ଠିତ ହେବାକୁ ଲାଗିଲା । ମହାତ୍ମା ବଶିଷ୍ଠଙ୍କର ଜୀବନ ଧୀରେ ଧୀରେ ଅବସନ୍ନ ଓ ଲୁପ୍ତ ହେଉଥାଏ । ତଥାପି ବଶିଷ୍ଠ ଅଚଞ୍ଚଳ ଓ ଧୀର, ସ୍ଥିର । ବିଶ୍ୱାମିତ୍ରଙ୍କର ହୃଦୟ ବିଗଳିତ ହେଲା । ଚରମ ଦୁର୍ଯୋଗ ମଧ୍ୟରେ ବଶିଷ୍ଠଙ୍କର ନିଷ୍ପାପ ସ୍ୱଭାବ ଓ ତ୍ୟାଗପରାୟଣତା ତାଙ୍କୁ ମୁହ୍ୟମାନ କଲା । ସେ ଅଭିମାନ ରଖିପାରିଲେ ନାହିଁ । ‘‘ନାଁ, ମୁଁ ପଛେ ବ୍ରହ୍ମର୍ଷି ନହୁଏ, ଚଣ୍ଡାଳ ହୋଇ ରହେ, ବଶିଷ୍ଠଙ୍କ ପରି ସ୍ଥିତଧୀ ମହାତ୍ମା ପୃଥିବୀରୁ ବିଦାୟ ନ ନିଅନ୍ତୁ-।’’ ଯଜ୍ଞାନୁଷ୍ଠାନ ଭାଙ୍ଗିଦେଇ ଗାଧିପୁତ୍ର ବିଶ୍ୱାମିତ୍ର ବଶିଷ୍ଠଙ୍କର ପଦ ଧରି କହିଲେ, ‘‘ପ୍ରଭୋ, ମୋର ବ୍ରହ୍ମର୍ଷି ହେବା ଆବଶ୍ୟକ ନାହିଁ ।’’ ପ୍ରଥମ ଥର ପାଇଁ ବିଶ୍ୱାମିତ୍ରଙ୍କର ଗଣ୍ଡଦେଶ ଅଶ୍ରୁସିକ୍ତ । ‘‘ଏ କ’ଣ କରୁଛ ବିଶ୍ୱାମିତ୍ର ! ମୁଁ ବ୍ରାହ୍ମଣ, ଯଜ୍ଞର ଆବାହକ । ମୋତେ ଏହି ବଶିଷ୍ଠ-ମାରଣ ଯଜ୍ଞ ସଂପୂର୍ଣ୍ଣ କରିବାକୁ ହେବ । ସାମାନ୍ୟ ଜୀବନ ପାଇଁ କୌଣସି ବ୍ରାହ୍ମଣ ଯଜ୍ଞକୁ ଅପୂର୍ଣ୍ଣ ରଖିପାରେ ନାହିଁ ।’’ ବଶିଷ୍ଠ ଉତ୍ତର ଦେଲେ ।

 

‘‘ଆଉ ଲଜ୍ଜା ଦିଅନ୍ତୁ ନାହିଁ ବ୍ରହ୍ମର୍ଷି ! ଅଭିଯାନ ଓ କ୍ରୋଧରେ ପୌରୁଷ ସାର୍ଥକ ହୋଇ ପାରେନା । ମୁଁ ସ୍ୱାଭିମାନୀ; ତେଣୁ ପୌରୁଷକୁ ଜାହିର କରିବା ପାଇଁ ଯେଉଁ କ୍ରୋଧର ଦ୍ୟୋତନା ପ୍ରକାଶ କରିଛି; ତାହା ମୁଁ ହୃଦୟଙ୍ଗମ କରୁଛି । ଦୟାକରି ଏହି ଯଜ୍ଞ ବନ୍ଦ କରନ୍ତୁ ।’’ —ବିଶ୍ୱାମିତ୍ର ନିବେଦନ ଜଣାଇଲେ ।

 

ବଶିଷ୍ଠଙ୍କ ମୁଖରେ ସ୍ମିତହାସ୍ୟ । ପ୍ରଶାନ୍ତ ଲଲାଟ ତାଙ୍କର କରୁଣାରେ ଦୀପ୍ତ । ‘‘ବ୍ରହ୍ମର୍ଷି ବିଶ୍ୱାମିତ୍ର ! ଆସ, ତୁମେ ଏବେ ଯଥାର୍ଥରେ ବ୍ରହ୍ମର୍ଷି ହେଲ । ପୌରୁଷ ତୁମର କ୍ରୋଧରେ ଆଧାରିତ ନୁହେଁ; ତାହା ସ୍ୱାଭାବିକ ହୋଇଛି । ତୁମ ବିପ୍ଳବ ମୃତ୍ୟଞ୍ଜୟୀ ହୋଇଛି ।’’

 

ବିଶ୍ୱାମିତ୍ର ବ୍ରହ୍ମର୍ଷି ହେଲେ । ଜନ୍ମବାଦ ଉପରେ କାର୍ଯ୍ୟ ଓ ସ୍ୱଭାବପ୍ରସୂତ ପୌରୁଷ ବିଜୟୀ ହେଲା । ବ୍ରହ୍ମର୍ଷି ବିଶ୍ୱାମିତ୍ର ଆଜି ପରମକାରୁଣିକ ହେଲେ । ଯେଉଁ ବିଶ୍ୱାମିତ୍ର ପ୍ରଥମେ ପ୍ରଚଳିତ ପ୍ରଥାର ବିରୋଧ କରିବାରୁ ଭୟସଂକାଶ ହୋଇଥିଲେ, ଆଜି ହୃଦ୍ୟତାବଶତଃ ସମଗ୍ର ପୃଥିବୀ ତାଙ୍କର ପରିବର୍ତ୍ତିତ ଚିନ୍ତାକୁ ନୂତନ ଓ ଅଭିନବ ସୃଷ୍ଟିରୂପେ ସ୍ୱାଗତ କରିନେଲା । ଅର୍ଥନୀତି, ସମାଜନୀତି ଓ ରାଜ୍ୟଶାସନ—ସବୁସ୍ତରରେ ତାଙ୍କର ପ୍ରଭାବ ଅନୁଭୂତ ହେଲା । ତେଣୁ ବିଶ୍ୱାମିତ୍ରଙ୍କୁ ନୂତନ ସ୍ରଷ୍ଟାରୂପେ ସମଗ୍ର ବିଶ୍ୱ ସମ୍ମାନ ଦେଲା । ବହୁ ସମ୍ମାନିତ ଆଦୃତ ଗାୟତ୍ରିମନ୍ତ୍ରର ସେ ଦିବ୍ୟଦ୍ରଷ୍ଟା । ‘‘ସେହି ସବିତାଦେବଙ୍କର ସୁମହାନ୍‌ ପ୍ରକାଶ ଆମ୍ଭମାନଙ୍କୁ ବିଚାରଶୀଳ କରୁ, ଆମ୍ଭେମାନେ ପ୍ରଜ୍ଞାମାର୍ଗରେ ଅନୁପ୍ରେରିତ ହେଉ’’—ଏହି ମହତ୍ତମ ବାଣୀକୁ ପ୍ରଚାର କରି ମହର୍ଷି ବିଶ୍ୱାମିତ୍ର ମନୁଷ୍ୟ ବିଚାରରେ ପ୍ରଜ୍ଞା ବା ହେତୁବାଦର ଆନୟନ କଲେ ।

 

ଭାରତବର୍ଷରେ ଜନ୍ମବାଦ ଓ ପୌରୁଷ ମଧ୍ୟରେ ବହୁକାଳଯାବତ୍‌ ସଂଘର୍ଷ ଲାଗି ରହିଛି । ଜନ୍ମବାଦରୁ ଜାତିର ସୃଷ୍ଟି ଏବଂ ପ୍ରତ୍ୟେକ ଜାତି କୌଣସି କର୍ମରେ ନିଷ୍ଣାତ । ଏହାହିଁ ସେମାନଙ୍କର କୌଳିକ କର୍ମ ରୂପେ ଗୃହୀତ; କିନ୍ତୁ ସମୟକ୍ରମେ ଜାତିସ୍ତର ଅନତିକ୍ରମଣୀୟ ହେବାରୁ ସଂଘର୍ଷର ସୂତ୍ରପାତ ହେଲା । ବିଶ୍ୱାମିତ୍ର ଜନ୍ମଗତ କର୍ମକୁ ପ୍ରଥମେ ଅସ୍ୱୀକାର କଲେ । ‘ପୌରୁଷ’ ଓ ‘ଜନ୍ମ’-ପରସ୍ପରର ସଂଘାତରେ ସେ ପୌରୁଷକୁ ଅଧିକ ଗୁରୁତ୍ୱ ଦେଲେ । ପୁରୁଷକାର ଆଗରେ ଜନ୍ମବାଦ ନ୍ୟୂନ—ଏହା ହିଁ ସେ ପ୍ରଥମେ ପ୍ରତିପାଦନ କଲେ । ପରବର୍ତ୍ତୀ କାଳରେ ସେ ନିଜେ ଉଭୟର ଗୁରୁତ୍ୱ ସ୍ୱୀକାର କରି ଜନ୍ମବାଦ ଓ ପୌରୁଷ ମଧ୍ୟରେ ମଧୁର ସମନ୍ୱୟ ଆଣିଛନ୍ତି ।

 

ଆଜି ସମାଜରେ ଜାତିପ୍ରଥା ଭାଙ୍ଗି ଭାଙ୍ଗି ଯାଉଛି । ଅବସ୍ଥାଚକ୍ରରେ ଭାଙ୍ଗିଯିବା ମଧ୍ୟ ଆବଶ୍ୟକ ହେଉଛି । କିନ୍ତୁ କର୍ମକୁଶଳତା ପାଇଁ ଯେଉଁ ପୁରୁଷକାର ଅଭିବ୍ୟକ୍ତି ହେବାର କଥା; ତାହା ଦେଖାଯାଉନାହିଁ । ବିଶ୍ୱାମିତ୍ରଙ୍କ ଜୀବନଚରିତରୁ ଆମ ସମାଜ ସେହି ପୌରୁଷର ମହତ୍ତ୍ୱ ଶିକ୍ଷା କରିବା ଉଚିତ । ଅନ୍ୟ ପକ୍ଷରେ ସମାଜର କୌଣସି ଶ୍ରେଣୀ ପ୍ରତି କ୍ରୋଧପରାୟଣତା ପୌରୁଷକୁ ପୁଷ୍ଟ କରି ନପାରେ । ସେଥିପାଇଁ କ୍ରୋଧଶୂନ୍ୟତା ଓ ନିର୍ମଳ ପ୍ରଜ୍ଞା ଆମକୁ ଯଥାର୍ଥରେ ପୌରୁଷସମ୍ପନ୍ନ କରିବ । ହିଂସାର ଆଚରଣରେ ସାମାଜିକ ପରିବର୍ତ୍ତନ ଘଟିପାରେ; କିନ୍ତୁ ଭାରତୀୟ ସମାଜ ଓ ପରମ୍ପରାରେ ତାହା ବନ୍ଧ୍ୟ ହେବ । ସେଥିପାଇଁ ଆମର ସମସ୍ତ ପରିବର୍ତ୍ତନ ଓ ବିବର୍ତ୍ତନ ଅହିଂସ ହେବା ଉଚିତ । ଏହି ମାର୍ଗ ଅତ୍ୟନ୍ତ କଷ୍ଟକର । ତେଣୁ ଆମର ସାମାଜିକ ବିପ୍ଳବୀମାନେ ବିଶ୍ୱାମିତ୍ରଙ୍କ ମହନୀୟତାରୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବା ଉଚିତ ।

Image

 

ମହାତ୍ମା ବୁଦ୍ଧ

 

ସେଦିନ ଥିଲା ବୈଶାଖ ପୂର୍ଣ୍ଣିମା । ଅନ୍ତସତ୍ତ୍ୱା ମାୟାଦେବୀ କପିଳାବାସ୍ତୁରୁ ନିଜର ପିତୃଗୃହ କୋଳି ଅଭିମୁଖେ ଯାତ୍ରାକରୁଥାନ୍ତି । ସାଥିରେ ସ୍ନେହଶୀଳା ଭଉଣୀ ତଥା ସପତ୍ନୀ ମହା-ପ୍ରଜାପତି ଓ ଅନ୍ୟାନ୍ୟ ପରିଜନମାନେ ମହାରାଣୀଙ୍କର ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରୁଥା’ନ୍ତି । ଏକ ସ୍ୱର୍ଣ୍ଣନିର୍ମିତ ଶିବିକାରେ ମାୟାଦେବୀ ଆସୀନା । କପିଳାବାସ୍ତୁରୁ କୋଳି ପର୍ଯ୍ୟନ୍ତ ସମସ୍ତ ପଥ ସମତଳ ଓ ସଜ୍ଜିତ କରାଯାଇଥାଏ । ପଥର ଦୁଇପାର୍ଶ୍ୱରେ ରମ୍ଭା ବୃକ୍ଷର ସୁରମ୍ୟ ତୋରଣ । ସୁବାସିତ ନିର୍ମଳ ଜଳର ସହସ୍ର କୁମ୍ଭ ପଥ ମଧ୍ୟରେ ଅବସ୍ଥାପିତ ହୋଇଥାଏ । ପଥ ମଧ୍ୟରେ ଏକ ନିଘଞ୍ଚ ଶାଳବନ । ନିକଟସ୍ଥ ଏକ ସ୍ୱଚ୍ଛସଲିଳ ପୁଷ୍କରିଣୀରେ ପଦ୍ମବନ ଶୋଭା ପାଉଥାଏ । ସହସା ଉଦ୍‌ଗତ ଏକ ମୃଣାଳଦଣ୍ଡରୁ ପଞ୍ଚସଂଖ୍ୟକ ଶୁଭ୍ରପଦ୍ମ ବିକସିତ ହୋଇ ସମଗ୍ର ବନଭୂମିକୁ ସୌରଭମୟ କରିଦେଲା । ସେତେବେଳେ ସୂର୍ଯ୍ୟଙ୍କର ଉତ୍ତାପ ସମଶୀତୋଷ୍ଣ । ତରୁଲତା ନୂତନ ପୁଷ୍ପ ଓ କିଶଳୟରେ ବିମଣ୍ଡିତ । ପକ୍ଷୀମାନଙ୍କର ମଧୁର କାକଳୀ ଜନ-ମନକୁ ମୁଗ୍‌ଧ କରୁଥାଏ । ସତେ ଅବା ସମସ୍ତ ବନପ୍ରକୃତି ଅହେତୁକ ଉଲ୍ଲାସରେ ଉତ୍ସବମୟ ହୋଇଉଠିଛି । ମହାରାଣୀ ମାୟାଦେବୀ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ସେଠାରେ କିଛି ସମୟ ବିଶ୍ରାମ କରିବା ପାଇଁ ଚାହିଁଲେ । ଦୁଇଟି ପଲ୍ଲବିତ ଓ ପୁଷ୍ପିତ ଶାଳତରୁ ମଧ୍ୟରେ ତାଙ୍କର ଶିବିକା ରଖାହେଲା । ହଠାତ୍‌ ଲୋଭନୀୟ ଶାଳଭଞ୍ଜିକାର ରୂପକଳ୍ପ ମାୟାଦେବୀଙ୍କ ମନକୁ ସ୍ପର୍ଶକଲା । ସେ ଉତ୍ତୁଙ୍ଗ ଏକ ଶାଖା ପ୍ରତି ହସ୍ତ-ପ୍ରସାରଣ କଲେ । ତାହା ବହୁ ଉଚ୍ଚରେ ଥିଲା । ବୃକ୍ଷଟି ଆଶ୍ଚର୍ଯ୍ୟଜନକ ଭାବେ ଧୀରେ ଧୀରେ ଅନମିତ ହୋଇଆସିଲା ଏବଂ ମହାରାଣୀ ପଲ୍ଲବିତ ବିଟପକୁ ଭାଙ୍ଗିଆଣି ସେଥିରେ ଉପବେଶନ କଲେ । ପରମୁହୂର୍ତ୍ତରେ ସେ ଗର୍ଭବେଦନା ଅନୁଭବ କଲେ । କିଛି ସମୟ ପରେ ସେହି ସୁରମ୍ୟ ପ୍ରଚ୍ଛାୟଶୀତଳ ବନଭୂମିରେ ଜନ୍ମ ନେଲେ ଏକ ଶିଶୁ ସନ୍ତାନ; ଯିଏ କି ପରବର୍ତ୍ତୀ ସମୟରେ ତମସାଚ୍ଛନ୍ନ ପୃଥିବୀର ଉଜ୍ଜ୍ୱଳ ଦୀପଶିଖା ପରି ଅଜ୍ଞାନାନ୍ଧକାରକୁ ଦୂରକରି ମହାତ୍ମା ବୁଦ୍ଧରୂପେ ପରିଚିତ ହେଲେ ।

 

କଥିତ ଅଛି, ପ୍ରଥମେ ଏହି ଶିଶୁପୁତ୍ରକୁ ଚାରିଜଣ ବେଦଜ୍ଞ ବ୍ରାହ୍ମଣ ସୁବର୍ଣ୍ଣନିର୍ମିତ ତନ୍ତୁଶଯ୍ୟାରେ ଗ୍ରହଣ କଲେ ଏବଂ ନବପ୍ରସୂତି ମାୟାଦେବୀଙ୍କ ସମ୍ମୁଖକୁ ଆଣି କହିଲେ, ‘‘ଏହି କମନୀୟ ସନ୍ତାନକୁ ଦେଖି ତୁମେ ଉଲ୍ଲସିତା ହୁଅ । ତୁମର ରତ୍ନଗର୍ଭର ଏ ହେଉଛି ଅମୂଲ୍ୟନିଧି ।’’ ବ୍ରାହ୍ମଣମାନଙ୍କ ହସ୍ତରୁ ଚାରିଜଣ ଦେବତା ଏହି ଶିଶୁ-ସନ୍ତାନକୁ ଗ୍ରହଣକରି ଆର୍ଶୀବାଦ କଲେ । ତତ୍ପରେ ଦିଗ୍‌ପାଳ ଦେବତାମାନେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଏହି ଶିଶୁଟିକୁ ସମର୍ପଣ କଲେ । ସେମାନେ ଶୁଭ୍ର ତୂଳିକ ଶଯ୍ୟାରେ ଶିଶୁପୁତ୍ରକୁ ଦେଖି ଆନନ୍ଦିତ ହେଲେ । ଏହି ସମୟରେ ସେହି ଶିଶୁପୁତ୍ର ଧୀରଭାବରେ ଭୂମିରେ ପାଦ ରଖି ପ୍ରାଙ୍‌ମୁଖ ହୋଇ ଦଣ୍ଡାୟମାନ ହେଲେ । ସମସ୍ତ ଦେବତା ସ୍ତୁତି କରିବାକୁ ଲାଗିଲେ–‘‘ମହନୀୟ ପୁରୁଷୋତ୍ତମ ଜନ୍ମ ନେଇଛନ୍ତି; ଏକ ଅତୁଳନୀୟ ପ୍ରତିଭା ବିଗ୍ରହ ଧାରଣ କରିଛନ୍ତି ।’’ ଶିଶୁପୁତ୍ର ଅନ୍ୟ ତିନିଦିଗକୁ ଦୃଷ୍ଟିପାତ କଲେ । ନିଜର କମନୀୟ ଭ୍ରୂଲତାକୁ ଊର୍ଦ୍ଧ୍ୱଭାଗ ଓ ଅଧଃଭାଗରେ ନିକ୍ଷେପକରି ଉତ୍ତାନପାଦ ହୋଇ ସପ୍ତପଦ ଅତିକ୍ରମ କରି ଉତ୍ତର-ଦିଗକୁ ଡେଇଁପଡ଼ିଲେ । ଏହି ସମୟରେ ପ୍ରବେପିତ କୋମଳ ଅଧରରୁ ମଧୁରବାଣୀ ନିସୃତ ହେଲା–‘‘ଏ ହେଉଛି ମୋର ଶେଷ ଜନ୍ମ, ମୋର ଆତ୍ମା ମୁକ୍ତ ଓ ନିଷ୍ପାପ । ଏହି ଜନ୍ମରେ ମୁଁ ଜନ୍ମାନ୍ତର ବନ୍ଧନରୁ ମୁକ୍ତିଲାଭ କରି ନିର୍ବାଣପ୍ରାପ୍ତ ହେବି । ମୁଁ ସବୁ ପ୍ରାଣୀ ମଧ୍ୟରେ ଶ୍ରେଷ୍ଠ-।’’ ତତ୍ପରେ ସେ ସ୍ଥିରଭାବରେ ଉତ୍ତର ଦିଗକୁ ପରିକ୍ରମଣ କରିବାରେ ଲାଗିଲେ । ଏହି ମହାନ୍‌ ଶିଶୁଙ୍କୁ ସମ୍ମାନ ପ୍ରଦର୍ଶନ କରିବାପାଇଁ ସ୍ୱର୍ଗ ଓ ମର୍ତ୍ତ୍ୟ ସମ୍ମିଳିତ ହୋଇଗଲେ । ମାୟାଦେବୀଙ୍କ ଇଚ୍ଛାରେ ସେଦିନ ପୁଷ୍ପିତ ବୃକ୍ଷଟି ଆପେ ଆପେ ନଇଁଆସିଥିଲା । ଦେବାଙ୍ଗନାମାନେ ନୃତ୍ୟ କରିଥିଲେ ଓ ଅନ୍ତରୀକ୍ଷରୁ ବିଦ୍ୟାଧରମାନେ ପୁଷ୍ପବୃଷ୍ଟି କରିଥିଲେ । ଏହି ସନ୍ତାନ ଜନ୍ମନେବା ପୂର୍ବରୁ ତାଙ୍କର ମାତା ମାୟାଦେବୀ ଏକ ଅଦ୍‌ଭୂତ ସ୍ୱପ୍ନ ଦେଖିଥିଲେ । ସେ ସ୍ୱପ୍ନାନୁଭୂତିରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରୁଛନ୍ତି । ଏକ ଶୁଭ୍ରହସ୍ତୀ ବିକଶିତ ପଦ୍ମଫୁଲ ଧରି ତାଙ୍କର ଶରୀରରେ ପ୍ରବେଶ କରୁଛି । ଦୈବଜ୍ଞ ବ୍ରାହ୍ମଣମାନେ ଏହି ସ୍ୱପ୍ନବୃତ୍ତାନ୍ତ ଶୁଣି କହିଥିଲେ, ‘‘ଜନ୍ମିତ ସନ୍ତାନ ହୁଏତ ରାଜଚକ୍ରବର୍ତ୍ତୀ ହେବେ କିମ୍ବା ତଥାଗତ ଭାବରେ ଏହି ପୃଥିବୀରୁ ଅଜ୍ଞାନ ତମିସ୍ରାକୁ ଦୂର କରିବେ ।’’ ମାୟାଦେବୀଙ୍କର ପୁଂସବନ ପରେ ବହୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଅନ୍ଧବ୍ୟକ୍ତି ଚକ୍ଷୁ ଫେରିପାଇଥିଲେ, ମୂକ ଓ ବଧିର କଥା କହିଲେ ଓ ଶୁଣିଲେ, କୁଜା ବ୍ୟକ୍ତି ସିଧାସଳଖ ହେଲେ; ପଙ୍ଗୁ ଚାଲିବାପାଇଁ କ୍ଷମ ହେଲେ ଏବଂ ବନ୍ଦୀମାନେ ମୁକ୍ତିଲାଭ କଲେ । ସମସ୍ତ ପ୍ରକୃତି ପ୍ରଶାନ୍ତ ଓ ରମଣୀୟ ହେଲା । ଗର୍ଭସ୍ଥିତ ସେହି ସନ୍ତାନ ନିଜର ଉଜ୍ଜ୍ୱଳତା ହେତୁ ପଦ୍ମାସନରେ ବସିଲା ପରି ଦେଖାଯାଉଥିଲେ ।

 

ବହିର୍ନିଷ୍କ୍ରାମଣ ପରେ ଏକଦା ଏହି ଶିଶୁପୁତ୍ର ଉତ୍ତାନ ପ୍ରାଙ୍ଗଣରେ ପଦ୍ମାସନରେ ବସିଥିବାର ଦେଖାଗଲା । ସେତେବେଳେ ଏକ ଶାଳବୃକ୍ଷର ଛାୟା ସୂର୍ଯ୍ୟଥିବା ଦିଗକୁ ପ୍ରସାରିତ ହୋଇ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଶିଶୁଟିକୁ ସୁଶୀତଳ ଛାୟା ପ୍ରଦାନ କରୁଥିଲା । ଏହି ପୁତ୍ର ଗୌତମ ନାମରେ ପରିଚିତ ହେଲେ ।

 

ଜନ୍ମ ହେବାର ଏକ ସପ୍ତାହ ପରେ ମହୀୟସୀ ମାୟାଦେବୀଙ୍କର ମୃତ୍ୟୁ ହେଲା । ତଦବଧି ମହାପ୍ରଜାପତି ଏହି ଶିଶୁ-ସନ୍ତାନକୁ ଯତ୍ନର ସହିତ ଲାଳନପାଳନ କରିଥିଲେ । ଜନ୍ମ ସମୟରୁ ଶିଶୁପୁତ୍ରଠାରେ ଅଲୌକିକ ବୈରାଗ୍ୟ ଲକ୍ଷଣ ଦେଖି ପିତା ଶୁଦ୍ଧୋଦନ ତାଙ୍କୁ ଆସକ୍ତି ମାର୍ଗରେ ପ୍ରବୃତ୍ତ କରିବାପାଇଁ ଚେଷ୍ଟା କରିଥିଲେ । ସେ ଯଥାସମୟରେ ନିଜ ପୁତ୍ରକୁ ସୁନ୍ଦରୀ ଯଶୋଧାରାଙ୍କ ସହିତ ବିବାହ କରିଦେଇଥିଲେ । ଶତ ସଂଖ୍ୟକ ସୁନ୍ଦରୀ ରାଜକନ୍ୟା ଗୌତମଙ୍କ ସେବା ଓ ପରିଚର୍ଯ୍ୟାରେ ନିଯୁକ୍ତ ଥିଲ

 

ଏହି ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ମଧ୍ୟରେ ଗୌତମ ଶାନ୍ତି ପାଇଲେ ନାହିଁ । ସେ ବହୁ ସମୟରେ ଚିନ୍ତାଶୀଳ ରହୁଥିଲେ । ବିବିକ୍ତ ସ୍ଥଳରେ ନିଜ ପୁତ୍ରକୁ ଚିନ୍ତାକୁଳ ଓ ଅନ୍ୟମନସ୍କ ରହିବାର ଦେଖି ଶୁଦ୍ଧୋଦନ ବହୁ ସମୟରେ ଅଧୀର ହୋଇପଡ଼ୁଥିଲେ । ସମୟକ୍ରମେ ଏହି ତରୁଣ ଦମ୍ପତି ଏକ ପୁତ୍ର-ସନ୍ତାନ ଲାଭକରିଥିଲେ ଓ ଏହି ଶିଶୁପୁତ୍ର ରାହୁଳ ନାମରେ ପରିଚିତ ହେଲେ ।

 

ଏକଦା ରାଜପୁତ୍ର ଗୌତମ ପ୍ରମୋଦ ଉଦ୍ୟାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ । ସାରଥି ଏକ ସୁସଜ୍ଜିତ ରଥରେ ରାଜପୁତ୍ରଙ୍କୁ ବସାଇ ପ୍ରମୋଦ ଉଦ୍ୟାନକୁ ନେଉଥାନ୍ତି । ପଥ ମଧ୍ୟରେ ଜଣେ ଶୁଷ୍କ ଶରୀର, ଲୁଳିତଚର୍ମା, ପଳିତକେଶ, ଦନ୍ତ-ହୀନ ସ୍ନାୟୁନଦ୍ଧ ବୃଦ୍ଧ ଯଷ୍ଟି ଉପରେ ଦେହଭାର ଦେଇ ଯାଉଥାଏ । ରାଜପୁତ୍ର ଗୌତମ ସାରଥି ଚାନ୍ନାକୁ ପ୍ରଶ୍ନ କଲେ–

 

କିଂ ସାରଥେ ପୁରୁଷଦୁର୍ବଳ ଅଳ୍ପସ୍ଥାମ

ଉଚ୍ଛୃ ଷ୍କମାଂସରୁଧିରତ୍ୱ ଚ ସ୍ନାୟୁନଦ୍ଧଃ ।

ଶ୍ୱେତଶିରୋ ବିରଳଦନ୍ତକୃଶାଙ୍ଗରୂପ

ଆଲମ୍ୱଦଣ୍ଡବ୍ରଜରେହ ସୁଖଂ ସ୍ଖଳନ୍ତ ।’’

 

(ଲଳିତବିସ୍ତର)

 

ସାରଥି ଉତ୍ତର ଦେଲେ—‘‘ଦେବ, ଏ ଜଣେ ଜରାଗ୍ରସ୍ତ ବୃଦ୍ଧ । ଅଧୁନା ବଳ ବୀର୍ଯ୍ୟ-ହୀନ, କ୍ଷୀଣେନ୍ଦ୍ରିୟ ଓ ଦୁଃଖିତ । ଏହି ବ୍ୟକ୍ତିଟି ସ୍ଥାଣୁ ବୃକ୍ଷ ପରି ଆତ୍ମୀୟମାନଙ୍କଦ୍ୱାରା ପରିତ୍ୟକ୍ତ ହୋଇଛି ।’’ କାରୁଣିକ ରାଜପୁତ୍ର ଦୁଃଖରେ ଅଭିଭୂତ ହୋଇ ପ୍ରଶ୍ନ କଲେ, ‘‘ସାରଥି ! ଏହି ଅବସ୍ଥା ଏକ ବ୍ୟକ୍ତିଗତ କରୁଣତା, ନା ସମସ୍ତଙ୍କ ଭାଗ୍ୟରେ ଏହା ହିଁ ଘଟିଥାଏ ? ମୋତେ ଶୀଘ୍ର ଏହାର କାରଣ କହ, ମୁଁ ଏହି ଦୁଃଖାଶୟ ଉପରେ ଅନୁଚିନ୍ତା କରିବି ।’’ ସାରଥି ଉତ୍ତର ଦେଲେ–‘‘ଦେବପୁତ୍ର, ଏହା ଏକ ସାର୍ବଜନୀନ ସତ୍ୟ । ପ୍ରତ୍ୟେକ ପୁରୁଷ ଓ ନାରୀ ଦିନେ ନା ଦିନେ ଏହି ଅବସ୍ଥା ଭୋଗକରିବେ । ଆପଣଙ୍କର ପିତାମାତା, ବନ୍ଧୁବର୍ଗ ଏବଂ ସ୍ୱୟଂ ଆପଣ ମଧ୍ୟ ନିଶ୍ଚିତଭାବରେ ଜରାଗ୍ରସ୍ତ ହେବେ ।’’

 

‘‘ନୈତସ୍ୟ ଦେବ କୁଳଧର୍ମ ନ ରାଷ୍ଟ୍ରଧର୍ମଃ

ସର୍ବେ ଜନସ୍ୟ ଜରାଯୌବନ ଧର୍ଷୟତି ।

ତୁଭ୍ୟଂପି ମାତୃପିତୃବାନ୍ଧବଜ୍ଞାତିସଙ୍ଘୋ

ନରୟା ଅମୁକ୍ତଂ ନ ହି ଅନ୍ୟଗତିର୍ଜନସ୍ୟ ।’’

 

(ଲଳିତବିସ୍ତର)

 

ରାଜପୁତ୍ରଙ୍କର ସୁସଜ୍ଜିତ ରଥ ପ୍ରମୋଦନବନକୁ ନ ଯାଇ ପ୍ରାସାଦକୁ ଫେରିଯାଇଥିଲା । ରାଜା ଶୁଦ୍ଧୋଦନ ସାରଥିଠାରୁ ଏହି ବିବରଣୀ ଶୁଣି ଆତଙ୍କିତ ହୋଇଥିଲେ ଏବଂ ରାଜପୁତ୍ରଙ୍କର ପ୍ରସାଦନ ପାଇଁ ଲାସ୍ୟମୟୀ ଗଣିକାମାନଙ୍କଦ୍ୱାରା ନୃତ୍ୟ-ଗୀତର ଆସର କରାଇଥିଲେ ।

 

ଏହି ଘଟଣାର କିଛି ଦିନ ପରେ ରାଜପୁତ୍ର ଗୌତମ ସାରଥି ସହିତ ପ୍ରମୋଦ ଉଦ୍ୟାନକୁ ଯିବା ମାର୍ଗରେ ଜଣେ ବ୍ୟାଧିଗ୍ରସ୍ତ ବ୍ୟକ୍ତିକୁ ଦେଖି ପଚାରିଥିଲେ, ‘‘ଏହି ଅନ୍ତଃସାରଶୂନ୍ୟ ଅସ୍ଥିକଙ୍କାଳମାତ୍ର ମୂତ୍ର ଓ ପୁରୀଷ ମଧ୍ୟରେ ଘାଣ୍ଟିହେଉଥିବା କୁତ୍ସିତ ବ୍ୟକ୍ତିଟି କିଏ ?’’ ସାରଥି ଉତ୍ତର ଦେଲେ, ‘‘ଦେବପୁତ୍ର, ଏହି ବ୍ୟାଧିଗ୍ରସ୍ତ ବ୍ୟକ୍ତିଟି ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଆରୋଗ୍ୟର କୌଣସି ଆଶା ନାହିଁ ; ଅଳ୍ପ ସମୟ ପରେ ତା’ର ପ୍ରାଣବାୟୁ ଉଡ଼ିଯିବ ।’’

 

ରାଜପୁତ୍ର ଦୁଃଖିତ ମନରେ ପ୍ରାସାଦକୁ ଫେରିଆସିଥିଲେ । କିଛିଦିନ ପରେ ସାରଥି ସହିତ ରାଜପୁତ୍ର ରାଜମାର୍ଗରେ ଯାଉ ଯାଉ ଏକ ଶବାଧାର ଯାଉଥିବାର ଦେଖିଲେ । ମୃତବ୍ୟକ୍ତିର ଆତ୍ମୀୟ-ସ୍ୱଜନମାନେ ବିଳାପ କରୁଥାନ୍ତି । ଦୁଃଖରେ ମ୍ରିୟମାଣ ଗୌତମ ଶୋକାକୁଳ ହୋଇ କହିଲେ, ‘‘ ଯେଉଁ ଯୌବନ ନିଶ୍ଚିତ ଭାବରେ ଜରାଗ୍ରସ୍ତ ହୁଏ, ଯେଉଁ ସ୍ୱାସ୍ଥ୍ୟ ବ୍ୟାଧିସଙ୍କୁଳ ଏବଂ ଯେଉଁ ପ୍ରାଜ୍ଞବ୍ୟକ୍ତିମାନେ ଏହା ସବୁ ଜାଣିଶୁଣି ଭୋଗବିଳାସରେ ମଜ୍ଜି ରହନ୍ତି, ସେ ସମସ୍ତ ଧିକ୍ ।’’ ତାଙ୍କର ବନବିହାର ଏହିପରି ଭାବରେ ତୃତୀୟ ଥର ପାଇଁ ବିଡ଼ମ୍ୱିତ ହେଲା । ଅନ୍ୟ କୌଣସି ଦିନରେ ସେ ସାରଥି ସହିତ ପ୍ରମୋଦ ଉଦ୍ୟାନ ଅଭିମୁଖରେ ଯାତ୍ରା କରୁଥାନ୍ତି । ଜଣେ ପ୍ରଶାନ୍ତଚିତ୍ତ, ପୀତବସନପରିହିତ, ଅନୁଦ୍‌ବେଳିତ, ଧୀରଗତିସମ୍ପନ୍ନ ବ୍ୟକ୍ତିଙ୍କୁ ଦେଖି ତାଙ୍କ ସମ୍ପର୍କରେ ନିଜର ସାରଥିକୁ ପ୍ରଶ୍ନ କରିଥିଲେ । ସାରଥି ଉତ୍ତରଦେଲେ, ‘‘ରାଜପୁତ୍ର, ଏ ଜଣେ ଭିକ୍ଷୁ । ଏହାଙ୍କର କୌଣସି କାମନା ବା ଅଭିଳାଷ ନାହିଁ । ସୁବିନୀତ ବେଶରେ ଏହି ବ୍ୟକ୍ତି ପ୍ରବ୍ରଜ୍ୟା ଗ୍ରହଣ କରିଛନ୍ତି । କାମକ୍ରୋଧବିହୀନ ଏହି ବ୍ୟକ୍ତି ସମସ୍ତଙ୍କ ପ୍ରତି ସମଦର୍ଶୀ ।’’ ରାଜପୁତ୍ର ଗୌତମ ସାରଥିଙ୍କର ଏହି ଉତ୍ତରରେ ଉଲ୍ଲସିତ ହୋଇ କହିଲେ, ‘‘ତୁମର ଏହି ପରିଚୟ-ପ୍ରଦାନ ସୁଭାଷିତ ପରି ମୋତେ ଆନନ୍ଦ ଦେଉଛି । ଏହି ସୌମ୍ୟ ଓ ସୁନ୍ଦର ଶ୍ରମଣ ବାସ୍ତବିକ ପ୍ରଶଂସନୀୟ । ବିଜ୍ଞବ୍ୟକ୍ତିମାନେ ଏମାନଙ୍କର ଜୀବନକୁ ପ୍ରଶଂସା କରନ୍ତି । ଏହି ମାର୍ଗ ନିଜ ପାଇଁ ତଥା ଅନ୍ୟ ପାଇଁ ହିତକର । ଏହିପରି ସୁଖକର ରୁଚ୍ୟମାନ ଓ ଅମୃତମୟ ଜୀବନ ମୁଁ ଇଚ୍ଛା କରୁଛି ।’’

 

‘‘ସାଧୁ ସୁଭାଷିତମିଂହ ମମ ରୋଚତେ ଚ

ପ୍ରବ୍ରଜ୍ୟା ନାମ ବିବୁଧୈଃ ସତତଂ ପ୍ରଶସ୍ତା

ହିତମାତ୍ମନଞ୍ଚ ସର୍ବସତ୍ତ୍ୱହିତଞ୍ଚ ଯନ୍ତ୍ର

ସୁଖଜୀବିତଂ ସୁମଧୁରମମୃତଫଳଞ୍ଚ ।।’’

 

(ଲଳିତବିସ୍ତର)

 

ସେଦିନ ଥିଲା ମାଧବମାସର ପୌର୍ଣ୍ଣମାସୀ । ସନ୍ଧ୍ୟା ସମୟ । ଆକାଶରୁ ଚନ୍ଦ୍ରମା ଅମୃତରଶ୍ମି ବର୍ଷା କରୁଥାନ୍ତି । ସମଗ୍ର କପିଳବାସ୍ତୁ ଅପରୂପ ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇଥାଏ । ରାଜପୁତ୍ର ଗୌତମ ପ୍ରମୋଦଉଦ୍ୟାନରୁ ପ୍ରାସାଦକୁ ଫେରିଲେ । ସମସ୍ତ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ରାଜପୁତ୍ର ଶାନ୍ତି ପାଇପାରୁନଥାନ୍ତି । ଏହି ସମୟରେ ଯଶୋଧାରାଙ୍କ ଗର୍ଭରୁ ବିକଚ ପଦ୍ମତୁଲ୍ୟ ଜ୍ୟୋତିର୍ମୟ ଏକ ପୁତ୍ର-ସନ୍ତାନ ଜନ୍ମନେଲେ । ଶୁଦ୍ଧପ୍ରାଣା କୁମାରୀ ଅପୂର୍ବ ସୌନ୍ଦର୍ଯ୍ୟ ଓ ଦିବ୍ୟ ଜ୍ୟୋତିରେ ବଳୟିତ ହୋଇ ପ୍ରାସାଦର ଉତ୍ସଙ୍ଗରେ ଗଭୀର ଅନ୍ତର୍ଦୃଷ୍ଟି ସହିତ ଚିନ୍ତାଶୀଳ ଥାଆନ୍ତି । କିସା ଗୌତମୀ ରାଜପୁତ୍ରଙ୍କର ଏହି ଦିବ୍ୟ ସୌନ୍ଦର୍ଯ୍ୟ ଦେଖି ନିଜେ ଉନ୍ମନା ହୋଇ ପଡ଼ିଲେ । ସେ ରାଜପୁତ୍ରଙ୍କୁ ପ୍ରଶଂସା କରି କହିଲେ–

 

ନିବ୍‌ଭୂତ ନୂନ ସମାତା ନିବ୍‌ଭୂତ ନୂନ ସ ପିତା,

ନିବ୍‌ଭୂତ ନୂନ ସ ନାରୀ ଯସ୍ୟ ଯନ ଇଦସ ପତି ।’’

 

ଆପଣଙ୍କ ପିତାମାତା ଧନ୍ୟ, ଏବଂ ଆପଣଙ୍କୁ ସ୍ୱାମୀରୂପରେ ପାଇ କଲ୍ୟାଣୀ ଯଶୋଧାରା ମଧ୍ୟ ଧନ୍ୟା ।’’ ଗୌତମ ଏହି ପ୍ରଶଂସାର ଅର୍ଥକୁ ଦିବ୍ୟଦୃଷ୍ଟି ସହିତ ଚିନ୍ତା କଲେ ଏବଂ ନିଜ କଣ୍ଠରୁ ବହୁମୂଲ୍ୟ ରତ୍ନହାରଟି କିସା ଗୌତମୀଙ୍କ ବକ୍ଷରେ ଲମ୍ୱାଇଦେଲେ । କିସା ଗୌତମୀ ଭାବିଲେ, ‘ବୋଧହୁଏ ରାଜପୁତ୍ର ମୋତେ ପ୍ରଣୟସ୍ପର୍ଶ ଦେଉଛନ୍ତି’ ଏବଂ ନିଜର ଏହି ସୌଭାଗ୍ୟରେ ଉଲ୍ଲସିତ ହେଲେ । କିନ୍ତୁ ରାଜପୁତ୍ର ଗୌତମ ସେହି କୁମାରୀ ରାଜକନ୍ୟା ଆଡ଼କୁ ଦୃଷ୍ଟିପାତ ନ କରି ନିଜର ପ୍ରାସାଦ ଅଭିମୁଖେ ଚାଲିଗଲେ ।

 

ପୂର୍ଣ୍ଣିମାର ପ୍ରଥମ ଦୁଇ ଯାମ ସୁପରିଚ୍ଛଦା ନୃତ୍ୟଶୀଳା ତରୁଣୀମାନଙ୍କର ସଙ୍ଗୀତ ଆସରରେ କଟିଲା । ସମଗ୍ର କପିଳବାସ୍ତୁ ଗୌତମଙ୍କର ପୁତ୍ରସନ୍ତାନ ଜନ୍ମ ହୋଇଥିବାରୁ ଆନନ୍ଦମୁଖର ଓ ଉତ୍ସବମୟ ଥିଲା । ଏହି ସଙ୍ଗୀତ-ଆସର ମଧ୍ୟରେ ବୁଦ୍ଧଦେବ ଅନାସକ୍ତ ଭାବରେ ସୁଷୁପ୍ତ ଥାଆନ୍ତି । ରାଜପୁତ୍ରଙ୍କୁ ନିଦ୍ରାମଗ୍ନ ଦେଖି ବିଳାସିନୀ ନର୍ତ୍ତକୀମାନେ ତାଙ୍କର ଚାରିପଟେ ଶୋଇପଡ଼ିଲେ । ଆସରର ଆବେଶରେ ସେମାନେ ଆତ୍ମଜ୍ଞାନ ହରାଇଥାନ୍ତି । ରାତ୍ରିର ଶେଷ ଯାମ-। ବୈଶାଖର ମଧୁର ହିଲ୍ଲୋଳରେ ଚନ୍ଦ୍ରକିରଣ ତରଙ୍ଗାୟିତ ନୃତ୍ୟ କରୁଥାଏ । ରାଜପୁତ୍ର ନିଦ୍ରା ତ୍ୟାଗକରି ଆସକ୍ତିର ସେହି ଭୟଙ୍କର ଦୃଶ୍ୟ ଦେଖିଲେ । ଲୀଳାବିଳାସିନୀ ନାରୀମାନେ ଉତ୍ତାନ ହୋଇ ପଡ଼ିରହିଛନ୍ତି । ସେମାନଙ୍କର କେଶଦାମ ବିପର୍ଯ୍ୟସ୍ତ । ପ୍ରସାଧନର ତିକ୍ତ ଆମୋଦ ଘୂରିବୁଲୁଛି । କବରୀରୁ ସ୍ଖଳିତ ପୁଷ୍ପମାଳା ଖସି ପଡ଼ିଛି । ଅଙ୍ଗକାନ୍ତି ଆବରଣହୀନ । କୌଣସି ବିଳାସିନୀ ଉଲଗ୍ନ ଅବସ୍ଥାରେ ନିଜର କଳ୍ପିତ ପ୍ରିୟତମକୁ ଅପ୍ରାକୃତ ପ୍ରେମବନ୍ଧନରେ ଆକର୍ଷିତ କରୁଛି ।

 

ସମସ୍ତେ ମଧୁମତ୍ତା । କା’ର ଅବିରଳ ବକ୍ଷଦେଶ କାମନାର ଉଚ୍ଛ୍ୱାସରେ ପ୍ରକମ୍ପିତ ହେଉଛି । ରକ୍ତାଭ ଗଣ୍ଡଦେଶରେ ବିଚ୍ଛିତ୍ତିର ପତ୍ରାବଳୀ । କାମନାର ଏହି ତାମସ ନୃତ୍ୟରେ ରାଜପୁତ୍ର ଅଧୀର ହୋଇପଡ଼ିଲେ । ତାଙ୍କ ହୃଦୟ ଏକପକ୍ଷରେ ଘୃଣା ଓ ଅନ୍ୟପକ୍ଷରେ କରୁଣାରେ ଭରିଗଲା-। ସେ ନିଜକୁ ଅସହାୟ ମନେକରି ସେହି ସ୍ଥାନ ତ୍ୟାଗକରି ଚାଲି ଆସିଲେ । ମଧୁମତ୍ତା କିସା ଗୌତମୀ ସେତେବେଳେ ରାଜପୁତ୍ରଙ୍କର କଳ୍ପିତ ବିଗ୍ରହକୁ ନିଜ ଶରୀରରେ ବିଜଡ଼ିତ କରି ସ୍ୱପ୍ନାଳାପ କରୁଥାଏ । ହାୟ, ସଂସାରର ଏହି କାମନାସିକ୍ତ ଜୀବମାନେ କେଡ଼େ ଅସହାୟ । ରାଜପୁତ୍ର ଧୀରେ ଧୀରେ ସାରଥି ଚିନ୍ନାର ଶୟନକକ୍ଷ ପ୍ରବ୍ରଜ୍ୟାରେ ଦୃଢସଂକଳ୍ପ ଏବଂ ଏହି ମୁହୂର୍ତ୍ତରେ ରାଜପ୍ରାସାଦ ତ୍ୟାଗକରି ଚାଲିଯିବି । ମୋର ସଂକଳ୍ପରେ ମୋତେ ସାହାର୍ଯ୍ୟ କର ।’’ ତାଙ୍କର ଚକ୍ଷୁ ଥିଲା ଉଜ୍ଜ୍ୱଳ ଓ ସଂକଳ୍ପଦୀପ୍ତ । ଚିନ୍ନା ଅନନ୍ୟୋପାୟ ହୋଇ ଅଶ୍ୱଶାଳାରୁ ଗୋଟିଏ ସୁନ୍ଦର ଅଶ୍ୱ ବାଛି ଆଣିଲେ । ସେତେବେଳକୁ କଣ୍ଟକ ନାମକ ସେହି ଅଶ୍ୱ ଦୃପ୍ତଭଙ୍ଗୀରେ ସତେ ଅବା ଅଜ୍ଞାତ ନିର୍ଦ୍ଦେଶକୁ ଅପେକ୍ଷା କରି ଠିଆହୋଇଥାଏ ।

 

ଇତ୍ୟବସରରେ ରାଜପୁତ୍ର ନିଜର ପ୍ରିୟତମା ପତ୍ନୀ ଓ ଶିଶୁପୁତ୍ର ରାହୁଳଙ୍କୁ ଶେଷ ଥର ପାଇଁ ଦେଖିବାକୁ ଗଲେ । ପୁଷ୍ପଶର୍ଯ୍ୟା ଉପରେ ଯଶୋଧାରା ଶିଶୁପୁତ୍ରକୁ କୋଳରେ ଧରି ନିଦ୍ରିତ ଥାନ୍ତି । ରାଜପୁତ୍ର ଶିଶୁଟିକୁ ଟିକେ କୋଳକୁ ନେବାପାଇଁ ଇଚ୍ଛାକଲେ; କିନ୍ତୁ ତାହା ଯଶୋଧାରାଙ୍କର ନିଦ୍ରାଭଙ୍ଗ କରିପାରେ । ପତିପ୍ରାଣା ଯଶୋଧାରାଙ୍କର ଅଶ୍ରୁଳନୟନ ହୁଏତ ତାଙ୍କର ସଂକଳ୍ପରେ ବାଧା ଆଣିପାରେ । ତେଣୁ ଦ୍ୱାରମୁହଁରୁ ସେ ନିଜର ସ୍ତ୍ରୀ ଓ ଶିଶୁପୁତ୍ର ଉପରେ ସ୍ନେହଭରା ଦୃଷ୍ଟି ନିକ୍ଷେପ କରି ବିଦାୟ ନେଲେ । ସେହିଠାରୁ ଆରମ୍ଭ ହେଲା ଶାକ୍ୟମୁନିଙ୍କର ମହାପ୍ରସ୍ଥାନ ।

 

ଶୀଘ୍ରଗାମୀ କଣ୍ଟକ ରାଜପୁତ୍ରଙ୍କୁ ନଗରର ବହୁ ଦୂରକୁ ନେଇଗଲା । ଅରୋମା ନଦୀ କୂଳରେ ଗୌତମ ଅଶ୍ୱରୁ ଅବତରଣ କରି ସାରଥିକୁ ଫେରିଯିବାପାଇଁ ଆଦେଶଦେଲେ ଏବଂ ପ୍ରବ୍ରଜିତ ଭିକ୍ଷୁବେଶରେ ସେ ପଦବଜ୍ରରେ ରାଜଗୃହ ଅଭିମୁଖରେ ଯାତ୍ରାକଲେ । ପର୍ବତବେଷ୍ଟିତ ରାଜଗୃହରେ ସେତେବେଳେ ବହୁ ଦାର୍ଶନିକ, ପଣ୍ଡିତ ଓ ସନ୍ନ୍ୟାସୀ ବାସ କରୁଥାନ୍ତି । ରାଜପୁତ୍ର ସେମାନଙ୍କଠାରୁ ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କଲେ ଓ ବହୁବିଧ ସାଧନାରେ ମଗ୍ନ ରହିଲେ । ଏହିପରି ଛଅବର୍ଷକାଳ ସେ ସାଧନା କଲାପରେ ମଧ୍ୟ ତାଙ୍କର ମନରେ ଶାନ୍ତି ଆସିଲା ନାହିଁ । ବହୁଦିନ ଉପବାସରେ ରହିଲା ପରେ ସେ ଉରୁବେଳା ନାମକ ସ୍ଥାନରେ ଜନୈକ ଗ୍ରାମ୍ୟ ତରୁଣୀ ସୂଜାତାଙ୍କଠାରୁ ପାୟସାନ୍ନ ଭକ୍ଷଣକରି ଜୀବନଧାରଣ କଲେ । ନିରଞ୍ଜନା ନଦୀ କୂଳରେ ଏକ ବିଶାଳ ଅଶ୍ୱତ୍‌ଥ ବୃକ୍ଷମୂଳରେ ସେ ତତ୍ପରେ ଧ୍ୟାନମଗ୍ନ ରହିଲେ ।

 

ସେଦିନ ଥିଲା ମଧ୍ୟ ବୈଶାଖ ପୂର୍ଣ୍ଣିମା । ପୁଣ୍ୟାତ୍ମା ଗୌତମ ହୃଦୟରେ ଆଲୋକର ସନ୍ଧାନ ପାଇଲେ । ତାଙ୍କର ସମସ୍ତ ଅଶାନ୍ତି ଓ ବେଦନା ଦୂରୀଭୂତ ହେଲା । ଅପୂର୍ବ ଦିବ୍ୟ ସମ୍ୱୋଧିରେ ସେ ହେଲେ ଦୀପ୍ତିମୟ । ସେ ସମସ୍ତ ବିଶ୍ୱକୁ ଏକ କାରୁଣ୍ୟସିକ୍ତ ଦୃଷ୍ଟିରେ ଚିନ୍ତାକଲେ । କର୍ମବନ୍ଧନର ମୋହଜାଲ ଅପସରିଗଲା । ଜାତିସ୍ମର ଭାବରେ ନିଜର ଜନ୍ମାନ୍ତରର ପ୍ରଚେଷ୍ଟା ଓ ତପସ୍ୟା ତାଙ୍କର ସ୍ମୃତିପଥାରୂଢ଼ ହେଲା । ସେ ନିଜ ମଧ୍ୟରେ ମହନୀୟତା ଅନୁଭବ କଲେ । ତାଙ୍କର ଅନ୍ତରାତ୍ମା ସତ୍ୟଲୋକରେ ଉଦ୍‌ଭାସିତ ହେଲା । ନିଜର ଲବ୍‌ଧଜ୍ଞାନକୁ ସେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବାପାଇଁ ସ୍ଥିରକଲେ । ସେତେବେଳକୁ ତାଙ୍କର ପ୍ରାଚୀନ ଗୁରୁ ଅଳାରକାମ ଓ ଉଡ୍ରକ ରାମପୁତ୍ରଙ୍କର ଦେହାବସାନ ହୋଇଗଲାଣି । ଶ୍ରମଣ ଗୌତମ ତଦବିଧି ବୁଦ୍ଧନାମରେ ପରିଚିତ ହେଲେ ଏବଂ ନିଜର ଅନୁଭୂତିକୁ ପ୍ରକାଶ କରିବାପାଇଁ ବାରାଣସୀର ମୃଗଦାବ ନାମକ ସ୍ଥାନକୁ ଯାତ୍ରାକଲେ । ସେହିଠାରୁ ଆରମ୍ଭ ହେଲା ତଥାଗତଙ୍କର ମହନୀୟ ଧର୍ମଚକ୍ର, ଯାହା କାଳକ୍ରମେ ଭାରତ ସମେତ ସମଗ୍ର ପୃଥିବୀକୁ ଜ୍ଞାନାଲୋକରେ ଆପ୍ଳୁତ କରିଦେଲା ।

 

ଦୀର୍ଘ ୪୫ ବର୍ଷକାଳ ଗୌତମ ବୁଦ୍ଧ ଭାରତର ବିଭିନ୍ନ ସ୍ଥାନରେ ଧର୍ମ ଉପଦେଶ ପ୍ରଦାନକରି ଶେଷରେ ସୁରମ୍ୟ ବୈଶାଳୀ ନଗରୀରେ ଆସି ପହଞ୍ଚିଲେ । ବୈଶାଳୀର ବିଶ୍ରୁତ ଗଣନର୍ତ୍ତକୀ ଅମ୍ୱାପାଲୀ ବୁଦ୍ଧଦେବଙ୍କୁ ଆତିଥ୍ୟ ଗ୍ରହଣ କରିବାପାଇଁ ନିଜର ଆମ୍ରକୁଞ୍ଜ ପ୍ରାସାଦକୁ ନିମନ୍ତ୍ରଣ କରିଥିଲେ । ସେତେବେଳେ ବୈଶାଳୀର ଅଭିଜାତ ନାଗରିକମାନେ ବୁଦ୍ଧଦେବଙ୍କୁ ସେମାନଙ୍କ ଦ୍ୱାରା ଆୟୋଜିତ ଆତିଥ୍ୟ ଗ୍ରହଣ କରିବାପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ; କିନ୍ତୁ ମହାତ୍ମା ବୁଦ୍ଧ ନିଜର ପୂର୍ବ ପ୍ରତିଶ୍ରୁତି ରକ୍ଷାକରି ଗଣିକା ଅମ୍ୱାପାଲୀର ଆତିଥ୍ୟ ଗ୍ରହଣ କଲେ । ଅମ୍ୱାପାଲୀ ମଧ୍ୟ ଆମ୍ରକୁଞ୍ଜରେ ଥିବା ନିଜର ସପ୍ତତଳ ପ୍ରାସାଦକୁ ସଂଘ ଉଦ୍ଦେଶ୍ୟରେ ଦାନ କରିଥିଲେ । ବୈଶାଳୀରୁ ବୁଦ୍ଧଦେବ ଆନନ୍ଦ ଓ ଅନ୍ୟ ଭିକ୍ଷୁମାନଙ୍କ ସହିତ ପାବା ଉଦ୍ଦେଶ୍ୟରେ ଯାତ୍ରାକଲେ । ପାବାର ଚଣ୍ଡନାମକ ଜଣେ ସ୍ୱର୍ଣ୍ଣକାର ଶ୍ରେଷ୍ଠୀ ତଥାଗତଙ୍କୁ ଆତିଥ୍ୟ ପାଇଁ ନିମନ୍ତ୍ରଣ କଲେ । ସେହି ଖାଦ୍ୟ ଥିଲା ତଥାଗତଙ୍କର ଶେଷ ଖାଦ୍ୟ । ପାୟସାନ୍ନ, ପିଷ୍ଟକ ଓ ଶୂକରମାଂସ ଖାଦ୍ୟ-ସାମଗ୍ରୀର ଅନ୍ତର୍ଗତ ଥିଲା । ମହାତ୍ମା ବୁଦ୍ଧଦେବ ଏହି ମାଂସ ଭକ୍ଷଣ କଲାପରେ ତାଙ୍କର ଶରୀର ବିଶେଷ ଦୁର୍ବଳ ହୋଇଗଲା । କୁସିନାରୀ ମାର୍ଗରେ ମହାତ୍ମା ବୁଦ୍ଧ ଶାରୀରିକ ଯନ୍ତ୍ରଣା ଅନୁଭବ କରି ବନମଧ୍ୟରେ ଥିବା ଦୁଇଟି ଶାଳବୃକ୍ଷ ମଧ୍ୟରେ ବିଶ୍ରାମକଲେ । ଶାଳବୃକ୍ଷର ପଲ୍ଲବିତ କିଶଳୟରେ ଆନନ୍ଦ ତଥାଗତଙ୍କ ପାଇଁ ଶର୍ଯ୍ୟା ପ୍ରସ୍ତୁତ କଲେ ।

 

ତଥାଗତଙ୍କ ଜୀବନରେ ସେଦିନ ଥିଲା ଅନ୍ତିମ ବୈଶାଖ ପୂର୍ଣ୍ଣିମା । ଚନ୍ଦ୍ରମାଙ୍କର ଲହରିତ କିରଣ ବନଭୂମିକୁ କମନୀୟ କରିଥାଏ । ଶାଳବୃକ୍ଷର ପୁଷ୍ପିତ ଓ ପଲ୍ଲବିତ ବିଟପ ତଥାଗତଙ୍କ ନିକଟକୁ ଆନମିତ ହୋଇଆସି ସମ୍ମାନ ଜଣାଉଥାଏ । ମହାତ୍ମା ବୁଦ୍ଧ ସେହି ଦୁଇଟି ଶାଳବୃକ୍ଷ ମଧ୍ୟରେ ଉତ୍ତର ଦିଗକୁ ମସ୍ତକ ରଖି ଶୋଇରହିଥାନ୍ତି ।

 

‘‘ଭିକ୍ଷୁ ଭାଇମାନେ, ଦେଖ; ବିନାଶ ଏକ ନିଶ୍ଚିତ ବାସ୍ତବତା । ତେଣୁ ଯତ୍ନର ସହିତ ନିର୍ବାଣପାଇଁ ସାଧନା କର’’-ଏହି ଶେଷ ଦେଶନା ଦେଇ ତଥାଗତ ମହାନିର୍ବାଣ ଲାଭକଲେ ।

 

୮୦ ବର୍ଷ ପୂର୍ବେ ଏହିପରି ଏକ ବୈଶାଖ ପୂର୍ଣ୍ଣିମାର ସୁରମ୍ୟ ତିଥିରେ ଶାଳବୃକ୍ଷଦ୍ୱୟର ମଧ୍ୟଭାଗରେ ଯେଉଁ ମହାନ୍ ଶିଶୁ ଜନ୍ମ ଗ୍ରହଣ କରିଥିଲେ, ସେହି ଶିଶୁ ପରମକାରୁଣିକ ତଥାଗତ ରୂପେ ଦୁଃଖକ୍ଳିଷ୍ଟ ପୃଥିବୀରେ ଅମୃତର ସନ୍ଧାନ ଦେଇ ସେହିପରି ଏକ ବୈଶାଖ ପୂର୍ଣ୍ଣିମାର ଜ୍ୟୋତ୍ସ୍ନାୟିତ ରାତ୍ରିରେ ଶାଳବନରେ ମହାନିର୍ବାଣ ଲାଭକଲେ । ସେହି ତଥାଗତଙ୍କ ପ୍ରଚାରିତ ସଦ୍ଧର୍ମ ଆଜିର ଦ୍ୱିଧାଗ୍ରସ୍ତ ପୃଥିବୀରେ ଉଜ୍ଜ୍ୱଳ ବର୍ତ୍ତିକାରୂପେ ଜ୍ଞାନାଲୋକ ବିଛୁରଣ କରି ଅଜ୍ଞାନ ତମିସ୍ରାକୁ ଦୂରକରୁଛି । ପ୍ରାୟ ଅଢ଼େଇ ହଜାର ବର୍ଷ ପରେ ଆଜି ମଧ୍ୟ କୋଟି କଣ୍ଠରେ ସେହି ମଧୁର ଧ୍ୱନି ଶୁଣାଯାଉଛି :

 

‘‘ବୁଦ୍ଧ ଶରଣଂ ଗଚ୍ଛାମି,

ସଙ୍ଘମ୍ ଶରଣଂ ଗଚ୍ଛାମି,

ଧର୍ମ୍ମଂ ଶରଣଂ ଗଚ୍ଛାମି ।’’

Image

 

Unknown

ନିଷ୍ପାପ ଭରତ

 

ସଂସ୍କୃତିରେ ଗୋଟିଏ ପ୍ରବଚନ ପ୍ରଚଳିତ ଅଛି, ‘‘ଅପରାଧଃ ନ ମେଽସ୍ତୀତି ନୈତଦ୍‌ ବିଶ୍ୱାସକାରଣମ୍’’-ମୋର ଅପରାଧ ନାହିଁ, ଏତିକିମାତ୍ର ବିଶ୍ୱାସର କାରଣ ହୋଇନପାରେ । ଏହ ପୃଥିବୀରେ ଲୋକଚରିତ୍ରର ବୈଚିତ୍ର୍ୟ ଅନୁମେୟ । କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ନିଜର ସ୍ୱାର୍ଥସିଦ୍ଧି ପାଇଁ ଅପରାଧ କରନ୍ତି ଓ ଅନ୍ୟ କେତେକ ଅଜ୍ଞତାବଶତଃ ଅପରାଧ କରିଥାନ୍ତି । ସେମାନେ ହୁଏତ ସମୟକ୍ରମେ ନିଜର ଅପରାଧକୁ ସ୍ୱୀକାର କରନ୍ତି, ଅଥବା ନିଜକୁ ଅପରାଧ ବୋଲି ପ୍ରମାଣ କରିବାକୁ ଉଦ୍ଦେଶ୍ୟମୂଳକ ଭାବରେ ନଜର ଦିଅନ୍ତି । ଅନ୍ୟ କେତେକ ଚରିତ୍ର ଅଛନ୍ତି, ଯେଉଁମାନେ ସଂପୂର୍ଣ୍ଣ ନିରପରାଧ; କିନ୍ତୁ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ସେମାନଙ୍କଠାରେ ଅପରାଧର ଆକ୍ଷେପ କରାଯାଏ । ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ନିଜ ସପକ୍ଷରେ ସତ୍ୟ ଘଟଣା ପ୍ରକାଶ କରି ନିରପରାଧରୂପେ ବିବେଚିତ ହୁଅନ୍ତି; କିନ୍ତୁ ଅନ୍ୟ କେତେକ ନିରପରାଧ ଚରିତ୍ର କୌଣସି କୈଫିୟତ୍ ନ ଦେଇ ନୀରବ ରହିଯାନ୍ତି । ଯେଉଁମାନେ ଏପରି ନୀରବତା ଅବଲମ୍ୱନ କରନ୍ତି, ସେମାନଙ୍କର ଚରିତ୍ରର ଔଜ୍ଜ୍ୱଲ୍ୟ ହୁଏତ ବିସ୍ମୃତି-ଗର୍ଭରେ ରହିଯାଏ; କିନ୍ତୁ ସେମାନଙ୍କ ଆତ୍ମା ଯେ ଦିବ୍ୟସନ୍ଧାନୀ, ଏଥିରେ ସନ୍ଦେହ ନାହିଁ । ସଂସାରର କ୍ରୂରତାରେ ସେମାନେ ବେଳେବେଳେ ଅତିଷ୍ଠ ହୁଅନ୍ତି ସତ; କିନ୍ତୁ ନିଜର ଆତ୍ମିକ ସମ୍ୱୋଧିରେ ସେମାନେ ଆଶ୍ରୟ ନେଇଯାନ୍ତି । ଏହାକୁ ଦୁର୍ବଳ ମନସ୍ତତ୍ତ୍ୱ ବୋଲି କୁହାଯାଇ ନ ପାରେ । ଅନ୍ୟ ପକ୍ଷରେ ଯେଉଁମାନେ ଦୁର୍ବଳ ଓ ଅସୂୟାପ୍ରବଣ, ସେମାନଙ୍କର ଆକ୍ଷେପ ପ୍ରତି ଗୁରୁତ୍ୱ ଦେଇ ନିଜର ନିରପରାଧତା ପ୍ରମାଣ କରିବା ଅପେକ୍ଷା ସେମାନଙ୍କ ପ୍ରତି ଓ ପ୍ରତିକୂଳ ପରିସ୍ଥିତି ପ୍ରତି ଅବଜ୍ଞା-ପୂର୍ବକ ନୀରବତାକୁ ସେମାନେ ପସନ୍ଦ କରନ୍ତି । ଏ ପ୍ରକାର ମନୋବୃତ୍ତିର ଭିତ୍ତିଭୂମି ବିଶ୍ଳେଷକମାନଙ୍କୁ ଖୋଜିବାକୁ ହେବ । ତତ୍‌କାଳୀନ ସମାଜ ହୁଏତ ସେମାନଙ୍କ ଚରିତ୍ରର ମହନୀୟତାକୁ ନ ବୁଝି ଏହି ମହାତ୍ମାମାନଙ୍କପ୍ରତି ତାଚ୍ଛଲ୍ୟ ପ୍ରକାଶ କରିପାରେ; କିନ୍ତୁ ସମୟର ଅନନ୍ତ ଅବଧି କୌଣସି ହୃଦୟବାନ୍ ବ୍ୟକ୍ତି ତାଙ୍କୁ ଖୋଜିବାପାଇଁ ଚେଷ୍ଟାକରନ୍ତି । ସେଭଳି ସ୍ଥଳେ ସେମାନଙ୍କର ଗୌରବ ଆଲୋଚକମାନଙ୍କ ମନରେ ଅଧିକ ପ୍ରଭାବ ପକାଇଥାଏ; କିନ୍ତୁ ନିଶ୍ଚିତଭାବରେ ଏହି ମନୋବୃତ୍ତି ଅଧିକ ଭାବରେ ଶ୍ଳକ୍ଷ୍‍ଣ ଓ ବିପଦପୂର୍ଣ୍ଣ । ସେମାନେ ସମସାମୟିକ ପ୍ରତିକୂଳ ସମାଲୋଚନାରୁ ନିଜକୁ ରକ୍ଷାକରିବାପାଇଁ ମହତ୍ତର ଅଭୀପ୍‌ସା ଓ ଦିବ୍ୟ ପ୍ରପନ୍ନତାରେ ଆଶ୍ରୟ ଲୋଡ଼ନ୍ତି; କିନ୍ତୁ ଏହାର ଧାରା ଅତି ସୂକ୍ଷ୍ମାତିସୂକ୍ଷ୍ମ-। କୌଣସି କୌଣସି ନିରପରାଧ ବ୍ୟକ୍ତି ଏପରି ଅହେତୁକୀ ଅସୂୟାରେ ଭାଙ୍ଗିପଡ଼ି ହୁଏତ ଚରିତ୍ରଗତ ନିଷ୍ଠା ହରାଇବସନ୍ତି ଓ ସମଗ୍ର ବିଶ୍ୱକୁ ଅବିଶ୍ୱାସ କରିଥାନ୍ତି । ଅନ୍ୟ ପକ୍ଷରେ କେତେକ ଉନ୍ନତ ଆତ୍ମା ନିଜର ଚରିତ୍ରବତ୍ତାକୁ ଅଧିକ ସୁଦୃଢ଼ ଓ ଲୋକୋତ୍ତର କରି ଦିବ୍ୟଶକ୍ତି ସମ୍ପନ୍ନ ହୋଇଥା’ନ୍ତି । ଏଭଳି ସ୍ଥଳେ ଲୋକଚରିତ୍ର ସମୀକ୍ଷା କଲାବେଳେ ସହୃଦୟ ଆଲୋଚକ ଖୁବ୍ ସାବଧାନ ହେବା ଉଚିତ ।

 

ରାମାୟଣ ମହାକାବ୍ୟରେ ତ୍ୟାଗପୂତ ଭରତଙ୍କର ଚରିତ୍ରରେ ଯେଉଁ ବୈଶିଷ୍ଟ୍ୟ ରହିଛି, ତାହା ପ୍ରଣିଧାନଯୋଗ୍ୟ । ରାଜା ଦଶରଥ ତାଙ୍କର ବୟସରେ କୈକେୟୀ ରାଜକନ୍ୟାଙ୍କୁ ବିବାହ କରିଥିଲେ । ନାରୀପରିଚର୍ଯ୍ୟା ଓ ବ୍ୟବହାରରେ ସେ କୈକେୟୀଙ୍କ ପ୍ରତି ଅତିମାତ୍ରାରେ ଆସକ୍ତିପ୍ରବଣ ଥିଲେ । ଅନ୍ୟପକ୍ଷରେ ରାଜକନ୍ୟା କୈକେୟୀଙ୍କ ସମସ୍ତ ନାରୀ ସୁଲଭ ଗୁଣ ସହିତ ଏପରି ଅନେକ ବୈଶିଷ୍ଟ୍ୟ ଥିଲା, ଯାହା କି ଦଶରଥଙ୍କୁ ବିମୁଗ୍‌ଧ କରିଥିଲା । ଯୁଦ୍ଧକ୍ଷେତ୍ରରେ ରାଣୀ କୈକେୟୀ ଯୋଦ୍ଧୃବେଶରେ ରାଜାଙ୍କୁ ସାହାଯ୍ୟ କରୁଥିଲେ ଏବଂ ଶାସନକାର୍ଯ୍ୟରେ ବିଭିନ୍ନ ଜଟିଳ ପରିସ୍ଥିତିରେ ସେ ରାଜାଙ୍କୁ ସମୟୋଚିତ ପରାମର୍ଶ ମଧ୍ୟ ଦେଉଥିଲେ । ତେଣୁ ମଧ୍ୟମା ରାଣୀ କୈକେୟୀ ଏକାଧାରରେ ସହଧର୍ମିଣୀ ଓ ସହକର୍ମିଣୀ ଥିଲେ । ଅନ୍ୟପକ୍ଷରେ କୋଶଳ-ରାଜନନ୍ଦିନୀ କୌଶଲ୍ୟା ଓ ସୁମିତ୍ରା ଏହି ସୌଭାଗ୍ୟରୁ ବଞ୍ଚିତା ଥିଲେ । ଅନପତ୍ୟ ରାଜା ବହୁବର୍ଷପରେ ପୁତ୍ରେଷ୍ଟି ଯଜ୍ଞ କରି ଚାରୋଟି ପୁତ୍ର ଲାଭ କରିଥିଲେ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠପୁତ୍ର କୌଶଲ୍ୟାନନ୍ଦନ ରାମ ସର୍ବଗୁଣସମ୍ପନ୍ନ ଥିଲେ । କୈକେୟୀଙ୍କ ଗର୍ଭରୁ ଦୃଢ଼ବ୍ରତ ମହାତ୍ମା ଭରତ ଏବଂ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମ ନେଇଥିଲେ । ଏହି ଚାରିଜଣ ରାଜପୁତ୍ର ଗୁଣ ଓ ସୌନ୍ଦର୍ଯ୍ୟରେ ପରସ୍ପର ଅନୁପୂରକ ଥିଲେ । ତେଣୁ ପରମାତ୍ମା ବିଷ୍ଣୁଙ୍କର ଏମାନେ ଚତୁର୍ଦ୍ଧାମୂର୍ତ୍ତିରୂପେ କଳ୍ପିତ ।

 

କୈକେୟୀଙ୍କ ସହିତ ଦଶରଥଙ୍କର ବିବାହ ଗାନ୍ଧର୍ବରୀତିସମ୍ମତ ଥିଲା । ରାଜା କୈକେୟୀଙ୍କ ପ୍ରତି ସମଧିକ ଆନୁକୂଲ୍ୟ ପ୍ରକାଶ କରୁଥିଲେ । ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଚିନ୍ତାକଲେ ଜଣାଯିବ ଯେ, କୈକେୟୀଙ୍କ ପୁତ୍ର ଭରତ ସିଂହାସନ ଲାଭକରିବା ପାଇଁ ହୁଏତ ଇଚ୍ଛାକରି ପାରନ୍ତି; କିମ୍ୱା କୈକେୟୀ ସେଥିପାଇଁ କୌଣସି ଚକ୍ରାନ୍ତ କରିପାରନ୍ତି; ଏହି ପ୍ରକାର ସମ୍ଭାବନା ସ୍ୱଭାବସିଦ୍ଧ ଭଳି ଜଣାପଡ଼େ । ଅନ୍ୟପକ୍ଷରେ ଦଶରଥ ମଧ୍ୟମାରାଣୀ କୈକେୟୀଙ୍କ ପ୍ରତି ଯେପରି ପକ୍ଷପାତୀ, ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ପ୍ରତି ମଧ୍ୟ ସେହିପରି ଅଧିକ ଅନୁକୂଳ । ପ୍ରଥମ ଘଟଣାରେ ରାଜାଙ୍କର ଆସକ୍ତି ତଥା କୈକେୟୀଙ୍କର ନୈପୁଣ୍ୟ ଯେପରି ସହାୟକ ହୋଇଛି, ଦ୍ୱିତୀୟ ଘଟଣାରେ ରାମଚନ୍ଦ୍ରଙ୍କର ସଦ୍‌ଗୁଣ ରାଜାଙ୍କର ପାରମ୍ପରିକ ବିଶ୍ୱାସ ଓ କୌଳିନ୍ୟ ସେହିପରି ସ୍ପଷ୍ଟ ହେଉଛି । ପୁନଶ୍ଚ କୈକେୟୀଙ୍କୁ ବିବାହ କରିବା ସମୟରେ ରାଜା ହୁଏତ କୌଣସି ଅଜ୍ଞାତ ପ୍ରତିଜ୍ଞା ବା ପ୍ରତିଶ୍ରୁତି ଦେଇଥିବେ । ଏହି ପରିସ୍ଥିତିରେ ରାମଚନ୍ଦ୍ରଙ୍କୁ ସିଂହାସନସିକ୍ତ କରିବାପାଇଁ ରାଜାଙ୍କ ମନରେ କେତେକ ଆପାତ ଭୟ ଥିଲା । ଅନ୍ୟ ପକ୍ଷରେ ରାଣୀ କୈକେୟୀଙ୍କର ରାମଚନ୍ଦ୍ରଙ୍କ ପ୍ରତି ବାତ୍ସଲ୍ୟ ଅନାବିଳ ଓ ମହନୀୟ ଥିଲା । ଏହା ହିଁ ଦଶରଥଙ୍କ ପକ୍ଷରେ ଆଶା ଓ ଅଶ୍ୱାସନାର ଉତ୍ସ ।

 

ସମୟକ୍ରମେ ରାଜା ଦଶରଥ ବୃଦ୍ଧ ଓ ଦୁର୍ବଳ ହୋଇଯାଇଛନ୍ତି । ତେଣୁ ସଭାସଦ୍‌ମାନଙ୍କର ପରାମର୍ଶରେ ସେ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରାଇବାକୁ ନିଷ୍ପତ୍ତି କଲେ । ଦୁର୍ଯୋଗକୁ ମଧ୍ୟମ କୁମାର ଭରତ ସେତେବେଳେ ମାତୁଳ ଗୃହରେ ଥିଲେ । ରାଜା ଏହି ନିଷ୍ପତ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଚାହିଁଲେ । ତାଙ୍କ ମନରେ କେତେକ ଅବ୍ୟକ୍ତ ଓ ପ୍ରତୀୟମାନ ଭୟ ମଧ୍ୟ ଥିଲା । ହୁଏତ ଅନ୍ୟ ସମୟରେ ତାଙ୍କର ଏହି ନିର୍ମଳ ବିଚାରରେ ବାଧା ଆସିପାରେ; କିମ୍ୱା ଏଯାବତ୍ ଅନୁକୂଳ କୈକେୟୀ କୌଣସି ଜଟିଳତା ସୃଷ୍ଟି କରିପାରନ୍ତି; ଏହାହିଁ ଆଶଙ୍କାର କାରଣ ହୋଇପାରେ । ଅଧିକନ୍ତୁ ରାଜା ବହୁ ଦୁଃସ୍ୱପ୍ନ ଦେଖିବାକୁ ଲାଗିଲେ ଏବଂ ତାଙ୍କର ମୃତ୍ୟୁ ଯେ ନିକଟ ହୋଇଯାଉଛି, ତାହା ଅନୁଭବ କଲେ ।

 

‘‘ଶୁଭସ୍ୟ ଶୀଘ୍ରମ୍’’ ରୀତିର ଅଭିଷେକୋତ୍ସବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇ ଯଥାବିଧି ଆଦେଶ ଦେଲେ । ବାଲ୍ମୀକିଙ୍କର ନିମ୍ନୋଦ୍ଧୃତ ଶ୍ଳୋକଟି ପ୍ରଣିଧେୟ ।

 

‘‘ତଦ୍‌ଯାବଦ୍ଦେବ ମେ ଚେତୋ ନ ବିମୁହ୍ୟତି ରାଘବ

ତାବଦ୍ଦେବାଭିଷିଞ୍ଚ ସ୍ୱ ଚଳାହି ପ୍ରାଣିନାଂ ମତିଃ ।’’

 

(ଅଯୋଧ୍ୟା କାଣ୍ଡ, ୪ର୍ଥ ସର୍ଗ)

 

‘‘ମୋର ଚେତନା ବିମୋହତ ହେବା ପୂର୍ବରୁ ତୁମର ଅଭିଷେକ ସମ୍ପନ୍ନ ହେଉ । ଲୋକମାନେ ଚଞ୍ଚଳମତି ।’’ ହୁଏତ କୌଣସି ଦାରୁଣ ପରିସ୍ଥିତିରେ ରାଜା ସ୍ୱୟଂ ନିଜର ବିଚାର ବଦଳାଇପାରନ୍ତି; ତାହାହିଁ ତାଙ୍କର ପ୍ରଚ୍ଛନ୍ନ ଭୟ ଥିଲା ।

 

ଅଯୋଧ୍ୟାର ରାଜପ୍ରାସାଦରେ ଏହି ଆସକ୍ତି ଓ ପକ୍ଷପାତିତାର ଯେଉଁ ଉଦ୍‌ବେଳନ ଥିଲା, ଭରତ ସେଥିରେ ଅନାସକ୍ତ ଥିଲେ । ରାଜା ଦଶରଥଙ୍କ ଚରିତ୍ରରେ ଦୁର୍ବଳତା ଲକ୍ଷଣୀୟ; କିନ୍ତୁ ରାଣୀ କୈକେୟୀ ଓ ଭରତଙ୍କଠାରେ ଅନାସକ୍ତିର ଭାବଚିତ୍ର ଖୁବ୍ ଲକ୍ଷଣୀୟ । ଭରତ ନିଜର ଜୀବନକୁ ଆକର୍ଷଣୀୟ ଉଦାସ ଭଙ୍ଗୀରେ ଗଢ଼ିଥିଲେ । ରାଣୀ କୈକେୟୀ କୌଣସି ଏକ ଭବିଷ୍ୟତ ଯୋଜନାରେ ଉତ୍ସୁକ ନଥିଲେ । ସେ ରାଜପ୍ରାସାଦର ଚଳତ୍‌ପ୍ରାଣା ଦେବୀରୂପେ ନିତ୍ୟପ୍ରବୃତ୍ତ ସୁଖ ଓ କଲ୍ୟାଣରେ ବିଳାସିନୀ ଥିଲେ । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ରାଜକୀୟ ଗୁଣ ଓ ସମ୍ପନ୍ନତା ଭରିରହିଥିଲା । ଜଣେ ବିଦଗ୍‌ଧା ରାଜକନ୍ୟା ଭାବରେ କୈକେୟୀଙ୍କର ବିଭାବଗୁଡ଼ିକ ଖୁବ୍ ଲକ୍ଷଣୀୟ । ଏଭଳି ବ୍ୟକ୍ତି ସ୍ୱାର୍ଥପରତାର ଖୁବ୍ ଊର୍ଦ୍ଧ୍ୱରେ ରହିଥାନ୍ତି; କିନ୍ତୁ ଏଠାରେ ଦୈବର ପ୍ରବଳତା ଏତେ ବେଶି ଯେ, ରାମଙ୍କର ବନବାସ ପାଇଁ କୈକେୟୀ ହିଁ ତତ୍କାଳୀନ କାରଣରୂପେ ଚିତ୍ରତା ହେଲେ ।

 

ଭରତଙ୍କର ଅଗୋଚରରେ ଅଯୋଧ୍ୟାର ଏହି ଉତ୍‌ଥାନ-ପତନ ଘଟିଯାଉଥାଏ । ନିଜର କୌଣସି ଦୋଷ ନଥାଇ ମଧ୍ୟ, ରାଜା ଦଶରଥ ଏହି ଅଭିଷେକୋତ୍ସବରେ ଯୋଗ ଦେବାପାଇଁ ମଧ୍ୟମ ପୁତ୍ରଙ୍କୁ ନିମନ୍ତ୍ରଣ କଲେନାହିଁ । ଅନ୍ୟ ପକ୍ଷରେ କୈକେୟୀଙ୍କର ପରିଚାରିକା କୁବ୍‌ଜବତୀ ମନ୍ଥରାର ମନ୍ତ୍ରଣା କୈକେୟୀଙ୍କର ଭାରସାମ୍ୟକୁ ବିପର୍ଯ୍ୟସ୍ତ କଲା । ରାଜାଙ୍କର କାର୍ଯ୍ୟରେ ସେ ମଧ୍ୟ ଅହେତୁକ ଆଶଙ୍କା ଆଣିଲେ ଏବଂ ରାଜାଙ୍କର ଆନୁକୂଲ୍ୟ ଓ ପ୍ରତିଜ୍ଞାତ ବରକୁ ରାମଚନ୍ଦ୍ରଙ୍କର ବନବାସ ଓ ଭରତଙ୍କର ଅଭିଷେକପାଇଁ ଉର୍ଦ୍ଦିଷ୍ଟ କଲେ । ଏହା ମଧ୍ୟ ବିଧିର ଏକ ବିଡ଼ମ୍ୱନା । ଦଶରଥ ଭରତଙ୍କଠାରୁ ଆଶଙ୍କିତ ଥିଲେ; ଏହାର ସ୍ପଷ୍ଟ ସୂଚନା ବାଲ୍ମୀକି ରାମାୟଣରେ ଦେଇଛନ୍ତି । ସ୍ୱୟଂ ରାଜା ରାମଚନ୍ଦ୍ରଙ୍କୁ କହିଛନ୍ତି, ‘‘ଭରତ ଅଧୁନା ମାତୁଳଗୃହରେ ଅବସ୍ଥାନ କରୁଛନ୍ତି । ତେଣୁ ଏହି ସମୟ ହିଁ ତୁମର ଅଭିଷେକ ପାଇଁ ଉତ୍‌କୃଷ୍ଟ । ଭରତ ଧର୍ମାତ୍ମା, ଜ୍ୟେଷ୍ଠାନୁବର୍ତ୍ତୀ ଓ ସଦାଶ୍ରୟୀ ହେଲେ ମଧ୍ୟ ହୁଏତ କୌଣସି ସମୟରେ ତାଙ୍କର ଚିତ୍ତଚାଞ୍ଚଲ୍ୟ ଘଟିପାରେ; ତେଣୁ ଯଥାଶୀଘ୍ର ତୁମର ଅଭିଷେକୋତ୍ସବ ସମ୍ପନ୍ନ ହେବା ଆବଶ୍ୟକ ।’’

 

ବିପ୍ରୋଷିତଶ୍ଚ ଭରତୋ ଯାବଦେବ ପୃରାଦତଃ

ତାବଦ୍ଦେବାଭିଷେକସ୍ତେ ପ୍ରାପ୍ତକଳୋ ମତୋ ମମ ।

 

(ଅଯୋଧ୍ୟାକାଣ୍ଡ-୪ର୍ଥ ସର୍ଗ)

 

ଭରତଙ୍କ ଚିତ୍ତବୃତ୍ତିରେ ଏହି ସ୍ୱାର୍ଥପରତାର ଆକ୍ଷେପକୁ ପ୍ରମାଣିତ କରିବା ପାଇଁ ଦଶରଥ ମଧ୍ୟ କହିଛନ୍ତି, ‘‘ଧର୍ମାଶ୍ରୟୀ ସଜ୍ଜନମାନଙ୍କର ଉଦାତ୍ତ ଶୋଭମାନ ହୃଦୟରେ ମଧ୍ୟ ସମୟେ ସମୟେ ଚଞ୍ଚଳତା ପ୍ରକାଶ ପାଏ ।’’ ଏଠାରେ ଲକ୍ଷ୍ୟ କରିବାର କଥା ଯେ ବିନା ଅପରାଧରେ ମଧ୍ୟ ନିଷ୍ପାପ ଭାରତଙ୍କ ଚରିତ୍ରରେ ସ୍ୱୟଂ ପିତା ସ୍ୱାର୍ଥପରତାର ଆକ୍ଷେପ ଆଣିଛନ୍ତି । କୈକେୟୀ ରାଜାଙ୍କୁ ଦଶରଥଙ୍କର ଯେଉଁ ଅବାଞ୍ଛୁତ ପ୍ରତିଶ୍ରୁତି, ତାହା ହିଁ ଏହାର କାରଣ ହୋଇପାରେ ।

 

ଅଭିଷେକର ପୂର୍ବରାତ୍ରି ଅଯୋଧ୍ୟାପକ୍ଷରେ ଦୁଃସ୍ୱପ୍ନ ପରି ଭୟଙ୍କର ହୋଇଥିଲା । ସରଳପ୍ରାଣା କୈକେୟୀ ମନ୍ତ୍ରଣାର ଶିକାର ହେଲେ । ଦଶରଥଙ୍କ ଚରିତ୍ରର ସମସ୍ତ ଦୁର୍ବଳତା ତାଙ୍କ ସମ୍ମୁଖରେ ପ୍ରକଟିତ ହୋଇଗଲା । ନିଜର ପୁତ୍ର ଭରତଙ୍କ ପ୍ରତି ରାଜାଙ୍କର ବ୍ୟବହାର ସନ୍ଦେହ ସୃଷ୍ଟିକଲା । ତେଣୁ ଭବିତବ୍ୟର ଡୋରି ନିଜ ହାତରେ ରଖିବା ପାଇଁ ସେ ରାଜାଙ୍କୁ ପୂର୍ବ ପ୍ରତିଜ୍ଞା ସ୍ମରଣ କରାଇଦେଲେ ଓ ରାମଚନ୍ଦ୍ରଙ୍କର ବନବାସ ତଥା ଭରତଙ୍କର ଅଭିଷେକ ଉତ୍ସବ ପାଇଁ ପ୍ରାର୍ଥନା କଲେ । ଅଯୋଧ୍ୟାର ରାଜବଂଶ ନିଜ ପ୍ରତିଜ୍ଞାର ବିଡ଼ମ୍ୱନାରେ ବହୁବାର ବିଡ଼ମ୍ୱିତ ହୋଇଛି-। ରାଜା ହରିଶ୍ଚନ୍ଦ୍ରଙ୍କର ନିର୍ବାସନ ଓ ଶ୍ମଶାନବାସ ତାହାର ଜ୍ୱଳନ୍ତ ଉଦାହରଣ । ସେହି ବଂଶରେ ଆଜି ମଧ୍ୟ ସେହି ପ୍ରତିଜ୍ଞାର ବିଡ଼ମ୍ୱନା । ଅନନ୍ୟୋପାୟ ରାଜା କିଂକର୍ତ୍ତବ୍ୟବିମୂଢ଼ ହୋଇ ଶୋକାକୁଳ ହୋଇପଡ଼ିଲେ । ଅନ୍ୟ ପକ୍ଷରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ପାଇଁ ଦୃଢ଼ସଙ୍କଳ୍ପ କଲେ । ଏହି ଘଟଣାରେ ମଧ୍ୟ ଭରତ ସଂପୂର୍ଣ୍ଣ ନିରପରାଧ । ନିଜର ଅବିଚାରରେ ମୁହ୍ୟମାନ ରାଜା ଭରତଙ୍କୁ ଏଥିପାଇଁ ମଧ୍ୟ କେତେକାଂଶରେ ଦାୟୀ କଲେ ଏବଂ ନିଜର ଅନ୍ତ୍ୟେଷ୍ଟିକ୍ରିୟା ଭରତ ନ କରିବା ପାଇଁ କହିଗଲେ । ଦୟନୀୟ ରାଜପୁତ୍ର ଭରତଙ୍କ ପକ୍ଷରେ ବିଧିର ଏହା ଅନ୍ୟତମ ବିଡ଼ମ୍ୱନା ।

 

ରାମଚନ୍ଦ୍ରଙ୍କ ବନବାସ ପରେ ବିଳାପରତ ଦଶରଥଙ୍କର ମୃତ୍ୟୁ ହେଲା । ଭରତଙ୍କୁ ଅଭିଷିକ୍ତ ହେବାପାଇଁ ମାତୁଳ ଗୃହରୁ ଅଣାଗଲା; କିନ୍ତୁ ନିଜର ଅଗୋଚରରେ ଘଟି ଯାଇଥିବା ଘଟଣା ସମ୍ପର୍କରେ ସେ ଅବହିତ ନଥିଲେ । ଏଠାରେ ସଭାସଦ୍‌ ଓ ମନ୍ତ୍ରୀମାନଙ୍କର ଭରତଙ୍କ ପ୍ରତି ପ୍ରଚ୍ଛନ୍ନ ଆକ୍ଷେପ ସ୍ପଷ୍ଟ ହୋଇଯାଇଛି । ସମସ୍ତ କଥା ଜାଣିବା ପରେ ଭରତ ଶୋକାକୁଳ ଓ ବିଚଳିତ ହୋଇପଡ଼ିଲେ । ବଶିଷ୍ଟ ଭରତଙ୍କୁ ଅଭିଷିକ୍ତ ହେବାପାଇଁ ବିଧାନ ଅନିସାରେ ପ୍ରବର୍ତ୍ତାଇଥିଲେ; କିନ୍ତୁ ସେହି ନିଷ୍ପାପ ଆତ୍ମା ସମସ୍ତ ଘଟଣାର ପ୍ରାୟଶ୍ଚିତ୍ତ କରିବା ପାଇଁ ଦୃଢ଼ସଙ୍କଳ୍ପ ହେଲେ । ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ଫେରାଇ ଆଣିବାପାଇଁ ସେ ଚିତ୍ରକୂଟ ପର୍ବତର ମହର୍ଷି ଭରଦ୍ୱାଜଙ୍କ ଆଶ୍ରମ ପର୍ଯ୍ୟନ୍ତ ଯାଇଥିଲେ । ‘‘ରାମଚନ୍ଦ୍ର ରାଜ୍ୟକୁ ନ ଫେରିଲେ, ସେ ମଧ୍ୟ ବନବାସୀ ହେବେ’’–ଏହାହିଁ ସ୍ଥିର କଲେ-। ଚିତ୍ରକୂଟ ପର୍ବତରେ ଶବରରାଜ ଗୁହକ, ଅନୁଜ ଲକ୍ଷ୍ମଣ ମହର୍ଷି ଭରଦ୍ୱାଜ ମଧ୍ୟ ଭରତଙ୍କୁ ସନ୍ଦେହ କରିଛନ୍ତି । ଅବଶେଷରେ ଭରତଙ୍କ ନିଷ୍ଠାପହୃଦୟ ସ୍ପଷ୍ଟତର ହୋଇଉଠିଛି ଓ ନିଜର ସଦ୍‌ଗୁଣରେ ସେ ସମସ୍ତଙ୍କୁ ମଧ୍ୟ ଅଭିଭୂତ କରିଦେଇଛନ୍ତି । ରାମଚନ୍ଦ୍ରଙ୍କଦ୍ୱାରା ଅନୁଜ୍ଞାତ ହୋଇ ଭାରତ ରାମଚନ୍ଦ୍ରଙ୍କର କର୍ମଚାରୀରୂପେ ଚଉଦବର୍ଷକାଳ ରାଜ୍ୟ ଶାସନ କଲେ । ଏହି ସମୟ ମଧ୍ୟରେ ସ୍ୱୟଂ ସତ୍ୟାଗ୍ରହୀ ଭରତ ରାଜପ୍ରସାଦର ସୁଖ-ସମ୍ଭୋଗରୁ ଦୂରରେ ରହିଛନ୍ତି । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରୂଢ କରି ନନ୍ଦିଗ୍ରାମଠାରେ ସେ ବନବାସୀ ପରି ଜୀବନ କଟାଇଛନ୍ତି । ରାମଚନ୍ଦ୍ର ବଣରେ ଫଳମୂଳ ଭକ୍ଷଣ କରୁଥିବେ; ବଳକ୍‌ଳ ଧାରଣ କରୁଥିବେ ଓ କୁଶ ଶଯ୍ୟାରେ ଶୟନ କରୁଥିବେ–ଏହି ବନବାସୀର ରୂପଳକ୍ପକୁ ସୃତିପଟରେ ରଖି ନିଜେ ମଧ୍ୟ ସେହିପରି ଜୀବନ ସେ ବିତାଇଥିଲେ-। ଏତିକିରେ ତାଙ୍କର ପରୀକ୍ଷା ଶେଷ ହେଲାନାହିଁ । ରାମଚନ୍ଦ୍ର ସୀତାଙ୍କ ସହିତ ଲଙ୍କାରୁ ପ୍ରତ୍ୟାବର୍ତ୍ତନ କଲାପରେ ମଧ୍ୟ ଭରତଙ୍କର ଅନୁରକ୍ତି ବୁଝିବାପାଇଁ ଚେଷ୍ଟା କରିଥିଲେ । ତାଙ୍କର ଧାରଣା ହୋଇଥିଲା-ସମ୍ଭବତଃ ଏହି ସମୟ ମଧ୍ୟରେ ଭରତ ମନରେ କୌଣସି ପରିବର୍ତ୍ତନ ଆସିଥିବ । ସେ ରାଜ୍ୟଭୋଗ ଓ ରାଜ୍ୟଶାସନ ଆସକ୍ତ ହୋଇଥିବେ । ସେଭଳି ପରିସ୍ଥିତିରେ ରାମଚନ୍ଦ୍ରଙ୍କର ଆଉ ଅଯୋଧ୍ୟାକୁ ଫେରିବା ହୁଏତ ଉଚିତ୍‌ ହେବନାହିଁ ବୋଲି ଭାବି ଭରତଙ୍କର ମନୋଭାବକୁ ଲକ୍ଷ୍ୟ କରିବା ପାଇଁ ସେ ମଧ୍ୟ ଦୂତ ପଠାଇଥିଲେ । ଅନ୍ୟ ପକ୍ଷରେ ‘‘ରାମଚନ୍ଦ୍ର ଚତୁର୍ଦ୍ଦଶ ବର୍ଷ ପରେ ଅଯୋଧ୍ୟାକୁ ନ ଫେରିଲେ, ଭରତ ନିଜକୁ ଅଗ୍ନିରେ ଆହୁତି ଦେବେ’’–ଏହି ପତିଜ୍ଞା କରିଥିଲେ-

 

ଏ ସମସ୍ତ ଘଟଣାରୁ ଆମକୁ ଲକ୍ଷ୍ୟ କରିବାକୁ ହେବ ଯେ, ସ୍ଥିରମତି ଯୋଗଜନ୍ମା ଭରତ ବିନା ଅପରାଧରେ ମଧ୍ୟ ସମସ୍ତଙ୍କର ଶରବ୍ୟ ହୋଇଛନ୍ତି ।

 

ରାମାୟଣର ସେହି ମହାନ୍‌ ଚରିତ୍ର, ଯାହା ଯୁଗ-ଯୁଗଧରି ଆର୍ଯ୍ୟପ୍ରାଣକୁ ପ୍ରେରଣା ଦେଇଆସିଛି, ତାହା ଅନ୍ୟତ୍ର ବିରଳ । ଭରତଙ୍କ ବିଷୟରେ କୌଣସି ସମୀକ୍ଷ କଲାବେଳେ, ବିଧିର ବିଡ଼ମ୍ବନା ଆମ ଆଗରେ ସ୍ପଷ୍ଟ ହୋଇଉଠେ । ଭରତ ଶୋକାକୁଳ ନିରପରାଧ ରାଜପୁତ୍ରଙ୍କର ଏକ ସୁମହାନ୍‌ ରୂପକଳ୍ପ ।

Image

 

ବିଦଗ୍‌ଧା ତୁଳସୀ

(୧)

 

ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାର ପ୍ରତ୍ୟହ ତୁଳସୀପୂଜା କରନ୍ତି । ଘରର ଅଗଣା ବା ଚତ୍ୱରରେ ବେଦି କରି ତୁଳସୀ ବୃକ୍ଷ ରୋପଣ କରାଯାଇଥାଏ । ଏହାକୁ ‘ଚଉରା’ କହନ୍ତି । ସ୍ନାନ ପରେ ତୁଳସୀ ମୂଳରେ ଜଳ ଦେଇ ତୁଳସୀ-ମୃତ୍ତିକା ଗ୍ରହଣକରିବା ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପଦାନ ଦେବା ଆଜି ନିତ୍ୟବିଧିରେ ପରିଣତ ହୋଇଛି । କେଉଁ ସ୍ମରଣାତୀତ କାଳରୁ ଭାରତୀୟମାନେ ତୁଳସୀ ବୃକ୍ଷକୁ ଆରାଧନା କରିଆସୁଛନ୍ତି; ତା’ର ଅବଧି ସ୍ଥିରକରିବା ଆଜି ସହଜ ନୁହେଁ । ସରଳା ବାଳିକା, କିଶୋରୀ, ଯୁବତୀ ଓ ଗୃହିଣୀମାନଙ୍କର କାମନାସକ୍ତି ମାନସରେ ତୁଳସୀପୂଜାର ନିରବଚ୍ଛିନ୍ନତା ଆଜି ଉଜ୍ଜୀବିତ । ବିପଦ-ଆପଦରୁ ରକ୍ଷାକରିବାପାଇଁ ତୁଳସୀମୂଳରେ ଦୀପ ଜାଳି ଜନସାଧାରଣ ପ୍ରଣତି ଜଣାନ୍ତି । ସନ୍ତାନମାନଙ୍କୁ ରୋଗ-ବ୍ୟାଧିରୁ ରକ୍ଷାକରିବାପାଇଁ ମା’ମାନଙ୍କର ଅଶ୍ରୁମୁଞ୍ଚନରେ ତୁଳସୀମୂଳ ସିକ୍ତ ହୋଇଆସିଛି । ବିରହବିଧୁରା ରମଣୀ ପ୍ରିୟ ଆଗମନର ଆଶା ଓ ପ୍ରତୀକ୍ଷାରେ ତୁଳସୀମୂଳେ ସଞ୍ଜବତି ଜାଳିଆସୁଛି । ଜନମାନସରେ ତୁଳସୀ ସମସ୍ତଙ୍କର କାମନା ପୂରଣକରି ଆସିଛନ୍ତି ।

 

ଉଲ୍ଲିଖିତ ଧର୍ମ, ଅର୍ଥ ଓ କାମସମ୍ବଳିତ ତ୍ରିବର୍ଗ ପ୍ରଦାନକରିବା ସହିତ ତୁଳସୀ ମଧ୍ୟ ମୋକ୍ଷଦାତ୍ରୀ । ସୁଖ, ସମୃଦ୍ଧି ଓ ମୁକ୍ତି ଅଭିଳାଷରେ ଲୋକମାନେ ତୁଳସୀପତ୍ର ସହିତ ଶାଳଗ୍ରାମୋଦକ ପାଇଥାନ୍ତି । ପ୍ରୟାଣ ସମୟରେ ମୁମୂର୍ଷୁର ମୁଖରେ ତୁଳସୀପତ୍ର ଓ ଜଳ ଦେବାର ବିଧି ଅଛି । ତୁଳସୀ-ମୃତ୍ତିକାକୁ ତିଳକରୂପେ ଧାରଣ କରନ୍ତି ଏବଂ ତୁଳସୀ-କାଷ୍ଠରେ ମାଳି ତିଆରି କରି ବୈଷ୍ଣବମାନେ ପରିଧାନ କରିଥାନ୍ତି । ଆଜି ଲୋକାଚାରରେ ଚତୁର୍ବର୍ଗପ୍ରାପ୍ତିର ସରଳ ବିଧି ହେଉଛି ତୁଳସୀପୂଜା । ଆଚାଣ୍ଡାଳ ବ୍ରାହ୍ମଣ ପ୍ରତ୍ୟେକ ନରନାରୀ ସରଳ ଓ ନିଷ୍କପଟ ବିଶ୍ୱାସରେ ତୁଳସୀର ପୂଜା କରିଆସୁଛନ୍ତି । ତୁଳସୀପୂଜା ପରି ଅନ୍ୟ କୌଣସି ପୂଜା ଏତେ ବ୍ୟାପକ ନୁହେଁ ।

 

ତୁଳସୀ ବୃକ୍ଷକୁ ସାଧାରଣତଃ ବୃନ୍ଦାବତୀ, ତ୍ରିପୁରା ଓ ସତ୍ୟବତୀ ନାମରେ ପୂଜା କରିଥାନ୍ତି । ଏଥିମଧ୍ୟରୁ ବୃନ୍ଦାବତୀ ନାମଟି ସାଧାରଣରେ ବିଶେଷ ପରିଚିତ । କିନ୍ତୁ ଏ ବୃନ୍ଦାବତୀ କିଏ, ତ୍ରିପୁରା ଓ ସତ୍ୟବତୀଙ୍କ ସହିତ ତାଙ୍କର କି ସମ୍ପର୍କ ଅଛି, ପୁଣି ଏକ ବୃକ୍ଷ ବିଶେଷକୁ ଏପରିଭାବେ ପୂଜା କରିବା ମୂଳରେ କେଉଁ ତାତ୍ତ୍ୱିକ ପ୍ରେରଣା ରହିଛି-ଏସବୁର ବିଶ୍ଳେଷଣ କରିବା ଏମ ସମସ୍ୟା ହୋଇଉଠିଛି । ଏ ସମ୍ପର୍କରେ ଭାରତୀୟ ସଂସ୍କୃତିର କେତେକ ଛିନ୍ନ ଖିଅକୁ ହିଁ ଉପଜୀବ୍ୟ କରାଯାଇପାରେ ।

 

ଅଭିଶପ୍ତା ବୃନ୍ଦା- ବୃନ୍ଦାବତୀଙ୍କର ବର୍ଣ୍ଣନା ବୈଷ୍ଣବ-ସାହିତ୍ୟ ଓ ବିଶେଷକରି ବ୍ରହ୍ମବୈବର୍ତ୍ତ ପୁରାଣରେ ଦେଖଯାଏ । ନିତ୍ୟଗୋଲକ ବୈକୁଣ୍ଠପୁରରେ କିଶୋରୀ ଶ୍ରୀରାଧା ଓ କିଶୋର ଶ୍ରୀକୃଷ୍ଣ ରସୋତ୍ତୀର୍ଣ୍ଣ ନିତ୍ୟବାସ ବୈଷ୍ଣବଦର୍ଶନରେ ଚିଦ୍‌ବିଳାସର ରୂପାନ୍ତର । ଏହା ହିଁ ବୈଷ୍ଣବମାନଙ୍କ ମତରେ ଧ୍ୟେୟ ବସ୍ତୁ । ଏକଦା ଗୋଲକରେ ତନ୍ୱୀ ବୃନ୍ଦାଙ୍କ ସହିତ ଶ୍ରୀକୃଷ୍ଣ କେଳି କରୁଥାନ୍ତି । ସଖୀ ମୁଖରୁ ମାନିନୀ ରାଧା ଶ୍ରୀକୃଷ୍ଣଙ୍କର ବୃନ୍ଦାଙ୍କ ସହିତ ନିଗୂଢ଼ ପ୍ରଣୟକାହାଣୀ ଶୁଣି ବୃନ୍ଦାଙ୍କୁ ଅଭିଶାପ ଦେଲେ : ‘‘ତୁମେ ମାନବୀ ହୁଅ !’’

 

ଅଭିଶପ୍ତା ବୃନ୍ଦା ଶ୍ରୀକୃଷ୍ଣଙ୍କ ନିକଟରେ ଅଶ୍ରୁ ନିବେଦନ କରି ନିଜର ମୁକ୍ତି ଚାହିଁଲେ । ଶ୍ରୀକୃଷ୍ଣ କହିଲେ, ‘‘ତୁମ ସହିତ ମୋର ଗୁପ୍ତପ୍ରଣୟର ରସୋର୍ତ୍ତୀର୍ଣ୍ଣ କାହାଣୀ ଶାଶ୍ୱତ ହେଉ । ତୁମେ ଭାରତବର୍ଷ ତପସ୍ୟା କରି ନାରାୟଣୀ ଅଂଶ ଲାଭ କରିବ ।’’ ଅଲୋକସାମାନ୍ୟ ବୃନ୍ଦାବତୀ ଧର୍ମଧ୍ୱଜ ରାଜାଙ୍କର ପତ୍ନୀ ମାଧବୀଙ୍କ ଗର୍ଭରେ କାର୍ତ୍ତିକ ମାସର ଶଶିଶୋଭନା ଜ୍ୟୋତ୍ସ୍ନାପୁଲକା ପୂର୍ଣ୍ଣମୀରେ ଜନ୍ମନେଲେ । ଜନ୍ମରୁ ସେ କହିଲେ ଅନୁପମା । ସମସ୍ତ ଉପମା ବା ତୁଳନାର କ୍ରାନ୍ତି ଜୟ କରିବାରୁ ନାମ ହେଲା ତୁଳସୀ ।

 

‘‘ନରା ନାର୍ଯ୍ୟଶ୍ଚ ତାଂ ଦୃଷ୍ଟା ତଳନାଂ ଦାତୁମକ୍ଷମାଃ

ତେନ ନାମ୍ନା ଚ ତୁଳସୀଂ ତାଂ ବଦନ୍ତି ପୁରାବିଦଃ’’

—(ତୁଳାଂ ସାଦୃଶ୍ୟ ସ୍ୟତି ନାଶୟତି ଇତି ତୁଳସୀ)

 

(ବ୍ରହ୍ମବୈବର୍ତ୍ତ ପୁରାଣ)

 

‘‘ପୁରବାସୀ ନରନାରୀମାନେ ନବଜାତା କନ୍ୟାକୁ କୌଣସି ତୁଳନା ଦେଇ ପାରିଲେନାହିଁ । ନିରୁପମା କନ୍ୟା ସମସ୍ତ ତୁଳନାକୁ ଅତିକ୍ରମ କରି ତୁଳସୀ ହେଲେ ।’’

 

ସ୍ୱୀୟ ତନିମାରେ ମାନିନୀ ତୁଳସୀ ଯୋଗ୍ୟ ପ୍ରଣୟୀ ପାଇବାପାଇଁ ତପସ୍ୟା କଲେ ।

 

X X X

 

ରାଧାଙ୍କ ଅଭିଶାପରେ ରାସେଶ୍ୱରୀ ବୃନ୍ଦା ତୁଳସୀରୂପେ ଜନ୍ମନେଲେ; କିନ୍ତୁ ଗୋଲକର ନିତ୍ୟରାସରେ ରସଶେଖର ଶ୍ରୀକୃଷ୍ଣଙ୍କର ଗୁପ୍ତପ୍ରଣୟର ପଟାନ୍ତର ନାହିଁ । ମାନିନୀ ରାଧା ଅଭିଶାପ ଦେବେ ସିନା; କିନ୍ତୁ ପ୍ରଣୟର କୁଟିଳଭଙ୍ଗୀକୁ ରୁଜ କରିବା ତାଙ୍କ ପକ୍ଷରେ ଅସମ୍ଭବ । ଏକଦା ଗୋଲକର ବୃନ୍ଦାରଣ୍ୟରେ ଶ୍ରୀକୃଷ୍ଣ ରାଧାଙ୍କର ପ୍ରିୟବୟସୀ ବିରଜାଙ୍କ ସହିତ ରମଣ କରିବାକୁ ଇଚ୍ଛା କଲେ । ବିରଜା ରାଧିକାଙ୍କ ପରି ସୁନ୍ଦରୀ ଓ ରୂପବତୀ । ସେ ନିତ୍ୟ ଷୋଡ଼ଶୀ । ଶ୍ରୀକୃଷ୍ଣଙ୍କୁ ସମୀପରେ ପାଇ ଉଦ୍ଭିନ୍ନଯୌବନା ବିରଜା ତାଙ୍କ ପ୍ରତି କଟାକ୍ଷପାତ କଲେ । ଲୀଳାବିଳାସୀ କୃଷ୍ଣ ତାଙ୍କ ସହିତ ରମଣ କଲେ ।

 

‘‘ଗୋପିକାଂବିରଜାମନ୍ୟାଂ ଶୃଙ୍ଗାରାର୍ଥ ଜଗାମହ

ବୃନ୍ଦାରଣ୍ୟେ ଚ ବିରଜା ସୁଭଗା ରାଧିକାସମା

ରତ୍ନସିଂହାସନାସ୍ଥା ସା ଦଦର୍ଶ ହରିମନ୍ତିକେ

ଦଦର୍ଶ ଶ୍ରୀହରିସ୍ତାଂ ଚ ଶରଚ୍ଚନ୍ଦ୍ର ନିଭାନନାମ୍‌ ।

ମନୋହରାଂ ସସ୍ମିତାଂ ଚ ପଶ୍ୟନ୍ତୀଂ ବକ୍ରଚକ୍ଷୁସା

ସଦା ଷୋଡ଼ଶବର୍ଷୀୟାଂ ପ୍ରୋଦ୍ଭିନ୍ନ ନବଯୌବନାମ୍‌ ।

ରତ୍ନାଳଙ୍କାରଶୋଭାଢ଼୍ୟାଂ ଭୂଷିତାଂ ଶୁକ୍ଳବାସସା

ପୁଲକାଙ୍କି ତସର୍ବାଙ୍ଗୀଂ କାମବାଣପ୍ରପୀଡ଼ିତାମ୍‌ ।

ଦୃଷ୍ଟ୍ୱାତାଂ ଶ୍ରୀହରିସ୍ତୁର୍ଣଂ ବିଜହାର ତୟା ସହ

ପୁଷ୍ପତଳ୍ପେ ମହାରଣ୍ୟେ ନିଜନେ ରତ୍ନମଣ୍ଡପେ ।’’

 

X X X

 

ରାଧିକା ସଖୀ ମୁଖରୁ ଏହି ପ୍ରଣୟ କାହାଣୀ ଶୁଣି କ୍ରୋଧାନ୍ୱିତା ହେଲେ । ବିରଜା ରାଧିକାଙ୍କ ଭୟରେ ନଦୀରୂପେ ଆତ୍ମଗୋପନ କଲେ । ବ୍ୟଥିତ ଶ୍ରୀକୃଷ୍ଣ ବିରଜାଙ୍କ ଅଦର୍ଶନରେ ସନ୍ତପ ହୁଅନ୍ତେ ନଦୀରୂପିଣୀ ବିରଜା ରଜୋବତୀ ଶୁଭାଙ୍ଗିନୀ ରୂପେ ଆତ୍ମପ୍ରକାଶ କଲେ ଓ ପୁନର୍ନବା ବିରଜାଙ୍କ ସହିତ ପ୍ରଣୟରାସ ଆରମ୍ଭ ହେଲା । ଏଥର ଖଣ୍ଡିତା ରାଧା ଶ୍ରୀକୃଷ୍ଣଙ୍କୁ କର୍କଶ ବଚନ କହି ମାନସନ୍ତପ କଲେ । ଅପରାଧୀ କୃଷ୍ଣ ମାନିନୀର ନିଷ୍ଠୁରତାକୁ ସହ୍ୟ କରୁଥାନ୍ତି; କିନ୍ତୁ ତାଙ୍କର ଦ୍ୱାରରକ୍ଷକ ପ୍ରିୟସଖା ସୁଦାମା ରାଧାଙ୍କ କଟୂକ୍ତିର ପ୍ରତିବାଦ କଲେ । ପ୍ରତିବାଦରେ ସ୍ପର୍ଦ୍ଧିନୀ ରାଧିକା ସୁଦାମାଙ୍କୁ ଅସୁରଯୋନିରେ ଜନ୍ମ ହେବାପାଇଁ ଅଭିଶାପ ଦେଲେ । ସୁଦାମା ଶଙ୍ଖଚୂଡ଼ ନାମକ ଅସୁରରୂପେ ଜନ୍ମନେଲା । ନିଜର ପୌରୁଷ ଓ ତପସ୍ୟା ବଳରେ ବଳୀୟାନ୍‌ ଶଙ୍ଖଚୁଡ଼ ଦେବତାଙ୍କର ଭୀତି ସଞ୍ଚାର କଲା । ତପସ୍ୱନୀ ତୁଳସୀ ଶଙ୍ଖଚୂଡ଼ଙ୍କୁ ପିତାଙ୍କର ଅନୁଜ୍ଞାତ ବିବାହକଲେ । ତୁଳସୀ ତପୋଧନା ଓ ସାଧ୍ୱୀ । ତୁଳସୀଙ୍କ ସତୀତ୍ୱ ବଳରେ ଶଙ୍ଖଚୂଡ଼ ଅଧିକ ବଳୀୟାନ୍‌ ହେଲେ ।

 

ଏଣେ ସନ୍ତ୍ରସ୍ତ ଦେବତା ଶଙ୍ଖଚୂଡ଼ର ଦୌରାତ୍ମ୍ୟରୁ ରକ୍ଷାପାଇବା ପାଇଁ ଶିବଙ୍କର ଶରଣାପନ୍ନ ହେଲେ । କିନ୍ତୁ ଯାହାର ସ୍ତ୍ରୀ ତୁଳସୀ, ତାକୁ ଜୟ କରିବା ଶିବଙ୍କ ପକ୍ଷରେ ଦୁଃସାଧ୍ୟ ହେଲା । ତୁଳସୀର ସତୀତ୍ୱ ହିଁ ଶଙ୍ଖଚୂଡ଼ର ଅପରାଜୟର କାରଣ । ବିଷ୍ଣୁ ମାୟାରେ ତୁଳସୀ ସହିତ ରମଣ କରି ତା’ର ସତୀତ୍ୱ ନଷ୍ଟ କଲେ ଓ ଶଙ୍ଖଚୂଡ଼ର ବିନାଶ ହେଲା । ତୁଳସୀର ଅଭିଶାପରେ ବିଷ୍ଣୁ ଗୋମତୀ ତୀରରେ କୀଟଦଂଷ୍ଟ ଶାଳଗ୍ରାମ ହେଲେ; ତୁଳସୀ ଅସତୀର ଗ୍ଳାନି ସହିନପାରି ନିଜର ଶରୀରକୁ ବିନଷ୍ଟ କଲା । ଭସ୍ମୀଭୂତ ତୁଳସୀର ଶରୀର ଗୋମତୀର ଜଳରୂପେ ଏବଂ ତା’ର କେଶ ବୃକ୍ଷରୂପେ ପ୍ରକାଶ ପାଇଲା । ସେହି ବୃକ୍ଷ ହେଲା ଶଂସିତ ତୁଳସୀ ବୃକ୍ଷ । ଅନୁତପ୍ତ ବିଷ୍ଣୁ ତୁଳସୀର ସ୍ମୃତିକୁ ଉଜ୍ଜୀବିତ ରଖି ବୃକ୍ଷରୂପା ଅତନୁ ତୁଳସୀକୁ ନିଜର ପ୍ରାଣବଲ୍ଲଭୀ କରି ଉପଶାନ୍ତ ହେଲେ ।

 

X X X

 

କିନ୍ତୁ ପଦ୍ମପୁରାଣରେ ବିଷୟବସ୍ତୁରେ କେତେକ ପାର୍ଥକ୍ୟ ଦେଖାଯାଏ । ସିନ୍ଧୁ ସୁତ ଜଳନ୍ଧରେ ବ୍ରହ୍ମାଙ୍କ ବଳରେ ବଳୀୟାନ୍‌ ହେଲା । ଇନ୍ଦ୍ରାଦି ଦେବତାମାନେ ତାଙ୍କ ଦ୍ୱାରା ନିର୍ଜିତ ହେଲେ । ସତୀ ସାଧ୍ୱୀ ବୃନ୍ଦାବତୀଙ୍କ ପାଣିଗ୍ରହଣ କରି ଜଳନ୍ଧର ସୁଖସ୍ୱାଚ୍ଛନ୍ଦ୍ୟରେ କାଳାତିପାତ କରିବାକୁ ଲାଗିଲା । ଆତ୍ମଗ୍ଳାନିରେ ଦୁଃଖିତ ଦେବତାମାନେ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବହୁବର୍ଷ ଯୁଦ୍ଧକରି ଜଳନ୍ଧରକୁ ପରାସ୍ତ କରିପାରିଲେ ନାହିଁ । ଶେଷରେ ଜଳନ୍ଧରଙ୍କ ଅନୁରୋଧ ଓ ଆଦରରେ ଦ୍ରବୀଭୂତ ହୋଇ ସ୍ୱୟଂ ବିଷ୍ଣୁ ଜଳନ୍ଧର ପୁରରେ ନିବାସ କଲେ ।

 

ବିଷ୍ଣୁପତ୍ନୀ ଲକ୍ଷ୍ମୀ କ୍ଷୀରାବ୍‌ଧତନୟା ହୋଇଥିବାରୁ ଜଳନ୍ଧରର ଭଗିନୀରୂପେ ସମ୍ମାନିତା ହେଲା । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଅବସ୍ଥାନ ହେତୁ ଜଳନ୍ଧରପୁରରେ ପ୍ରାଚୁର୍ଯ୍ୟ ଭରିଗଲା । ଦେବତାମାନେ ବିଷ୍ଣୁଙ୍କୁ ଜଳନ୍ଧରେ ସହିତ ଯୁଦ୍ଧ କରିବାକୁ ପଠାଇ ବିଷମ ସମସ୍ୟାରେ ସମ୍ମୁଖୀନ ହେଲେ । ସ୍ୱର୍ଗ ଓ ସମ୍ପଦ ହରାଇଥିଲେ; ଶେଷରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଦର୍ଶନରୁ ବଞ୍ଚିତ ହେଲେ । ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଦେବର୍ଷି ନାରଦ ଏକଦା ଜଳନ୍ଧରପୁରରେ ଉପସ୍ଥିତ ହୁଅନ୍ତି । ଜଳନ୍ଧରେ ନିଜର ସମ୍ପଦରେ ସ୍ୱାଭିମାନୀ ହୋଇ ନାରଦଙ୍କୁ ପଚାରିଲେ :

 

‘‘ଭୋଗ ଓ ବିଳାସର ପୂର୍ଣ୍ଣତା ଦେଖୁଛନ୍ତି ଦେବର୍ଷି !’’ ପୁରାଣ ଆଖ୍ୟାନରେ ନାରଦଙ୍କ କାର୍ଯ୍ୟ ନୂତନ ସମସ୍ୟା ସୃଷ୍ଟିକରି କ୍ଷିପ୍ରତା ଆଣେ । ଦ୍ୱିପ୍ରାନ୍ତିକ ସଂଘର୍ଷ ଓ ମିଳନରେ ନାରଦଙ୍କ ଚରିତ୍ର ଦୀପ୍ତ ଓ ରସାଣିତ । କିନ୍ତୁ ସେ ସମସ୍ତଙ୍କର ବିସ୍ତବ୍‌ଧ । ନାରଦ ଉତ୍ତର ଦେଲେ, ‘‘ସ୍ତ୍ରୀ ରତ୍ନର ଅଭାବ ।’’ ‘‘ରମା ଯାହାର ସହୋଦରା, ବୃନ୍ଦାବତୀ ଯାହାର ପ୍ରେୟସୀ, ତା’ର ପୁରରେ ସ୍ତ୍ରୀ-ରତ୍ନର ଅଭାବ’’–ଏହା ନିରାଲମ୍ବ ଉକ୍ତି ହେଲେହେଁ ପାର୍ବତୀଙ୍କ ପ୍ରତି ଜଳନ୍ଧରକୁ ପ୍ରଲୁବ୍‌ଧ କରିବାପାଇଁ ନାରଦ କପଟତା କଲେ । ତଦବ୍‌ଧି ଶିବପ୍ରିୟା ପାର୍ବତୀ ହେଲେ ବିକ୍ଷୁବ୍‌ଧ ଜ୍ୱଳନ୍ଧରର ଜ୍ୱାଳାମୟୀ ଲିପ୍‌ସା । ପାର୍ବତୀଙ୍କୁ ପାଇବାପାଇଁ ସେ କୈଳାସ ଆକ୍ରମଣ କଲା; କିନ୍ତୁ ଯୁଦ୍ଧରେ ଶିବଙ୍କୁ ପରାସ୍ତ କରି ନପାରି ମାୟିକ ଶିବରୂପରେ ପାର୍ବତୀଙ୍କୁ ସମ୍ଭୋଗ କରିବାପାଇଁ ଇଚ୍ଛାକଲା । ପାର୍ବତୀ ଦୂରନ୍ତ ଅସୁରର ମାୟା ବୁଝିପାରି ଖିନ୍ନା ହେଲେ ଓ ବିଷ୍ଣୁଙ୍କୁ ବିପଦରୁ ରକ୍ଷାକରିବା ପାଇଁ ନିବେଦନ କଲେ । ବିଷ୍ଣୁ ଜଳନ୍ଧରର ମୃତ୍ୟୁ ଉପାୟ ଚିନ୍ତାକଲେ । ବୃନ୍ଦବତୀର ପାତିବ୍ରତ୍ୟକୁ ବିଡ଼ମ୍ବିତ ନ କଲେ ଜଳନ୍ଧର ମରିବ ନାହିଁ । ତେଣୁ ମାୟାରେ ବୃନ୍ଦାବତୀଙ୍କୁ ରମଣ କରିବାପାଇଁ ସେ ଇଚ୍ଛାକଲେ ।

 

ଏହି ସମୟରେ ବୃନ୍ଦବତୀ ବହୁ ଅପଶକୁନ ଦେଖିବାକୁ ପାଇଲେ । ସ୍ୱପ୍ନରେ ଜଳନ୍ଧରଙ୍କ ଅମଙ୍ଗଳ ଦେଖି ପ୍ରଭାତରୁ ସଖୀ ସହିତ କାତର ହୃଦୟରେ ଜଳନ୍ଧରଙ୍କ ଅନ୍ୱେଷଣରେ ବାହାରିଲେ-। ସ୍ୱୟଂ ବିଷ୍ଣୁ ମାୟା-ଜଳନ୍ଧର ରୂପରେ ବୃନ୍ଦାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ବୃନ୍ଦା ବିଷ୍ଣୁଙ୍କୁ ଜଳନ୍ଧର ଭାବି ଉଲ୍ଲସିତା ହେଲେ । ବୃନ୍ଦାଙ୍କ ରୂପଲାପଣ୍ୟରେ ବିମୁଗ୍‌ଧ ବିଷ୍ଣୁ ବୃନ୍ଦାଙ୍କୁ ସେହି ଉପବନରେ ରମଣ କଲେ । ରମଣାନ୍ତେ ରତିକ୍ଳାନ୍ତା ସ୍ତିମିତନୟନା ବୃନ୍ଦା ବିଷ୍ଣୁଙ୍କ ଚଟୁଳ ଆଶ୍ୱାସନାରେ ବିସ୍ତବ୍‌ଧା ଥାନ୍ତି; ବିଷ୍ଣୁ ନିଜ ରୂପରେ ପ୍ରତିଭାତ ହେଲେ । ଶ୍ୟାମଘନମୂର୍ତ୍ତି, କଟିରେ ପୀତବସନ, ଜଳଦ-ଗମ୍ଭୀର ବାଣୀ ଓ ମଦନମୋହନ ରୂପ ଦେଖି ବୃନ୍ଦା ଚକିତ ହେଲେ-। ପାତିବ୍ରତ୍ୟର ସ୍ୱାଭିମାନ ନଷ୍ଟ ହେଲା ।

 

‘‘ମେଘ-ଗମ୍ଭୀର ବାଣୀ ଶୁଣି, ସେ ଜଳନ୍ଧର-ରାଜା-ରାଣୀ ।

ଲେଉଟି ଚାହିଁଲା ନିରେକ୍ଷ, କାତର ବିଷ୍ଣୁରୂପ ଦେଖି ।

ସମ୍ଭ୍ରମେ ବୁଜିଲା ନୟନ, କମ୍ପେ ଅଧର ଘନ ଘନ ।

କୋଳୁଁ ଉଠିଲା ଧାତିକାରେ, ପୁଣି ଚାହିଁଲା ଆଉ ଥରେ ।

ପ୍ରତ୍ୟକ୍ଷେ ବିଜେ ଦେବହରି, କୋଟି କନ୍ଦର୍ପ ରୂପ ଧରି ।

ଅତସୀ ପୁଷ୍ଣ ବର୍ଣ୍ଣ କାନ୍ତି, ନୀଳ ନବୀନ ଘନଜ୍ୟୋତି ।

ଏମନ୍ତ ରୂପେ ବ୍ରହ୍ମରାଶି, ବୃନ୍ଦାଙ୍କୁ ଚାହିଁ ଅଳ୍ପ ହସି ।

ତା ଦେଖି ବୃନ୍ଦା କଲା କୋପ, ବୋଇଲା ଧିକ ତୋର ରୂପ ।

ମୋତେ ଯେ କଲୁ ବିଡ଼ମ୍ବନ, ଏ ଦେହ ହେଲା ଅକାରଣ ।

ମୁଁ ଏହା ନ ରଖିବି ଆଉ, ତୋର ଉପରେ ହତ୍ୟା ହେଉ ।

 

(କାର୍ତ୍ତିକ ମାହାତ୍ମ୍ୟ)

 

X X X

 

ବୃନ୍ଦା ଆତ୍ମବିସର୍ଜନ କଲେ ! ଅପରାଧୀ ବିଷ୍ଣୁ ବୃନ୍ଦାର ଆତ୍ମବିସର୍ଜନରେ ଖିନ୍ନ ଓ ଅନୁତପ୍ତ ହେଲେ । ଦେବତାଙ୍କର କାର୍ଯ୍ୟ ସିଦ୍ଧି ହେଲା; କିନ୍ତୁ ଅନୁଶୋଚନାରେ ବ୍ୟଥିତ ବିଷ୍ଣୁ ଚରିଷ୍ଣୁ ନ ହୋଇ ସ୍ଥାଣୁ ହେଲେ । ଦେବତାମାନଙ୍କର ଅନୁରୋଧରେ ଯୋଗମାୟା ତିନୋଟି ସଂକେତବୀଜ ସେମାନଙ୍କୁ ଅର୍ପଣ କଲେ ଏବଂ ଦେବତାମାନେ ସେଗୁଡ଼ିକୁ ବୃନ୍ଦାବତୀର ଭସ୍ମ ଉପରେ ବୁଣିଦେଲେ-। ସେଥିରୁ ଜନ୍ମନେଲେ ଧାତ୍ରୀ, ମାଳତୀ ଓ ତୁଳସୀ । ତୁଳସୀର କାନ୍ତି ଦେଖି ବିଷ୍ଣୁଙ୍କ ମନରେ ଆନନ୍ଦ ଆସିଲା । ସେ ବୃନ୍ଦାଙ୍କ ରୂପ ଓ ଗୁଣ ସ୍ମରଣ କରି ତୁଳସୀକୁ ଆଦର କଲେ । ତଦବଧି ତୁଳସୀ ବିଷ୍ଣୁଙ୍କ ବଲ୍ଲଭୀ ହୋଇଆସିଛି । ପ୍ରଣୟର ସେହି କରୁଣ ସ୍ମୃତିକୁ ଅକ୍ଷୁଣ୍ଣ ରଖି ତୁଳସୀକୁ ବିଷ୍ଣୁ ସ୍ୱୀୟ ଅଙ୍ଗରେ ବହନ କରିଥାନ୍ତି । ମୃତ୍ୟୁ ପରେ ମଧ୍ୟ ବିଦେହୀ ବୃନ୍ଦା ବିଷ୍ଣୁଙ୍କର ବିଳାସିନୀ ହେଲେ-। ତୁଳସୀର ଉଲ୍ଲିଖିତ ଅର୍ଥ ପ୍ରକାଶ କରିବାପାଇଁ ଧର୍ମ ପୁରାଣର ନିମ୍ନରେ ଉଦ୍ଧୃତ ଶ୍ଳୋକଟି ବିଚାର୍ଯ୍ୟ-:

 

‘‘ତକାରୋ ମରଣଂ ପ୍ରୋକ୍ତଂ ତଦ୍‌ଯୋଗଃ ସ୍ୟାଦୁକାରତଃ

ମୁତା ଲସତି ସେତ୍ୟେବଂ ତୁଳସୀତ୍ୟେବ ଗୀୟତେ ।’’

 

ଅର୍ଥାତ୍‌-ତକାର ମୃତ୍ୟୁକୁ ବୁଝାଏ । ମୃତ୍ୟୁଯୁକ୍ତ ଅର୍ଥରେ ‘ତୁ’ର ଅର୍ଥ ହୋଇପାରେ ମୃତ୍ୟୁ ପରେ ବିଳସନ କରିବାରୁ ‘ତୁଳସୀ’ ରୂପେ ଖ୍ୟାତ ହେଲା ।

 

ରାସେଶ୍ୱରୀ ବୃନ୍ଦା- ଶ୍ରୀକୃଷ୍ଣଙ୍କ ରାସକେଳିରେ ଉଦ୍ଦୀପନ ବିଭାବ ରୂପେ ବୃନ୍ଦାବନର ମହିମା ଅନସ୍ୱୀକାର୍ଯ୍ୟ । କଥିତ ଅଛି, ବୃନ୍ଦାବତୀ ହେଉଛନ୍ତି ଏହି ସୁରମ୍ୟ ବୃନ୍ଦାବନର ଅଧୀଶ୍ୱରୀ । ଏ ସମ୍ପର୍କରେ ଆଖ୍ୟାୟିକାଟି ହେଉଛି, ସତ୍ୟଯୁଗରେ କେଦାର ନାମକ ରାଜାଙ୍କର ଲକ୍ଷ୍ମୀଅଂଶରେ ଗୋଟିଏ କନ୍ୟା ଜନ୍ମ ହୋଇଥିଲେ । ତାଙ୍କର ନାମ ବୃନ୍ଦା । ସେ ଯୋଗଶାସ୍ତ୍ରବିଶାରଦା ଓ ତପସ୍ୱିନୀ ଥିଲେ । ନିଜର ଅନୁରୂପ ବର ନ ପାଇ ଯୋଗେଶ୍ୱରୀ ବୃନ୍ଦା ଦୁର୍ବାସାଙ୍କ ଅନୁସାରେ ତପସ୍ୟା କଲେ-। ବହୁବର୍ଷ ତପସ୍ୟା କଲା ପରେ ଭକ୍ତମତ୍ସଳ ଶ୍ରୀକୃଷ୍ଣ ତାଙ୍କ ସମକ୍ଷରେ ଉପସ୍ଥିତ ହୋଇ ବର ମାଗିବାକୁ କହିଥିଲେ । ଶ୍ରୀକୃଷ୍ଣଙ୍କର ଶାନ୍ତ, ସୁନ୍ଦର ଓ ମନ୍ମଥଜିତ ମୂର୍ତ୍ତିକୁ ଦେଖି ବୃନ୍ଦା କାମଚିନ୍ତାରେ ମୂର୍ଚ୍ଛିତା ହେଲେ । ଶ୍ରୀକୃଷ୍ଣ ବୃନ୍ଦାଙ୍କ ସହ ରମଣ କରିଥିଲେ । ପରେ ବୃନ୍ଦା ଗୋପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଆସନ ପାଇ ଗୋଲୋକକୁ ଯାଇଥିଲେ ।

 

‘‘କମଳାଂଶା ତସ୍ୟକନ୍ୟା ନାମ୍ନା ବୃନ୍ଦା ତପସ୍ୱିନୀ

ନବବ୍ରେ ସା ବରଂ କଞ୍ଚିତ୍‌ ଯୋଗଶାସ୍ତ୍ରବିଶାରଦା ।

ଦତ୍ତଂ ଦୁର୍ବାସସା ତସୈ ହରେର୍ମନ୍ତ୍ରଃ ସୁଦୁର୍ଲଭଃ

ସା ବିରକ୍ତା ଗୃହଂ ତ୍ୟକ୍ତ୍ୱା ଜଗାମ ତପସେ ବନମ୍‌ ।

ଷଷ୍ଟିବର୍ଷସହସ୍ରାଣି ତପସ୍ତେପେ ସୁନିର୍ଜନେ

ଆବିର୍ବଭୂତ ଶ୍ରୀକୃଷ୍ଣ ସ୍ତତ୍‌ପୁରୋ ଭକ୍ତବତ୍ସଳଃ ।

ପ୍ରସନ୍ନବଦନଃ ଶ୍ରୀମାନ୍‌ ବରଂ ବୃଣ୍ୱିତ୍ୟୁବାଚ ସଃ

ଦୃଷ୍ଟ୍ୱା ସା ରାଧିକାକାନ୍ତଂ ଶାନ୍ତଂ ସୁନ୍ଦରବିଗ୍ରହମ୍‌ ।

ମୂର୍ଚ୍ଛାଂ ସଂପ୍ରାପ ସା ସଦ୍ୟଃ କାମବାଣପ୍ରପୀଡ଼ିତା

ସା ଚ ଶୀଘ୍ରଂ ବରଂ ବବ୍ରେ ପତିସ୍ତ୍ୱଂ ମେ ଭବତି ଚ ।’’

 

(ବ୍ରହ୍ମବୈବର୍ତ୍ତ ପୁରାଣ)

 

X X X

 

ଯେଉଁ ସ୍ଥାନରେ ବୃନ୍ଦା ତପସ୍ୟା କରିଥିଲେ କିମ୍ବା ଯେଉଁଠାରେ ଶ୍ରୀକୃଷ୍ଣଙ୍କ ସହିତ ରତିକ୍ରୀଡ଼ା କରିଥିଲେ, ଉକ୍ତ ସ୍ଥାନଟି ବୃନ୍ଦାବନ ନାମରେ କଥିତ ।

 

‘‘ବୃନ୍ଦା ଯତ୍ର ତପସ୍ତେପେ ତତ୍ତ୍ୱ ବୃନ୍ଦାବନଂ ସ୍ମୃତମ୍‌ ।

ବୃନ୍ଦୟାତ୍ର କୃତଂ କ୍ରୀଡ଼ା ତେନ ବା ମୁନିପୁଙ୍ଗବ ।’’

 

(ବ୍ରହ୍ମବୈବର୍ତ୍ତ ପୁରାଣ)

 

ଏଥିରୁ ଜଣାଯାଉଛି ଯେ, ବୃନ୍ଦାନାମ୍ନୀ କୌଣସି ନାରୀ ବିଷ୍ଣୁଙ୍କ ପ୍ରଣୟ ଇଚ୍ଛାକରି ତପସ୍ୱିନୀ ହୋଇଥିଲେ । ବ୍ରହ୍ମବୈବର୍ତ୍ତ ପୁରାଣର ଅନ୍ୟ ଏକ ଆଖ୍ୟାନରୁ ଜଣାଯାଏ, କୁଶଧ୍ୱଜ ରାଜାଙ୍କର ତୁଳସୀ ଓ ବେଦବତୀ ନାମରେ ଦୁଇଟି କନ୍ୟା ଥିଲେ । ଉଭୟଙ୍କର ସଂସାରପ୍ରତି ବୈରାଗ୍ୟ ଥିଲା ।

 

ବିଷ୍ଣୁଙ୍କୁ ପାଇବାପାଇଁ ସେମାନେ ଐକାନ୍ତିକ ସାଧନାରେ ନିମଗ୍ନ ରହିଲେ । ବେଦବତୀ ସୀତାରୂପେ ଜନ୍ମ ନେଇ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କୁ କାନ୍ତରୂପେ ପାଇଥିଲେ; କିନ୍ତୁ ବିଘ୍ନିତ-ତପସ୍ୱିନୀ ତୁଳସୀ ଦୁର୍ବାସାଙ୍କ ଅଭିଶାପରେ ଶଙ୍ଖାସୁରକୁ ସ୍ୱାମୀରୂପେ ପାଇଲେ । ବିଷ୍ଣୁଙ୍କପ୍ରତି ତାଙ୍କର ଯେଉଁ ପ୍ରଣୟସମ୍ମୋହ ଥିଲା, ତାହା ଅପୂର୍ଣ୍ଣ ହେବାରୁ କ୍ରୋଧ ଓ ଅଭିମାନର ରୂପନେଲା । ଦୈବକ୍ରମେ ବିଷ୍ଣୁ ମାୟାଛଳନାରେ ବୃନ୍ଦାଙ୍କୁ ରମଣ କରିବାରୁ ଆହତଗୌରବା ବୃନ୍ଦା ବିଷ୍ଣୁଙ୍କୁ ଅଭିଶାପ ଦେଲେ । ବିଷ୍ଣୁ ମଧ୍ୟ ମର୍ଯ୍ୟାଦାଭିମାନିନୀ ବୃନ୍ଦାଙ୍କୁ ଅଭିଶାପ ଦେଲେ । ପରସ୍ପରର ଅଭିଶାପରେ ବିଷ୍ଣୁ ଓ ବୃନ୍ଦା ଯଥାକ୍ରମେ ଶାଳଗ୍ରାମ ଓ ତୁଳସୀବୃକ୍ଷର ରୂପ ଧାରଣ କଲେ; କିନ୍ତୁ ଅନ୍ତର୍ଚେତନାରେ ସେମାନଙ୍କର ଯେଉଁ ଦୁର୍ବାର ପ୍ରେମ-ଅଭୀପ୍‌ସା ରହିଥିଲା; ତା’ର ସଂକେତରୂପେ ଶାଳଗ୍ରାମରୂପୀ ବିଦେହୀ ବିଷ୍ଣୁ ବୃକ୍ଷରୂପିଣୀ ତନୁହୀନା ବୃନ୍ଦାଙ୍କୁ ହୃଦୟରେ ଧାରଣ କଲେ ।

 

ବୈଷ୍ଣବଶାସ୍ତ୍ରରେ ବୃନ୍ଦା ଶବ୍ଦ ରାଧାଙ୍କର ନାମ ପର୍ଯ୍ୟାୟର ଅନ୍ତର୍ଗତ । ତାଙ୍କର ଷୋଡ଼ଶ ନାମ ମଧ୍ୟରୁ ବୃନ୍ଦା ନାମଟି ଅନ୍ୟତମ ।

 

‘‘ରାଧା ରାସେଶ୍ୱରୀ ରାସବାସିନୀ ରସିକେଶ୍ୱରୀ

କୃଷ୍ଣପ୍ରାଣାଧିକା କୃଷ୍ଣପ୍ରିୟା କୃଷ୍ଣସ୍ୱରୂପିଣୀ ।

କୃଷ୍ଣବାମାଙ୍ଗସମ୍ଭୂତା ପରମାନନ୍ଦରୂପିଣୀ

କୃଷ୍ଣା ବୃନ୍ଦାବନୀ ବୃନ୍ଦା ବୃନ୍ଦାବନବିନୋଦିନୀ ।’’

 

(ବ୍ରହ୍ମବୈବର୍ତ୍ତ ପୁରାଣ)

 

ରାଧାଙ୍କର ଅନ୍ୟତମା ସଖୀ ମଧ୍ୟରେ ବୃନ୍ଦା ନାମ ଉଲ୍ଲେଖ ଅଛି । ସେ ରାଧାଙ୍କ ପରି କିଶୋରୀ । ଚାତୁର୍ଯ୍ୟରେ ଅନ୍ୟ ଗୋପୀମାନଙ୍କ ଅପେକ୍ଷା ସେ ପ୍ରଗତିଶୀଳା । ଶାରଦୀୟା ରାକାରଜନୀର ରାସକ୍ରୀଡ଼ାରେ ସମସ୍ତ ଗୋପୀ କୃଷ୍ଣଙ୍କର ପ୍ରେମର ବିହ୍ୱଳ ହୋଇ ଆତ୍ମବିସ୍ମୃତ ଥିଲାବେଳେ ବୃନ୍ଦା କୃଷ୍ଣଙ୍କ ସହିତ ଏକାନ୍ତଭାବରେ ସେଠାରୁ ଚାଲିଯାଇଥିଲେ । ଏହି ପ୍ରସଙ୍ଗରେ ଶ୍ରୀକୃଷ୍ଣଙ୍କର ବୃନ୍ଦାଙ୍କ ପ୍ରତି ପକ୍ଷପାତିତା ଓ ବୃନ୍ଦାଙ୍କର ସ୍ୱାର୍ଥପରତାର ସଙ୍କେତ ରହିଛି; କିନ୍ତୁ ଶ୍ରୀକୃଷ୍ଣଙ୍କର ଲୀଳାବିଳାସ ଅଦ୍ଭୁତ । ବୃନ୍ଦା ଏକାକୀ ଶ୍ରୀକୃଷ୍ଣଙ୍କୁ ପାଇ ମନରେ ଗର୍ବ କରିଛନ୍ତି । ନିଜକୁ ସେ ଅନ୍ୟ ଗୋପୀମାନଙ୍କଠାରୁ ସମଧିକ ରୂପବତୀ ଓ କୃଷ୍ଣଙ୍କର ପ୍ରେୟସୀ ବୋଲି ଭାବିଛନ୍ତି-

 

‘‘ସା ଚ ମେନେ ତଦାତ୍ମାନଂ ବରିଷ୍ଠଂ ସର୍ବଯୋଷିତାଂ

ହିତ୍ୱା ଗୋପୀଃ କାମଯାନା ମାମସୌ ଭଜତେ ପ୍ରିୟଃ ।’’

 

(ଶ୍ରୀମଦ୍‌ଭାଗବତମ୍‌)

 

‘‘ସେ ନିଜକୁ ନାରୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ବୋଲି ଭାବିଛନ୍ତି । କାମାୟମାନ ସମସ୍ତ ଗୋପୀଙ୍କୁ ତ୍ୟାଗ କରି ପ୍ରିୟ ଶ୍ରୀକୃଷ୍ଣ ମୋ ପ୍ରତି ସମ୍ଭୋଗ ଇଚ୍ଛା ପ୍ରକାଶ କରିଛନ୍ତି ।’’ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ବୃନ୍ଦାଙ୍କ ଅହଙ୍କାର ବୁଝିପାରିଲେ । ସେହି ସମୟରେ କାମାବଶା ମଧୁମତ୍ତା ବୃନ୍ଦା ପଥଶ୍ରାନ୍ତିରେ ଚାଲିପାରୁ ନ ଥାନ୍ତି । ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ମୁଁ ଚାଲି ପାରୁନାହିଁ; ମୋତେ ଯେଉଁଠିକି ନେବ ନିଅ ।’’ ଖିନ୍ନାପ୍ରେୟସୀଙ୍କୁ ସ୍କନ୍ଧରେ ବସିବାପାଇଁ ଶ୍ରୀକୃଷ୍ଣ ଅନୁରୋଧ କଲେ । ବୃନ୍ଦା ଶ୍ରୀକୃଷ୍ଣଙ୍କ କାନ୍ଧରେ ବସନ୍ତେ ଶ୍ରୀକୃଷ୍ଣ ତାଙ୍କୁ ପଥରେ ପକାଇଦେଇ ଅନ୍ତର୍ଦ୍ଧାନ ହେଲେ ।

 

‘‘ତତୋ ଗତ୍ୱା ବନୋଦ୍ଦେଶଂ ଦୃପ୍ତା କେଶବମବ୍ରବୀତ୍‌

ନ ପାରୟେଽହଂ ଚଳିତୁଂ ନୟ ମାଂ ଯତ୍ର ତେ ମନଃ ।

ଏବମୁକ୍ତଃ ପ୍ରିୟାମାହ ସ୍କନ୍ଧେ ଆରୁହ୍ୟତାମିତି

ତତଶ୍ଚାନ୍ତର୍ଦଧେ କୃଷ୍ଣ ସା ବସୂରନ୍ୱତପ୍ୟତ ।’’

 

(ଶ୍ରୀମଦ୍‌ଭାଗବତମ୍‌)

 

ଅବଶ୍ୟ ସଂସ୍କୃତ ଭାଗବତରେ ଏହି ପ୍ରସଙ୍ଗରେ ବୃନ୍ଦାଙ୍କ ଉଲ୍ଲେଖ ନାହିଁ; ତାଙ୍କ ସ୍ଥାନରେ ଗୋପୀ ଅଛନ୍ତି । କିନ୍ତୁ ବିଭିନ୍ନ ପ୍ରାକୃତଭାଷାରେ ରଚିତ ରାସକ୍ରୀଡ଼ାରେ ଏହି କୌତୁକର ଦୟନୀୟା ନାୟିକା ହେଉଛନ୍ତି ବୃନ୍ଦା ।

 

‘‘ବୃନ୍ଦାଙ୍କୁ ବସାଇ କନ୍ଧରେ, କୃଷ୍ଣ ଚାଲନ୍ତି ଧୀରେ ଧୀରେ ।’’

 

ଉପରୋକ୍ତ ବର୍ଣ୍ଣନାରୁ କେତୋଟି ବିଷୟ ଅନୁଧ୍ୟାନ କରିବାର କଥା । ବୃନ୍ଦାବତୀ ଅସୁରପତ୍ନୀ ରୂପେ ଚିତ୍ରିତା ହୋଇଛନ୍ତି । ବିଷ୍ଣୁଙ୍କ ମାୟାରେ ପ୍ରମୁଗ୍‌ଧା; କିନ୍ତୁ ମୂର୍ତ୍ତିମତୀ ବୃନ୍ଦାଙ୍କୁ ବିଷ୍ଣୁ ଚିରଦିନ ପାଇଁ ପାଇପାରିନାହାନ୍ତି ବୃନ୍ଦା ଓ ବିଷ୍ଣୁ ଉଭୟଙ୍କର ପ୍ରଣୟ ବିନମ୍ବିତ ଓ ଅଭିଶପ୍ତ । ଦୈହିକ ପ୍ରେମ କରୁଣ ନୈରାଶ୍ୟରେ ପରିସମାପ୍ତ ହୋଇଛି । ଏଥିପାଇଁ ବିଷ୍ଣୁ ନିଜକୁ ଅପରାଧୀ ଭାବିଛନ୍ତି ଓ ବୃନ୍ଦାଙ୍କ ପ୍ରେମକୁ ଅତୀନ୍ଦ୍ରିୟ ଅତିମାନସ ଅବସ୍ଥାରେ ଶାଶ୍ୱତ କରିବାପାଇଁ ପ୍ରତୀକରୂପେ ତୁଳସୀକୁ ଆଦର କରିଛନ୍ତି । ଅତନୁ ବିଷ୍ଣୁ ଓ ବିଦେହୀ ବୃନ୍ଦାଙ୍କର ପ୍ରଣୟ-ଚରିତ ଶାଳଗ୍ରାମ ଓ ତୁଳସୀ ପୂଜାରେ ସାଂକେତିକ ହୋଇଛି ।

 

(୨)

 

ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ବୃକ୍ଷ ରୋପଣକରି ଯେଉଁ ଚଉରା ପୂଜା କରାଯାଏ, ସେହି ପୂଜାକୁ ତ୍ରିପୁରା-ପୂଜା କହିଥାନ୍ତି । ତୁଳସୀଙ୍କୁ ତ୍ରିପୁରା ମନ୍ତ୍ରରେ ପୂଜା କରାଯାଏ;

 

‘‘ଓଁ ହୀଁ ଶ୍ରୀଁ କ୍ଳୀଁ ତ୍ରିପୁରାଦେବୈ’’

 

ଏହି ମନ୍ତ୍ରର ଅନୁଧ୍ୟାନରୁ ଜଣାଯାଏ, ତୁଳସୀ-ପୂଜାର ପ୍ରଚଳନରେ ତନ୍ତ୍ରର ପ୍ରଭାବ ରହିଅଛି । ଲକ୍ଷ୍ୟ କରିବାର କଥା ଯେ, ପ୍ରତ୍ୟେକ ଚଉରାର ଦ୍ୱାରମୁହଁ ପଶ୍ଚିମକୁ ହୋଇଥାଏ । ଅଧିକାଂଶ ହିନ୍ଦୁ ମନ୍ଦିରର ଦ୍ୱାରମୁହଁ ପୂର୍ବଦିଗକୁ ରହିଛି; କିନ୍ତୁ କେତେକ ସ୍ଥଳରେ ତାନ୍ତ୍ରିକ ବିଶେଷତ୍ୱ ନେଇ ପଶ୍ଚିମକୁ ଦ୍ୱାରମୁହଁ ହୋଇଛି । ତନ୍ତ୍ରଶାସ୍ତ୍ରରେ ତ୍ରିପୁରା ଦେବୀଙ୍କର ପୂଜା ବିଶେଷଭାବରେ ବର୍ଣ୍ଣିତ । ଏହି ପୂଜାର ପ୍ରଚଳନ ଘୋର ଅଙ୍ଗିରସ ଋଷି କରାଇଥିଲେ ବୋଲି ‘ତ୍ରିପୁରା-ରହସ୍ୟ’ରେ ଉଲ୍ଲେଖ ଅଛି । ତ୍ରିପୁରା-ରହସ୍ୟ ବା ‘ହାରିତାୟନ ସଂହିତା’ର ବର୍ଣ୍ଣନା ଅନୁସାରେ ତ୍ରିପୁରାଦେବୀ ପରମାକାଶରୂପିଣୀ । ସେ ସ୍ୱକୀୟ ଶକ୍ତିରେ ବିଶ୍ୱର ବିଭିନ୍ନ ବିଭାଗକୁ ପ୍ରକାଶ କରୁଛନ୍ତି ।

 

‘‘ଯା ଚ ଶ୍ରୀତ୍ରି ପୁରାପ୍ରୋକ୍ତା ପରମାକାଶରୂପିଣୀ

ଯସ୍ୟାଂ ସର୍ବମିଦଂ ବିଶ୍ୱଂ ପ୍ରବିଭକ୍ତଂ ପ୍ରକାଶତେ ।’’

 

ଆଦ୍ୟାଶକ୍ତି ଭକ୍ତମାନଙ୍କ ପ୍ରତି କୃପାବିଷ୍ଟ ହୋଇ ନାନାବିଧ ତନୁକ୍ରିୟାରେ ପ୍ରକାଶିତ ହୁଅନ୍ତି । ସେହି ଲୀଳାମୟୀ ବ୍ୟକ୍ତତନୁମାନଙ୍କ ମଧ୍ୟରେ କୁମାରୀ ତ୍ରିପୁରା, ଗୌରୀ, ଉମା, ଭାରତୀ, କାଳୀ, ଚଣ୍ଡିକା, ଦୁର୍ଗା, କାତ୍ୟାୟନୀ ଓ ଶ୍ରୀଲଳିତା ପ୍ରଭୃତି ପ୍ରଖ୍ୟାତ ।

 

‘‘ଆଦ୍ୟା କୁମାରୀ ତନ୍ତ୍ରୋକ୍ତା ତ୍ରିପୁରାନନ୍ତରା ମତା

ଗୌରୀ ଉମା ଭାରତୀତି ତତଃ କାଳୀ ଚ ଚଣ୍ଡିକା ।।

ଦୁର୍ଗା ଭଗବତୀ ପଶ୍ଚାତ୍‌ ପ୍ରୋକ୍ତା କାତ୍ୟାୟନୀ ପରା

ଲଳିତା ଶ୍ରୀ ମହାରାଜ୍ଞୀ ତନ୍ତ୍ର ପୂର୍ଣ୍ଣତମା ମତା ।

ଏତାସାଂ କ୍ରମେଣ ଲୀଳାଃ ଶୃଣୁ ବକ୍ଷ୍ୟାମି ଭାର୍ଗବ ।।’’

 

(ତ୍ରିପୁରା ରହସ୍ୟମ୍‌)

 

ତାଙ୍କର ଧ୍ୟାନମୂର୍ତ୍ତିରୁ ଜଣାଯାଏ, ‘‘ତ୍ରିପୁରାଦେବୀ ସିନ୍ଦୁରପୁଞ୍ଜସଂକାଶା, ଅନୁରାଗରଞ୍ଜିତା ଓ ମୁଗ୍‌ଧା । ଚତୁର୍ଭୁଜରେ ପୁଷ୍ପଧନୁ, ପଞ୍ଚବାଣ, ପୁସ୍ତକ ଓ ଅକ୍ଷମାଳା ଧାରଣ କରିଥାନ୍ତି ।’’

 

‘‘ସିନ୍ଦୂରପୁଞ୍ଜସଂକାଶାଂ ତ୍ରିନେତ୍ରାନ୍ତ ଚତୁର୍ଭୁଜାଂ

ବାମେଽର୍ଧ୍ୱେ ପୁଷ୍ପକୋଦଣ୍ଡଂ ଧୃତ୍ୱାଗଃ ପୁସ୍ତକଂ ତଥା

ଦକ୍ଷିଣୋଽର୍ଧ୍ୱେ । ପଞ୍ଚବାଣାନ୍‌ ଅକ୍ଷମାଳାଂ ଦଧାତ୍ୟଧଃ....’’

 

ମଧୁମତ୍ତା ତ୍ରିପୁରା- ଶ୍ରୀମତ୍‌ ଶଙ୍କରାଚାର୍ଯ୍ୟଙ୍କ ବିରଚିତ ତ୍ରିପୁରସୁନ୍ଦରୀ ସ୍ତୋତ୍ରର ବର୍ଣ୍ଣନାରେ ଉଲ୍ଲେଖ ଅଛି; ତ୍ରିପୁରସୁନ୍ଦରୀ ସ୍ୱୈରିଣୀ ଭାବରେ କଦମ୍ବ ବନରେ ବିଚରଣ କରନ୍ତି । ତାଙ୍କର କାନ୍ତି ନୂତନ ମେଘପରି ଶ୍ୟାମବର୍ଣ୍ଣ । ପଦ୍ମଫୁଲ ପରି ନେତ୍ରଯୁଗଳ ବିଶଦ ଓ ବିସ୍ଫାରିତ । ହସ୍ତରେ ସୁବର୍ଣ୍ଣ ବଲ୍ଲକୀ ଧାରଣ କରି ଗୀତ-ବାଦ୍ୟରେ ଉନ୍ମତ୍ତା ରହନ୍ତି ।

 

ସେ ନୂତନ ରଜୋବତୀ । ତାଙ୍କର ନୀଳାମ୍ବରରେ କ୍ଷରିତ ରୁଧିର ବିନ୍ଦୁର ଚିହ୍ନ, ହସ୍ତରେ ମଧୁପାତ୍ର ଏବଂ ମଦାଳସ ନୟନରେ ବାରୁଣିପାନଜନିତ ଆଳସ୍ୟ ଓ ବିଘୂର୍ଣ୍ଣ । ତନୁରେ ହରିଦ୍ରାକୁଙ୍କୁମର ବିଲୋପନ, ଅଳକଚୁମ୍ବିକସ୍ତୁରିକା, ସସ୍ମିତ ଈକ୍ଷଣ, ମୁକ୍ତକେଶ, କଣ୍ଠରେ ବିଲମ୍ବିତ ପାରିଜାତମାଳା, ହସ୍ତରେ ଧନୁ, ଶର ଓ ପାଶାଙ୍କୁଶ ସମସ୍ତଙ୍କ ମନକୁ ବିଲୁବ୍‌ଧ ଓ ବିମୋହିତ କରେ-

 

‘‘ସ୍ମରେତ୍‌ ପ୍ରଥମପୁଷ୍ପିଣୀଂ ରୁଧିରବିନ୍ଦୁ ନୀଳାମ୍ବରାଂ

ଗୃହୀତମଧୁପତ୍ରିକାଂ ମଧୁବିଘୂର୍ଣ୍ଣନେତ୍ରାଞ୍ଚଳାମ୍‌ ।

ଘନସ୍ତନଭରୋନ୍ନତାଂ ଗଳିତଚିକୁରାଂ ଶ୍ୟାମଳାଂ

ତ୍ରିଲୋଚନକୁଟୁମ୍ବିନୀଂ ତ୍ରିପୁରସୁନ୍ଦରୀମାଶ୍ରୟେ ।’’

 

ପୋକ୍ତ ବର୍ଣ୍ଣନାରୁ ସୂଚିତ ହୁଏ, ତ୍ରିପୁରସୁନ୍ଦରୀଙ୍କ ରୂପରେ ନବପୁଷ୍ପିଣୀ, ମଧୁମତ୍ତା, ତନ୍ୱୀ, ଶ୍ୟାମା ନାରୀର ପ୍ରତିଚ୍ଛବି ସୁସ୍ପଷ୍ଟ । ତ୍ରିପୁରାଦେବୀ ଓ ତ୍ରିପୁରସୁନ୍ଦରୀ ସମ୍ଭବତଃ ଏକ ଓ ଅଭିନ୍ନ । ତନ୍ତ୍ରରେ କୁମାରୀ, କିଶୋରୀ ଯୁବତୀ ଓ ପୌଢ଼ାନାରୀର ସ୍ୱରୂପରେ ଶକ୍ତିପୂଜାର ଉଲ୍ଲେଖ ରହିଅଛି-। ସେହିପରି ଉଦ୍ଭିନ୍ନଯୌବନା ରଜୋବତୀ ନାରୀର ଧ୍ୟାନ ଓ ପୂଜା ଏଠାରେ ସ୍ପଷ୍ଟ ହେଉଛି-

 

ତ୍ରିପୁରା ରାଜ୍ୟ—ପୂର୍ବବର୍ଣ୍ଣିତ ମୂର୍ତ୍ତିମାନଙ୍କର ପୂଜା ଓ ଉପାସନା ଭାରତର ବହୁ ସ୍ଥାନରେ ରହିଅଛି । ତ୍ରିପୁରାଦେବୀଙ୍କର ପୂଜା ପୂର୍ବଭାରତ, ବିଶେଷତଃ ଉତ୍ତର-ପୂର୍ବ ସୀମାନ୍ତରେ ପ୍ରଚଳିତ ଥିଲା । ସମଗ୍ର ଗାଙ୍ଗେୟ ଓ ବ୍ରହ୍ମପୁତ୍ରର ଉପତ୍ୟକା ଶାକ୍ତ ଅଞ୍ଚଳରୂପେ ପ୍ରଖ୍ୟାତ । ବିଶେଷକରି ଆସାମ ପ୍ରଦେଶରେ ତ୍ରିପୁରାଦେବୀଙ୍କ ପୂଜାର ପ୍ରସାର ବହୁଳ ଭାବରେ ଥିଲା । ଆସାମର କାମାଖ୍ୟାଦେବୀଙ୍କୁ ତ୍ରିପୁରାଦେବୀ ବୋଲି କୁହାଯାଏ । ଏପରିକି ଏହି ଦେବୀଙ୍କ ନାମାନୁସାରେ ତ୍ରିପୁରା ରାଜ୍ୟର ନାମକରଣ ହୋଇଅଛି । ତ୍ରିପୁରା ରାଜ୍ୟ ମହାଭାରତ ସମୟରେ ଏହି ନାମରେ ମଧ୍ୟ ପରିଚିତ ଥିଲା । ପାଣ୍ଡବମାନେ ମୋହନ, ପତ୍ତନ, ତ୍ରିପୁରା ଓ କୋଶଳା ନଗରୀଗୁଡ଼ିକୁ ଜୟକରି କର ଆଦାୟ କରୁଥିଲେ ।

 

‘‘ମୋହନଂ ପତ୍ତନଞ୍ଚୈବତ୍ରିପୁରାଂ କୋଶଳାଂ ତଥା

ଏତାନ୍‌ ସର୍ବାନ୍‌ ବିନିର୍ଜିତ୍ୟ କରମାଦାୟ ସର୍ବଶଃ ।’’

 

(ମହାଭାରତମ୍‌)

 

ପ୍ରଜନନ ଇନ୍ଦ୍ରିୟର ପୂଜା—ସଭ୍ୟତାର ଆଦିମକାଳରୁ ପ୍ରଜନନ ଲିଙ୍ଗ ଓ ଯୋନି ପୂଜାର ପ୍ରଚଳନ ରହିଆସିଛି । ଆସାମରେ ଯେଉଁ କାମାଖ୍ୟାଦେବୀଙ୍କୁ ପୂଜା କରାଯାଏ, ତାହା ଏକ ଯୋନିସଦୃଶ ପ୍ରସ୍ତରଖଣ୍ଡ । ସୃଜନର ଇନ୍ଦ୍ରିୟକୁ ପୂଜା କରିବା ମୂଳରେ ସୃଷ୍ଟିପାଇଁ ସମାଜର ଅଦମ୍ୟ ଇଚ୍ଛା ପ୍ରକାଶ ପାଇଛି । କାଳକ୍ରମେ ସମାଜରେ ଲିଙ୍ଗପୂଜାର ପ୍ରଚଳନ ବହୁଳଭାବେ ରହିଗଲା; କିନ୍ତୁ ଯୋନିସ୍ୱରୂପା ଦେବୀପୂଜା ଲୋପପାଇଯାଇଛି । ଏହି ପୂଜାର ଅବଶେଷ ରୂପେ କାମାଖ୍ୟାଦେବୀଙ୍କ ପୂଜା ଅଦ୍ୟାପି ପ୍ରଚଳିତ । ତନ୍ତ୍ରଯୁଗରେ ହିନ୍ଦୁ ଓ ବୌଦ୍ଧମାନେ ତ୍ରିପୁରାଦେବୀଙ୍କର ମୂର୍ତ୍ତିକୁ ବିଶେଷ ଭାବରେ ପୂଜା କରୁଥିଲେ । ପୂର୍ବରୁ ଉଲ୍ଲେଖ କରାହୋଇଛି, ଏହି ତ୍ରିପୁରାମୂର୍ତ୍ତି ନବପୁଷ୍ପିଣୀ ନୀଳାମ୍ବରା ନାରୀର ରୂପସଦୃଶ ।

 

ତ୍ରିପୁରାସୁର- ପୁରାଣ ଆଖ୍ୟାୟିକାମାନଙ୍କରେ ତ୍ରିପୁରାସୁରର ବର୍ଣ୍ଣନା ଦେଖାଯାଏ । ଏହି ତ୍ରିପୁରାସୁର ତ୍ରିପୁର ରାଜ୍ୟର ଅଧୀଶ୍ୱର ଥିଲେ । ଶିବ ତ୍ରିପୁରାସୁରକୁ ବଧକରି ତ୍ରିପୁରାରି ନାମରେ ଆଖ୍ୟାତ ହୋଇଛନ୍ତି । ଶିବଙ୍କର ବିଶେଷ କୃତି ମଧ୍ୟରେ ତ୍ରିପୁରଦହନ ଉଲ୍ଲେଖଯୋଗ୍ୟ । ମହାଭାରତର ବିବରଣୀରୁ ଜଣାଯାଏ, ତ୍ରିପୁର ନାମକ କୌଣସି ଅସୁର ଶିବଙ୍କ ବରରେ ବଳୀୟାନ ହୋଇ ଦେବତାମାନଙ୍କର ଭୀତି ସଞ୍ଚାରକଲା । ସେ ସ୍ୱର୍ଣ୍ଣମୟ, ରୌପ୍ୟମୟ ଓ ଲୌହମୟ ଏହିପରି ତିନୋଟି ଅଭେଦ୍ୟ ପୁର ବା ଦୁର୍ଗ ନିର୍ମାଣ କରି ସ୍ୱଚ୍ଛନ୍ଦରେ କାଳାତିପାତ କରୁଥାଏ । ଶିବଙ୍କ ପରି ନିଜକୁ ଭସ୍ମ, ବିଭୂତି, ତ୍ରିଶୂଳ ଓ ବ୍ୟାଘ୍ରଚର୍ମରେ ସଜ୍ଜିତ କରି ଦ୍ୱିତୀୟ ଶିବରୂପେ ପରିଗଣିତ ହେଉଥାଏ । ଦେବତାମାନେ ସନ୍ତ୍ରସ୍ତ ହୋଇ ଅସୁର ଦୌରାତ୍ମ୍ୟରୁ ରକ୍ଷାପାଇବାପାଇଁ ବିଷ୍ଣୁଙ୍କର ଶରଣାପନ୍ନ ହେଲେ; କିନ୍ତୁ ବିଷ୍ଣୁ ତ୍ରିପୁରାସୁରକୁ ଯୁଦ୍ଧରେ ପରାଭୂତ କରି ନ ପାରି ତା’ ସହିତ ବନ୍ଧୁତା କଲେ । ଫଳରେ ଦେବତାମାନେ ଅନ୍ୟ ଉପାୟ ଚିନ୍ତାକଲେ । ଦିନେ ଦ୍ୱିତୀୟ ଶିବ ତ୍ରିପୁରାସୁର ଦେବସଭାରେ ପ୍ରବେଶ କରନ୍ତେ, ଦେବତାମାନେ ତାକୁ ସମ୍ମାନ ଦେଖାଇଲେ ନାହିଁ । କ୍ରୁଦ୍ଧ ତ୍ରିପୁର ଏହାର କାରଣ ପଚାରିବାରୁ ଦେବତାମାନେ କହିଲେ, ଶିବଙ୍କ ସହିତ ଗଙ୍ଗା ଓ ପାର୍ବତୀ ସର୍ବଦା ବିରାଜିତ ଥାନ୍ତି; ତେଣୁ ସମସ୍ତ ଦେବତା ଶିବଙ୍କୁ ପ୍ରଣାମ କରନ୍ତି । ତୁମେ ପାର୍ବତୀଙ୍କୁ ଆଣିପାରିଲେ, ଦେବତାମାନଙ୍କର ପ୍ରଣମ୍ୟ ହେବ । ଫଳରେ ତ୍ରିପୁରାସୁର ପାର୍ବତୀଙ୍କୁ ପାଇବାପାଇଁ କୈଳାସ ଆକ୍ରମଣ କଲା । ପାର୍ବତୀଙ୍କୁ ନ ପାଇଲେ ତା’ର ଶିବତ୍ୱ ଅପୂର୍ଣ୍ଣ ରହିଯିବ; ତେଣୁ କାମପରତନ୍ତ୍ର ଅସୁର ପାର୍ବତୀଙ୍କୁ ପାଇବାପାଇଁ ପ୍ରଲୁବ୍‌ଧ ହେଲା । ଶିବ ତ୍ରିପୁରାସୁର ସହିତ ବହୁଦିନ ଯୁଦ୍ଧ କରି ଜୟ କରିପାରିଲେ ନାହିଁ; ତେଣୁ ଚିନ୍ତିତ ହେଲେ । ପାର୍ବତୀଙ୍କର ମାନସପୁତ୍ର ଗଣେଶ ଏହି ପରିସ୍ଥିତିରେ ତ୍ରିପୁରାସୁର ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ସ୍ୱୟଂ ବିଷ୍ଣୁ ଗଣେଶଙ୍କୁ ଏହି ଯୁଦ୍ଧରେ ସାହାଯ୍ୟ କରିଥିଲେ । ଅବଶେଷରେ ଗଣେଶଙ୍କ ଦ୍ୱାରା ତ୍ରିପୁରାସୁର ନିହତ ହେଲା ଓ ଶିବ ସ୍ୱର୍ଣ୍ଣ, ରୌପ୍ୟ ଓ ଲୌହନିର୍ମିତ ତିନିପୁରକୁ ଦହନ କରି ‘ତ୍ରିପୁରଦହନ’ ଆଖ୍ୟା ପାଇଲେ ।

 

‘ଶ୍ରୀମଦଭାଗବତମ୍‌’ରେ ଉଲ୍ଲେଖ ଅଛି; ଅସୁରମାନେ ଦେବତାମାନଙ୍କଦ୍ୱାରା ପରାଜିତହୋଇ ଆଚାର୍ଯ୍ୟମୟ ଦାନବଙ୍କର ଶରଣାପନ୍ନ ହେବାରୁ, ଆାଚାର୍ଯ୍ୟମୟ ଅସୁରମାନଙ୍କ ପାଇଁ ସୁବର୍ଣ୍ଣ, ରୌପ୍ୟ ଓ ଲୌହର ତିନୋଟି ପୁର ନିର୍ମାଣ କରିଦେଲେ ଏବଂ ସେହି ପୁର ମଧ୍ୟରେ ଅସୁରମାନେ ନିର୍ଭୟରେ କାଳାତିପାତ କଲେ । ଏହି ତ୍ରିପୁର ମଧ୍ୟରେ ‘ସିଦ୍ଧାମୃତରସ’ ନାମକ ଅମୃତର ଗୋଟିଏ କୂପ ଥାଏ । ଦେବତାମାନଙ୍କ ଅନୁରୋଧରେ ଶିବ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ପ୍ରବୃତ୍ତ ହେଲେ । ଶିବ ଯେତେ ଅସୁରମାନଙ୍କୁ ମାରନ୍ତି, ଆଚାର୍ଯ୍ୟମୟ ତାଙ୍କୁ ‘ସିଦ୍ଧାମୃତରସ’ କୂପରେ ପକାଇ ଜୀବନ୍ୟାସ ଦିଅନ୍ତି; ଫଳରେ ଅସୁରମାନେ ବିନଷ୍ଟ ନ ହୋଇ ସ୍ପର୍ଦ୍ଧିତ ହେଲେ । ଦେବତାମାନଙ୍କୁ ଏହି ବିପଦରୁ ରକ୍ଷା କରିବାପାଇଁ ସ୍ୱୟଂ ବିଷ୍ଣୁ ଓ ବ୍ରହ୍ମା, ଗାଈ ଏବଂ ବାଛୁରୀ ରୂପରେ ତ୍ରିପୁରରେ ପ୍ରବେଶକରି ଏହି କୂପର ରସ ପାନକଲେ । କୂପ ଶୁଷ୍କ ହେବାରୁ ଆଚାର୍ଯ୍ୟ ମୟ ଆଉ ମୃତ ଅସୁରମାନଙ୍କୁ ଜୀବନ୍ୟାସ ଦେଇପାରିଲେ ନାହିଁ । ସ୍ୱୟଂ ବିଷ୍ଣୁ ବୈଷ୍ଣବୀଶକ୍ତିକୁ ରଥ ସାରଥି, ବାଣ ପ୍ରଭୃତି କଲେ; ଶିବ ଗଣେଶଙ୍କ ସାହାଯ୍ୟରେ ମଧ୍ୟାହ୍ନ ସମୟରେ ତ୍ରିପୁର ଦହନ କଲେ । ଅସୁରମାନଙ୍କର ପତନ ହେବାରୁ ଦେବତାମାନେ ସ୍ୱାଚ୍ଛନ୍ଦ୍ୟରେ ରହିଲେ । ତଦବଧି ଶିବ ତ୍ରିପୁରାରି ରୂପେ ଆଖ୍ୟାତ ହେଲେ । ବୈଷ୍ଣବୀଶକ୍ତିରେ ତ୍ରିପୁରଦହନ ସମ୍ଭବ ହୋଇଥିଲା ବୋଲି ଶ୍ରୀମଦ୍‌ଭାଗବତମ୍‌ରେ ଉଲ୍ଲେଖ ଅଛି ।

 

ସାଂସ୍କୃତିକ ସଂଘର୍ଷ- ମହାଶିବପୁରାଣରେ ବର୍ଣ୍ଣିତ ଆଖ୍ୟାନଟି ସାଂସ୍କୃତିକ ସଂଘର୍ଷର ସ୍ପଷ୍ଟ ପରିଚୟ ଦିଏ । ବୈରୋଚନଙ୍କର ପତନରେ ସେମାନଙ୍କର ବଂଶଧର ତାରକ, ବିଦ୍ୟୁନ୍ମାଳୀ ଓ କମଳାକ୍ଷମାନେ ଦେବତାମାନଙ୍କ ପ୍ରତି ପ୍ରତିହିଂସାପରାୟଣ ହେଲେ । ସେମାନେ ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟକରି ବରଲାଭ କରିଥିଲେ ଓ ଦେବତାମାନଙ୍କଦ୍ୱାରା ଅପରାଜେୟ ହେଲେ । ଶିବଙ୍କ ବରରେ ବଳୀୟାନ୍‌ ଏହି ଅସୁରମାନେ ଆଚାର୍ଯ୍ୟ ମୟଙ୍କୁ ଆରାଧନା କରିବାରୁ ସ୍ୱୟଂ ମୟ ସେମାନଙ୍କ ପାଇଁ ସୁବର୍ଣ୍ଣ, ରୌପ୍ୟ ଓ ଲୌହନିର୍ମିତ ତିନୋଟି ପୁର ନିର୍ମାଣ କରି ନିର୍ଭୟରେ ରହିବାପାଇଁ ଅଭୟ ଦେଲେ । କାଳକ୍ରମେ ଅସୁର ତ୍ରିପୁରାଧ୍ୟକ୍ଷ ନିଜର ତେଜ ଓ ବଳରେ ଦେବତାମାନଙ୍କୁ ସନ୍ତ୍ରସ୍ତ କଲା । ଭୟଭୀତ ଦେବତାମାନେ ଏହି ବିପଦରୁ ରକ୍ଷା ପାଇବାପାଇଁ ଶିବଙ୍କୁ ଅନୁରୋଧ କରିବାରୁ, ଶିବ ଉତ୍ତର ଦେଲେ, ‘‘ଯେ ପର୍ଯ୍ୟନ୍ତ ତ୍ରିପୁରାଧ୍ୟକ୍ଷ ପୁଣ୍ୟବାନ୍‌ ଓ ସଦାଚାରୀ ଥିବ, ସେ ପର୍ଯ୍ୟନ୍ତ ତାକୁ କେହି ପରାଜିତ କରିପାରିବନାହିଁ । ତ୍ରିପୁରାଧ୍ୟକ୍ଷ ମୋର ପ୍ରିୟଭକ୍ତ; ବିନା କାରଣରେ ମୋ’ର ଭକ୍ତକୁ ବିନାଶ କରିବା ଉଚିତ ହେବନାହିଁ ।’’

 

‘‘ଅୟଂ ବୈତ୍ରିପୁରାଧ୍ୟକ୍ଷଃ ପୁଣ୍ୟବାନ୍‌ ବର୍ତତେଽଧୁନା

ଯତ୍ର ପୁଣ୍ୟଂ ପ୍ରବର୍ତେତ ନ ହନ୍ତବ୍ୟୋ ବୁଧୈଃ କ୍ୱଚିତ୍‌ ।’’

 

ତ୍ରିପୁରର ଅଧିବାସୀମାନେ ଶ୍ରୌତ ଓ ସ୍ମାର୍ତକ୍ରିୟା ପ୍ରତି ଯତ୍ନବାନ୍‌ ଥିଲେ ଏବଂ ଶିବଙ୍କୁ ପୂଜା କରୁଥିଲେ; କିନ୍ତୁ ଦେବତାମାନେ ତ୍ରିପୁରାଧ୍ୟକ୍ଷର ପ୍ରଭାବରେ ଗ୍ଳାନି ଅନୁଭବ କରି ବିପଦରୁ ରକ୍ଷା କରିବାପାଇଁ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ସ୍ୱୟଂ ବିଷ୍ଣୁ ଅନୁଭବ କଲେ, ତ୍ରିପୁରାଧ୍ୟକ୍ଷ ଓ ତା’ର ଅଧିବାସୀମାନେ ଶ୍ରୌତ ଓ ସ୍ମାର୍ତକ୍ରିୟାରେ ଦୀକ୍ଷିତ ଥିବା ପର୍ଯ୍ୟନ୍ତ ଭଗବାନ୍‌ ଶିବ ସେମାନଙ୍କର ଅମଙ୍ଗଳ କରିବେନାହିଁ । ଅଧିକନ୍ତୁ ତ୍ରିପୁରବାସୀମାନେ ଶୈବ ଥିବାରୁ ସେମାନେ ଶିବଙ୍କର କୃପା ଲାଭ କରି ଅଜେୟ ହୋଇଛନ୍ତି । ତେଣୁ ମାୟାରେ ‘ଅର୍ହତଧର୍ମ’ ପ୍ରଚାର କରି ଶ୍ରୌତ ଓ ସ୍ମାର୍ତ ଧର୍ମକୁ ନଷ୍ଟ କରାଇଲେ, ଶିବ କ୍ରୁଦ୍ଧ ହୋଇ ତ୍ରିପୁରାଧ୍ୟକ୍ଷ ଏବଂ ତା’ର ଅଧିବାସୀମାନଙ୍କୁ ବିନାଶ କରିବେ ।’’ ବିଷ୍ଣୁଙ୍କ ମାୟାରେ ଅର୍ହତମାନେ ଜନ୍ମନେଲେ ଓ ସେମାନଙ୍କୁ ବିଷ୍ଣୁ ଏହି ପ୍ରକାର ଆଦେଶ ଦେଲେ :

 

‘‘ହେ ମାୟାଚାରୀ ଅର୍ହତ, ତୁମ୍ଭେମାନେ ଷୋଳ ସହସ୍ର ମାୟାବାଦୀ ଶାସ୍ତ୍ର ରଚନାରେ ସେଗୁଡ଼ିକର ପ୍ରଚାର କର । ସେହି ଶାସ୍ତ୍ରସବୁ ଶ୍ରୌତସ୍ମାର୍ତ କର୍ମର ବିରୋଧୀ ଓ ବର୍ଣ୍ଣାଶ୍ରମଧର୍ମର ଅସାରତା ପ୍ରତିପାଦନ କରୁଥିବ । ଉକ୍ତ ଶାସ୍ତ୍ରଂ ଅପଭ୍ରଂଶମୟ ଓ କର୍ମବାଦସମ୍ବଳିତ ହେବ । ଶ୍ରୌତ ଓ ସ୍ମାର୍ତ କର୍ମରେ ଧର୍ମ ପ୍ରକାଶିତ ହୁଏ । ଏହି ମାୟାବାଦୀ ଶାସ୍ତ୍ରର ପ୍ରଚାର ଫଳରେ ବୈଦିକ ଧର୍ମ ଲୋପ ପାଇବ । ତ୍ରିପୁରର ଅଧିବାସୀମାନଙ୍କୁ ବିନାଶ କରିବାପାଇଁ ତୁମ୍ଭେମାନେ ତିନିପୁରରେ ତମୋଧର୍ମର ପ୍ରକାଶ କର । ତ୍ରିପୁରର ବିନାଶ ପରେ ତୁମ୍ଭେମାନେ କଳିଯୁଗର ଆରମ୍ଭ ପର୍ଯ୍ୟନ୍ତ ମରୁସ୍ଥଳୀର ଆଶ୍ରୟ କରିବ । (ମହାଶିବ ପୁରାଣ)

 

ବିଷ୍ଣୁଙ୍କର ନିର୍ଦ୍ଦେଶମତେ ଚାରିଜଣ ମୁଣ୍ଡିତ ଅର୍ହତ ହସ୍ତରେ ଭିକ୍ଷାପାତ୍ର ଧରି ତ୍ରିପୁରରେ ପ୍ରବେଶ କଲେ । ସେମାନେ ମଳିନ ବସ୍ତ୍ର ପରିଧାନ କରିଥିଲେ ଏବଂ ବସ୍ତ୍ରଖଣ୍ଡକୁ ମାର୍ଜନୀରୂପେ ବ୍ୟବହାର କରୁଥିଲେ । ପୋକ ପ୍ରଭୃତି ପାଟିରେ ପଶି ମରିଯିବେ—ଏଥିପାଇଁ ତୁଣ୍ଡବସ୍ତ୍ର ଧାରଣ କରିଥିଲେ । ଜୀବହିଂସା ଭୟରେ ଖୁବ୍‌ ଧୀରେ ଧୀରେ ଯାତାୟାତ କରୁଥିଲେ । ଧର୍ମଦୀକ୍ଷା ଦେବା ସେମାନଙ୍କର କର୍ମ ଥିଲା ।

 

ତ୍ରିପୁରରେ କୌଣସି ବ୍ୟକ୍ତି ଅର୍ହତ ଧର୍ମରେ ପ୍ରଥମେ ଦୀକ୍ଷିତ ହୋଇନଥିଲେ । ଉଲ୍ଲେଖ ଅଛି, ଦେବର୍ଷି ନାରଦ ଏହି ଅର୍ହତମାନଙ୍କଠାରୁ ଦୀକ୍ଷା ଗ୍ରହଣ କରି ତ୍ରିପୁରାଧ୍ୟକ୍ଷଙ୍କୁ ଦୀକ୍ଷିତ ହେବାପାଇଁ ପ୍ରବର୍ତ୍ତାଇଥିଲେ । ପରେ ସ୍ୱୟଂ ତ୍ରିପୁରାଧ୍ୟକ୍ଷ ଓ ତ୍ରିପୁରର ଅଧିବାସୀମାନେ ବର୍ଣ୍ଣାଶ୍ରମବିରୋଧୀ ଏହି ଅର୍ହତ ଧର୍ମରେ ଦୀକ୍ଷିତ ହେବାରୁ ଶ୍ରୌତ ଓ ସ୍ମାର୍ତ ବିଧି ଲୋପହେଲା । ମହାଶିବପୁରାଣରେ ଅର୍ହତ ଧର୍ମର କେତେକ ମୌଳିକ ନୀତି ଓ ଦର୍ଶନର ଅବତାରଣା ହୋଇଛି ।

 

‘‘ଏହି ସଂସାର ସ୍ୱୟଂସିଦ୍ଧ; ଏହାର କୌଣସି କର୍ତ୍ତା ନାହାନ୍ତି । ଏହାର ଉତ୍ପତ୍ତି ଓ ବିଲୟ ସ୍ୱୟଂ ପ୍ରକ୍ରିୟାରେ ହିଁ ସମ୍ଭବ ହୁଏ । ସମସ୍ତ ଦେହଧାରୀ ସମାନ; ତେଣୁ କାହାକୁ ହିଂସା କରିବା ଉଚିତ ନୁହେଁ । ଅହିଂସା ଓ ଜୀବେଦୟା ହେଉଛି ପରମଧର୍ମ । ଗୋଟିଏ ଜୀବକୁ ରକ୍ଷାକଲେ ତ୍ରିଲୋକ ରକ୍ଷିତ ହୋଇଥାଏ । ଅପରପକ୍ଷରେ ଗୋଟିଏ ଜୀବର ବିନାଶରେ ତ୍ରୈଲୋକ୍ୟ ବିନଷ୍ଟ ହୁଏ । ତେଣୁ ଲୋକମାନେ ଜୀବମାନଙ୍କ ପ୍ରତି ଯତ୍ନପୂର୍ବକ ଅହିଂସ ଓ ଦୟାଳୁ ହେବା ଉଚିତ । ଏମାନଙ୍କ ମତରେ କେବଳ ଅହିଂସ ହିଁ ଧର୍ମ ଓ ଜୀବ-ପ୍ରପୀଡ଼ନ ପାପ । ଅପରାଧୀନତା ହିଁ ମୋକ୍ଷ ଏବଂ ଅଭୀଷ୍ଟ ଭୋଜନ ହିଁ ସ୍ୱର୍ଗଲାଭ । ଅର୍ହତମାନେ ଭୀତତ୍ରସ୍ତକୁ ଅଭୟ, ବ୍ୟାଧିଗ୍ରସ୍ତକୁ ଔଷଧଦାନ, ବିଦ୍ୟାର୍ଥୀଙ୍କୁ ବିଦ୍ୟା ଓ କ୍ଷୁଧାତୁରକୁ ଅନ୍ନଦାନ—ଏହି ଚତୁର୍ବିଧ ଦାନକୁ ପ୍ରାଧାନ୍ୟ ଦେଇଛନ୍ତି । ଅଗ୍ନୀଷ୍ଟୋମାପ୍ରଭୃତି ଯଜ୍ଞବିଧିକୁ ପ୍ରମାଦଗ୍ରସ୍ତମାନଙ୍କର ଭ୍ରମ ବୋଲି କୁହାଯାଇଛି । କେବଳ ପଶୁବଳି ଓ ରସନାତୃପ୍ତି ପାଇଁ ଏଗୁଡ଼ିକର ସୃଷ୍ଟି । ବୃକ୍ଷ ଛେଦନ କରି ପଶୁବଧପୂର୍ବକ ଭୂମିକୁ ରୁଧ୍ୱର କର୍ଦ୍ଦମ କରି ଓ ଅଗ୍ନିରେ ଘୃତ, ତିଳ ପ୍ରଭୃତି ନିକ୍ଷେପ କରି ସ୍ୱର୍ଗଲାଭ କରିବାର ଯେଉଁ ବିଡ଼ମ୍ବିତ ଅଳୀକ କଳ୍ପନା ରହିଛି, ତାହା ଭ୍ରାନ୍ତ ଓ ବିସ୍ମୟପୂର୍ଣ୍ଣ । ଜାତିପ୍ରଥା ପ୍ରମାଦପୂର୍ଣ୍ଣ ବ୍ୟର୍ଥ ପରିକଳ୍ପନା । ମନୁଷ୍ୟମାତ୍ରେ ହିଁ ସମାନ; ତେଣୁ ଉତ୍ତମ ବା ଅଧମ ଜାତିର ପ୍ରଶ୍ନ ଉଠୁନାହିଁ । ମୁଖ, ବାହୁ, ଊରୁ ଓ ପାଦରୁ ଚତୁର୍ବର୍ଣ୍ଣରୁ ସୃଷ୍ଟି ପ୍ରସଙ୍ଗ-ଯାହାସବୁ ପୂର୍ବ ଶାସ୍ତ୍ରମାନଙ୍କରେ କୁହାଯାଇଛି, ତାହା କଳ୍ପନାମାତ୍ର; ସେଥିରେ ବିଚାର ବା ସତ୍ୟତା ନାହିଁ ।’’

 

ଏଥିରୁ ସ୍ପଷ୍ଟ ହୁଏ ଯେ, ଏହି ନୂତନ ମତବାଦ ଜୈନ ଓ ବୌଦ୍ଧମତର ଅନୁପୂରକ । ସମ୍ଭବତଃ ତ୍ରିପୁରାଧ୍ୟକ୍ଷ ଓ ତା’ର ଅଧିବାସୀମାନେ ଜୈନ ଓ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ ।

 

ଏହାପରେ ଶିବ କ୍ରୁଦ୍ଧ ହୋଇ ତ୍ରିପୁରାଧ୍ୟକ୍ଷ ଓ ତା’ର ଅଧିବାସୀମାନଙ୍କୁ ଧ୍ୱଂସ କଲେ ଏବଂ ସେହି ରାଜ୍ୟକୁ ଦହନ କଲେ । ବିଶ୍ଳେଷଣକଲେ ଜଣାଯାଏ, ଶିବପୁରାଣରେ ବର୍ଣ୍ଣିତ ଏହି ଆଖ୍ୟାନଟି ଅର୍ହତ ଓ ଶୈବମାନଙ୍କ ମଧ୍ୟରେ ଗୋଟିଏ ଭୟାବହ ସଂଘର୍ଷର ଚିତ୍ର । ଅର୍ହତମାନେ ବର୍ଣ୍ଣାଶ୍ରମ ଓ ଜାତିପ୍ରଥା ବିରୁଦ୍ଧରେ ପ୍ରଚାର କରି ବୈଦିକ କ୍ରିୟା ଓ ପରମ୍ପରାକୁ ନଷ୍ଟକରି ଦେଇଥିଲେ-

 

ବୈଦିକ ଧର୍ମର ପୁନଃ ପ୍ରବର୍ତ୍ତନ ପାଇଁ ଶୈବମାନେ ଏହି ରାଜ୍ୟକୁ ଆକ୍ରମଣ କରିଥିଲେ-। ସମ୍ଭବତଃ ସମଗ୍ର ଭାରତବର୍ଷରେ ଏକ ପକ୍ଷରେ ବୌଦ୍ଧ ଓ ଜୈନ ଏବଂ ଅନ୍ୟ ପକ୍ଷରେ ବର୍ଣ୍ଣାଶ୍ରମ ଧର୍ମର ପୃଷ୍ଠପୋଷକ ଶୈବମାନଙ୍କ ମଧ୍ୟରେ ଯେଉଁ ସାଂସ୍କୃତିକ ସଂଘର୍ଷ ଦେଖାଦେଇଥିଲା, ତ୍ରିପୁରଦହନ ପଛରେ ତା’ର ସଙ୍କେତ ରହିଅଛି । ଶୈବାଚାର ଓ ଶୈବମାନଙ୍କର ପ୍ରବଳ ଆକ୍ରମଣରେ ଅର୍ହତଧର୍ମ ପ୍ରାୟ ଲୋପ ହୋଇଗଲା । ତ୍ରିପୁରଦହନ ପରି ଏକ ପୌରାଣିକ ଆଖ୍ୟାନରେ ଏହି ସାଂସ୍କୃତିକ ବିରୋଧ ସାଙ୍କେତିକ ହୋଇଅଛି ।

 

ତ୍ରିପୁରାପୂଜା ବୌଦ୍ଧ ତନ୍ତ୍ରଯାନରେ ପ୍ରଚଳିତ ଥିଲା । କାଳକ୍ରମେ ବୁଦ୍ଧଦେବ ବିଷ୍ଣୁଙ୍କର ଅବତାରରୂପେ ପୂଜା ପାଇବାରୁ ବୌଦ୍ଧଧର୍ମ ବ୍ରାହ୍ମଣ୍ୟଧର୍ମରେ ନିଃଶେଷ ହୋଇଗଲା । ତନ୍ତ୍ରଯାନୀ ବୌଦ୍ଧମାନେ ଯେଉଁ ତ୍ରିପୁରାଦେବୀଙ୍କୁ ଅବଲୋକିତେଶ୍ୱର ବୁଦ୍ଧଙ୍କର ଶକ୍ତିରୂପେ ପୂଜା କରୁଥିଲେ, ସେହି ତ୍ରିପୁରାଦେବୀ ତ୍ରିପୁରସୁନ୍ଦରୀରୂପେ ବିଷ୍ଣୁଙ୍କର ବଲ୍ଲଭୀ ହେଲେ । ପୁନଶ୍ଚ ଯୋନିପୂଜା ବା ରଜୋବତୀ ନାରୀପୂଜା ଶାଳୀନତାବିରୁଦ୍ଧ ହେବାରୁ ଏକ ମହାନ୍‌ ଔଷଧବୃକ୍ଷକୁ ସଙ୍କେତ ଭାବରେ ପୂଜା କରାଗଲା ।

 

ବିଷ୍ଣୁଙ୍କର ସ୍ୱୟଂସିଦ୍ଧ ଶକ୍ତିରୂପେ ତ୍ରିପୁରାଦେବୀ ବ୍ରାହ୍ମଣ୍ୟଧର୍ମ ଓ ଭାରତୀୟଶାସ୍ତ୍ରରେ ପରିଚିତ ନଥିଲେ । ଭଗବାନ ସୁଗତବୁଦ୍ଧଙ୍କୁ ହିନ୍ଦୁମାନେ ବିଷ୍ଣୁଙ୍କର ନବମ ଅବତାରରୂପେ କଳ୍ପନା କରିବାରୁତ୍ରିପୁରା ବିଷ୍ଣୁଙ୍କର ବଲ୍ଲଭୀରୂପେ ସ୍ଥାନ ପାଇଲେ ।

 

ତୁଳସୀ ଅମୃତନାମା ଏକ ଔଷଧିବୃକ୍ଷବିଶେଷ । ଆମ ପରମ୍ପରାରେ ବୃକ୍ଷପୂଜାର ପ୍ରଚଳନ ରହିଅଛି । ସେହି ବୃକ୍ଷମାନଙ୍କ ମଧ୍ୟରୁ କେତେକ ଉପକାରକ ଔଷଧିବୃକ୍ଷ, କେତେକ ଛାୟାପ୍ରଦ ଜ୍ଞାନବୃକ୍ଷ ଓ ଅନ୍ୟ କେତେକ ମୋକ୍ଷ ଏବଂ ରୁଚିବାଦର ପ୍ରତୀକ । ତୁଳସୀବୃକ୍ଷ ଜ୍ଞାନ, ମୋକ୍ଷ, ଔଷଧ ଓ ରୁଚିବାଦ—ଏ ସବୁର ପ୍ରତୀକ । ତେଣୁ ଏହି ବୃକ୍ଷପୂଜା ମୂଳରେ ହିନ୍ଦୁମାନଙ୍କର ପାରମ୍ପରିକ ଅଟଳ ବିଶ୍ୱାସ ରହିଅଛି । ସମ୍ଭବତଃ ସିଦ୍ଧ ଓ ଗନ୍ଧର୍ବ ସଭ୍ୟତାର ପ୍ରଭାବରେ ଏହି ପୂଜାର ପ୍ରଚଳନ ବ୍ୟାପକ ହୋଇଛି ।

 

ତୁଳସୀବୃକ୍ଷର ଗୁଣାତ୍ମକ ଦିଗ ବିଚାର କଲେ, ଏହା ବହୁପୂର୍ବରୁ ପ୍ରଚଳିତ ଚିରଆଦୃତ ଉତ୍କୃଷ୍ଟ ଔଷଧବିଶେଷରୂପେ ବିଖ୍ୟାତ ଥିଲା । ତୁଳସୀପତ୍ର ସୁରଭିଯୁକ୍ତ, ଶ୍ଳେଷ୍ମା ଓ ବାତହାରକ । ଏହା ପାକପ୍ରକ୍ରିୟାରେ ସାହାଯ୍ୟ କରେ । ଏପରି ଔଷଧିବୃକ୍ଷକୁ ପୂଜାକରିବା, ତା’ର ପତ୍ର ସେବନ କରିବା ସ୍ୱାସ୍ଥ୍ୟଦୃଷ୍ଟିରୁ ଉତ୍ତମ । ତେଣୁ ସମାଜରେ ତୁଳସୀର ଆଦର ଶାସ୍ତ୍ରୀୟ ହୋଇଅଛି ।

 

ତୁଳସୀର ନାମପର୍ଯ୍ୟାୟ ମଧ୍ୟରେ ‘ପ୍ରେତରାକ୍ଷସୀ’ ଓ ‘ଅପ୍ରେତରାକ୍ଷସୀ’—ଏହି ନାମ ଦୁଇଟି ବିଶେଷ କୌତୂହଳପ୍ରଦ । ତୁଳସୀ, ତ୍ରିପୁରା, ବୃନ୍ଦାବତୀ ପ୍ରଭୃତି ପୌରାଣିକ ଚରିତ୍ରମାନେ ରାକ୍ଷସ-ସଂସ୍କୃତିରେ ସମ୍ବର୍ଦ୍ଧିତ ଓ ପାଳିତ ହୋଇଥିବାରୁ ଓ କାଳକ୍ରମେ ତୁଳସୀ ବୃକ୍ଷ ଏମାନଙ୍କର ପ୍ରତୀକରୂପେ ପରିଚିତ ହେବାରୁ ସମ୍ଭବତଃ ରାକ୍ଷସୀ ଶବ୍ଦ ପ୍ରୟୋଗ କରାଯାଇଛି । ଏସବୁ ମଧ୍ୟରେ ଏତିକି ଅନୁମେୟ ଯେ ତୁଳସୀପୂଜା ରାକ୍ଷସ ବା ଅସୁର ସଂସ୍କୃତିରୁ ଆସିଛି । ସାଂସ୍କୃତିକ ସଂକ୍ରମଣର ଏହା ଏକ ଜ୍ୱଳନ୍ତ ପ୍ରତୀକ ।

 

ତୁଳସୀଦଳ ବିଷ୍ଣୁ ଓ ଶ୍ରୀବିଗ୍ରହମାନଙ୍କରେ ପ୍ରଦତ୍ତ ହୋଇଥାଏ । ତୁଳସୀଚୟନ ମନ୍ତ୍ରରୁ ଜଣାଯାଏ, ଏହା କେଶବଙ୍କର ବିଶେଷ ପ୍ରିୟପୁଷ୍ପ ।

 

‘‘ତୁଳସୀଽମୃତନାମାସି ସଦା ତ୍ୱଂ କେଶବପ୍ରିୟା’’ । ବିଶେଷ କ୍ରିୟା ଓ ଉପାସନାରେ ଏହା ଅନ୍ୟ ଦେବତାଙ୍କୁ ମଧ୍ୟ ପ୍ରଦତ୍ତ ହୁଏ; କିନ୍ତୁ ଗଣେଶଙ୍କୁ ତୁଳସୀରେ ପୂଜାକରିବା ପାଇଁ ଶାସ୍ତ୍ରୀୟ ନିଷେଧ ରହିଛି । ମହାଶିବପୁରାଣରେ ଗଣେଣ ତୁଳସୀଙ୍କୁ ନିମ୍ନୋକ୍ତ ପ୍ରକାରେ କହିଥିବାର ଉଲ୍ଲେଖ ଅଛି–

 

‘‘ପୁଷ୍ପାଣାଂ ସାରଭୂତାତ୍ୱଂ ଭବିଷ୍ୟତି ମନୋରମେ

କଳାଂଶେ ଚ ମହାଭାଗେ ସ୍ୱୟଂ ନାରାୟଣପ୍ରିୟା ।

ପ୍ରିୟା ତ୍ୱଂ ସର୍ବଦେବାନାଂ କୃଷ୍ଣସ୍ୟ ଚ ବିଶେଷତଃ

ପୂଜା ବିମୁକ୍ତିଦା ନୃଣାଂ ମମ ତ୍ୟାଜ୍ୟା ଚ ସର୍ବଦା ।’’

 

‘‘ହେ ମନୋରମା ତୁଳସୀ, ତୁମେ ପୁଷ୍ପମାନଙ୍କ ମଧ୍ୟରେ ସାରଭୂତ । ତୁମେ ସ୍ୱୟଂ ନାରାୟଣଙ୍କର ଅତି ପ୍ରିୟପୁଷ୍ପ । ସମସ୍ତ ଦେବତା ଓ ବିଶେଷରୂପେ କୃଷ୍ଣଙ୍କର ତୁମେ ପ୍ରିୟବତୀ ହେବ । ତୁମର ପୂଜା ଲୋକମାନଙ୍କର ମୁକ୍ତିପ୍ରଦା ହେବ । ତୁମେ ମୋର ସଦା ସର୍ବଦା ତ୍ୟାଜ୍ୟ ।’’

 

ଏହି ଉକ୍ତରୁ ଅନୁମିତ ହୁଏ, ଗଣେଶ ତ୍ରିପୁରାପୂଜାର ବିରୋଧ କରିଥିଲେ ଏବଂ ତ୍ରିପୁରାସୁରକୁ ନିଧନ କରିବାପାଇଁ ସମର୍ଥ ହୋଇଥିଲେ । ଏହି ଲାକ୍ଷଣିକ ଆଖ୍ୟାନକୁ ବିଚାର କଲେ ଜଣାଯାଏ, ଗାଣପତ୍ୟ ଓ ତ୍ରିପୁରାଦେବୀଙ୍କର ପୂଜକ ଅର୍ହତମାନଙ୍କ ମଧ୍ୟରେ ଯେଉଁ ସାଂସ୍କୃତିକ ସଂଘର୍ଷ ହୋଇଥିଲା, ତା’ରି ସଙ୍କେତରୂପେ ଆଜି ଗଣପତି ତୁଳସୀପତ୍ରରେ ଅର୍ଚ୍ଚିତ ହୁଅନ୍ତି ନାହିଁ ।

 

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା- ଓଡ଼ିଶାର କେନ୍ଦ୍ରାପଡ଼ାକୁ ତୁଳସୀକ୍ଷେତ୍ର ବୋଲି କୁହାଯାଏ । କବିବର ରାଧାନାଥଙ୍କ ଉକ୍ତିରେ–

 

‘‘ପବିତ୍ର ତୁଳସୀକ୍ଷେତ୍ର ବହି ମୁଦ, ବିରାଜନ୍ତି ଯହିଁ ପ୍ରଭୁ ହଳାୟୁଧ’’

 

(ନନ୍ଦିକେଶ୍ୱରୀ )

 

କିଂବଦନ୍ତୀରୁ ଜଣାଯାଏ, ଲଳିତଗିରିବାସୀ କନ୍ଦରାସୁରଙ୍କୁ ସଂହାର କରି ସ୍ୱୟଂ ହଳାୟୁଧ ବଳରାମ କନ୍ଦରାସୁରର ଷୋଡ଼ଶୀ କନ୍ୟା ତୁଳସୀଙ୍କୁ ବିବାହ କରିଥିଲେ । ତଦବଧି ଏହି କ୍ଷେତ୍ର ତୁଳସୀଙ୍କ ନାମରେ ନାମିତ ହୋଇଛି । ଏଠାରେ ପ୍ରସଙ୍ଗକ୍ରମେ ମନେରଖିବା ଉଚିତ ହେବ ଯେ, ଏହି ଲଳିତଗିରି ଏକଦା ବୌଦ୍ଧ ତନ୍ତ୍ରଯାନୀମାନଙ୍କର ଲୀଳାସ୍ଥଳୀ ଥିଲା । କାଳକ୍ରମେ ବ୍ରାହ୍ମଣ୍ୟ ସଂସ୍କୃତିର ସଂଘର୍ଷ ଓ ସଂକ୍ରମଣହେତୁ ଏହି କିଂବଦନ୍ତୀଟି ଲୋକମୁଖରେ ଏହିପରି ପ୍ରଚଳିତ ରହିଛି । କନ୍ଦରାସୁର ସମ୍ଭବତଃ କୌଣସି ତନ୍ତ୍ରଯାନୀ ଅର୍ହତବିଶେଷ ହୋଇଥିବେ । ତୁଳସୀପୂଜାର ଯେଉଁ ବିଶେଷ ଚଳଣି ପ୍ରଚଳିତ ଅଛି, ତାହା ବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଥାଏ । ମହାବିଷୁବ ସଂକ୍ରାନ୍ତି ଦିନ ଲୋକମାନେ ଚଉରାକୁ ଛାୟାବୃତ କରି ତୁଳସୀମୂଳକୁ ବିଶେଷ ପଦ୍ଧତିରେ ଅକ୍ଷତ ଜଳଧାରାଦ୍ୱାରା ସିକ୍ତରଖନ୍ତି । ଏହାକୁ ବସନ୍ତରା କହିଥାନ୍ତି । ପଦ୍ମପୁରାଣରେ ଏହି ବସନ୍ତରା ସମ୍ବନ୍ଧରେ ଉଲ୍ଲେଖ ଅଛି :

 

‘‘ଗ୍ରୀଷ୍ମକାଳେ ଦ୍ୱିଜଶ୍ରେଷ୍ଠ ! ସୁଗନ୍ଧୈଃ ଶୀତଳୈଃ ଜଳୈଃ

ତୁଳସୀସେଚନଂ କୃତ୍ୱା ନରୋନିର୍ବାଣମାପ୍ନୁୟାତ୍‌ ।

ଚନ୍ଦ୍ରାତପଂ ବା ଛନ୍ତ୍ରଂ ବା ତୁଳସ୍ୟୈ ଯସ୍ତୁ ଯଚ୍ଛତି

ବିଶେଷତୋ ନିଦାଘେଷୂ ସ ମୁକ୍ତଃ ସର୍ବପାତକୈଃ ।

ବୈଶାଖେଽକ୍ଷତଧାରାଭିରଦ୍ଭିଯଂସ୍ତୁଳସୀଂ ଜନାଃ

ସେଚୟେତ୍‌ ସୋଽଶ୍ୱମେଧସ୍ୟ ଫଳଂ ପ୍ରାପ୍ନୋତି ନିତ୍ୟଶଃ ।

କଦାଚିତ୍‌ ତୁଳସୀଂ ଦୁଗଧୈଃ ସେଚୟେଦ ଯୋ ନରୋତ୍ତମଃ

ତସ୍ୟ ବେଶନି ବିପ୍ରର୍ଷେ ଲକ୍ଷ୍ମୀଭବତି ନିଶ୍ଚଳା ।’’

 

‘‘ହେ ଦ୍ୱିଜଶ୍ରେଷ୍ଠ ! ଗ୍ରୀଷ୍ମକାଳରେ ଛତ୍ର ବା ଚନ୍ଦ୍ରାତପଦ୍ୱାରା ତୁଳସୀକୁ ଆବୃତକରି ଯେଉଁମାନେ ଶୀତଳ ଓ ସୁଗନ୍ଧିଯୁକ୍ତ ଜଳରେ ଅଭିଷିକ୍ତ କରନ୍ତି, ସେମାନେ ମୋକ୍ଷଲାଭ କରନ୍ତି । ବୈଶାଖ ମାସରେ ଅକ୍ଷତ ଧାରାଦ୍ୱାରା ତୁଳସୀ ମୂଳକୁ ସିକ୍ତ କରୁଥିବା ଲୋକମାନେ ଅଶ୍ୱମେଧଯଜ୍ଞର ଫଳ ପାଇଥାନ୍ତି । ଶୀତଳ ଦୁଗ୍‌ଧରେ ଯେଉଁମାନେ ତୁଳସୀବୃକ୍ଷକୁ ସେଚନ କରନ୍ତି, ସେମାନଙ୍କ ଗୃହରେ ଲକ୍ଷ୍ମୀ ସର୍ବଦା ବାସକରିଥାନ୍ତି ।’’

 

ମହାବିଷୁବ ସଂକ୍ରାନ୍ତିଠାରୁ ବୃକ୍ଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସଧରି ବସନ୍ତରା ଘଡ଼ିରେ ତୁଳସୀ ମୂଳକୁ ସିକ୍ତ କରିବାର ବିଧି ପ୍ରଚଳିତ ଅଛି । ସମ୍ଭବତଃ ଗ୍ରୀଷ୍ମ ଉତ୍ତାପରୁ ତୁଳସୀବୃକ୍ଷକୁ ରକ୍ଷାକରିବାପାଇଁ ଏପରି ବିଶେଷ ପୂଜାବିଧିର ପ୍ରଚଳନ ହୋଇଅଛି । ପୁନଶ୍ଚ ଏହି ଅକ୍ଷତ ଜଳଧାରା ମାଧ୍ୟମରେ ବର୍ଷା ପାଇଁ ଲୋକମାନଙ୍କର ଅଭୀପ୍‌ସା ପ୍ରକାଶ ପାଇଥାଏ । ଏହାକୁ ଗ୍ରୀଷ୍ମତପ୍ତ ଲୋକମାନଙ୍କର ବର୍ଷା ଉଦ୍ଦେଶ୍ୟରେ ଅନୁକରଣ ଯାଦୁପ୍ରକ୍ରିୟା କୁହାଯାଇପାରେ (Sympathetic magic) । ସାମାଜିକ ଅଭିଳାଷକୁ ପ୍ରକାଶ କରିବାପାଇଁ ପୂର୍ବେ ଅନୁକୃତ ଯାଦୁପ୍ରକ୍ରିୟାର ଆଶ୍ରୟ ନିଆହେଉଥିଲା । ଲୋକମାନଙ୍କର ବିଶ୍ୱାସ ଥିଲା, ବର୍ଷାର ଅନୁକରଣ କଲେ ଶୀଘ୍ର ବର୍ଷା ହେବ । ମହାବିଷୁବ ସଂକ୍ରାନ୍ତି ପରି ଜଳବିଷୁବ ସଂକ୍ରାନ୍ତି ସମୟରେ ତୁଳସୀ ବୃକ୍ଷର ବିଶେଷ ପୂଜା ଅନୁଷ୍ଠିତ ହୁଏ । କାର୍ତ୍ତିକ ମାସରେ ବିଷ୍ଣୁ ବିଗ୍ରହଙ୍କ ସହିତ ତୁଳସୀ ବୃକ୍ଷର ବିବାହ, ପ୍ରତ୍ୟହ ତୁଳସୀପୂଜା ଓ ତୁଳସୀ ମୂଳରେ ହବିଷ୍ୟାନ୍ନ ଭକ୍ଷଣ ପ୍ରଭୃତି ବିଧିର ପ୍ରଚଳନ ଅଛି ।

 

ତୁଳସୀକୁ କେନ୍ଦ୍ରକରି ସମାଜରେ ବହୁ ପ୍ରବଚନ ରହିଅଛି । ସେମାନଙ୍କ ମଧ୍ୟରୁ କେତେକ ନିନ୍ଦାସୂଚକ ଓ ଅନ୍ୟ କେତେକ ପ୍ରଶଂସାବାଚକ । ତନ୍ମଧ୍ୟରୁ ଦୁଇ ଚାରୋଟି ହେଲା–‘ତୁଳସୀ ଦୁଇ ପତ୍ରରୁ ବାସେ’, ‘ତୁଳସୀବଣ ବାଘ’, ‘ତୁଳସୀପତ୍ରିଆ କବି’ ଇତ୍ୟାଦି ।

 

ଏହି ଆଲୋଚନାରୁ ଆମ୍ଭେମାନେ ଜାଣିପାରିବା, ତୁଳସୀପୂଜା ଆମ ସମାଜରେ ସାଂସ୍କୃତିକ ସମନ୍ୱୟର ଚିହ୍ନ ସ୍ୱରୂପ ପ୍ରତିଷ୍ଠିତ ହୋଇଅଛି । ଏହି ପୂଜାର ଇତିଗାଥା ଖୋଜି ପାଇବା ଆଜି ଦୁରୂହ; କିନ୍ତୁ ଏକ ସଂଘର୍ଷମୟ ଭୂମିକାରେ ଭାରତର ସମନ୍ୱିତ ରୂପରେ ଯେଉଁ ଛବି ପୁରାଣବର୍ଣ୍ଣନାରୁ ଜଣାଯାଏ, ସେଥିରେ ତୁଳସୀପୂଜା ଓ ତୁଳସୀର ମାହାତ୍ମ୍ୟ ଉଲ୍ଲେଖଯୋଗ୍ୟ । ଆଜି ମଧ୍ୟ ତୁଳସୀ ସତ୍ୟ ଓ ମୁକ୍ତିର ପ୍ରତୀକ । ତେଣୁ ତାଙ୍କର ଅନ୍ୟ ନାମ ସତ୍ୟବତୀ ଓ ମୁକ୍ତିପ୍ରଦାୟିନୀ । ପ୍ରତ୍ୟେକ ହିନ୍ଦୁ ଅନ୍ତିମ ମୋକ୍ଷ ପାଇଁ ପ୍ରୟାଣ ସମୟରେ ତୁଳସୀପତ୍ର ଓ ଜଳ ଇଚ୍ଛାକରିଥାଏ ଏବଂ ପ୍ରତ୍ୟେକ ପୁତ୍ର ମୃତବ୍ୟକ୍ତିର ସଦ୍‌ଗତି ପାଇଁ ଶ୍ମଶାନରେ ଚିତାଗ୍ନି ନିର୍ବାପିତ ହେଲେ ତୁଳସୀ ବୃକ୍ଷ ରୋପଣକରେ ।

 

ତୁଳସୀ ଆମ ପରମ୍ପରାରେ ଅମୃତନାମା ଓ ମୋକ୍ଷଦାତ୍ରୀ । ତୁଳସୀପୂଜା କ୍ରମରେ ସକାମବ୍ରତ ନିର୍ବାଣୋନ୍ମୁଖୀ ନିଷ୍କାମ ବ୍ରତରେ ଉଦ୍‌ବର୍ତ୍ତିତ ହୋଇଛି ।

Image

 

ବଂଶରକ୍ଷା

 

ଋଷିକାନ୍ତା ସତ୍ୟବାଦୀ ଆଜି ଭାରତର ସାମ୍ରାଜ୍ଞୀ । ନାରୀସୁଲଭ ବିଳାସ ମଧ୍ୟରେ ସେ ନିଜକୁ ତଥା ସମ୍ରାଟ ଶାନ୍ତନୁଙ୍କୁ ମୁଗ୍‌ଧ କରିଛନ୍ତି । ପରାଶରଙ୍କ ଅସୀମ ଦୟାରୁ ତାଙ୍କ ଶରୀରରୁ ପଦ୍ମର ସୌରଭ ବିଚ୍ଛୁରିତ ହେଉଛି । ଋଷିଙ୍କର ଦିବ୍ୟ ପ୍ରଣୟ ଅତୀତର କାହାଣୀ—ସମ୍ମାନ ଓ ସମ୍ଭ୍ରମ ସହିତ ସତ୍ୟବତୀ ସମୟେ ସମୟେ ସ୍ମରଣ କରନ୍ତି— ନିଜର କାନୀନ-ପୁତ୍ର ଦ୍ୱୈପାୟନ କୃଷ୍ଣ ଆଜି ବେଦବ୍ୟାସରୂପେ ପରିଚିତ । ତାଙ୍କର ନୀଳକାନ୍ତ ତନୁ, ଆଜାନୁଲମ୍ବିତ ବାହୁ, ପିଙ୍ଗଳ ଜଟା, ବଭ୍ରୂଳ ପକ୍ଷ୍ମ, ଫୁଲ୍ଲାରବିନ୍ଦାୟତପତ୍ର ନେତ୍ର, ସୁଦୀର୍ଘ ଚାହାଣି, ଲୋମଶ ଶରୀର-ପ୍ରଜ୍ଞା ଓ ସଂଭ୍ରମର ଦ୍ୟୋତନା ଆଣୁଥାଏ । କଟୀରେ କୃଷ୍ଣାଜୀନ ଓ ମୁଞ୍ଜମେଖଳା, କନ୍ଧରେ ଶୁଭ୍ର ଉପବୀତ । ତପସ୍ୟାରେ କଳେବର କୃଶ ଓ କଠିନ । ସେ ପ୍ରଥମାଶ୍ରମର ମୂର୍ତ୍ତିମାନ୍‌ ବିଗ୍ରହ । ସତ୍ୟବତୀଙ୍କ ହୃଦୟରେ ନିଜ ପୁତ୍ରର ପ୍ରତିବିମ୍ବ ବେଳେବେଳେ ନାଚି ଉଠେ । ସତେ ସେ କେଡ଼େ ଭାଗ୍ୟବତୀ !

 

ମହାରାଜ ଶାନ୍ତନୁ ରିଂରସାର ଉଦ୍‌ବେଳରେ ସତ୍ୟବତୀଙ୍କୁ ପାଇଛନ୍ତି । ଗଙ୍ଗାଙ୍କୁ ହରାଇଲା ପରେ ସେ ସଂସାର ଓ ରାଜକାର୍ଯ୍ୟ ପ୍ରତି ଏକପ୍ରକାର ଉଦାସୀନ ଓ ବୀତସ୍ପୃହ ଥିଲେ । ଜାହ୍ନବୀର ତଟଦେଶରେ ସେ ନିଜର କାନ୍ତାଙ୍କୁ ଖୋଜି ଖୋଜି ବୁଲୁଥାନ୍ତି । ଗଙ୍ଗାଙ୍କର ବଲ୍ଲରିତ ତନିମା ଓ ଅନବଦ୍ୟ ବିଳାସଭଙ୍ଗୀ ତାଙ୍କର ବିରହବିଧୁର ହୃଦୟରେ ଆଜି ଅପୂର୍ବ ସ୍ମାରକ । ପ୍ରବଳ ପ୍ରତୀକ୍ଷା ମଧ୍ୟରେ ସେ ଭେଟିଲେ ଧୀବରକନ୍ୟା ସତ୍ୟବତୀଙ୍କୁ । ଆକୃତି ଓ ବିଳାସଚେଷ୍ଟାରେ ଏହି ଦୁଇଜଣଙ୍କ ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ । ଶାନ୍ତନୁ ଯୋଜନାଗନ୍ଧା ସତ୍ୟବତୀଙ୍କୁ ପାଇବାପାଇଁ ଇଚ୍ଛାକଲେ । ଓଃ, କି ଦାରୁଣ ସେ ସର୍ତ୍ତ ! ‘‘ସତ୍ୟବତୀଙ୍କ ଗର୍ଭଜାତ ସନ୍ତାନ ହସ୍ତିନାପୁରର ସିଂହାସନ ଆରୋହଣ କରିବେ’’— କିନ୍ତୁ ଗାଙ୍ଗେୟ ଦେବବ୍ରତ ? ମହାମହିମ ଦେବବ୍ରତ ରୂପ, ବିଦ୍ୟା ଓ କ୍ଷତ୍ରିୟୋଚିତ ମର୍ଯ୍ୟାଦାରେ ଅନୁପମ । ତାଙ୍କୁ ଉପେକ୍ଷା କରିବା ଶାନ୍ତନୁଙ୍କ ପକ୍ଷରେ ଅସମ୍ଭବ । ମହାରାଜ ବିଷଣ୍ଣ ମନରେ ଫେରିଆସିଥିଲେ । ଗାଙ୍ଗେୟ ଦେବବ୍ରତ ସମସ୍ତ ତଥ୍ୟ ଜାଣିପାରି ଧୀବର ରାଜାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ‘‘ମୁଁ ସିଂହାସନ ଆରୋହଣ କରିବି ନାହିଁ ଏବଂ ମୋର କୌଣସି ସନ୍ତାନ ଯେପରି ସିଂହାସନ ଉପରେ ଦାବି ନ କରନ୍ତି, ସେଥିପାଇଁ ମୁଁ ମଧ୍ୟ ବିବାହ କରିବି ନାହିଁ । ଆଜୀବନ ମୁଁ ବ୍ରହ୍ମଚାରୀର ଜୀବନ କଟାଇବି ।’’ —ଓଃ, କି ଭୀଷଣ ସେ ପ୍ରତିଜ୍ଞା ! ସମୟର ଅନନ୍ତ ସ୍ରୋତରେ ମହାମହିମ ଦେବବ୍ରତଙ୍କର ପ୍ରତିଜ୍ଞା ସୁସ୍ଥିର ମେରୁପର୍ବତ ପରି ଅଟଳ । ଦେବବ୍ରତଙ୍କର ସ୍ଥିତଧୀ ଚରିତ୍ର ସତ୍ୟବତୀଙ୍କର ମନରେ ଗଭୀର ରେଖାପାତ କରିଥାଏ ।

 

ସତ୍ୟବତୀଙ୍କ ଗର୍ଭରୁ ରାଜକୁମାର ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ଜନ୍ମନେଲେ । ଗନ୍ଧର୍ବରାଜ ଚିତ୍ରାଙ୍ଗଦଙ୍କ ସହିତ ଯୁଦ୍ଧରେ ବ୍ୟାପୃତ ହୋଇ କୌରବ ଚିତ୍ରାଙ୍ଗଦ ମୃତ୍ୟୁମୁଖରେ ପଡ଼ିଲେ । ସେତେବେଳକୁ ଅନୁଜ ବିଚିତ୍ରବୀର୍ଯ୍ୟ କୈଶୋର ଅତିକ୍ରମ କରିନାହାନ୍ତି । ମହାରାଜ ଶାନ୍ତନୁ ଯେଉଁ ଦିନ ଇହଜଗତରୁ ବିଦାୟ ନେଲେ, ପାଖରେ ମହାରାଣୀ ସତ୍ୟବତୀ ଓ ଗାଙ୍ଗେୟ ଦେବବ୍ରତ ଉପସ୍ଥିତ ଥାଆନ୍ତି । ଉଭୟଙ୍କୁ ମହାରାଜଙ୍କର ଗୋଟିଏ ପ୍ରଶ୍ନ—‘‘ବିଶ୍ରୁତକୀର୍ତ୍ତି ଭରତଙ୍କର ଏହି ମହାନ୍‌ ରାଜବଂଶର ମର୍ଯ୍ୟାଦା ରକ୍ଷାହେବ ତ ?’’ ଶାନ୍ତନୁଙ୍କ ଦୃଷ୍ଟିରେ କରୁଣ ଅନୁମୟ । ଦେବବ୍ରତଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ସାମୟିକ ଦୁର୍ବଳତାରେ ସେ ଗାଙ୍ଗେୟ ଦେବବ୍ରତଙ୍କୁ ରାଜସିଂହାସନରୁ ବଞ୍ଚିତ କରିଛନ୍ତି । ମୁମୂର୍ଷୁ ଶାନ୍ତନୁ ଅନୁତାପରେ ଦଗ୍‌ଧୀଭୂତ । ଆର୍ଯ୍ୟପୁତ୍ର ଗାଙ୍ଗେୟ ତାଙ୍କୁ ଆଶ୍ୱାସନା ଦେଲେ । ରାମାୟଣ ଓ ମହାଭାରତରେ ଦୁଇଜଣ ମର୍ଯ୍ୟାଦା-ପୁରୁଷୋତ୍ତମ-ସତ୍ୟବ୍ରତ ରାମଚନ୍ଦ୍ର ଓ ଗାଙ୍ଗେୟ ଦେବବ୍ରତ । ଜଣେ ପିତୃସତ୍ୟ ପାଳନରେ ଉଦାତ୍ତ; ଅନ୍ୟ ଜଣେ ପିତାଙ୍କର ଅଭିଳାଷ ପୂରଣ କରିବାପାଇଁ ଆଜୀବନ ବ୍ରହ୍ମଚାରୀ । ସତ୍ୟବତୀ ଓ ଭୀଷ୍ମଙ୍କଠାରୁ ବଂଶର ଗୌରବରକ୍ଷାର ପ୍ରତିଶ୍ରୁତି ଲାଭକରି ମହାରାଜ ଶାନ୍ତନୁ ଆନନ୍ଦରେ ବିଦାୟ ନେଲେ ।

 

ଆଜି ବିଚିତ୍ରବୀର୍ଯ୍ୟଙ୍କୁ ସିଂହାସନରେ ବସାଇ ଦେବବ୍ରତ ରାଜ୍ୟ ଶାସନ କରୁଛନ୍ତି । କୌରବ ଶାସନର ସୁଖ୍ୟାତି ସର୍ବତ୍ର ବ୍ୟାପିଯାଇଛି । ତାଙ୍କର ଶାସନଚକ୍ର ଉଦାର ଓ ଅପ୍ରତିହତ । ସେଦିନ କାଶୀ ରାଜାଙ୍କ ସ୍ୱୟମ୍ବର ସଭାରୁ ରାଜକନ୍ୟାମାନଙ୍କୁ କ୍ଷତ୍ରିୟ-ମର୍ଯ୍ୟାଦା ସହିତ ନେଇ ଆସିଥିଲେ । ରାଜକନ୍ୟା ଅମ୍ବିକା ଓ ଅମ୍ବାଳିକାଙ୍କ ସହିତ ଯୁବରାଜ ବିଚିତ୍ରବୀର୍ଯ୍ୟଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁଇରାଣୀଙ୍କର ପ୍ରଣୟଆବେଶ ମଧ୍ୟରେ ଯୁବରାଜ ମୁଗ୍‌ଧ ।

 

ସାତବର୍ଷ ପରେ—ରାଜକୁଳ ତଥା ପ୍ରଜାମାନଙ୍କୁ ଶୋକାକୁଳ କରି ଯୁବରାଜ ବିଚିତ୍ରବୀର୍ଯ୍ୟ ସଂସାରରୁ ବିଦାୟନେଲେ । ସତ୍ୟବତୀ ବାଷ୍ପରୁଦ୍ଧ କଣ୍ଠରେ ଅଶ୍ରୁମୁଞ୍ଚନ କରୁଥାନ୍ତି । ଆଜି ଭରତବଂଶ ସନ୍ତାନହୀନ । ରାଜବଂଶର ମର୍ଯ୍ୟାଦା ଭୂଲୁଣ୍ଠିତ । ଆଜି ଗାଙ୍ଗେୟ ଦେବବ୍ରତ ହିଁ କୁଳର ଏକମାତ୍ର ପ୍ରଦୀପ । ହାୟ ! ସେ ଆଜୀବନ ବ୍ରହ୍ମଚାରୀ । ନିଜର ତଥା ପିତାଙ୍କର ଅବିମୃଷ୍ୟକାରିତାପାଇଁ ସେ ଭୀଷ୍ମଙ୍କ ନିକଟରେ କ୍ଷମାଭିକ୍ଷା କଲେ-‘‘ବତ୍ସ, ଦୁର୍ବଳ ମୁହୂର୍ତ୍ତର ଅବିମୃଷ୍ୟ ସର୍ତ୍ତକୁ ଭୁଲିଯାଅ; ଭୁଲିଯାଅ ତୁମର ସେହି ନିର୍ମମ ପ୍ରତିଜ୍ଞା । ତୁମେ ବିବାହ କରି ଏହି ବଂଶର ମର୍ଯ୍ୟାଦା ରକ୍ଷାକର ରାଜପୁତ୍ର !’’

 

ମହାରାଣୀଙ୍କ ଚକ୍ଷୁରେ ଅନୁନୟର କାରୁଣ୍ୟ । ‘‘ମା, ମୋର ପ୍ରତିଜ୍ଞା ଅଟଳ । ମୋତେ ଅନ୍ୟ କିଛି ଆଦେଶ ଦିଅନ୍ତୁ; ମୁଁ ଅବଶ୍ୟ ପାଳନ କରିବି; କିନ୍ତୁ ଦେବବ୍ରତର ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞା ଏହି ଜନ୍ମପାଇଁ ମେରୁପରି ସୁସ୍ଥିର’’—ବଦ୍ଧାଞ୍ଜଳି ଗାଙ୍ଗେୟ ଉତ୍ତର ଦେଲେ । ଚିନ୍ତାକୁଳା ସତ୍ୟବତୀ କିଛି ସମୟ ଧ୍ୟାନମଗ୍ନ ରହିଲେ ଏବଂ ଅଧୋବଦନରେ କହିଲେ, ‘‘ପୁତ୍ର ! ଆପତ୍‌କାଳରେ ବଂଶରକ୍ଷା କରିବାପାଇଁ ଆର୍ଯ୍ୟ ଋଷିମାନେ ବ୍ୟବସ୍ଥା କରିଛନ୍ତି । ତୁମେ ଶାସ୍ତ୍ରୀୟ ନିୟୋଗପ୍ରଥା ଅନୁସାରେ ନିଜର ଭ୍ରାତୃବଧୂଙ୍କ ଗର୍ଭରୁ ସନ୍ତାନ ଜନ୍ମାଅ ।’’

 

ଅଧୋମୁଖ ଦେବବ୍ରତ ସତ୍ୟବତୀଙ୍କର ପଦଯୁଗଳକୁ ସମ୍ଭ୍ରମର ସହିତ ଚାହିଁ ରହିଥାନ୍ତି । ‘‘କ୍ଷମାକର ମା ! ଦେବବ୍ରତ କେବଳ ଅବିବାହିତ ରହିବେ ନାହିଁ; ଆଜୀବନ କାୟମନୋବାକ୍ୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବେ । ଏହି ପ୍ରତିଜ୍ଞା ଋତର ନିୟମନ ପରି ସତ୍ୟ । ମା’ ! ବେଦବିତ୍‌ ସୁଶୀଳ ବ୍ରାହ୍ମଣଙ୍କଦ୍ୱାରା ନିୟୋଗପ୍ରଥାର ବ୍ୟବସ୍ଥା ରହିଛି । ଅତୀତରେ ପରଶୁରାମଙ୍କଦ୍ୱାରା ବହୁ ରାଜବଂଶ ନିଃସନ୍ତାନ ହୋଇଥିଲେ ମଧ୍ୟ, ସେମାନଙ୍କର ବିଧବା ପତ୍ନୀମାନେ ନିୟୋଗପ୍ରଥା ଅନୁସାରେ ବଂଶରକ୍ଷା କରିଛନ୍ତି । ମନ୍ତ୍ରଦ୍ରଷ୍ଟା ଋଷି ଦୀର୍ଘତମାଙ୍କ ଔରସରୁ ମହାରାଜ ବଳିଙ୍କ ଧର୍ମପତ୍ନୀ ସୁଦେଷ୍ଣା ମଧ୍ୟ ଏହି ପ୍ରଥାନୁସାରେ ସନ୍ତାନ ଲାଭ କରିଛନ୍ତି । ଆପଣ ବଂଶରକ୍ଷା ପାଇଁ ଏହି ମର୍ମରେ ଚିନ୍ତା କରନ୍ତୁ ।’’

 

କିଛି ସମୟ ଚିନ୍ତା ଓ ନୀରବତାରେ ବିତିଗଲା । ସତ୍ୟବତୀଙ୍କ ମନରେ ଅତୀତର ଘଟଣା ଗୋଟି ଗୋଟି ହୋଇ ସ୍ଥାନ ପାଇଲା । ସେ ଥିଲେ ମତ୍ସ୍ୟଗନ୍ଧା ଧୀବରକନ୍ୟା; ଆଜି ଯୋଜନଗନ୍ଧା ରାଜରାଣୀ । ମହର୍ଷି ପରାଶରଙ୍କ ଦିବ୍ୟ ପ୍ରଣୟପ୍ରତି ସମ୍ମାନ ଜଣାଇ ନିଜର କାନୀନପୁତ୍ର ଦ୍ୱୈପାୟନ କୃଷ୍ଣଙ୍କୁ ସ୍ମରଣ କଲେ ସେ । ତପସ୍ୱୀ ଦ୍ୱୈପାୟନ ତତ୍‌କ୍ଷଣାତ୍‌ ମା’ଙ୍କ ନିକଟରେ ପହଞ୍ଚି ପ୍ରଣାମ କଲେ ଏବଂ କୁଶଳ ଜିଜ୍ଞାସା କଲେ । ତାଙ୍କର ଚକ୍ଷୁ କରୁଣା ଓ ପ୍ରଜ୍ଞାର ଉଦ୍‌ଭାସରେ ସ୍ନିଗ୍‌ଧ । ‘‘ବତ୍ସ, ତୁମେ ମୋ ଜୀବନମରୁଭୂମିରେ ସୁଶୀତଳ ପ୍ରସ୍ରବଣ । ମୁଁ ଜନ୍ମଦାତ୍ରୀ ହେଲେ ମଧ୍ୟ ତୁମକୁ ମାତୃସ୍ନେହରୁ ବଞ୍ଚିତ କରିଛି । ଉଦାର-ହୃଦୟ ତପସ୍ୱୀ ପରାଶର ତୁମ ପ୍ରତି ମାତା ଓ ପିତା ଉଭୟଙ୍କର ସ୍ନେହ ଦେଇଛନ୍ତି ।’’ ନିଜର ଅଜ୍ଞାତସାରରେ ସତ୍ୟବତୀଙ୍କ ନେତ୍ରରୁ ପରାଶରଙ୍କ ପ୍ରତି କୃତଜ୍ଞତାର ଅଶ୍ରୁ ଗଡ଼ିପଡ଼ୁଥାଏ । ‘‘ପୁଅ ! ଆଜି ହସ୍ତିନାର ରାଜବଂଶ ଲୁପ୍ତପ୍ରାୟ । ବଂଶର ଗୌରବ ଓ ମର୍ଯ୍ୟାଦା ରକ୍ଷାକରିବାପାଇଁ ମହାରାଜ ଶାନ୍ତନୁଙ୍କୁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ବିଧିର ବିଡ଼ମ୍ବନାରେ ତାହା ବିଡ଼ମ୍ବିତ ହେବାକୁ ଯାଉଛି । ଗାଙ୍ଗେୟ ଦେବବ୍ରତ ଆଜୀବନ ବ୍ରହ୍ମଚାରୀ । ଯୁବରାଜ ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁ ପରେ ମହାନ୍‌ ଭରତବଂଶ ନିଃସନ୍ତାନ ହୋଇଛି । ଆମର ପୂର୍ବପୁରୁଷମାନେ ସ୍ୱର୍ଗରେ ଅଶ୍ରୁ ତର୍ପଣ କରୁଥିବେ । କୁହ ବତ୍ସ; ତୁମେ ସୁଶୀଳ ଓ ବେଦବିତ୍‌ । ଏହି ଆପତ୍‌କାଳରୁ ରକ୍ଷା କରିପାରିବ ?’’

 

ଦ୍ୱୈପାୟନ ମାତାଙ୍କର ଅଭିପ୍ରାୟ ବୁଝିଲେ ଏବଂ ସଲଜ୍ଜ ଭାବରେ କହିଲେ, ‘‘ମୁଁ ମା’ଙ୍କର ଆଦେଶପାଳନ କରିବାକୁ ପ୍ରସ୍ତୁତ ।’’

 

ଶୁଦ୍ଧସ୍ନାତା ପୁତ୍ରବଧୂ ଅମ୍ବିକାଙ୍କୁ ସତ୍ୟବତୀ ଅନୁରୂପ ନିର୍ଦ୍ଦେଶ ଦେଲେ । ମିଳନ ଆଶାରେ ବ୍ରୀଡ଼ା ଓ ଉତ୍‌କଣ୍ଠାର ସହିତ ରାଜବଧୂ ଅପେକ୍ଷାକରି ରହିଲେ । ପୂର୍ବରୁ ସେ ଦ୍ୱୈପାୟନଙ୍କୁ ଆଦୌ ଦେଖିନାହାନ୍ତି । ତାଙ୍କର କଳ୍ପନାରେ ଏକ ଭବ୍ୟ ଯୁବରାଜଙ୍କର ମୂର୍ତ୍ତି ଆଙ୍କିନେଲେ । ପ୍ରାସାଦକକ୍ଷ ନିସ୍ତବ୍‌ଧ । ଘୃତାକ୍ତ ଶରୀରରେ ମହର୍ଷି ଦ୍ୱୈପାୟନ ଅମ୍ବିକାଙ୍କ ଶୟନକକ୍ଷରେ ପ୍ରବେଶ କଲେ । ନିବାତନିଷ୍କମ୍ପ ଦୀପଶିଖାରେ ମହର୍ଷିଙ୍କର ମୂର୍ତ୍ତି ଝଲସି ଉଠିଲା । କପିଳ ଜଟା, ପ୍ରଦୀପ୍ତ ଲୋଚନ, ପିଙ୍ଗଳ ଶ୍ମଶ୍ରୁ, କୃଷ୍ଣାଜୀନ ମେଖଳା—ଓଃ, କି ଭୟଙ୍କର ! ଶରୀରରେ ହରିଚନ୍ଦନ ବା ପୁଷ୍ପର ମାଳା ନାହିଁ । ଘୃତାକ୍ତ ଶରୀର ମୁଞ୍ଜମେଖଳ ଓ କୃଷ୍ଣାଜୀନରେ ଆବୃତ୍ତ । ରାଜକନ୍ୟା ଅମ୍ବିକା ଦ୍ୱୈପାୟନଙ୍କ ଶରୀରର ରୂପ ଓ ଗନ୍ଧକୁ ସହ୍ୟକରି ପାରିଲେନାହିଁ । ପ୍ରଣୟର ଅନୁଚିନ୍ତା ବିଡ଼ମ୍ବିତ । ଭୟ ଓ ଘୃଣାରେ ତାଙ୍କର ଚକ୍ଷୁ ମୁଦ୍ରିତ ହୋଇଗଲା । ନିଜର ଅନିଚ୍ଛା ସତ୍ତ୍ୱେ ସେ କେବଳ ସତ୍ୟବତୀଙ୍କର ଆଦେଶ ପାଳନ କଲେ ମାତ୍ର ।

 

‘‘ତସ୍ୟ କୃଷ୍ଣସ୍ୟ କପିଳାଂ ଜଟାଂ ଦୀପ୍ତେ ଚ ଲୋଚନେ

ବଭ୍ରୁଣି ଚୈବ ଶ୍ମଶ୍ରୁଣି ଦୃଷ୍ଟ୍ୱା ଦେବୀ ନ୍ୟମୀଳୟତ୍‌ ।

ସଂବଭୂବ ତୟା ସାର୍ଧଂ ମାତୁଃପ୍ରିୟଚିକୀର୍ଷୟା

ଭୟାତ୍‌ କାଶିସୁତା ତଂ ତୁ ନାଶକ୍ନୋତ୍‌ ଅଭିବୀକ୍ଷିତୁମ୍‌ ।’’

 

(ମହାଭାରତ-ଆଦିପର୍ବ)

 

ସତ୍ୟବତୀ ଦ୍ୱୈପାୟନଙ୍କୁ ବଂଶର ଭବିତବ୍ୟ ସମ୍ପର୍କରେ ପଚାରିଲେ । ବ୍ୟାସଦେବ ଉତ୍ତର ଦେଲେ, ‘‘ନିଷିକ୍ତା ଅମ୍ବିକା ମହାବଳଶାଳୀ ବୁଦ୍ଧିମାନ୍‌ ପୁତ୍ର ଜନ୍ମଦେବେ । ସେହି ପୁତ୍ର ଭବିଷ୍ୟତରେ ଶତପୁତ୍ରର ଜନକ ହେବ । କିନ୍ତୁ ମା’ ରାଜବଧୂ ଅମ୍ବିକାଙ୍କର ମୋ’ ପ୍ରତି ବୈଗୁଣ୍ୟହେତୁ ଜନ୍ମିତ ସନ୍ତାନ ଜନ୍ମାନ୍ଧ ହେବ ।’’ ଦ୍ୱୈପାୟନଙ୍କର ଉତ୍ତର ଶୁଣି ସତ୍ୟବତୀ ଚିନ୍ତିତା ହେଲେ । କୌଣସି ଜନ୍ମାନ୍ଧ ବ୍ୟକ୍ତି ପୁଣ୍ୟଶ୍ଳୋକ ଭରତଙ୍କର ସିଂହାସନ ଆରୋହଣ କରିପାରିବେ ନାହିଁ । ଆର୍ଯ୍ୟମାନଙ୍କର ପ୍ରଥାନୁଯାୟୀ ଜନ୍ମାନ୍ଧ ବ୍ୟକ୍ତି ଅଭିଷେକର ଅଯୋଗ୍ୟ । ସେ ଦ୍ୱୈପାୟନଙ୍କୁ କନିୟସୀ ପୁତ୍ରବଧୂ ଅମ୍ବାଳିକାଙ୍କ ସହିତ ମିଳିତ ହେବାପାଇଁ ନିର୍ଦ୍ଦେଶ ଦେଲେ ।

 

କୋମଳାଙ୍ଗୀ ଅମ୍ବିକା ତାଙ୍କର ନିର୍ଦ୍ଦେଶରେ ବ୍ୟାସଙ୍କର ଆଗମନକୁ ଅପେକ୍ଷା କରି ରହିଲେ । ଶରୀରରେ ଚନ୍ଦନ ଓ କୁଙ୍କୁମର ବିଚ୍ଛିତି । କବରୀର ପୁଷ୍ପଦାମରୁ ସ୍ୟନ୍ଦିତ ମଧୁରେଖା ମିଳନଗୃହକୁ ଆମୋଦିତ କରୁଥାଏ । ମାତୃତ୍ୱର କାମନା ଅମ୍ବାଳିକାଙ୍କୁ ଶିହରିତ କରୁଥାଏ । ପୂର୍ବପରି ଘୃତାକ୍ତ ଶରୀରରେ ମହର୍ଷି ଦ୍ୱୈପାୟନ ଶୟନକକ୍ଷରେ ପ୍ରବେଶକଲେ । ଓଃ, କି ତେଜସ୍ୱୀ ମୂର୍ତ୍ତି ! ପ୍ରଥମଦର୍ଶନରେ ଅମ୍ବାଳିକା ଭୟ ମୂର୍ଚ୍ଛିତା ହୋଇଗଲେ । ତାଙ୍କର ଶରୀର ବିବର୍ଣ୍ଣ ଓ ପାଣ୍ଡୁର ହୋଇଗଲା । ପରକ୍ଷଣରେ ମାତାଙ୍କର ଆଦେଶକୁ ରକ୍ଷାକରି ମହର୍ଷିକର୍ତ୍ତୃକ ନିଷିକ୍ତା ହେଲେ ।

 

ସମର୍ଥରତିର ଅଭାବରେ ନିୟୋଗସମ୍ମିତ ମିଳନ ବିଡ଼ମ୍ବିତ ହେଲା । ସତ୍ୟବତୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୁତ୍ର ଦ୍ୱୈପାୟନ କହିଲେ, ‘‘ମା’ ! ମୋ ଶରୀରର ବିରୂପତା ଓ ରୁକ୍ଷବେଶକୁ ଦେଖି ରାଜବଧୂ ଭୟଭୀତା ହେଲେ । ତାଙ୍କର ଶରୀର ବିବର୍ଣ୍ଣ ଓ ପାଣ୍ଡୁର ହୋଇଗଲା । ତେଣୁ ଏହି ସନ୍ତାନଟି ପାଣ୍ଡୁ ହେବ ।’’

 

‘‘ଋଷିଂ ଦୃଷ୍ଟ୍ୱା ଚ ସାଽପି ତମ୍‌ ବିବର୍ଣ୍ଣା ପାଣ୍ଡୁସଂକାଶା

ତାଂ ଭୀତାଂ ପାଣ୍ଡୁସଂକାଶାଂ ବିଷଣ୍ଣାଂ ପ୍ରେକ୍ଷ୍ୟ ଭାରତ

ବ୍ୟାସ ସତ୍ୟବତୀ ପୁତ୍ର ବଚନମିଦମବ୍ରବୀତ୍‌ ।।

ଯସ୍ମାତ୍‌ ପଣ୍ଡୁତ୍ୱମାପନ୍ନା ବିରୂପଂ ପ୍ରେକ୍ଷ୍ୟ ମାମିହ

ତସ୍ମାଦେଷ ସୁତସ୍ତେବୈ ପାଣ୍ଡୁରେବ ଭବିଷ୍ୟତି ।।’’

 

(ମହାଭାରତ-ଆଦିପର୍ବ )

 

ସତ୍ୟବତୀ ପୁନର୍ବାର ଚିନ୍ତିତା ହେଲେ । ଗାଙ୍ଗେୟ ଦେବବ୍ରତଙ୍କ ସହିତ ପରାମର୍ଶ କରି ପୁତ୍ରବଧୂ ଅମ୍ବିକାକୁ କହିଲେ, ‘‘ଋଷିଙ୍କର ଦିବ୍ୟପ୍ରଣୟ ପ୍ରତି ଅସହିଷ୍ଣୁ ହୁଅନାହିଁ । ଆଶ୍ରମର ତ୍ୟାଗପୂତ ଓ କ୍ଳାନ୍ତିପ୍ରଦ ପରିବେଶରେ ଋଷିମାନଙ୍କର ଶରୀର କର୍କଶ ହେଲେ ମଧ୍ୟ, ସେମାନଙ୍କର ହୃଦୟ ଖୁବ୍‌ କୋମଳ । ମହର୍ଷି ଦ୍ୱୈପାୟନଙ୍କ ପ୍ରତି ତୁମର ଭୟ ରହିବା ଉଚିତ ନୁହେଁ । ନାରୀସୁଲଭ ପ୍ରସନ୍ନତାରେ ତୁମେ ମହର୍ଷିଙ୍କର ପଦବନ୍ଦନା କର ଏବଂ ଉତ୍ତମ ସନ୍ତାନର ଜନନୀ ହେବାପାଇଁ ଆଶୀର୍ବାଦ ଭିକ୍ଷାକର । ସମର୍ଥାରତିର ଅଭିବ୍ୟଞ୍ଜନାରେ ତୁମେ ପୁନର୍ବାର ନିଷିକ୍ତା ହୁଅ-।’’

 

ମାତାଙ୍କ ଆଦେଶରେ ଦ୍ୱୈପାୟନ ଅମ୍ବିକାଙ୍କର ପ୍ରାସାଦରେ ପ୍ରବେଶକଲେ । ଅମ୍ବିକା ସତ୍ୟବତୀଙ୍କ ସମ୍ମୁଖରେ କୌଣସି ବୈପରୀତ୍ୟ ନ ଦେଖାଇ ନିଜର ଦାସୀଙ୍କୁ ଅଳଙ୍କାରଭୂଷିତା କରି ବ୍ୟାସଙ୍କ ନିକଟକୁ ପ୍ରେରଣକଲେ । ଅଳମ୍ବୁଷାର ଦାସୀଜୀବନରେ ତାହା ଥିଲା ପରମସୌଭାଗ୍ୟ-। ଆଶା ଓ ଆକାଙ୍‌କ୍ଷାରେ ତା’ର ଶରୀର ରୋମାଞ୍ଚିତ । ଋଷିଙ୍କ ଦିବ୍ୟପ୍ରଣୟର ଅନୁଚିନ୍ତାରେ ସେ ଆତ୍ମହରା । ଦ୍ୱୈପାୟନ ଅଳମ୍ବୁଷାର କକ୍ଷରେ ପ୍ରବେଶ କରନ୍ତେ, ସେ ଯଥୋଚିତ ସମ୍ମାନସହ ଋଷିଙ୍କର ପଦବନ୍ଦନା କଲେ । ଧୀରୋଦାତ୍ତ ଦ୍ୱୈପାୟନ ପ୍ରଣୟର ଅନୁପମ ବ୍ୟଞ୍ଜନାରେ ଉଲ୍ଲସିତ ହେଲେ । ପ୍ରୀତି-ସ୍ନିଗ୍‌ଧ ଅନୋନ୍ୟ ହୃଦୟରେ ଉଭୟେ ପ୍ରତିବିମ୍ବିତ ହେଲେ । ସମର୍ଥାରତିର ଅପୂର୍ବ ନିଧୂବନ । ନିଷିକ୍ତା ପ୍ରଣୟିନୀ ମହର୍ଷିଙ୍କର ଦିବ୍ୟତାରେ ଦ୍ରବୀଭୂତ ହେଲେ । ତୁଷ୍ଟକାମ ବେଦବ୍ୟାସ ତେଜସ୍ୱୀ ଓ ଧର୍ମାତ୍ମା ସନ୍ତାନ ଉଦ୍ଦେଶ୍ୟରେ ଗର୍ଭାଧାନ ସମାହିତ କଲେ ।

 

‘‘ତତଃ ସ୍ୱୈର୍ଭୁଷଣୈର୍ଦାସୀଂ ଭୂଷୟିତ୍ୱାଽପ୍‌ସରୋପମାଂ

ପ୍ରେଷୟାମାସକୃଷ୍ଣାୟ ତତଃ କାଶିପତେଃ ସୁତା ।

ସା ତମୃଷିମନୁପ୍ରାପ୍ତଂ ପ୍ରତ୍ୟୁଦ୍‌ଗମ୍ୟାଭିବାଦ୍ୟ ଚ

ସଂବିବେଶାଭ୍ୟନୁଜ୍ଞାତା ସତ୍‌କୃତ୍ୟୋପଚାରୈଃ ସହ ।।

କାମୋପଭୋଗେନ ରହଃ ତସ୍ୟାଂ ତୁଷ୍ଟିମଗାଦ୍‌ ଋଷିଃ

ତଥା ସହୋଷିତଃ ରାଜନ୍‌ ମହର୍ଷିଃ ସଂଶ୍ରିତବ୍ରତଃ ।

ଉତ୍ତିଷ୍ଠନ୍ନବ୍ରବୀଦ୍‌ ଏନାମଭୁଜିଷ୍ୟ ଭବିଷ୍ୟସି ।।

ଅୟଂ ଚ ତେ ଶୁଭେ ଗର୍ଭଃ ଶ୍ରେୟାନୁଦରମାଗତଃ

ଧର୍ମାତ୍ମା ଭବିତା ଲୋକେ ସର୍ବବୁଦ୍ଧିମବାଂବରଃ ।।’’

 

(ମହାଭାରତ-ଆଦିପର୍ବ)

 

ଯଥା ସମୟରେ ଅମ୍ବିକା ଓ ଅମ୍ବାଳିକାଙ୍କଠାରୁ ଯଥାକ୍ରମେ ଧୃତରାଷ୍ଟ୍ର ଓ ପଣ୍ଡୁ ଜନ୍ମନେଲେ । ଧୃତରାଷ୍ଟ୍ର ଜନ୍ମାନ୍ଧ ଏବଂ ପଣ୍ଡୁ ଚିରରୁଗ୍‌ଣ । କିନ୍ତୁ ଦାସୀଗର୍ଭରୁ ଜନ୍ମନେଲେ ଧର୍ମାତ୍ମା ବିଦୁର; ସତେ ଅବା ଧର୍ମର ଅବତାର । ଆଜାନୁଲମ୍ବିତ ବାହୁ, ନୀଳ ତନୁ ବିଦୁରଙ୍କର ମୁଖମଣ୍ଡଳ ସର୍ବଦା ଜ୍ଞାନଦୀପ୍ତ । ପ୍ରଜ୍ଞା ଓ ବିନୟର ସେ ଆଧାର ଥିଲେ । ରାଜନୀତି, ବିଦ୍‌ବତ୍ତା ଓ ବିଚକ୍ଷଣ ବୁଦ୍ଧିରେ ବିଦୁରଙ୍କର ସମକକ୍ଷ କେହି ନ ଥିଲେ ।

 

ବିଦୁର ଦାସୀପୁତ୍ର-ଏହା ହିଁ ଇତିହାସର ବିଡ଼ମ୍ବନା । ଗାଙ୍ଗେୟ ଦେବବ୍ରତ ଓ ମହାରାଣୀ ସତ୍ୟବତୀ ବିଦୁରଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ । ଧୃତରାଷ୍ଟ୍ର ଓ ପଣ୍ଡୁଙ୍କ ଶାସନାବଧି ମଧ୍ୟରେ ବିଦୁର ପରାମର୍ଶଦାତା ଓ ମନ୍ତ୍ରୀର ଆସନ ଲାଭକରିଥିଲେ । ପରବର୍ତ୍ତୀ ସମୟରେ ସେ ପାଣ୍ଡବମାନଙ୍କର ହସ୍ତିନାପୁରରେ ପ୍ରଧାନ ସହାୟକ ହୋଇଥିଲେ । ତାଙ୍କର ସମୟୋଚିତ ମନ୍ତ୍ରଣା ବ୍ୟତିରେକେ ପାଣ୍ଡବମାନେ ହୁଏତ ଜତୁଗୃହରେ ଧ୍ୱଂସ ପାଇଥାନ୍ତେ ।

 

ବଂଶରକ୍ଷାପାଇଁ ସତ୍ୟବତୀଙ୍କର ଅପୂର୍ବ ପ୍ରଚେଷ୍ଟା ସଫଳ ହୋଇଛି କି ନାହିଁ, ତାହା ସମୀକ୍ଷାର ବିଷୟବସ୍ତୁ; କିନ୍ତୁ ପୁରୁଷ ଓ ନାରୀର ମିଳନ ମୂଳରେ ଆକାଙ୍‌କ୍ଷା, ଆସତ୍ତି, ଯୋଗ୍ୟତା ଓ ଭବ୍ୟକଳ୍ପନା ନଥିଲେ ରତି ବିଡ଼ମ୍ବିତ ହୁଏ । ପ୍ରଣୟ ଓ କାମନା ପରସ୍ପରର ଅନୁପୂରକ । ସମର୍ଥାରତି କେବଳ ନିର୍ବିଶେଷ ଶୈଳୀ ନୁହେଁ, ପୁରୁଷ ଓ ନାରୀର ପାରସ୍ପରିକ ଆନୁକୂଲ୍ୟ ଉପରେ ନିର୍ଭରକରେ-। ଅଭୀଷ୍ଟ ସନ୍ତାନ ସଂକଳ୍ପରେ ତାହା ହିଁ ମହାନ୍‌ ପ୍ରଜାପତି । ପରସ୍ପରକୁ ଭଲପାଇବା ମୁହୂର୍ତ୍ତକର ଉତ୍ତେଜନା ନୁହେଁ—ତାହା ଜନ୍ମଜନ୍ମାନ୍ତରର ସାଧନା ।

Image

 

ଶକ୍ତିର ଆରାଧନା

 

ସୃଷ୍ଟି ଓ ସ୍ଥିତି ପାଇଁ ମଣିଷ ଯୁଗେ ଯୁଗେ ଶକ୍ତିର ଆରାଧନା କରିଆସିଛି । ଜୀବମାତ୍ରେ ହିଁ ଭୟାଳୁ । ଏହି ଭୟଭାବ ସହଜାତ । ଦୁଃଖ-ଦୁର୍ବିପାକ ମଧ୍ୟରେ ଭୀତିର ନିରବଚ୍ଛିନ୍ନତା ସ୍ପଷ୍ଟ । ନିଜକୁ ତଥା ସୃଷ୍ଟିକୁ ରକ୍ଷାକରିବା ପାଇଁ ମନୁଷ୍ୟ ଅଭୟ ଓ ବରାଭୟର ପ୍ରୟାସୀ । ଏହି ଅଭୟର ସଂଜ୍ଞା ନିଷେଧାତ୍ମକ ନୁହେଁ । ଅମୃତ ଓ ଅହିଂସା ପ୍ରଭୃତି ଶବ୍ଦଭଳି ଏହା ଆସ୍ତିବାଚକ ବ୍ୟଞ୍ଜନାରେ ଅଧିଷ୍ଠିତ । ଏହି ଅଭୟର ପ୍ରତୀକ ହେଉଛି ‘ମା’ । ନିଜର ସୃଷ୍ଟିକୁ ରକ୍ଷାକରିବା ପାଇଁ କେବଳ ମା’ ହିଁ ସକ୍ଷମ । ସନ୍ତାନକୁ ପରିପୁଷ୍ଟ କରିବାରେ ଆତ୍ମବଳିର ସେ ଏକ ଅକ୍ଷୟ ସଂଜ୍ଞା, ଯାହାର ଅବଧାରଣା ସନ୍ତାନପକ୍ଷରେ ସମ୍ଭବ ନୁହେଁ । ମାତୃତ୍ୱ ହେଉଛି ସୃଷ୍ଟି ଓ ସ୍ଥିତିର ଅଫୁରନ୍ତ ଉତ୍ସ । ମା’ ହିଁ ସନ୍ତାନକୁ ଅଭୟ ଓ ଶକ୍ତି ପ୍ରଦାନ କରେ । ଶକ୍ତିର ଆରାଧନା ହେଉଛି କେବଳ ମାତୃପୂଜା ।

 

ଜନ୍ମଦାତ୍ରୀ ମା’ ଯେପରି ସନ୍ତାନ ପକ୍ଷରେ ଆରାଧ୍ୟା, ଏହି ବିଶ୍ୱପ୍ରକୃତି ମଧ୍ୟ ସେହିପରି ପୂଜନୀୟା । ପ୍ରକୃତିର ଅନନ୍ତ କରୁଣାରେ ସୃଷ୍ଟି ସମ୍ଭୂତ ଓ ଲାଳିତପାଳିତ । ଶାରଦୀୟ ପାର୍ବଣରେ ଭାରତର ସନ୍ତାନମାନେ ବିଶ୍ୱପ୍ରକୃତିର ଉପାସନା କରି ଆସିଛନ୍ତି । ତତ୍ତ୍ୱଦୃଷ୍ଟିରୁ ପ୍ରକୃତି ହିଁ ଚିରନ୍ତନ । ସେ ତତ୍ତ୍ୱ, ରଜଃ ଓ ତମୋଗୁଣର ଅଧିକାରିଣୀ । ସୃଷ୍ଟି ଓ ସ୍ଥିତି ପାଇଁ ପ୍ରକୃତିର ଅନ୍ତରଙ୍ଗ ଓ ବହିରଙ୍ଗ ସ୍ୱଭାବ ଯଥାକ୍ରମେ ରାଜସିକ ଓ ସାତ୍ତ୍ୱିକ ବିଭାବରେ ପରିପୂର୍ଣ୍ଣ ହୁଏ । ସେହିପରି ବିନାଶ ପାଇଁ ମଧ୍ୟ ସେ ତମୋଗୁଣରେ ବିଭାବିତ । ବସ୍ତୁତଃ ଏହି ତିନୋଟି ଗୁଣ ଏକ ନିତ୍ୟନୈମିତ୍ତିକ ବିବର୍ତ୍ତନର କ୍ରମିକ ଧାରା । ଗୋଟିଏ ଗୁଣର ପରିଣାମରେ ଅନ୍ୟଟିର ସୃଷ୍ଟି । ଗୁଣାଶ୍ରୟୀ ବିଶ୍ୱପ୍ରକୃତିକୁ ସାଂସ୍କୃତିକ ସଙ୍କେତରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ବୋଲି କୁହାଯାଇଛି ।

 

ସୃଷ୍ଟିଚକ୍ରର ଇତିବୃତ୍ତ । ସେତେବେଳକୁ ଚନ୍ଦ୍ରମା ଓ ସୂର୍ଯ୍ୟ ପ୍ରତିଭାତ ହୋଇନଥିଲେ । ବାୟୁ ସ୍ପର୍ଶହୀନ ମହାକାଳରେ ବିଲୁପ୍ତ ଥିଲା । ମାଟି, ପାଣି ଓ ଆଲୋକ କିଛି ହିଁ ନ ଥିଲା । ଦିନ ନ ଥିଲା । ରାତି ମଧ୍ୟ ନ ଥିଲା । ପ୍ରକୃତିର ତାମସିକ ଗର୍ଭରେ ଗ୍ରହ ନକ୍ଷତ୍ର ଅବଲୁପ୍ତ ଥିଲେ । ସତ୍ୟ ଥିଲା ତମସାବୃତ । ନିରପେକ୍ଷ ସମୟ ଓ ସ୍ଥିତି ମଧ୍ୟ ମହାମୃତ୍ୟୁର ପ୍ରଲେପରେ ଆଚ୍ଛନ୍ନ ଥିଲେ । ଲୋକକ୍ଷୟକୃତ୍‌ ମହାକାଳର ସବୁ କିଛି ଲୋପ ପାଇଥିଲା । ଅନନ୍ତଚେତନା ମହାନିଦ୍ରାରେ ସମ୍ମୋହିତ । ବିଶ୍ୱାଧାର ବିଷ୍ଣୁ ସମସ୍ତ ବିଶ୍ୱକୁ ନିଜଠାରେ ସଂହୃତ କରି ଅନନ୍ତ ସମୟର ଭୁଜଗଶୟନରେ ଶାୟିତ । ସେ ନିଦ୍ରା ଥିଲା ଯୋଗନିଦ୍ରା; ଲୋକୋତ୍ତର ତପସ୍ୟା । ବିଷ୍ଣୁଙ୍କର ସେହି ଯୋଗନିଦ୍ରା ହିଁ ମହାକାଳୀଙ୍କର ପ୍ରତୀକ । ବହୁତ ପରେ ଯୋଗନିଦ୍ରାରେ ଦେଖାଦେଲା ସୁଷୁପ୍ତି; ଏକ ସ୍ୱପ୍ନମୟ ଆବେଶ । ତାହା ସମ୍ମୋହନର ମହାରାତ୍ରି ସୃଷ୍ଟିକଲା । ଏକ ଅବ୍ୟକ୍ତ ସଂକଳ୍ପ ଶୁଭ୍ରାୟିତ ପଦ୍ମର ବିଳାସରେ ରୂପନେଲା । ସେହି ସ୍ୱୟଂକୃତ ସଂକଳ୍ପର ପ୍ରତୀକ ହେଲେ ସ୍ୱୟମ୍ଭୂ ବ୍ରହ୍ମା । ସେ ଆଜି ଭୀତକ୍ରସ୍ତ । ତମସାର ବଳୟମଧ୍ୟରେ ସଂକଳ୍ପର ସେହି ସୂକ୍ଷ୍ମାତିସୂକ୍ଷ୍ମ ଅନାବିଳ ପଦ୍ମଟି ସତେ ଅବା ଲୋପପାଇବ । ସେ ଅଭୟ ପାଇଁ ସେହି ସମ୍ମୋହିନୀ କାଳରାତ୍ରିଙ୍କୁ ସ୍ତୁତିକଲେ । ଭୀତକ୍ରସ୍ତ ସନ୍ତାନ ପରି ସ୍ୱୟଂଭୂ ବ୍ରହ୍ମା ସେଦିନ ମଧ୍ୟ ଅଭୟ ଓ ଶକ୍ତିର ପ୍ରୟାସୀ ଥିଲେ । ନିଜ ସନ୍ତାନକୁ ଅଭୟ ଦେବାପାଇଁ ମହାକାଳୀ ନିଜର ସମ୍ମୋହିନୀ ଶକ୍ତିରେ ଚେତନାକୁ ପ୍ରବୁଦ୍ଧ କରି ତମସାକୁ ପରାହତ କଲେ । ସୃଷ୍ଟିର ପ୍ରାକ୍‌କାଳରେ ଏହାହିଁ ମଧୁକୈଟଭ ଯୁଦ୍ଧର ବ୍ୟକ୍ତଂ ଧ୍ୱନି । ପିତାମହ ଆଶ୍ୱସ୍ତ ହେଲେ ଏବଂ ତମୋମୟୀ ପ୍ରକୃତି ନିଜର କରୁଣାରେ ରଜୋମୟୀ ମହାଶକ୍ତିରେ ରୂପାନ୍ତରିତ ହେଲେ । ଯୋଗନିଦ୍ରାଭିଭୂତ ବିଷ୍ଣୁଙ୍କର ଚକ୍ଷୁ ଆଜି ଈଷତ୍‌ ଉନ୍ମୀଳିତ । କାଳରାତ୍ରିରେ ଆଜି ମାହେନ୍ଦ୍ରୀ ଉଷାର ପ୍ରଲୁବ୍‌ଧ ଲାସ୍ୟ ସମ୍ଭବ ହୋଇଛି । ଚେତନାକୁ ନିଜର ସମ୍ମୋହନରେ ଆକୃଷ୍ଟ କରିବା ପାଇଁ ପ୍ରକୃତି ସତତ ଚେଷ୍ଟିତ । ବିଷ୍ଣୁଙ୍କର ଅଧୋର୍ନ୍ମୁକ୍ତ ଦୃଷ୍ଟି ଆହ୍ଲାଦିନୀ ମହାଲକ୍ଷ୍ମୀଙ୍କ ଉପରେ ପଡ଼ିଲା—ସେ ଦୃଷ୍ଟିରେ କି ଅନନ୍ତ କରୁଣା ଓ କୃତଜ୍ଞତା ! ଗ୍ରହ, ନକ୍ଷତ୍ର, ଲୋକାଚଳ, ସପ୍ତର୍ଷିମଣ୍ଡଳ ଆପେ ଆପେ ଦେଖାଦେଲେ । ବ୍ରହ୍ମା ଅନବରତ ସୃଷ୍ଟି ଯଜ୍ଞର ପ୍ରଣବଧ୍ୱନିରେ ନିଷ୍ଣାତ ଥିଲେ । ସମଗ୍ର ପ୍ରକୃତିରେ ଆଜି କରୁଣାମୟୀ ମାତୃତ୍ୱର ବିଳାସ । ଏହା ହିଁ ବିଶ୍ୱପ୍ରକୃତିରେ ମହାଲକ୍ଷ୍ମୀଙ୍କର ରୂପକଳ୍ପ । ସୃଷ୍ଟିମର୍ମରେ ସେ ଆଜି ରଜୋଗୁଣାଶ୍ରୟୀ । ସୃଷ୍ଟି-ବିବର୍ତ୍ତନର ଅଖଣ୍ଡ ଧାରା ଗଡ଼ିଚାଲିଛି । ଜନ୍ମନେଲେ ସ୍ୱୟଂଭୂପୁତ୍ର ସ୍ୱାୟଂଭୂବ ମନୁ । ଚେତନା ଓ ପ୍ରଜ୍ଞାର ସଞ୍ଚରଣ ଜଡ଼ଶରୀରରେ ସମ୍ଭବ ହେଲା । ସେହି ମନୁଙ୍କର ସନ୍ତାନ ଯୁଗ-ଯୁଗଧରି ଚେତନା ଓ ପ୍ରଜ୍ଞାର ଅଧିକାରୀ ହୋଇ ଆସିଛନ୍ତି । ଦୟାମୟୀ ବିଶ୍ୱପ୍ରକୃତିର ଏହା ହିଁ ମହାସରସ୍ୱତୀ ସ୍ୱରୂପ ।

 

ଆଜିର ଶାରଦୀୟ ପାର୍ବଣରେ ସେହି ଶକ୍ତିର ଆରାଧନା । ପ୍ରକୃତିରେ ଅନବଦ୍ୟ କୋମଳତା ସ୍ପଷ୍ଟ । ଶସ୍ୟକ୍ଷେତ୍ରରେ ଲାସ୍ୟମୟୀ ସବୁଜିମାର ବିଳାସଚେଷ୍ଟା । ବୃକ୍ଷଲତାରେ ଅପୂର୍ବ ଶ୍ୟାମଳିମା । ଉଦାତ୍ତ ଆକାଶରେ ଜ୍ୟୋତ୍ସ୍ନାର ଶୁଭ୍ରାୟିତ ତରଙ୍ଗ; କିଶୋରୀ ଧରିତ୍ରୀରେ ନବବଧୂର ଉତ୍‌ପ୍ରେକ୍ଷା । ଆଜିର ସମୟ ସମଶୀତୋଷ୍ଣ । ପ୍ରକୃତି ମଧୁର; ସତେ ଅବା ଶରତ୍‌ ଋତୁର ଆଗମନରେ ନବବଧୂର କାନ୍ତାସମ୍ମିତ ସନ୍ତର୍ପଣ ପୂରିରହିଛି । ଆଜି ପ୍ରକୃତିର ସନ୍ତାନ ଆଶା ଓ ଆଶ୍ୱସ୍ତିରେ ମଧୁମୟ ମାତୃତ୍ୱର ଜୟଗାନ କରୁଛି । ସେ ଅଭୟର ପ୍ରୟାସୀ ।

 

ଏହି ଭାରତବର୍ଷ ମାନବିକ ଚେତନାର ସୁପ୍ରାଚୀନ ଅଧିଷ୍ଠାନ । ଇତିହାସ କହେ-ପ୍ରଜ୍ଞାର ସୂର୍ଯ୍ୟାଲୋକ ପ୍ରଥମେ ଏହି ପ୍ରାଚ୍ୟ ଭୂଖଣ୍ଡରେ ପଡ଼ିଥିଲା । ପୃଥିବୀର ଲୋକେ ଏହି ଦେଶରେ ସଂବିତ୍‌ର ବିଳାସ ଦେଖି ମୁଗ୍‌ଧ ହୋଇଥିଲା । ସାର୍ବଜନୀନ ମାଙ୍ଗଲ୍ୟଚିନ୍ତାରେ ଏହିଠାରେ ତ ଦେବତାତ୍ମା ହିମାଳୟ ତପସ୍ୟାରତ ଏବଂ କନ୍ୟାଭାବର ଅପୂର୍ବ ପବିତ୍ରତା ଓ ଅପେକ୍ଷାରେ କନ୍ୟାକୁମାରୀ ଚିରତପସ୍ୱିନୀ । ପୁରାଣ କହେ—ଅଜେୟ ମହିଷାସୁରକୁ ସେହି ମାତୃଶକ୍ତି ଏହିଠାରେ ପରାହତ କରିଥିଲେ । ଲୋଭ, କ୍ରୋଧ, ମୋହ, ମାତ୍ସର୍ଯ୍ୟ ସମସ୍ତ ଆସୁରିକ ଗୁଣର ବିଲୋପ ଏହି ଦେଶରେ ସମ୍ଭବ ହୋଇଛି ।

 

ଇତିବୃତ୍ତ ପ୍ରମାଣ କରିଆସିଛି ସ୍ୱୟଂ ଭଗବତ୍‌ ଶକ୍ତି ଦୁଷ୍କୃତିକୁ ବିନଷ୍ଟ କରିବା ପାଇଁ ଏହି ଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି। ସେହି ଦେଶ ଓ ସେହି ମାଟି—ଆଜି ସର୍ବତ୍ର ଅନ୍ୟାୟ ଓ ଦୁର୍ନୀତିର ଏକ ପୂତିମୟ ଚିତ୍ର । ଆଜି କ’ଣ ସେହି ଶକ୍ତି ଅବତାର ନେବେ ନାହିଁ ? ଦୁର୍ନୀତିର ମହିଷାସୁରକୁ ନିହତ କରିବା ପାଇଁ ମହାମାୟା କ’ଣ ଚଣ୍ଡୀରୂପ ଧାରଣ କରିବେ ନାହିଁ ?

 

ଆଜି ଆମ ଦେଶରେ ଉତ୍ସାହ ଓ ଶକ୍ତିର ପ୍ରୟୋଜନ ଅଧିକ ! ବ୍ୟକ୍ତି ଓ ସମାଜ ମଧ୍ୟରେ ସମସ୍ତ କଳୁଷତା ଦୂର କରିବାପାଇଁ ପ୍ରଚଣ୍ଡ ଶକ୍ତିର ବିସ୍ଫୋରଣ ଆବଶ୍ୟକ । ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ନିଜର ସନ୍ତାନକୁ ସେ ଦୟାମୟୀ ମା’ ଶକ୍ତି ପ୍ରଦାନ କରନ୍ତୁ । ଆଜିର ପାର୍ବଣ ଉତ୍ସବ ଧର୍ମଯୁଯୁତ୍ସୁର ଉତ୍ସାହପ୍ରଦ ହେଉ । ଆଜି ଶତକଣ୍ଠରେ ମୁଖରିତ ହେଉ-

 

‘‘ସର୍ବସ୍ୱରୂପେ ସର୍ବେଶେ ସର୍ବଶକ୍ତିସମନ୍ୱିତେ

ଭୟେଭ୍ୟେଃ ତ୍ରାହି ନୋ ଦେବି, ଦୁର୍ଗେ ! ଦେବି ! ନମସ୍ତୁତେ’’

Image

 

ନାରାୟଣୀ

 

ସେଦିନ ସମସ୍ତ ଜଗତ୍‌ ତମସାଚ୍ଛନ୍ନ ଥିଲା । ସତ୍‌ ଓ ଅସତ୍‌ ପ୍ରବୃତ୍ତି ମହତ୍ତତ୍ତ୍ୱରେ ପରିଣମିତ ହୋଇ ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦହୀନ ଜଡ଼ତାରେ ସମଗ୍ର ବିଶ୍ୱକୁ ଆଚ୍ଛନ୍ନ କରିଥାଏ-। ସତେ ଅବା ସବୁକିଛି ମହାନିଦ୍ରାରେ ଅଚେତନ । ସ୍ୱୟଂ ମହତ-କାରଣ ବିଷ୍ଣୁ ନିଜର ଯୋଗମାୟାରେ ପ୍ରସୁପ୍ତ । ଚନ୍ଦ୍ର, ସୂର୍ଯ୍ୟ ଓ ଗ୍ରହ ନକ୍ଷତ୍ର ପ୍ରଭୃତି ଧ୍ୱାନ୍ତତମିସ୍ରାରେ ପରିଣମିତ ହୋଇ ଲୋପପାଇଥାନ୍ତି । ନିର୍ବିକଳ୍ପ ମହାରାତ୍ରିର ଘନ ଅନ୍ଧକାର ମଧ୍ୟରେ ପ୍ରସୁପ୍ତ ଚେତନା ଯୋଗମଗ୍ନ । ସମୟ ବିଭାଜନକାରୀ ଜ୍ୟୋତିଷ୍କ ଅବଲୁପ୍ତ । ନିରବଧି ମହାକାଳ ଆଦ୍ୟନ୍ତରହିତ ବ୍ୟାପ୍ତି ମଧ୍ୟରେ କ୍ରାନ୍ତିହୀନ ଶୂନ୍ୟତା ସୃଷ୍ଟି କରୁଥାଏ । ଅତୀତ, ବର୍ତ୍ତମାନ ଓ ଭବିତବ୍ୟର ସଂଜ୍ଞାକୁ ବିଲୀନ କରି ଏକ ଅବିଭାଜ୍ୟ ଏକକରୂପେ ନିଜର ସଂକ୍ରାନ୍ତସତ୍ତାକୁ ଅନନ୍ତମହାଶୂନ୍ୟରେ ମଜ୍ଜିତ କରିଥାଏ । ସେଠାରେ ସତ୍‌ ବା ଅସତ୍‌ କିଛି ନଥିଲା । ନଥିଲା ଆକାଶ ବା ମରୁତ୍‌ । ଆଉ ମଧ୍ୟ ମୃତ୍ୟୁ ଓ ଅମୃତ ନଥିଲେ । ଦିବସ ଓ ରଜନୀର ବିଭାଜନ ସଂଜ୍ଞାକୁ ମହାକାଳ ଆତ୍ମସ୍ଥ କରିସାରିଛନ୍ତି । ନୀରନ୍ଧ୍ର ତମିସ୍ରା କେବଳ ତମିସ୍ରାରେ ହିଁ ଅଚ୍ଛନ୍ନ ! ସେହି ଅନନ୍ତ ମହାକାଳ ମଧ୍ୟରେ ବିଶ୍ୱର ନିଧାନ ଯୋଗନିଦ୍ରା ରଚନା କରିଛନ୍ତି । ନିରବଚ୍ଛିନ୍ନ ଯୋଗନିଦ୍ରାର ଏକ କମ୍ପନ । ସତେ ଅବା ଗାଢ଼ନିଦ୍ରା ସ୍ୱପ୍ନାୟିତ ହେଉଛି । ସଂମୋହିନୀ ବିଷ୍ଣୁମାୟା ମାହେନ୍ଦ୍ରୀ ବିଭାବରୀରୂପେ ସ୍ୱପ୍ନର ଆବେଶ ସୃଷ୍ଟିକଲେ । ଅପରିମେୟ ଶୂନ୍ୟତାରେ ତାହାହିଁ ଗୋଟିଏ ବିନ୍ଦୁମାତ୍ର । ବିଭାବରୀ ନିଜର ମୋହିନୀଶକ୍ତିରେ ଅତଳ ଚେତନାରେ ଏକ ସଂକଳ୍ପ ରୂପ ନେଲେ । ସେହି ସଂକଳ୍ପ ପରିଣମନ ହେଲା ଏକ ଶତଦଳ ପଦ୍ମରେ । ପଦ୍ମ-କେଶରର ମଧୁରିମାରେ ଜନ୍ମନେଲେ ପଦ୍ମଯୋନି । ସେ ପଦ୍ମଦଳ ଉପରେ ଚିନ୍ତାମଗ୍ନ ରହିଲେ । ପରମନିଧାନ ବିଷ୍ଣୁଙ୍କର ସେହି ସଂମୋହିନୀ ମାୟା ମହାଯୋଗେଶ୍ୱରୀ ରୂପେ ସ୍ୱପ୍ନାୟିତ ସୁଷୁପ୍ତିର ଯେଉଁ ଆବେଶ ସୃଷ୍ଟିକଲେ, ତାହା ହିଁ ସଂକଳ୍ପର ଶତଦଳ ସୃଷ୍ଟିକରିଛି । ଆତ୍ମଭୂ ପ୍ରଜାପତି ଉପଲବ୍‌ଧି କଲେ ସେହି ପଦ୍ମର ମହନୀୟ ସତ୍ତାକୁ; କିନ୍ତୁ ସେହି ଶତଦଳର ସମ୍ଭବନକୁ ଅବଧାରଣ କରିବା ତାଙ୍କର ସାଧ୍ୟାତୀତ ଥିଲା । ପ୍ରଣିପାତ କରି ସାମଗ୍ରିକ ଚେତନାର ଉଦୟ ପାଇଁ ବିଶ୍ୱନିବେଶିନୀ କଲ୍ୟାଣୀ ଯୋଗେଶ୍ୱରୀ ବିଭାବରୀଙ୍କୁ ସ୍ତୁତି କରିବାରେ ଲାଗିଲେ । ପ୍ରାକ୍‌କାଳୀନ ଏହି ସ୍ତୁତିଗାଥା ବେଦରେ ‘‘ରାତ୍ରିସୂକ୍ତ’’ ନାମରେ ପରିଚିତ । ଏହି କଲ୍ୟାଣୀ ବିଭାବରୀ ନିଜର ମୋହିନୀ ଶକ୍ତିରେ ସମଗ୍ର ବିଶ୍ୱକୁ ଆବିଷ୍ଟ କରିଛନ୍ତି । ଗ୍ରହ ନକ୍ଷତ୍ର ପ୍ରଭୃତି ଦୋଳାୟିତ ମୁକ୍ତାହାର ସଦୃଶ ରାତ୍ରିଦେବୀଙ୍କ ଶୋଭାମଣ୍ଡନ କରୁଛନ୍ତି । ନିଜର ନୟନ-ଜ୍ୟୋତ୍ସ୍ନାରେ ସେ ତମସାନ୍ଧକାରକୁ ଦୂର କରି ସ୍ନେହକଳ୍ପା ଭଉଣୀ ଉଷାଦେବୀଙ୍କୁ ଆମନ୍ତ୍ରଣ କରୁଛନ୍ତି । ସନ୍ତାନବତ୍ସଳା ମା’ ପରି ରାତ୍ରିଦେବୀ ସମଗ୍ର ପ୍ରାଣୀମାନଙ୍କୁ ନିଜ କୋଳରେ ଧାରଣ କରି ଆଶ୍ରୟ ଦେଉଛନ୍ତି । ସ୍ୱର୍ଗକନ୍ୟା ରଜନୀକାନ୍ତାର ସୌକୁମାର୍ଯ୍ୟରେ ଉଦାତ୍ତ । ସେ ନର୍ମଦା ଓ କ୍ଷଣଦା । ବେଦୋକ୍ତ ସୂକ୍ତର ଏହି ଜୟଗାନରେ ସ୍ୱୟଂଭୂ ପ୍ରଜାପତିଙ୍କର ସେହି ଉପଲବ୍‌ଧି ପ୍ରକାଶ ପାଇଛି । ପ୍ରଣତ ବିଧାତା ସୃଷ୍ଟିର ଅନୁଚିନ୍ତାରେ ମହାମାୟା ବିଷ୍ଣୁନିଦ୍ରାଙ୍କୁ ସେଦିନ ସ୍ତୁତି କରି କହିଥିଲେ–

 

‘‘ବିଶ୍ୱେଶ୍ୱରୀଂ ଜଗଦ୍ଧାତ୍ରୀଂ ସ୍ଥିତିସଂହାରକାରିଣୀମ୍‌

ନିଦ୍ରାଂ ଭଗବତୀଂ ବିଷ୍ଣୋରତୁଳାଂ ତେଜସଃପ୍ରଭୁଃ ।

ତ୍ୱଂ ସ୍ୱାହା, ତ୍ୱଂ ସ୍ୱଧା, ତ୍ୱଂ ହି ବଷଟ୍‌କାରଃ ସ୍ୱରାତ୍ମିକା

ସୁଧା ତ୍ୱମକ୍ଷରେ ନିତ୍ୟେ ତ୍ରିଧା ମାତ୍ରାତ୍ମିକା ସ୍ଥିତା ।’’

 

ପଦ୍ମାସନ ଉପରେ ହିରଣ୍ୟଗର୍ଭ ବ୍ରହ୍ମା, ବିଷ୍ଣୁଙ୍କର ଏହି ଯୋଗମାୟାକୁ ସ୍ତୁତିକରି ସୃଷ୍ଟି-ଚିନ୍ତନରେ ନିମଜ୍ଜିତ । ହଠାତ୍‌ ତମସାର ଦୁଇଟି ଭୟଙ୍କର ମୂର୍ତ୍ତି ଏକ ସାତ୍ତ୍ୱିକ ବିଭାବ ପ୍ରଜାପତିଙ୍କୁ ଗ୍ରାସ କରିବା ପାଇଁ ମାଡ଼ିଆସିଲେ । ସେହି ଭୟଙ୍କର ମୂର୍ତ୍ତି ଦୁଇଟି ମଧୁ ଓ କୈଟଭ । ସୃଷ୍ଟିର ସମସ୍ତ ସଂକଳ୍ପ କ’ଣ ବ୍ୟର୍ଥ ହେବ ? ସାତ୍ତ୍ୱିକ ସତ୍ତାର ଅମ୍ଳାନ-ରୂପକଳ୍ପ ଏହି ବ୍ରହ୍ମା କଣ ପ୍ରଳୟାଶ୍ରିତ ରଜୋଗୁଣ ଓ ତମୋଗୁଣରେ ବିନଷ୍ଟ ହେବେ ? ସନ୍ତ୍ରସ୍ତ ବ୍ରହ୍ମା ବିଷ୍ଣୁଙ୍କର ସମ୍ମୋହିନୀ ମାୟାଙ୍କୁ ସ୍ତୁତିକଲେ ‘‘ତୁମେ ସନ୍ଧ୍ୟା, ତୁମେ ସାବିତ୍ରୀ, ତୁମ୍ଭେ ଶାଶ୍ୱତଜନନୀ । ତୁମେ ଜଗଦ୍ଧାତ୍ରୀ, ତୁମେ ହିଁ ବିଶ୍ୱର ସୃଷ୍ଟିପାଳନକର୍ତ୍ତ୍ରୀ । ପ୍ରଳୟାନ୍ତ ବିଶ୍ୱରେ ତୁମରି ସ୍ଥିତି ହିଁ ସତ୍ୟ । ସୃଷ୍ଟି, ସ୍ଥିତି ଓ ବିଲୟରେ ତୁମେ ହିଁ ପରମ-କାରଣ । ତୁମେ ମହାବିଦ୍ୟା, ତୁମେ ମହାମାୟୀ, ତୁମେ ମହାମେଧା ଓ ତୁମେ ହିଁ ମହାସ୍ମୃତି । ହେ କଲ୍ୟାଣୀ ମାତା ! ତୁମେ ଗୁଣତ୍ରୟ ବିଭାବିନୀ, ତୁମେ ଏହି ବିଶ୍ୱର ଜନୟିତ୍ରୀ । ତୁମେ ଭୟସଂକାଶା କାଳରାତ୍ରି, ମହାରାତ୍ରି ଓ ମୋହରାତ୍ରି । ତୁମେ ହିଁ ଐଶ୍ୱର୍ଯ୍ୟପ୍ରଦାୟିନୀ ଈଶ୍ୱରୀ । ତୁମେ ସ୍ମୃତି, ବିସ୍ମୃତି, ଲଜ୍ଜା, ପୁଷ୍ଟି ଓ କ୍ଷମା । ତୁମେ ଖଡ଼୍‌ଗ-ଶୂଳଧାରିଣୀ ଭୟଙ୍କରୀ ଓ ଶଙ୍ଖଚକ୍ରଧାରିଣୀ ପରମ-ବୈଷ୍ଣବୀ । ତୁମେ ସୌମ୍ୟା ଓ ସୁନ୍ଦରୀ । ଜଗତ୍‌ସ୍ରଷ୍ଟା ସ୍ୱୟଂ ପରମବିଷ୍ଣୁ ତୁମରି ଆବେଶରେ ହିଁ ନିଦ୍ରାମଗ୍ନ ହୋଇଛନ୍ତି । ହେ ନାରାୟଣୀ ! ଏହି ଦୁର୍ଦ୍ଧର୍ଷ ଅସୁରଦ୍ୱୟଙ୍କୁ ନିଜର ସମ୍ମୋହନରେ ମୋହଗ୍ରସ୍ତ କରି ପରମାତ୍ମାଙ୍କୁ ଯୋଗନିଦ୍ରାରୁ ଜାଗ୍ରତ କରାଅ ।’’

 

ବ୍ରହ୍ମାଙ୍କର ପ୍ରାର୍ଥନାରେ ସେହି ସମ୍ମୋହିନୀ ମହାରାତ୍ରି ପରମାତ୍ମାଙ୍କୁ ଜାଗ୍ରତ କରାଇଲେ । ବିବୁଦ୍ଧ ବିଷ୍ଣୁ ସମ୍ମୁଖରେ ଏହି ଭୟଙ୍କର ରାକ୍ଷସଦ୍ୱୟଙ୍କୁ ଦେଖି ବାହୁଯୁଦ୍ଧରେ ପ୍ରବୃତ୍ତହେଲେ । ସେତେବେଳକୁ ପ୍ରଳୟଙ୍କରୀ ତମସାରୁ ରଜୋଗୁଣର ସଂଶ୍ରବ ଘଟି, ଜଗତକୁ ଜଳପ୍ଳାବିତ କରିଦେଇଛି । ମଧୁ ଓ କୈଟଭ ବିଷ୍ଣୁଙ୍କର ଏହି ବାହୁଯୁଦ୍ଧ ମଧ୍ୟ ଅନନ୍ତକାଳଧରି ଚାଲିଲା । ଅସୁରଦ୍ୱୟଙ୍କୁ ମହାମାୟା ଆବିଷ୍ଟକରି ରଖିଥାନ୍ତି । ଏହି ସମୟରେ ମଧୁ ଓ କୈଟଭ ନାରାୟଣଙ୍କୁ ପ୍ରଶ୍ନକଲେ, ‘‘ହେ ମହାକାଳ ଅନନ୍ତଶୟନ ! ଆମେ ତୁମର ବାହୁଯୁଦ୍ଧରେ ଉଲ୍ଲସିତ । କେଉଁ ବର ଯାଚ୍‌ଞ୍ଜା କରୁଛ ?’’ ବିଷ୍ଣୁ ଯାଚକ ରୂପେ ବର ମାଗିନେଲେ : ‘‘ତୁମେ ଦୁହେଁ ମୃତ୍ୟୁବରଣ କର ।’’ -‘‘କିନ୍ତୁ ଆମେ ଜଳରେ ମରିପାରିବୁ ନାହିଁ ବିଷ୍ଣୁ !’’ ମଧୁକୈଟଭଙ୍କର ଏହି ପ୍ରତ୍ୟୁକ୍ତିରେ ନାରାୟଣ ସେମାନଙ୍କୁ ନିଜର ଜାନୁଉପରେ ରଖି ଚକ୍ରରେ ସଂହାରକଲେ । ଗର୍ବିତ ମଧୁ-କୈଟଭ ପରମାତ୍ମା ନାରାୟଣଙ୍କୁ ଯେଉଁ ବର ପ୍ରଦାନକଲେ, ତାହା ହିଁ ପ୍ରକୃତିସ୍ୱରୂପା ଗନ୍ଧତନ୍ନାତ୍ର ପୃଥିବୀ-ସୃଷ୍ଟିର ମୂଳଭିତ୍ତି । ସେହି ଉତ୍‌ସିକ୍ତ ଅସୁରଦ୍ୱୟ ବିଷ୍ଣୁଙ୍କର ସମୋହିନୀ ମାୟାକୁ ବୁଝିନପାରି ଏପରି ଉନ୍ମାଦନା ପ୍ରକାଶ କରିଥିଲେ । ଏହି ଅସୁରଦ୍ୱୟଙ୍କର ଶରୀର ପ୍ରଳୟକାଳୀନ ଜଳରେ କ୍ଷିତିରୂପରେ ପରିଣମିତ ହେଲା । ଦିବ୍ୟସ୍ରଷ୍ଟା ବ୍ରହ୍ମା ଆନନ୍ଦରେ ସଂକଳ୍ପିତ ସୃଜନର ଜୟଧ୍ୱନି କଲେ । ସେହି ଅନାହତ ପ୍ରଣବ ବେଦଧ୍ୱନିର ଜନୟିତ୍ରୀ ହେଲା ।

 

ସୃଷ୍ଟିରହସ୍ୟରେ ଏହି ମଧୁ-କୈଟଭର ଆଖ୍ୟାନ ଏକ ଚମତ୍କାର ରୂପକଳ୍ପ । କଥିତ ଅଛି, ନିଦ୍ରାଗତ ବିଷ୍ଣୁଙ୍କର କର୍ଣ୍ଣମଳରୁ ଏହି ଅସୁରଦ୍ୱୟ ଜନ୍ମନେଲେ । ପ୍ରାକ୍‌ସୃଷ୍ଟ ପଦ୍ମଯୋନି ବ୍ରହ୍ମାଙ୍କୁ ସେମାନେ ଗ୍ରାସ କରିବାପାଇଁ ବସିଲେ । ବ୍ରହ୍ମା ଥିଲେ ସତ୍ତ୍ୱଗୁଣସମ୍ପନ୍ନ ଏକ ଆନନ୍ଦମୟ ସତ୍ତା, ସେ ଚେତନାର ଏକ ବିଚ୍ଛୁରଣ ଧାରା । ଅନନ୍ତଶୂନ୍ୟତା ମଧ୍ୟରେ ଏହି ଚେତନାର ବଳୟ ସଙ୍କୁଚିତ ହେବାକୁ ଲାଗିଲା । ତମୋଭାବ ଓ ରଜଃଭାବ ଏହି ସତ୍ତ୍ୱସଂକଳ୍ପ ଚେତନାକୁ ବିନଷ୍ଟ କରିବା ପାଇଁ ଚେଷ୍ଟାକଲା । ମଧୁ-କୈଟଭ ସମ୍ଭବତଃ ତାମସିକ ଓ ରାଜସିକ ଭାବର ବିକଟ ସତ୍ତା । ତେଣୁ ବ୍ରହ୍ମା ବିଶ୍ୱଚେତନାର ସମ୍ବୋଧି ନିକଟରେ ଆଶ୍ରୟନେଲେ । ଏହି ସମ୍ବୋଧିକୁ ଉଦ୍‌ବୁଦ୍ଧ କରାଇବାପାଇଁ ସମ୍ମୋହିନୀ ଶକ୍ତିରେ ଆରାଧନା କଲେ । ଏହି ଆରାଧନା ଓ ପ୍ରଣତମନନ ରାତ୍ରିସୂକ୍ତରେ ବ୍ୟକ୍ତ ହୋଇଛି । ଯୋଗେଶ୍ୱରୀ ମହାମାୟା ବିଶ୍ୱଚେତନାର ଅଭିବ୍ୟକ୍ତି ସ୍ୱରୂପ ନାରାୟଣଙ୍କୁ ଉଦ୍‌ବୁଦ୍ଧ କଲେ । ସ୍ୱୟଂ ନାରାୟଣ ଏହି ତମୋଭାବ ଓ ରଜୋଭାବର କଳ୍ପିତରୂପ ରାକ୍ଷସଦ୍ୱୟଙ୍କୁ ମୁହ୍ୟମାନକରି ପ୍ରକାଶିତ ହେଲେ । ଏହା ହିଁ ମଧୁ-କୈଟଭର ମୃତ୍ୟୁ । ଏହା ପରିଣମନ ବା ରୂପାନ୍ତରବାଦର ଏକ ଦର୍ଶନ । ଏହି ପରିଣମନ ପାଇଁ ସଂମୋହିନୀ ଶକ୍ତିର ଆବଶ୍ୟକତା ରହିଛି; ତାହା ହିଁ ଆଦ୍ୟାଶକ୍ତି ବିଷ୍ଣୁମାୟା ।

 

ମଧୁ-କୈଟଭର ରୂପକଳ୍ପ ସହିତ ଅନ୍ୟ ଦୁଇଟି ସମାନ୍ତରାଳ ଆଖ୍ୟାୟିକା ଆମ ପୁରାଣରେ ରହିଛି । ବିଷ୍ଣୁ ନରକାସୁରକୁ ବିନାଶ କରିଥିଲେ ବୋଲି କଥିତ ଅଛି । ଏହି ନରକ ହେଉଛି ଧ୍ୱାନ୍ତଅନ୍ଧକାର ଓ ତମୋଭାବର ପ୍ରତୀକ । ଚେତନା ଅଜ୍ଞାନକୁ ନଷ୍ଟ କଲା ପରି ଚିରଭାସ୍କର ବିଷ୍ଣୁ ଅନ୍ଧକାରକୁ ଦୂର କରିଥିଲେ । ସେହିପରି ବାମନରୂପୀ ନାରାୟଣ ମହାରାଜା ବଳିଙ୍କୁ ପାତାଳପୁରକୁ ଚାପିଦେଇଥିଲେ । ଏହି ଆଖ୍ୟାନଗୁଡ଼ିକ ମୂଳରେ ଅନ୍ଧକାର ଓ ଆଲୋକର ଦ୍ୱନ୍ଦ୍ୱ ନିହିତ ଅଛି । ବିଷ୍ଣୁ ହେଉଛନ୍ତି ପରମ ଆଦିତ୍ୟ; ସେଥିପାଇଁ ଗୀତାରେ ‘‘ଆଦିତ୍ୟାନାମ୍‌ ଅହଂ ବିଷ୍ଣୁଃ’’ କୁହାଯାଇଛି । ସେ ଆଲୋକ, ଜ୍ଞାନ ଓ ଚେତନାର ଉତ୍ସ । ନରକାସୁର ଓ ବଳିରାଜ ଅନ୍ଧକାରର ପ୍ରତୀକ ଦେବତା । ନବୋଦିତ ସୂର୍ଯ୍ୟଙ୍କର କିରଣଜାଳରେ ଅନ୍ଧକାର ଦୂରୀଭୂତ ହୁଏ । ସ୍ୱର୍ଗ, ଅନ୍ତରୀକ୍ଷ ଓ ମର୍ତ୍ତ୍ୟ ଉଦ୍‌ଭାସିତ ହୁଏ । ତମସାର ଦୂରୀକରଣକୁ ନରକାସୁର ନିଧନ ଓ ବଳିର ବନ୍ଧ–ଏହିପରି ରୂପକଳ୍ପରେ ପ୍ରକାଶ କରାଯାଇଛି । ସବିତାଙ୍କର ଅନ୍ୟନାମ ବାମନ । ନିଜର କିରଣ-ସମ୍ପାତରେ ସ୍ୱର୍ଗ, ଅନ୍ତରୀକ୍ଷ ଓ ମର୍ତ୍ତ୍ୟଲୋକକୁ ଗତିକରି ସେ ତ୍ରିବିକ୍ରମ ହୋଇଛନ୍ତି । ଏହି କାର୍ଯ୍ୟ ମୂଳରେ ଯେଉଁ ଶକ୍ତି ବା ଦ୍ୟୋତନା ରହିଛି, ତାହା ହିଁ ବିଷ୍ଣୁମାୟା; ସେ ହିଁ ଆଦ୍ୟାଶକ୍ତି, ମଙ୍ଗଳମୟୀ, କଲ୍ୟାଣମୟୀ ଓ ସର୍ବାର୍ଥସାଧିକା । ସେ ସଂହାରକାରିଣୀ ତ୍ର୍ୟମ୍ବିକା, ସୃଷ୍ଟିକାରିଣୀ ଗୌରୀ ଓ ପାଳନକାରିଣୀ ନାରାୟଣୀ । ସେହି ଆଦ୍ୟାଶକ୍ତି ହିଁ ପରମ-ଆଶ୍ରୟଦାତ୍ରୀ । ଏହି ସୃଷ୍ଟି ତାଙ୍କୁ ପ୍ରଣାମ ଜଣାଇ କହିଆସିଛି–

 

‘‘ସର୍ବମଙ୍ଗଳ ମାଙ୍ଗଲ୍ୟେ ! ଶିବେ ସର୍ବାର୍ଥସାଧିକେ

ଶରଣ୍ୟେ ତ୍ର୍ୟମ୍ବକେ ! ଗୌରି ! ନାରାୟଣି ! ନମୋଽସ୍ତୁତେ ।

Image

 

ପାପ ଓ ପୁଣ୍ୟ

 

ଭାରତବର୍ଷରେ ପାପ ଓ ପୁଣ୍ୟର ଧାରଣା ଏକପ୍ରକାର ସ୍ୱଭାବସିଦ୍ଧ ହୋଇଛି; କିନ୍ତୁ ପାପ ଓ ପୁଣ୍ୟର ସଂଜ୍ଞା ସମୟ ଅନୁସାରେ ପରିବର୍ତ୍ତିତ ହେଉଛି । ତାର୍କିକ ଦୃଷ୍ଟିରୁ ବିଚାର କଲେ, ତଥାକଥିତ ସମସ୍ତ ପାପ ହୁଏତ ମୌଳିକ ପାପ ହୋଇ ନ ପାରେ ଏବଂ ସେହିପରି ତଥାକଥିତ ସମସ୍ତ ପୁଣ୍ୟ ମୌଳିକ ପୁଣ୍ୟ ହୋଇ ନ ପାରେ । ପାପ ଓ ପୁଣ୍ୟର ଯେଉଁ ସିଦ୍ଧାନ୍ତଗୁଡ଼ିକୁ ଅନୁଶୀଳନ କରାଯାଉଅଛି, ତାହା ସଂପୂର୍ଣ୍ଣ ସାଂସାରିକ । ଦାର୍ଶନିକ ଦୃଷ୍ଟିକୋଣରୁ ଏହାର ବିଚାର କରିବା ଉଚିତ ନୁହେଁ ।

 

ପାପ ଶବ୍ଦର ମୂଳନିର୍ବଚନ ୰ପାରୁ (ପା ଧାତୁରୁ) ହୋଇଛି । ଏହାର ଅର୍ଥ ରକ୍ଷା କରିବା-। ଅର୍ଥ ସଂକ୍ରମଣ ‘‘ଯେଉଁ ବସ୍ତୁରୁ ଆତ୍ମାକୁ ରକ୍ଷାକରିବା ଉଚିତ ଅର୍ଥାତ୍‌ ଯାହାର ସଂସ୍ପର୍ଶରୁ ଆତ୍ମା ମୁକ୍ତ ହେବା ଉଚିତ, ତାହାହିଁ ପାପ ।’’ ଏଠାରେ ଆତ୍ମା ଅର୍ଥରେ ନାମ ଓ ରୂପର ଅହଂତ୍ୱକୁ ବୁଝାଉଅଛି । ‘‘ପାତି ରକ୍ଷତି ଅସ୍ମାତ୍‌ ଆତ୍ମାନଂ ଇତି ପାପମ୍‌’’-[୰ପା + ପ] । ଏହାର ସାଧାରଣ ଅର୍ଥ ଅଧର୍ମ । ଅମରକୋଷରେ ପାପର ପର୍ଯ୍ୟାୟବାଚକ ଶବ୍ଦ ହେଉଛି-ପଙ୍କ, ପାପ୍ମା, କଳ୍ମଷ, କଳୁଷ, ବୃଜିନ, ଏନ, ଅଘ, ଅହ, ଦୁରିତ ଓ ଦୁଷ୍କୃତ । ଏହି ପାପ ଶବ୍ଦ ଏକ ନିଷେଧାତ୍ମକ ଗୁଣକୁ ବୁଝାଇଲେ ମଧ୍ୟ ଏହାର ସଂଜ୍ଞା ନିଷେଧାତ୍ମକ ନୁହେଁ । ‘‘ନିଷିଦ୍ଧ କର୍ମର ଅନୁଷ୍ଠାନ ଓ ବିହିତ କର୍ମର ପରିତ୍ୟାଗରେ ପାପର ଉତ୍ପତ୍ତି ହୁଏ । ଏହି ପାପ ହିଁ ଦୁଃଖ, ଶୋକ ଓ ବ୍ୟାଧିର କାରଣ-।’’

 

ମହାଭାରତର ଶାନ୍ତିପର୍ବରେ ତ୍ରିବିଧପାପର ବର୍ଣ୍ଣନା ମିଳୁଛି । ପ୍ରାଣୀ-ହିଂସା, ଚୌର୍ଯ୍ୟ ଓ ପରସ୍ତ୍ରୀଗମନ ହେଉଛି ଶାରୀରିକ ପାପ । ସେହିପରି, ଅସତ୍‌ ପ୍ରଳାପ, ନୃଶଂସଭାବ, ପିଶୁନତା, ଅସତ୍ୟ–ଏହି ଚାରୋଟି ବାଚିକ ପାପ । ଅନ୍ୟର ସୌଭାଗ୍ୟରେ କାତରତା ହେଉଛି ମାନସିକ ପାପ-। ବସ୍ତୁତଃ, ମନରୁ ହିଁ ପାପବୃତ୍ତି ଜନ୍ମନିଏ ଏବଂ ତାହା କ୍ରମେ କ୍ରମେ ବାକ୍ୟାଳାପ ଓ ଶରୀରକୁ ଦୂଷିତ କରିଦିଏ । ମନରେ ଯେଉଁ କାତରତା ଆସେ, ତାହା ହୃଦୟକୁ ଆଚ୍ଛନ୍ନ କରେ ଏବଂ ନିର୍ମଳ ବିଚାରରେ ବ୍ୟତିକ୍ରମ କରାଏ । କାତର ସ୍ୱଭାବ ଦୁଇଟି କାରଣରୁ ହୁଏ । ପ୍ରଥମଟି ନ୍ୟୂନବୋଧ ଓ ଅନ୍ୟଟି ଗୌରବବୋଧ । ତୁଳନାତ୍ମକ ପ୍ରବୃତ୍ତି ହିଁ ଏହାର କାରଣ । ସୃଷ୍ଟିର ବୈଚିତ୍ର୍ୟ ହେଉଛି ପ୍ରତ୍ୟେକ ବସ୍ତୁ ନିଜ ଗୁଣରେ ମହୀୟାନ; ତେଣୁ ଅତୁଳନୀୟ । ଏହି ସତ୍ୟ ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ; କିନ୍ତୁ ସାଂସାରିକ ପ୍ରବୃତ୍ତି ଏହାଠାରୁ ଭିନ୍ନ । ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅନ୍ୟ ସହିତ ତୁଳନା କରନ୍ତି । ଆଶା ଓ ନିରାଶା ମଧ୍ୟରେ ଆଚ୍ଛନ୍ନ ରହି ନିଜର ହୃଦୟକୁ ବିଷଣ୍ଣ କରାନ୍ତି । ଏହାହିଁ କାତରତାର କାରଣ । ଫଳରେ ମାନସିକ ବିକ୍ଷେପ ଓ ବ୍ୟଭିଚାର ଦେଖାଦିଏ; ଏବଂ ସେହି କଳୁଷତା ନିଜର ବ୍ୟବହାରରେ ଓ କାର୍ଯ୍ୟରେ ସଂକ୍ରାନ୍ତ ହୁଏ ।

 

ଗୀତାରେ ପାପକୁ ରାଜସିକ ସଂଜ୍ଞାରେ ଅଭିହିତ କରାଯାଉଛି । ଏହା ହେଉଛି କାମନାର ବିଷମୟ ଫଳ । ‘‘ମନୁଷ୍ୟ ଇଚ୍ଛା ନକରି ମଧ୍ୟ କାହିଁକି ପାପାଚାରୀ ହୁଏ ? ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତର ଭଗବାନ୍‌ ଶ୍ରୀକୃଷ୍ଣ ନିମ୍ନପ୍ରକାରେ ଦେଇଛନ୍ତି–

 

‘‘କାମ ଏଷ କ୍ରୋଧ ଏଷ

ରଜୋଗୁଣସମୁଦ୍‌ଭବଃ

ମହାଶନୋ ମହାପାପ୍ମା

ବିଦ୍ଧ୍ୟେନମିହ ବୈରିଣମ୍‌ ।’’

 

କାମନା ହେଉଛି କ୍ରୋଧର କାରଣ ଏବଂ ରଜୋଗୁଣରୁ ଉଦ୍‌ଭବ । ଏହା ଅତୃପ୍ତ; ତେଣୁ ପାପାଚାରୀ । ଏହି କାମନାକୁ ମୋକ୍ଷ ବା ମୁକ୍ତିର ଶତ୍ରୁ ରୂପେ ଜାଣିରଖ । ବୁଦ୍ଧଦେବ ମଧ୍ୟ ଅନୁରୂପ ଭାବରେ କାମନାକୁ ସମସ୍ତ ଦୁଃଖର କାରଣ ବୋଲି କହିଛନ୍ତି; କିନ୍ତୁ ଏଠାରେ ଗୋଟିଏ ବିଷୟ ପ୍ରଣିଧେୟ । ସମସ୍ତ ସଂସାରଟି କାମନାର ବଂଶବୃକ୍ଷ । କାମନାର ବୃକ୍ଷରେ ପୁଷ୍ପିତ ଓ ପଲ୍ଲବିତ ଜୀବ କିପରି କାମନାହୀନ ହେବ ? ସେହିପରି, ସଂସାର ଯଦି ପାପପୂର୍ଣ୍ଣ (କାମନାରୁ ସମ୍ଭୂତ ହୋଇଥିବାରୁ), ତେବେ ସଂସାର ମଧ୍ୟରେ ପାପର ସ୍ୱତନ୍ତ୍ର ସଂଜ୍ଞା କେଉଁଠି ରହିଲା ? ବୌଦ୍ଧଦର୍ଶନ ବା କେତେକ ଉପନିଷଦ୍‌ରେ କାମନାକୁ ଯେପରି ବିଡ଼ମ୍ବନାର କାରଣ ରୂପେ ଉଲ୍ଲେଖ କରାଯାଇଛି, ବୈଦିକ ଦୃଷ୍ଟିଭଙ୍ଗୀ ସେପରି କରିନାହିଁ । ବୈଦିକ ଶୈଳୀ ହେଉଛି, ‘‘ଧର୍ମାର୍ଥକାମାଃ ସମମେବ ସେବ୍ୟାଃ’’—ଅର୍ଥାତ୍‌ ଧର୍ମ, ଅର୍ଥ ଓ କାମ—ଏହି ତ୍ରିବର୍ଗ ପରସ୍ପର ମଧ୍ୟରେ ସମତା ରକ୍ଷାକରି ସେବ୍ୟମାନ ହେବା ଉଚିତ । ଏହି ସମତାର ହାନି ଘଟିଲେ ପାପାଚାର ଦେଖାଦିଏ । ତେଣୁ ପାପର କାରଣ କାମନା ନୁହେଁ; କାମନାର ଅତିଚାର ।

 

ପୁଣ୍ୟ ଶବ୍ଦର ନିର୍ବଚନ ୰ପୂ ଧାତୁରୁ ହୋଇଛି । ପୂ ଧାତୁର ଅର୍ଥ ଦୁଇପ୍ରକାର ହୋଇପାରେ—ପୂରଣ କରିବା କିମ୍ବା ପବିତ୍ର କରିବା । ଯେଉଁପ୍ରକାର ଗୁଣ ବା କର୍ମରେ ଆତ୍ମାକୁ ସଂଶ୍ଳିଷ୍ଟ କରିବା ଉଚିତ, ତାହା ହିଁ ପୁଣ୍ୟ । ଏହାର ପର୍ଯ୍ୟାୟବାଚକ ଶବ୍ଦ ହେଲା; ଶୁଭାଦୃଷ୍ଟ, ଧର୍ମ, ଶ୍ରେୟଃ, ସୁକୃତ ଓ ବୃଷ । ବ୍ରାହ୍ମଣ ଗ୍ରନ୍ଥରେ ପୁଣ୍ୟକୁ ଚତୁଷ୍ପାଦ ବୃଷଭରୂପେ ଉଲ୍ଲେଖ କରାଯାଇଛି । ଆମ୍ଭମାନଙ୍କ ମଧ୍ୟରେ ଧାରଣା ଅଛି, ସତ୍ୟଯୁଗରେ ପୁଣ୍ୟ ଚତୁଃପାଦ ଥିଲା । ଯୁଗକ୍ରମେ ଏହା ଏକପାଦ କରି ହାନି ହେଉଛି ଏବଂ କଳିଯୁଗରେ ପୁଣ୍ୟ ଏକପାଦ ମାତ୍ର ଅଛି । ସାଧାରଣତଃ ସଦାଚାରକୁ ପୁଣ୍ୟ କୁହାଯାଏ ଏବଂ ଅସଦାଚାରକୁ ପାପ କୁହାଯାଏ । ପ୍ରସାଦ ଗୁଣପରି ପୁଣ୍ୟ ଆତ୍ମାକୁ ସଂପ୍ରସାରିତ କରେ । ଏହା ହିଁ ସନ୍ତୋଷର କାରଣ । ସାଧାରଣ ଭାବରେ ଏହା ସୁକୃତକୁ ବୁଝାଏ । ଧର୍ମ, ଅର୍ଥ ଓ କାମର ସମାନୁପାତିକ ସେବାରେ ପୁଣ୍ୟର ଉଦୟ ହୁଏ । ଏଠାରେ ମଧ୍ୟ କାମନା ପ୍ରତିହତ ନୁହେଁ; କିନ୍ତୁ ସଦାଚାରରେ ଆଧାରିତ ।

 

କେତେକ ସ୍ଥଳରେ କାୟକ୍ଳେଶଜନିତ ତପସ୍ୟାକୁ ପୁଣ୍ୟ କୁହାଯାଇଛି । ଉତ୍ତରାଞ୍ଚଳର କିଂ-ପୁରୁଷ-ପର୍ବତରେ (କିନ୍ନର ଓ ଯକ୍ଷମାନଙ୍କର ବାସସ୍ଥଳୀ) ଅବସ୍ଥାନ କରୁଥିବା ଯକ୍ଷଶ୍ରେଣୀୟ ସମାଜ ଏହି କାୟକ୍ଳେଶ ସାଧନାରେ ବିଶେଷ ବ୍ୟାପୃତ ରହୁଥିଲେ । ତେଣୁ ଯକ୍ଷମାନଙ୍କୁ ପୁଣ୍ୟଜନ କୁହାଯାଏ । ଅର୍ଥସଂକ୍ରମଣରେ ଯକ୍ଷ ଓ ରାକ୍ଷସମାନଙ୍କୁ ମଧ୍ୟ ପୁଣ୍ୟଜନ କୁହାଯାଇଛି । କିନ୍ତୁ ପୁଣ୍ୟଜନ ଶବ୍ଦ କେବଳ ଏକ ସଂଜ୍ଞା ମାତ୍ର । ପାପ ଓ ପୁଣ୍ୟର ଧାରଣା ସହିତ ପରବର୍ତ୍ତୀ ସମୟରେ ପୁଣ୍ୟଜନ ଶବ୍ଦର କୌଣସି ସମ୍ପର୍କ ନାହିଁ ।

 

ଆଚାରର ଅନୁଶୀଳନ ଓ ଉତ୍‌ସରଣରୁ ଏହି ପୁଣ୍ୟ ଓ ପାପର ସୃଷ୍ଟି । ଆଚାରକୁ ମଧ୍ୟ ଧର୍ମର ମୂଳ ବୋଲି କୁହାଯାଇଛି; ଏବଂ ଧର୍ମର ରକ୍ଷକ ହିଁ ସ୍ୱୟଂ ଅଚ୍ୟୁତ ।

 

‘‘ଆଚାର ପ୍ରଭବୋ ଧର୍ମଃ ଧର୍ମସ୍ୟ ପ୍ରଭୁଃ ଅଚ୍ୟୁତଃ’’ । ସମସ୍ତ ଆଚାର ପ୍ରକୃତିର ନିୟମନରୁ ସୃଷ୍ଟି ହୋଇଛି । ଏହି ନିୟମନର ବୈଦିକ ପରିଭାଷା ଋତ ଏବଂ ବୌଦ୍ଧିକ ପରିଭାଷା ବିନୟ । ପ୍ରକୃତିର କାର୍ଯ୍ୟପ୍ରବାହରେ ଆମେ ଏହାକୁ ଲକ୍ଷ୍ୟ କରି ପାରିବା । (ବିଶ୍ୱର କୋଟି କୋଟି ଗ୍ରହ, ନକ୍ଷତ୍ର ଏକ ସରଳ ନିୟମନରେ ଆବଦ୍ଧ ରହିଛନ୍ତି । ଏହା ଜାଗତିକ ମହାକର୍ଷଣ । ସେହିପରି ସୂର୍ଯ୍ୟ ପ୍ରାତଃକାଳରେ ଉଦିତ ହୋଇ ସନ୍ଧ୍ୟାରେ ଅସ୍ତମିତ ହେଉଛନ୍ତି । କେଉଁ ବିସ୍ମୃତ ସମୟରୁ ପବନ ଥରେ ବହିବା ଆରମ୍ଭ କରିଥିଲା; ଆଜି ମଧ୍ୟ ବହିଚାଲିଛି । ସମୁଦ୍ର ନିଜର ବେଳାଭୂମି ଅତିକ୍ରମ କରୁନାହିଁ । ଏହା ହିଁ ଋତର ଜାଗତିକ ନିଦର୍ଶନ । ଯଦି ଏହି ଜାଗତିକ ଶୃଙ୍ଖଳା ନ ରହନ୍ତା, ତେବେ ଜୀବଜଗତ ତ ସମ୍ଭବ ହୁଅନ୍ତା ନାହିଁ; ଅଧିକିନ୍ତୁ ବିଶ୍ୱର ସ୍ଥିତି କି ଆକାର ଧାରଣ କରିଥାନ୍ତା, ତାହା କଳ୍ପନାତୀତ । ଯେଉଁ ନିୟମନରେ ଏହି ବିଶ୍ୱପ୍ରକୃତି ପରସ୍ପର ପ୍ରତି ଆକୃଷ୍ଟ ରହିଛି; ଅନୁରୂପ ନିୟମନ ବ୍ୟକ୍ତି ଓ ସମାଜରେ ପ୍ରତିଫଳିତ । ପ୍ରତ୍ୟେକ ଜୀବ ଏକ ସ୍ୱୟଂସିଦ୍ଧ ବିଶ୍ୱ । ସାମଗ୍ରିକ ପ୍ରକୃତିରେ ଯେଉଁ କ୍ରିୟା ବା ପ୍ରତିକ୍ରିୟା ଦେଖାଯାଏ, ତାହାର ପ୍ରଭାବ ଜୀବଉପରେ ପଡ଼େ । ସେହିପରି, ବ୍ୟକ୍ତିବିଶେଷର କ୍ରିୟା ବା ପ୍ରତିକ୍ରିୟା ମଧ୍ୟ ବିଶ୍ୱକୁ ପ୍ରଭାବିତ କରେ । ଆମର ଜ୍ଞାତସାରରେ ହେଉ କିମ୍ବା ଅଜ୍ଞାତସାରରେ ହେଉ, ଆମେ ଏହି ବିଶ୍ୱ ମଧ୍ୟରେ ରହିଛୁ ଏବଂ ଆମ ମଧ୍ୟରେ ଏହି ବିଶ୍ୱ ରହିଛି ।

 

ସମୁଦ୍ର ଓ ସମୁଦ୍ରର ଏକ କ୍ଷୁଦ୍ର ଜଳକଣାପରି ବିଶ୍ୱବ୍ରହ୍ମାଣ୍ଡ ଓ ବ୍ୟକ୍ତିବିଶେଷର ସ୍ଥିତି । ଏହି କ୍ଷୁଦ୍ର ଜଳବିନ୍ଦୁରେ ସମୁଦ୍ର ଆଧାରିତ; ଏବଂ ସମୁଦ୍ର ମଧ୍ୟରେ ଜଳକଣାର ସ୍ଥିତି । ସମୁଦ୍ର ଓ ଜଳବିନ୍ଦୁରେ ଗୁଣାତ୍ମକ ଭାବ ସମାନ । ସେହିପରି ଜାଗତିକ ନିୟମନରେ ଆମର ସ୍ଥିତି ସମ୍ଭବ ହୋଇଛି । ଯେଉଁ ପ୍ରବୃତ୍ତି ଓ କାର୍ଯ୍ୟ ଏହି ଋତ ବା ବିନୟର ଅନୁପନ୍ଥୀ, ତାହା ହିଁ ପୁଣ୍ୟ; ଏବଂ ଯାହା ପରିପନ୍ଥୀ, ତାହା ହିଁ ପାପ । ଏହା ହିଁ ପାପ ଓ ପୁଣ୍ୟର ତାତ୍ତ୍ୱିକ ସଂଜ୍ଞା । ତେଣୁ ସମସ୍ତ ସଦାଚାର ଜାଗତିକ ବିନୟ ଉପରେ ଆଧାରିତ ।

 

ଗୋଟିଏ ପ୍ରଶ୍ନ ଏଠାରେ ସ୍ୱତଃ ମନକୁ ଆସୁଛି । ଜାଗତିକ ଶୃଙ୍ଖଳା ଏତେ ସ୍ପଷ୍ଟ ହୋଇଥିଲେ ମଧ୍ୟ ବ୍ୟକ୍ତି ବା ସମାଜ-ଜୀବନରେ ପାପର ଅସ୍ତିତ୍ୱ ଓ ଧାରଣା ଆସିଲା କିପରି ? ଅନ୍ୟ ପକ୍ଷରେ ଜାଗତିକ ଶୃଙ୍ଖଳା ସ୍ୱୟଂସତ୍ୟ କିମ୍ବା ଅନୃତ ? ପ୍ରଥମ ପ୍ରଶ୍ନଟି ଦ୍ୱିତୀୟ ପ୍ରଶ୍ନକୁ ଅପେକ୍ଷା କରୁଛି । ଜାଗତିକ ଶୃଙ୍ଖଳା ସ୍ୱୟଂସତ୍ୟ ନୁହେ—ଏହା ସତ୍ୟର ନିକଟତମ । ତେଣୁ ସତ୍ୟ ହିଁ କେବଳ ଚିରନ୍ତନ; ଋତ ଚିରନ୍ତନର ସଂଭାବ୍ୟ ନିକଟତମ ଆଲେଖ୍ୟ । ତେଣୁ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଏ । ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଦିନେ ନା ଦିନେ ନିୟମନରୁ ବ୍ୟତିକ୍ରାନ୍ତ ହେବେ; କିନ୍ତୁ ରହସ୍ୟମୟ ଘଟଣା ହେଉଛି, ସେହି ବ୍ୟତିକ୍ରମ ମଧ୍ୟ ଅନ୍ୟ ଏକ ନିୟମନକୁ ସୃଷ୍ଟି କରିବ । ଆଦିତ୍ୟବୃନ୍ଦ—ଯେଉଁ ଆଦିତ୍ୟମାନଙ୍କୁ ଆମର ଶାସ୍ତ୍ରଦୃଷ୍ଟିରୁ ଅମରରୂପେ ଆଖ୍ୟାତ କରାଯାଇଛି, ସେମାନେ ମଧ୍ୟ ଏ ଦୃଷ୍ଟିରୁ ମରଣଶୀଳ । କିନ୍ତୁ ସେମାନଙ୍କର ମୃତ୍ୟୁ ଆମର ସମୟ ବିଭାଜନରେ ନିତିଦିନିଆ ଘଟଣା ହୋଇ ନଥିବାରୁ ଆମେ ଆପେକ୍ଷିକ ଜ୍ଞାନରେ ତାଙ୍କୁ ଅମର ବୋଲି କହିଛେ । ଅନୁରୂପ ଭାବରେ ବ୍ୟକ୍ତି ଓ ସମାଜ ଜୀବନରେ ଆଚାରର ବ୍ୟତିକ୍ରମ ଦେଖାଯାଏ । କେତେକ ସ୍ଥଳରେ ଆମେ ଏହି ବ୍ୟତିକ୍ରମକୁ ଜାଣିପାରୁ । ତେଣୁ ସଂଯମ ଆଚରଣ କରି ନିଜକୁ ତଥା ବିଶ୍ୱକୁ ରକ୍ଷାକରୁ । କେତେକ ସ୍ଥଳରେ ଆମେ ଆଦୌ ଜାଣିପାରୁନାହିଁ; ତେଣୁ ବିନାଶ ପଥରେ ଖୁବ୍‌ ଶୀଘ୍ର ଆଗେଇଯାଉ । କୌଣସି ନିୟମନକୁ ଉପେକ୍ଷା କରିବା ମୂଳରେ ଆମର ଦୁଇଟି ଉଦ୍ଦେଶ୍ୟ ଥାଏ । ଯେତେବେଳେ କୌଣସି ଆକର୍ଷଣକୁ ଆମେ ବନ୍ଧନ ରୂପେ ଜ୍ଞାନ କରୁ; ଆମେ ସ୍ୱଭାବତଃ ସେଥିରୁ ମୁକ୍ତି ଚାହୁ । ସମସ୍ତ ନିୟମ କରୁଣାର ଅଭିସଂପାତରୁ ସୃଷ୍ଟି ହୋଇଛି । ଏହି କରୁଣାର ଅଭାବ ହେଲେ ତାହା ବନ୍ଧନରେ ପରିଣତ ହୁଏ । ଉଦାହରଣସ୍ୱରୂପ, ମା’ ସନ୍ତାନସ୍ନେହରେ ବାନ୍ଧିହୋଇଛି । ଏଠାରେ ବନ୍ଧନର କାରଣ ହେଉଛି କରୁଣା—ତେଣୁ ସଦାଚାର । କିନ୍ତୁ କୌଣସି କାରଣରୁ ଏହି କରୁଣାର ଅଭାବ ହେଲେ, ସେହି ଆନନ୍ଦଦାୟକ ବନ୍ଧନ କ୍ଳାନ୍ତିକର ହୋଇପାରେ । ତେଣୁ କୁମାର୍ଗଗାମୀ ସନ୍ତାନ ହୁଏତ ନିଜ ମା’କୁ ମଧ୍ୟ ଏକ ଅସହ୍ୟ ବନ୍ଧନ ବୋଲି ଜ୍ଞାନ କରେ । ଏହି ଅସହିଷ୍ଣୁ ଭାବ ସମୟକ୍ରମେ ସଦାଚାରରେ ବ୍ୟତିକ୍ରମ ଘଟାଏ । ସେହିପରି, ଆମେ ପରସ୍ପର ସଂପର୍କକୁ କାରୁଣିକ ଦୃଷ୍ଟିକୋଣରୁ ବିଚାର ନକଲେ, ଆମେ ଏକତ୍ର ରହିପାରିବା ନାହିଁ । ଅନ୍ୟ ପକ୍ଷରେ ସମସ୍ତ ସଦାଚାର ଧ୍ୱଂସ ପାଇବ । ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଅସହ୍ୟ ବନ୍ଧନରୂପେ ଜ୍ଞାନକରି ଛିନ୍ନକରିବା ଓ ପାପର ଆଶ୍ରୟ ନେବା । ଅନ୍ୟ ଏକ କାରଣ ହେଉଛି ଧର୍ମ, ଅର୍ଥ ଓ କାମନା ମଧ୍ୟରେ ସମାନୁପାତିକତାର ଅଭାବ । ଏଠାରେ ଧର୍ମ ଶବ୍ଦକୁ ଠିକ୍‌ ଭାବେ ବୁଝିବା ଉଚିତ । ଆମର ଆଚରଣରେ ଯାହା ସଂପୂର୍ଣ୍ଣ ନିଃସ୍ୱାର୍ଥପର, ତାହାହିଁ ଧର୍ମ । ଏହାହିଁ ପ୍ରତ୍ୟେକଙ୍କର ଯୋଗ୍ୟତା । ଏହି ଯୋଗ୍ୟତା ଉପରେ ପ୍ରତ୍ୟେକ ବ୍ୟକ୍ତି ବା ସମାଜ ପ୍ରତିଷ୍ଠିତ । ତାହାକୁ ବେଦରେ ତପସ୍ୟା କୁହାଯାଇଛି । ସାଧାରଣ ଭାବରେ ଏହାକୁ ଆମେ ସାଧନା କହିପାରିବା । ବାହ୍ୟଜ୍ଞାନରେ ଧର୍ମାଚରଣ କ୍ଳେଶଦାୟକ ହୋଇଥାଏ; କିନ୍ତୁ ଧର୍ମ ତଥା ତପସ୍ୟା ସଂପୂର୍ଣ୍ଣ ପରମାର୍ଥ ହୋଇଥିବାରୁ କ୍ଳେଶବୋଧର ଲେଶମାତ୍ର ନଥାଏ । ସାଧନା ସ୍ୱଭାବଧର୍ମ ହେଲେ, ତାକୁ ତପସ୍ୟା କୁହାଯାଏ । ଏଥିରେ କ୍ଳେଶ ନଥାଏ । କାମନାବିଡ଼ମ୍ବିତ ସାଧନା କ୍ଳେଶକର; କିନ୍ତୁ ତପସ୍ୟା କାମନାମୁକ୍ତ ଓ ସ୍ୱଭାବଶ୍ରୟୀ ହୋଇଥିବାରୁ ତାହା ତପସ୍ୱୀ ପକ୍ଷରେ କ୍ଳେଶକର ଜଣାପଡ଼େନାହିଁ । ବଞ୍ଚିବାପାଇଁ ଆବଶ୍ୟକୀୟ ପୁରୁଷାର୍ଥକୁ ଅର୍ଥ କୁହାଯାଇଛି ଏବଂ ଧର୍ମ ଓ ଅର୍ଥର ଅନୁପ୍ରେରଣାରେ ଭୋଗବିଳାସକୁ କାମ କୁହାଯାଇଛି । ଏହି ତିନୋଟି ପୁରୁଷାର୍ଥ ମଧ୍ୟରେ ବିରୋଧଭାବ ନ ଆଣିବା ହେଉଛି ସମାନୁପାତିକତା । କିନ୍ତୁ ବହୁ ସ୍ଥଳରେ ଗୋଟିଏ ପୁରୁଷାର୍ଥ ଅନ୍ୟର ବିରୋଧୀ ହୋଇପଡ଼େ-। ସେପରି ସ୍ଥଳରେ ଜୀବ ଭୋଗପ୍ରବୃତ୍ତିର କ୍ରମରେ ପରିଚାଳିତ ହୋଇ ପାପର ଆଶ୍ରୟ ନିଏ-

 

ଏହି ଦୁଇଟି କାରଣରୁ ମନୁଷ୍ୟ ପାପକାର୍ଯ୍ୟ କରେ । ପୂର୍ବରୁ କୁହାଯାଇଛି, ପାପ ପ୍ରବୃତ୍ତି ମନୋଭାବ । ଏହା ଚିନ୍ତାରାଜ୍ୟରୁ ସଂକ୍ରମିତ ହୁଏ । ତେଣୁ ଏହାର ନିଦାନ ମାନସିକ ଆଚାର ଉପରେ ପ୍ରତିଷ୍ଠିତ । ପଶୁ-ସମାଜରେ ପାପ ଓ ପୁଣ୍ୟର କୌଣସି ଧାରଣା ନାହିଁ । ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜାତ ପ୍ରବୃତ୍ତିରେ ପରିଚାଳିତ । ମନୁଷ୍ୟର ଚିନ୍ତାକରିବା ଶକ୍ତି ଥିବାରୁ ସେ ନିଜପାଇଁ ପାପ ଓ ପୁଣ୍ୟର ସୀମା ଧାର୍ଯ୍ୟ କରିଛି । ଏସବୁ ସତ୍ତ୍ୱେ ମଣିଷ ସମାଜରେ କେତେକ ନିୟମ ଅଛି, ଯାହାକି ପରସ୍ପରବିରୋଧୀ । ତେଣୁ କେତେକ ସ୍ଥଳରେ ପାପ ଓ ପୁଣ୍ୟର ଧାରଣା ଦେଶ, କାଳ, ପାତ୍ର ଜ୍ଞାନ ଉପରେ ଅଧିଷ୍ଠିତ । ଏଠାରେ ପୁଣ୍ୟକୁ ମର୍ଯ୍ୟାଦା କୁହାଯାଇପାରେ । ବିଭିନ୍ନ ସମାଜରେ ଭିନ୍ନ ରୀତି ଓ ନିୟମ ରହିଛି । ସେହି ନିୟମ ଅନ୍ୟତ୍ର ଅନାଦୃତ । ସେହିପରି, ଗାର୍ହସ୍ଥ୍ୟ ଜୀବନର ଚଳଣି ଓ ସନ୍ନ୍ୟାସୀର ଚଳଣି ମଧ୍ୟରେ ପାର୍ଥକ୍ୟ ଅଛି । ଏଥିପାଇଁ ଆମର ବହୁ ଶାସ୍ତ୍ର ମଧ୍ୟ ରହିଛି; କିନ୍ତୁ ଶାସ୍ତ୍ରର ପ୍ରୟୋଗ ବିଚାରସମ୍ମତ ହେବା ଉଚିତ । ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ—ଥରେ ସାବରମତୀ ଆଶ୍ରମରେ ଗୋଟିଏ ବାଛୁରୀ ମୁମୂର୍ଷୁ ଅବସ୍ଥାରେ ବହୁ କଷ୍ଟ ପାଉଥିଲା । ମହାତ୍ମା ଗାନ୍ଧି ଜଣେ ଡାକ୍ତରଙ୍କୁ ଡକାଇ ସେହି ବାଛୁରୀଟିକୁ ଯନ୍ତ୍ରଣାରୁ ମୁକ୍ତ କରିବାପାଇଁ ଏକ ବିଷମିଶ୍ରିତ ଇଂଜେକ୍‌ସନ ଦେଲେ ଏବଂ ବାଛୁରୀଟି ତତ୍‌କ୍ଷଣାତ୍‌ ମରିଗଲା । କେତେକ ବ୍ୟକ୍ତି ଏହି କାର୍ଯ୍ୟକୁ ଗୋହତ୍ୟାଜନିତ ପାପ ବୋଲି ପ୍ରଚାର କଲେ । ଏହି ଅଭିଯୋଗର ଉତ୍ତର ଗାନ୍ଧିଜୀ ହରିଜନ ପତ୍ରିକାରେ ମଧ୍ୟ ଦେଇଥିଲେ । ଯେଉଁ ମହାତ୍ମା ଗାନ୍ଧି ଗୋହତ୍ୟା ବିରୁଦ୍ଧରେ ବହୁସ୍ଥଳରେ କହିଛନ୍ତି ଏବଂ ଗାଈକୁ ମା’ ବୋଲି କହି ସମ୍ମାନ ଦିଅନ୍ତି, ସେ କିପରି ବା ଗୋହତ୍ୟା କରିବେ ? ତାଙ୍କର ବିଚାର ଖୁବ୍‌ ସ୍ପଷ୍ଟ ଥିଲା । ସେହି ବାଛୁରୀଟିକୁ ମାରିବା ପଛରେ ତାଙ୍କର ପ୍ରବୃତ୍ତି ହିଂସାତ୍ମକ ନଥିଲା; ବରଂ କାରୁଣିକ ଥିଲା । କିନ୍ତୁ ଏ ଘଟଣାଟିକୁ ‘‘ମହାତ୍ମାଜୀ ଗୋହତ୍ୟା କରିଥିଲେ’’ ବୋଲି ଉଦାହରଣରୂପେ ଗ୍ରହଣ କରିବା ଏକ ବିଚାରବିଡ଼ମ୍ବନା-। ତେଣୁ ପାପପୁଣ୍ୟର ବିଚାର କେବଳ ଶାସ୍ତ୍ରରୁ କରାଯାଇ ନପାରେ । ନିଜର ନିର୍ମଳ ବିଚାର ହିଁ ଏହାର ପ୍ରକୃଷ୍ଟ ପନ୍ଥା । କୌଣସି କାର୍ଯ୍ୟ ମୂଳରେ ଆମର ଯେଉଁ ମନୋବୃତ୍ତି ଅଛି, ତାହାହିଁ ପାପ କିମ୍ବା ପୁଣ୍ୟର ଉତ୍ସ । ଏହି ମନୋବୃତ୍ତି ସଂପୂର୍ଣ୍ଣ ନିଜସ୍ୱ ହୋଇଥିବାରୁ, ଏଥିପାଇଁ ନିଜେ ହିଁ ଦାୟୀ-। କୌଣସି ପରିବେଶ କିମ୍ବା ଘଟଣା ବ୍ୟକ୍ତିବିଶେଷକୁ ପାପ କିମ୍ବା ପୁଣ୍ୟରେ ପ୍ରବର୍ତ୍ତିତ କରି ନପାରେ-। କିଛିଭାବରେ ହୁଏତ ତଦନୁରୂପ ପ୍ରବଣତା ପରିବେଶରୁ ଆସିଥାଏ; କିନ୍ତୁ ପରିବେଶକୁ ଏଥିପାଇଁ ଦାୟୀ କରାଯାଇ ପାରିବନାହିଁ । ନିଜର ବିଚାର ହିଁ ଏହାର ନିୟାମକ । ତେଣୁ ଅନ୍ତଃକରଣର ଶୁଦ୍ଧତା ପୁଣ୍ୟ ଆନୟନ କରେ ଏବଂ ମଳିନତା ପାପରେ ଲିପ୍ତ କରାଏ ।

Image

 

ମା’

 

ମାନବ ସୃଷ୍ଟି ଓ କୃଷ୍ଟିର ଧାରା ସହିତ ଭାଷାର ସମ୍ବନ୍ଧ ଅତି ନିବିଡ଼ । ଅର୍ଥପ୍ରତିପନ୍ନ ଶବ୍ଦକୁ ସାଧାରଣ ଭାବରେ ଭାଷା କୁହାଯାଏ । ମନୁର ସନ୍ତାନ ମାନବ । ମାନସପ୍ରକ୍ରିୟା ତଥା ଚିନ୍ତାର ଅଧିଦେବତା ହେଉଛନ୍ତି ମନୁ । ତେଣୁ ସେ ପ୍ରଥମ ମାନବ ଓ ମାନବସମାଜର ପ୍ରଥମ ପିତୃ-। ମନନ ବା ଚିନ୍ତନ ମଣିଷକୁ ପଶୁଠାରୁ ଭିନ୍ନ କରିଛି । ମନନ କୌଣସି ନା କୌଣସି ଭାଷାକୁ ଅପେକ୍ଷା କରେ । ତାହା ହୁଏତ ସାଙ୍କେତିକ କିମ୍ବା ଧ୍ୱନ୍ୟାତ୍ମକ ହୋଇପାରେ । ‘ଶବ୍ଦ’ ହେଉଛି ଭାଷାର ଶରୀରଧର୍ମୀ ଏକକ । ଶବ୍ଦ ବ୍ୟତୀତ ଚିନ୍ତନ ଓ ଚିନ୍ତନ ବ୍ୟତୀତ ଶବ୍ଦର ସ୍ଥିତି ସମ୍ଭବ ହୋଇପାରେ ନାହିଁ । ଏହି ଚିନ୍ତନ ବା ଅର୍ଥବୋଧ ଶବ୍ଦର ଆତ୍ମିକ ଧର୍ମ । ଶରୀର ଓ ଜୀବନ ପଶୁଠାରେ ଅଛି; କିନ୍ତୁ ଚିନ୍ତାଶୀଳ ମନ ନାହିଁ । ତାହା ହିଁ ପଶୁଠାରୁ ମନୁଷ୍ୟର ବିଶେଷତ୍ୱ । ଶରୀର, ପ୍ରାଣ ଓ ମନର ସତ୍ତା ଉପରେ ମଣିଷକୁ ସଂଜ୍ଞିତ କରାଯାଇପାରେ । ଭାଷା ହେଉଛି ମାନସ ପ୍ରକ୍ରିୟାଜନିତ ଶବ୍ଦାର୍ଥମୂଳକ । ଆମେ ଶବ୍ଦକୁ ନାମ ଓ ଅର୍ଥକୁ ରୂପ କହିପାରିବା । ବାସ୍ତବପକ୍ଷରେ ଏହି ସଂସାର ‘ନାମରୂପ’ର ବିଚିତ୍ର ଏବଂ ବହୁବିଧ ପ୍ରକାଶ ମାତ୍ର । ଅଦ୍ୱିତୀୟ ସତ୍ତା ନାମରୂପ ପ୍ରପଞ୍ଚରେ ବହୁତ୍ୱ ସୃଷ୍ଟିକରିଛି । ଅଧିକନ୍ତୁ ଏହି ନାମ ଓ ରୂପର ଅର୍ଥାତ୍‌ ଶବ୍ଦ ଓ ଅର୍ଥର ସମ୍ବନ୍ଧ ନିତ୍ୟ, ଶାଶ୍ୱତ-ଠିକ୍‌ ଅର୍ଦ୍ଧନାରୀଶ୍ୱର ଶିବ-ପାର୍ବତୀଙ୍କ ପରି ଯୁଗନଦ୍ଧ । ଅନ୍ୟୋନ୍ୟାଶ୍ରୟୀ ମହାଭାଷ୍ୟରେ କୁହାଯାଇଛି, ‘‘ସିଦ୍ଧେ ଶବ୍ଦାର୍ଥ ସମ୍ବନ୍ଧେ’’ । ଶବ୍ଦପ୍ରୟୋଗର ବ୍ୟାପକତା ପ୍ରଣିଧେୟ ।

 

‘‘ମହାନ୍‌ ହି ଶବ୍ଦସ୍ୟ ପ୍ରୟୋଗବିଷୟଃ ।’’

 

ସପ୍ତଦ୍ୱୀପା ବସୁମତୀ; ତ୍ରୟୋ ଲୋକାଃ; ଚତ୍ୱାରୋ ବେଦାଃ ସାଙ୍ଗାଃ ସରହସ୍ୟାଃ ବହୁଧା ବିଭିନ୍ନାଃ, ଏକଶତମଧ୍ୱର୍ଯୁଶାଖାଃ, ସହସ୍ରବର୍ତ୍ମା ସାମବେଦଃ ଏକବିଂଶତିଧା ବାହ୍ୱୃଚ୍ୟମ, ନବଧାଽଥର୍ବଣୋ ବେଦଃ, ବାକୋବାକ୍ୟମିତିହାସଃ, ପୁରାଣମ୍‌, ବୈଦ୍ୟକମିତି-ଏତାବାନ୍‌ ଶବ୍ଦସ୍ୟ ପ୍ରୟୋଗବିଷୟଃ ।

 

[ମହାଭାଷ୍ୟମ୍‌-ମ୧-୧-୧]

 

ଶବ୍ଦବ୍ରହ୍ମ—ସପ୍ତଦ୍ୱୀପା ପୃଥିବୀ, ତ୍ରିଲୋକ, ସାଙ୍ଗୋପାଙ୍ଗ ବେଦ ଚତୁଷ୍ଟୟ, ଏକଶତଶାଖାବିହିତ ଯଜୁର୍ବେଦ, ସହସ୍ରଶାଖାନ୍ୱିତ ସାମବେଦ, ଏକବିଂଶତି ଶାଖାଯୁକ୍ତ ଋଗ୍‌ବେଦ, ନବଶାଖା-ସମ୍ବଳିତ ଅଥର୍ବବେଦ, ନ୍ୟାୟଶାସ୍ତ୍ର, ପୁରାଣ, ଇତିହାସ, ଆୟୁର୍ବେଦ—ଏଥିରୁ ଶବ୍ଦପ୍ରୟୋଗର ଗୌରବ ଓ ମହତ୍ତା ଅନୁମେୟ । ପୁନଶ୍ଚ ଏହି ଶବ୍ଦ ହିଁ ଆଦ୍ୟ ଓ ଅନ୍ତିମ ତନ୍ମାତ୍ର । ସୃଷ୍ଟିର ପ୍ରାକ୍‌କାଳରେ ଯାହା ପରମ ସତ୍ତାରୂପେ ଥିଲା, ତାହା ହେଉଛି ବିଷ୍ଣୁପଦ ବା ଆକାଶ । ଏହି ଅନପେକ୍ଷ ନିରାଲମ୍ବ ଆକାଶର ଗୁଣଧର୍ମ ହେଉଛି ଶବ୍ଦ । ସେଥିପାଇଁ ବେଦରେ କୁହାଯାଇଛି–‘‘ବାଗ୍‌ ବୈବ୍ରହ୍ମ’’—ଅର୍ଥାତ୍‌ ବାକ୍‌ (ଶବ୍ଦ) ହେଉଛି ସତ୍ୟ ସନାତନ । ଏହି ଶବ୍ଦର ବ୍ୟାପକତାରେ ଯେପରି ଆମେ ସ୍ଥୂଳ ସଂସାର ଦେଖୁଛେ, ସେହିପରି ସୂକ୍ଷ୍ମତାରେ ବ୍ରାହ୍ମୀସ୍ଥିତି ଲାଭହୁଏ । ‘ଶବ୍ଦବ୍ରହ୍ମ’ ସୂକ୍ଷ୍ମରୁ ସୂକ୍ଷ୍ମତର ଓ ସ୍ଥୂଳରୁ ସ୍ଥୂଳତର (ଅଣୋରଣୀୟାନ୍‌, ମହତୋ ମହୀୟାନ୍‌)-। ଶବ୍ଦର ବ୍ୟାବହାରିକ ଓ ପାରମାର୍ଥିକ ସତ୍ତା ରହିଛି । ତାହା ସଚ୍ଚିଦାନନ୍ଦମୟୀ କଳ୍ପଲତିକା । ତାହା ବେଦମାତା, ଜଗଜ୍ଜନନୀ ଓ ପ୍ରଣବସ୍ୱରୂପା । ପରାବାଣୀ ପ୍ରକାଶର ଲୀଳା ନିମିତ୍ତ ବିବର୍ତ୍ତିତ ହୁଏ ଏବଂ ଅର୍ଥ ଓ ବୈଚିତ୍ର୍ୟପୂର୍ଣ୍ଣ ସଂସାରକୁ ସୃଷ୍ଟିକରେ । ଏହା ହିଁ ଶବ୍ଦତନ୍ମାତ୍ର; ଆକାଶର ପ୍ରପଞ୍ଚିତ ପରିଣାମ, ଯାହାକୁ ଆମେ ପଦାର୍ଥ କହୁଛୁ ।

 

ମନ୍ତ୍ରାତ୍ମକ ଶବ୍ଦ- ସାଧାରଣ ଚଳଣିରେ ଏପରି କେତେକ ଶବ୍ଦ ଅଛି, ଯାହାର ଉଚ୍ଚାରଣମାତ୍ରେ ମନ ଓ ବଚନର ପ୍ରତିଷ୍ଠା ଆପେ ଆପେ ଚାଲିଆସେ । ସୃଷ୍ଟିର ଆରମ୍ଭରୁ କ୍ରାନ୍ତଦର୍ଶୀ ଋଷିମାନଙ୍କଦ୍ୱାରା ତାହା ଜୀବନଧାରାରେ ସିଦ୍ଧ ହୋଇଛି । ସେହି ଶବ୍ଦର ଉଚ୍ଚାରଣ ମନ ମଧ୍ୟରେ ଯେଉଁ ଭାବତରଙ୍ଗ ସୃଷ୍ଟିକରେ, କ୍ରମେ କ୍ରମେ ସେହି ଭାବ ଅତିମନ ବା ବୁଦ୍ଧିକୁ ସ୍ପର୍ଶକରେ । ସେହି ଶବ୍ଦ ଶ୍ରବଣମାତ୍ରେ ମନ ଶାନ୍ତ ହୁଏ ଓ ହୃଦୟ ସନ୍ତର୍ପିତ ହୁଏ । ‘‘ମା’’ ଏହିପରି ଏକ ଶବ୍ଦ । ଯଥାର୍ଥରେ ଏହି ମା’ ନାମ ଅମୃତମୟ । ପୃଥିବୀର ପ୍ରାୟ ସବୁ ଜୀବ ମା’ ନାମର ଉଦାରଭାବ ବୁଝିପାରନ୍ତି ଏବଂ ସମସ୍ତ ଭାଷାରେ ଏହି ଶବ୍ଦର ପ୍ରଚଳନ ଅଛି । ମା’ ଶବ୍ଦର ଧ୍ୱନିରେ ଅପୂର୍ବ ସମ୍ବେଦନା ଓ ମାର୍ମିକ ଅନୁଭୂତି ଭରିରହିଛି । ପିଲାଟିଏ ଜନ୍ମହେଲାମାତ୍ରେ ଯେଉଁ ଅବ୍ୟକ୍ତ ଧ୍ୱନି କରେ (କୁଆଁ କୁଆଁ) .....ଏବଂ ସେହି ଧ୍ୱନିମଧ୍ୟରେ ଜୀବନର ସ୍ଥିତିକୁ ସୁଚାଇ ଦିଏ, ସେଥିରେ ମା’ ଧ୍ୱନିର ସଙ୍କେତ ରହିଛି । ଏପରିକି ପ୍ରତ୍ୟେକ ପଶୁପକ୍ଷୀର ଶବ୍ଦରେ ଏହି ଧ୍ୱନିର ସତ୍ତା ରହିଲାପରି ଜଣାପଡ଼େ । ମା’ ନାମ ଜୀବନସତ୍ତାର ସତେ ଅବା ମୂଳମନ୍ତ୍ର ଏବଂ ଏହି ସାନୁନାସିକ ବର୍ଣ୍ଣସମାମ୍ନାୟ ଲୋକ ଯାତ୍ରାରେ ସର୍ବକ୍ଳେଶହାରୀ ମନ୍ତ୍ର ସ୍ୱରୂପ ।

 

ପ୍ରକାଶକଳ୍ପିନୀ- ମା’ ଶବ୍ଦର ନିର୍ବଚନ ରହସ୍ୟମୟ; ସ୍ୱୟଂ ପ୍ରକୃତି ପରି ବିଚିତ୍ର । ‘ମାଙ୍’ ଧାତୁରୁ ଏହି ଶବ୍ଦର ସୃଷ୍ଟିବୋଲି ବ୍ୟାକରଣକାର କହନ୍ତି । ମାଙ୍‌ ଧାତୁର ଅର୍ଥ ହେଲା ପୂଜା, ରକ୍ଷା ଓ ମାନ ବା ମାପିବା : ‘ମାଂଙ୍‌ମାନେ ନିର୍ଦ୍ଧାରଣେ ପୂଜାୟାଂ ଚ’ । ଏହି ନିର୍ଦ୍ଧାରଣ ବା ମାନ ଅର୍ଥଟି ଅଧିକ ଗ୍ରହଣୀୟ । ଯେ ପୂଜ୍ୟ ସେ ମା—ଏହି ଅର୍ଥ ମଧ୍ୟ ଆସୁଛି । କିନ୍ତୁ ‘ପୂଜନୀୟା’ ଭାବ ନିର୍ଦ୍ଧାରଣ ଅର୍ଥକୁ ଅପେକ୍ଷା କରୁଛି । ‘ମାନଯନ୍ତ୍ର’, ‘ମାନଦଣ୍ଡ’ ପ୍ରଭୃତି ଶବ୍ଦରେ ଆମେ ‘ମାନ’ର ଅର୍ଥ ବୁଝିପାରୁଛୁ । ଏହା ନିର୍ଦ୍ଧାରଣର ଏକକଭାବ । ଅଖଣ୍ଡତାରୁ ଖଣ୍ଡଏକକକୁ ନିର୍ଦ୍ଧାରିତ କରାଯାଏ । ତାହାହିଁ ପ୍ରକାଶ ବା ବ୍ୟକ୍ତି । ଅନ୍ୟଥା ବିଶ୍ୱ ହେଉଛି ଏକ ଅଖଣ୍ଡ ସତ୍ତା, ଯେଉଁଥିରେ ବ୍ୟକ୍ତ ବା ପ୍ରକାଶଭାବ ଲୁପ୍ତପାଇଛି । ତାହା ଅବ୍ୟକ୍ତ ପ୍ରକୃତି । ସେଥିରେ ସମୟ କିମ୍ବା ବସ୍ତୁସ୍ଥିତିର (Space and Time) ସମ୍ଭାବନା ଦୁରୂହ । ସେହି ଅବ୍ୟକ୍ତ ପ୍ରକୃତିରେ ପ୍ରକାଶର ଯେଉଁ ଚେତନା ଆସିଛି, ତାହା ମା’ର ଚେତନା । ଅବ୍ୟକ୍ତ ପ୍ରକୃତି ମାତାର ପୂର୍ବରୂପ, ବୃଦ୍ଧମାତା । ସେଥିରେ ନିର୍ଦ୍ଧାରଣର ସମ୍ଭାବନା ଲୁକ୍‌କାୟିତ ହୋଇ ସଂକଳ୍ପବୀଜ ସ୍ୱରୂପ ରହିଛି । ଅବ୍ୟକ୍ତରୁ ନିର୍ଦ୍ଧାରଣ କରିବାର ଯେଉଁ ମହାଭାବ ଆସିଲା, ତାହା ସିସୃକ୍ଷା । ତେଣୁ ମୂଳପ୍ରକୃତି ଗୁଣମୟୀ ହୋଇ ନିଜକୁ ପ୍ରକାଶ ଓ ନିର୍ଦ୍ଧାରଣ କରେ ଏବଂ ତାହା ହିଁ ଏଠାରେ ‘ମାନ’ ଶବ୍ଦର ଅର୍ଥ । ମାନ—ଶବ୍ଦଟି ବିମର୍ଶଣୀୟ । ଏହା ପୂଜ୍ୟ ଅର୍ଥକୁ ପ୍ରକାଶ କରୁଛି । ସାମାନ୍ୟରୁ ବିଶେଷ୍ୟ କିମ୍ବା ସମସ୍ତଙ୍କଠାରୁ ଯେ ଅଧିକ ଗୁଣଶାଳୀ, ମହାନ୍‌ ଗୁଣରେ ବିଶେଷିତ, ସେ ହିଁ ପୂଜ୍ୟ । ସାମାନ୍ୟରୁ ଏହା ବିଶେଷିତକୁ ନିର୍ଦ୍ଧାରଣ କରୁଛି ବା ପ୍ରକାଶ କରୁଛି । ଗୁଣ ହେଉଛି ବିଶେଷତ୍ୱ । ମା’ ଶବ୍ଦରେ ଗୁଣ ବିଶେଷତ୍ୱ ରହିଥିବାରୁ ସେ ପୂଜ୍ୟା–ଏହି ଅର୍ଥ ମଧ୍ୟ ଆସୁଛି । ଏଠାରେ ‘ମାନ’ ବା ‘ନିର୍ଦ୍ଧାରଣ’ର ଭାବ ସ୍ପଷ୍ଟ । ଅପମାନ ଶବ୍ଦଟି ବିଚାର କରାଯାଉ । ଯେଉଁଥିରେ ବ୍ୟକ୍ତିର ପ୍ରକାଶ ବା ନିର୍ଦ୍ଧାରଣର ହାନି ଘଟେ, ତାହା ଅପମାନ-। ସେହିପରି ଯେଉଁ ପରିପ୍ରେକ୍ଷୀରେ ନିର୍ଦ୍ଧାରଣଭାବ ଆତ୍ମକୈନ୍ଦ୍ରିକ ହୋଇଯାଏ, ଅର୍ଥାତ୍‌ ବ୍ୟକ୍ତି ନିଜକୁ ଅଧିକ ନିର୍ଦ୍ଧାରଣ କରିବାରେ ପ୍ରବଣ ହୁଏ, ତାହା ଅଭିମାନ । ଅପମାନ ଓ ଅଭିମାନ ପ୍ରଭୃତି ଭାବରେ ନିର୍ଦ୍ଧାରଣର ସମତା ନ ଥାଏ । ‘ମାନ’ ଶବ୍ଦର ନିର୍ଦ୍ଧାରଣାର୍ଥ ସଂଜ୍ଞାବୋଧ ପାଇଁ ଉପରୋକ୍ତ ଶବ୍ଦ ଦୁଇଟିର ଉଦାହରଣ ଦିଆଗଲା । ମା’ ଶବ୍ଦରେ ଏହି ନିର୍ଦ୍ଧାରଣ ବା ପ୍ରକାଶାର୍ଥ ହିଁ ଅଧିକ ପ୍ରଯୁଜ୍ୟ ।

 

ପ୍ରକୃତି ମାତା- ‘ମାନ୍ୟତେ ପୂଜ୍ୟତେ ଇତି’ (ମାଙ୍‌ + ଡାତୃ) —ମହର୍ଷି ଭରତ ଏହି ଅର୍ଥ ଗ୍ରହଣ କରିଛନ୍ତି । ମାତୃଶବ୍ଦର ରୂପ ଲୋକଭାଷାରେ ମା’ । ଜନୟିତ୍ରୀ, ପ୍ରସୂ ଓ ଜନନୀ—ଏହାର ପର୍ଯ୍ୟାୟବାଚକ ଶବ୍ଦ ( ଅମରସିଂହ ) । ଅନ୍ତରୀକ୍ଷକୁ ମଧ୍ୟ ମାତା କୁହାଯାଏ । ମାତରିଶ୍ୱା (ପବନ) ଶବ୍ଦ ଏହି ଅର୍ଥକୁ ସୂଚିତ କରୁଛି : ‘‘ମାତରି ଅନ୍ତରୀକ୍ଷେ ଶ୍ୱୟତି ବର୍ଧତି ଇତି ମାତରିଶ୍ୱା । ଯଦ୍‌ବା ମାତରି ଜନନ୍ୟାଂ ଶ୍ୱୟତେ ସପ୍ତସପ୍ତକତ୍ୱାତ୍‌ ଇତି’’—ଯାସ୍କ । ଅନ୍ତରୀକ୍ଷର ଗର୍ଭରେ ଯିଏ ବର୍ଦ୍ଧିତ ଓ ନିର୍ଦ୍ଧାରିତ, ସେ ମାତରିଶ୍ୱା । ଏଠାରେ ମାତୃ ଶବ୍ଦ ଅନ୍ତରୀକ୍ଷବାଚକ । ସେହିପରି ଆକାଶ (ବ୍ୟୋମ)କୁ ମଧ୍ୟ ଦେବମାତା ଅଦିତିରୂପେ କଳ୍ପନା କରାଯାଇଛି । ତେଣୁ ଯେଉଁଠାରେ ପ୍ରକାଶ ବା ବ୍ୟକ୍ତି ସମ୍ଭାବିତ ଓ ନିର୍ଦ୍ଧାରିତ ହୁଏ, ଯିଏ ଆଧାରଭୂତା, ସେ ହିଁ ମା’ । ମା’ କେବଳ ଅବ୍ୟକ୍ତ ଅପ୍ରକାଶ ମଧ୍ୟରୁ ପରିଚ୍ଛିନ୍ନ କରି ବ୍ୟକ୍ତକରେ । ସେ ପ୍ରକାଶ ଗୁଣମୟୀ । ସେହି ପ୍ରକାଶ ବା ନିର୍ଦ୍ଧାରଣ ଗୁଣ ବ୍ୟକ୍ତ ନ ଥିଲେ, ସେ ଅମା ହୁଏ । ‘ଅମା’ ଶବ୍ଦ ରହସ୍ୟମୟ, ଅନ୍ଧକାରଦ୍ୟୋତକ । ଅମାବାସ୍ୟା ଶବ୍ଦରେ ଏହି ଅଥ ସ୍ପଷ୍ଟ ହୁଏ ।

 

ମହାକଳା ଅମା—‘‘ନ ମାତି କ୍ଷୟୋଦୟବିଶେଷଂ ପରିଚ୍ଛିନ୍ନତି ଚନ୍ଦ୍ରମଣ୍ଡଳସ୍ୟ ଷୋଡ଼ଶୀ କଳା ଇତି ଅମା’’—ଯେଉଁ ତିଥିରେ ଚନ୍ଦ୍ରମଣ୍ଡଳର କଳା କ୍ଷୟୋଦୟରେ ବ୍ୟକ୍ତ ନୁହେଁ; ଚନ୍ଦ୍ରମାନଙ୍କର ସେହି ନିତ୍ୟ ସୂକ୍ରାତ୍ମ ଷୋଡ଼ଶ କଳାକୁ ‘ଅମା’ କୁହାଯାଏ । ଏହା ଆଧାରଶକ୍ତିରୂପା ଏବଂ କ୍ଷୟ ଓ ଉଦୟ ନ ଥିବାରୁ ନିତ୍ୟା ଓ ସୂକ୍ରାତ୍ମିକା । ସମସ୍ତ ଜଗତ୍‌ ଏହିଠାରେ ସୂକ୍ଷ୍ମ ରୂପରେ ନିହିତ ଓ ଗ୍ରଥିତ-। ସେହି ଅମାକୁ ମହାକାଳ କୁହାଯାଏ । ଏଥିରେ ପ୍ରକାଶ ନାହିଁ; କିନ୍ତୁ ସମସ୍ତ ପ୍ରକାଶର ସମ୍ଭାବନା ଗର୍ଭିତ ଓ ମାୟାବୃତ । ଅମା ଶବ୍ଦ ମା’ର ଠିକ୍‌ ନିଷେଧାର୍ଥକ ନୁହେଁ; କିନ୍ତୁ ମା’ର ଅପ୍ରାକୃତ ମହାମାୟା ରୂପ, ଯେଉଁଠାରେ ସବୁ କିଛି ସଂହୃତ ଓ ଅବ୍ୟକ୍ତ । ମହତୀ କଳା ଅମା ମହାକାଳୀଙ୍କର ଭାବକୁ ବୁଝାଏ ।

 

‘‘ଚନ୍ଦ୍ରମଣ୍ଡଳସ୍ୟ ଷୋଡ଼ଶଭାଗେନ ପରିମିତା ଆଧାରଶକ୍ତିରୂପା କ୍ଷୟୋଦୟରହିତତ୍ତ୍ୱାତ୍‌ ନିତ୍ୟା, ସ୍ରକ୍‌ସୂକ୍ରବତ୍‌ ସର୍ବାନୁସ୍ୟୂତା ଅମାନାମ୍ନୀ ମହାକାଳ ପ୍ରୋକ୍ତା ।’’ (ରଘୁନନ୍ଦନ)

 

ଚନ୍ଦ୍ରମଣ୍ଡଳର ଷୋଡ଼ଶଭାଗପରିମିତ ଆଧାରଶକ୍ତିରୂପକ ବୃଦ୍ଧିହାସରହିତ, ନିତ୍ୟ, ମାଳାର ସୂକ୍ରନ୍ୟାୟରେ ସମସ୍ତ ବିଶ୍ୱକୁ ଗ୍ରଥନ କରିଥିବା ସେହି ଅମାନାମ୍ନୀ ମହାକାଳ, ଯାହାଙ୍କୁ ‘ସପ୍ତଶତୀ ଚଣ୍ଡୀ’ରେ ସ୍ତୁତି କରାଯାଇଛି–

 

‘‘ଆଧାରଭୂତା ଜଗତସ୍ତ ମେକା ମହୀସ୍ୱରୂପେଣ ଯତଃ ସ୍ଥିତାଽସି ।

ଅପାଂସ୍ୱରୂପସ୍ଥିତୟା ତ୍ୱୟୈତତ୍‌ ଆପ୍ୟାୟତେ କୃତ୍ସ୍ନମଲଙ୍ଘ୍ୟବୀର୍ଯ୍ୟେ ।।’’

 

‘ସ୍କନ୍ଦପୁରାଣ’ରେ ଉଲ୍ଲେଖ ଅଛି- ଏହି ମହାକଳା ମହାଦେବୀ ପରମ ମାୟା, ପ୍ରାଣୀମାନଙ୍କର ପ୍ରାଣଧାରଣ ଶକ୍ତିରୂପେ ସଂସ୍ଥିତା ।

 

‘‘ଅମା ଷୋଡ଼ଶଭାଗେନ ଦେବୀ ପ୍ରୋକ୍ତା ମହାକଳା

ସଂସ୍ଥିତା ପରମା ମାୟା ଦେହିନାଂ ଦେହଧାରିଣୀ ।’’ (ପ୍ରଭାସ ଖଣ୍ଡ)

 

‘‘ମା’ ଶବ୍ଦର ନିର୍ଦ୍ଧାରଣ ବା ମାନ (ମାପିବା) ଅର୍ଥରୁ କଳନା କରିବା ଅର୍ଥ ପ୍ରକାଶ ପାଉଛି-। ଯେ ସନ୍ତାନର ପ୍ରକଳ୍ପିକା ଏବଂ ସନ୍ତାନର ସମସ୍ତ ଭାବବୃତ୍ତିକୁ କଳନା କରିପାରେ, ସେ ମା’-। ସନ୍ତାନ ପକ୍ଷରେ ମା’କୁ ବୁଝିବା ଅସମ୍ଭବ; କିନ୍ତୁ ମା’ପକ୍ଷରେ ସନ୍ତାନ କଳିତ, ବିଜ୍ଞେୟ । ଓଡ଼ିଆରେ ଗୋଟିଏ ପ୍ରବଚନ ଅଛି–‘‘ଭୀମ ବଳ କୁଇନ୍ତା ଜାଣେ’’ । ସନ୍ତାନର ଇଚ୍ଛାଶକ୍ତି ଓ ଅଭୀପ୍‌ସା ମା’ ହିଁ ଜାଣିପାରେ । ସନ୍ତାନ କ୍ଷେତ୍ରରେ ସେ ଅନ୍ତର୍ଯ୍ୟାମୀ । ସୂକ୍ରାତ୍ମ ନ୍ୟାୟରେ ମା’ ସନ୍ତାନର ହୃଦୟାଶୟକୁ ପ୍ରବେଶକରେ, ବୁଝିପାରେ, ନିଜର ସୃଜନ ବିଭୂତିରେ କଳ୍ପନା କରିପାରେ ଓ କଳନା ମଧ୍ୟ କରିପାରେ । ଏହା ମା’ର ସ୍ୱୟଂସିଦ୍ଧ ଐଶ୍ୱର୍ଯ୍ୟ ।

 

ଐଶ୍ୱର୍ଯ୍ୟମୟୀ— ଆମେ ସପ୍ତଶତୀ ଚଣ୍ଡୀରେ ମା’ର ତିନୋଟି ରୂପ ଦେଖୁ । ପ୍ରଥମ ରୂପଟି ସମ୍ଭାବନାଗର୍ଭିତ ଅବ୍ୟକ୍ତ ରୂପ, ଯାହାକୁ ମହାକାଳୀ କୁହାଯାଏ । ପ୍ରକାଶାତ୍ମିକା ଜନନୀ ରୂପରେ ସେ ମହାଲକ୍ଷ୍ମୀ ଏବଂ ପ୍ରଜ୍ଞାକରୁଣାରେ ସେ ମହାସରସ୍ୱତୀ । ଏହି ତିନୋଟି ଭାବକୁ ଆମେ ଯଥାକ୍ରମେ ତମ, ରଜ ଓ ସତ୍ତ୍ୱଗୁଣର ଆଧିକ୍ୟ କହିଥାଉ ।

 

ତ୍ରିଗୁଣାତ୍ମିକା— ଅନ୍ନଦାତ୍ରୀ ଓ ପୋଷଣକାରୀ ଭାବର ବ୍ୟଞ୍ଜନାରେ ଲକ୍ଷ୍ମୀଙ୍କୁ ମା’ କୁହାଯାଏ । ଅମରସିଂହ ମା’ ଶବ୍ଦକୁ ଲକ୍ଷ୍ମୀଙ୍କ ପର୍ଯ୍ୟାୟବାଚକ ଭାବରେ ଗ୍ରହଣ କରିଛନ୍ତି : ‘‘ଇନ୍ଦିରା ଲୋକମାତା ମା କ୍ଷୀରାବ୍‌ଧିତନୟା ରମା’’ । ‘ରମା’ ଓ ‘ଉମା’-ଏହି ଶବ୍ଦଦ୍ୱୟ ମାତୃଶବ୍ଦବାଚକ । ବ୍ରହ୍ମବୈବର୍ତ୍ତ ପୁରାଣରେ ସ୍ତନ୍ୟଦାତ୍ରୀ, ଗର୍ଭଦାତ୍ରୀ, ଅନ୍ନଦାତ୍ରୀ, ଗୁରୁପତ୍ନୀ, ଅଭୀଷ୍ଟଦେବୀ, ଉପମାତା, କନ୍ୟା, ଭଗ୍ନୀ, ପୁତ୍ରବଧୂ, ଶ୍ୱଶ୍ରୁ, ମାତାମହୀ, ପିତାମହୀ, ଭାତୃଜାୟା, ମାତୃସ୍ୱସୃ, ପିତୃସ୍ୱସୃ, ମାତୁଳାନୀ–ଏହି ଷୋଳଜଣଙ୍କ ଉଦ୍ଦେଶ୍ୟରେ ସାଧାରଣ ଅର୍ଥରେ ମାତୃଶବ୍ଦର ପ୍ରୟୋଗ ଅଛି । ଆମର ଧର୍ମଶାସ୍ତ୍ରରେ ସପ୍ତମାତୃକାନ୍ୱୟରେ ବ୍ରାହ୍ମୀ, ବୈଷ୍ଣବୀ, ଐନ୍ଦ୍ରୀ, ରୌଦ୍ରୀ, କୌବେରୀ, କୌମାରୀ, ବାରାହୀ-ଏହି ସପ୍ତଶକ୍ତିଙ୍କର ପୂଜା କରାଯାଏ ।

 

‘‘ବ୍ରାହ୍ମୀ ଚ ବୈଷ୍ଣବୀ ଚୈନ୍ଦ୍ରୀ ରୌଦ୍ରୀ ବାରାହିକୀ ତଥା

କୌବେରୀ ଚୈବ କୌମାରୀ ମାତରଃ ସପ୍ତକୀର୍ତ୍ତିତାଃ ।’’

 

ଏମାନେ ମହାଶକ୍ତିଙ୍କର ବିଭିନ୍ନ ବିଭାବର ଦ୍ୟୋତକ । ସେହିପରି ପୂର୍ବାନ୍ୱୟରେ ଚଣ୍ଡିକାଙ୍କୁ ଗଣାହୋଇ ଅଷ୍ଟମାତୃକାଙ୍କର ମଧ୍ୟ କଳ୍ପନା କରାଯାଇଛି । ସ୍ଥିତି ଓ ପୁଷ୍ଟିସ୍ଥାପକ ସପ୍ତସଂଖ୍ୟକ ଗୁଣକୁ ନାରୀତ୍ୱର ଭୂଷଣରୂପେ ବର୍ଣ୍ଣନା କରାଯାଇଛି ଏବଂ ସେମାନେ ମାତୃକଳ୍ପ ଗୁଣରୂପେ ମହନୀୟ ଓ ନାରୀତ୍ୱର ଭୂଷଣସ୍ୱରୂପ । ଏହି ପ୍ରମାତୃ ଗୁଣଗୁଡ଼ିକ ହେଲେ–କୀର୍ତ୍ତି, ଶ୍ରୀ, ବାକ୍‌, ସ୍ମୃତି, ମେଧା, ଧୃତି ଓ କ୍ଷମା ।

 

‘‘କୀର୍ତ୍ତିଃ ଶ୍ରୀବାକ୍‌ ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃକ୍ଷମା’’

 

(ଗୀତା-୧୦-୩୪)

 

ସପ୍ତମାତୃକା–ବେଦରେ ଭୂମିକୁ ମାତାରୂପେ ସମ୍ବୋଧନ କରାଯାଇଛି : ‘ମାତୁଃ ଅସ୍ୟାଃ ପୃଥିବ୍ୟାଃ’ । ପଞ୍ଚମହାଭୂତ (କ୍ଷିତ୍‌, ଅପ୍‌, ତେଜଃ, ମରୁତ୍‌ ଓ ବ୍ୟୋମ) ମଧ୍ୟ ମାତାରୂପେ ବର୍ଣ୍ଣିତା ହୋଇଛନ୍ତି । ଏମାନେ ମହାପ୍ରକୃତିର ଅଂଶମାତ୍ର; ତେଣୁ ସମଗ୍ର ବିଶ୍ୱପ୍ରକୃତିକୁ ବୈଦିକ ଋଷିମାନେ ମାତୃକଳ୍ପନାରେ ପୂଜା କରିଆସିଛନ୍ତି ।

 

ଅଷ୍ଟାଦଶ ମାତୃଗଣ–ଆମର ସମସ୍ତ ମାଙ୍ଗଳିକ କର୍ମରେ ଷୋଡ଼ଶମାତୃକା, ଅଷ୍ଟାଦଶ ମାତୃକାଙ୍କର ପୂଜା କରାଯାଏ । ସେମାନେ ହେଲେ ‘ଗୌରୀ, ପଦ୍ମା, ଶଚୀ, ମେଧା, ସାବିତ୍ରୀ, ବିଜୟା, ଜୟା, ଦେବସେନା, ସ୍ୱଧା, ସ୍ୱାହା, ମାତା, ଲୋକମାତା, ଶାନ୍ତି, ପୁଷ୍ଟି, ଧୃତି, ତୁଷ୍ଟି ଏବଂ ଆତ୍ମଦେବତା ଓ କୁଳଦେବତା । ଏଥିରୁ ଅଧିକାଂଶ ଗୁଣାତ୍ମକ ନାମ ପରି ବୋଧହୁଅନ୍ତି । ଆଦିମ ମାନବସମାଜର ମୂଳପ୍ରକୃତିକୁ ବୁଝିବା କଷ୍ଟକର । ଭାରତବର୍ଷର ଅଧୁନାତମ ସମାଜ ମୁଖ୍ୟତଃ ପିତୃମୂଳକ । ନାମକରଣରେ ଆମେ ବହୁଭାବରେ ପିତୃମୂଳକ ସାମାକୃତି ଦେଖୁ; ଯଥା-ଦାଶରଥି (ରାମ), ବୈଶ୍ୱାମିତ୍ର (ଦୀର୍ଘତମା), ବାସୁଦେବ (କୃଷ୍ଣ)....ଇତ୍ୟାଦି । ମାତୃମୂଳକ ନାମାକୃତିର ମଧ୍ୟ ବହୁ ପ୍ରାଚୀନ ପ୍ରଚଳନ ଅଛି; ଯଥା—ସାରମେୟ (ସରମାପୁତ୍ର), ସୌମିତ୍ରୀ (ଲକ୍ଷ୍ମଣ), କୌନ୍ତେୟ (ଯୁଧିଷ୍ଠିର ପ୍ରଭୃତି ଭାଇମାନେ), ଜାବାଳି (ସତ୍ୟକାମ) ଇତ୍ୟାଦି । ଅତୀତରେ ମାତୃପ୍ରବରର ପ୍ରଚଳନ ଥିଲା । ଅଷ୍ଟାଦଶ ମାତୃଗଣ ମଧ୍ୟରେ ପୂଜିତ ହେଉଥିବା କେତେକ ଦେବୀ ହୁଏତ ଏହି ମାତୃପ୍ରବରର ନାମବିଶେଷ ହୋଇପାରନ୍ତି । ସେମାନେ ଆମର ମାଙ୍ଗଲ୍ୟକର୍ମରେ ଏବେ ମଧ୍ୟ ମାତୃଗଣରୂପେ ଆରାଧିତ ।

 

ପ୍ରଜାପତିଙ୍କର ତ୍ରୟୋଦଶ କନ୍ୟା (ଦିତି, ଅଦିତି, ବିନତା ପ୍ରଭୃତି) ମଧ୍ୟ ମାତୃଗଣର ଅନ୍ତର୍ଭୁକ୍ତ । ସେମାନେ ମହର୍ଷି କାଶ୍ୟପଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କଠାରୁ ଦେବ, ମାନବ, ଦାନବ, ଯକ୍ଷ, ରାକ୍ଷସ ଓ ପଶୁପକ୍ଷୀମାନେ ସୃଷ୍ଟି ହୋଇଥିଲେ ।

 

ଅମ୍ବା ଶବ୍ଦ ମାତୃବାଚକ । ଅମ୍ବା ଶବ୍ଦରୁ ଅମ୍ମା ଓ ମା’ ଶବ୍ଦ ମଧ୍ୟ ନିଷ୍ପନ୍ନ ହେଉଛି । ଅମ୍ବା-ଅମ୍ମା-ମା । ଦୁର୍ଗାଙ୍କୁ ମଧ୍ୟ ଅମ୍ବା କୁହାଯାଏ । ସେହି ଅର୍ଥରେ ଅମ୍ବିକା ଓ ଅମ୍ବାଳିକା ଶବ୍ଦ ମଧ୍ୟ ପ୍ରଯୁକ୍ତ ହୋଇଛି । ବୈଦିକ ଦେବୀମନ୍ତ୍ରରେ ‘ଅମ୍ବେ, ଅମ୍ବିକେ ଓ ଅମ୍ବାଳିକେ’—ଏହିଭାବରେ ମାତୃଶକ୍ତିଙ୍କୁ ସମ୍ବୋଧନ କରାଯାଇଛି । ଅର୍ଥସଂପ୍ରସାରଣରେ ସେମାନେ ସ୍ୱର୍ଗ, ଅନ୍ତରୀକ୍ଷ ଓ ପୃଥିବୀ—ଏହି ତିନିଲୋକକୁ ଏବଂ ସୃଷ୍ଟି, ସ୍ଥିତି ଓ ସଂହାର ଗୁଣକୁ ମଧ୍ୟ ବୁଝାଇଥାନ୍ତି । ଶିବଙ୍କୁ ତ୍ର୍ୟମ୍ବକ କୁହାଯାଏ । ଅମ୍ବକ ଶବ୍ଦ ଲୋଚନ ଅର୍ଥରେ ପୁରାଣ ସାହିତ୍ୟରେ ପ୍ରସିଦ୍ଧି ଲାଭକରି ଏହା ତ୍ରିଲୋଚନ ଅର୍ଥକୁ ବୁଝାଉଅଛି । ତ୍ରିଗୁଣାତ୍ମକ ମାତୃଶକ୍ତିଯୁକ୍ତ ଅର୍ଥରେ ମଧ୍ୟ ତ୍ର୍ୟମ୍ବକ ଶବ୍ଦ ଲକ୍ଷ୍ୟ କରାଯାଇପାରେ । ଶିବ ତ୍ରିଗୁଣାତ୍ମ ମାତୃଆଧାରରେ ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କଠାରେ ସୃଷ୍ଟି, ସ୍ଥିତି, ବିଲୟର ଦର୍ଶନ ଓ ଉପପତ୍ତି ଏକାଧାରରେ କଳ୍ପିତ । ତ୍ରିଗୁଣମୟୀ ଦୃଷ୍ଟି ହେତୁ ସେ ତ୍ରିଲୋଚନ । ଏହି ତିନୋଟି ଚକ୍ଷୁର ଦୃଷ୍ଟିଶକ୍ତିରେ ସେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଭାବ ନେଇ ଜଗତକୁ ଦେଖନ୍ତି ।

 

ଆମ ଦେଶରେ କେତେକ ସ୍ଥାନରେ ମା’ଙ୍କୁ ଆଈ ମଧ୍ୟ କହନ୍ତି । ଏହା ସମ୍ମାନୀୟା ଆର୍ଯ୍ୟା ଶବ୍ଦରୁ ଗୃହୀତ । ଓଡ଼ିଶାର ବହୁଅଂଶରେ ମା’ଙ୍କୁ ‘ବୋଉ’ ସମ୍ବୋଧନ କରନ୍ତି । ନାରୀର ସାଧାରଣବାଚକ ବଧୂ ଶବ୍ଦରୁ ବୋଉ ଶବ୍ଦ ଆସିଥିବା ଅନୁମିତ । ସ୍ନୁଷା ବା ପୁତ୍ରବଧୂକୁ ବୋହୂ ବା ବୋଉ କୁହାଯାଏ ।

 

ସ୍ୱରବର୍ଣ୍ଣକୁ ତନ୍ତ୍ରରେ ମାତୃକା କୁହାଯାଏ । ସେମାନେ ସ୍ୱୟଂସିଦ୍ଧ ଶକ୍ତିର ଅଂଶବିଶେଷ । କାଳ ମାତ୍ରାରେ ଏହି ଶକ୍ତି ହସ୍ୱ, ଦୀର୍ଘ ଓ ପ୍ଳୁତ ହୁଅନ୍ତି । ଅଖଣ୍ଡ ଶବ୍ଦବ୍ରହ୍ମର ପ୍ରତିଭାସିତ ଶକ୍ତିରୂପେ ସ୍ୱୟଂ ଉଚ୍ଚାରିତ ସ୍ୱର ଧ୍ୱନି ଶରୀର କଳ୍ପନାରେ ନ୍ୟସ୍ତ ହୋଇ ମନ୍ତ୍ରକୁ ଶରୀରାତ୍ମକ କରିଥାନ୍ତି ଏବଂ ସେହି ମନ୍ତ୍ର ବିଗ୍ରହରେ ପ୍ରତିଷ୍ଠିତ ହୋଇ ଦେବତ୍ୱ ଲାଭକରେ । ଏହି ତନ୍ତ୍ରାଚାରକୁ ମାତୃକାନ୍ୟାସ କହନ୍ତି । ନାମକୁ ରୂପରେ ଓ ରୂପକୁ ନାମରେ ନ୍ୟସ୍ତ କରାଯାଏ ଏବଂ ତାହା ମନ୍ତ୍ରରୂପକୁ ପ୍ରାପ୍ତ ହୁଏ-

 

ମା’ ଶବ୍ଦର ମହିମା ଅବର୍ଣ୍ଣନୀୟ- ମହାମାୟାଙ୍କ ପରି ଦୁର୍ବିଜ୍ଞେୟ । ବସ୍ତୁତଃ ମା’ ଶବ୍ଦ ଆଚ୍ଛନ୍ନତା ଓ ବ୍ୟାପ୍ତି ଅର୍ଥରେ ମାୟା ଶବ୍ଦ ସୃଷ୍ଟି କରିଛି (୰ମା-ଯତ୍‌ + ଟାପ୍‌) । ଏହି ଶବ୍ଦ ମୂଳରେ ବିଷ୍ଣୁମାୟା ପରମାଶକ୍ତି ବିଦ୍ୟମାନ । ତେଣୁ ଆମେ ସୁଖରେ ଓ ଦୁଃଖରେ ମା’ ନାମ ଉଚ୍ଚାରଣ କରି ଶାନ୍ତିଲାଭ କରୁ । ଜୀବପକ୍ଷରେ ଏହି ଅମୃତମୟ ନାମଟି ଆନନ୍ଦ, ସନ୍ତୋଷ, ଆଶ୍ୱାସନା ଓ ଶକ୍ତିର ଉତ୍ସ । ମା’ର କରୁଣା ବ୍ୟତିରେକେ ସୃଷ୍ଟି-ପାଳନ-ସଂହାରକ୍ଷମ ‘ଶିବ’ ଶବ ମାତ୍ର । ନିଜର କରୁଣାନୁଗ୍ରହରେ ମା’ ଏହି ଜଗତକୁ ସୃଷ୍ଟି କରୁଛି, ପାଳନ କରୁଛି ଏବଂ ନୂତନ ସୃଷ୍ଟି ପାଇଁ ସଂହାର ମଧ୍ୟ କରୁଛି ।

 

ସେ ବ୍ୟକ୍ତିସତ୍ତାକୁ ପ୍ରକାଶ କରୁଛି, ନିର୍ଦ୍ଧାରଣ କରୁଛି ଏବଂ ଏହି ପ୍ରକାଶ ନିର୍ଦ୍ଧାରଣ ମଧ୍ୟରେ ମାୟାରୂପେ ଲୁକ୍‌କାୟିତ ରହିଛି । ବିଶ୍ୱପ୍ରକୃତି, ମନ, ଇନ୍ଦ୍ରିୟ, ଶରୀର—ସବୁକିଛି ମାତୃଶକ୍ତିରେ ଶକ୍ତିମୟ, ଆଚ୍ଛନ୍ନ ଓ ନିର୍ଦ୍ଧାରିତ । ପୃଥିବୀରେ ସବୁ ଜୀବ ମା’ ନାମଟିକୁ ବୁଝିପାରନ୍ତି । ପ୍ରାୟ ସମସ୍ତ ଭାଷାରେ ମା’ର ସମଧ୍ୱନ୍ୟାତ୍ମକ ଶବ୍ଦ ଦେଖାଯାଏ : ମା—ମାତୃ—mater—mother—me—ମାମି.....ଇତ୍ୟାଦି । ଉଚ୍ଚାରଣ—ପ୍ରଭେଦର ଏହି ରୂପରେ ସାମାନ୍ୟ ପାର୍ଥକ୍ୟ ମାତ୍ର ରହିଛି; କିନ୍ତୁ ଜୀବର ଆଦ୍ୟ ଉଚ୍ଚାରିତ ଧ୍ୱନିରୁ ଅମୃତନିସ୍ୟନ୍ଦିନୀ ମା’ ନାମର ସୃଷ୍ଟି । ମା’ ହିଁ ଜୀବପକ୍ଷରେ ଶାନ୍ତି-ମୁକ୍ତି-ପ୍ରଦାୟିନୀ । ସେ କରୁଣାର ଉତ୍ସ, ପରମ ଆଶ୍ରୟସ୍ଥଳ, ଅଭୟଦାତ୍ରୀ । ସନ୍ତାନ ପ୍ରାୟତଃ ସୁଖରେ ମା’କୁ ଭୁଲିଯାଏ; କିନ୍ତୁ ଦୁଃଖରେ ସେହି ଅଭୟଦାତ୍ରୀଙ୍କୁ ଡାକେ । ମାତୃ ଶବ୍ଦ ସମସ୍ତଙ୍କ ପକ୍ଷରେ ପରମ ମନ୍ତ୍ର । ଆଚାର୍ଯ୍ୟ ଯଥାର୍ଥରେ କହିଛନ୍ତି :

 

‘‘ଆପତ୍ସୁ ମଗ୍ନଃ ସ୍ମରଣଂ ତ୍ୱଦୀୟଂ କରୋମି ଦୁର୍ଗେ କରୁଣାର୍ଣ୍ଣବେଶି ।

ନୈବତ୍‌ ଶଠତ୍ୱଂ ମମ ଭାବୟେଥାଃ କ୍ଷୁଧାତୃଷାର୍ତ୍ତାଃ ଜନନୀଂ ସ୍ମରନ୍ତି ।।’’

 

ପୁନଶ୍ଚ ମା’ କେବେହେଲେ ସନ୍ତାନକୁ ଅବହେଳା କରେନାହିଁ । ସନ୍ତାନର ସବୁ ତ୍ରୁଟିକୁ ମାର୍ଜନାକରି ମାତୃସୁଲଭ କରୁଣାରେ କୋଳକୁ ନେଇଆସେ : ‘‘କୁପୁତ୍ରୋ ଜାୟେତ କ୍ୱଚିଦପି କୁମାତା ନ ଭବତି ।’’

 

ମା’ ଗାଳି ଦାଣ୍ଡଧୂଳି—ମା’ର କ୍ରୋଧ ବା ଗାଳି ସନ୍ତାନର କ୍ଷତି କରେନାହିଁ । ଅନ୍ତରୀଣ କରୁଣା ହେତୁ ବାହ୍ୟ କ୍ରୋଧ କିମ୍ବା ପରିବେଶଜନିତ ଗାଳି ନିରର୍ଥକ । ସେଥିପାଇଁ କଥା ଅଛି ‘‘ମା ଗାଳି, ଦାଣ୍ଡଧୂଳି’’ । ପୁରାଣରେ ଏ ସମ୍ବନ୍ଧରେ ଗୋଟିଏ ରୂପକ କାହାଣୀ ଅଛି । ସୂର୍ଯ୍ୟଙ୍କର ସ୍ତ୍ରୀ ସଂବିତ୍‌ପ୍ରଜ୍ଞା ଏବଂ ତାଙ୍କର ସନ୍ତାନ ସ୍ୱୟଂ ଧର୍ମରାଜ ଯମ । ଏକଦା ସଂଜ୍ଞା ତପସ୍ୱିନୀ ହେବା ଅଭିଳାଷରେ ନିଜର ପ୍ରତିରୂପ ‘ଛାୟା’ଙ୍କୁ ସୂର୍ଯ୍ୟଙ୍କ ନିକଟରେ ରଖି ନୈମିଷ୍ୟାରଣ୍ୟରେ ତପୋମଗ୍ନା ରହିଲେ । କାନ୍ତିମୟୀ ଛାୟା ଠିକ୍‌ ସଂଜ୍ଞାଙ୍କ ସଦୃଶା ଏବଂ ସୂର୍ଯ୍ୟଙ୍କର ସ୍ତ୍ରୀରୂପେ ତାଙ୍କର ମନୋରଞ୍ଜନ କଲେ । ସ୍ୱୟଂ ସୂର୍ଯ୍ୟ ଏହା ଜାଣି ପାରି ନ ଥାନ୍ତି । ଥରେ ଶିଶୁପୁତ୍ର ଯମ ‘ଛାୟା’ଙ୍କୁ ବହୁତ ବିରକ୍ତ କଲେ ଏବଂ ଛାୟା ତାଙ୍କୁ ଖଞ୍ଜ ହେବା ପାଇଁ ଗାଳିଦେଲେ । ଯମ ଖଞ୍ଜ ହୋଇଗଲେ ଏବଂ ପିତାଙ୍କୁ ମାତାଙ୍କ କ୍ରୋଧ—ବଚନଜନିତ ଏହି ଦୁଃଖ ଜଣାଇଲେ । ସୂର୍ଯ୍ୟ କହିଲେ—

 

‘‘ଏହା ହୋଇପାରେନା । ମା’ର କ୍ରୋଧ ସନ୍ତାନ ପକ୍ଷରେ ମୋଘ, ନିଷ୍ଫଳ ।’’ ପରେ ଧ୍ୟାନରେ ଜାଣିଲେ ଯେ ଛାୟା ଯମଙ୍କର ଜନ୍ମଦାତ୍ରୀ ମାତା ନୁହଁନ୍ତି । ସେ ସଂଜ୍ଞାଙ୍କର ପ୍ରତିମୂର୍ତ୍ତି ମାତ୍ର-। ଉକ୍ତ ଆଖ୍ୟାନରେ ମାତୃ ହୃଦୟର ସ୍ୱଭାବସିଦ୍ଧ ଅନ୍ତଃ କରୁଣା ହିଁ ପ୍ରଣିଧେୟ ।

 

ହେ ମା’ ! ବେଦବେଦାଙ୍ଗାଦି ଅଷ୍ଟାଦଶ ବିଦ୍ୟା ତୁମର ସ୍ୱରୂପାଂଶ ମାତ୍ର । ଚତୁଃଷଷ୍ଠୀକଳାଯୁକ୍ତ, ପାତିବ୍ରତ୍ୟସୌନ୍ଦର୍ଯ୍ୟ ତାରୁଣ୍ୟାଦି କରମ୍ବିତ ସମସ୍ତ ନାରୀଜଗତ୍‌ ତୁମର ବିଗ୍ରହ ମାତ୍ର । ମା’ ! ତୁମେ ହିଁ ଜନନୀସ୍ୱରୂପରେ ଏକମାତ୍ର ଜଗତ୍ ପ୍ରାଣୀମାନଙ୍କର ଅନ୍ତରୀଣ ଓ ବାହ୍ୟପ୍ରକୃତିରେ ବରିବ୍ୟାପ୍ତ । ତୁମେ ହିଁ ପରା (ପରମା) ଓ ଅପରା (ବ୍ୟବହାରିକ) ବାଣୀ । ତୁମର ସ୍ତବନଯୋଗ୍ୟ କେଉଁ ବାଣୀରେ ବା ଆମେ ସ୍ତୁତି କରିପାରିବା ?

 

‘‘ବିଦ୍ୟାଃ ସମସ୍ତାସ୍ତବ ଦେବି ! ଦେହାଃ ସ୍ତ୍ରିୟଃ ସମସ୍ତାଃ ସକଳାଃ ଜଗତ୍‌ସୁ ।

ତ୍ୱୟୈକୟା ପୂରିତମମ୍ବୟୈତତ୍‌ କା ତେ ସ୍ତୁତିଃ ସ୍ତବ୍ୟପରାପରୋକ୍ତିଃ ।।’’

Image